Baman Chandra Dixit

Abstract Tragedy

5.0  

Baman Chandra Dixit

Abstract Tragedy

ଧୂମିଳ ଆକାଶ

ଧୂମିଳ ଆକାଶ

7 mins
453



   କୌଣସି କାମରେ ମନ ଲାଗୁନଥାଏ ତାର । ବାରମ୍ବାର ଦାଣ୍ଡ କବାଟ ଖୋଲି ବାହାରକୁ ଯାଉଥାଏ ପୁଣି ଫେରି ଆସି ଘରର ଯାବତୀୟ କାମ ସାରିବାକୁ ଚେଷ୍ଟା କରୁଥାଏ । ଚୂଲିରେ ଭାତ ହାଣ୍ଡିଟା ବସେଇଥିଲା ,ବୋଧ ହୁଏ ଜାଉ ହେଇ ଯିବଣି । ତରବର ହେଇ ଦୌଡ଼ିଲା ସେ ଭାତ ଗାଳିବା ପାଇଁ । ଆରେ ଏ କଣ ହାଣ୍ଡିରେ ତ ଚାଉଳ ପଡ଼ିନାହିଁ । ପାଣି ଫୁଟି ଫୁଟି ସରିବାକୁ ହେଲାଣି,ଚାଉଳଧୁଆରେ ବତୁରା ଚାଉଳ ବି ସେଇମିତି ରଖା ହେଇଛି । ଜଲ୍ଦି ଜଲ୍ଦି ପାଣି ଢାଳିଲା ସେ ହାଣ୍ଡିରେ । ହାଣ୍ଡିର ଚା.. ଉଁ କିନା ଆବାଜ ରେ ଚମକି ପଡିଲା ସେ । ଚାଉଳ ପକେଇ ପୁଣି ଦଉଡ଼ିଲା ଦାଣ୍ଡ ଦୁଆର ଆଡକୁ । ଛାତିଟା ତା'ର ଧଡ଼ ଧଡ଼ ହେଉଥାଏ କେଉଁ ଅହେତୁକ ଆଶଙ୍କାରେ । ମନ ସ୍ଥିର ହେଉ ନଥାଏ । କଣ ହେଲା ସ୍କୁଲ ଛୁଟି ହେଇ ଦି'ଘଣ୍ଟା ହୋଇଗଲାଣି ଏଯାଏ ମାମାଲି ଆସିଲାନି କାହିଁକି । ସ୍କୁଲ ଛୁଟି ହେବାର ଚାଳିଶ ପାଇଁଚାଳିସ ମିନିଟ ଭିତରେ ତ ଅଟୋ ଆସିଯାଏ,ଆଜି କାହିଁକି ଏତେ ଡେରି । ଛକରୁ ତ ଦି ମିନିଟର ରାସ୍ତା ଘରଯାଏ । କଣ ହେଲା ,ଏ ଯାଏ କାହିଁକି ଆସିଲାନାହିଁ ଝିଅଟା । କାହାକୁ ବା କହିବ ସେ ମନର କଥା । ମନେମନେ ବାବା ଅନନ୍ତ ଗୋସାଇଁଙ୍କୁ ଜୁହାର ହେଉଥାଏ । ମୁଣ୍ଡ ଘୁରେଇଦେଲା ଭଳି ଲାଗିଲା ତା'ର , ନଥ କିନା ଚୂଲି ପାଖରେ ବସି ପଡ଼ିଲା ପାଗିଳି । ଚାରିଆଡେ ଅନ୍ଧାର ଘୋଟିଲା ପରି ଜଣାପଡୁଥାଏ ତାକୁ । କୁହୁଳୁଥାଏ ଖଣ୍ଡେ ଗଣ୍ଠିକାଠ ଚୂଲି ଭିତରେ, ଅଳପ ଅଳପ ନିଆଁ ମାତ୍ର ଧୂଆଁ ବହୁତ । ଟିକେ ଫୁଙ୍କିଦେଇ ନିଆଁଟାକୁ ଜଳେଇବା ପାଇଁ ଭାବୁଥାଏ ସେ ,ହେଲେ ତାର ସମସ୍ତ ଅବୟବ ସ୍ଥାଣୁ ପାଲଟି ଯାଇଥାନ୍ତି ଯେମିତି , କେବଳ ଶୁନ୍ୟ ଦୃଷ୍ଟିରେ ଦେଖୁଥାଏ ସେ ଭାତହାଣ୍ଡିରେ ନେସି ହେଇ ଉପରକୁ ଉଠିଯାଉଥିବା ଧୂଆଁକୁ । ଧଳା ଧୂସର ଧୂଆଁ ସବୁ ଉଡିଯାଉଥାନ୍ତି ଉପରକୁ ଉପରକୁ ରୁଅ ବାଉଁଶ ଯାଏ କୁହୁଳି କୁହୁଳି ଏବଂ ମନେ ପଡିଯାଉଥାଏ ତାର ଅଧାଜଳା ଅତୀତର କୁହୁଳା କାହାଣୀ ।


   ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ତା'ର । ଆଖପାଖ ଅଞ୍ଚଳରେ ନାଁ-ଡକା ଜଣାଶୁଣା ପରିବାର । ବାପା ନାମୀ କର୍ମକାଣ୍ଡି ପଣ୍ଡିତ । ବାପା ମା ଭାଇ ଭଉଣୀ ବଡବାପା ବଡ଼ମା ବୁଢ଼ୀମା ସମସ୍ତଙ୍କୁ ନେଇ ଏକ ଯୌଥ ପରିବାର । ଖୁବ ସ୍ୱଚ୍ଛଳ ପରିସ୍ଥିତି । କୌଣସିଥିରେ କିଛି ଅଭାବ ନଥାଏ । ହସ ଖୁସି ଆନନ୍ଦ ଉଲ୍ଲାସର ସମୟ ବ୍ୟତୀତ ହୁଏ । ମାତ୍ର ତା କର୍ମକୁ ଏ ସବୁ ନଥିଲା ବୋଧେ, ନହେଲେ କାହିଁକି ସେ ନିଜେ ନିଜେ ଗୋଡ଼ରେ କୁରାଢ଼ୀ ମାରିଥାନ୍ତା,ନା କାହିଁକି ସେ କ୍ଷତାକ୍ତ ବର୍ତ୍ତମାନର ଆହତ ଅବହେଳିତ ଅସ୍ତିତ୍ୱ ହୋଇ ପଡ଼ି ରହିଥା'ନ୍ତା ।


         ସେତେବେଳେ ତାକୁ ପନ୍ଦର କି ଷୋଳ ବର୍ଷ ହୋଇ ଥିବ,ପଡ଼ିଶା ଘର ଝିଅ ରୁବିନା ସହିତ ବହୁତ ଘନିଷ୍ଟତା ଥିଲା ତା'ର । ସାଙ୍ଗରେ ଟିଉସନ ଯିବା ସ୍କୁଲ ଯିବା, ଖେଳ କୁଦ ,ଏ ସବୁ ନିତିଦିନିଆଁ କଥା । ଘରେ ସମସ୍ତେ କହନ୍ତି ସିଏ କୁଆଡେ ଟିକେ ହେଁଗିଳି ଥିଲା । ମନ୍ଦବୁଦ୍ଧି,ସବୁକଥା କୁ ଠିକ ଭାବରେ ବୁଝି ପାରୁନଥିଲା । ବଢ଼ିଲା ଝିଅର ଚାଲିଚଳନରେ ସଂସ୍କାର ଏବଂ ସଂଯମତା କିଛି କମ ଥିଲା ତା ପାଖରେ । କେହି କିଛି କହିଲେ ତା କଥା ର ମର୍ମ ସେ ବୁଝିପାରେନା କୁଆଡ଼େ । ସେ କିନ୍ତୁ ଏ ସବୁକୁ ମାନିବାକୁ ରାଜି ନଥାଏ । ସେଥିପାଇଁ ବେଳେ ବେଳେ ବଡ଼'ମା ଆଉ ବୁଢ଼ୀ'ମା ତାଗିଦ ବି କରନ୍ତି । ମାଡ଼ ବି ଖାଇଛି କେତେଥର ଏଇଥିପାଇଁ । ଯିଏ ନିଜର ଭୁଲ କୁ ଭୁଲ ମାନି ନାହିଁ ସେ ଭୁଲ ସୁଧାରିବ ବା କାହିଁକି!ତେଣୁ ନିଜର ଭୁଲ ସୁଧାରିବା ପରିବର୍ତ୍ତେ ସେ ବିଦ୍ରୋହୀ ହୋଇ ଉଠେ । ଅନେକ ସମୟରେ କାହାରି ନା କାହାରି ସାଙ୍ଗରେ କଳି କରିବସେ ସେ । ଘରର ପରିବେଶ ତାକୁ ଅଶାନ୍ତ ଏବଂ ଅସହ୍ୟ ବୋଧ ହୁଏ କ୍ରମଶଃ ।


