ନାତେଇ ଗାଈ
ନାତେଇ ଗାଈ
ଅରିଦମନ ନାଁ ଟା ଏତେ ସହଜରେ ତୁଣ୍ଡରେ ଆସେ ନାହିଁ। ତେଣୁ ସମସ୍ତେ ମୋତେ ଅରି ବୋଲି ଡାକନ୍ତି। ଗୋଲ ମଟୋଲ ଚେହେରା।ଦୁର୍ବଳ ନୁହେଁ ମାତ୍ର ଦୁବଲା ପତଳା ଦେହ।କିନ୍ତୁ ଶରୀରରେ ସ୍ଫୁର୍ତ୍ତି ଅନେକ।ସବୁ କାମକୁ ଆଗଭର।ଘର କାମରେ ବାପା ଏବଂ ମା'ଙ୍କୁ ସହାୟତା କରିବାରେ ଆଗଭର।ସେଇଥି ପାଇଁ ଘରର ସମସ୍ତଙ୍କର ପ୍ରିୟ ପାତ୍ର ଥିଲି।ସାତ କି ଆଠ ବର୍ଷ ବୟସରୁ ବହୁତ କିଛି କାମ କରିବାକୁ ଚେଷ୍ଟା କରୁଥିଲି, ସଫଳ ହୋଇ ବି ଯାଉଥିଲି ଅଧିକାଂଶ ସମୟରେ। ସେଇଥି ପାଇଁ ବାପାଙ୍କର ବହୁତ ପ୍ରିୟ ଥିଲି ମୁଁ।ଦିନେ ସକାଳୁ ସକାଳୁ କୌଣସି କାମରେ ବାପା ବାହାରକୁ ଚାଲିଗଲେ।ଦୁଧିଆଳି ଗାଈ ତିନିଟା, ଦୁଇଁବ କିଏ ,ମା ପାଖରେ ହଜାରେ କାମ ଏଣେ ଗାଈଆଳ ଆସିବା ବେଳ ହେଲାଣି, ବାଛୁରୀ ଗୁଡାକ ବି ବୋବାଳି ବୋବାଳି ନୟାନ୍ତ ହେଲେଣି। ତିନିଟା ଗାଈ ଭିତରୁ ଗୋଟେ ଗାଈ ବଡ଼ ନାତେଇ।କେତେ ଥର ନାତ ମାରି ସବୁତକ ଦୁଧ ନଷ୍ଟ କରିଛି ସେ ,ସେଥିପାଇଁ ଗୋଟେ ଦୌଡିରେ ତା ପଛ ଗୋଡ଼ ଦୁଇଟାକୁ ଛନ୍ଦିବାକୁ ହୁଏ।ତା ପରେ ବି ବଡ଼ ସାବଧାନତାର ସହିତ ଦୁଇଁବାକୁ ହୁଏ। ଯାହା ହେଉ ସାହସ କରି ବାହାରିଲି ସେଦିନ ଗାଈ ଦୁଇଁବା ପାଇଁ ।
ଆଗ ନାଲି ଇଞ୍ଜେକ୍ସନୀ ଗାଈ।ତାକୁ ଦେଖିଲେ ମନ ଭରି ଯାଏ। ପୁରା ଚହଟିଆ ନାଲି ରଙ୍ଗ। ଆଖି ଦୁଇଟି ଦେଖିଲେ ଲାଗେ ସତେ ଯେଇତି ଏବେ ଏବେ ଆଖିରେ କଜଳ ଲଗେଇ ସଜ ହୋଇ ବାହାରିଛି। ତା ମା ଯେତେବେଳେ ଗାଭିନ ହେବାର ଥିଲା, ସେତେବେଳେ ଆମ ଗାଁ ଆଖପାଖରେ ପଶୁ ଡାକ୍ତରଖାନା ନଥିଲା।ଜଳଙ୍ଗା ଆମ ଗାଁ ଠାରୁ ପାଞ୍ଚ ମାଇଲ ଦୂର ,ସେଠି ଗୋଟେ ପଶୁଚିକିତ୍ସାଳୟ ଥିଲା।ସେଠିକା ଡାକ୍ତର ସାହୁ ବାବୁଙ୍କ ପରାମର୍ଶ କ୍ରମେ ତାକୁ କଣ ଗୋଟେ ଇଂଜେକସନ ଦିଆ ଯାଇଥିଲା,ଆଉ ତାପରେ ଜନ୍ମ ତାର। ନାଲି ଟୁକୁଟୁକୁ କୁନି ବାଛୁରୀ ଟି ଯେବେ ଜନ୍ମ ନେଲା ତାକୁ ଦେଖି ବାପା ବହୁତ ଖୁସି।