କୁନାଥିଲେ
କୁନାଥିଲେ
" ତୋ ବଡ଼ ଭାଇ କୁନା ଥିଲେ ଏତେବେଳକୁ ଏଇ ଜିତୁଭାଇ ଭଳି ହେଇଯାଆନ୍ତାଣି l", ମାଆ ସବୁବେଳେ ତାଙ୍କ ଛୋଟ ଝିଅ ମୁନ୍ନିକୁ କହନ୍ତି l ପଡିଶା ଲୋକଙ୍କୁ ବି କହନ୍ତି, "ମୋ କୁନା ବଞ୍ଚିଥିଲେ ଜିତୁ ଭଳି ପଞ୍ଚମର ପଢନ୍ତାଣି l ଜିତୁ ଠାରୁ ମାସେ ବଡ଼ ଥିଲା ମୋ କୁନା " l
କୁନା ଦେଢ଼ବର୍ଷ ଜମା ବଞ୍ଚିଥିଲା l ସେହି ଦେଢ଼ବର୍ଷର ମୃତ ଛୁଆଟା କିନ୍ତୁ ମାଆଙ୍କ ମନ ଭିତରେ ଧିରେ ଧିରେ ବଢ଼ିଯାଉଥିଲା ପଡିଶା ଘର ପୁଅ ଜିତୁ ଭଳି l କୁନାକୁ ବଢ଼ୁଥିବା କେହି ଦେଖି ପାରୁନଥିଲେ, କେବଳ କୁନାର ମାଆଙ୍କୁ ଛାଡ଼ି l
ମୁନ୍ନି କେମିତି ବଢୁଛି, କାହା ଭଳି ବଢୁଛି, ମାଆ ଏତେଟା ଧ୍ୟାନ ଦେଉନଥିଲେ l ମୁନ୍ନି ପରେ ଆଉଥରେ ସେ ଗର୍ଭଧାରଣ କରିପାରିବେନି, ତାହା ସେ ଜାଣିଥିଲେ, ଏବଂ ସେହିଟି ଥିଲା ତାଙ୍କ ଦୁଃଖର କାରଣ ଓ କୁନାକୁ ନିଜ ଭିତରେ ଜିତୁଭଳି ବଡ଼ ହେଇଯିବାର ଦେଖିବାର ମଧ୍ୟ କାରଣ l
,"ତୋ କୁନାଭାଇ ଥିଲେ " ଏହି ବାକ୍ୟଟି ମୁନ୍ନି ମାଆଙ୍କ ଠାରୁ ଶୁଣି ଶୁଣି ବିରକ୍ତ ହେଇଯାଉଥିଲା l ମୁନ୍ନି ଖୁବ୍ ପାଠ ପଢ଼ିଲା, ଚାକିରୀ କଲା, ବାହାହେଲା, ବିଦେଶ ଚାଲିଗଲା l ମାଆଙ୍କ ସହ ଫୋନ୍ ରେ କଥା ହେଉଥିଲା ବେଳେ ବି ମାଆ କହନ୍ତି, "ଜିତୁଭାଇର ଘର ତିଆରି ହେଉଛି l ବୋଧେ ତା' ବାହାଘର ହେବ l ତୋ କୁନାଭାଇ ଥିଲେ " l ମୁନ୍ନି କିଛି ସମୟ ଚୁପ୍ ରହିଯାଏ, କିଛି ସମୟ ପରେ କହେ, " ମାଆ ସେ କଥାକୁ ତିରିଶ ବର୍ଷ ହେଇଗଲାଣି ପରା
ଗୋଟେ ସପ୍ତାହ ମୁନ୍ନି ଖୁବ୍ ବ୍ୟସ୍ତ ଥିଲା ନିଜ କାମରେ l କାହା ସହ ବି କଥା ହେଇପାରିନଥିଲା l ସପ୍ତାହେ ପରେ ମାଆଙ୍କ ସହ କଥା ହେଲା l ମାଆ ମୁନ୍ନି ପାଇଁ ବ୍ୟସ୍ତ ହେଉଥିଲେ l ତା'କୁ ଦେଖିବାକୁ ଚାହୁଁଥିଲେ l ମୁନ୍ନି ଶୀଘ୍ର ଇଣ୍ଡିଆ ଫେରିବ କହିଲା l
ଏହି ଚାରିଦିନ ଭିତରେ ମାଆ ମୁନ୍ନିକୁ ଅନେକ ଥର ଫୋନ୍ କଲେଣି l ଆଗ ଅପେକ୍ଷା ବେଶିରୁ ବେଶି ଯତ୍ନଶୀଳା ହେଇପଡ଼ିଛନ୍ତି ଏବଂ ଥରଟେ ମଧ୍ୟ କହିନାହାନ୍ତି, "ମୋ କୁନା ଥିଲେ "
ମୁନ୍ନିକୁ ଆଶ୍ଚର୍ଯ୍ୟ ଲାଗିଲା l ସେ ନିଜ ଆଡୁ ପଚାରିଲା, "ମାଆ ଜିତୁଭାଇର ଘର କାମ ସାରିଲାଣି ? ତା' ବାହାଘର ଠିକ୍ ହେଲା ? "
"ଜିତୁର ଆକ୍ସିଡେଣ୍ଟ୍ ହେଇଯାଇଛି l ସେ ଏବେ କୋମାରେ l ଡାକ୍ତର କହୁଛନ୍ତି ଆଶା ଖୁବ୍ କମ୍, ମାଆ କହୁ କହୁ ଅଟକିଗଲେ ଆଉ ସେପଟୁ ଫୋନ୍ ବି କଟିଗଲା l ମୁନ୍ନିକୁ ଲାଗୁଥିଲା ମାଆ ଏଥର କାନ୍ଦି କାନ୍ଦି କହିବେ, "ମୁନ୍ନି, ତୋ କୁନାଭାଇ ଥିଲେ ଜିତୁଭାଇ ଭଳି