STORYMIRROR

Siddhartha Sankar Tripathy

Abstract Romance Tragedy

4  

Siddhartha Sankar Tripathy

Abstract Romance Tragedy

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

4 mins
376


ଅଣ୍ଟା ହଲେଇ କାନ୍ଧଉପରେ ଗରାଟିଏ ଧରି ଗ୍ରାମ ନିକଟସ୍ଥ ପୁଷ୍କରିଣୀରେ ସ୍ନାନ କରିବାକୁ ଅଗ୍ରସର ହେଉଥିଲା ପ୍ରମୋଦ କନ୍ୟା ରେଣୁ। ପାଦର ପାଉଁଜିକୁ ଟାଣ ମାଟିରେ ପିଟି ଶବ୍ଦ ତରଙ୍ଗ ସୃଷ୍ଟି କରିବା ସହ ଫେରିଫେରି ଚାହୁଁଥିଲା ପଛକୁ । ଆଜି କାଇଁ କେଉଁଠି ତା ରୂପଯୌବନର ଉତ୍ତାଳତରଙ୍ଗ ଦେଖିବାକୁ ରାମୁଟା ନଜର ଆସୁନାହିଁ।


 ପୋଖରୀ ତୁଠ ପଥରରେ ଶୀତରେ ଫାଟସୃଷ୍ଟି ହୋଇଥିବା ପାଦର ଏଡିକୁ ଘସିବାରେ ଲାଗିଲା। ପଥରରେ ପାଉଁଜି ବାଡେଇ ହୋଇ ଅଦ୍ଭୁତ ବାଦ୍ୟଯନ୍ତ୍ରର ରାଗିଣୀର ଭ୍ରମ ସୃଷ୍ଟି କରୁଥିଲା। ରାମୁର ଦେଖା ନାହିଁ, ବୋଧେ କେଉଁଠି ବ୍ୟସ୍ତ ଥିବ। ବୁଦ୍ଧିଜାଣିବା ଦିନରୁ ଭଲ ପାଉଛନ୍ତି ଦୁହେଁଦୁହିଙ୍କୁ। ଯୌବନର ସ୍ପର୍ଶ ପାଇଲା ଦିନଠୁ ଜଗନ୍ନାଥଙ୍କ ତୁଳସୀପତ୍ର ଖଣ୍ଡିଆ ହୋଇପାରେ କିନ୍ତୁ ରାମୁ ସହ ପୋଖରୀ ପାଖରେ ଦୁଇପଦ କଥାବାର୍ତ୍ତା କେବେ ବନ୍ଦ ନାହିଁ। ହେଲେ ଆଜି ତା'ର ବ୍ୟତିକ୍ରମ। ବ୍ୟସ୍ତ ହୋଇପଡୁଥିଲା ରେଣୁ।


ଓଃ, ଏ ଶିତୁଆ ପବନଟା ବି ଅଭଦ୍ର 

 ଲୁଗାଟା କାନ୍ଧଉପରୁ ଖସି ଆସି କୋଳରେ। ପବନର ମତୁଆଲା ଛୁଆଁ ଗ୍ରୀବାରେ ସୁନ୍ଦର ଚୁମ୍ବନ ଦେଉଛି। 


ହଠାତ୍,.....

ଚମକିଉଠି ପଛକୁ ଅନେଇଲା ରେଣୁ। ଏ.... ରାମୁ......ତ...ମେ ?

ଛାଡନା, କିଏ ଦେଖିନେବ। ଏଇଟା ଆଲିଶାନ ବଙ୍ଗଳାର ଧିମା ଆଲୁଅର ବାସର ଗୃହ ନୁହେଁ, ଏଇଟା ଆମ ଗାଆଁ ମାନେ ଶେରଗଡର ପୋଖରୀ ତୁଠ । ଶାଢିକାନିଟାକୁ ଉପରକୁ ଟେକି ଅନାବୃତ ଶରୀର ଢାଙ୍କି ଢାଙ୍କି କହୁଥିଲା ରେଣୁ। ପାଖରେ ବସିଗଲା ରାମୁ। 


ରେଣୁ କହୁଥିଲା, ଶୁଣ ରାମୁ,  ମୁଁ କ୍ରୀଡାମୟୀ ଶାନ୍ତ ସଲିଳା ନଦୀ, ଆଉ ତମେ ଅଶାନ୍ତ ସମୁଦ୍ର। ନାରୀତ୍ବ ହିଁ ମୋର ଏକମାତ୍ର ପରିଚୟ। ଆମ ବାହାଘରର ସହମତି ଉଭୟ ଘର ପକ୍ଷରୁ ହୋଇଯାଇଛି। 


