ଅନ୍ୟ ଏକ ପରିଭାଷା
ଅନ୍ୟ ଏକ ପରିଭାଷା
ଭୋ ଭୋ କରି କାନ୍ଦୁଥାଆନ୍ତି ଗୌରୀନାଥ ଚୌଧୁରୀ।କୋଠରୀ ଭିତରଟା ଗୁଞ୍ଜରିତ ହେଉଥାଏ ତାଙ୍କର କ୍ରନ୍ଦନ ଧ୍ୱନୀରେ।ବହୁତ ଦିନର ପୀଡ଼ା କୁ କେତେ ଅଟକେଇବେ ଯେ।ଅଟକି ଅଟକି ଆଜି ମହା ସାଗର ପାଲଟି ସାରିଛି।କିଏ ବା ବନ୍ଧ ବାନ୍ଧିପାରିଛି , ଅଟକେଇ ପାରିଛି ମହା ସାଗରର ପ୍ରବାହକୁ।ବହି ଗଲେ ଢେଉ ସବୁ ଚରା ବାଲି ଉପରକୁ ବହୁତ ଦୂର ଯାଏ।ମିତା ବି ଚୁପ ଚାପ ବସି ବାପାଙ୍କ ମୁଣ୍ଡ ସାଉଁଳେଇ ଦେଉ ଥାଏ।ଅଳ୍ପ କେତେ ବାଳ ସାରା ମୁଣ୍ଡଟାରେ।କେତେବେଳେ ଆଙ୍ଗୁଳି ମଝିରୁ ଖସି ଯାଉଥାନ୍ତି ପୁଣି କେତେ ବେଳେ ଚିକ୍କଣିଆ ମସୃଣ ତାଳୁ କୁ ଜାବୁଡ଼ି ଶୋଇ ପଡୁଥାନ୍ତି।କିଛି ମୁହୂର୍ତ୍ତ ର ନିଶ୍ଚଳ ନୀରବତା ଅତ୍ୟନ୍ତ ଦରକାରୀ ହୋଇ ଯାଏ ଅଚାନକ ଆକସ୍ମିକ ଉତ୍ଥୀତ ହିଲ୍ଲୋଳ କୁ ଶାନ୍ତ କରିବାପାଇଁ।କୁନି ପିଲାଟିଏ ପରି ଗୌରୀନାଥ ତାଙ୍କ ଝିଅ ମିତା ର କାନ୍ଧରେ ମୁଣ୍ଡ ରଖି ନିରବତାକୁ ନିରେଖି ପରଖୁଥାନ୍ତି।ଝିଅ ମିତା ମଧ୍ୟ ଗୋଟେ ରଶ୍ମିହଜା ଅସ୍ତଗାମୀ କିରଣକୁ ନିଜ ମମତାର ଛାୟା ତଳେ ରଖି ସୁରକ୍ଷାର ନିଶ୍ଚିନ୍ତତା ଦେବାରେ ସଫଳ ହେଉ ଥାଆନ୍ତି।ଅଳ୍ପ ସମୟ ପରେ ମନଟା ହାଲୁକା ଏବଂ ଆଖିପାତା ଭାରି ହୋଇ ଆସିଲା ବୋଧେ।ବାପାଙ୍କ ମୁଣ୍ଡକୁ ଧୀରେ ତକିଆ ଉପରେ ରଖି ଚାହିଁଲେ ମିତା , କିଛି ଲୁହ ଏବେ ବି ଅଟକି ରହିଥିଲେ ଦୁଇ ଆଖି ର କୋଣକୁ ଆବୋରି।ନିଜ ପଣତ ରେ ବାପାଙ୍କ ଆଖି ଲୁହକୁ ସାଉଁଟି ଘରର ବତି ଲିଭେଇଲେ ମିତା।
ଶାନ୍ତ ନିରବ ପରିବେଶ ରେ ତନ୍ଦ୍ରା କୁ ଆଡେଇ ଆଖି ଖୋଲିଲେ ଗୌରୀନାଥ।ବିଗତ ବର୍ଷ ମାନଙ୍କରେ ସମୟକୁ କଡ଼ ଲେଉଟେଇବା ଦେଖିଛନ୍ତି ସେ।ଯିଏ ଦିନେ ସମସ୍ତଙ୍କର ସାହାରା ଥିଲେ ହଠାତ ନିଜକୁ ଅସହାୟ ପାଆନ୍ତି।