STORYMIRROR

Amit Bal

Tragedy Inspirational Others

4.0  

Amit Bal

Tragedy Inspirational Others

(୨୮/୧୨)#ବିମର୍ଷ ଆକାଶ#

(୨୮/୧୨)#ବିମର୍ଷ ଆକାଶ#

5 mins
246


   ହଠାତ୍ ପାହାନ୍ତାରେ କଲିଂ ବେଲ୍ ଶବ୍ଦ ଶୁଣି ଦେବେନ୍ ସାର ଚମକି ପଡ଼ିଲେ । ରାତି ପାହି ନାହିଁ, ଏତେ ବେଳେ କିଏ ହୋଇ ଥିବ । ପୁଣି ଥରେ ବେଲ୍ ଶବ୍ଦ । ପେପର ବାଲା କିମ୍ବା କ୍ଷୀର ବାଲା ଆସିବାର ସମୟ ବି ହୋଇ ନାହିଁ । 

ଏଥର ବିଛଣାରୁ ଉଠି କବାଟ ଖୋଲିବା ପାଇଁ ଦାଣ୍ଡ ଘର ଆଡ଼କୁ ଆଗେଇଲେ । ବର୍ତ୍ତମାନ ସୁଦ୍ଧା ସେ ଅନୁମାନ କରି ପାରୁନାହାଁନ୍ତି, ଏତେ ଭୋରରୁ କିଏ ତାଙ୍କୁ ଖୋଜି ପାରେ ।

କବାଟ ଖୋଲିଲା କ୍ଷଣି ସେ ଦେଖୁଛନ୍ତି , ବାହାରେ ସ୍ନିଗ୍ଧା ଛିଡ଼ା ହୋଇଛି । ବିଶ୍ବବିଦ୍ୟାଳୟ ଇଂରାଜୀ ସ୍ନାତ କୋତ୍ତର ବିଭାଗର ଶେଷ ବର୍ଷ ଛାତ୍ରୀ ସ୍ନିଗ୍ଧା ପଟ୍ଟନାୟକ । ଚଳିତ ବର୍ଷ ତା'ର ଶେଷ ବର୍ଷ ଥିଲା । ଗତ କାଲି ଫାଇନାଲ ପେପର ସରିଛି । ଆଜି ସକାଳ ଟ୍ରେନରେ ଘରକୁ ଫେରିବ ।

ଦେବେନ୍ ସାର ସ୍ନିଗ୍ଧାକୁ ଘର ଭିତରକୁ ଡାକିଲେ । ଚାକର ପିଲାକୁ ଦୁଇ କପ ଚା' ଆଣିବାକୁ କହି, ତାକୁ ପାଖରେ ବସାଇଲେ ।

ସ୍ନିଗ୍ଧା ତାଙ୍କୁ ଅଟକାଇ ଦେଇ କହିଲା, କ୍ଷମା କରିବେ ସାର, ମୋ ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ଆଜି ମୁଁ ଘରକୁ ଫେରୁଛି ।ଯିବା ପୂର୍ବରୁ ଆପଣଙ୍କୁ ଟିକିଏ ଦେଖା କରିବା ଲାଗି ଚାଲି ଆସିଛି ।

ସାଙ୍ଗ ମାନେ ଷ୍ଟେସନରେ ଅପେକ୍ଷା କରିଛନ୍ତି । ଟ୍ରେନ ସମୟ ହୋଇ ଆସିଲାଣି । ତେଣୁ ଆପଣ କେବଳ ଆଶୀର୍ବାଦ ଦେଇ ବିଦାୟ ଦିଅନ୍ତୁ । ମୋର ଆଉ କିଛି ଲୋଡା ନାହିଁ ।

ବିଗତ ଦୁଇ ବର୍ଷ ମଧ୍ୟରେ ଆପଣ ଯେଉଁ ସ୍ନେହ ଶ୍ରଦ୍ଧା ସାଥେ ପଢ଼ାରେ ସହଯୋଗ କରିଛନ୍ତି, ତାକୁ ମୁଁ କଦାପି ଭୁଲି ପାରିବି ନାହିଁ ।

