Lopamudra Mishra

Classics

2  

Lopamudra Mishra

Classics

କୁନମୁନ ପାଇଁ ଚକୋଲେଟ

କୁନମୁନ ପାଇଁ ଚକୋଲେଟ

6 mins
326


  ମୁଁ ସ୍କୁଲରୁ ଫେରିଲା ବେଳକୁ ସେ ଆମରି ଘରେ ଥାଏ l ମୋ ଜେଜେମାଆ, ଜେଜେ କିମ୍ବା ମାଆଙ୍କ ପାଖରେ ବସି ଗୁଲୁରୁ ଗୁଲୁରୁ ସ୍ୱରରେ ଆଲୁରୁ ବାଲୁରୁ କଥା ସବୁ କହୁଥାଏ l ଘରେ ପଶୁ ପଶୁ ତା' ପାଟି ଶୁଭିଗଲେ ମୋ ମନ ପୁଲକିତ ହେଇଉଠେ l ସ୍କୁଲର ସବୁ ଥକ୍କାପଣ, ସାଙ୍ଗମାନଙ୍କ ସହ ତିକ୍ତତା, ଶିକ୍ଷକଙ୍କ ଗାଳି ମାଡ଼ ସବୁ ଭୂଲିହେଇଯାଏ l ମୁଁ କବାଟ ପାଖରୁ ତା' ନାଁ ଧରି ପାଟି କରି କରି ଆସେ, "କୁନୁ, ମୋ କୁନୁ କୋଉଠି ? " l ସେ ଅଧା ଚାଲି ଅଧା ଦୌଡ଼ି ମୋ ପାଖକୁ ଧାଇଁ ଆସେ l ମୋ ସ୍କୁଲ୍ ଡ୍ରେସକୁ ତଳୁ ଟାଣି ଧରି କହେ, "ଚକି, ଚକି କାଇଁ? " l ମୁଁ ତା' ହାତରେ ଧରେଇ ଦିଏ ଗୋଟାଏ ଲଲିପପ୍ କିମ୍ବା ଦୁଇଟଙ୍କିଆ ମିଲ୍କ୍ ବାର୍ ରୁ ଗୋଟିଏ l ସେ ଖୁସି ହେଇଯାଏ l ହସିଦିଏ ଖିଲିଖିଲି l ତା' ହସରେ କି ଯାଦୁଥାଏ କେଜାଣି, ମୁଁ ସେତିକି ଦେଖିବା ପାଇଁ ପାଗଳ ହେଇଯାଏ ! ମୁଁ ତାକୁ କୋଳେଇ ନେଇ ଅଧଘଣ୍ଟା ଗେଲକରେ l 


         ମୁଁ ଯେତେବେଳେ ଯୁଆଡ଼େ ଯାଏ ଫେରିଲା ବେଳକୁ କୁନମୁନ୍ ପାଇଁ ଚକୋଲେଟ୍ ଆଣିବାକୁ ଭୂଲେନାହିଁ l ମୁଁ ମୋ ସାଧ୍ୟମତେ ଚକୋଲେଟ୍ କିଣେ l ଇଚ୍ଛା ଥାଏ ବଡ଼ଟେ ନେଇଯାଇ କୁନୁକୁ ବହୁତ ଖୁସି କରିଦେବା ପାଇଁ, କିନ୍ତୁ ମୋ ପାଖରେ ବେଶି ଟଙ୍କା ନଥାଏ l କୁନୁ ବି ସେହି ଛୋଟ ଛୋଟ ଚକୋଲେଟରେ ବେଶ୍ ସନ୍ତୁଷ୍ଟ ଥାଏ l ମୋତେ ଦେଖିଦେଲେ 'ଚକି ଚକି ' କହି ମୋ ପାଖକୁ ଧାଇଁଆସେ l କୁନୁ ମୋତେ ଦେଖି ହସିବା ଓ ମୋ ପାଖକୁ ଦୌଡ଼ି ଆସିବାର ଖୁସିକୁ ମୁଁ କେବେବି ହାତଛଡ଼ା କରିବାକୁ ଚାହୁଁନଥିଲି l ସେତିକି ଖୁସି ତ ମୋ ପାଇଁ ଦୁନିଆଁର ସବୁ ଖୁସି ଠାରୁ ଉପରେ ଥିଲା l 