ପୁଅ ବାହା ହେବା ଆଗରୁ ବି ତଳିତଳାନ୍ତ କରି ସାରିଥିଲା,ବାହା ହେବା ପରେ ବି ଯାହା ବାକି ଥିଲା ସବୁକୁ ସ୍ୱାହା କରିଗଲା। ବାକି ରହିଲା କେବଳ ପେନସନ ଗଣ୍ଡାକ।ସେଇଥିରେ ବୁଢ଼ା ବୁଢ଼ୀ ଦିଜଣଙ୍କର ଗୁଜୁରାଣ ମେଣ୍ଟି ଯାଉଥାଏ।ଯେଉଁ କିଛି ବାକି ପଇସା ରହିଯାଏ,ପ୍ରତି ଚାରି ଛ ମାସରେ କୌଣସି ନା କୌଣସି ବାହାନା କରି ହାତେଇ ନିଏ ପୁଅ।ପୁତ୍ର ମୋହରୁ ଉବୁରି ପାରି ନାହାନ୍ତି ସେ ଆଜି ଯାଏ ବି।ବାରମ୍ବାର ଅପମାନିତ ହେଲା ପରେ ପୁଣି ସେ ସେହି ମୋହରେ ଗ୍ରସିତ ହୋଇ ପୁଣି ଏକ ଅବମାନନା ,ତିରସ୍କାର ଅବା ଅପମାନକୁ କୋଳେଇ ନିଅନ୍ତି।
ତିନି ଝିଅ ନିଜ ନିଜ ଘରେ ବହୁତ ଖୁସି ,କାହାରି କୌଣସି ଅଭିଯୋଗ ନଥାଏ,ବରଂ ସେମାନେ ତାଙ୍କର ପରିସ୍ଥିତି ପାଇଁ ଚିନ୍ତିତ ଥାଆନ୍ତି।ବାରମ୍ବାର ବାପା-ମା'ଙ୍କ ହାଲ ଚାଲ ପଚାରିବା ଭଲମନ୍ଦ କଥା ବୁଝିବାରେ ତିନି ଝିଅ କେବେ ବି ହେଳା କରି ନାହାନ୍ତି।ଦେହ ଟିକେ ଖରାପ ହେଲେ ବଡ଼ ଦୁଇ ଝିଅଙ୍କ ଭିତରୁ କେହି ନା କେହି ଆସି ଯାଆନ୍ତି ସେବା-ଶୁଶ୍ରୁଷା କରିବା ପାଇଁ।ସାନ ଝିଅ ରହେ ବିଦେଶରେ,ତେଣୁ ସେ ଆସିପାରେନା।ମାତ୍ର ନିଘା ରଖିଥାଏ ସବୁ କଥାରେ।ସାନ ନାନୀ ଆସିଲା କି ବଡ଼ ନାନୀ ଆସିଲା ନଜାଣିଲା ଯାଏ ତାକୁ ବି ଶାନ୍ତି ମିଳେନା। ତିନି ଝିଅ ଏବଂ ତିନି ଜ୍ବାଇଁଙ୍କ ପାଇଁ ନିଜକୁ ଭାଗ୍ୟବାନ ମନେ କରନ୍ତି ସେ।
ପୁଅ-ବୋହୁଙ୍କ କଥା ନକହିଲେ ଭଲ।ଯେବେ ପାଖରେ ରହୁଥିଲେ ସେତେବେଳେ କମ ଦହଗଞ୍ଜ କରିନାହାନ୍ତି ସେମାନେ,ଏବେ ତ ପାଖରେ ରହୁ ନାହାନ୍ତି, ଗୁଜୁରାଟର କୌଣସି ଏକ ସହରରେ ରହନ୍ତି ସେମାନେ। ଯେଉଁଠି ବି ରହନ୍ତୁ ଭଲରେ ରହନ୍ତୁ ବାରମ୍ବାର ମନାସନ୍ତି ସେ ମାତ୍ର ମନ ବୁଝେନା।ଲାଗେ ପୁଅ ପାଇଁ କିଛି କରିପାରିଲେନି।ସେଇ ଦୁଃଶ୍ଚିନ୍ତା ରୁ ମୁକ୍ତି ମିଳି ପାରୁ ନଥାଏ।