ଆପଣଙ୍କ ଭଳି ଜଣେ ପ୍ରଧ୍ୟାପକଙ୍କ ଛାତ୍ରୀ ହେବାର ସୁଯୋଗ ପାଇଥିବାରୁ ନିଜକୁ ମୁଁ ଗୈାରବାନ୍ନିତ୍ବ ମନେ କରୁଛି ।

ସେଥିପାଇଁ କେବଳ ଆଶୀର୍ବାଦ କରନ୍ତୁ, ଜୀବନର କଣ୍ଟକମୟ ପଥକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ ମୁଁ ମୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚେ ଏବଂ ଏ ଅନୁଷ୍ଠାନର ନାଁ କୁ ଆଗକୁ ବଢାଏ ।

ସାରଙ୍କ ପାଖରୁ ବିଦାୟ ନେଇ ସ୍ନିଗ୍ଧା ଆଗେଇ ଯାଇ ଥିଲା ନିଜ ବାଟରେ । ଗଲାବେଳେ ତା' ଆଖିକୁ ଦି ଟୋପା ଲୁହ ଝରି ଆସିଥିଲା । ବୋଧହୁଏ ତା ଥିଲା ବିଦାୟର ଅଶ୍ରୁ । ଯାହାକୁ ସେ ଜାଣିଶୁଣି ଅଟକାଇ ନଥିଲା ।

ମନେ ଭାବିଥିଲା ଯିଏ ସେମାନଙ୍କ ପଢା ପାଇଁ ବିଗତ ଦିନ ମାନଙ୍କରେ, ନିଜ ରୁଧିର କୁ ଝାଳ ପରି ବୁହାଇ ଦେଇଛନ୍ତି, ତାଙ୍କ ଲାଗି ସେ କ'ଣ ଆନ୍ତରିକତାର ଲୁହ ଦି ଟୋପା ଗଡ଼େଇ ପାରିବ ନାହିଁ !

ଆଜି ବି ଭଲଭାବେ ମନେ ଅଛି, ବିଗତ ଦୁଇ ବର୍ଷ ର ଟିକିନିଖି ଘଟଣା । ପ୍ରଥମେ କରି ଯେଉଁ ଦିନ ସେ ଏ ବିଶ୍ବବିଦ୍ୟାଳୟ ରେ ଯୋଗ ଦେଇଥିଲା , ସେଦିନ ଏ ଦେବେନ୍ ସାର ହିଁ ତାଙ୍କର ପ୍ରଥମ କ୍ଲାସ ନେଇ ଥିଲେ । 

ଯଦିଓ ସେ ଆଗରୁ ସାରଙ୍କ ସମ୍ବନ୍ଧରେ କିଛି କିଛି ଶୁଣିଥିଲା , ସ୍ବଚକ୍ଷୁରେ ଦେଖି ନଥିଲା । ଦେବେନ୍ ସାର ଉଣାଅଧିକେ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ଥିଲେ ଜଣେ ଜଣାଶୁଣା ପ୍ରଫେସର ।

ହେଲେ ଏ କଥା ମଧ୍ୟ ସତ ଯେ, ସୁନାମ ତୁଳନାରେ ଦୁର୍ନାମ ବି ତାଙ୍କ ର କିଛି କମ୍ ନଥିଲା । 

ସେ କୁଆଡେ ଜଣେ ମଦ୍ଯପ ଏବଂ ନାରୀମାନଙ୍କ ପ୍ରତି ତାଙ୍କର ଦୁର୍ବଳତା ଖୁବ୍ ଅଧିକ। ଅନେକ ନାରୀଙ୍କ ସହ ସଂପର୍କ ରହିଛି ତାଙ୍କର । ଅଥଚ ବିଗତ ଦୁଇ ବର୍ଷ ଭିତରେ ସାରଙ୍କ ଏତେ ନିକଟତର ହୋଇ ବି ସେ ଏପରି କୈାଣସି ଦୁର୍ବ୍ୟବହାର ସମ୍ମୁଖୀନ ଦିନେ ମଧ୍ୟ ହୋଇନାହିଁ ।