   ମୋର ସ୍କୁଲ୍ ସରିଗଲା l ମୁଁ କଲେଜରେ ପଢ଼ିବା ପାଇଁ ଘର ଛାଡ଼ି ହଷ୍ଟେଲ୍ ଚାଲିଗଲି l ମୋ କୁନୁ ବି ଟିକେ ଟିକେ ବଡ଼ ହେଉଥିଲା l ତା' ପାଇଁ ମୁଁ ଆଣୁଥିବା ଚକୋଲେଟ୍ ର ସାଇଜ୍ ବି ଧିରେ ଧିରେ ବଡ଼ ହେଉଥିଲା l କୁନୁ ଇଂରାଜୀ ଅକ୍ଷର 'ଏ, ବି, ସି, ଡି' ଓ କେତୋଟି ଇଂରାଜୀ ରାଇମ୍ସ୍ ମଧ୍ୟ ଶିଖିଯାଇଥିଲା l ମୁଁ ଘରକୁ ଆସିଲେ ମୋତେ 'ଟ୍ୱିଙ୍କଲ୍ ଟ୍ୱିଙ୍କଲ୍ ଲିଟିଲ୍ ଷ୍ଟାର୍' ଗାଇ ଶୁଣାଏ, ଆଉ ତା' ବଦଳରେ ମୋ ପାଖରୁ ଚକୋଲେଟ୍ ଡିମାଣ୍ଡ୍ କରେ l 


   ତା'ର ଚକୋଲେଟ୍ ଖାଇବାର ଢଙ୍ଗ ମୋତେ ବହୁତ ଭଲଲାଗେ l ତା' ଦାନ୍ତ ମଝିରେ ଚକୋଲେଟ୍ ଫସିଯାଇ ସେ ଭଙ୍ଗା ଦାନ୍ତିଆ ଭଳି ଦେଖାଗଲେ, ମୋତେ ସେ ଭାରି କ୍ୟୁଟ୍ ଦିଶେ l ମୁଁ ତା'ର ଚକୋଲେଟ୍ ଖିଆ ସମୟର କେତୋଟି ଫୋଟୋ ଉଠାଇ ରଖୁଥିଲି l


      ହଷ୍ଟେଲରୁ ମୋର ଘରକୁ ଆସିବା ସମୟ ହେଇଗଲେ ମୋତେ କୁନୁର ଗୁଲୁ ଗୁଲିଆ ମୁହଁ ଦିଶିଯାଏ l ମୁଁ ତା' ପାଇଁ ଚକୋଲେଟ୍ କିଣି ରଖେ l ମାଆଙ୍କୁ ଫୋନରେ ପଚାରେ, "କୁନମୁନ୍ ଆସୁଛି ନା ଘରକୁ ? ସେ କେମିତି ଅଛି? " l ମାଆ କହନ୍ତି, "ତୁ ନଥିଲେ ସେ ଏତେ ଆସେନି l ଯଦି ବି ଆସେ ତୋ ରୁମ୍ ପାଖକୁ ଯାଇ ଦେଖେ ତୁ ଅଛୁ କି ନାହିଁ " l ମୁଁ ଜାଣିଥାଏ ମାଆ ଏମିତି ହିଁ ଉତ୍ତର ଦେବେ l ତଥାପି ମୁଁ ପଚାରେ l କୁନମୁନ୍ ମୋତେ ଖୋଜୁଛି ସେତିକି ଶୁଣିବାକୁ ମୋତେ ବହୁତ ଭଲଲାଗେ l

  

     କଲେଜରେ ମୋର ଫାଇନାଲ୍ ଇୟର୍ l ମୋ କୁନୁକୁ ଏହି ମାର୍ଚ୍ଚରେ ଆଠ ବର୍ଷ ହେଇଯିବ l ଫେବୃଆରୀ ସାତରେ ମୋର ଇଣ୍ଟରନାଲ୍ ପରୀକ୍ଷା ସରିଗଲା l ନଅ ତାରିଖରେ ଚକୋଲେଟ୍ ଡେ ପାଇଁ ଆମ ଲେଡିଜ୍ ହଷ୍ଟେଲ୍ ଆଗରେ ଚକୋଲେଟ୍ ପ୍ୟାକେଟ୍ ଓ ଗିଫ୍ଟ୍ ପ୍ୟାକେଟ୍ ଧରି କେତେ କେତେ ପୁଅପିଲା ସେମାନଙ୍କ ଝିଅସାଙ୍ଗମାନଙ୍କୁ ଅପେକ୍ଷା କରିଥାନ୍ତି l ମୋତେ ଆମ ୱାଚ୍ ମ୍ୟାନ୍ ଭାଇ ଡାକିଲେ l ମୁଁ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲି, ଆପ୍ଲିକେସନ୍ ଲେଟରଟା ଅଫିସ୍ ଆଗରେ ରେଜିଷ୍ଟର୍ ଉପରେ ଥୋଇ ବାହାରକୁ ଆସିଲି l ମୋ ପାଇଁ ଜଣେ ଅପେକ୍ଷା କରିଥିଲା, ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି l


