STORYMIRROR

Dr Baman Chandra Dixit

Abstract

4  

Dr Baman Chandra Dixit

Abstract

ଅର୍ଦ୍ଧନାରୀ

ଅର୍ଦ୍ଧନାରୀ

9 mins
281


ବହୁତ ଦିନ ପରେ ତା ସହିତ ଦେଖାହେଲା।ଚାକିରୀ ଜୀବନର ବ୍ୟସ୍ତତା ପାଇଁ ମୁଁ ଗାଁକୁ ବେଶୀ ଯାଇପାରେ ନାହିଁ,ଯେବେ ବି ଯାଏ ବହୁତ ବେଶୀରେ ଦିନେ ଦୁଇଦିନ ପାଇଁ, ତେଣୁ ଅନେକଙ୍କ ସହିତ ଭେଟ ହୋଇ ପାରେନା। ସେଦିନ ହାଟକୁ ଗଲାବେଳେ ଅଚାନକ ଦେଖା ହୋଇଗଲା ତା ସହିତ। ମୋ ଠାରୁ ବର୍ଷେ ଖଣ୍ଡେ ଛୋଟ ହେବ ସିଏ,ମାତ୍ର ଲାଗୁଥିଲା ସତେ ଯେମିତି ସେ ଏହାଭିତରେ ମୋଠାରୁ ଦଶ ପନ୍ଦର ବର୍ଷ ବଡ଼ ହୋଇଯାଇଛି।ରୁଗୁଣ ଦୁର୍ବଳ ଶରୀର ଉପରେ ନାଇଟୀ ଗୋଟେ ଚାଦର ଘୋଡେଇ ହେଲା ଭଳି ଜଣାପଡୁଥାଏ।ନାଇଟୀ ଟି ଏତେ ବେଶୀ ପୁରୁଣା ବି ନଥିଲା, ମାତ୍ର ତାର ସ୍ୱାସ୍ଥ୍ୟ ପାଇଁ ଆଲଣାରୁ ଓହଳିଥିବା ଲୁଗା ପରି ଝୁଲୁଥାଏ ତା ଦେହ ଉପରେ।ମୁଣ୍ଡରୁ ଅଧିକାଂଶ ବାଳ ବି ଝଡିଯାଇଥାଏ। ଯାହା ବାକି ଥାଏ ସେ ସବୁ ଗୋଟେ ପତଳା ଦଉଡି ପରି ଝୁଲି ଥାଆନ୍ତି କମର ପର୍ଯ୍ୟନ୍ତ। ବେଣୀ ଶେଷରେ ଗୋଟେ ରବର ଗୁଡେଇ ବାକି ବଞ୍ଚିଥିବା କେଇ କେରା କେଶକୁ ସମ୍ଭାଳିବାକୁ ଚେଷ୍ଟା କରୁଥାଏ ଏବଂ ନିଜର ଅବ୍ୟବସ୍ଥିତ ଜୀବନକୁ ବୋଧହୁଏ।ଏକା ଗାଁ ରେ ଘର , ଆମ ଘର ଏବଂ ତାଙ୍କ ଘର ମଝିରେ ମାତ୍ର କେତୋଟି ଘରର ବ୍ୟବଧାନ।ଆମ ମଧ୍ୟରେ ବୟସ ର ବ୍ୟବଧାନ ଗୋଟେ ବର୍ଷରୁ ବି କମ, ତେଣୁ ସେ ମୋତେ ନାନା ବୋଲି ସମ୍ବୋଧନ କରେ ଏବଂ ମୁଁ ତାକୁ ମଜାକିଆ ଢଙ୍ଗରେ ନାନୀ ବୋଲି ଡାକେ। ମୁଁ ସେହି ମଜାକିଆ ଢଙ୍ଗରେ ବାର୍ତ୍ତାଳାପ କରିବାକୁ ଚାହୁଁଚାହୁଁ ନିଜକୁ ନିୟନ୍ତ୍ରିତ କରିବାକୁ ଶ୍ରେୟଷ୍କର ଭାବୁଥାଏ। ବୋଧହୁଏ ସିଏ ବି ନିଜକୁ ପ୍ରସ୍ତୁତ କରୁଥାଏ କିଛି କହିବା ପାଇଁ। ସେ ସିନା କିଛି କହିପାରୁନଥାଏ, ମାତ୍ର ତାର ନିରୀହ ନିରବ ଚାହାଁଣି ବହୁତ କିଛି କହିଯାଉଥାଏ ଅନର୍ଗଳ।

ହସିବାକୁ ଚେଷ୍ଟା କରୁଥିଲା ସେ, ମାତ୍ର ହସି ପାରୁନଥିଲା। ଓଠ ମୁହଁ ଆଖି ମାନଙ୍କରେ ଭାବର ଅଭାବ ସ୍ପଷ୍ଟ ବାରି ହେଉଥାଏ। ସେ ନିଜକୁ ନିଜଭିତରେ ସଙ୍କୁଚିତ କରି ଲୁଚିଯିବାକୁ ଚାହୁଁଥିଲା ବୋଧେ।ମାତ୍ର ଧରାପଡ଼ିଗଲା ପରେ ଲୁଚିବ କେମିତି? ହଁ-ନା ର ଦ୍ଵନ୍ଦ ଭିତରୁ ବାହାରି ପାରୁନଥାଏ ସେ।ମୁଁ ଅନୁଭଵ କରିପାରୁଥିଲି ତାର ମନର ବେଦନା । ମୋତେ ଲାଗୁଥିଲା ଯେମିତି ସିଏ କଥାହେବା ଭୂଲି ଯାଇଛି କିମ୍ବା ବହୁତ ଦିନହେଲା କାହାରି ସହିତ କଥା ହୋଇନାହିଁ। ଯଦି ମନର କଥା ବୁଝିବାର ମଣିଷ ନଥାଏ ତା ହେଲେ ମନକଥା କହି ଲାଭ କଣ?

