(୦୨)*ଏଇତ ଜୀବନ* ସ୍ମୃତି ୨୦୨୦
(୦୨)*ଏଇତ ଜୀବନ* ସ୍ମୃତି ୨୦୨୦
ମୁଁ ଉଠି ପଡ଼ି ବୋଉକୁ ଡାକ ଛାଡିଲି ପାଣି ଗିଲାସେ ଦେବା ପାଇଁ । ବୋଉ ଆସି ପାଣି ଦେଇ କହିଲା ଆଜି ପାଖରୁ ଆଉ ପିଇବା ପାଣି ବି ପାଇବୁନି । ମୁଁ କହିଲି କ'ଣ ପାଇଁ ?
କହିଲା ମେସିନ୍ ଖରାପ, ପାଣି ଉଠୁନି । ତୋତେ କାଲି ରୁ କହିଲିଣି, ଦିନୁଆକୁ ଡାକି ଆଣିବାକୁ । ତୁ କୋଉଠି ଶୁଣୁଛୁ ନା ଘରେ ଆଉ କେହି ଶୁଣୁଚି । କାହାରି ତ ମୋ କଥା ପ୍ରତି ନିଘା ନାହିଁ । ଖାଲି କେଉଁଠି ଟିକେ କିଛି ଅସୁବିଧା ହୋଇଗଲେ ବୋଉକୁ ଖୋଜା ପଡ଼ିବ । ଦେଖ୍ ! ମୁଁ ତ କହି କହି ଥକି ଗଲିଣି । ଏଣିକି ତୁମ କଥା ତୁମେ ଜାଣ ।
ଏବେ ଖୋଜା ପଡିଲା ଦିନୁଆ ପାଇପ ମିସ୍ତ୍ରୀ । ସେଇ ସଜାଡେ ଆମ ଏ ଆଖ ପାଖ ଅଞ୍ଚଳର ସବୁ ପାଣି ପାଇପ । ମୋ ଜାଣିବା ଭିତରେ ପ୍ରାୟ ଆମର ନୂଆ ଘର ହେବା ଠାରୁ ସେ ହିଁ ଘର ପାଇପ କାମତକ କରେ । ବୟସ ପାଖାପାଖି ପଚାଶ ପଞ୍ଚାବନ ଭିତରେ ହେବ । ପାଖ ବସ୍ତିରେ ରହୁଥିଲା । ଏବେ କୁଆଡେ ଏଠାରୁ ଦୁଇ କିଲୋମିଟର ଦୂରରେ ନିଜ ଘର କରି ରହୁଛି । ନୂଆ ଘର କଲା ପରଠୁ ମୁଁ କେବେ ତା' ଘରକୁ ଯାଇନି । ତେଣୁ ସଠିକ୍ କେଉଁଠି ରହୁଛି ମୋତେ ଜଣାନାହିଁ ।
ଆମ ଘରେ ଶେଷ ଥର କାମ କରିବାର ବୋଧହୁଏ ବର୍ଷେ ଉପରେ ହେଲାଣି । ପରେ ତା ସହ ଆଉ ଦେଖା ହୋଇନି । ପାଣି ପାଇପ କାମ ଦରକାର ପଡିନି । ତା'ର ବି ଖୋଜା ପଡିନି । ଲୋକଟା କାମ ଜାଣେ । ପଇସା ପତ୍ର ନେଇ କିଟ୍ କିଟ୍ ହୁଏନି । ଯେତିକି ପ୍ରାପ୍ୟ ସେତିକି ମାଗେ । କେବେ ଏଡଭାନ୍ସ୍ ମାଗେ ନାହିଁ ।