--ତୁମେ ଏଠି ? କାହା ପାଖକୁ ଆସିଥିଲ ? 


--ତୁମ ପାଖକୁ l ଏଇଟା ଆଣିଥିଲି ତୁମ ପାଇଁ l 


--ମୋ ପାଇଁ ? 


--ହଁ ଭାବିଥିଲି ରୋଜ୍ ଡେ ରେ ଆସିବି l କିନ୍ତୁ ମୁଁ ତୁମକୁ ସବୁବେଳେ ଚକୋଲେଟ୍ କିଣୁଥିବା ଦେଖେ ତ ଭାବିଲି ତୁମେ ଚକୋଲେଟ୍ ବହୁତ ପସନ୍ଦ କରୁଥିବ l ସେଥିପାଇଁ..


--ହଁ, କିନ୍ତୁ ମୋତେ କାହଁକି ? ମୁଁ ତ ତୁମକୁ କେବେ କହିନି ମୋର କିଛି ଦର୍କାର ବୋଲି l ସରି ମୁଁ ଏସବୁ ନେଇପାରିବିନି , ତୁମେ ଯାଅ l 


   ସେ କିନ୍ତୁ ଗଲାନାହିଁ l ଚକୋଲେଟର ବଡ଼ ପ୍ୟାକେଟଟା ମୋ ଆଡ଼କୁ ଦେଖେଇ କହିଲା, "ପ୍ଲିଜ୍ ରଖିନିଅ, ମୁଁ କିଛି ଚାହୁଁନି ତୁମ ଠାରୁ l ପ୍ଲିଜ୍..l ମୁଁ ଫେରେଇ ନେଇ ପାରିବିନି l ତୁମେ ଯଦି କହିବ ମୁଁ ଆଉ କେବେ ବି ତୁମ ସହ କଥା ହେବିନି l କିନ୍ତୁ ଆଜି ଏଇଟା ନରଖିଲେ ମୁଁ ଏଠୁ ଯିବିନି" l ମୁଁ ଚାରିପାଖକୁ ଦେଖିଲି,ଆମ ଆଡ଼କୁ ମଧ୍ୟ କିଛି ଜଣ ଦେଖୁଥିଲେ l ମୋତେ ସେ ପିଲା ପାଇଁ ଖରାପ ଲାଗିଲା l ମୁଁ ପ୍ୟାକେଟଟା ତା' ହାତରୁ ନେଲି l ସେ ହସି ଦେଲା l "ହ୍ୟାପି ଚକୋଲେଟ୍ ଡେ ", କହି ଗେଟ୍ ବାହାରକୁ ଚାଲିଗଲା l 


   ମୁଁ ସେ ପ୍ୟାକେଟଟା ଆଉ ଚେକ୍ କଲିନି, ବ୍ୟାଗରେ ଭର୍ତ୍ତି କରିଦେଲି l ମୋ ରୁମ୍ ମେଟ୍ସ୍ ମୋତେ ଦେଖି ହସୁଥିଲେ l "ଆରେ ସେମିତି କିଛି ନୁହେଁ, ଏଇଟା କେବଳ ଚକୋଲେଟ୍ ଡେ l ତୁମେମାନେ ସନ୍ଦେହ କରିବା ବନ୍ଦ୍ କର ", ମୁଁ ସେମାନଙ୍କୁ ଏତିକି କହି ବ୍ୟାଗ୍ ଧରି ବସ୍ ଷ୍ଟାଣ୍ଡ୍ ଆଡ଼େ ଚାଲିଆସିଲି l ବସରେ ବସି ଭାବୁଥିଲି, " କୁନୁକୁ ଏ ସବୁ ଚକୋଲେଟ୍ସ୍ ବହୁତ ଭଲ ଲାଗିବ l ଭଲ ହେଲା ମୁଁ ତାକୁ ପ୍ୟାକେଟଟା ଫେରେଇ ଦେଇନି l ଏଥିରେ ଡ୍ୟାରିମିଲ୍କ୍ସ୍, ଫାଇଭ୍ ଷ୍ଟାର୍, କିଟକ୍ୟାଟ୍ ର ସବୁ ପ୍ରକାର ଚକୋଲେଟ୍ସ୍ ଥିବ l ଏ ସବୁଗୁଡ଼ାକ ମୋ କୁନୁର" l 


