ଶୋଇଛି ପାଉଁଜି
ଶୋଇଛି ପାଉଁଜି
ମୁଁ ଅବସର ସମୟ ବିନୋଦନ ପାଇଁ ବୁଲି ଆସିଛି ବନ୍ଧୁଘରକୁ। ଚର୍ଚ୍ଚା, ମର୍ଯ୍ୟଦା କୌଣସିଥିରେ କମ୍ ନାହିଁ। ସାଧ୍ୟମତେ ଲାଗିପଡିଛନ୍ତି ମୋର ସତ୍କାରରେ। ଗାଳ୍ପିକର ଚକ୍ଷୁ ଖୋଜିବୁଲୁଥାଏ ଗଳ୍ପର ଖୋରାକ।
ଏମିତି ଫେସବୁକରେ ନଜର ପଡିଗଲା ପାଉଁଜି ଉପରେ ପ୍ରଶ୍ନ।ପ୍ରୟାସ କଲି ଲେଖିବାକୁ।
ନାରୀଟିଏ ଆଭୁଷଣଯୁକ୍ତ ହେଲେ ସାମ୍ନାକରେ ଚ୍ଛିନତାଇ। ନାରୀଟିଏ ଆଭୁଷଣ ରହିତ ହେଲେ ଆଖ୍ୟାପାଏ ଗରିବୀ।
ହେଲେ ପାଉଁଜି ........
ସେ ଲାଲଚାନ୍ଦ ଦୋକାନରୁ ଆଣିଥିବା ସୋନାପାଦର ଶୋଭାବର୍ଦ୍ଧନକାରୀ ରୂପାର ହେଉ ବା ସନାମଉସାଠାରୁ ଆଣିଥିବା ସନେଇ ମୁଲିଆଣିର ହେଉ।
ବହୁକୁଟୁମ୍ୱୀ ପରିବାର ।ତିନିବଖରା ଘର। ମୋ ପାଇଁ ଗୋଟିଏ ବଖରା ଛାଡି ଦେଇ ବାକି ଦୁଇଟିରେ ଜନ୍ଦାପିମ୍ପୁଡି ପରି ଖୁନ୍ଦାଖୁନ୍ଦି ହୋଇ ପୁରା ପରିବାର।
ଝରକାପଟେ ଅନେଇ ଦେଖିଲି ନିର୍ମାଣାଧୀନ ଘରଟିଏ। ଇଞ୍ଜିନିୟର ଲୋକ, ନଜର ଗଲା କୋଠାର ନିର୍ମାଣଶୈଳୀ ଆଡକୁ।
କୌତୁହଳ ସମ୍ୱରଣ କରିନପାରି ଚାଲିଗଲି ନିର୍ମାଣ କାର୍ଯ୍ଯ ପାଖକୁ। ଉଦୁଉଦିଆ ଦ୍ୱିପହର। କୁଆକୋଇଲି ଶୂନ୍ଯ। ଅରେ ଏ କଣ ଦେଖୁଛି ? ଯୁବକଯୁବତୀଙ୍କ ଉସ୍ଛ୍ରୁଙ୍ଖଳ ଆଚରଣ। ପାଦ ପଛକୁ ଫେରାଇ ଆଣିଲି। ଜାଣିପାରିଲେ ବୋଧହୁଏ। ଧଡପଡ ହୋଇ ଉଠି ଠିଆହେଲେ। ଯୁବକଜଣକ କହିଲା ବାବୁ ! ମୁଁ ରାଜମିସ୍ତ୍ରୀ। ତମେ କିଏ ? ମୁଁ କହିଲି, ଏସବୁ କଣ ଚାଲିଛି ? ପାଶ୍ଚାତ୍ଯ ସଂସ୍କୃତିଠାରୁ ବି ଦୁଇପାଦ ଆଗରେ ତମେ ମାନେ। ତାସାଙ୍ଗକୁ ତମ ମିଳନର ସ୍ମାରକୀ ବିକଳାଙ୍ଗ ଦେଶର ଭବିଷ୍ୟତ। ପରିଚୟରହିତ ସନ୍ତାନ। ଯେଉଁଥିପାଇଁ ଅର୍ଥ ନେଉଛ, ସେ କାମ ଅତି ନିମ୍ନମାନର।
ଭୟ ପାଇଗଲା ମିସ୍ତ୍ରୀଜଣକ। କହିଉଠିଲା, ନା ବାବୁ, ତମେ ଭୁଲ୍ ବୁଝୁଛ। ଏଇ କୋଠା ନିର୍ମାଣ ସମ୍ପୂର୍ଣ୍ଣ କରି ବାହାର ଲୋକଙ୍କୁ ଚଢାଦରରେ ବିକ୍ରିହୁଏ। ଏ ପରା ଶ୍ରୀକ୍ଷେତ୍ର। ସବୁ ଏଠି ପୂଣ୍ଯ।
