Amit Bal

Tragedy Classics Inspirational

5.0  

Amit Bal

Tragedy Classics Inspirational

(୪)*ଅଜର ଅମର ଆନନ୍ଦ *

(୪)*ଅଜର ଅମର ଆନନ୍ଦ *

3 mins
393


     କୈାଣସି ଚଳଚ୍ଚିତ୍ର କାହାଣୀରେ ନାୟକର ଚରିତ୍ର କେବେ ଫୁଲର ସୁଗନ୍ଧ ପରି ମହ ମହ ମହକିତ ତ କେବେ ଚନ୍ଦ୍ରର ଶୀତଳତା ପରି କୋମଳ ପୁଲକିତ। ପୁଣି କେଉଁ ଚରିତ୍ର ସୂର୍ଯ୍ୟର ପ୍ରଖର ତେଜ ପରି ତେଜବାନ୍ । କେବେ କେବେ ହୋଇପାରେ ସେ ହୁଏତ,ସବୁ ଚରିତ୍ରର ମିଶ୍ରଣରେ ବଳିଆନ୍ ।କାହାଣୀର ଆବଶ୍ୟକତାକୁ ନେଇ ସେ ହୁଏ କଳ୍ପିତ ଲିଖିତ ଚିତ୍ରିତ । ପରିଚିତି ତା'ର ବଢିଚାଲେ, ଗୋଟିଏ ଯୁଗରୁ , ଆଗାମୀ ଯୁଗ ଯୁଗ ପର୍ଯ୍ୟନ୍ତ । ତେଣିକି ସେ ହୁଏ ଅଭୁଲା ଅଜର ଅମର । ପ୍ରତିଟି ହୃଦୟରେ ଗଢିଚାଲେ ନିଜ ପାଇଁ ଘରଟିଏ ପ୍ରେମ ପ୍ରୀତି ଆପଣାପଣର ।

       ସେଇ ଭଳି ହୃଦୟସ୍ପର୍ଶୀ ପ୍ରଭାବଶାଳୀ କାଳଜୟୀ ଚରିତ୍ରଟେ ହେଉଛି , କାହାଣୀକାର ହୃଷିକେଶ ମୁଖାର୍ଜୀଙ୍କ ପରି ମହାନ୍ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଚଳଚ୍ଚିତ୍ର ଆନନ୍ଦ' ର ନାୟକ "ଆନନ୍ଦ" । ଭାରତୀୟ ସିନେମାର ପ୍ରଥମ ସୁପରଷ୍ଟାର ସ୍ବର୍ଗତ ରାଜେଶ ଖାନ୍ନାଙ୍କ ଜୀବନ୍ତ ଅଭିନୟ ଚରିତ୍ରଟିକୁ ଏଭଳି ମର୍ମଭେଦୀ କରି ରୂପେଲି ପରଦାରେ ଫୁଟେଇ ଥିଲା ଯେ ,ଦର୍ଶକ ଆଖିରେ ଲୁହ ଅଟକାଇ ପାରିନଥିଲେ । ଦିନ ମାସ ବର୍ଷ ଦଶନ୍ଧି ଧରି ଆଜି ବି ସେଇ ଆନନ୍ଦ ଚରିତ୍ର ଦର୍ଶକଙ୍କୁ ପାଗଳ କରେ । ଭାବ ବିହ୍ୱଳ କରେ । ଅଜାଣତରେ ନୟନେ ଅଶ୍ରୁ ଭରେ ।

       ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ, ସେ ଚରିତ୍ରର ଗଭୀରତାକୁ ।ସେ ଥିଲା ପ୍ରତିସ୍ପର୍ଦ୍ଧାର ଜୀବନ୍ତ ପ୍ରତିଭୂ । ପ୍ରତିକ୍ଷଣେ ମୃତ୍ୟୁକୁ ନିଜର ଏତେ ନିକଟରେ ଦେଖି ମଧ୍ୟ ସ୍ଥିର ଅବିଚଳିତ ।ବିଶ୍ବାସ ହୁଏନା ସତରେ କଣ କେହି ଜୀବନେ ଏମିତି ବି ନିର୍ବିକାର ନିର୍ଭୟ ନିରୁତା ବ୍ୟକ୍ତିତ୍ବର ଅଧିକାରୀ ହୋଇପାରେ !

       ସତ୍ୟତା ବାସ୍ତବତାର ଅନ୍ୟ ନାଆଁ ହିଁ ତ ଜୀବନ । ମୃତ୍ୟୁ ଏଠି ଚିରନ୍ତନ । କାହାଣୀ ଆନନ୍ଦର ଜୀବନ ମୃତ୍ୟୁକୁ ନେଇ । ଅଗଣିତ ଶଙ୍କାକୁଳ ମୂହୁର୍ତ୍ତକୁ ଛୁଇଁ । କର୍କଟ ରୋଗରେ ଆକ୍ରାନ୍ତ ଆନନ୍ଦ ତିରିଶ ବତିଶି ବର୍ଷର ଯୁବକ , ଦୁଇ ଡାକ୍ତରଙ୍କୁ ବାଦ୍ ଦେଇ ନାହାନ୍ତି ଯାହାର କେହି ପାଖ ଲୋକ ।ସେ ଜାଣିଛି ମୃତ୍ୟୁ ତା ସମ୍ମୁଖରେ , ତଥାପି ସେ ଖୁସି , ଜୀବନକୁ ଦୀର୍ଘ ନୁହେଁ ବିଶାଳତା ସହ ଜିଇଁ ବାରେ ।ସେ ହସେ ମୃତ୍ୟୁକୁ ଜୀବନ ସାଥେ ତୁଳନା କରି , କହେ ମରିବାକୁ ଅଛି ଯଦି ନିଶ୍ଚିତ ଦିନେ , କାହିଁକି ମରିବା ପ୍ରତିଦିନ ପ୍ରତି କ୍ଷଣେ ତିଳ ତିଳ ହୋଇ ଜୀବନକୁ ଏବେ ଠାରୁ ମାରି ।