ନିଜ ମନକଥା କାହାକୁ କହିପାରେନା ସେ । ଘରେ ମନ ଲାଗେନା ତା'ର,ବୁଲିବା ବାହାନାରେ ରୁବିନା ପାଖରେ ଯାଇ ବସେ । ଦି ସାଙ୍ଗ ନଈ ଆଡ଼କୁ ଅବା ସଡ଼କ ଆଡ଼େ ବୁଲି ଯାଆନ୍ତି । ସେତେବେଳେ ସେ ରୁବିନା ପାଖରେ କହେ ସବୁ କଥା । ତା'ର ବା କେତେ ବୁଦ୍ଧି,ଦିଜଣ ଯାକ ଅପରିପକ୍ଵ ଏବଂ ଅବାଧ୍ୟ ବୟସର ଦୁଆର ଉପରେ ପାଦ ଥାପିଥାନ୍ତି । ତା ଘରେ ବି ପରିସ୍ଥିତି କିଛି ଏକା ଭଳି । ବସିବା ଉଠିବା ହସିବା, କଥା କହିବା ସବୁଥିରେ ପ୍ରତିବନ୍ଧ,ତାକୁ ବି ଭଲ ଲାଗୁନଥିଲା । ତେଣୁ  ପରସ୍ପରକୁ ଠିକ ବୋଲି ସାବ୍ୟସ୍ତ କରିବା ଆଳରେ ଅନ୍ୟ ସମସ୍ତଙ୍କୁ ଭୁଲ ବୁଝି ବସନ୍ତି ଦି ସାଙ୍ଗ । ମେଟ୍ରିକ ପାସ କଲାପରେ ନିଜ ଗାଁ ଠାରୁ ପାଞ୍ଚ କିଲୋମିଟର ଦୂରରେ ନୂଆ କରି ଖୋଲିଥିବା ଏକ କଲେଜ ରେ ଦୁଇଜଣଙ୍କର ଦାଖିଲା ହୁଏ । କଲେଜ ବି ସାଙ୍ଗରେ ଯାଆନ୍ତି ପ୍ରତିଦିନ । କଲେଜ ରେ ବନ୍ଧୁତା ହୁଏ କେତେକ ଝିଅ ପୁଅଙ୍କ ସହିତ । କ୍ରମଶଃ ଘନିଷ୍ଟତା ବଢି ବଢି ଚାଲେ ତାର ବିକାଶ ସହିତ । ବେଶ-ପଶାକରୁ  ବିକାଶକୁ କଲେଜର ଛାତ୍ର ଭାବିନିଏ ସେ । ତାକୁ ଜଣା ନଥାଏ ବିକାଶ କଲେଜରେ କାମ କରୁଥିବା ଜଣେ ଦିନମଜୁରିଆ ବୋଲି ।