ଯଦି ହୃଦୟର ବ୍ୟଥା ଅନୁଭବ କରିବାକୁ ଅନୁଭବୀ ମନଟିଏ ନାହିଁ ତାହେଲେ ତାକୁ ନିଜ ଛାତିତଳେ ଚାପି ରଖିବା ଛଡା ଅନ୍ୟ ଉପାୟ ବା କଣ? ଧିର ସ୍ୱରରେ କହିଲା - ଏଇ ବାଟରେ ଠିଆ ହେଇଥିବୁ ନା କଣ? ଘର ଭିତରକୁ ଆ।

ନୀରବରେ ଅନୁଶରଣ କଲି ତାକୁ। ବାହାର ଅଗଣାରେ ଗୋଟେ ଖଟ ପଡିଥାଏ। ସାମ୍ନା କୁ ପ୍ଲାଷ୍ଟିକ କେନ ରେ ବୁଣା ଖଣ୍ଡେ ପୁରୁଣା ଚେୟାର  ପଡିଥାଏ। ଧଳା ପ୍ଲାଷ୍ଟିକ ତାର ଉପରେ ଧୂଳି ମଳି ଜମି ଅସନା ଦେଖାଯାଉଥାଏ। ଦରକାର ନଥିଲେ ଆସବାଵ ଅସନା ରେ ଗଣା। ଖଟ ଉପରେ ସପ ଖଣ୍ଡେ ବିଛା ହୋଇଥାଏ; ତା ଉପରେ ବସିଲି ମୁଁ। ଗ୍ଲାସରେ ପାଣି ଦେଲା ପିଇବା ପାଇଁ। ଘରେ ଆଉ କେହି ନଥାନ୍ତି, ରହିବ ବା କିଏ? କେହି ତ ନାହାନ୍ତି ଆଉ ତା ପାଖରେ ରହିବା ପାଇଁ। ନା ନିଜର ଘର ସଂସାର , ନା ବାପା ମା। ଭାଇ ଭାଉଜ ସବୁ ନିଜନିଜ ପାଇଁ ଅଲଗା ଅଲଗା ଘର କରି ଅଲଗା ରହୁଥାଆନ୍ତି, ହେଲେ ସେ ରହି ଯାଇଛି ନିହାତି ଏକା; ଚଡ଼କ ରେ ଜଳିଯାଇଥିବା ତାଳ ଗଛପରି। କେବେ କେବେ ସାନ ଭାଉଜ ଆସେ, କିଛି ସମୟ ରହେ, କେବେ କେବେ ଦିନେ ଦୁଇ ଦିନ ବି ରହେ ପୁଣି ଚାଲିଯାଏ ନିଜ ସଂସାର ଭିତରକୁ, ଏବଂ ପୁଣି ଏକା ରହିଯାଏ ସେ। ଏକାକୀ ଜୀବନ ଯାପନ କରିବା ଅଭ୍ୟାସ ପଡିଯିବା ପରେ ସିଏ ବି ଚାହେଁନା କାହାରି ଉପସ୍ଥିତି। କାହାରି ପ୍ରଶ୍ନିଳ ଆଖି ଅବା ସହାନୁଭୂତି କୁ ସାମନା କରିବାଠାରୁ ଅପ୍ରୀତିକର ପରିସ୍ଥିତି ଆଉ କଣ ଥାଇପାରେ? ସମ୍ବେଦନା ସବୁବେଳେ ଶୁଖି ଆସୁଥିବା ଘାଆ କୁ ରାମ୍ପି କୁଣ୍ଡେଇ ପୁଣି ରକ୍ତାକ୍ତ କରିଦିଏ ଏବଂ ଆଶ୍ବାସନାର ଭାଷା ଯେତେ କୋମଳ ତାର ପ୍ରଭାବ ତହୁଁ ଅଧିକ କଠୋର। ତେଣୁ ନୀରବତା ବହୁତ ନିଜର ଲାଗେ ତା'କୁ। ନିରବ ମୁହୂର୍ତ୍ତ ମାନଙ୍କରେ ସମୟର ସ୍ପନ୍ଦନ ଠିକ ବାରିହୁଏ, ଦୁଃଖ ବି କନ୍ଦେଇ ପାରେନା, ଖୁସି ବି ହସେଇ ପାରେନା । ହସଲୁହ ସବୁ ନିରବତାରେ ସମାହିତ ହୋଇ ଯେଉଁ ମୁହୂର୍ତ୍ତଟିଏ ନିର୍ମାଣ କରନ୍ତି ତାକୁ ହିଁ ଜୀବନ କୁହାଯାଏ ବୋଧେ।

