(୦୫/୦୧)#ନୀରବତାର ନୀଳପିଠିରେ ବୋଉ
(୦୫/୦୧)#ନୀରବତାର ନୀଳପିଠିରେ ବୋଉ
ରାତି ନଅଟା ରୁ ବେଶୀ ହେଲାଣି ସମୟ । ସତ୍ୟବ୍ରତ ହସ୍ପିଟାଲରୁ ଘରକୁ ଫେରୁଛନ୍ତି । ଫେରିବା ବାଟରେ ମାମୁଁ ଘର ପଡେ । ଅଭ୍ୟାସ ବଶତଃ ତାଙ୍କ ବାରଣ୍ଡା ଆଡ଼କୁ ଆଖି ଚାଲିଯାଏ ।ଆଜି ବି ଚାଲିଗଲା । ବଡ ମାମୁଁ ଏକା ବସିଥିଲେ ।
ତାଙ୍କୁ ଦେଖିଲେ ଲାଗୁଥିଲା ଯେମିତି ଏବେ ବୋଉ ଘର ଭିତରୁ ଆସି ତାଙ୍କ ପାଖରେ ବସିବ । ଦୁହେଁ ଦୁଃଖ ସୁଖ ହେବେ।ଆଉ ଦେଖୁ ଦେଖୁ ପିଲାଦିନକୁ ଚାଲିଯିବେ ।
କିଛି ସମୟ ପରେ ବୋଉର ଆଖି ଛଳ ଛଳ ହୋଇଯିବ । ସେମାନଙ୍କୁ ଏମିତି ଦେଖୁଥିବା ବେଳେ, ସତ୍ୟବ୍ରତ ନିଜ କୁ ନିଜେ ପଚାରନ୍ତି, ବୋଉର ଆଖିରେ କେତେ ଲୁହ ଅଛି ସତରେ ! ସବୁଦିନେ ତା' ଆଖିରେ ଲୁହ । ତା'ର ଲୁହର କ'ଣ ଶେଷ ନାହିଁ ।
କିଛି ଦିନ ହେଲାଣି ସତ୍ୟବ୍ରତଙ୍କ ଆଖିରେ ଲୁହ ଶୁଖୁ ନଥିଲା । ସବୁ ସମୟରେ ଭିତରେ କେମିତି ଗୋଟେ କୋହ ଉଠି ତାଙ୍କୁ ଅଣନିଃଶ୍ବାସୀ କରି ପକାଉଥିଲା ।ମନ କହୁଥିଲା କବାଟ ବନ୍ଦ କରି ମନ ଭରି କାନ୍ଦନ୍ତେ ।
ବୋଉ ଯିବାର ଆଜକୁ ମାସେ ପୁରି ଗଲାଣି । ତଥାପି ସେ ନିଜକୁ କୋଉ ବୁଝାଇ ପାରିଛନ୍ତି । ବୋଉ ହଠାତ୍ ଚାଲିଗଲା । କାର୍ଡିଆକ୍ ଆରେଷ୍ଟରେ । ଶେଷଥର ପାଇଁ ପଦେ ଅଧେ ଭଲ ମନ୍ଦ କଥା ହେବାର ସୁଯୋଗ ମଧ୍ୟ ସେ ପାଇଲେନି । କିଛି କରିପାରିଲେନି ବୋଉ ପାଇଁ । ସେ ଯେ ଜଣେ ଡାକ୍ତର ହୋଇ ବି ବୋଉର ଅସୁସ୍ଥତା ବିଷୟରେ ପୂର୍ବରୁ କିଛି ଅନୁମାନ କରି ପାରିଲେ ନାହିଁ, ଏଇ କଥା ତାଙ୍କୁ ବେଶୀ କଷ୍ଟ ଦେଉଥିଲା ।
ସତ୍ୟବ୍ରତଙ୍କ ପିଲାଦିନର ଅଧିକାଂଶ ସମୟ ହଷ୍ଟେଲରେ କଟିଛି । ପଢା ପଢି ପାଇଁ ଘର ପାଖରେ ଭଲ ସ୍କୁଲ ନ ଥିବାରୁ ତାଙ୍କୁ ବାପା ହଷ୍ଟେଲରେ ଛାଡି ଦେଇ ଥିଲେ । ତେଣୁ ବୋଉ ସ୍ନେହର ଅଭାବ ବୋଧ ତାଙ୍କୁ ସବୁଦିନେ ଘାରି ହୋଇଛି ।