ମୁଁ ଶୁଣୁଥିଲି ଝରକାପଟେ ତମେ ବୋଧେ ଗାଉଥିଲ, କାରଣ ଚମ କଣ୍ଠସ୍ବର ମୁଁ ଏବେ ବାରିପାରୁଛି। ତମେ ପରା ଗାଉଥିଲ ::
କିଭୂମିରେ ଆଜି ଦେଲି ମୋର ପାଦ,
ମନେ ଜାଗୁଛିରେ ଅପୁର୍ବ ଆଲ୍ହାଦ।
ଯହିଁ ଟେକିଦେଲେ ମାଟିମୁଠେ ଏଠି,
ମିଳେ ଠାକୁରଙ୍କ ସାନ୍ନିଧ୍ୟର ସ୍ମ୍ରୁତି।
ତମପରି ବାହାରୁଆସିଥିବା ବାବୁମାନେ ହିଁ ଏମିତିକା ଘର ଚଢାଦରରେ କିଣି ନେବେ। ଆଉ ରହିଲା ଆମ ମିଳନ କଥା।ଆମେ ଗରୀବ ଲୋକ। ଏହି ଘରକାମ ସରିଲେ ବାହାଘର ନିଶ୍ଚିତ ହୋଇସାରିଛି। ଆମର କେହି ନାହିଁ। କିଛି ସାହିଲୋକ ଉପଦେଶ ଦେଉଥିଲେ ମନ୍ଦୀରରେ ବାହା ହୋଇପଡ। ମନାକଲୁ ଆମେ। ଅଯଥା ଖର୍ଚ୍ଚ। ଅଗ୍ନିକୁ ସାକ୍ଷୀରଖି ଯୋଗଜାତକ ଦେଖି ତ ବାହାଘର ହୋଇଥାଏ ତାହେଲେ ବାହାଘର ପରେ ପ୍ରାୟ ପରିବାରରେ ଏତେ ବିଶ୍ରୁଙ୍ଖଳା କାହିଁକି ? ଏଇ ଦେଖୁନ ବାବୁ, ସାମ୍ନାଘର ଋନୁଦେଇ। ଲୁଗାବଦଳେଇଲା ପରି ପ୍ରେମିକ ବଦଳାନ୍ତି। ଆଜି ମେ ଫେୟାର ତ କାଲି ସିବିଚ୍। ଦାମୀହୋଟେଲରେ ରାତ୍ରିଯାପନ। କାହିଁ ସେମାନଙ୍କ ପାଇଁ ତ ଆପଣମାନଙ୍କ ପରି ଭଦ୍ରମୁଖାଙ୍କର ପାଟି ଖୋଲେନି। ଗରୀବ ସ୍ତ୍ରୀ ସଭିଙ୍କ ଶାଳୀ।
ରାଜମିସ୍ତ୍ରୀ ଆଖିରୁ ଅଗ୍ନିବର୍ଷା ହେଉଥିଲା ବିଦ୍ରୋହର। ନିଜକୁ ଅସହାୟ ମଣୁଥିଲି ମୁର୍ଖ ରାଜମିସ୍ତ୍ରୀର ତୁଳନାତ୍ମକ ଉପମାରେ। ମୋ ପାଟିରେ ତାଲା।
>ମୋ ଆଖିସାମ୍ନାରେ ମୋ ସନେଇ ଲୋ କହି କୋଳେଇନେଲା ମୁଲିଆଣିଟିକୁ। ସନେଇ ଲାଜେଇଲାଜେଇ କହୁଥିଲା, ଧେତ୍ ବାବୁ ପରା ଦେଖୁଛନ୍ତି। ରାଜମିସ୍ତ୍ରୀ ଅଟ୍ଟହାସ୍ୟ କରି କହୁଥିଲା, ଆରେ ସନେଇ, ବାବୁ ! ଏମାନେ ନା ନିଶାର୍ଦ୍ଧରେ ତାରକା ହୋଟେଲର ଧିମା ଆଲୋକରେ କେତେ ସନେଇର ଇଜ୍ଜତ ଲୁଟିନିଅନ୍ତି କିଛି ଅର୍ଥବିନିମୟରେ, ଆଉ ସକାଳେ ...