ବରଂ ସମୟ ଅସମୟରେ ସେ ତାଙ୍କର ଖୁବ୍ ସହଯୋଗ ପାଇଛି ଏବଂ ତାଙ୍କୁ ନିବିଡ ଭାବେ ଅନୁଭବ କରିଛି । ମନେ ହୋଇଛି ସତେ ଅବା ଜଣେ ଅଭିଭାବକ ପରି , ସେ ତା'ର ପାଠ ପଢାର ଦେଖାଶୁଣା ବିଗତ ଦିନ ମାନଙ୍କରେ କରି ଆସିଛନ୍ତି ।

ଆଜି ତାଙ୍କ ପାଖରୁ ଫେରିବା ବେଳେ ତାଙ୍କରି ବିଷୟ ରେ ହିଁ ସେ ଚିନ୍ତା କରି କରି ଆସିଛି । କ'ଣ ପାଇଁ ସମସ୍ତ ଙ୍କ ଧାରଣା ତାଙ୍କ ପ୍ରତି ଖରାପ, ସେ ବୁଝି ପାରେ ନାହିଁ । ଭାବୁଛି , ନିଜ ଦୁଃଖ ଭୁଲେଇବା ପାଇଁ ଆଉ କା କଷ୍ଟ କୁ ଆପଣାର କରିନେବା କ'ଣ ଅପରାଧ ? କାହାକୁ ସ୍ନେହର ବନ୍ଧନରେ ବାନ୍ଧି ନେଇ ତା' ସହ ହସି ଦିପଦ କଥା କହି ଦେବା କ'ଣ ପାପ ?କାହା ଜୀବନରଶୂନ୍ୟତା କୁ ଦୂରେଇ ବାକୁ ଯାଇ ତା ପ୍ରତି କାଣିଚାଏ ଆନ୍ତରିକତା ଦେଖାଇବା ଯଦି ଦୋଷ, ତେବେ ହଁ ସାର ଏସବୁ ଦୋଷ କରିଛନ୍ତି

ତାର ବି ମନେ ଅଛି ପ୍ରଥମେ ପ୍ରଥମେ ସାର ଯେତେ ବେଳେ ତା ପ୍ରତି ଅଯାଚିତ ଆନ୍ତରିକତା ଦେଖାଇ ଥିଲେ, ସେ ମଧ୍ୟ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରି ଦେଇଥିଲା ।

ହେଲେ ତା ସନ୍ଦେହ ର କଳା ବାଦଲ ବେଶୀଦିନ ଯାଏ ତାକୁ ଘୋଡାଇ ରଖି ପାରି ନଥିଲା । 

ଯେଉଁ ଦିନ ସାର ନିଜ ମୃତ ଝିଅର ସ୍ମୃତି ଉଦ୍ଦେଶ୍ୟ ରେ ଲେଖିଥିବା ଉପନ୍ୟାସଟିର ପ୍ରଥମ କପିଟି ସମସ୍ତଙ୍କ ସମ୍ମୁଖରେ , ବିଶ୍ବବିଦ୍ୟାଳୟର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତାକୁ ହିଁ ଅର୍ପଣ କଲେ ଏବଂ ଅତି ସଂକ୍ଷେପ ରେ ଦୁଇ ପଦ ହୃଦୟ ବିଦାରକ କଥା କହି ଥିଲେ , ସେଦିନ ସେ ନିଜକୁ ତିରସ୍କାର କରି ସାରା ରାତି ଲୁହ ଗଡାଇଥିଲା ।

