STORYMIRROR

Siddhartha Sankar Tripathy

Abstract Romance Tragedy

4  

Siddhartha Sankar Tripathy

Abstract Romance Tragedy

ସତୀ କାନ୍ଦୁଛି

ସତୀ କାନ୍ଦୁଛି

4 mins
30


ଅନାମ ! ଏ ଅନାମ !

ତମ ସାମ୍ନାରେ ତମ ପ୍ରେୟସୀ, ପ୍ରେମିକା। ଅଥଚ ତମେ ଲେଖାରେ ମଗ୍ନ। କ'ଣ ଏମିତି ଲେଖୁଛ ଶୁଣେ ।


ଅନାମ କହିଲେ, ଆତ୍ମଜୀବନୀ ଲେଖୁଛି ପ୍ରିୟମ୍ବଦା ।


ପ୍ରିୟମ୍ବଦା ଆରମ୍ଭ କଲେ , ତମେ ଲେଖକ ଲୋକ ନା ,

ନିଜ ଦୋଷ, ଦୁର୍ବଳତାକୁ ରେଶମୀ ଓଢଣା ତକେ ଘୋଡାଇ ରଖି ନିଜର କଳଙ୍କିଲଗା ଭାବମୂର୍ତ୍ତିକୁ ଘଷି ମାଜି ଚିକଚିକ କରନ୍ତି। ଆଉ ଯଦି ଆତ୍ମଜୀବନୀ ଲେଖୁଥିବା ମଣିଷଟି ନାରୀ ହେଲା -- ତାହାହେଲେ ତ ଆଉ କଥା ନାହିଁ। ସେ ନିଜକୁ ସତୀ ସାଧ୍ୱୀ ଭାବରେ ପାଠକ ମନରେ ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ସେ ନିଜ ପ୍ରେମିକଙ୍କ ଶ୍ୱେତ ଶୁଭ୍ର ପୋଷାକକୁ କାଳି ଛିଟାରେ କର୍ଦମାକ୍ତ କରିବାରେ ତିଳେ ହେଲେ କାର୍ପଣ୍ୟ କରିବ ନାହିଁ।


ଏ ପ୍ରିୟମ୍ବଦା ! ଆମେ କଟକ ବାସିନ୍ଦା। ମୁଁ ଅନାଥ ଆଉ ତମେ କୋଟିପତି ବ୍ୟବସାୟୀ ଅତେନ୍ଦ୍ରୀୟବାବୁଙ୍କ ଏକମାତ୍ର ଲଳନା। ତଥାପି ତମର ଲେଖା ଉପରେ ଏତେ ଅଭିଜ୍ଞତା କେମିତି ?


ପ୍ରିୟମ୍ବଦା ପଚାରିଲା, ପ୍ରେମିକପ୍ରବର ! ଆଜି ଦପ୍ତର ଯିବ ନାହିଁ କି ? ହସିଦେଇ ଅନାମ କହିଲେ, ପୁସ୍ତକ ସମ୍ମିଳନୀ ପାଇଁ ମୋତେ ବାଲେଶ୍ଵର ଯିବାକୁ ହେବ। ତମେ ଆସିବ ମୋ ସହ।


ମନାକଲା ପ୍ରିୟମ୍ବଦା। ଏହା କିପରି ସମ୍ଭବ ? ବାହାଘର ଆଗରୁ ତମ ସହିତ ଘର ଛାଡ଼ି ଯିବାକୁ କେହି ରାଜି ହେବେ ନାହଁ। ରାଗିଗଲେ ଅନାମ। କହିଲେ, ମୁଁ ବି କର୍ମଶାଳାରେ ଯୋଗଦେଇ ପାରିବି ନାହିଁ ବୋଲି ଜଣେଇ ଦେବି। 


ମୁଁ ଯିବିନାହିଁ ବୋଲି ତମେ ଏମିତି ସାହିତ୍ୟ କର୍ମଶାଳାରେ ଯୋଗ ଦେବନାହିଁ -- ଏହା ଭାବିବା ମାତ୍ରେ ମୁଁ ନିଜକୁ ଅପରାଧୀ ମନେ କରୁଛି। ଅନାମ ଟିକେ ଚିନ୍ତାକରି କହିଲେ, କାହାକୁ ନଜଣେଇ ଆମେ ବାଲେଶ୍ଵର ଚାଲିଯିବା। ଆମେ ଦୁଇଜଣ ବୟସ୍କ ପୁରୁଷ - ନାରୀ। ଆମେ ଆମ ଇଛା ଅନୁସାରେ ବଞ୍ଚିବା। ପାଶ୍ଚାତ୍ୟ ଦେଶରେ ଏହାକୁ କୁହନ୍ତି ପୂର୍ବରାଗ।