ଏଇ ବର୍ଷେ ତଳେ ଦେହ ଖରାପ ହେଲା ଯେ ତେବେ ଠାରୁ ସବୁ ଓଲଟ ପାଲଟ ହୋଇଗଲା।ପରିଶେଷରେ ଯେଉଁ ଘର ଖଣ୍ଡେ କରିଥିଲେ ତାକୁ ବିକ୍ରି କରିବାକୁ ପଡିଲା ପଡୋଶୀ ମହାନ୍ତି ବାବୁଙ୍କୁ । ବୁଲେଇ ବିକିଲେ ସୁନା ଭେଣ୍ଡି ନ୍ୟାୟରେ ସତୁରି ଅସି ଲକ୍ଷ ମୂଲ୍ୟର ଘରକୁ ମାତ୍ର ପଚାଶ ଲକ୍ଷରେ ବିକ୍ରି କରିବାକୁ ପଡିଲା।ଯେଉଁ ଘର ନିଜର ରକତ କୁ ପାଣି କରି ବନେଇଥିଲେ ତାକୁ ବିକ୍ରି କରିଦେଲା ପରେ ସେ ସହର ରେ ଆଉ ରହିବାକୁ ଇଚ୍ଛା ହେଲା ନାହିଁ। ଝିଅ ମାନେ ବି ନିଷ୍ପତି ନେଲେ। ଦେହ ଭଲ ରହୁ ନଥାଏ, ତେଣୁ ଡାକ୍ତରୀ ସୁବିଧା ପାଇଁ କଟକ ସିଫ୍ଟ କରିଗଲେ।
ସେଠି ନିଜର ମଝିଆଁ ଝିଅ ଘରେ ରହିବାକୁ ସ୍ଥିର କଲେ। ରହିଲେ ବି କିଛି ଦିନ।ମାତ୍ର ଜାଣି ହେଉ ନଥାଏ କାହିଁକି ତାଙ୍କୁ କିଛି ଠିକ ଲାଗୁ ନଥିଲା।ଭିତରେ ଭିତରେ ନିଜ ମୁଣ୍ଡଟାକୁ କୋରି ଖାଇ ଯାଉଥିଲା କିଛି ଅବାନ୍ତର ଚିନ୍ତା। ପୁଅ ପାଇଁ କିଛି ନ କରି ପ
ାରିବାକୁ ନିଜର ଅପାରଗତା ଭାବି ବସନ୍ତି ସେ।କ୍ରମଶଃ ମାନସିକ ପୀଡାର କାରଣ ହୋଇ ଉଠେ ସେହି ଅହେତୁକ ଅବାନ୍ତର ଏବଂ ଅପରିହାର୍ଯ୍ୟ ଚିନ୍ତା।ଶଜ୍ୟା ଶାୟୀ ହୋଇ ଯାଆନ୍ତି ଗୌରୀନାଥ।ବଡ଼ ଡାକ୍ତର ଖାନାରେ ଦୁଇ ମାସ ଆଡ଼ମିଟ ରହିଲା ପରେ କିଛିଟା ସୁସ୍ଥ ହେଲେ।ମାତ୍ର ସେ ସମୟର ତାଙ୍କର ଶାରୀରିକ ତଥା ମାନସିକ ଅବସ୍ଥା କୁ ଦେଖି କେହି ବିଶ୍ବାସ ବି କରିପାରୁ ନଥିଲେ କି ସେ ଠିକ ଅବସ୍ଥା କୁ ଫେରି ପାରିବେ ।
ପତ୍ନୀ ଜାନକୀ ଦେବୀ ଏ ସବୁକୁ ଦେଖି ଦେଖି ପଥର ପାଲଟି ଯାଇଥାନ୍ତି ଯେମିତି। ଝିଅ ମାନେ ଯେଉଁ ନିଷ୍ପତ୍ତି ନିଅନ୍ତି କେଉଁଥିରେ ପ୍ରତିବାଦ କରନ୍ତିନି ସେ।
ଗୋଟେ ଭୁଲ ନିଷ୍ପତ୍ତି ଅନେକ ସମସ୍ୟା ସୃଷ୍ଟି କରିପାରେ ଏବଂ ଗୋଟେ ଠିକ ନିଷ୍ପତ୍ତି ଜୀବନର ଧାରା କୁ ବଦଳେଇ ଦେଇପାରେ। ନିଜର ଭୁଲ ନିଷ୍ପତ୍ତିର ପରିଣାମ ଭୋଗୁଛନ୍ତି ଆଜି ଯାଏ ସେଇଥି ପାଇଁ।