ତାକୁ ମନେ ହୋଇଥିଲା ସେ ନିଜ ଆଖିରେ ନିଜେ ଖୁବ୍ ଛୋଟ ହୋଇଯାଇଛି । ଯିଏ ତାକୁ ଦେଖିବା ଦିନରୁ ନିଜ ଝିଅ ପରି ମନେ କରି ଆସୁଛନ୍ତି ଏବଂ ଶେଷରେ ନିଜର ଝିଅ ଭାବି ତାଙ୍କର ଏତେ ବଡ଼ ସୃଷ୍ଟିକୁ ,ତା' ହାତରେ ସମର୍ପଣ କରିଛନ୍ତି , ସେ ତାଙ୍କର ଚରିତ୍ର କୁ ନେଇ ସତରେ କ'ଣ କ'ଣ ଯେ ଭାବି ନଥିଲା ।

ନିଶ୍ଚିତ ରେ ପରିବେଶ ଓ ପରିସ୍ଥିତି ବେଳେ ବେଳେ ମଣିଷକୁ ଦୋ ଛକିରେ ପକାଇ ଦିଏ । କେଉଁ ଟା ଠିକ୍ କେଉଁଟା ଭୁଲ ମଣିଷ ଜାଣି କରି ପାରେନାହିଁ ।

ସ୍ନିଗ୍ଧା କିନ୍ତୁ ସମୟ ଥାଉ ଥାଉ ନିଜକୁ ସଜାଡି ନେଇଥିଲା । ସେ ବୁଝି ସାରିଥିଲା ସମୟର ପରିଭାଷା କୁ ଓ ଅନ୍ତରର ଭାବନାକୁ ଭାଷାରେ ଅନୁବାଦ କରି ସହଜରେ ଏବଂ ସମ୍ପୂର୍ଣ୍ଣ ଭାବରେ କାହାରି ଆଗରେ ପ୍ରକାଶ କରା ଯାଇ ପାରେନା । ହଁ କେବଳ ଅନୁଭବ କରା ଯାଇପାରେ ।

ଦୁନିଆର ସବୁ ମଦ୍ଯପ ଯେ ଚରିତ୍ର ହୀନ, ଆଉ ମଦ ପିଉଥିବା ସବୁ ମଣିଷ ଯେ ଦେବତା, ଏକଥା କେହି କେବେ ଜ୍ୟାମିତିକ ଉପପାଦ୍ଯକୁ ପ୍ରମାଣ କଲାଭଳି ପ୍ରମାଣ କରି ଦେଖାଇ ପାରିବ ନାହିଁ ।

ସତତ ଏଇଆ ଯେ ମଣିଷ ଖରାପ ହୋଇ ଯାଏନା ଯଦି ସେ ପିଇଦିଏ ମଦକୁ । ସେ ଖରାପ ହୁଏ ,ଯେତେବେଳେ ମଦ ପିଇବାକୁ ଆରମ୍ଭ କରେ ତାକୁ ।

ଦେବେନ୍ ସାରଙ୍କ ଉପର ହାବ ଭାବକୁ ଦେଖି ସମସ୍ତେ ତାଙ୍କୁ ଘୃଣା କରିଆସିଛନ୍ତି । ହେଲେ କେହି କେବେ ତାଙ୍କ ଅନ୍ତରର କୋହକୁ ଅନୁଭବ କରିଛନ୍ତି ?

ନିଜର ଏକମାତ୍ର ସନ୍ତାନ ର ଆକସ୍ମିକ ମୃତ୍ୟୁ ପରେ , ତାଙ୍କ ମନର ଭାବନାକୁ ବୁଝିବାକୁ ଚେଷ୍ଟା କରିଛନ୍ତି ? 

ନା କେବେ ନୁହେଁ । କେବଳ ଦେଇ ଚାଲିଛନ୍ତି ନିନ୍ଦା ଆଉ ଅପବାଦ । ଏହାହିଁ ତ ଆମ ସଭ୍ୟ ସମାଜ ର ଲକ୍ଷଣ । ଏଠି କେହି କାହାରି ନୁହଁନ୍ତି । ନିଜ ଭୁଲକୁ ଅଣଦେଖା କରି , ଅନ୍ୟର ଦୋଷ ଦୁର୍ବଳତାକୁ ଆଙ୍ଗୁଠି ଦେଖାଇ ତା' ମଥାରେ ଅଠା ବୋଳି ଦେବା , ଏ ଦୁନିଆରେ ସବୁଠାରୁ ସହଜ ଏବଂ ମହତ୍ କାମ ।