ଯୌନକ୍ଷୁଧା ନିବାରଣ ପାଇଁ ମୁଁ ତମକୁ ବାଲେଶ୍ଵର ଯିବାକୁ କହୁନାହିଁ। ତମେ ନିଶ୍ଚିତ ରହିପାର- ମୁଁ ତମର ଶରୀର ଲଂଘନ କରିବି ନାହିଁ। ଆମେ ଦୁହେଁ ସାଙ୍ଗ ହୋଇ ଖାଇବା, ସାଙ୍ଗ ହୋଇ ସମୁଦ୍ରକୂଳରେ ବୁଲିବା , ଗୋଟିଏ ବନ୍ଦ କୋଠରୀରେ ଶୋଇବା -- କିନ୍ତୁ କେହି କାହାକୁ ଶୋଇଲାବେଳେ ଛୁଇଁବା ନାହିଁ।


ଅନାମ ପୁଣି ହସିଦେଇ କହିଲେ, ପିଲାଦିନୁ ଏକା ଏକା ବିଛଣାରେ ଶୋଇବା ମୋର ଅଭ୍ୟାସ। ମୋ ପାଖରେ କେହି ଶୋଇଥିଲେ ସୁନିଦ୍ରା ହୁଏ ନାହିଁ। ଏବେ ବହି ପଢ଼ୁ ନିଦ ଆସିଯାଏ । ବହି ପାଖରେ ହିଁ ଶୁଏ। ତମକୁ ବହିର ସ୍ଥାନ ଗ୍ରହଣ କରିବାକୁ ପଡ଼ିବ।


ବହି ବଦଳରେ ବୋହୂ !

ହସିଦେଲେ ପ୍ରିୟମ୍ବଦା। ଆପେ ଆପେ ହସ ପ୍ରିୟମ୍ବଦାର ଦୁଇ ଓଠକୁ ଛୁଇଁଯାଇଥିଲା। ଅନାମ ପଚାରିଲେ, ମୋତେ କ'ଣ ବିଶ୍ବାସ କରିପାରୁନାହଁ ? ମୋ ସହ ଯିବାକୁ ଭୟ କରୁଛ ?


-- ବିଶ୍ବାସ କରୁନଥିଲେ କି ଭୟ କଲେ ଲାଭ କ'ଣ ? ତମକୁ କିଛିମାସ ପରେ ବାହା ହେବି, ମୋତେ ତୁମକୁ ବିଶ୍ବାସ କରିବାକୁ ହିଁ ହେବ।


ବାଲେଶ୍ଵରରୁ ଫେରିଲେ ଦୁହେଁ।


ପ୍ରିୟମ୍ବଦା ଦିନେ ବୋଉକୁ କହିଲା, ବୋଉ ! ମୁଁ ଅନାମଙ୍କୁ ବାହା ହେବି। ବୋକିଙ୍କ ପରି ବୋଉ ଅନାଇ କହିଲେ କୋଉ ଅନାମ , କିଏ ? ତାଛଡ଼ା ତୋର ଗ୍ରାଜୁଏସନ ସମାପ୍ତ ହୋଇନାହିଁ। 


ପରଦିନ ବୋଉ ନିଷ୍ପତ୍ତି ଶୁଣେଇଲେ , ଘରେ କେହି ରାଜି ନୁହଁନ୍ତି, ତୋ ବାହାଘର ଆମ ଇଚ୍ଛାରେ ହେବ, ସେଇଠି ହୋଇପାରିବ ନାହିଁ। ଚୁପଚାପ୍ ଚାଲିଗଲା ପ୍ରିୟମ୍ବଦା।

ଅନାମ ଓ ପ୍ରିୟମ୍ବଦା ବୁଲୁଥିଲେ କାଠଯୋଡି କୂଳରେ।


ଅନାମ କହୁଥିଲେ କ'ଣ ଭାବୁଛ ପ୍ରିୟମ୍ବଦା !


