ବୈବାହିକ ପ୍ରେମ
ବୈବାହିକ ପ୍ରେମ
ଆମେ ଏକବିଂଶ ଶତାବ୍ଦୀରେ ! ସୁଧିଜନେ ସତ ନା।
ଆମେ ଚନ୍ଦ୍ରପୃଷ୍ଠରେ !
ମହାଭାଗ ସତ ନା।
ଆମେ ପ୍ରେମନାମରେ ଶରୀର ଲୋଭରେ !
ଭଦ୍ରବ୍ୟକ୍ତିଗଣ, ସତ ନା।
ହଁ ସତ !
କିନ୍ତୁ ......
ଆଜି ଏମିତି ଏକ ସତ୍ୟ ପ୍ରେମ କାହାଣୀର ଅବତାରଣା କରୁଛି।
ଯୁଗ ବଦଳିବା ସହ ରୁଚି ବଦଳିଛି। ପ୍ରେମର ପରିଭାଷା ବଦଳିଛି। ଗାଆଁର ଅର୍ଥର ପରିବର୍ତ୍ତନ ଘଟିଛି।
ପୁର୍ବରୁ ଗାଆଁର ଲଳନା ପାଉଁଜି ଛମ୍ ଛମ୍ କରି ଅଣ୍ଟାରେ ଗରା ରଖି ପୋଖରୀ ଆଡକୁ ଗତି କରିବା ସମୟରେ ଖଜୁରୀବୁଦା ଆଢୁଆଳରେ ପ୍ରେମିକ ଟିକେ ପ୍ରେମିକାର ମୁଖମଣ୍ଡଳ ଅବଲୋକନ ମାତ୍ରେ ଅଫୁରନ୍ତ ଆନନ୍ଦ ପାଉଥିଲା।
ଆଜିକାଲି....
ପୋଖରୀ ପୋତି ସୁନ୍ଦର ପାର୍କ ନିର୍ମିତ। ସେହି ପାର୍କରେ ପ୍ରେମିକ, ପ୍ରେମିକାର ବିନାସଙ୍କୋଚରେ ଶାରିରୀକ ମିଳନ। କିଛିଦିନ ପରେ ବିଚ୍ଛେଦ। ମିଳନର ସ୍ପୃହା ନାହିଁ, ଉତ୍କଣ୍ଠା ନାହିଁ କିମ୍ୱା ବିଚ୍ଛେଦର ଦୁଃଖ ନାହିଁ କି ଅନୁଶୋଚନା ନାହିଁ। ଲୁଗା ବଦଳିଲା ପରି ବଦଳନ୍ତି ପ୍ରେମିକ/ ପ୍ରେମିକା।
କାରଣ......
ଆମେ ଆଧୁନିକ !
ଆମେ ପରା ଏକବିଂଶ ଶତାବ୍ଦୀର ଉଗ୍ରାଧୁନିକ। ଏସବୁ ଭାବ, ବୋଧରୁ କ'ଣ ମିଳିବ ।
ତେଣୁ ତ....
ଆଜିକାଲି ସମ୍ପର୍କର ରଜ୍ଜୁ କଳଙ୍କିଲଗା ଲୁହାପରି କ୍ଷୀଣ। ଖୁଁ ଖୁଁ କାଶୁଥିବା ଯକ୍ଷ୍ମାରୋଗୀ ପରି ଗତିଶୀଳ। ଭାଇ ଅଛି ଭ୍ରାତୃତ୍ବ ନାହିଁ। ବନ୍ଧୁ ଅଛି ବନ୍ଧୁତ୍ୱ ନାହିଁ। ମନୁଷ୍ଯ ଅଛି, ମାନବିକତା ନାହିଁ। ସବୁ ଅଛି କିଛି ନାହିଁ।
ପ୍ରେମ !