ନହେଲେ କ'ଣ ସାରଙ୍କ ର ରୋଗ ଶଯ୍ୟାରେ ଶଯ୍ୟାଶାୟୀ ରୁଗଣା ପତ୍ନୀ ଙ୍କ ଆଶୁ ଆରୋଗ୍ୟ କାମନା କରିବା ପରିବର୍ତ୍ତେ ,ଏ ସମାଜ ତାଙ୍କୁ ମଦ୍ଯପ ଚରିତ୍ର ହୀନ କହି ତାଙ୍କର ତିରସ୍କାର କରନ୍ତା !

କାହିଁ ଆଗରୁ ତ କେହି କେବେ ତାଙ୍କୁ ଇଙ୍ଗିତ କରୁ ନଥିଲେ ! ତେବେ ଝିଅର ମୃତ୍ୟୁ ପରେ, ପତ୍ନୀ ଶର୍ଯ୍ୟାଶାୟୀ ହେଲା ବାଦେ , ତାଙ୍କ ଚରିତ୍ର ପ୍ରତି ଏ ଉପହାସ ଏ ତାତ୍ସଲ୍ୟ କାହିଁକି ?

ନା ଏହାର ଉତ୍ତର କେହି ଦେଇ ପାରିବେ ନାହିଁ । କାରଣ ଆଜି ଏଠି ଜୀବନ ସଂଗ୍ରାମରେ ହାରି ଯାଇଥିବା ଲୋକକୁ କେହି ସାହାରା ଦିଅନ୍ତିନି । ଏ ଦୁନିଆ ବଡ଼ ନିଷ୍ଠୁର । ଏଠି ସବୁଦିନେ ତେଲିଆ ମୁଣ୍ଡରେ ହିଁ ତେଲ ବୋଳାଯାଏ ।

ଜନାକୀର୍ଣ୍ଣ ରେଲୱେ ପ୍ଲାଟଫର୍ମରେ ଥିବା ବେଞ୍ଚ ଉପରେ ବସି ସ୍ନିଗ୍ଧା ଅପେକ୍ଷା କରି ଥିଲା ଟ୍ରେନର ଆସିବା ବାଟକୁ । ଟ୍ରେନ ଦେଢ଼ ଘଣ୍ଟା ବିଳମ୍ବ ଅଛି ବୋଲି,ଷ୍ଟେସନଆସିବା ପରେ ହିଁ ସେ, ଇନକ୍ବାରୀ ଅଫିସରୁ ସୂଚନା ପାଇଥିଲା । ତେଣୁ ସେତେବେଳୁ ଏକା ଏକା ବସି ସେ ଏସବୁ କଥା ଭାବି ଚାଲିଛି ।

ଆଉ ପାଞ୍ଚ ସାତ ମିନିଟ୍ ଭିତରେ ଟ୍ରେନ ହୁଏତ ଆସି ଯିବ ଏବଂ ହୋଇପାରେ ସେ ସବୁଦିନ ପାଇଁ ଏ ସହର ଛାଡି ଚାଲିଯିବ ଭିନ୍ନ ଏକ ସହରକୁ । କିନ୍ତୁ ନେଇ ଯିବ ଅତୀତର କେତେ କଥା କେତେ ସ୍ମୃତି ବର୍ତ୍ତମାନକୁ ସାକ୍ଷୀ ରଖି ନିଜର ଆଗାମୀ ଭବିଷ୍ୟତକୁ ।

ଯେଉଁଠି ହୁଏତ ନଥିବେ ଦେବେନ୍ ସାର , ହେଲେ ସେତେ ଦୂର ଯାଏଁ ତାକୁ ଶୁଣା ଯାଉଥିବ ଆଜିର ଏ ବିମର୍ଷ ଆକାଶର ଅନାହତ ଧ୍ବନି ।



Rate this content
Log in

Similar oriya story from Tragedy