ମୋବାଇଲ ଫୋନରେ ତା ନମ୍ବର ଖୋଜିଲି । ଡାଏରୀରେ ବି ଦେଖିଲି । କିନ୍ତୁ ନମ୍ବର ମିଳିଲାନି । ତେବେ ଯିବାକୁ ପଡିବ ତା ଘରକୁ, ଘର ଖୋଜି ଖୋଜି ।
ଡେରି ନକରି ବାଇକ୍ ନେଇ ଘରୁ ବାହାରିଲି । ସାଙ୍ଗରେ ସାହି ପିଲା ଗୋଟେକୁ ଧରିଲି । ଡେରି କଲେ ଦିନୁଆ ପୁଣି ଯଦି କୁଆଡେ ବାହାରି ଗଲା, ତେବେ କଥା ସରିଲା । ଦିନ ସାରା ତା' ଦେଖା ପାଇବା ମୁସ୍କିଲ । ଏପଟେ ବୋଉ କହି କହି ମୁଣ୍ଡ ଖରାପ କରିଦେବ ।
ଆଗରୁ ତ ଖାଲି ହେଲମେଟ ପିନ୍ଧିବା ଟେନସନଟା ଥିଲା । ଯେବେଠୁ ଏ କରୋନା ବ୍ୟାପିଲା, ମଣିଷ ର ଆଉ ପାଞ୍ଚଟା ଟେନସନ୍ ବଢ଼ିଗଲା ।
ମାସ୍କ ପିନ୍ଧ, ସାଙ୍ଗରେ ସାନିଟାଇଜର ରଖ, ହାତ ପଚାଶ ଥର ଧୁଆ, ଛଅ ଫୁଟ ଦୂରରେ ଛିଡା ହୁଅ, ସୋସିଆଲ ଡିଷ୍ଟାନସିଙ୍ଗ୍ ମେଣ୍ଟେନ କର ଇତ୍ୟାଦି ଇତ୍ୟାଦି ଆହୁରି କେତେ କ'ଣ ।
ଊଣାଅଧିକେ ସମସ୍ତେ ମୁହଁରେ ମାସ୍କ ଲଗେଇବାରୁ, ଲୋକ ଚିହ୍ନିବା ମଧ୍ୟ ଅସମ୍ଭବ ହୋଇ ପଡ଼ୁଛି । ପାଖରେ ଲୋକଟି ଛିଡ଼ା ହୋଇଥିଵ, ଅଥଚ ତୁମେ ତାକୁ ଚିହ୍ନି ପାରୁନଥିବ । ବଡ ଅସୁବିଧା କଥା । ମୋର ବି ଆଜି ଅବସ୍ଥା ସେଇଆ । ଚାରିଆଡେ ମୁଁ ଦିନୁଆକୁ ଖୋଜି ଖୋଜି ଚାଲିଛି । କାଳେ ମୁଁ ତା ଘରେ ପହଞ୍ଚିଲା ବେଳକୁ ସେ ଘରୁ ବାହାରି ଯାଉଥିବ । ମୁଁ ଦେଖୁଥିବି କିନ୍ତୁ ଜାଣି ପାରୁନଥିବି ।
ତା' ଘର ପାଖା ପାଖି ହେବାରୁ, ଜଣକୁ ପଚାରିଲି ଆରେ ଭାଇ, ଦିନୁଆ ଘରଟା କୋଉଠି କହି ପାରିବ । ସେ କହିଲା ନାଇଁ ଆଜ୍ଞା ମୁଁ ଜାଣେନି । ଟିକିଏ ବାଟ ଯାଇ ପୁଣି ଜଣକୁ କହିଲି, ଭାଇ ଦିନୁଆ ଏଠି କୋଉଠି ରହୁଛି ? ତା'ର ଏଡ୍ରେସଟା ଟିକେ କହିବ । କହିଲା ମୁଁ ତ ନୂଆ ଆସିଛି ଏ ସାହିରେ । ଦିନୁଆ କିଏ ମୁଁ ଚିହ୍ନେନି ।