ସେଇ କ୍ଷଣିକ ଜୀବନକୁ ଚିରସ୍ଥାୟୀ କରିବାର ନିଷ୍କାମ ପ୍ରତିକ୍ରିୟା ତାର ଅର୍ଦ୍ଧ ଜୀବିତ ଶରୀରରେ ପ୍ରାଣ ପ୍ରେରଣା ସଂଜୀବିତ କରେ ଏବଂ ସାମନା ଠାକୁର ଘରେ ଆଖି ବନ୍ଦ କରି ବସିରହେ ସେ। ସମୟ ବି ତା ସହିତ ବସିରହେ ବୋଧେ ଘଣ୍ଟାଘଣ୍ଟା। ପ୍ରାଣପ୍ରିୟ କଳାଠାକୁର ସହିତ ନୀରବରେ କାହିଁ କେତେ ଯେ କଥାହୁଏ ତାକୁ ଜଣା ଅବା ସେହି କାଳିଆକୁ ଜଣା।

ତାର ଅତି ପ୍ରିୟ ଜଣାଣ ଅର୍ପଣ କରେ ସେ ପ୍ରଭୁ ପାଦତଳେ

  ଗଢିବାକୁ ଯଦି ଚାହୁଁଥାଅ ପ୍ରଭୂ 

            ଫୁଲଟିଏ ମୋତେ କର

  ସଦା ମୁଁ ଲୋଟିବି ତୁମରି ଚରଣେ

           ହେବି ତୁମ କଣ୍ଠ ହାର"

ଅନେକ ଥର ଏହି ଜଣାଣଟିକୁ ତାର ଭାବବିହ୍ଵଳ କଣ୍ଠରୁ ଶୁଣିଥିଲି ଆଜି ପୁଣି ଏକ ବିରାଟ ବ୍ୟବଧାନ ପରେ ସେହି ଗୀତଟି ଶୁଣି ବ୍ୟଥିତ ଅନୁଭବ କରୁଥାଏ। ସେହି ସ୍ୱର ସେହି ଲୟ ସେହି ଶବ୍ଦାବଳୀ ମାତ୍ର ଶବ୍ଦାୟମାନ ଏକ ଭିନ୍ନ ମୂର୍ଚ୍ଚନାରେ। ଭକ୍ତି ସବୁ ଘନୀଭୂତ ହୋଇ କଣ୍ଠରୁଦ୍ଧ କରୁଥାନ୍ତି ଅବା। ନିବେଦନ ର ସ୍ୱରରେ ଏ ଅଭିଯୋଗର ଗୁଞ୍ଜରଣ ନୁହେଁ ତ? ସତେ ଯେମିତି ଅନେକ ପ୍ରଶ୍ନ ଶ୍ରଦ୍ଧା ଆଉ ଭକ୍ତିର ଆବରଣ ତଳୁ ମୁଣ୍ଡଟେକିବାର ପ୍ରଚେଷ୍ଟା କରୁଥାନ୍ତି। ଫୁଲଟିଏ କରି ଯଦି ଜନ୍ମ ଦେଲ , କର୍ମ ତାର ପ୍ରସ୍ଫୁଟିତ ହେବା, ହେଲା ବି।ତେବେ ତାର ନିୟତି କଣ, କେବଳ ତୁମ ପାଦ ତଳେ ଲୋଟିବା କଣ ତାର ଧର୍ମ, ଫୁଲର କଣ ଅନ୍ୟ କିଛି ଅଭିପ୍ସା ନାହିଁ। ଯଦି ଏହା ସତ୍ୟ, ତେବେ ସୃଷ୍ଟିର ନିୟମ ସମାନ ନୁହେଁ କାହିଁକି ସଭିଙ୍କ ପାଇଁ? କିଛି ପ୍ରସ୍ଫୁଟିତ ହୋଇ ଫଳବତୀ ଆଉକିଛି ବିକଶିତ ହେବାପରେ ପ୍ରଭୁ ପାଦ ତଳେ କାହିଁକି? ଚକାଡୋଳାକୁ ଅପଲକ ଦେଖୁଦେଖୁ ପଚାରିଲି କୁହ ଠାକୁରେ! କଣ ଉତ୍ତର ଦେବ ସେ ଫୁଲକୁ ଆଜି ଯିଏ ତୁମ ପାଦତଳେ ଅଭା ଗଳାର ସୁଶୋଭିତା। ତା'ର କଣ ଅଧିକାର ନଥିଲା ତୁମ ସଂସାରରେ ନିଜର ଏକ ଛୋଟ ସଂସାର ଗଢିବାକୁ? ଯଦି ଥିଲା ତାକୁ କାହିଁକି ଏତେ ହତାଦର! ଯଦି ନଥିଲା ତୁମେ କୁହ କାହିଁକି? ଦୀର୍ଘଦିନ ଧରି ତୁମର ସେବାରେ ହେଳା ତ କରିନି ସିଏ। ତେବେ କାହିଁକି ସେ ଆଜି ଅଲୋଡା ବାସୀଫୁଲ ପରି?