ଗରମପାଣିରେ ବିଳାସପୂର୍ଣ୍ଣ ବାଥଟବରେ ସ୍ନାନକରି ଧୋବଧାଉଳିଆ ବାବୁ ବନି ଦେଶ ଶାସନ କରନ୍ତି। ସନେଇର ଶସ୍ତା ପାଉଁଜିକୁ ହାତରେ ବଜେଇଦେଇ କହିଉଠିଲା, କହିପାରିବ ବାବୁ ! ତମ ପରି ବାବୁମାନଙ୍କ ଘରଣୀର ଦାମୀ ପାଉଁଜିରୁ ଏମିତି ସଙ୍ଗୀତର ମୁର୍ଚ୍ଛନା ବାହାରେ ? କଦାପି ନୁହଁ। ବରଂ ଯଦି ଧ୍ୟନରେ ଶୁଣିବ ସେଇ ପାଉଁଜିରୁ ଶୁଣାଯିବ ଅସଂଖ୍ଯ ଅସହାୟ ମହିଳାଙ୍କ ଆକୁଳ କ୍ରନ୍ଦନ, ବୁକୁଫଟା ଚିତ୍କାର। କେବେ ଶୁଣିବାକୁ ଚେଷ୍ଟା କରିଛ ବାବୁ ?
ନିରୁତ୍ତର ଥିଲି ମୁଁ। ମୁର୍ଖ ରାଜମିସ୍ତ୍ରୀର ପ୍ରଶ୍ନବାଣରେ ନିଜକୁ ଅସହାୟ ମଣୁଥିଲି। ମନେ ପଡିଯାଉଥିଲା ଛୋଟବେଳେ ପଢିଥିବା ଗୋଟିଏ କଥା ::
ନଈ ବଢି ଆସିଥାଏ। ନଈଆରପଟକୁ ଯିବାପାଇଁ ପଣ୍ଡିତ ନାଉରିଆକୁ କହିଲେ। ଖୁସିରେ ରାଜିହୋଇ କାତମାରିଲା ନାଉରିଆ। ପଣ୍ଡିତେ କହିଲେ ବାବୁରେ ମୁଁ ରାସ୍ତାସାରା ତତେ ଜ୍ଞାନ ଦେବି, ମୋତେ ଅର୍ଥ ମାଗିବୁ ନାହିଁ।
ଚୁପଚାପ ଶୁଣିଲା ନାଉରିଆ। ରାସ୍ତାରେ ପଣ୍ଡିତ ପଚାରିଲେ, ରାମାୟଣ, ମହାଭାରତ ଜାଣିଛୁ ? ମନାକଲା ନାଉରିଆ। ପଣ୍ଡିତ କହିଲେ ତୋ ଜୀବନର ଅର୍ଦ୍ଧେକ ନଷ୍ଟ ହୋଇଗଲା। ଗୀତା ଭାଗବତ ଜାଣିଛୁ ? ମନାକଲା ନାଉରିଆ। ପଣ୍ଡିତ କହିଲେ ଆରେ ମୁର୍ଖ ତୋ ଜୀବନ ବିଫଳ। ମୋତେ ଅର୍ଥଦାନ କରେ ତରିଯିବୁ। ନାଉରିଆ ହଁ ଭରିଲା। କହିଲା ପଣ୍ଡିତେ ! ତମେ ଏତେ ପ୍ରଶ୍ନ ପଚାରିଲ, ମୋ ଜୀବନ ଉଦ୍ଧାରର ମାର୍ଗ କହିଲ। ହେଲେ ମୁଁ କେବଳ ଗୋଟିଏ ପ୍ରଶ୍ନ ପଚାରିବି ଉତ୍ତର ଦେବ। ପଣ୍ଡିତ କହିଲେ ମୁର୍ଖଶଳା, ତୁ ପୁଣି ମୋତେ ପରୀକ୍ଷା କରିବୁ ? ହଉ ପଚାର।