ମାତ୍ର ସେ ଦିନର ନିଷ୍ପତ୍ତି ତିନି ଝିଅଙ୍କର ସତେ ଯେମିତି ସମୟକୁ ଅଟକେଇ ଦେଲା ସେଇଠି ଯେଉଁଠି ସେ ଆଜି ବି କିଛି ତୃପ୍ତି ର ଆସ୍ଵାଦନ କରି ପାରୁଛନ୍ତି। ନିଷ୍ପତି କ୍ରମେ କଟକ ରୁ ନିଜ ଘରକୁ ନେଇ ଆସିଲେ ମିତା। ଭଗବାନଙ୍କର ଇଚ୍ଛା ହେଉ ବା ପରିବେଶ ପରିବର୍ତ୍ତନ ର ପ୍ରଭାବ ହେଉ ପନ୍ଦର ଦିନ ଭିତରେ ତାଙ୍କର ସ୍ୱାସ୍ଥ ରେ ଉନ୍ନତି ଦେଖାଗଲା।ଶଯ୍ୟାଶାୟୀ ଗୌରୀନାଥ ଆଜିକାଲି କେୟାର ଟେକର ସହିତ ୱାକିଂ କରୁଛନ୍ତି,ଏକ୍ସର୍ଶାଇଜ଼ , ଫିଜିଓଥେରାପି କରୁଛନ୍ତି, ପୁରାଣ ମହାଭାରତ ଗୀତା ଆଦି ଗ୍ରନ୍ଥ ପଢୁଛନ୍ତି।ନିଜର ମନପସନ୍ଦ ଟେଲିଭିଜନ ସିରିଏଲ ପତ୍ନୀଙ୍କ ସହିତ ବସି ଦେଖୁଛନ୍ତି।ବେଳେ ବେଳେ ପୁରୁଣା ଗୌରୀନାଥଙ୍କ ଭଳି ପତ୍ନୀଙ୍କ ଉପରେ ପୁରୁଷ ପଣିଆଁ ଦେଖେଇ ରାଗି ବି ଯାଉଛନ୍ତି। ପତ୍ନୀ ତାଙ୍କର ଏ ପ୍ରକାର ପରିବର୍ତ୍ତନ ଦେଖି ପରମ ଶାନ୍ତି ଅନୁଭବ କରନ୍ତି।ଏହା ଭିତରେ ତାଙ୍କୁ ଦେଖାଯାଏ ହଜି ଯାଇଥିବା ପୁରୁଣା ସମୟର ଛାଇ ।
ସବୁ କିଛି ବୁଝି ପାରୁଛନ୍ତି ଗୌରୀନାଥ ଏବେ।ଅନେକ କିଛି ଭାବନ୍ତି ମନେ ମନେ ମାତ୍ର କହି ପାରନ୍ତିନି ସବୁ କଥା ।ପତ୍ନୀକୁ କିଛି କହନ୍ତି ମାତ୍ର ଝିଅ ଜ୍ବାଇଁଙ୍କୁ କିଛି କହି ପାରନ୍ତିନି।କହି ପାରନ୍ତିନି କି ସେମାନଙ୍କର ଗୋଟେ ନିର୍ଣ୍ଣୟ ପାଇଁ ଆଜି ର ଆଲୋକ ସେ ଦେଖି ପାରୁଛନ୍ତି।ଝିଅ ତ ନିଜର,ନିଜ ବାପା ମାଙ୍କ ପାଇଁ ସିଏ କିଛି କରିବାକୁ ଚାହିଁବ ନିଶ୍ଚୟ।ମାତ୍ର ଜ୍ବାଇଁର ସହମତି ବିନା ଏହା ସମ୍ଭବ ନୁହେଁ। ସବୁ ଜାଣି ପାରନ୍ତି ସେ।
ଆଜି ରାକ୍ଷୀ ପୂର୍ଣ୍ଣିମା। ମନେ ମନେ ଭାବୁଥାନ୍ତି ସେ।ରାକ୍ଷୀ ର ମହତ୍ତ୍ୱ କଣ? କେବଳ ଦି କେରା ସୂତା ନୁହେଁ ଏ ରାକ୍ଷୀ।ରକ୍ଷା ର ବନ୍ଧନ ଇଏ।ଏହା ଏକ ବଚନ ଏକ ପ୍ରତିଜ୍ଞ୍ୟା ପ୍ରତିକୂଳ ପରିସ୍ଥିତିରେ ସହାୟକ ହେବାର।ଆତ୍ମୀୟତାର ଅତୁଟ ବନ୍ଧନ ଏ। ବୁଢା ବୁଢ଼ୀ ଦି ଜଣ ,ଯେଉଁ ମାନଙ୍କର ପୁଅ-ବୋହୁ ନିଜର ହୋଇ ବି ସାତ ପର। ସେମାନଙ୍କୁ ସମ୍ଭାଳିବା ପାଇଁ ଯଦି ଝିଅ ମାନେ ଅଂଟା ଭିଡିଛନ୍ତି,ଏହା ଠାରୁ ଆଉ ଅଧିକ ଗର୍ଵ ର କଥା କଣ ହୋଇ ପାରେ ଗୋଟେ ଅସହାୟ ବାପା ପାଇଁ।
