ଧୂମାୟିତ ପ୍ରେମର ବାସ୍ନା
ଧୂମାୟିତ ପ୍ରେମର ବାସ୍ନା
ଜୀବନର ସବୁ ଅପୂର୍ଣ୍ଣତା, ଯେମିତି ପିଲାଦିନ ପାଖରେ ଆସି ହିଁ ପୂର୍ଣ୍ଣତା ଲାଭ କରେ । ଜାଗତିକ ଦୁନିଆ ଆସି ସେଇଠି ରହିଯାଏ । ମଣିଷ ସ୍ପନ୍ଦିତ ହୋଇ ଉଠେ ।ସବୁ ଦୁଃଖ ଲାଘବ ହୁଏ । ପୋଛି ହୋଇ ଯାଇଥାଏ ବିଷାଦର ସ୍ବେଦ ବିନ୍ଦୁ କୁହୁକମୟ ସନ୍ଧ୍ୟାର ସୁଶୀତଳ ସମୀରେ ।
ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ମୁଁ ଥରେ ପ୍ରବନ୍ଧ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଅନ୍ୟ ସ୍କୁଲ କୁ ଯାଇ ଥାଏ । ହଠାତ୍ ସେଇଠି ହିଁ ଦେଖା ଲଗ୍ନା ସହ ।ପ୍ରତିଯୋଗିତାରେ ତ ଯାହା ହେବାର ହେଲା । ମୁଁ କିନ୍ତୁ ଲଗ୍ନାର ପ୍ରେମରେ ପଡ଼ିଗଲି ।ସମୟ କ୍ରମେ ତାକୁ ନେଇ କବିତା ଲେଖିଲି । ଗଳ୍ପ ଲେଖିଲି । ସତରେ ସେ ଅନୁଭୂତି ଅପୂର୍ବ ।
ବଳଙ୍ଗର କୂଳେ କୂଳେ ପ୍ରକୃତି ର ଅପରୂପା ସବୁଜିମାକୁ ଚାହିଁ ମୁଁ ନିରନ୍ତର ଲଗ୍ନା କଥା ଭାବିଛି । ନୀରବତା ଭିତରେ ମୋ ମନରେ ଧିରେ ଧିରେ ସେ ସୁବାସିତ ହୋଇ ଉଠିଛି ।
ପରେ ମୁଁ କବିତା ଲେଖିବା ଶିଖିଗଲି, ହେଲେ ଲଗ୍ନା କୁ ନେଇ ଜୀବନ ନାଟକ ଲେଖି ପାରିଲିନି ।ସ୍କୁଲ ପରେ କଲେଜରେ ସେ ଅଳ୍ପ ଦିନ ମୋ ସହିତ ପଢିଥିଲା ।ହଠାତ୍ ଦିନେ ଜାଣିବାକୁ ପାଇଲି ସେ ପଢ଼ିବା ପାଇଁ ଅନ୍ୟ କେଉଁ ସହରକୁ ଚାଲିଯାଇଛି ।ମୁଁ କିନ୍ତୁ ତା'ର କୈାଣସି ଖୋଜ ଖବର ଆଉ ପାଇଲିନି ।ଆଜିକା ଭଳି ସେବେ ମୋବାଇଲ ଫୋନ ନଥିଲା । ତେଣୁ କାହାର ଠିକଣା ଖୋଜିବ ଏତେ ବଡ଼ ଦୁନିଆ ରେ ଥିଲା ଖୁବ୍ କାଠିକର ପାଠ ।
ପଢା ପଢି ଶେଷ କରୁ କରୁ ସବୁ କିଛି ବଦଳି ସାରିଥିଲା ।ମୁଁ ମୋ କର୍ମମୟ ଜୀବନରେ ବାନ୍ଧି ହୋଇ ଯାଇଥିଲି ।
ହେଲା ଏବେ ବି ସମୟ ଅସମୟରେ ଯେବେ ବଳଙ୍ଗର କୂଳୁ କୂଳୁ ପ୍ରବାହ ମୋ ମନରେ ପ୍ରତିଧ୍ଵନିତ ହୁଏ, ମୋର ମନେ ପଡେ ଲଗ୍ନା କଥା । ଇଛା ହୁଏ ତା' ବିଷୟରେ ଜାଣିବା ପାଇଁ । ଖବର କିନ୍ତୁ ମିଳେନା ।