  ସେଦିନ ବି ଗୋଟେ ରବିବାର ଥିଲା l ଘର ପାଖରେ ମୁଁ ଅଟୋରୁ ଓହ୍ଲେଇପଡ଼ି ଗେଟ୍ ଆଡ଼େ ଚାହିଁଲି, ଜେଜେମାଆ ପିଣ୍ଡା ଉପରେ ଏକା ବସିଥିଲେ l ମୁଁ ତାଙ୍କୁ ଜୁହାର ହେଇ ଘର ଭିତରକୁ ଗଲି l ମାଆ ରୋଷେଇ କରୁଥିଲେ, ମାଛ ବେସର, ମୋର ପ୍ରିୟ l ବାପା ଘରେ ନଥିଲେ, ସାନ ଭଉଣୀକୁ ଟ୍ୟୁସନରୁ ଆଣିବାକୁ ଯାଇଥିଲେ l ରବିବାର ଦିନ ସେ ଏକ୍ସଟ୍ରା କୋଚିଂ ପାଇଁ ଯାଏ l ମୁଁ ମାଆଙ୍କୁ କୁନୁ କଥା ପଚାରିଲି l ମାଆ ତା' ବିଷୟରେ କିଛି କହିଲେନି l ଧୁଆ ଧୋଇ ହେଇ ଡ୍ରେସ୍ ଚେଞ୍ଜ୍ କରିବାକୁ କହିଲେ, ଯେମିତି ସେ ସବୁବେଳେ ମୋତେ କୁହନ୍ତି l 


  ମୁଁ ବାଡ଼ିଆଡ଼େ ଗଲି l ଜେଜେ ବାଡ଼ିପଟେ ଖରାରେ ଖଟିଆ ପକେଇ ଗଡୁଥିଲେ, ସେଠି ବି କୁନୁ ନଥିଲା l ମୁଁ ଡ୍ରେସ୍ ଚେଞ୍ଜ୍ କରି ଚକୋଲେଟ୍ ପ୍ୟାକେଟଟା ଧରି କୁନୁ ଘର ଆଡ଼େ ବାହାରିଲି l ମାଆ ପଛରୁ ଡାକିଲେ, "କୁଆଡ଼େ ଯାଉଛୁ ? " l


--କୁନମୁନ୍ ପାଇଁ ଚକୋଲେଟ୍ ଆଣିଥିଲି l 


--ଯାଆନା ତାଙ୍କ ଘରକୁ l


--କାହଁକି ? 


--ବାପା ମନା କରିଛନ୍ତି l


--କିନ୍ତୁ କାହଁକି ? 


--ପରେ ସବୁ ଜାଣିବୁ l ଏବେ ଯାଆନା l 


--ନା ମୁଁ ଯିବି l ମୋର ତୁମ ଝଗଡା ଝାଂଟିରେ କଣ୍ ଯାଏ ଯେ !


--ତୋତେ ପା କହିଲି ଯାଆନା l ଆଉ ସେ ପ୍ୟାକେଟଟା ବି ରଖ ଘରେ l ତୋର କଣ୍ ନିଜର ସାନ ଭଉଣୀ ନାହିଁ, ପର ଛୁଆ ପ୍ରତି ଏତେ ସୁଆଗ ଦେଖାଉଛୁ ? ରଖ୍ ସୁନା ଟ୍ୟୁସନରୁ ଆସୁ ତାକୁ ଦେବୁ l