ପ୍ରିୟମ୍ବଦା କହୁଥିଲା, ମୁଁ ତମକୁ ପ୍ରେମ କରିଛି, ଆମ ଵିଵାହ ପରିବାର ଇଛା ବିରୁଦ୍ଧରେ ମନ୍ଦିରରେ ହେବ ।

କିଛିଦିନ ପରେ ସେୟା ହେଲା ଓ ଘର ଛାଡ଼ିଲା ପ୍ରିୟମ୍ବଦା। ଛିନ୍ନ ହେଲା ସମସ୍ତ ସମ୍ପର୍କ। ଅନାମର ଛୋଟ ଚାକିରି। ସ୍ୱଳ୍ପ ରୋଜଗାର। କଷ୍ଟେମଷ୍ଟେ ଚଳୁଥିଲେ ପ୍ରେମୀଯୁଗଳ।


ଦିନେ ହଠାତ ଅସୁସ୍ଥ ହେଲେ ଅନାମ। ମାସ ଶେଷ, ଡାକ୍ତର ଦେଖେଇବାକୁ ଅର୍ଥର ଅଭାବ। ସରକାରୀ ଡାକ୍ତରଖାନାରୁ ଔଷଧ ଆଣି କାଠଯୋଡି କୂଳରେ ଘୁରି ବୁଲୁଥିଲେ ଦୁହେଁ।


ଆଙ୍ଗୁଠି ଦେଖେଇ ଅନାମ କହିଲେ, ପ୍ରିୟା ! ଏଇ ଦେଖ ସତୀଚଉରା।

କାଠଯୋଡ଼ି କୂଳରେ ରିଂରୋଡ ଦାଢ଼ରେ ସତୀତ୍ୱର ସତକୁ ନିଇତି ଜୁଇରେ ଜଳାଉଥିବା ଏ ସେଇ ସତୀଚଉରା। କିମ୍ବଦନ୍ତୀ କୁହେ ଦକ୍ଷରାଜାଙ୍କ ବଡ ଝିଅ ସତୀ।


ଜାଣିଛ ପ୍ରିୟା ! ସତୀ ଚଉରା ! ନାଆଁ ଶୁଣିଲେ ଶିହରଣ ଖେଳିଯାଏ। ମନେ ପଡ଼ିଯାଏ ଶବଦାହର କଥା। ଏଇଠି କେତେ ଯେ ଜୁଇ ଜଳିଛି, କେତେ ଯେ ଚିତା ଲାଗିଛି। ଏଇଠି ପାଉଁଶ ଏ ଜାଗାର ଗାଥା ବହନ କରୁଛି। ତାରି ଭିତରୁ କିମ୍ବଦନ୍ତୀ କୁହେ ମଧୁବାବୁଙ୍କ ଜେଜେମା ତାଙ୍କ ଜେଜେବାପାଙ୍କ ସମାଧିରେ ଝାସ ଦେଇଥିଲେ।


ଏଠାକାର ମାଟିନୁହେଁ ଜୁଇର ମହନୀୟତା।


ହଉ ଚାଲ ଯିବା କହି ଘରକୁ ନେଇ ଆସିଲା ପ୍ରିୟମ୍ବଦା।


ଧିରେ ଧିରେ ଅସୁସ୍ଥ ହେବାକୁ ଲାଗିଲେ ଅନାମ। ପ୍ରିୟମ୍ବଦାର ଘର ଲୋକ ଆର୍ଥିକ ସାହାଯ୍ୟ ପରିବର୍ତ୍ତେ ଅପମାନିତ କରି ଫେରେଇଦେଲେ। ପରଘରେ ବାସନ ମାଜିଲା ପ୍ରିୟମ୍ବଦା।


ପାଖରେ ବସି ଅନାମ ମୁଣ୍ତରେ ହାତ ବୁଲାଉଥିଲା ପ୍ରିୟମ୍ବଦା। ଅନାମ କହୁଥିଲା, ପ୍ରିୟା ! ମୁଁ ଲେଖିବାକୁ ସମର୍ଥ ନୁହଁ। ମୁଁ ଡାକୁଛି କିଛି ପଂକ୍ତି ଟିକେ ଲେଖି ଦିଅ ନା ।

ଲେଖିବା ଆରମ୍ଭ କଲା ପ୍ରିୟମ୍ବଦା।

ଅନାମ ଆରମ୍ଭ କଲେ ;


ମୋ ଜୀବନକୁ ଗଭୀର ରେଖାପାତ କରିଛି ସତୀ ଚଉରା। ସତରେ କ'ଣ ନାରୀ ପୁରୁଷର ଜୁଇରେ ନିଜକୁ ସମର୍ପିତ କରେ ?  