ବଡ ହେଲାପରେ ଇଛା ହୋଇଛି ସବୁବେଳେ ବୋଉକୁ ନିଜ ପାଖରେ ରଖିବାକୁ । କିନ୍ତୁ ବୋଉ ର ଗାଁ ରେ ଘର ଦ୍ବାର ଜମି ବାଡ଼ି ଛାଡି ତାଙ୍କ ନିକଟରେ ରହିବା ସମ୍ଭବ ହୁଏ ନାହିଁ । ଦିନେ ଦୁଇଦିନ ହେବ ଆସି ରହିଥିବ କି ନାହିଁ । ବାପା ଆସି ନେଇଯାନ୍ତି ।
କହିବେ ବୋଉ ନ ରହିଲେ କିଏ ବୁଝିବ ଘରକଥା । ମୁଁ ତ ଦିନସାରା ସ୍କୁଲ ରେ । ବିଲରେ ମୂଲିଆ ଲାଗିଛନ୍ତି । ବଗାଳିଆ ଗାଈ ନେଇ ଚରେଇବା ପାଇଁ ଯାଉଛି । ଫେରିଲେ କ୍ଷୀର ଦୁହାଁ ହେବ ଇତ୍ୟାଦି ଇତ୍ୟାଦି କେତେ କଥା । ତେଣୁ ବୋଉର ଦିନେ ଦୁଇ ଦିନ ରୁ ଅଧିକ ଘରୁ ଗୋଡ଼ କାଢିବା ଅସମ୍ଭବ ।
ହଠାତ୍ ସେଦିନ ବାପା ବାଥରୁମ ରେ ପଡିଯିବାରୁ , ତାଙ୍କୁ ଆଣି ସେ ନିଜ ପାଖରେ ରଖି, ତାଙ୍କର ଦେଖା ଶୁଣା କଲେ । ଆଉ ପ୍ରଥମ କରି ବୋଉ ଦୁଇ ସପ୍ତାହ ପାଖରେ ରହିଲା । ଖୁବ୍ ଆନନ୍ଦରେ କଟିଥିଲା ଦିନ ଗୁଡିକ । କେତେ ଭଲମନ୍ଦ ସେ ବୋଉ ସହିତ ହେଲେ ।
କଥା ଥିଲା ପୂଜା ଛୁଟିରେ ବାପା ବୋଉକୁ ସେ ଦ୍ବାରିକାଧାମ୍ ବୁଲାଇ ନେବେ । ଫେରିଲା ବେଳେ ପୁରୀ ରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଫେରିବେ ।
ଅଥଚ ସବୁକିଛି ଓଲଟ ପାଲଟ ହୋଇ ଗଲା । ବୋଉ ଗଲା ଯେ ଆଉ ଫେରିଲାନି । ବୋଉର ଦେହ ଖରାପ ଖବର ପାଇ ସେ ଗାଁରେ ପହଞ୍ଚିଲା ବେଳକୁ ବୋଉ ଯାଇ ସାରିଥିଲା ଆର ପାରିକୁ । ତାଙ୍କ ମନ ବୋଉର ଅସମୟ ମୃତ୍ୟୁ କୁ ଗ୍ରହଣ କରି ପାରୁନଥିଲା । ସତେ ଯେମିତି ସେ ସ୍ତବ୍ଧ ହୋଇ କିଂକର୍ତ୍ତବ୍ଯବିମୁଢ ହୋଇ ପଡ଼ିଥିଲେ ।