ବନ୍ଧୁତା କେତେବେଳେ ପ୍ରେମରେ ପରିବର୍ତ୍ତନ ହୋଇଯାଏ ଜାଣିପାରେନା ସେ । ଚୋରା ପୀରତି ବହୁତ ଦିନ ଲୁଚି ରହିପାରେନା । କଲେଜ ର ସାଙ୍ଗ ସାଥି ମାନେ ,ପରେ ପରେ ଘରେ ବି ସମସ୍ତେ ଜାଣିଗଲେ । କଲେଜ ରେ ଉପହାସର ପାତ୍ରୀ ଏବଂ ଘରେ ତିରଷ୍କାର ତା ପାଇଁ ଅସହ୍ୟ ହୋଇ ପଡୁଥାଏ । ବାପା ମା ବଡବାପା ବଡ଼ମା ବୁଢ଼ୀମା ସମସ୍ତଙ୍କ ବୁଝେଇବା ବିଫଳ ହୁଏ । ବାରମ୍ବାର ରୋକ୍ ଟୋକ୍ , ଗାଳି ଗୁଳଜରେ ଆହୁରି ଜିଦ୍ଧି ହୋଇଯାଏ ସେ । ଗାଳି ମାଡ଼ର ପ୍ରଭାବ ଓଲଟା ପଡ଼ିବାକୁ ଲାଗେ । ଧିରେ ଧିରେ କିଛି ଗାମ୍ଭିର୍ଯ୍ୟ ପରିଲକ୍ଷିତ ହୁଏ ତାର ଆଚରଣରେ ,କେବଳ ବୁଢ଼ୀମା କୁ ଛାଡ଼ି କାହାରି ସହିତ ବେଶୀ କଥାବାର୍ତ୍ତା କରିବା ପସନ୍ଦ କରୁ ନଥାଏ ସେ । ନିହାତି ଦରକାର ନହେଲେ କାହାରି ସହିତ କଥା ହୁଏନା । ଘରର ସମସ୍ତେ ଟିକେ ଆଶ୍ୱସ୍ତ ହୋଇ ଯାଆନ୍ତି,ଭାବି ନିଅନ୍ତି ସବୁ ଠିକ ହେଉଛି ବୋଧେ । ଏ ବୟସରେ ଅନେକ କ୍ଷେତ୍ରରେ ଏ ପ୍ରକାର ଆଚରଣ ଦେଖିବାକୁ ମିଳେ,ଏବଂ ଉଚିତ ଅନୁଶାସନ ଏବଂ ମାର୍ଗଦର୍ଶନରେ ସାକାର ପରିବର୍ତ୍ତନ ମଧ୍ୟ ହୁଏ । ଝିଅର ଗାମ୍ଭିର୍ଯ୍ୟ କୁ ସେହି ପରିବର୍ତ୍ତନ ର ପରିଣାମ ଭାବି ଆଶ୍ୱସ୍ତ ହୋଇ ଯାଆନ୍ତି ସମସ୍ତେ ଏବଂ ସବୁ ଠିକ ଅଛି ଭାବିନିଅନ୍ତି ।


      ଆଜି ଅନୁଭବ କରିପାରୁଛି ସେ ,କିଛି ଠିକ ନଥିଲା ସେଦିନ । ତାର ଅପରିପକ୍ଵ ମାନସିକ ସ୍ଥିତି ତାକୁ ଟାଣିନେଉଥାଏ ଏକ ଅନ୍ଧାରି ଗହ୍ୱର ଭିତରକୁ ପ୍ରକାଶ ର ପ୍ରେମ ମାଧ୍ୟମରେ । ସେଦିନ କଲେଜରେ ପରୀକ୍ଷା ଥାଏ,ସାଇକେଲ ନେଇ ଘରୁ ବାହାରିଲା - ଆଉ ଫେରିଲାନି । ସେ ନିଜେ ବି ଜାଣି ପାରିନଥିଲା ବିକାଶ ସାଥିରେ ସେ କୁଆଡେ କୁଆଡ଼େ ଯାଇଛି,କେଉଁ ପରିସ୍ଥିତିରେ କେଉଁଠି କେଉଁଠି ରହିଛି । ସେପଟେ ଘରେ ସମସ୍ତେ ବ୍ୟସ୍ତ,ଖୋଜା ଖୋଜି ଚାଲିଥାଏ ଚାରିଆଡ଼େ, ତେଣୁ ଲୁଚି ଲୁଚି କାହିଁ କେତେ ଠିକଣା ବଦଳେଇ ରହିଥିଲେ ସେ ଦୁହେଁ ପୋଲିସ ଭୟରେ । ଉଃ...କେତେ ଯେ କଦର୍ଯ୍ୟ ସେ କେତେ ମାସର ରହଣି । ନିଜକୁ ନିଜେ ହଜାରେ ବାର ଧିକ୍କାରିଥିଲା ସେ ମାତ୍ର ଘରକୁ ଫେରିବାର ସାହସ କରି ପାରିନଥିଲା ।