କିନ୍ତୁ ଏ ନଦୀ ସମୁଦ୍ରର ଅଶ୍ଳିଳତା କେବଳ ବାହାଘର ପରେ। ତା ପୁର୍ବରୁ ଏପରି ଅପଚେଷ୍ଟା କରି ନିଜକୁ ନିନ୍ଦିତ କରିବାର ପ୍ରୟାସ କେବେ ବି କରିବ ନାହିଁ। ତେବେ ହିଁ ଆମର ବୈବାହିକ ଜୀବନ ସୁଖର ଜଳକଲ୍ଲୋଳରେ ଉଦବେଳିତ ହୋଇଉଠିବ।



 ରାମୁ କହିଉଠିଲା, ଶୁଣ ରେଣୁ ଆମ ବାହାଘର ପରେ ଭୁବନେଶ୍ବର ଚାଲିଯିବା। ସେଇଠି ସରକାରୀ ଜାଗାରେ କୁଡିଆଟିଏ କରିବା। ଖଣ୍ଡଗିରୀରେ ପଞ୍ଚତାରକା ଅଟ୍ଟାଳିକାର ନିର୍ମାଣ କାର୍ଯ୍ଯ ଚାଲିଛି। ମୁଁ କଥା ହୋଇଆସିଛି। ସେଇଠିକାମକରିବା ଓ ଆମର ସଂସାର ତରୀକୁ ଆଗକୁ ବଢେଇ ନେବା। 


ରାମୁ କହୁଥିଲା, ଶୁଣ ରେଣୁ, ସଂସାରରେ କେତେ ପୁଅ କେତେ ଝିଅଙ୍କୁ ଭେଟନ୍ତି ।ସେଥିରେ କାହାର କିଛି ଫରକ ପଡେନାହିଁ। କାହାର କିଛି ଯାଏ ଆସେ ନାହିଁ। 


କିନ୍ତୁ ତମପରି ଝିଅ ଯେତେବେଳେ ମୋପରି ପୁଅକୁ ଭେଟେ, ଶେରଗଡରେ ଅଦିନିଆ ଝଡର ଆଭାସ ହୁଏ, ଗାଆଁ ଟୋକାଙ୍କ ଆଖିରେ ଈର୍ଷାର ନାଲିବତୀ ଜଳିଉଠେ। ସେହି ସୁନ୍ଦରୀ ମୋର ଅର୍ଦ୍ଧାଙ୍ଗିନୀ। ତାଠାରୁ ଅଧିକ ମୋର ଆଉ କ'ଣ ଦରକାର ?


ରେଣୁ କହିଉଠିଲା, ହଉ ରାମୁ ତମେ ଯାଅ ବହୁତ ବିଳମ୍ବ ହେଲାଣି ମୁଁ ଗାଧୋଇ ଘରକୁ ଯିବି। ମୁଁ ଥିଲେ ତମ ସ୍ନାନରେ ବ୍ୟାଘାତ ଘଟୁଛି କି ? ପଚାରିଲା ରାମୁ। ଧେତ୍ , ତମେ ଯାଅ କହି ରାମୁର ପେଟକୁ କହୁଣୀରେ ହାଲକା ଭାବରେ ମାରିଦେଲା ରେଣୁ ।ହସିହସି ଆଗକୁ ବଢୁଥିଲା ରାମୁ ।



କିଛିଦିନ ପରେ.......


ବାହାହୋଇ ସହରକୁ ଚାଲିଲେ ରାମୁ ଓ ରେଣୁ । କାମରେ ଲାଗିପଡିଲା ରାମୁ। ସୁନ୍ଦର ସଂସାର, ସୁନ୍ଦର ଜୀବନଚର୍ଯ୍ୟା । କିଛିଦିନ ବେଶ୍ ଖୁସିରେ ବିତିଗଲା। ପୂତ୍ର ସନ୍ତାନ ଲାଭ କଲା ରେଣୁ। ଧିରେ ଧିରେ ପ୍ରେମର ଜହ୍ନରେ ସନ୍ଦେହ ଓ ଅଭାବର କଳଙ୍କ ଲାଗିଲା। ସମ୍ପର୍କରେ ଫାଟ। ଘରକୁ ଫେରିବାର ରାସ୍ତା ନାହିଁ। ସମ୍ପର୍କ ଓ ଗୃହସ୍ଥ ପାଲଟି ଯାଇଥିଲା ବିକ୍ଷୁବ୍ଧ ବିଚୀମାଳାରେ ବିଭ୍ରଷ୍ଟ ବୋଇତ।