ମୋତେ ଲାଗେ ସେ ଗୋଟେ ପିଲାଦିନ ର କାହାଣୀ । ମୋ ପାଇଁ ଜ୍ୟୋତ୍ସ୍ନା ଯାଦୁକରୀ ସ୍ମୃତି । ବଞ୍ଚିବାର ପ୍ରେରଣା । ପ୍ରଥମ ପ୍ରେମର ଅଭୁଲା ବାସ୍ନା । ଯିଏ ମୋତେ ବ୍ୟତିତ କରେ ଜୀବନର ପ୍ରତିଟି କ୍ଷଣରେ , ପ୍ରତିଟି ମୋଡରେ ।
ସମୟ ଗଡି ଚାଲିଥିଲା ଆପଣା ପଥରେ । ସଂପର୍କ ରୂପାନ୍ତରିତ ହେଉଥିଲା ସ୍ମୃତିରେ ।ଅକସ୍ମାତ ଏତେ ବର୍ଷ ପରେ ଦିନେ ପୁରୀ ବଡ଼ ଦାଣ୍ଡରେ ଦେଖା ହୋଇଗଲା ମୋର , ଲଗ୍ନା ସାଥିରେ ।
ଦେଖିଲି ଜୀବନର ସଂଜ୍ଞା ସମ୍ପୂର୍ଣ୍ଣ ବଦଳି ଯାଇଛି ତା' ଜୀବନରେ । ମନେ ହେଲା ଦୈନନ୍ଦିନ ଜୀବନକୁ ନେଇ ଖୁବ୍ ଖୁସି ଅଛି ସେ ।
ପଚାରିଲି ," କେମିତି ଅଛୁ ?"
ଯାହାର ଯାଦୁକରୀ ଶବ୍ଦର ସ୍ପର୍ଶରେ ଦିନେ ସଭିଏଁ ସ୍ତମ୍ଭିଭୂତ ହୋଇ ଯାଉଥିଲେ , ଆଜି କେଉଁଠି ରହୁଛି ସେ ! ନା ଖବରକାଗଜରେ ନା ପତ୍ର ପତ୍ରିକାରେ ।
ଲଗ୍ନା ହସି ଦେଇ ଥିଲା ମୋ କଥାରେ ।
କହିଲା, " ସ୍ରୋତର ପ୍ରବାହମାନତା ଭିତରେ ତରଙ୍ଗ ଯଦି ସମୟ କ୍ରମେ, ନିଜକୁ ହଜାଇ ବସେ , ତେବେ ତା'ର କୈାଣସି ବ୍ୟାଖ୍ୟା ନାହିଁ , ସମୀକ୍ଷା ନାହିଁ ।"ଜାଣିଶୁଣି ମୁଁ ମୋ ଦିଗ ବଦଳାଇଛି । ମୁଁ ଏବେ ଆର୍ମ ଫର୍ସେସ ମେଡିକାଲ କଲେଜରେ (AFMC) ଏସୋସିଏଟ୍ ପ୍ରଫେସର ଅଛି ।ମୁଁ ପଚାରିଲି ମ୍ୟାରେଜ କରିନୁ ?
ହସି ହସି କହିଲା ନା । ଧରିନେ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରି ଦେଇଛି ।
ପଦେ ଦୁଇ ପଦ କଥା ଭିତରେ ଲଗ୍ନାର ଗାଡ଼ି ଆସି ଯାଇଥିଲା । ଆଉ ମୁଁ ତାକୁ ବିଦାୟ ଜଣାଇ ବାରିପଦା ଫେରି ଆସୁଥିଲି ।
ପଶ୍ଚିମ ଆକାଶରେ ନଇଁ ଆସୁଥିଲା ସଂଜ । ବାଟରେ ବଳଙ୍ଗର ନଈ ପଠାକୁ ଦେଖି ପୁଣି ମନେ ପଡିଗଲା ଲଗ୍ନା କଥା ।
ଆଜି କିନ୍ତୁ ଖାଲି ପ୍ରେମ ନୁହେଁ , ବହୁ ଗୁଣରେ ସମ୍ମାନ ବି ବଢ଼ି ଯାଉଥିଲା ମୋର ଲଗ୍ନା ପ୍ରତି । ତାର ଦେଶପ୍ରେମ ପ୍ରତି । ହଁ ମୋ ପ୍ରଥମ ଏବଂ ଶେଷ ପ୍ରେମର ବାସ୍ନା ପ୍ରତି ।