ପ୍ରେମିକ ପ୍ରେମିକାର,
ସ୍ଵାମୀ ସ୍ତ୍ରୀର,
ବାପ ଝିଅର,
ବନ୍ଧୁତ୍ୱର ।
ପ୍ରେମ ନୁହେଁ କାମର ଯୁଇରେ ଜଳୁଥିବା ଦରପୋଡ଼ା କାଠ।
ପ୍ରେମ ଶାଶ୍ୱତ, ଚିରନ୍ତନ, ଅବିନଶ୍ଵର କୌଣସି ରୂପରେ ବି ପରିସ୍ଫୁଟ।
ପ୍ରେମ ଅଜାଗା ଘା ପରି । ଦେଖି ହୁଏ ନାହିଁ କି ଦେଖେଇହୁଏ ନାହିଁ। ପ୍ରେମ ଏକ ଉଛୁଳା ନଈ। ମାନେନା ବନ୍ଧ ବାଡ।
ବହୁତ ପ୍ରେମ, ବିରହ, ବିଚ୍ଛେଦ କାହାଣୀ ଲେଖି ସାରିଛି, ପ୍ରାୟ ୨୮୦ ଗୋଟି। କିନ୍ତୁ ଗୋଟିଏ ନୂତନ ଅଭିଜ୍ଞତାକୁ ନେ଼ଇ ଏହି କାହାଣୀକୁ ଲେଖୁଛି। ବହୁତ ପାଠକ/ ପାଠିକାଙ୍କ ସହ ଆଲୋଚନା, ପର୍ଯ୍ୟାଲୋଚନା ବି କରେ ମୁଁ। ସେଥିରୁ ବାହାରିଥିବା ନିଷ୍କର୍ସ ଉପରେ ଆଧାରିତ ଏହି କାହାଣୀ।
ହ୍ୟାଲୋ , ମ୍ୟାଡମ୍ !
ଆପଣଙ୍କ ନାଆଁ କ'ଣ ଓ ଘର କେଉଁଠି ? ଆପଣ ବିବାହିତା କି ? ଘରେ ଆଉ କିଏ ସବୁ ଅଛନ୍ତି ?
ସେପଟୁ ଉତ୍ତର , ମୋ ନାଆଁ ଅନୁ ।
ଘରେ ସମସ୍ତେ ଅଛନ୍ତି, ମୋ ବୟସ ସତାଇଶ, ମୁଁ ଅବିବାହିତ ଓ ମୋ ପାଇଁ ପ୍ରସ୍ତାବ ଖୋଜା ଚାଲିଛି।
ହଁ ମୁଁ ଗ୍ରାଜୁଏସନ୍ ସାରି ଚାକିରି ସନ୍ଧାନରେ ଅଛି।
ଆପଣଙ୍କ ବିଷୟରେ କୁହନ୍ତୁ।
ଏପଟୁ ସମରେନ୍ଦ୍ର କହୁଥିଲେ, ମୁଁ ସମରେନ୍ଦ୍ର। ସରକାରୀ ଚାକିରିଆ। ଲେଖାଲେଖିରେ ରୁଚି ରଖେ। ବାହାଘରର କମଦିନରେ ମନେ କିଛି ବର୍ଷରେ ମୋ ସ୍ତ୍ରୀ ମୋତେ ଛାଡ଼ି ଚାଲିଗଲା ।
ଅନୁ ପଚାରିଲେ, ଆପଣଙ୍କ ବୟସ ?
ସମରେନ୍ଦ୍ର କହିଲେ, ୩୯ ।
ଅନୁ କହିଲେ, ଆପଣ ଦ୍ଵିତୀୟ ବିବାହ କରୁ ନାହାଁନ୍ତି କାହିଁକି ?
ସମରେନ୍ଦ୍ରଙ୍କ ଉତ୍ତର ; ନା ଆଉ ସଂସାର ମୋହ ନାହିଁ।
ଅନୁ ପଚାରିଲେ ତାହେଲେ ଏହି ଅନଲାଇନରେ ଘୁରିବୁଲି ଝିଅଙ୍କ ସହ ଗପନ୍ତି କାହିଁକି ? ସଂସାରମୋହ ରହିତ ବ୍ୟକ୍ତିତ୍ଵ ଏସବୁ ମାୟାଜାଲରେ କାହିଁକି ?
କ'ଣ ଉତ୍ତର ଦେବେ ବୁଝପାରୁନଥିଲେ ସମରେନ୍ଦ୍ର। ଆରେ ! ଅନୁ ତ ଠିକ୍ ହିଁ କହୁଛି। ଏମିତି ଅନଲାଇନ ଝିଅଙ୍କ ସହ ଗପି ସେ ବହୁତ୍ ଅସୁବିଧାର ସମ୍ମୁଖୀନ ହେବା ସହ ବହୁତ୍ ଅର୍ଥଶ୍ରାଦ୍ଧ ବି ହୋଇସାରିଛି।
ତଥାପି ସେ ଖୋଜୁଛି କ'ଣ ? ଚାହୁଁଛି କ'ଣ ? ଛାଡ଼ , ଏ ଅନୁର କଥାବାର୍ତ୍ତା ତାକୁ ବହୁତ୍ ପ୍ରଭାବିତ କରୁଛି।
ଅନୁ ଚିଡିଉଠି ପୁଣି ମେସେଜ କଲେ, ଏତେ ସମୟ ଅପେକ୍ଷା କରି ଉତ୍ତର ନାହିଁ ?