ପଲଙ୍କ ଉପରେ ବସିଥାନ୍ତି ଗୌରୀନାଥ।ଠାକୁରଙ୍କ ପୂଜା ଥାଳ ରୁ ରାକ୍ଷୀଟିଏ ଆଣି ନାତୁଣୀ ବାନ୍ଧି ଦେଲା ଅଜାଙ୍କ ହାତରେ।ଭାବବିହ୍ଵଳ ହୋଇ ଉଠିଲେ ସେ।କିଛି କ୍ଷଣପରେ ଡାକିଲେ ଝିଅକୁ। ନିଜର କାମ ଛାଡି ମିତା ଆସିଲା ପରେ କହିଲେ।
ମା ରେ! ଏଇଠି ମୋ ପାଖରେ ଟିକେ ବସ।ବାପାଙ୍କ ପାଖରେ ବସିଲେ ମିତା।ନିଜ ହାତରୁ ରାକ୍ଷୀଟିକୁ ଖୋଲିବାକୁ ଚେଷ୍ଟା କରୁଥାଆନ୍ତି ସେ,ମାତ୍ର ଖୋଲି ପାରୁ ନଥାନ୍ତି।ଗଣ୍ଠି ଖୋଲିବାକୁ କହିଲେ ଝିଅକୁ।ମିତା ଭାବୁଥିଲା ବୋଧ ହୁଏ ରାକ୍ଷୀକୁ ଟିକେ ହୁଗୁଳା କରିବା ପାଇଁ କହିବେ।ରାକ୍ଷୀ ଖୋଲିଗଲାପରେ ଝିଅର ହାତକୁ ନିଜ ହାତରେ ଜାବୁଡି ଧରିଲେ ସେ ,ଏବଂ ରାକ୍ଷୀଟିକୁ ନେଇ ନିଜ ଝିଅ ହାତରେ ବାନ୍ଧିବାକୁ ଚେଷ୍ଟା କଲେ।ଗଣ୍ଠି ପକେଇ ପାରୁନଥାନ୍ତି।ହାତ ଥରୁ ଥାଏ,କଣ୍ଠ ଅବରୁଦ୍ଧ ହୋଇ ଯାଉଥାଏ।ଝରଝର ଲୁହ ବହି ଜାଉଥାଏ ଦୁଇ ଆଖିରୁ।ତଥାପି କୋହମିଶା ସ୍ୱର ରେ କହୁଥାନ୍ତି।ତୋ ଠାରୁ ଆଉ ଅଧିକ ସୁରକ୍ଷା କିଏ ଦେଇ ପାରିବ ଆମକୁ ଏ ଦୁନିଆଁରେ? କେବଳ ଭାଇ ଭଉଣୀ ର ବନ୍ଧନ ନୁହେଁ ଏ ରାକ୍ଷୀ।ଆଜି ଠାରୁ ଏକ ଅସହାୟ ବାପର ସୁରକ୍ଷାର ଆଶା ବି ଏ ରାକ୍ଷୀ। ସମୟର ଛାତିରେ ଏକ ଅଲିଭା ପରିଭାଷା ଲେଖି ଦେଉଛି ମୁଁ ରାକ୍ଷୀ ର। ଗୋଟେ ଅସହାୟ ବାପ ଏବଂ ଝିଅର ବନ୍ଧନର ପରିଭାଷା ହୋଇ ରହୁ ଏ ରାକ୍ଷୀ। ଏବଂ ଅନେକ କିଛି କହିବାକୁ ଚେଷ୍ଟା କରୁଥାନ୍ତି ସେ, କିଛି ବୁଝି ହେଉ ନଥାଏ।କେବଳ କରୁଣ କ୍ରନ୍ଦନ ର ସ୍ୱର ରୁ ମମତାର ମହକ ସ୍ପଷ୍ଟ ବାରି ହେଉଥାଏ। ଏବଂ ଚିତ୍ରିତ କରି ଯାଉଥାଏ ରାକ୍ଷୀର ନିଆରା ଏକ ପରିଭାଷା।