Amit Bal

Tragedy Action Inspirational

4.0  

Amit Bal

Tragedy Action Inspirational

(୦୯/୦୧)# ନିଆଁର ଆଞ୍ଚ #

(୦୯/୦୧)# ନିଆଁର ଆଞ୍ଚ #

3 mins
254


    ଅନ୍ଧାର ରାତି । ସମୟ କେତେ ହେବ ଠିକ୍ ଭାବରେ ଅନୁମାନ କରି ହେଉ ନାହିଁ । ତଥାପି ଲାଗୁଛି ଅଳ୍ପ ସମୟ ପରେ ରାତି ପାହି ସକାଳ ହୋଇଯିବ । ମହାନଦୀ ପୋଲ ଉପରେ ଛିଡ଼ା ହୋଇଛି ମିତୁ । ମିତାଲି ପଟ୍ଟନାୟକ । ଗୋଟିଏ ଅସ୍ଥିର ମନ ନେଇ । କ'ଣ କରିବ କଣ ନାଇଁ ତାକୁ ବୁଦ୍ଧି ବାଟ ଦିଶୁନି ।

ରାତି ପାହିଲେ ଖବରଟା ଧିରେ ଧିରେ ଜଙ୍ଗଲର ନିଆଁ ଭଳି ଚାରିଆଡେ ଖେଳିଯିବ । ଜୁବୁଲି ହଷ୍ଟେଲର ଝିଅଟେ ନଈରେ ଡେଇଁ ସୁଇସାଇଡ କରିଛି ।

କାହାକୁ ମୁହଁ ଦେଖାଇବେ ତା ଘର ଲୋକେ ! ଏକଥା ଭାବିଲା ବେଳକୁ ଶୀତ ଦିନ ଏତେ ଶୀତରେ ବି ତା ଦେହରୁ ଗମଗମ ଝାଳ ବୋହି ଯାଉଛି ।

ଆତ୍ମ ହତ୍ୟା କରିବ ଭାବି ସେ ହଷ୍ଟେଲ ରୁ ଲୁଚି ତ ଚାଲି ଆସିଛି । ଏବେ କ'ଣ କରିବ !

ଆଖି ଆଗରେ ଭାସି ଆସୁଥିଲା ବୋଉର ମୁହଁ । ତା' ସହ ବିତାଇଥିବା ସ୍ବପ୍ନିଳ ମୂହୁର୍ତ୍ତ ସବୁ। ମନେ ପଡ଼ି ଯାଇଥିଲା ପିଲାଦିନ କଥା । କିପରି କାଟିଛି ସେ ବାପା ଙ୍କ କୋଳରେ । ଆଜି ସେମାନଙ୍କୁ ଏକୁଟିଆ ଛାଡି ଦେଇ ସେ ଏ ଦୁନିଆରୁ ଚାଲିଯିବ ।

ଅବିନାଶ ତାକୁ ଧୋକା ଦେଇଦେଲା ସେ ନିଜ ପରିବାର ସହ ଏତେ ବଡ଼ ଚଞ୍ଚକତା କରିବ !

ଆଗକୁ କିଛି ଚିନ୍ତା କରିପାରୁନଥିଲା ମିତୁ ।

ପାଠ ପଢିବା ପାଇଁ କେତେ ଆଶା ନେଇ କଟକ ଆସିଥିଲା । ବଡ କଲେଜରେ ପାଠ ପଢିବ, ବାପ ମା'ଙ୍କ ନାଁ ରଖିବ ।

କିନ୍ତୁ ନିଜ ଭୁଲ ପାଇଁ ଆଜି ସେ ଏତେ ବଡ଼ ବିପଦକୁ ଡାକି ଆଣିଛି । ମା' ବାପାଙ୍କୁ ଭୁଲି ଯାହାକୁ ସେ ମନର ମଣିଷ ମାନି ନେଇ ଥିଲା, ଆଜି ସେ ଅମଣିଷ ହୋଇ ତା ଜୀବନରେ ଛିଡ଼ା ହୋଇଥିଲା । ଆଉ ତାରି ପାଇଁ ସେ ନିଜ ଜୀବନକୁ ଶେଷ କରିବାକୁ ବସିଛି ।