ଚମକି ଉଠିଲେ ସମରେନ୍ଦ୍ର। କହିଲେ, ନା ନା ତମ ପ୍ରଶ୍ନର ଉତ୍ତର ଭାବୁଛି।
ଆଛା, ଅନୁ ! ପ୍ରେମ ଉପରେ ତମ ମତାମତ କ'ଣ ? ମୁଁ ଯଦି ତମକୁ ପ୍ରେମ ନିବେଦନ କରେ ଗ୍ରହଣ କରିବ ?
ହସିଦେଇ ମନାକଲେ ଅନୁ।
ସମରେନ୍ଦ୍ର ପଚାରିଲେ, ମୁଁ ତ ମୋ ବିଷୟରେ ଏହି କିଛିଦିନ ହେଲା ତମକୁ ମୋ ବିଷୟରେ ସବୁ କହିଛି,ଆଉ ଅସୁବିଧା କ'ଣ ?
ଅନୁ ଆରମ୍ଭ କଲେ ,
ତମେ ପ୍ରେମ କଥା କହିବ, ତାପରେ ସାକ୍ଷାତ ପାଇଁ ଆଗ୍ରହ ପ୍ରକାଶ କରିବ। ଆଉ ଏକାନ୍ତରେ ମିଳନର ଆହ୍ବାନ ଦେବ ଓ ପ୍ରେମ ପାଗଳିନି ଲଳନା ମୁଁ ମୋର ଯେଉଁ କୁମାରୀ ଦେହର ଅଲେଖା ଶିଳାଖଣ୍ଡରେ ତମେ ନିଜ ଶାରିରୀକ ଅନୁଭୂତିର ବର୍ଣ୍ଣମାଳା ଉତ୍କୀର୍ଣ୍ଣ କରିଦେବ, ସେହି ଦେହର ଶିଳାଲେଖ କ୍ରମଶଃ କ୍ଷୟ ହୋଇଯିବନି ତ ?
ସମରେନ୍ଦ୍ରଙ୍କ ଉତ୍ତର ;
ପୃଥିବୀର ସବୁ ରମଣୀ ସୁନ୍ଦରୀ ; କେହି ମିସ୍ ଇଣ୍ଡିଆ ତ କେହି ଗ୍ରାମ୍ଯ ସୁନ୍ଦରୀ। ଯେମିତି ଫୁଲର ସୌନ୍ଦର୍ଯ୍ୟ ତା ଗଠନରେ ନଥାଏ ବରଂ ଥାଏ ତାର ବାସ୍ନାରେ।
ସେମିତି ରମଣୀର ସୌନ୍ଦର୍ଯ୍ୟ ତା'ର ଦେହର ରଙ୍ଗ ବା ଶରୀର ଗଠନରେ ନଥାଏ। ; ଥାଏ ତା'ର ବ୍ୟକ୍ତିତ୍ବରେ। ଆଦର୍ଶବାଦ, ସଂସ୍କାର , ଆଉ ନିରଳସ ନିଷ୍ଠା ହିଁ ନାରୀର ବ୍ୟକ୍ତିତ୍ବ। ବ୍ୟକ୍ତିତ୍ବକୁ ବାଦ୍ ଦେଇ ନାରୀ ହାଡମାଂସଧାରୀ ଶରୀର ସୁନ୍ଦରୀ ହୋଇପାରେ ; କିନ୍ତୁ ସୌନ୍ଦର୍ଯ୍ୟମୟୀ ରମଣୀ ହୋଇନପାରେ।
ତମେ ସେହି ସୌନ୍ଦର୍ଯ୍ୟମୟୀ ରମଣୀ। ପୁରୁଷ ଜୀବନରେ ପ୍ରଥମ ନାରୀର ସ୍ମୃତି ; ନାରୀ ଜୀବନରେ ପ୍ରଥମ ପ୍ରେମର ସ୍ପର୍ଶ କୌଣସିଦିନ ବାସି ହୁଏନାହିଁ।
ସଂସାରରେ କେତେ ପୁଅଝିଅ ପ୍ରେମର ବହ୍ନିରେ ଝାସ ଦିଅନ୍ତି। କାହାର କିଛି ଯାଏ ଆସେ ନାହିଁ କାରଣ ଆଜିକାଲିର ପ୍ରେମିକ ପ୍ରେମିକା ଖୋଜିବୁଲନ୍ତି ବୁଲାକୁକୁରଙ୍କ ପରି ସମୟ ଓ ସୁଯୋଗ। କିନ୍ତୁ ମୁଁ ସେମିତି ନୁହେଁ ଅନୁ।
ଅନୁ କହିଲେ, ଶୁଣ !