ତା ପର ଦିନ ଅଧ ସେରେ ଗୁଆ ଘିଅ ଧରି ଜଳଙ୍ଗା ର ସେ ଡାକ୍ତର ସାହୁ ବାବୁଙ୍କ ପାଖକୁ ଯାଇଥିଲେ। ଡାକ୍ତର ବାବୁ ବାପାଙ୍କୁ ଓଳଗି ହୋଇ ପଚାରିଲେ, କୁହ ନାନା ତୁମର ସେ ଗାଈଟି ପିଲା ଦେଇଛି କି ? ନିଶ୍ଚୟ ସୁନ୍ଦର ଏବଂ ଜାତିଆ ବାଛୁରୀଟିଏ ହୋଇଥିବ।ବାପା କହିଲେ,ହଁ ସାହୁ ବାବୁ ,ସବୁ ତୁମ ଇଞ୍ଜେକ୍ସନ ର ମହିମା। ଇଞ୍ଜେକ୍ସନୀ ବାଛୁରୀ ଟି ବଢ଼ିଆ ଡଉଲ ଡାଉଲ ହେଇଛି।ସେଇ ଦିନ ଠାରୁ ତାର ନାଁ ଇଞ୍ଜେକ୍ସନୀ ହେଇଗଲା।ତାକୁ ଦୁଇଁବା ବହୁତ ସହଜ।ଠିଆ ହୋଇଥିବ ହଲଚଲ ବି ନାହିଁ।ବେଳେ ବେଳେ ମୁହଁ ବୁଲେଇ ଚାହେଁ । ତା ନିରୀହ ଚାହାଣିରେ ଅନେକ ଅନୁନୟ ଥିବା ଭଳି ଅନୁଭୂତ ହୁଏ।ସତେ ଅବା ନିରୀହ ନିର୍ବାକ ମା ଟିଏ ତା ଛୁଆ ପାଇଁ ଦି ଟୋପା ବାକି ରଖିବାକୁ ମିନତି କରୁଛି।ତା ନିରୀହ ଚାହାଣୀରୁ ନିଗିଡ଼ି ପଡୁଥିବା ଦି ଟୋପା ମମତା କୁ ବାପା ବି ଠିକ ବୁଝି ପାରନ୍ତି। ସେଦିନ ସେ ବୁଲି ଚାହିଁବା ଆଗରୁ ମୁଁ ଦୁଇଁବା ବନ୍ଦ କରି ଦେଇ ତା ଆଖିର କୃତଜ୍ଞତ
ା କୁ ପଢିବା ପାଇଁ ଚେଷ୍ଟା କରୁଥିଲି।ବାଛୁରୀଟି ବି ବେଶ ଡଉଲ ଡାଉଲ।ଖୋଲି ଦେବା ମାତ୍ରେ ବାକି ରହିଥିବା କ୍ଷୀର ସବୁକୁ ଏକା ଥରେ ଶୋଷି ନେବାକୁ ଚେଷ୍ଟା କରୁଥାଏ ସେ।ତା ଲାଳୁଆ ପାଟିରୁ ବାରମ୍ବାର ଖସି ଯାଉଥିବା ଚିର କୁ ପୁଣି ମୁହଁରେ ପୁରେଇବାର ପ୍ରଚେଷ୍ଟାରେ ବିଫଳତା ଏବଂ ସଫଳତାର ମଧ୍ୟବର୍ତ୍ତୀ ବ୍ୟସ୍ତ ମୁହୂର୍ତ୍ତ ଗୁଡିକୁ ଅନୁଭବ କରୁଥାଏ ମୁଁ। ମା ପହ୍ନା ତଳେ ଗୁଞ୍ଜା ମୁହଁରୁ ଚଅଁ ଚଅଁ ଶବ୍ଦ ଖେଳେଇ ପଡୁଥାଏ ଗୁହାଳ ସାରା ଏବଂ ଅନ୍ୟ ଦୁଇଟି ବାଛୁରୀଙ୍କର ଆକୁଳତା ବୃଦ୍ଧି କରୁଥାଏ।
ଦ୍ୱିତୀୟ ରେ ପାଳି "ପାଟ" ର। ପାଟ ବି ବହୁତ ସୁଧାର ଗାଈ ଟି,ମାତ୍ର କ୍ଷୀର କମ ଦିଏ ଅଧ ଶେର ନହେଲେ ଟିକିଏ ବେଶୀ ।ରଙ୍ଗ ବି ତାର ନାଳିଆ ମାତ୍ର ଇଞ୍ଜେକ୍ସନୀ ପରି ଚହଟିଆ ନୁହେଁ।ତେଣୁ ତା ନାଁ ପାଟ। ଶେଷରେ ସେ ନାତେଇ ଗାଈ ର ପାଳି।ଅସଲରେ ତା ନାଁ ଥିଲା ଚାଁନ୍ଦ।