 ଠାକୁରଙ୍କୁ ମୁଣ୍ଡିଆ ମାରି ମୁଁ ଉଠିଲି। ହାତରେ ପ୍ରସାଦ ଟିକେ ଦେଇ ଆସିଲା ବାହାର ଯାଏ। କହିଲା ଯା ରାତି ହେଇଗଲାଣି। ପଚାରିଲା:-କେତେ ଦିନ ରହିବୁ ଏଥର? 

ଅନ୍ୟ ମାନସ୍କ ଭାବରେ ଉତ୍ତର ଦେଲି-

:ଭାବୁଛି ଛୁଟି ବଢ଼େଇ ଆଉ ଦି ' ତିନି ଦିନ ରହିବି।

କିଛି ତୃପ୍ତି ଏବଂ ଆସ୍ୱସ୍ତି ଭରା ସ୍ୱରରେ କହିଲା ,

ଯଦି ହୁଏ କାଲି ଆସିବୁ, ତୋ କଥା କିଛି ପଚାରି ପାରିଲିନି। କାଲି ଆସିଲେ ବହୁତ କଥା ହବା। ମୋର ବି ବହୁତ କିଛି ବାକି ନଥିଲା କହିବା ପାଇଁ, ତଥାପି ବି କାହିଁକି କେଜାଣି ତା ଭିତରେ ମରିଯାଇଥିବା ମଣିଷଟା ସହିତ ସାକ୍ଷାତ କରିବାକୁ ପ୍ରବଳ ଇଚ୍ଛା କୁ ଉପସମିତ କରିବା ପାଇଁ କାଲି ଆସିବାର ପ୍ରତିଶ୍ରୁତି ଦେଇ ଫେରିଲି।

    ବହୁତ ଡେରି ହୋଇଯାଇଥିଲା ସେତେବେଳକୁ।ହାଟ କୁ ଯିବାପାଇଁ ଆଉ ଇଚ୍ଛା ହେଲାନାହିଁ, ଘରକୁ ଫେରି ଆସିଲି।ଖିଆପିଆ ସାରି ସମସ୍ତେ ଶୋଇବାକୁ ଗଲେ, ମୁଁ ମଧ୍ୟ ଶୋଇବାକୁ ଚେଷ୍ଟା କରୁଥାଏ। ହେଲେ ନିଦ ଆସୁ ନଥାଏ। ବାରମ୍ବାର ତା'ର ସେ ନିରବ ନିରୀହ ଚାହାଣି ମୋ ଆଖି ଆଗରେ ନାଚିଯାଉଥାଏ। କଣ କହିବାକୁ ଚାହୁଁଥିଲା ସିଏ ଯାହା କହିପାରିନଥିଲା।ମୁଁ ସିନା ତା ହାବଭାବରୁ ଜାଣିପାରୁଥିଲି କି ସିଏ କିଛି କହିବାକୁ ଚାହୁଁଥିଲା, ମାତ୍ର କଣ କହିବାକୁ ଚାହୁଁଥିଲା ତାହା ଜାଣିବି ବା କେମିତି! ଏମିତି ଅନୁମାନ ଲଗେଇ କିଛି ବୁଝି ତ ହେଉଥିଲା, ମାତ୍ର ତାହା ସତ୍ୟ ହୋଇ ପାରେ ,ଅର୍ଦ୍ଧସତ୍ୟ ଅଥବା ମିଥ୍ୟା ବି ହୋଇପାରେ! ଅନୁମାନକୁ ସମ୍ପୂର୍ଣ୍ଣ ସତ୍ୟ ଅଥବା ମିଥ୍ୟା ବୋଲି ମାନି ନିଆଯାଇ ନପାରେ। ତା ଚାହାଣି ର ରହସ୍ୟ ଜାଣିବା ପାଇଁ ବିବ୍ରତ ହେଉଥାଏ ମୁଁ। କିଛି ସମୟ କଡ଼ ଲେଉଟାଉ ଲେଉଟାଉ ନିଡ଼ ପଡ଼ିଗଲା। ସକାଳୁ ନିଦ ବି ଟିକିଏ ଡେରିରେ ଭାଙ୍ଗିଲା। ନିତ୍ୟକର୍ମ ସାରି ସୋଫା ଉପରେ ବସିବାକୁ ଯାଉଥିଲି , ଦେଖିଲି ସୋଫା ଉପରେ ବହୁତ ସାରା କପଡ଼ା ଗଦା ହୋଇଛି। ଗତ କାଲିର କପଡା ଯାହା ସବୁ ବାହାରେ ଶୁଖାଯାଇଥାଏ, ସେ ସବୁକୁ ଚଉତେଇ ରଖିବା ଆଗରୁ ଏଇମିତି ସୋଫା ଅବା ଚେୟାର ଉପରେ ଗଦେଇ ରଖିବା ସବୁ ଘରର ଗୋଟେ ସାଧାରଣ କଥା ବୋଧେ।ମୁଁ କିଛି କପଡା ଚଉତେଇବାକୁ ଭାବିଲି, ପୁଣି ଦେଖିଲି ଏତେ କପଡା ଚଉତେଇବା ,ଆଉ କାହାର ଲୁଗା କୋଉଟା ତାକୁ ଚିହ୍ନି ଅଲଗା ଅଲଗା ରଖିବା କାଠିକର ବ୍ୟାପାର, ମୋ ଦେଇ ହୋଇ ପାରିବ ନାହିଁ।ତେଣୁ ଚଟେଇ ଖଣ୍ଡେ ପକେଇ ତଳେ ବସିଲି।ସିମୀ ଚା କପେ ଆଉ ଗୋଟେ ପ୍ଲେଟ ରେ ବିସ୍କୁଟ ଦି'ଚାରିଟା ଆଉ କିଛି ମିକ୍ସଚର ଧରି ଆସିଲା। ମୁଁ ତଳେ ବସିଛି ଦେଖି ସଙ୍ଗେସଙ୍ଗେ ସବୁ କପଡାକୁ ଉଠେଇ ପଲଙ୍କ ଉପରେ ରଖି ସୋଫା ଝାଡ଼ିଦେଇ ବସିବାକୁ କହିଲା। ମୁଁ ସୋଫା ଉପରେ ବସି ତା ହାତରୁ ଚା କପ ଟା ନେଲି। ସିମୀ , ମୋ ସବାସାନ ଭଉଣୀ ତା ଶଶୁର ଘର ଏଇ ପାଖରେ ଆମ ଗାଁ'ରୁ ପାଞ୍ଚ ସାତ କୋଶ ହେବ।ମୁଁ ଯେତେବେଳେ ଗାଁ'କୁ ଯାଏ ସବୁ ଭଉଣୀ ମାନଙ୍କ ଘରକୁ ଯିବାକୁ ଚେଷ୍ଟା କରେ, ଏଥର ଅଳ୍ପ ଦିନ ଛୁଟି ଥିବାରୁ ସମସ୍ତଙ୍କୁ ଗାଁ'କୁ ଆସିବା ପାଇଁ ଆଗରୁ କହିଦେଇଥିଲି।ବଡ଼ନାନୀ ଦି'ଜଣ ତାଙ୍କ ଝିଅ ଘରକୁ ଯାଇଥିଲେ, ଜଣେ ଦିଲ୍ଲୀ କୁ ଆଉ ଜଣେ ପୁରୀ ରେ।ତେଣୁ ସେ ଦୁଇ ଜଣଙ୍କୁ ଛାଡି ସାନ ଦି'ଜଣ ଆସିଥାନ୍ତି।

