Siddhartha Sankar Tripathy

Abstract Inspirational Others

4  

Siddhartha Sankar Tripathy

Abstract Inspirational Others

ମୋଟା ଝିଅ

ମୋଟା ଝିଅ

4 mins
12



ଉପକ୍ରମ : ଝିଅଟିର ଗଠନ ଶୈଳୀ ଉପରେ ବି ଆଜିକାଲି ପ୍ରଶ୍ନବାଚୀ। ଯୁଗ ବଦଳିବା ସହ ରୁଚି ବଦଳିଛି। ପୁଅ କଳା ହେଉ ବା କେଶ ବିହୀନ, ତାକୁ ବି ଆବଶ୍ୟକ ତନୁ ପାତଳୀ, ଘନକେଶୀ। ପାଠରେ କୁହାଯାଏ ଦୁହିତା ଦୁଇ କୂଳକୁ ହିତା। କିନ୍ତୁ ମୋଟା ଅଥବା କଳା ଝିଅ ବାପାମାଆଙ୍କ ମୁଣ୍ଡ ବ୍ୟଥାର କାରଣ। କାହିଁକି ଏ ଭେଦଭାବ। କାହିଁକି ଏ ତାରତମ୍ୟ , କାହିଁକି ଏ ଅସମାନତା ? ଅନୁଶୀଳନ ଆବଶ୍ୟକ , ସଚେତନତା ଜରୁରୀ ।

ଶ୍ରାବଣୀ କହିଲା, ଏ ଲୋପାମୁଦ୍ରା ! ମୁଁ ଭଲ ପାଇବାର ଭୁଲ କରିନି ତ ? କିନ୍ତୁ ଜାଣିଛୁ ଲୋପା, ଭଲ ପାଇବାର ଭୁଲ ଦିନ ଗୁଡ଼ିକର ସ୍ନୃତି କୌଣସି ଦିନ ଭୁଲି ହୁଏନା। ଭଲ ପାଇବାର ଆଦିମ ଅରଣ୍ୟରେ ବାଟ ଭୁଲି ଯାଇଥିବା ଦୁଇଟି ହୃଦୟର ମିଳନ ଅତ୍ୟନ୍ତ ମର୍ମସ୍ପର୍ଶୀ। କାରଣ ଭଲ ଝିଅମାନେ ଭୁଲନ୍ତି ନାହିଁ। ପ୍ରେମରେ ଫାଟ ହେଲେ ଭଲ ପାଇବାର ଅଠାରେ ଯୋଡ଼ି ପାରିଲେ ପ୍ରେମ ସୁନ୍ଦର।

ଦୀର୍ଘଶ୍ଵାସ ନେଇ ଲୋପାମୁଦ୍ରା କହିଲା, ଏ ସାଙ୍ଗ ସେସବୁ ମୋ ଭାଗ୍ୟରେ ନାହିଁ। ମୋ ଭାଗ୍ୟରେ ସ୍ଵାମୀ ଅଛି କି ନା ମୁଁ ଜାଣିନି। ମୁଁ ମୋ ସ୍ବାମୀ ପାଇଁ ସତୀ- ସୀତା ହୋଇ ପାରିବିନି କି ପ୍ରେମିକ ମାନଙ୍କ ପାଇଁ ପ୍ରେମ ପାଗଳିନୀ ଶ୍ରୀରାଧା। ଏପରିକି ମୋ ସନ୍ତାନମାନଙ୍କ ପାଇଁ ମୁଁ ମାଆ ଯଶୋଦା ବୋଲି ମଧ୍ୟ ଦାବୀ କରିପାରିବି ନାହିଁ। ସାଧାରଣ ଅର୍ଥରେ ମୁଁ ଜଣେ ବ୍ୟର୍ଥ ନାରୀ। ବିଫଳ ପତ୍ନୀ, ପ୍ରେମିକା; ବ୍ୟର୍ଥ ଜନନୀ, କନ୍ୟା। କାରଣ ମୋର ମେଦବହୁଳତା।

ଜାଣିଛୁ, ମୋର ସୁନ୍ଦର ଶୈଶବ ଥିଲା। ଆଜିକାଲି ସେଇ ସୁଦୂର ଶୈଶବକୁ ଥକ୍କା ମାରି ଚାହିଁ ରହିବାକୁ ଭଲ ଲାଗେ ନାହିଁ। ଛାଡ଼ି ଆସିଥିବା ପିଲାଦିନକୁ ପିଠି କରି ମୁଁ ଆଗକୁ ଆଗକୁ ପାଦ ମାଡ଼ି ମାଡି ଚାଲି ଯିବାକୁ ଚାହେଁ।