ଡଙ୍ଗା ଟଳମଳ ହେଲା, ପଣ୍ଡିତେ କହିଲେ ଆରେ ଠିକ୍ ଭାବରେ ନୌକାଚାଳନା କର ।ନାଉରିଆ କହିଲା କାତ ପାଉନାହିଁ। ପଣ୍ଡିତେ, ତମେ ପହଁରା ଜାଣିଛ ? ମନାକଲେ ପଣ୍ଡିତେ। ହସିଉଠିଲା ନାଉରିଆ। ମୋର ଅଧାଜୀବନ ନଷ୍ଟ ହୋଇଥିଲା, ହେଲେ ତମର ତ ପୁରା ଜୀବନ ଯିବ। ପଣ୍ଡିତ ନାଉରିଆର ପ୍ରାପ୍ୟ ଦେଇ କୂଳକୁ ଆସିଲେ।
ରାଜମିସ୍ତ୍ରୀ କହିଲା ବାବୁ ! ହସୁଛ କଅଣ ? ମନେମନେ ଲଜ୍ଜିତ ଅନୁଭବ କରି ରାଜମିସ୍ତ୍ରୀ ସହ ନାଉରିଆ ଉପାଖ୍ୟାନକୁ ତୁଳନା କରି ବନ୍ଧୁଘରକୁ ଫେରିଲି ମୁଁ।
ତିନି ଚାରିଦିନ ପରେ ଭୁବନେଶ୍ବରରୁ ବନ୍ଧୁ ଘରକୁ ଫେରୁଫେରୁ ଦେଖିଲି ନବନିର୍ମିତ କୋଠାଟି ଭୁଷୁଡି ପଡ଼ିଛି। ଆଜି ରାଜମିସ୍ତ୍ରୀ ଓ ସନେଇର ବାହାଘର ଥିଲା ଏଇ କୋଠାରେ। ସନେଇ କହିଥିଲା ବାବୁ ! ଆମକୁ ଆଶୀର୍ବାଦ ଦେବ।
ଭିଡଠେଲି ଭିତରକୁ ପଶିଲି। ପୋଲିସ ଉଠେଇଆଣୁଥିଲେ ଦୁଇଟି ଶବ। ସନେଇ ହାତରେ ଥିଲା ରକ୍ତ ଜୁଡୁବୁଡୁ ରୂପା ପାଉଁଜି। ବୋଧେ ରାଜମିସ୍ତ୍ରୀର ଶେଷ ଉପହାର।
ମତେ ଶୁଣାଯାଉଥିଲା ବାବୁ! ଏ ବାବୁ ! କାନ୍ଦନି। ଆମେ ପରା ଗରୀବ। ଏଇ ଦେଖ, ଏଇ ଦେଖ !! ଶୋଇଛି ପାଉଁଜି। ।
ହେଲେ ......
ମୋ ଆଖିର ଅମାନିଆ ଲୁହ ଅଟକୁ ନଥିଲା।