ତିକ୍ତତା ବଢିଲା, ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକେଇ ପୁଅକୁ ନେଇ ରେଣୁ ଚାଲିଗଲା ଷ୍ଟିଲସିଟି ରାଉରକେଲା। ବିରାଡ଼ି କପାଳକୁ ଶିକା ଛିଣ୍ଡିଲା ପରି ପିଜାହଟ୍ ରେ ଛୋଟ ଚାକିରି ପାଇଗଲା ରେଣୁ। ଗାଡ଼ି ଚାଲିଲା ଜୀବନ। ମାସିକ ବେତନ ଦଶହଜାର। ଚଳିବା କଷ୍ଟ, ଏପଟେ ପୁଅ ବଡ ହେବାରେ ଲାଗିଛି, ତାକୁ ତିନିବର୍ଷ। ମୋଡେଲିଂ ଚିନ୍ତା କରି ଇନଷ୍ଟା , ଫେସ୍ ବୁକ୍ ରେ ଅର୍ଦ୍ଧନଗ୍ନ ଫଟୋ ପୋଷ୍ଟ କରନ୍ତେ ମିଳିଲେ ଅସଂଖ୍ୟ ପଥଭ୍ରଷ୍ଟ କାମୁକ ଯୁବପିଢ଼ି।


କିନ୍ତୁ ..........


ରେଣୁର ଆଖି ଖୋଜୁଥିଲା ଅର୍ଥଲବ୍ଧ, ପ୍ରତିଷ୍ଠିତ ପୁରୁଷ। ଯୁବପିଢ଼ି ବାପାଙ୍କ ଅର୍ଥରେ ପରିଚାଳିତ। ସମ୍ପର୍କ ରଖିଲେ ଶରୀର ସୁଖ ମିଳିପାରେ କିନ୍ତୁ ଅର୍ଥ .....


ହଠାତ ଦେଖାହେଲେ ପ୍ରୌଢ଼ ଚାକିରିଆ ଶଙ୍କର୍ଷଣ। ବୟସ ପଚାଶ। କଥାରେ ମାଦକତା। ବଳିଷ୍ଠ ଶରୀର, ଆକର୍ଷଣୀୟ ଚେହେରା। ରେଣୁ ଶରୀର ଭୋକ ଯୁବକ ଠାରୁ ଓ ଅର୍ଥ ଭୋକ ଶଙ୍କର୍ଷଣ ଠାରୁ ମେଣ୍ଟେଇବାକୁ ନିଶ୍ଚୟ କରି ସାରିଥିଲା। ପ୍ରେମର ନାଟକକୁ ଅର୍ଥର ଦର୍ଶନରେ ପରିଚାଳିତ କରିବାକୁ ଲାଗିଲା ରେଣୁ ପ୍ରତ୍ୟହ କିଛି ନା କିଛି ଅସୁବିଧା ଦର୍ଶାଇ। ଅନଲାଇନ ଉପରେ ଅନଭିଜ୍ଞ ସ୍ତ୍ରୀ ପରିତ୍ୟକ୍ତ ଶଙ୍କର୍ଷଣ ପ୍ରେମର ଡଙ୍ଗାରେ ଆହୁଲା ଦେବାରେ ଲାଗିଲେ। ସୁନ୍ଦର ଲାଗୁଥିଲା ଜୀବନ। ରେଣୁର ନଗ୍ନ ଚିତ୍ରକୁ ବାରମ୍ବାର ଦେଖିବା ସହ ବହୁତ୍ ଉପଦେଶ ଦେଉଥିଲେ। ରେଣୁ ଶୁଣୁଥିଲା, ଶୁଣୁନଥିଲା।