ମୁଁ ଚା ପିଉଥିବା ବେଳେ ସିମୀ କହିଲା

: ନାନା ଜାଣିଛ, କାଲି କମଳାର ହାତ ଭାଙ୍ଗି ଯାଇଛି, ମୁଣ୍ଡ ବି ଫାଟି ଯାଇଛି। ଆଶ୍ଚର୍ଯ୍ୟ ହୋଇ ପଚାରିଲି ମୁଁ

:କାହିଁକି ଏ ସବୁ କେମିତି ହେଲା , କାଲି ତ ମୁଁ ତା ସାଙ୍ଗରେ ମିଶିକି ଆସିଛି, ସବୁ ତ ଠିକ ଥିଲା,

ଏ ସବୁ କେବେ ଆଉ କେମିତି ହେଲା!

ନିମୀ କହିଲା- କାଲି ରାତିରେ ଚାପାକଳରୁ ପାଣି ନେଇ ଆସୁ ଆସୁ ଶିଉଳିରେ ପଡି ଗୋଡ଼ ଖସିଗଲା, ପାଣି ବାଲ୍ଟି ସହିତ କଚାଡି ହେଇକି ପଡିଗଲା ଡାହାଣ ହାତଟା ଭାଙ୍ଗି ଯାଇଛି, ମୁଣ୍ଡରେ ବି ଚୋଟ ଲାଗିଛି। 

ଆତ୍ମଗ୍ଲାନି ରେ ମର୍ମାହତ ହୋଇପଡ଼ିଲି ମୁଁ। ଏକ ଅହେତୁକ ଅପରାଧ ବୋଧ ଅଚାନକ ଗ୍ରାସ କରିବାକୁ ଲାଗିଲା ମୋତେ। ଭାବିଲି , ଏ ସବୁ ଯାହା ଘଟିଗଲା ସେ ସବୁ ପାଇଁ ମୁଁ ହିଁ ଦାୟୀ।ମୋ ସହିତ ଭେଟ ହେବା ପରେ ସିଏ ତା'ର ପୁରୁଣା ଘାଆ କୁ ରାମ୍ପି କୁଣ୍ଡେଇ ତାଜା କରିନେଇଥିଲା ବୋଧେ। ସେଇ ପୁରୁଣା ସ୍ମୃତିର ଦହନରେ ଆଉଟୁ ପାଉଟୁ ହୋଇ ଅନ୍ୟମନସ୍କ ହୋଇ ଯାଇଥିବ ଏବଂ ଶିଉଳି ପ୍ରତି ଧ୍ୟାନ ଦେଇ ନପାରି ପଡ଼ି ଯାଇଥିବ। ଯଥା ଶୀଘ୍ର ଚା ପିଇ ମୁଁ ବାହାରିଲି ତାକୁ ଦେଖିବା ପାଇଁ। ନିମୀ କହିଲା ନାନା ଏତେ ବ୍ୟସ୍ତ ହୁଏନାହିଁ, କାଲି ରାତିରେ ଡାକ୍ତରଖାନା ନେଇ ବ୍ୟାଣ୍ଡେଜ କରିଦିଆ ଯାଇଛି, ଏବେ ଠିକ ଅଛି। ତା କାଳିଆ ଠାକୁର ତାକୁ ବଞ୍ଚେଇ ଦେଲେ କାଲି। ନହେଲେ କିଏ ବା କାହିଁକି ଦେଖିଥାନ୍ତା।ଏତେ ଦିନ ହେଲା କାଳିଆର ସେବା କରି ଆସିଛି ପ୍ରଭୁ ତାକୁ ରକ୍ଷା କରିବେନି କେମିତି?