"ନା ତାକୁ ଦେବିନି", କହି ମୁଁ କୁନୁର ଘର ଆଡ଼େ ଚାଲିଲି l ଜେଜେମାଆ ପିଣ୍ଡାରେ ବସି କହୁଥିଲେ, "ତାଙ୍କ ଘରକୁ ଯାଉଚୁ କି ? ସେପଟେ ବାଡ଼ ଦିଆଯାଇଛି, ଆରପଟେ ଦାଣ୍ଡ ଦେଇକି ଯାଆ l କିନ୍ତୁ ତୋ ବାପ ଆସିଲେ ରାଗିବ, ଜଲ୍ଦି ପଳେଇ ଆସିବୁ" l


  ମୁଁ କୁନମୁନ୍ ର ଘର ପିଣ୍ଡା ଉପରକୁ ଉଠିଲି l କୁନୁର ବାପା ଆଉ ଜେଜେଙ୍କୁ ଜୁହାର ହେଲି l କେହି ମୋତେ କିଛି କହିଲେନି l କୁନୁ ଟିଭିରେ ଛୋଟା ଭୀମ୍ ଦେଖୁଥିଲା l ମୁଁ ତାକୁ ଦେଖି ହସିଦେଲି l ସେ ମୋ ଆଡ଼କୁ ଟିକେ ଅନେଇ ଦେଇ ପୁଣି ଟିଭିକୁ ଦେଖିଲା l ଟିକେ ବି ହସିଲାନି l ମୁଁ ଚକୋଲେଟ୍ ପ୍ୟାକେଟଟା ତାକୁ ଦେଖେଇ କହିଲି, "ଏଇଟା କାହାର ? ମୋ କୁନୁର " l କୁନୁ ଦେଖିଲା ଚକୋଲେଟ୍ ଆଡ଼େ l ଟିଭି ଆଗରୁ ଉଠି ଆସିଲା l ମୁଁ ଖୁସି ହେଇଗଲି l କିନ୍ତୁ ସେ ମୋ ପାଖକୁ ନଆସି ତାଙ୍କ ଘର ଭିତରକୁ ଦୌଡ଼ି ପଳେଇଲା l ଅଳ୍ପ କେଇ ସେକେଣ୍ଡରେ ଭିତରୁ ବଡ଼ ଚକୋଲେଟଟେ ଧରି ବାହାରି ଆସିଲା l ମୋତେ ଦେଖେଇ ଖାଇବା ଆରମ୍ଭ କରିଦେଲା l ଖାଉ ଖାଉ ମୋ ଆଡ଼କୁ ମୁହଁ ମୋଡି କହିଲା, "ନେଇଯାଅ ତୁମ ଚକୋଲେଟ୍, ମୋର ଦର୍କାର ନାହିଁ l ମୋ ବାପା ମୋ ପାଇଁ ବହୁତ ଚକୋଲେଟ୍ ଆଣିଛନ୍ତି l"


   ମୁଁ ଆଶ୍ଚର୍ଯ୍ୟ ହେଇଗଲି କୁନୁର ଏମିତି ବ୍ୟବହାରରେ l ମୋତେ କାନ୍ଦ କାନ୍ଦ ଲାଗିଲା l ଆଖିରୁ ଲୁହ କେଇ ଟୋପା ବି ଖସିପଡ଼ିଲା l ସେହି ସଙ୍ଗେ ସଙ୍ଗେ ମୁଁ ତାଙ୍କ ଘରୁ ବାହାରି ଆସିଲି l ପଛରୁ ମୋତେ ଶୁଭିଲା କୁନୁ ତା ମାଆଙ୍କୁ କହୁଛି, "ମୁଁ ତାଙ୍କ ସହ ଜମା କଥା ହେଇନି l ମୁହଁ ବି ମୋଡିଛି l ଏଇଟା ସରିଗଲେ ଆଉ ଗୋଟେ ବଡ଼ ଚକୋଲେଟ୍ ଦେବ ମୋତେ? ଦେବ ନା? " l