ଅବସାଦ ମନର କ୍ଳାନ୍ତି ଦୁର କରିବାକୁ ଗୀତଟିଏ ମନେପଡ଼େ ;

ପୁଣ୍ୟର ନଦୀତୀରେ, ପାପର ତରୁଡାଳେ

ବସା ବାନ୍ଧି ରହେ ପ୍ରେମ, କିଏ କୁହେ ତାକୁ ଛଳନା ପୁଣି କିଏ କୁହେ ପ୍ରେମ।

ଅବାଞ୍ଛିତ ଆଶା ଧରି କାଠଯୋଡି କୂଳରେ ଗୁମୁରି କାନ୍ଦୁଥିବା ଏ ସେଇ ସତୀଚଉରା।

ଜୀବନଟା ଯଦି ସୁନ୍ଦର, ଏତେ ମୃତ୍ୟୁ କିପରି କୁହ ?

ମୃତ୍ୟୁ ଏକ ମାଇଲ ଖୁଣ୍ଟ, ସେ ସତ୍ୟ, ସେ ନିଶ୍ଚୟ। ମଣିଷ ତ ଦିନେ ନା ଦିନେ ମରିବ।


ଚୁପ୍ ହେଇଗଲା ଅନାମ।


ପ୍ରିୟମ୍ବଦା ପଚାରିଲେ, ତାପରେ ...?


ଚୁପ୍ ଥିଲେ ଅନାମ।

ହଲେଇ ଦେଇ ଚମକି ଉଠିଲା ପ୍ରିୟମ୍ବଦା। ନୀରବ, ନିଶ୍ଚଳ ଅନାମ।

ରାମ ନାମ ସତ୍ୟ ହୈ ରେ ପ୍ରକମ୍ପିତ ହେଉଥିଲା ସତୀଚଉରା।

ବସି ସ୍ଵାମୀଙ୍କ ଜୁଇକୁ ଅନେଇ ଭାବୁଥିଲା ପ୍ରିୟମ୍ବଦା ।

ନିଆଁ ଜଳୁଥିଲା। ଡେଇଁ ପଡିଲା ପ୍ରିୟମ୍ବଦା।


ଜୁଇର ଜଳନ୍ତା ନିଆଁରେ ସତୀର ଆର୍ତ୍ତଚିତ୍କାର।

ବିଶ୍ବାସ ଅବିଶ୍ବାସର ବରଗଛ ତଳେ ଝାପସା ଧୂଆଁ।

ପାଉଁଶର ପାହାଡ଼ରେ ଶଙ୍ଖାର ବିକଟାଳ ଶବ୍ଦ,

ମୃତ୍ୟୁର ଠିକଣାରେ ମାଟି ହାଣ୍ଡିର ଭଗ୍ନ ଭବିଷ୍ୟତ,

ସମାଧିର ଗହଳି ଭିତରେ ସତୀତ୍ୱର ପଦଧ୍ଵନି,

ଏ ଶ୍ମଶାନର ନିଆଁ, ଏ ସମାଧିର ଗୁଞ୍ଜରଣ , ଏ ଚିତାର ପାଉଁଶ ସବୁକିଛି ବହନ କରେ ସେ ସତୀ ଚଉରାର ସାଂପ୍ରତିକ ସତ୍ୟକୁ।


ଜଳିଗଲା ପ୍ରେମ, ସରିଗଲା ସଂସାର। ଆଜି ବି ଗୁମୁରି ଗୁମୁରି କାନ୍ଦୁଛି ସତୀ ପ୍ରିୟମ୍ବଦା ସତୀ ଚଉରା ଭିତରେ।



(((((((।  ସମାପ୍ତ।  ))))))


Rate this content
Log in

Similar oriya story from Abstract