ମୁଁ ତମର ଭଲ ସାଙ୍ଗ ହୋଇପାରେ କିନ୍ତୁ ପ୍ରେମିକା ହେବା ସମ୍ଭବ ନୁହଁ।
ଗୋଟେ କଥା କୁହ ସମରେନ୍ଦ୍ର , ପ୍ରେମ କରିବ ଆଉ ବାହା ହେବନି ଏହି ତତ୍ତ୍ଵର ମାନେ କ'ଣ ?
ନିଜେ ବି ତା ଉତ୍ତର ଖୋଜି ପାଉନଥିଲେ ସମରେନ୍ଦ୍ର। ଅନୁ ତ ଠିକ୍ କହୁଛି। ତା'ର ଦ୍ଵିତୀୟ ଵିଵାହ କରିବାର ନାହିଁ ଅଥଚ ପ୍ରେମ କରିବାର ମାନେ କ'ଣ ?
ହସୁଥିଲେ ଅନୁ। ବହୁତ ପ୍ରେମ ନିବେଦନ କରି ଅସଫଳ ହେଲାପରେ ସମରେନ୍ଦ୍ର କହିଲେ, ଅନୁ !
ପ୍ରେମ ଅସଫଳ ହେଲେ କରାଏ ହୃଦୟରୁ ନିଃଶବ୍ଦ ରକ୍ତକ୍ଷରଣ। ସେଇ କ୍ଷରିତ ରକ୍ତର ରଙ୍ଗ ଲାଲ୍ ନୁହଁ, କଳା। ସେଇ ଥୋପଥୋପ କଳାରକ୍ତରେ ପାୱାର ଚଷମା ଭିଜି ଆଉ କିଛି ଦୃଶ୍ୟମାନ ହେବନାହିଁ। ସବୁକିଛି ଅନୁଜ୍ୱଳ, ଅସ୍ପଷ୍ଟ। ଆଗକୁ ଆଉ ପ୍ରେମ ଚିଠି ପଢିବାର ଅବକାଶ ରହିବ ନାହିଁ । ପ୍ରେମ କେମିତି ସାଉଁଟିବ ଓ ପ୍ରେମ କାହିଁକି କରିବର ଉତ୍ତର ରହିଯିବ ଅମିମାଂସିତ।
ଅନୁ କହିଲା, ସମରେନ୍ଦ୍ର ! ତମର ଏ ଗୁଢ଼ ତତ୍ତ୍ଵ ମୋ ବୁଝିବା ବାହାରେ। କିନ୍ତୁ ଗୋଟେ କଥା ମନେରଖ ମୁଁ ଯାହାକୁ ବାହାହେବି, ତାକୁ ହିଁ ପ୍ରେମ କରିବି ଏହା ମୋର ଦୃଢ଼ ନିଷ୍ପତ୍ତି।
ସମରେନ୍ଦ୍ର କହିଲେ, ଗାର୍ହସ୍ତ୍ୟ ଜୀବନରେ କିଛିଦିନ ପ୍ରେମର ଗଙ୍ଗା ବୋହେ କିନ୍ତୁ କିଛି ସମୟ ଅତିବାହିତ ହେବାପରେ ଆଉ ସେସବୁ ରହେନାହିଁ। ଅନୁ ପଚାରିଲା, ତା'ର କାରଣ କ'ଣ ?
ସମରେନ୍ଦ୍ର କହିଲେ, ତମର ପ୍ରଶ୍ନ ବହୁତ। ଅନୁ କହିଲା, ଛାଡ ତମ ସହ ମୁଁ କଥାହେବି ମୋ ବାହାଘରର ଚାରିବର୍ଷ ପରେ। ଆଉ ଦେଖିବ, ମୋ ପ୍ରେମ ଓ ମୋ ପାରିବାର। ଚୁପ୍ ରହି ଦୁରେଇଗଲେ ସମରେନ୍ଦ୍ର। ସମୟର ପ୍ରବାହରେ ଭୁଲିଗଲେ ଅନୁକୁ।
ପାଞ୍ଚବର୍ଷ ପରେ .......