ମିତାଲି ଚରମ ଦୁଃଖ ରେ ଭାଙ୍ଗି ପଡୁଥିଲା । ଜୀବନରେ ସବୁ ଯେମିତି ଓଲଟ ପାଲଟ ହୋଇ ଯାଉଛି । ଏପଟେ ଆତ୍ମହତ୍ୟା ସେପଟେ ତିରସ୍କାର ଲାଞ୍ଛନା ଅପମାନ ।

ପ୍ରାୟ ରାତି ପାହିଲା ପାହିଲା ମନେ ହେଉଥିଲା । ହଠାତ୍ ମିତାଲି ଦେଖୁଛି କିଏ ଜଣେ ନଦୀ ଗର୍ଭକୁ ଡିଆଁ ମାରିଦେଲା । ମନେ ହେଲା କେହି ଜଣେ ସ୍ତ୍ରୀ ଲୋକ । ତା ବୋଉ ବୟସର ହେବ କି କ'ଣ ।ମୁଣ୍ଡ ଘୂରି ଗଲା ମିତୁର । କ'ଣ କରିବ କଣ ନାହିଁ ।

ଟିକିଏ ଆଗରୁ ନିଜେ ଆତ୍ମହତ୍ୟା କରିବ ବୋଲି ଚିନ୍ତା କରି ନଦୀ ବନ୍ଧ ରେ ଛିଡ଼ା ହୋଇଥିଲା । ଅଥଚ ବର୍ତ୍ତମାନ ନିଜକୁ କିଂକର୍ତ୍ତବ୍ଯବିମୂଢ ମନେ କରୁଥିଲା ।

ଆଖ ପାଖକୁ ଚାହିଁଲା, ଦେଖିଲା କେହି କୁଆଡେ ନ ଥିଲେ । ବିଳମ୍ବ ନକରି ସେ ମଧ୍ୟ ନଈରେ ଲମ୍ଫ ଦେଲା ।

ଚେତା ଫେରିପାଇଲା ବେଳକୁ ମିତାଲି ଶୋଇଥିଲା ହସ୍ପିଟାଲ ବେଡ଼ରେ । ପାଖରେ ଛିଡା ହୋଇଥିଲେ କିଛି ଅଚିହ୍ନା ମୁହଁ । ଦଶ ବାର ବର୍ଷର ଝିଅଟେ ତା' ମୁଣ୍ଡ ଆଉଁସି ଦେଉଥିଲା । ଅନବରତ ଲୁହ ଝରି ଯାଉଥିଲା ସେ ଝିଅଟିର ଆଖିରୁ । ହାଲକା ହସି ଦେଲା ମିତାଲି ।

ଡକ୍ଟରଙ୍କୁ ନେଇ ପର ମୂହୁର୍ତ୍ତ ରେ ତା ପାଖରେ ପହଞ୍ଚିଲେ ଜଣେ ଭଦ୍ରବ୍ୟକ୍ତି । ମିତାଲି ଅନୁମାନ କଲା ସେ, ସେଇ ଝିଅର ବାପା । କୃତଜ୍ଞତା ରେ ସେ ନଇଁ ପଡୁଥିଲେ । ଧିରେ କରି କହିଲେ ଝିଅ ତୁ ମୋ ସଂସାର ବଞ୍ଚାଇ ଦେଲୁ । ମିତୁର ଯାହା ମନେ ହେଲା , ନଦୀ ଗର୍ଭ ରୁ ରକ୍ଷା କରିଥିବା ସେ ସ୍ତ୍ରୀ ଲୋକ , ଏଇ ଭଦ୍ରଲୋକଙ୍କ ଧର୍ମପତ୍ନୀ ।