   ମୁଁ ମୁହଁ ଶୁଖେଇ ଘରକୁ ଚାଲିଆସିଲି l ସାନ ଭଉଣୀର ଘରକୁ ଫେରିବା ଯାଏଁ ଅପେକ୍ଷା କଲିନି l ଅଳ୍ପ ଖାଇ ଶୋଇପଡିଲି l ସନ୍ଧ୍ୟାରେ ଉଠି ଭଉଣୀକୁ ଚକୋଲେଟ୍ ପ୍ୟାକେଟଟା ଦେଲି l ସେ ବହୁତ ଖୁସି ହେଇଗଲା l ତାକୁ ମୁଁ କେବେ କିଛି ଦେଉନଥିଲି, ସେଥିପାଇଁ ସେ ସବୁବେଳେ ମନ ଦୁଃଖ କରୁଥିଲା l ସେ ପ୍ରଥମ କରି ମୋ ହାତରୁ ଚକୋଲେଟ୍ ନେଉଥିଲା l ଚକୋଲେଟ୍ ଗୁଡା ଖୋଲି ଦେଖୁ ଦେଖୁ କହିଲା, "କୁନୁମୁନ୍ ଚକୋଲେଟ୍ ଖାଇବାକୁ କେତେ ଭଲ ପାଏ ! ମୋ ପାଖରେ ଟଙ୍କା ନଥାଏ ବୋଲି ମୁଁ ତାକୁ ଦେଇପାରେନି l ସେ ସେଥିପାଇଁ ମୋତେ ଭଲ ପାଏନି l ଆଜି ସେ ଘରକୁ ଆସିଥିଲେ ମୁଁ ତାକୁ ଦେଇଥାନ୍ତି ଏଥିରୁ ଗୋଟେ l ନାନୀ, ତୁ ମୋତେ ସବୁଗୁଡା କାହଁକି ଦେଇଦେଲୁ ? ନେ ତୁ ବି ଖାଆ ଗୋଟେ " l


   ମୋର ଇଚ୍ଛା ହେଲାନି ସେ ଚକୋଲେଟ୍ସ୍ କୁ ଛୁଇଁବାକୁ l ମୁଁ ମନାକରି ଦେଲି ଓ ବେଡ୍ ଉପରେ ଯାଇ ଗଡିଲି l ଆମ ବାଡ଼ି ପଟେ କାହାର ପାଟି ଶୁଭିଲା l ଗୋଟେ ଛୋଟ ଛୁଆର ପାଟି ଭଳି ମୋତେ ଲାଗିଲା l ମୁଁ ବାଡ଼ି ଆଡ଼େ ଗଲି, ଆମ ଘରେ କାମ କରୁଥିବା ମହିଳାଜଣଙ୍କ ତାଙ୍କ ଛୋଟ ନାତିକୁ ସାଙ୍ଗରେ ନେଇ ଆସିଥିଲେ l ସେହି ପିଲା ମୋ ଭଉଣୀ ସହ କଥା ହେଉଥିଲା l ମୋ ଭଉଣୀ ତାକୁ ଚକୋଲେଟ୍ସ୍ ଦେଉଥିଲା l ସେ ଖୁସି ହେଇ ପଚାରୁଥିଲା, "ସବୁଗୁଲାକ ମୋ ପାଇଁ? " l


--ହଁ ଏତିକି ସବୁ ତୋର l


--ପୁନି କାଲି ବି ଆସିବି, ଆଉ ଚକି ଦେବ ? 


--ହଁ ଦେବି l କାଲି କିନ୍ତୁ ଛୋଟଟେ ଦେବି l ତୁ ଆସିବୁ ତ କାଲି ?


--ହଁ ଆସିବି l ତୁମ ନାଁ କନ ? 


--ମତେ ତୁ ନାନୀ ଡାକିଲେ ଚଳିବ l ବୁଝିଲୁ ? ମନେ ରଖ୍ ନାନୀ ନଡାକିଲେ କିନ୍ତୁ ଚକି ଫକି କିଛି ନାହିଁ l


  ମୋ ଭଉଣୀ ଅଷ୍ଟମରେ ପଢ଼ୁଥିଲା ଆଉ କେବଳ ନାନୀ ଡାକ ପାଇଁ ସେ ଚକୋଲେଟ୍ ଲାଞ୍ଚ ଦେଉଥିଲା l ମୁଁ ହସିଲି,ବହୁତ ହସିଲି l ସେହି ପ୍ୟାକେଟରୁ ସବୁ ଚକୋଲେଟ୍ସ୍ ସରି ଆସୁଥିଲା ଆଉ ତା ସହ ଆଉ ଗୋଟାଏ ଚକୋଲେଟ୍ ଡେ ବି ଶେଷ ହେବାକୁ ଯାଉଥିଲା l  


Rate this content
Log in

Similar oriya story from Classics