ସେତେବେଳେ ସେ ଅନୁଭବ କରି ସାରିଥିଲା, ପ୍ରକୃତରେ ହେଁଗିଳି ଟେ ଥିଲା ସିଏ । ନହେଲେ ଏପରି କାହାରି କଥାରେ ପଡ଼ି ଘର ଛାଡ଼ି ପଳେଇ ଆସି ନଥାନ୍ତା ସେ,ପୁଣି ଏକ ବେକାର ଅଶିକ୍ଷିତ ନିମ୍ନ ସ୍ତରର ଯୁବକ ସହିତ । ନେଡ଼ି ଗୁଡ଼ କହୁଣିକୁ ବୋହିଗଲା ପରେ ଜିଭ ପାଏନି । ମନର ଦୁଃଖକୁ ମନରେ ମାରି ସମୟ ବିତାଏ ସେ । କାନ୍ଦି ପାରେନା ସେ,ନିଜ ଦୁଃଖ ପାଇଁ କାହାକୁ ଦୋଷ ଦେଇ କାନ୍ଦିବ ଯେ?ସବୁପାଇଁ ସିଏ ନିଜେ ତ ଦାୟୀ । ଆଖି ଲୁହ ବି ତାର ବଡ଼ ଜିଦ୍ଧି । ଗଳା ରୁନ୍ଧିଆସେ କେବେ କେବେ ହେଲେ ଲୁହ ସବୁ ଜମାଟ ବାନ୍ଧି ରହିଯାନ୍ତି ଛାତି ତଳେ । କାନ୍ଦିବୋବେଇ ନିଜକୁ ଦୁର୍ବଳ ଦର୍ଶେଇବା ପସନ୍ଦ ନୁହେଁ ତାକୁ । ଏତେ ସବୁ ଅପ୍ରୀତିକର ପରିସ୍ଥିତି ଭିତରେ କେବଳ ଗୋଟେ କଥା ଆସ୍ୱସ୍ତି ଦେଇଯାଏ ଟିକିଏ,କି ଶାଶୁଘରେ କେହି ହତାଦର କରନ୍ତିନି ତାକୁ । ଗୋଟେ ସମ୍ଭ୍ରାନ୍ତ ଘରର ଝିଅ ଆଜି ଦାରିଦ୍ର୍ୟତା ଭିତରେ ଜୀବନ ଯାପନ କରୁଛି ,ଏଥି ପାଇଁ ନିଜ ପୁଅକୁ ଦୋଷ ଦିଅନ୍ତି ପଛେ,କେହି ତାକୁ ମୁହଁ ତୁଟେଇ କିଛି କହନ୍ତି ନାହିଁ । ସେହି ସମ୍ବଳ ତାକୁ ବଞ୍ଚିବାକୁ ସାହସ ଦେଇଛି ।


   ଦେଢ଼ ବର୍ଷ ବିତିଗଲାଣି ଏହା ଭିତରେ । ବହୁତ ମାନେପଡ଼େ ବୁଢ଼ୀ'ମା କଥା,ବଡ଼'ମା କଥା, ବାପା କଥା,ହେଲେ କାହାରିକୁ କିଛି କହିପାରେନା । ନିଜ ବେଦନା ସବୁକୁ ସହି ସହି ନିଜ ସଂସାର ଚଳାଉ ଚଳାଉ ପାଗିଳି ଏବେ ଗୃହିଣୀ ପାଲଟି ଯାଇଛି ।