ଭୁବନେଶ୍ୱରର ଜୟଦେବଭବନରେ ସାହିତ୍ୟସମାରୋହ। ଆୟୋଜକ ବିଶିଷ୍ଟ ଶିଳ୍ପପତି ଅମିତ୍। ନିର୍ଦ୍ଧାରିତ ସମୟରେ ପହଞ୍ଚିଲେ ସମରେନ୍ଦ୍ର। ଆଲୋଚନାର ବିଷୟ
" ବୈବାହିକ ପ୍ରେମ। "
ଆରମ୍ଭ କଲେ ସମରେନ୍ଦ୍ର । ବୈବାହିକ ପ୍ରେମମାନେ ସଫଳତା କମ୍ ଓ ଅସଫଳ ଅଧିକ। ତା'ର କାରଣ ଅନେକ। ମୁଖ୍ୟ କାରଣ ହେଲା ସ୍ଵାମୀ ସ୍ତ୍ରୀ ଙ୍କ ଶାରୀରିକ ସମ୍ପର୍କ ବଢେ ତାଛଡ଼ା ଦିବାନିଶି ସେମାନେ ଏକତ୍ର ରୁହନ୍ତି କିନ୍ତୁ ପ୍ରେମିକ ପ୍ରେମିକା କ୍ଷେତ୍ରରେ ତାହା ଅଲଗା।
ସଭାସ୍ଥଳରେ ଆପତ୍ତି ଉଠିଲା। କିଏ କହିଲା, ଏଟା ଅଜାତିଆ ସାହିତ୍ୟିକ କିଏ କହିଲା ଘରଭଙ୍ଗା ସାହିତ୍ୟିକ। ହଠାତ ସଭାମଞ୍ଚକୁ ଉଠିଗଲେ ଜଣେ ମହିଳା। ଆର୍ଯ୍ୟ ସଂସ୍କୃତି କଥା କହି ପାଟି କରୁଥିବା ସଭାସ୍ଥଳ ଚୁପ୍। କାରଣ ମହିଳା !
ମହିଳା ଜଣକ କହିଲେ, ଆଜିକୁ ପ୍ରାୟ ପାଞ୍ଚବର୍ଷ ପୂର୍ବେ ମୁଁ ଏହି ବିଷୟରେ ତର୍କ କରିଥିଲି। ମୁଁ ଆଜି ସବୁ ସମ୍ମାନ, ଧନସମ୍ପଦର ଅଧିକାରୀ କିନ୍ତୁ ପ୍ରେମରହିତ। ସମରେନ୍ଦ୍ର ବାବୁ ଯାହା କହୁଛନ୍ତି ଠିକ୍। ବୈବାହିକ ପ୍ରେମ କେବଳ ବୁଝାମଣାରେ ଚାଲେ, ସେଠି ପ୍ରେମର ମାତ୍ରା ପ୍ରାୟତଃ ନଥାଏ ଓ ମୁଁ ତାର ଜ୍ୱଳନ୍ତ ଉଦାହରଣ। ସମରେନ୍ଦ୍ରବାବୁ ! ମୁଁ ସେଇ ଅନୁ, ଯିଏ ପାଞ୍ଚବର୍ଷ ପୂର୍ବେ ଆପଣଙ୍କୁ ଗର୍ବରେ କହୁଥିଲା, ମୁଁ ଯାହାକୁ ବାହା ହେବି ତାହାକୁ ପ୍ରେମ କରିବି। କିନ୍ତୁ ପ୍ରାୟତଃ ତାହା ସେତେଟା ସଫଳ ନୁହେଁ। ଆଁ କରି ଅନେଇଥିଲେ ସମରେନ୍ଦ୍ର। ଅନୁ କହୁଥିଲା, ସଭା ସାଙ୍ଗ ହେଲାଣି ସାଙ୍ଗ, ଘରକୁ ଯାଆନ୍ତୁ। ଆମ ବନ୍ଧୁତ୍ୱ ସେମିତି ରହୁ। ହଁ ସାଙ୍ଗ କହି ହସୁଥିଲେ ସମରେନ୍ଦ୍ର।
। ସମାପ୍ତ ।