କସରା ରଙ୍ଗର ଗାଈ ,ମୁଣ୍ଡରେ ଧଳା ରଙ୍ଗର ଚାଁନ୍ଦଟିଏ।ତେଣୁ ତାକୁ ଚାଁନ୍ଦ ବୋଲି ଡକା ଯାଉଥିଲା।ବଡ଼ ଉତ୍ପାତ ଥିଲା ତାର।ତାକୁ କୁଣ୍ଡା ତୋରାଣି ଦେଲା ବେଳେ ବି ବଡ଼ ସାବଧାନ ରହିବାକୁ ହୁଏ,ନ ହେଲେ ତା ଠାରୁ ମୁଣ୍ଡିଆ କିବା ନାତ ଖାଇବାକୁ ହୁଏ।ଏଇଥିପାଇଁ କେତେ ମାଡ଼ ବି ଖାଇଛି ସିଏ।ଯେତେ ମାଡ଼ ଖାଏ ସେତେ ସେତେ ବଢିଯାଏ ତାର ପ୍ରତିବାଦ ର ସ୍ୱର।ତାପରେ ଯେବେ ତାର ପିଲାଟିଏ ହେଲା ସେ କେବେ ବି କ୍ଷୀର ଦୁଇଁବାକୁ ଦିଏ ନାହିଁ।ବଡ଼ କଷ୍ଟରେ ଗୋଡ଼ ଛନ୍ଦି ଦୁଇଁବାକୁ ହୁଏ।ନାତ ମାରିବା ତାର ପୁରୁଣା ଅଭ୍ୟାସ।ତେଣୁ ତା ନାଁ ଚାଁନ୍ଦ ରୁ ନାତେଇ ହୋଇଗଲା।ବଡ଼ ସାହସ କରି ସାବଧାନତାର ସହିତ ତା ପାଖକୁ ଯାଇ ଟିକେ ଆଉଁସିବାକୁ ଚେଷ୍ଟା କଲି ମୁଁ। ମିଯାଜ ଠିକ ଥାଏ ନାତେଇ ର ବୋଧେ, ମୁଣ୍ଡ ହଲେଇ ହଲେଇ ବେକ ଳମ୍ବେଇ ଚାହିଁଲା। ଉତ୍ସାହିତ ହୋଇ ଆହୁରି ଆହୁରି ଆଉଁସୁ ଥାଏ।ତା ବେକ ତଳେ ଦି ଚାରିଟା ଟିଙ୍କ ରକତ ଶୋଷୁ ଥାଆନ୍ତି।ବେକ ଆଉଁସୁ ଆଉଁସୁ ଟିଙ୍କ ଗୁଡିକୁ ଝିଙ୍କି ବାହାର କଲି।ଅନୁଭବ କରୁଥାଏ ମୁଁ ଏବଂ ନାତେଇ ରୁ ଚାଁନ୍ଦ ରେ ରୂପାନ୍ତରିତ ହେଉଥାଏ ମୋ ମନର ଭୟ ସମସ୍ତ।ଟିକିଏ ହତାଦର ଅନେକ ସମୟରେ ବିଦ୍ରୋହର ସୂତ୍ରପାତ କରିଯାଏ, ମାତ୍ର ଅଳ୍ପ ଟିକେ ଆଦର ,ମୁଠେ ମମତା ବି କେବେ କେବେ ବଇରି କୁ ବନ୍ଧୁ ରେ ରୂପାନ୍ତରିତ କରିଯାଏ। ନିଜର ଉପଲବ୍ଧିରେ ଉତ୍ଫୁଲ୍ଲିତ ହେଉଥାଏ ମୁଁ।ନାତେଇ କୁ ଆଉଁସୁ ଆଉଁସୁ ତାର ପଛ ଗୋଡ଼ ଦୁଇଟିକୁ ଛନ୍ଦିବାକୁ ଚେଷ୍ଟା କଲି ଏବଂ ସଫଳ ବି ହୋଇଗଲି । ତାପରେ ମନରେ ଏକ ଅଦ୍ଭୁତ ସନ୍ତୋଷ ଭାବ ଅନୁଭବ କରୁଥାଏ ସେତେବେଳେ।
ଛୋଟିଆ ପିତଳ ବାଲ୍ଟିରେ ଦୁଧ ନେଇ ଗୁହାଳରୁ ବାହାରୁ ଥାଏ, ଠିକ ସେହି ସମୟରେ ବାପା ହାଜର। ସଫଳତାର ସହିତ ସେ ଦୁଃସାଧ୍ୟ କାମ ସମ୍ପନ୍ନ କରିଥିବାରୁ ବହୁତ ସାବାସୀ ମିଳିଥିଲା ମୋତେ ସେଦିନ।ତା ପରଠୁଁ ଅଧିକାଂଶ ଦିନ ମୁଁ ଆଗତୁରା ବାହାରି ପଡେ ଗାଈ ଦୁଇଁବା ପାଇଁ।