      ଦିନେ ସାହସ କରି ବାପାକୁ ଫୋନ କରିଥିଲା ସିଏ,ମାତ୍ର କିଛି କଥା କହିପାରିଲା ନାହିଁ । ସେପଟୁ ବାପର ଡହଳ ବିକଳ ହେଉଥିବା ହୃଦୟଟା ଶୁଣିପାରୁଥିଲା ସେ ନିରବତାର ବିଳାପ । କାନ୍ଦ କାନ୍ଦ ସ୍ୱରରେ ପଚାରୁଥିଲା- କିଏ ମୋ ପାଗିଳି କିରେ? ବାରମ୍ବାର ନିରୁତ୍ତର ଫେରି ଯାଉଥିଲା ସେ କାକୁସ୍ଥ ଜିଜ୍ଞ୍ୟାଶା ମାତ୍ର ନିଜର କୋହ କୁ ଚାପି ଧରିଥିବା ଓଠ କୁ ଖୋଲି ପାରିନଥିଲା ସେ, ଏବଂ ଫୋନ କାଟି ଦେଇଥିଲା । ଦୁଇ ପଟେ ଦୁଇଟି ହୃଦୟ ଡହଳ ବିକଳ ହେଉଥାନ୍ତି ମାତ୍ର କିଛି ଫରକ ପଡୁନଥାଏ ଏ ନିଷ୍ଠୁର ସମୟକୁ ଅବା ସମାଜକୁ । ବପଝିଅ ଦୁଇଜଣାଯାକ ସମାଜ ଭୟରେ ସମୟର କ୍ରୁର ପ୍ରହାରକୁ ଆତ୍ମସାତ କରୁଥାନ୍ତି ।

ଦି ତିନି ଦିନ ପରେ ପୁଣି ଫୋନ କରି ସବୁ କଥା ବାପାଙ୍କୁ କହିଦେଇଥିଲା ସେ । ସେଦିନ ଜମା କାନ୍ଦି ନଥିଲା ସେ । ନିଜର ଭୂଲ ମାନିନେଇ ନିଜେ ପ୍ରାୟଶ୍ଚିତ କରିବାର ନିରୁପାୟ ନିର୍ଣ୍ଣୟ ଶୁଣେଇ ଥିଲା । ବାପା ମଧ୍ୟ କିଂକର୍ତ୍ତବ୍ୟବିମୁଢ । ନା ଜ୍ବାଇଁକୁ ଗ୍ରହଣ କରି ପାରିଲେ ନା ଝିଅକୁ ଛାଡିପାରିଲେ । ଆଜିବି ସମ୍ପର୍କଟା ଓହଳିଛି ମଞ୍ଚା ତଳେ ଝୁଲୁଥିବା ବୁଢା ଜହ୍ନିଟିଏ ଭଳି ।


    ଏବେ ବେଦନା ସବୁ ଗଦା ହୋଇ ହୋଇ ନିଥର ହୋଇ ସାରିଲେଣି । ଆଖିପାଣି ତ ଅନେକ ଆଗରୁ ଶୁଖି ସାରିଥିଲା । ଘର ସଂସାରର ଅଭାବ ଅନାଟନ ସହିତ ଜୁଝୁଜୁଝୁ ହେଁଗିଳି ପାଗିଳିଟା ଏବେ ବହୁତ ସତର୍କ ଏବଂ ଅନେକ ପରିପକ୍ୱ ହୋଇଗଲାଣି,ସେ ମା ହୋଇଗଲାଣି । ମାମାଲି ତା ଝିଅ ।  


    ତା ମନ ଭିତର ର ଡରଟା ଆଜିକାଲି ଅଧିକ ଭୟାନକ ହୋଇ ଉଠିଛି । ତାର ଝିଅ ମାମାଲି ଏବେ ଏଗାର ବର୍ଷର ହେଲାଣି ,ତା ଭିତରେ ନିଜକୁ ଅନୁଭବ କରୁ କରୁ ବିବ୍ରତ ହୋଇଉଠେ ସେ ଅନେକ ସମୟରେ । ଚିତ୍କାର କରେ ଏକାନ୍ତରେ,ନା ତା ଝିଅ ପାଗିଳି ନୁହେଁ ସେ ମାମାଲି ତାକୁ କେହି ବିକାଶ ବହଲେଇ ଫୁସୁଲେଇ ପାରିବେନାହିଁ, କିମ୍ବା କୌଣସି ସମୟ ଅବା ସମାଜ ତାକୁ ଅଲଗା କରିପାରିବ ନାହିଁ ତା ଠାରୁ ।