ମୁଁ କହିଲି କଣ ଏମିତି ଚମତ୍କାର ହେଲା ଯେ ତୁ କହୁଛୁ ତା କାଳିଆ ଠାକୁର ତାକୁ ବଞ୍ଚେଇ ଦେଲେ? ସୁମୀ କହିଲା

ଯେତେବେଳେ ସିଏ ପଡିଗଲା, ଠିକ ସେତିକିବେଳେ କୌଣସି କାମ ନଥାଇ ସାଧୁଆ ଆସିଥିଲା। ଯୋଉ ଭାଇ ତା ଦୁଆର ମାଡୁ ନଥିଲା ତାକୁ ସେଇ ଠାକୁରେ ପଠେଇଥିବେ।ସିଏ ସାଙ୍ଗେ ସାଙ୍ଗେ ଡାକ୍ତର ଖାନାକୁ ନେଇ ବ୍ୟାଣ୍ଡେଜ ପଟ୍ଟୀ କରେଇ ଦେଲା ବୋଲି ତା ଜୀବନ ବଂଚିଗଲା, ନହେଲେ ସେଇ ଚାପା କଳ ପାଖରେ ପଡ଼ି ପଡ଼ି ମରି ଯାଇଥାନ୍ତା, ରାତିଟାରେ କିଏ କାହିଁକି ଜାଣିପାରିଥାନ୍ତା?ମନେମନେ ସାଧୁଆ ଆଉ ଜଗନ୍ନାଥଙ୍କୁ ଧନ୍ୟବାଦ ଦେଲି। ଏହା ଭିତରେ ନିମୀ ଜଳଖିଆ ଆଣି ସାରିଥାଏ। ଜଳଖିଆ ଖାଇ ବାହାରିଲି ମୁଁ ତାକୁ ଦେଖାକରିବା ପାଇଁ।

   ବାହାର ଫାଟକ ଖୋଲି ଭିତରକୁ ଗଲି। ସେଇ ଖଟ ଉପରେ ବସିଥାଏ ସିଏ, ବୋଧହୁଏ ମୋତେ ଅପେକ୍ଷା କରିଥିଲା। ଦେଖିବା କ୍ଷଣି ଟିକେ ହସିଦେଲା।ଯେଉଁ ହସ ଟିକକ ପାଇଁ ଗତକାଲି କେତେ ଚେଷ୍ଟା କରି ବି ବିଫଳ ହେଉଥିଲା, ଆଜି ସେହି ହସ ଅନାୟାସରେ ତା ଓଠରୁ ଝରିପଡୁଥିଲା ନିର୍ବାକ ହୋଇ ଦେଖୁଥାଏ ମୁଁ।ଏତେ ଦୁଃଖରେ ବି କେହି ହସିପାରେ ତାହା କେବଳ ଅନୁଭବର ବସ୍ତୁ, ସେ ମନୋସ୍ଥିତିକୁ ବର୍ଣ୍ଣନା କରିବା ଅସମ୍ଭବ।ମୁଁ ଆସିବି ତାର ଯେଉଁ ବିଶ୍ବାସ ଥିଲା, ତାର ବାସ୍ତବ ରୁପାନ୍ତରଣ ଦେଖି ସେ ନିଜର ସମସ୍ତ ପୀଡା କୁ ଭୁଲିଯାଆଇଥିଲା।

କହିଲା-

ତୁ ଆସିବୁ, ମୁଁ ଜାଣିଥିଲି ତୋରି ଅପେକ୍ଷାରେ ବସିଛି, ଆ...ବସ। ତା ପାଖରେ ବସିଲି ଯାଇ। ଦି'ଜଣ ଯାକ ବସିଥାଉ ନୀରବରେ, କଣ କହି କଥା ଆରମ୍ଭ କରିବି ଭାବୁ ଥାଏ। ସାନ୍ତ୍ୱନା ଦେବା ସ୍ୱରରେ କହିଲି, ମେଡ଼ିସିନ ଠିକ ସମୟରେ ନେ, ସବୁ ଠିକ ହୋଇଯିବ। ବ୍ୟାଣ୍ଡେଜ ଖୋଲିବା ପାଇଁ କୋଡିଏ ପଚିଶ ଦିନ ତ ଲାଗିବ, ସାବଧାନ ହୋଇ ଚଳୁଥିବୁ। ମୁଣ୍ଡ ହଲେଇ ହଁ କହିଲା।