ଭଲା ମୁସ୍କିଲ ହେଲା । ଆଜି କାଲି କିଏ କୋଉଠୁ ଆସି କୋଉଠି ରହୁଛି, କିଛି ଜଣା ପଡୁନି । ସହରରେ ଲୋକ ସଂଖ୍ୟା ସେଇଥିପାଇଁ ତ ହୁ ହୁ ହୋଇ ବଢ଼ି ଚାଲିଛି । ତା' ସହିତ ବଢୁଛି କ୍ରିମିନାଲ ଏକ୍ଟିଭିଟି । ପ୍ରତିଦିନ ଖବର କାଗଜ ଦେଖ, କିଛି ନା କିଛି ସେଇ ଘଟଣା ।
ସମୟ ଆସି ଦିନ ନଅଟି ହେଲାଣି । ଦିନୁଆର ଘର କିନ୍ତୁ ମିଳିଲାନି । ଖରାରେ ବୁଲି ବୁଲି ବିରକ୍ତି ଲାଗୁଥିଲା । ଦେଖିଲି ସାମ୍ନା ପଟରୁ ଚାଲି ଚାଲି ପିଲାଟେ ଆସୁଛି । ମୋତେ ଲାଗିଲା ତାକୁ ମୁଁ ଆଗରୁ କେଉଁଠି ଦେଖିଛି । ହଁ ମନେ ପଡ଼ିଲା, ଆରେ ଏ ପିଲାକୁ ତ ଦିନୁଆ ସହ ମୁଁ କେତେ ଥର ବୁଲୁଥିବାର ଦେଖିଛି । ତା ସହ କାମ କରେ କି କ'ଣ ।
ପାଟି କରି ତାକୁ ପାଖକୁ ଡାକିଲି । ସେ ଆସି ମୋ ପାଖରେ ଛିଡା ହେଲା । ପଚାରିଲି,ଆରେ ବାବୁ ! ଦିନୁଆକୁ ଜାଣିଛୁ ?
କହିଲା କୋଉ ଦିନୁଆ ଆଜ୍ଞା ? ମୁଁ କହିଲି ସେଇ ପାଣି ପାଇପ ମିସ୍ତ୍ରୀ ମଁ । ଯିଏ ଆଗରୁ ଟାଙ୍କି ସାହି ବସ୍ତିରେ ରହୁଥିଲା । ଶୁଣିଛି ଏବେ କିଛି ମାସ ଆଗରୁ ନୂଆ ଘର କରି ଏଠାକୁ ଉଠି ଆସିଛି । ତା'ର ଘର ଠିକଣା ଟା ଦେଇ ପାରିବୁ । ଟିକେ କାମ ଥିଲା ।ମୁଁ ତ ତୋତେ ତା' ସହିତ କେତେ ଥର ଦେଖିଛି । ତୁ ବି କ'ଣ ପାଇପ କାମ କରୁ ?
ମୋ କଥା ସରିଲା ବେଳକୁ ଦେଖିଲି । ସେ ମୋତେ ବଲ ବଲ କରି ଚାହିଁ ରହିଛି । ମୁଁ ପଚାରିଲି କ'ଣ ହେଲା । ଜାଣିନୁ ତାକୁ । ମୋତେ ସେତେବେଳକୁ ଲାଗିଲି ମୁଁ ଆଉ ମାସ୍କ ଭିତରେ ଭୁଲ ଲୋକକୁ ଚିହ୍ନି, ଦିନୁଆ କଥା ପଚାରୁଛି ତ !