ଖବରଟା ନିଆଁପରି କଟକ ସହରରେ ବ୍ୟାପି ଯାଇଥିଲା । ମିତୁର ହଷ୍ଟେଲ କୁ ମଧ୍ୟ ପହଞ୍ଚି ସାରିଥିଲା । ସାଙ୍ଗ ସାଥି ମାନେ ଜମା ହୋଇ ଗଲେ । ସମସ୍ତଙ୍କ ମୁହଁ ରେ ମିତୁର ପ୍ରଶଂସା ।

କିଛି ସମୟ ଯାଏ ଭାବ ବିହ୍ୱଳ ହୋଇ ଗଲା ମିତୁ । ସମ୍ଭବତଃ ସେ ଘଟଣାର ଗୁରୁତ୍ୱକୁ ଏତେ ବେଳକୁ ଉପଲବ୍ଧି କରି ସାରିଥିଲା ।

ଦେଖିଲା ଛୋଟ ଝିଅଟି ସେତେ ବେଳ ଯାଏ ତା' ଗୋଡ଼ ପାଖରେ ବସି ରହିଛି । ପାଖକୁ ଡାକିଲା । ପଚାରିଲା ବୋଉ ଦେହ କେମିତି ।

ଝିଅଟି କାନ୍ଦି ଉଠିଲା । ମିତୁ ସ୍ନେହରେ କୋଳେଇ ନେଲା ତାକୁ । କହିଲା କାନ୍ଦ ନା ମା । ସବୁ ଠିକ୍ ହୋଇଯିବ । ବୋଉ ଭଲ ହୋଇ ନିଶ୍ଚୟ ଘରକୁ ଫେରିବ ।

ମିତୁକୁ ଲାଗୁଥିଲା ସେ ଯେମିତି ତା ବୋଉକୁ କୋଳେଇ ଧରିଛି । ଆଉ ବୋଉ ତାକୁ କହୁଛି," ମିତୁ ! ତୁ ଏ କ'ଣ କରିବା ପାଇଁ ଯାଉଥିଲୁ । କିଛି କରିବା ଆଗରୁ ଥରେ ଭାବିଲୁନି ଆମ କଥା । ଆମ ସ୍ନେହର ମୂଲ୍ୟ କ'ଣ କିଛି ନାହିଁ । ମୋ ଦଶମାସ ଗର୍ଭ ବେଦନା ର ତୁ ଏଇ ଋଣ ଶୁଝିବା ପାଇଁ ଯାଉଥିଲୁ !

ଆଉ ବେଶୀ କିଛି ଭାବିବାକୁ ମିତୁର ମନ ହେଲା ନାହିଁ । କେମିତି ହସ୍ପିଟାଲରୁ ଡିସଚାର୍ଜ ହେଲେ, ଆଗ ବାପା ବୋଉ ପାଖେ ପହଞ୍ଚିବ, ମନ ତା'ର ଗୋଳେଇ ଘାଣ୍ଟି ହେଲାଣି ।

ଆଜି ସକାଳର ଘଟଣାକୁ ଦେଖି ହୃଦୟଙ୍ଗମ କରି ସାରିଛି ସେ , ବାପା ବୋଉର ସ୍ନେହ ଠୁ ବଳି ଅନାବିଳ ସ୍ନେହ ଦୁନିଆରେ ଅନ୍ୟ କାହା ପାଖରୁ ମିଳି ପାରେନା । ନିଜ କୃତ କର୍ମ ପାଇଁ ମନେ ମନେ ସେ ଅନୁତାପ କରୁଥିଲା ।

ସକାଳର ପଥହରା ଚଢ଼େଇ ସଂଜକୁ ଫେରୁଥିଲା ନୀଡ଼କୁ । ଅଦୂରରେ ସୂର୍ଯ୍ୟ ଅସ୍ତ ହୋଇଯାଉଥିଲେ ଦିଗବଳୟରେ, ପଶ୍ଚିମ ଆକାଶରେ । ଏକ ନୂତନ ସକାଳର ସମ୍ଭାବନା ରେ ..... ।


Rate this content
Log in

Similar oriya story from Tragedy