ଅନେକ କିଛି କହିବା ଜାଣିବାର ଥିଲା- ମାତ୍ର କିଛି କହି ନପାରି ବାହାରିଲି ମୁଁ। ହଠାତ ତା ବାଆଁ ହାତରେ ଇଶାରା କରି ବସିବାକୁ କହିଲା ମୋତେ। ଆହୁରି କିଛି ନିରବ ମୁହୂର୍ତ୍ତ ବିତିଗଲା ପରେ ଧୀର ସ୍ୱରରେ କହିଲା-

:ତୁ ତ ପରଦେଶୀ ହେଇଗଲୁ, ଜାଣିବୁ କେମିତି କମଳା ବୋଲି ବି ଗୋଟେ ଭଉଣୀ ଥିଲା।କାହିଁ କେତେ ଝଡଝଞ୍ଜା ସହିସହି ଆଜିଯାଏ ବଂଚିଛି-ଜାଣିଛୁ କାହିଁକି? କାରଣ ମୁଁ ମରିପାରେନା। କାରଣ ମୁଁ ନିଇତି ଝରିପଡୁଥିବା ଫୁଲ ପରି, ଝରୁଥିବି ହେଲେ ମରିପାରିବି ନାହିଁ।

ଏକ ଦୀର୍ଘ ଶ୍ବାସ ଛାଡି କହିଲା-

କାହିଁ ଗଲେ ସେ ପିଲା ଦିନର କଥା!ସେ ସୁନେଲି ସ୍ୱପ୍ନ ସବୁ ପାଣିଫୋଟକା ପରି ଉଭେଇ ଗଲେ।କାହାକୁ ଦୋଷ ଦେଇପାରୁନି ମୁଁ, କେବଳ ମୋ କର୍ମର ଦୋଷ ଭାବି କାଳିଆକୁ କହେ ନିଇତି। ସବୁ ଶୁଣେ ସେ- ହେଲେ ଉତ୍ତର ଦିଏନା। କଣ ବା କହିବ ସିଏ, କି ଜବାବ ଅଛି ତା ପାଖରେ? ଯାହାକୁ ହେତୁ ହବା ଦିନରୁ ପୂଜି ଆସିଛି ସେ ଯଦି ନିର୍ମମ ହୋଇ ପାରିଲା ଆଉ କାହାକୁ ଦୋଷଦେଇ ଲାଭ କଣ?

   ନିଜକୁ ଅଟକେଇ ନପାରି ପଚାରିଲି ମୁଁ-

ତୁ ବାହା ହେଲୁନି କାହିଁକି, କାହିଁକି ନିଜକୁ ନିଜେ ବର୍ବାଦ କରିଦେଲୁ?

କିଛି କହିବା ଆଗରୁ ଏକ ଦୀର୍ଘଶ୍ଵାସ ବାହାରିଲା ତା ଛାତି ଥରେଇ। ମୋ ହୃଦୟକୁ ମଧ୍ୟ ଉଦ୍ବେଳିତ କରିଗଲା ସେ ଦୀର୍ଘଶ୍ଵାସ। ସତେ ଯେମିତି ଅନନ୍ତ କାଳର ସାଇତା ବେଦନା ସମସ୍ତ ବାଷ୍ପୀଭୁତ ହୋଇ ଏକାଥରେ ବାହାରି ଆସିବାକୁ ବ୍ୟଗ୍ର ବେଉଥିଲେ। ସେ କହିଲା 

ତୁ ତ ଜାଣୁ ଅନେକ କଥା। ଯାହା ପରଠୁଁ ତୁଜାଣିନାହୁଁ ବା ଜାଣିବାକୁ ଚେଷ୍ଟା କରିନାହୁଁ ସେଥିପାଇଁ ତୋତେ ବି ଦୋଷ ଦେଇପାରୁନାହିଁ।ମୋ ବାପା ତୁମମାନଙ୍କ ସହିତ ଯାହା ଅତ୍ୟାଚାର କରିଛନ୍ତି, ତୋ ଜାଗାରେ ଯଦି ମୁଁ ଥାଆନ୍ତି, ମୁଁ ବି ସେଇଆ କରିଥାନ୍ତି, ଯାହା ତୁ କରିଛୁ । ତୁ କଣ ବା ଭୁଲ କରିଛୁ, କେବଳ ଭୁଲି ଯାଇଛୁ ମୋତେ। ଦ୍ଵିତୀୟ କଥା ତୁ ଯଦି ଗାଁ ରେ ରାହୁଥାନ୍ତୁ ତାହେଲେ ଦୂରତା ଏତେ ଅପହଞ୍ଚ ହୋଇ ନଥାଆନ୍ତା। ଯେହେତୁ ତୁ ବିଦେଶରେ ରହିଲୁ, ଘରର ଦାୟିତ୍ୱ ମୁଣ୍ଡଉ ମୁଣ୍ଡଉ ପରକୁ ଭୁଲିଗଲୁ।ମୁଁ କୋଉ ତୋ ନିଜର ଭଉଣୀ ଯେ।  

  ଏକା ନିଃଶ୍ବାସକେ ବହୁତ କିଛି କହିଗଲା ସିଏ, ମୁଁ ଶୁଣୁଥାଏ..କେବଳ ଶୁଣୁଥାଏ।

ତା'ପରେ ଦାର୍ଶନିକ ଭଙ୍ଗୀରେ କହିଲା -ଗୋଟେ ପୁରୁଷ ସହିତ ଗୋଟେ ନାରୀର ଜନ୍ମଜନ୍ମାନ୍ତର ବୈଦିକ ବନ୍ଧନକୁ ବିବାହ କୁହାଯାଏ।ମୋତେ କିଏ ବା କାହିଁକି ବାହା ହେବ! 