ହେଲେ ମୋତେ ଭୁଲ ପ୍ରମାଣିତ ହେବାକୁ ନ ଦେଇ, ସେ କହିଲା, ଆପଣ କ'ଣ ଜାଣିନାହାନ୍ତି ବାବୁ ! ଦିନୁଆ ଆଉ ଏ ପାରିରେ ନାହିଁ । ସେ ଦୁଇ ମାସ ହେଲାଣି ଚାଲି ଯାଇଛି ଜୀବନର ଆର ପାରିକୁ ।
ଏତେବେଳ ଯାଏ ମୁଁ ଗାଡ଼ି ଉପରେ ବସି କଥା ହେଉଥିଲି, ହଠାତ୍ ଗାଡିରୁ ଓହ୍ଲାଇ ପଡ଼ିଲି । ବିଶ୍ୱାସ ହେଲା ନାହିଁ ମୋତେ ତା କଥା । ପଚାରିଲି ତୁ ସେଇ ପାଇପ ମିସ୍ତ୍ରୀ ଦିନୁଆର କଥା କହୁଛୁତ ! ହେଲେ ମୋର ଯାହା ମନେ ହୁଏ, ତା'ର ବୟସ ତ ସେମିତି କିଛି ହୋଇ ନଥିଲା ।
ଏଥର ମୋ କଥାକୁ ଅଧାରୁ ଛଡେଇ ନେଇ, ସେ ତା କଥାକୁ ଜୋର ଦେଇ କହିଲା, ହଁ ଆଜ୍ଞା ସେଇ ଦିନୁଆ ଭାଇ, ଯାହା କଥା ଆପଣ ପଚାରୁଛନ୍ତି ।
ସେ ମୋ ଗୁରୁ, ତା' ଠୁ ହିଁ ତ ମୁଁ ମିସ୍ତ୍ରୀ କାମ ଶିଖିଛି । ସେ ଭଲ ଥିଲା । ହଠାତ୍ ଜର ହେଲା । କିଛି ଜାଣି ପାରିଲାନି ଚାଲିଗଲା । ପରେ ଟେଷ୍ଟ କଲାରୁ ଜଣା ପଡିଲା ତାକୁ କରୋନା ହୋଇଥିଲା ।
ମୁଁ ସ୍ତବ୍ଧ ହେଇଯାଇଥିଲି ପିଲାଟିର କଥା ଶୁଣି । ମୋତେ ଲାଗୁଥିଲା ସତରେ ଜୀବନ କେତେ ଅନିଶ୍ଚିତ ।
ଆମେ କରୋନାକୁ ଯେତେ ଭୟଙ୍କର ବୋଲି ଭାବୁଛେ, ସେ ତା' ଅପେକ୍ଷା କାହିଁ କେତେ ଭୟଙ୍କର । ଆମ ଦେଶରେ ତା'ର ମୃତ୍ୟୁ ହାର କମ୍ ରହୁଛି ବୋଲି ଆମେ ଭାବୁଛେ, ଏ ରୋଗ କିଛି ନୁହେଁ । କିନ୍ତୁ ପ୍ରକୃତରେ କରୋନାର ଯେ ଶିକାର ହେଉଛି, ନିଜ ଭାଇ ବନ୍ଧୁ ଜ୍ଞାତି କୁଟୁମ୍ବକୁ ଅଦିନରେ ହରଉଛି, ସେ ହିଁ ବୁଝିଛି ଏବଂ ଦେଖିଛି ତା'ର ଭୟଙ୍କରୀ ରୂପକୁ ।
ସେଇ ପିଲାକୁ ଆମ ଘରର ଠିକଣା ଦେଇ ମୁଁ ଫେରି ଆସୁଥିଲି ଘରକୁ । ସେ କହିଲା ଯନ୍ତ୍ରପାତି ନେଇ ଆସୁଛି, ପାଇପ ଠିକ୍ କରିଦେବ । କାହିଁକି ନା କରୋନା ସାରି ଦେଇଥିଲା ଦିନୁଆର ଯୁଗ । ଆରମ୍ଭ ହେବାକୁ ଥିଲା ନୂଆ ଏକ ଯୁଗ । କରୋନା ବେଳର ଯୁଗ । ବୋଧହୁଏ ଅଧିକ ସତର୍କତାର ଯୁଗ ।