କ୍ରିୟା କର୍ମ ସାରି ସେ ଗାଁ ରୁ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଥିଲେ । ବୋଉ କୁ ମନେ ପକେଇ କିଛି ଦିନ ସେ ଖାଇବା ପିଇବା ମଧ୍ୟ ଭୁଲିଗଲେ । ହସ୍ପିଟାଲ ଯିବାକୁ ବି ମନ ହେଲାନି । ସତ କହିବାକୁ ଗଲେ, ମା କୋଳ ଚାଲି ଯିବାରୁ ଜୀବନ ଯେପରି ଶୂନ ହୋଇ ପଡ଼ିଥିଲା ।
ଏହି ଅଭାବିତ ଘଟଣା ପରେ ତାଙ୍କ ମନ ଖୁବ୍ ଭାଙ୍ଗି ପଡ଼ିଥିଲା ।ସେ ମୈ।ନ ହୋଇଗଲେ । କେତେ ଥର ସ୍ତ୍ରୀ ତନୀଷା ତାଙ୍କୁ କହିଛନ୍ତି , କିଛି ଦିନ ବାହାରୁ ବୁଲି ଆସିଲେ ଟିକିଏ ଭଲ ଲାଗିବ । ସେ କିନ୍ତୁ ବୋଉର ସ୍ମୃତି କୁ ନିଜ ଠାରୁ ଦୂରେଇ ପାରୁନଥିଲେ ।
ଆଜି ମାମୁଁ ଘର ବାରଣ୍ଡାରେ ବୋଉକୁ ନପାଇ ମନଟା କେମିତି ,ପୁଣି ଭାରି ହୋଇ ଯାଉଥିଲା । ଇଛା ହେଲା ନାହିଁ ଗାଡିରୁ ଓହ୍ଲାଇବାକୁ । ବୋଉ ଥିଲା ବେଳେ ପ୍ରାୟ ସେ ହସ୍ପିଟାଲରୁ ଫେରିବା ବେଳେ ମାମୁଁଙ୍କୁ ଦେଖା କରୁ ଥିଲେ । ଦୁଇ ଚାରିଦିନ ଅନ୍ତରରେ, ବୋଉ ପଚାରୁ ଥାଏ ସତ୍ଯରେ ! ମାମୁଁ ଘର ଆଡେ ଯାଇଥିଲୁ ?ସେ କେମିତି ଅଛନ୍ତି ଟିକେ ବୁଝୁ ଥିବୁ ।
ଆଜି କିନ୍ତୁ ପଚାରିବାକୁ କେହି ସହ ନଥିଲେ । ଏତେ ଲୋକ ଥିବା ସତ୍ତ୍ବେ ରାସ୍ତା ଘାଟ ଖାଁ ଖାଁ ଲାଗୁଥିଲା ।ଭାରି କରୁଣ ଥିଲା ପରିବେଶ । ବୋଉ ଏବେ କୋଉଠି ଥିବ କେଜାଣି !
ତାଙ୍କ ହୃଦୟର କରୁଣ ଆକୁଳତା ରାତିର ଶିରି ଶିରି ପବନରେ ମିଶି ଯାଉଥିଲା । ମନେ ହେଉଥିଲା ନିଜକୁ ଖୁବ୍ ଅସହାୟ ।
ଆଖିରୁ ଲୁହ ପୋଛିଲେ ସତ୍ୟବ୍ରତ । ଅଶାନ୍ତ ଅଧିର ମନ କୁ ନେଇ ରାତ୍ରିର ନିସ୍ତବ୍ଧତା ମଧ୍ୟରେ ଘରମୁହାଁ ହେଲେ । ତଥାପି ରାସ୍ତା ସାରା କାକର ବିନ୍ଦୁ ପରି, ପଡି ଚାଲି ଥିଲା ବେନି ନୟନରୁ ଲୋତକର ଧାର । ବାରମ୍ବାର ଆଖି ଆଗରେ ଭାସି ଆସୁ ଥିଲା ବୋଉର ସେଇ ଆବେଗ ଭରା ହସ ହସ ଚେହେରା ଆଉ ପବନରେ ସତେ ଯେପରି ତା' ଗନ୍ଧକର୍ପୁର ମଖା ଶାଢ଼ୀର ମହ ମହ ବାସ୍ନା ।