ମୁଁ ଆଶ୍ଚର୍ଯ୍ୟ ସହିତ ତା ମୁହଁକୁ ଅନେଇଲି। ସେ କହିଲା

: ନାନା ତୁ ଯେତେବେଳେ ଦେଖିଥିଲୁ ସେତେବେଳେ ମୁଁ ଗୋଟେ ଝିଅ ଥିଲି, ହେଲେ ନାରୀ ହୋଇ ପାରିଲି ନାହିଁ। ବାହା ହେବି କେମିତି? ମୁଁ'ପା ଗୋଟେ "ଅର୍ଦ୍ଧନାରୀ" ।

ଆଶ୍ଚର୍ଯ୍ୟ ଚକିତ ହୋଇ ମୁଁ ଚାହିଁଥାଏ। କିଛିକ୍ଷଣର ନୀରବତା ପରେ ପୁଣି ସେ କହିଲା

: ମୋ ବାପାଙ୍କ ପାଖରେ କଣ ନଥିଲା, ଧନର ଅଭାବ ନା ପ୍ରଭାବ ପ୍ରାଦୁର୍ଭାବର ଅଭାବ। ସେ ଚାହିଁଥାନ୍ତେ ଯଦି ଆଜି ମୁଁ ଏଭଳି ହୀନସ୍ତା ହେଉନଥାନ୍ତି।ମୋର ବି ଗୋଟେ ସୁଖୀ ସଂସାର ଥାଆନ୍ତା। ମୁଁ ଅର୍ଦ୍ଧନାରୀ ହୋଇ ଅଭିଶପ୍ତ ଜୀବନ ଯାପନ କରୁନଥାନ୍ତି।କମ ସେ କମ ନାରୀଟିଏ ପରି ଗର୍ବର ସହିତ ଜୀବନ ବିତେଇ ପାରିଥାନ୍ତି।

ନୀରବରେ ଶୁଣୁଥାଏ ମୁଁ, କହିଚାଲିଥାଏ ସେ।

:ଗୋଟେ ବୟସ ହେଲାପରେ ଝିଅ ଆଉ ପୁଅଙ୍କ ଭିତରେ ଘନିଷ୍ଠତା ସମାଜକୁ ଭିନ୍ନ ଦେଖାଯାଏ। ତେଣୁ ଆଗପରି ମିଳାମିଶା କମ ହୋଇଯାଏ। ପୁଅମାନେ ମଧ୍ୟ ବହୁତ କଥା ଜାଣିପାରନ୍ତି ନାହିଁ ଯାହା ଝିଅ ମାନଙ୍କୁ ସହିବାକୁ ପଡ଼େ।ଆଜିର ସମୟ ଅଲଗା, ଏବେ ଅନେକ କଥା ଖୋଲାଖୋଲି ଆଲୋଚନା ହୋଇ ପାରୁଛି, ମାତ୍ର ଆମ ସମୟରେ ସେ ସବୁ ଗୋପନ ରଖାଯାଉଥିଲା।ମୁଁ ଯାହା କହିବାକୁ ଚାହୁଁଛି ତୁ ଜାଣିପାରୁଥିବୁ।ତଥାପି ମୁଁ ସବୁ କହିବି। ଆଜି ଆଉ କିଛି ଲାଜ ଶରମ ନାହିଁ, ବୁଢ଼ୀ ହେଲିଣି- ଏଯାଏ କାହାରିକୁ କହିପାରିନି, ଆଜି ଯଦି ନକହିବି ବୋଧହୁଏ ଏ ଜୀବନରେ ଆଉ କାହାରିକୁ କହିପାରିବିନି।ଏବଂ ନକହିପାରିବାର ଗ୍ଲାନି ନେଇ ଚାଲିଯିବି ଆରପାରିକୁ। ତେଣୁ ତୁ ଶୁଣ- ଶୁଣିବାକୁ ଚାହୁଁ ନଥିଲେ ବି ଶୁଣ, ଏକ "ଅର୍ଦ୍ଧନାରୀ"ର ଅନ୍ତରର କଥା,ବ୍ୟଥା ଏବଂ ତା ଆଖିରେ ଶୁଖି ଯାଇଥିବା ଲୁହ, ଏବଂ ଛାତିରେ ଦବିରହିଥିବା କୋହ ମାନଙ୍କର ନିଃଶବ୍ଦ ବିଳାପ

କ୍ରମଶଃ.........


 


    


Rate this content
Log in

Similar oriya story from Abstract