କିନ୍ତୁ ଭୂତ ଭଳି ସେଇ ତନୁପାତଳୀ ପିଲାଦିନ ଆଜିର ମେଦବହୁଳ ଶରୀରକୁ ତାତ୍ସଲ୍ୟ କରି ମୋ ସାମ୍ନାକୁ ଚାଲିଆସେ। ନିଶାର୍ଦ୍ଧରେ ହଠାତ ନିଦ ଭାଙ୍ଗିଗଲେ କିମ୍ବା ଉଦାସ ଅପରାହ୍ନରେ ମୁଁ ଏକୁଟିଆ ଥିବା ବେଳେ ସେ ଶୈଶବର ତନୁପାତଳୀ ଭୁତ ମୋ କାନ୍ଧରୁ ଓହ୍ଲାଇ ମୋ ପ୍ରୁଥୁଳ ଶରୀର ସାମ୍ନାକୁ ଆସି ଅଟ୍ଟହାସ୍ୟ କରେ। ଲୋପାମୁଦ୍ରା ଆଖିର ଲୁହ ପୋଛୁଥିଲା ଶ୍ରାବଣୀ।

ଲୋପାମୁଦ୍ରା କହିଲା, ଜାଣିଛୁ ଶ୍ରାବଣୀ ,ମୋର ବୟସ ପଚିଶ, ପଢା ସରିବା ଉପରେ। ବାପା ମାଆ ବର ଖୋଜିବାରେ ବ୍ୟସ୍ତ। କାରଣ ମୁଁ ମଧ୍ୟବିତ୍ତ ପରିବାରର ଜ୍ୟେଷ୍ଠା କନ୍ୟା। ମୋ ତଳକୁ ଆଉ ଦୁଇ ଭାଇଭଉଣୀ।

କିନ୍ତୁ .......

ଶ୍ରାବଣୀ ପଚାରିଲା, କିନ୍ତୁ ପୁଣି କ'ଣ ?

ଏ ପ୍ରେମ ଫ୍ରେମରେ ନପଡ଼ି ବାହା ହୋଇଗଲେ ତ ତୁ ଏକବିଂଶ ଶତାବ୍ଦୀର ପିଢ଼ି ପାଇଁ ଆଦର୍ଶ ଓ ଉଦାହରଣ ହୋଇଯିବୁ।

ଲୋପାମୁଦ୍ରା କହିଲା, ନା ଲୋ ! ଏ ନିଆଁଲଗା ପ୍ରସ୍ତାବ ବି ସ୍ଥିର ହେଉଛି କେଉଁଠୁ ?

ଯାହାକୁ ଫଟୋ ପଠାଇଲେ ସେ କହୁଛି, ମୋଟୀ ଝିଅଟା।

ମାଆ ଆଜିକାଲି ଭୋରରୁ ଉଠେଇ ପ୍ରବଳ ଦୌଡ଼ାଉଛି। ତାଛଡ଼ା ସକାଳୁ ସକାଳୁ କି ଅସନା ପାଣି ଗୁଡ଼ାଏ ପିଇବାକୁ ଦେଉଛି। ପ୍ରକୃତରେ ଝିଅ ଜନମ କଷ୍ଟଦାୟକ।

ହଠାତ ଲୋପାମୁଦ୍ରାର ମୋବାଇଲ୍ ବାଜିଉଠିଲା। ତରତର ହୋଇ ଉଠୁ ଉଠୁ କହିଲା, ଯାଉଛି ଶ୍ରାବଣୀ ! ଆଜି ପୁଣି କେଉଁ ପୁଅଘର ଦେଖିବାକୁ ଆସୁଛନ୍ତି। ଘରେ ପହଞ୍ଚିଲା ଲୋପା।

ସାହିର ଭାଉଜ ଚାରିଜଣ ଘରେ ପ୍ରସ୍ତୁତ ହୋଇ ରହିଥିଲେ।

ମାଆ ଦେବା ଶାଢ଼ୀ ଜଣେ ପିନ୍ଧାଉଥିଲେ,ଆଉ ଜଣେ ମୁହଁ ଧୋଇ ପ୍ରଶାଧନ ସାମଗ୍ରୀର ପ୍ରଲେପ ଦେଉଥିଲେ। ଆଉ ଜଣେ ଭାଉଜ କହୁଥିଲେ, ଆରେ , ସିଫନଶାଢ଼ୀ ନପିନ୍ଧେଇ କଟନ ଶାଢ଼ୀ କ'ଣ ପିନ୍ଧେଇଲ ? ଏଥିରେ ଅଧିକ ମୋଟା ଲାଗୁଛି ଲୋପାମୁଦ୍ରା।