ୟା ଭିତରେ ଶଙ୍କର୍ଷଣର ବିଶ୍ବାସଭାଜନ ହୋଇ ଭଲ ଦୁଇପଇସା ରୋଜଗାର କରି ସାରିଥିଲା ରେଣୁ। ନାରୀ ଆଜନ୍ମ ଅଭିନେତ୍ରୀ। ଜନନୀ, ଭଗିନୀ, ଜାୟା ସବୁ ଭୂମିକା ନିର୍ଭୁଲ ଭାବରେ ନିଭାଏ। କିନ୍ତୁ ଏକବିଂଶ ଶତାବ୍ଦୀରେ ରେଣୁ ପରି ନାରୀମାନଙ୍କ ଭୂମିକା ସଂପୂର୍ଣ୍ଣ ଭିନ୍ନ। ଯୁଗ ବଦଳିବା ସହ ରୁଚି ଓ ବଞ୍ଚିବାର ରାସ୍ତା ବଦଳିଛି, ତେଣୁ ତ ମାଳିକା କହୁଛି କଳିକାଳ ସରୁଛି।


ବେଳେବେଳେ ସନ୍ଦେହ ହୁଏ ଶଙ୍କର୍ଷଣ ମନରେ। କିନ୍ତୁ ଚତୁର ରେଣୁ ଦୁଇଟି ନଗ୍ନ ଫୋଟୋ ଓ ଦୁଇପଦ ମିଠା କଥାରେ ସବୁ ବଦଳାଇ ଦିଏ।


ହଠାତ ଦିନେ .......



ଶଙ୍କର୍ଷଣ ପ୍ରସ୍ତାବ ଦେଲେ କାର୍ଯ୍ୟରୁ ଅବ୍ୟାହତି ନେଇ କିଛିଦିନ ସେ ରାଉରକେଲା ଯିବେ ଓ ଦୁହିଁଙ୍କ ସାକ୍ଷାତ ହେବ ତାପରେ ଆଗକୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ। ଅନାନ୍ୟୋପାୟ ହୋଇ ହଁ ଭରିଲା ତେଣୁ। ତାର ଆବଶ୍ୟକ ଥିଲା ଯୁବକଙ୍କ ସହ ରାତ୍ରୀ ଯାପନ ଓ ଶଙ୍କର୍ଷଣପରି ବ୍ୟକ୍ତିର ଆର୍ଥିକ ସାହାଯ୍ୟ।


ଦିନଧାର୍ଯ୍ୟ ବି ହୋଇଗଲା। ନିଜକୁ ସଜେଇ ରାଉରକେଲା ଅଭିମୁଖେ ବାହାରିଲେ ଶଙ୍କର୍ଷଣ। ସେପଟୁ ଚାଲେଞ୍ଜର ବସ୍ ରେ ଭୁବନେଶ୍ୱର ଅଭିମୁଖେ ଚୁପଚାପ ବାହାରିଗଲା ରେଣୁ। ଉଦ୍ଦେଶ୍ୟ କିଛି ବାହାନା କରି ଶଙ୍କର୍ଷଣ ସହ ସାକ୍ଷାତ ନ କରିବା।


ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ବସ୍। ଶଙ୍କର୍ଷଣ ଓହ୍ଲାଇ ଖବର ନେଲେ ସେଇ ବସ୍ ରେ ରେଣୁ ଆସୁଥିଲା ଓ ଦୁର୍ଘଟଣାରେ ସେ ମୃତ। ଭାବୁଥିଲେ ଓ ବୁଝିବାକୁ ବାକି ନଥିଲା ଶଙ୍କର୍ଷଣର ଯେ ରେଣୁ ତାଙ୍କରିସହ ପ୍ରେମର ମିଛ ଖେଳ ଖେଳୁ ଥିଲା। ଦୀର୍ଘଶ୍ଵାସ ମାରି ଉପରକୁ ଅନେଇ ପୁଣି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ କହୁଥିଲେ, ହେ ଭଗବାନ ! ପ୍ରେମ ନାମରେ ମିଥ୍ୟା ଖେଳ ଖେଳୁଥିବା ସେଇ ଅତୃପ୍ତ ଆତ୍ମାକୁ ଶାନ୍ତି ଦିଅ।

ବସରେ ବସି ଅନୁଶୀଳନ କରୁଥିଲେ ଭୁଲ୍ କାହାର ?

ଅନ୍ଧ ପରି ବିଶ୍ଵାସର ?

ଅବୟସରେ କରୁଥିବା ପ୍ରେମର ?

ପ୍ରେମ ନାମରେ ପ୍ରତାରଣା କରୁଥିବା ରେଣୁର ?

ଅନଲାଇନ୍ ର ?

ପଥଭ୍ରଷ୍ଟ ଏକବିଂଶ ଶତାବ୍ଦୀର ?


ନା

ଭୁଲ ସମୟର !!!!!


Rate this content
Log in

Similar oriya story from Abstract