        ସେ ଯେବେ ଶୁଣେ ଡଃ ବାନାର୍ଜୀଙ୍କ କବିତା ମୃତ୍ୟୁକୁ ନେଇ , ହସି କହିଦିଏ ଦୁଇ ପଦ କଥା , ଜୀବନ ଦର୍ଶନରେ ମୃତ୍ୟୁର ବାର୍ତ୍ତା , ଯାହା ଘର କରିଯାଏ ଦର୍ଶକର ହୃଦୟରେ କାଳଜୟୀ ସଂଳାପଟେ ହୋଇ ।ଛାତି ଥରିଯାଏ ଦର୍ଶକର । କେଉଁ ଦୂର ରାଇଜରେ ହଜିଯାଏ ଭୟ ମୃତ୍ୟୁର । ସେ ଜୀବନକୁ ଯେମିତି ନୂଆ ଦିଗ ଦିଏ , କହେ ମୃତ୍ୟୁ କେବେବି ଜୀବନଠୁ ବଡ଼ ନୁହେଁ । ଦୁନିଆର ରଙ୍ଗ ମଞ୍ଚରେ ମୃତ୍ୟୁର ଅଭିନୟ ମାତ୍ର କେଇ କ୍ଷଣର ,ଅଥଚ ଜୀବନର ଅଭିନୟ ଯେ ସମାହାର ଅଗଣିତ ମୂହୁର୍ତ୍ତର । ପରମପିତାଙ୍କ ହାତେ ଯଦି ଜୀବନର ଡୋରି , ଲାଭ କ'ଣ ତାକୁ ବାରମ୍ବାର ମନେ କରି । କିଏ ଜାଣେ କେତେବେଳେ କାହାକୁ ଡାକି ନେବେ ସେ ନିଜ ରାଇଜକୁ ,ମଣିଷ କାହିଁକି ତେବେ ଅପେକ୍ଷା କରିବ , ସବୁ କିଛି ଭୁଲି ଯାଇ , ମିଛଟାରେ ଏଇ କ୍ଷଣୁ ସେଇ ମୂହୁର୍ତ୍ତ କୁ ! ମୃତ୍ୟୁ ଯଦି ଅନିବାର୍ଯ୍ଯ ,ସମୟ ଯଦି ହୋଇ ସାରିଛି ଧାର୍ଯ୍ୟ, ଭୟ ନାହିଁ କହି ଦିଅ ତାକୁ ।

        ଶେଷରେ ଦିନେ ଆନନ୍ଦ ମୃତ୍ୟୁ ର କୋଳେ ସମାହିତ ହୋଇଯାଏ । କିଛି କ୍ଷଣ ଲାଗି ସମୟ ଯେମିତି ରହି ଯାଏ।  ଚିତ୍କାର କରି ଉଠନ୍ତି ଡଃ ବାନାର୍ଜୀ । ମନେ ହୁଏ ତାଙ୍କୁ , ସେ ଯେପରି ହାରିଦେଲେ କେହି ଆପଣା ଲୋକକୁ । ଦର୍ଶକଙ୍କ ଆଖି ଢଳଢଳ ଛଳ ଛଳ। ଭାରତୀୟ ସିନେମା ରେ ଆନନ୍ଦ ହେଲା ଆଶାଠୁ ଅଧିକ ସ୍ମରଣୀୟ ଏବଂ ସଫଳ ।

         ସମୟ ଆଗେଇ ଚାଲେ କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ହୋଇ ନିଜସ୍ବ କକ୍ଷ ପଥରେ ।ଆପଣାର କେତେ କେତେ ପ୍ରତିଛବି ଆଙ୍କି ଦେଇ ହୃଦୟ ପଟଳରେ । ହେଲେ କ'ଣ ଭୁଲି ହୁଏ ଆନନ୍ଦ କୁ ଜୀବନରେ ! ସତରେ କଣ ମୃତ୍ୟୁ ତାକୁ ବାନ୍ଧି ନେଇପାରେ ! ସେ ଫେରି ଥାଏ ନିଶ୍ଚିତ ଭାବେ ଅପେକ୍ଷାର ଶେଷ ସୋପାନରେ । ଖୁସିର ମହକ ବାଣ୍ଟିବାକୁ ଏ ମ୍ଳାନ ପୃଥିବୀରେ । କେବେ ମୁରାରୀଲାଲ୍ କୁ ନିଜ ବାକ୍ୟ ଚାତୁରୀ ରେ ଉଲୁଝେଇବା ପାଇଁ , ଆଉ କେବେ ବାବୁ ମୋଶାୟର ମନ ବେଦନାକୁ ଚାହିଁ । ପ୍ରତି ଥର ନିଆରା ରୂପ ନେଇ, ଓଠ ରେ ହସ ଭରି ଆଖିରେ ଲୁହ ହୋଇ , ଛପି ଛପି ଅଗଣିତ ହୃଦୟର ଭାବନାକୁ ଛୁଇଁ । କି ସଂଜ କି ସକାଳରେ , ସଂପର୍କ ଫୁଲର ପ୍ରତି ପାଖୁଡ଼ାରେ ....।


Rate this content
Log in

Similar oriya story from Tragedy