ମାଆ ଆସି କହୁଥିଲେ, ଝିଅଲୋ ! ପେଟଟା ଭିତରକୁ ନେ। ବଡ଼ ଦିଶୁଛି। ଯାହା ପଚାରିବେ କହିବୁ, ଅଧିକ କିଛି କହିବୁନି। ଭଳିକି ଭଳି ମିଷ୍ଟାନ୍ନ ବାପା ନୟାଗଡ଼ରୁ ଆଣି ରଖିଥିଲେ। ଛେନା ତାଡ଼ିଆ ଆଡ଼କୁ ଲୋଭରେ ହାତ ବଢ଼ାଉଥିଲା ଲୋପା। ମାଆ ତାଗିଦ୍ କଲେ, ଏକ ତ ମୋଟା , ଦ୍ଵିତୀୟରେ ଅତିଥି ନଖାଉଣୁ ଏ କି ଅଭଦ୍ରାମୀ !

ବାହାରେ କୋଳାହଳ ଶୁଣାଗଲା। ବୋଧେ ପୁଅଘର ଆସିଗଲେ। କବାଟ ଫାଙ୍କରେ ଦେଖୁଥିଲା ଲୋପାମୁଦ୍ରା, ତା ବାପା ଅପରାଧୀ ପରି ସେମାନଙ୍କ ସାମ୍ନାରେ ଠିଆ ହୋଇଥିଲେ ହାତ ଯୋଡ଼ି। ନିଜକୁ ଦୋଷୀ ମଣୁଥିଲା ଲୋପା । ଝିଅ ଜନ୍ମ କ'ଣ ଅପରାଧ ?

ସରକାରୀ ନିୟମ ଅନୁସାରେ ପୁଅ ଝିଅ ସମାନ, କିନ୍ତୁ ପ୍ରକୃତରେ ????

ପୁଅଟି ଚନ୍ଦା ବୋଧେ। ହେ ଭଗବାନ ! ଝିଅ ବୋଲି କ'ଣ ମୋର କିଛି ଅଧିକାର ନାହିଁ, ପୁଅ ବ୍ୟାଙ୍କ ଚାକିରିଆ,ତାବୋଲି ସେ ଚନ୍ଦା ପୁଣି ନିଷ୍ପତ୍ତି କରିବ ମୋ ଭାଗ୍ୟ ? ଏତେ ପାଠ ପଢ଼ି ବି ଏମିତି ଭୋଗିବାକୁ ହୁଏ ?

କାହାର ଡାକରେ ଧ୍ୟାନଭଙ୍ଗ ହେଲା ଲୋପାମୁଦ୍ରାର। ମାଆ କହୁଥିଲେ, ମିଠା ଥାଳି ଧରି ଯିବାକୁ। ସନ୍ତର୍ପଣରେ ଥାଳି ଧରି ପ୍ରଵେଶ କଲା ଲୋପା। ବାପା ଗର୍ବରେ କିନ୍ତୁ ମୁଣ୍ଡ ତଳକୁ କରି ଝିଅର ଯୋଗ୍ୟତା ବଖାଣି ଚାଲିଥିଲେ। ଲୋପା ମୁଣ୍ଡ ତଳକୁ କରି ଛେପ ଢ଼ୋକି ଭୂଇଁରେ ଗାର କାଟୁଥିଲା ପାଦ ନଖରେ।

ପୁଅର ବାପା କହୁଥିଲେ, ଝିଅ ଫଟୋ ଠାରୁ ଅଧିକ ମୋଟା। ବାପା କହୁଥିଲେ, କ'ଣ ପଚାରିବାର ଅଛି ପଚାରନ୍ତୁ। କଣେଇ କଣେଇ ପୁଅକୁ ଅନେଇ ଲକ୍ଷ୍ୟ କରୁଥିଲା ଲୋପା, ସେ ସ୍ଥାନ ଛାଡି ଯିବାକୁ ବ୍ୟଗ୍ର ହେଉଥିଲା। ବୋଧେ ତାକୁ ଲୋପାମୁଦ୍ରା ପସନ୍ଦ ଆସୁନଥିଲା।

ଜଳପାନ କରି ଉଠିଲେ ସମସ୍ତେ ଓ ଗଲାବେଳେ କହିଦେଇ ଗଲେ ଫୋନ କରି ଜଣେଇବୁ। କିଛିସମୟ ପରେ ସେପଟୁ ଫୋନ ଆସିଲା, ଝିଅ ପସନ୍ଦ ହେଲାନି। ନଥ କରି ବସିଗଲେ ବାପାମାଆ। ସ୍ୱେଦଯୁକ୍ତ ଶରୀରରୁ ଶାଢ଼ୀ ଅଲଗା କରୁକରୁ ମନେ ମନେ କହୁଥିଲା ଲୋପା !