     ମେଞ୍ଚେ ପେଜ ଭାତ ହାଣ୍ଡିର ଢ଼ାଙ୍କୁଣୀକୁ ଠେଲି ବୋହି ଆସିଲା ହାଣ୍ଡି ତଳକୁ,ଚମକି ପଡି ଢ଼ାଙ୍କୁଣୀଟିକୁ ଟିକେ ଆଡେଇ ଦେଲା ସେ । ଦାଣ୍ଡ କବାଟ ଖୋଲିବାର ଶବ୍ଦ ଶୁଣି ଦୌଡ଼ିଗଲା ସେ ଦୁଆର ଯାଏ । ଜୋତା ଖୋଲୁ ଖୋଲୁ ମାମାଲି କିଛି କହିବାକୁ ଚାହୁଁ ଥାଏ ମାତ୍ର ତାକୁ କୁଣ୍ଢେଇ ଧରି ଚୁମା ପରେ ଚୁମା ଦେଇ ଚାଲିଥାଏ ପାଗିଳି । ଆଖିରୁ ତାର ଝର ଝର ଝରି ଚାଲିଥାଏ ଅନେକ ଦିନର ସାଇତା ଧାର ଧାର ଲୁହ ।

ଝିଅକୁ ଗେହ୍ଲ କରୁକରୁ ପଚାରିଲା ସେ ଆଜି ଏତେ ଡେରି କାହିଁକି ହେଲା । ବ୍ୟାଗ ତଳେ ରଖୁରଖୁ ମାମାଲି କହୁଥାଏ । ଲୋ ମା ତୁ ସତରେ ପାଗିଳିଟେ । କାଲି ପା ତତେ କହିଥିଲି,ସ୍କୁଲରୁ ଫେରିବା ବେଳେ ରୁବିନା ଘର ହେଇ ଆସିବି ବୋଲି । ତୋର କିଛି ମନେ ରହୁନି । କାଲି ରୁବିନାର ଜନମ ଦିନ ଗଲା । ସତ୍ୟନାରାୟଣ ପୂଜା କରିଥିଲେ । ସିଏ ମୋ ପାଇଁ ଭୋଗ ରଖିଥିଲା, ତ ଲାଗି ବି ପଠେଇଛି, ରହ ବେଗ ରୁ ବାହାର କରି ଦଉଛି ।

     

    ଝିଅକୁ କୋଳେଇ ଗେହ୍ଲ କରୁଥାଏ ପାଗିଳି, ସତେ ଅବା ତାର ଆଉ କୌଣସି କଥାରେ କିଛି ମତଲବ ନାହିଁ । କାହିଁ କେତେ ଦିନର ସାଇତା କୋହ ସବୁ ଲୁହ ହୋଇ ଝରିଯାଉଥାନ୍ତି ଝର ଝର,ଏବଂ ମାମାଲି ତାର କୁନି କୁନି ପାପୁଲିରେ ଲୁହ ପୋଛୁପୋଛୁ କହୁଥାଏ । ମା ଲୋ ମୁଁ ପା ତ ପାଖରେ ଅଛି,ପୁଣି ଏତେ କାନ୍ଦୁଚୁ କାଇଁକି?ପଣତ କାନିରେ ମୁହଁ ପୋଛି ଭାତ ଗାଳି ବସିଲା ପାଗିଳି । ଟୋପା ଟୋପା ହୋଇ ପେଜ ସବୁ ନିଗିଡ଼ି ପଡୁଥାଆନ୍ତି । ତତଲା ପେଜରୁ ବାମ୍ଫ ସବୁ ଉଠୁଥାଆନ୍ତି ଉପରକୁ ଉପରକୁ ଏବଂ ସୃଷ୍ଟି କରୁଥାନ୍ତି ତା ଆଖି ସାମ୍ନାରେ ଏକ ଧୂମିଳ ଆକାଶ ।


Rate this content
Log in

Similar oriya story from Abstract