ଝିଅ ଜନମ କ'ଣ ଅଭିଶାପ ???

ଚିନ୍ତା ସେତେବେଳେ ବଢ଼ିଗଲା, ଯେତେବେଳ ଦଶ ଦଶଟି ପ୍ରସ୍ତାବ କାଟ ଖାଇଲା। ମାଆଙ୍କୁ କହିଲା, ମାଆ ! ମୋ ପାଇଁ ଆଉ ଖୋଜନାହିଁ। ମୁଁ ତମ ଦୁଃଖ ଦେଖି ପାରିବି ନାହିଁ। ଶଳା ପୁଅ କଳା, ଗେଡା, ଚନ୍ଦା ହେଲେବି ତାକୁ ଗୋରୀ, ତନୁପାତଳୀ କନ୍ୟା ଆବଶ୍ୟକ । ବିଦ୍ରୋହ କରିଉଠେ କୁମାରୀ ମନ।

ସେଦିନ .......

ଗାଆଁ ପାଖର ପୁଅ ପଙ୍କଜକୁ ନେଇ ଆସିଲେ ମଧ୍ୟସ୍ଥି। ଆଉ ସଜେଇ ହେବାକୁ ମନ ନଥିଲା । ବାଧ୍ୟବାଧକତାରେ ଶାଢ଼ୀ ପିନ୍ଧି ପହଞ୍ଚିଲା ଲୋପା। ପଙ୍କଜ କହିଲା, ମୁଁ ଗ୍ରାକୁଏସନ କରିଛି। ଚାକିରି ନାହିଁ , ତେଣୁ ବ୍ୟବସାୟ କରେ। ପଙ୍କଜ ଏକା ଆସିଥିଲା। କିଛିସମୟ ପରେ ପଙ୍କଜ ଉଠିଲା ଓ କହିଲା ମୁଁ ଆସୁଛି, ଫୋନ କରି ଜଣେଇବି।

ରାଗିଉଠିଲା ଲୋପା। କହିଲା, ଆମକୁ କ'ଣ କ୍ରୀତଦାସ ଭାବନ୍ତି ଆପଣମାନେ। ପୁଅ କଣା, କୁବଜା ହେଲେ ବି ସୁନ୍ଦରୀ ଝିଅ ଆବଶ୍ୟକ । ପରୀକ୍ଷା ପରି ଝିଅର ଇଣ୍ଟରଭିଉ ନେବେ ତାପରେ ଫୋନରେ କହିବୁ କହି ମନା କରିବେ। ଏସବୁ ଗୋଟେ ଫାର୍ସ। ପ୍ରକୃତ ଝିଅ ଜନମ ଅଭିଶାପ।

ବାପା ପଙ୍କଜକୁ କହୁଥିଲେ ବାବୁ ! ଝିଅ ବହୁତ ଶାନ୍ତ ସରଳ। ଆଜି ତା ଦେହ ଭଲ ନାହିଁ ତ କ'ଣ ସବୁ କହି ଯାଉଛି। ମାଆ କଡମଡ କରି ଲୋପାକୁ ଅନାଉଥିଲେ। ପଙ୍କଜ ସ୍ମିତ ହସି କହିଲେ, ନା ନା ଲୋପା ! ମୋର ସେମିତି ଅଭିପ୍ରାୟ ନାହିଁ। ମୁଁ ତ ଏ ପ୍ରସ୍ତାବରେ ରାଜି। ହେଲେ କାଳେ ଆପଣଙ୍କ ତରଫରୁ ଆପତ୍ତି ଥିବ, ମୋତେ କଷ୍ଟ ହେବ ତେଣୁ ଫୋନରେ କହିବି କହିଲି। ମୋଟା ପତଳା ମୋର ଆପତ୍ତି ନାହିଁ। କହିଲ, ବାହା ହେବା ପରେ ମୋଟା ହେଲେ କ'ଣ ତମକୁ ଛାଡ଼ିଦେବି ? ତାଛଡ଼ା ଶରୀର ନଶ୍ଵର , ମନ ଅବିନଶ୍ଵର । ପ୍ରେମ ଶାଶ୍ଵତ, ଚିରନ୍ତନ।

ହସୁଥିଲା ଲୋପା, ହସୁଥିଲା ପରିବାର।

ତେଣୁ

ହେ ସଭ୍ୟ ସମାଜ !

ବନ୍ଦକର ଏସବୁ ପ୍ରହସନ। କାହାର ଭାବନା ସହ ଖେଳନାହିଁ। ହୃଦୟକୁ ଦେଖ, ଶରୀରକୁ ନୁହଁ। ବିଚାର ଆପଣଙ୍କର।



Rate this content
Log in

Similar oriya story from Abstract