ଗୋସେଇଁ ଚାଲିଗଲେ
ଗୋସେଇଁ ଚାଲିଗଲେ
କେବଳ ଆଖି ବନ୍ଦ କରିଦେଲେ ନିଦ ଆସେନା।ଅନେକ ସମୟରେ ଶୋଇବାକୁ ଚେଷ୍ଟା କରୁ କରୁ ରାତି ବିତିଯାଏ ପୁଣି କେବେ ବନ୍ଦ ହୋଇ ଆସୁଥିବା ଆଖି ମେଲି ଝାଙ୍କି ଦେଖିବାକୁ ଇଚ୍ଛା ହୁଏ ଅତୀତ ଆଡକୁ ଏବଂ ସାଉଁଟିବାକୁ ମନ ହୁଏ କାହିଁ କେତେ ସ୍ମୃତି ର ମଣି ମାଣିକ। ଆଖିରୁ ନିଦ ଉଡ଼େଇ ନେଉଥିବା ବେଦନା ଯେବେ ପୁରୁଣା ହୋଇ ସ୍ମୃତି ପାଲଟି ଯାଏ ସେତେବେଳେ ବି ନିଦ ସବୁକୁ ଛଡ଼େଇ ନିଏ ଆଖିରୁ।ମାତ୍ର ଏ ଉଡ଼େଇ ନେବା ଏବଂ ସେ ଛଡ଼େଇ ନେବାରେ ଆକାଶ ପାତଳର ଫରକ।ଗୋଟିଏ ତିକ୍ତ ତ ଆର ଟି ସିକ୍ତ,ଗୋଟିଏ ଆହତ ତ ଆର ଟି ଆଶକ୍ତ । ଦୁଃଖ ହେଉ ବା ସୁଖ ହେଉ ସ୍ମୃତି ଅସୀମ ଶିତଳତା ପ୍ରଦାନ କରିଥାଏ । ମନ ଓଦା ହୋଇ ଯାଏ ଆଖି ଭିଜା ଭିଜା ଲାଗେ ଏଇ ସ୍ମୃତି ଗୁଡିକୁ ଓଲଟ ପାଲଟ କରୁକରୁ।କିଛି ଖୋଜିବାକୁ ହୁଏନା,ସବୁ ଆପେ ଆପେ ଆଖି ଆଗରେ ଭାସି ଉଠନ୍ତି ଛାଆଁ କୁ ଛାଆଁ ।ହସ ଏବଂ ଲୁହର ଏକ ରୂପତା ଏଠି।ହସ ବି ମିଠା ମିଠା,ଲୁହ ବି ମିଠା ମିଠା।ସ୍ମୃତିର ଲୁହ ଆଖି କୋଣ ଡେଇଁ ଝରି ପଡେନା କେବେ ଗାଲ ଦେଇ ବେଦନାର ସୁଅ ଭଳି।ଓଠ ଛୁଇଁ ପାରେନା କେବେ ସ୍ମୃତି ଝୁରା ଲୁହରୁ ଟୋପେ।ନୂଆ ବୋଉଟିଏ ଯେମିତି ଦାଣ୍ଡ କବାଟ ପଛ ପାଖରୁ ପ୍ରିୟର ଫେରିବା ବାଟକୁ ଚାହିଁଥାଏ ଦାନ୍ତରେ କାମୁଡ଼ି ପଣତ ଧାରକୁ ସେହିଭଳି ସ୍ମୃତିର ଲୁହ ଟୋପେ ଆଖି ପତା ତଳେ ଢଳ ଢଳ ହେଉଥାଏ ମାତ୍ର ଢଳି ପଡ଼େନା କେବେ । ସେଇଥି ପାଇଁ ବୋଧହୁଏ ସ୍ମୃତି ଚାରଣରେ ମନକୁ ଅପାର ତୃପ୍ତି ମିଳିଥାଏ। ମନ ହାଲୁକା ହୋଇଯାଏ। ଦୀର୍ଘଶ୍ଵାସଟିଏ ବାହାରି ଯାଏ ଯଦି କେବେ, ସ୍ମୃତିରେ ଦ୍ରବିଭୂତ ହୋଇ , ଛାତି ତଳେ ବୋଳିଯାଏ ମେଞ୍ଚା ମେଞ୍ଚା ତୃପ୍ତିର ଆଲେପ । ମୁଠେଇ ଧରିବାକୁ ଇଚ୍ଛାହୁଏ ସ୍ମୃତିକୁ ,ଛାଡିବାକୁ ମନ ହୁଏନା ଆସିଯାଏ ଯଦି ସେ ଥରେ।ସେହିପରି ଅବସ୍ଥା ଥିଲା ମୋର।ଶାରୀରିକ ଦୁର୍ବଳତା ସତ୍ତ୍ୱେ ବି ମୁଁ ଅଲଗା ହେବାକୁ ଚାହୁଁ ନଥାଏ ସେ ମିଠା ମିଠା ସ୍ମୃତି ମାନଙ୍କ ଠାରୁ।ଶରତ ଆକାଶର ଫର୍ଦ୍ଦ ଫର୍ଦ୍ଦ ଭାସମାନ ହେମଶୁଭ୍ର ମେଘ ଖଣ୍ଡ ପରି ଗୋଟାକ ପରେ ଗୋଟିଏ କଥା ମନେ ପଡ଼ି ଯାଉଥାଏ, ଏବଂ ସେ ସବୁ କଥାର ଚିତ୍ର ଏବଂ ଚରିତ୍ର ସମସ୍ତ ନାଚି ଉଠୁଥିଲେ ଆଖି ସାମ୍ନାରେ।
ଆମ ଗୋସେଇଁ ବୁଢ଼ା ବାପାଙ୍କ ପରି ଅନେକ ଚରିତ୍ର ଯେମିତି ନଖି ନାନୀ, ସୁକୁଟା,ପୁନିଆଁ ଭାଇ ,ଦଧି ସାହୁ ,ସୁନିଆଁ କୁମ୍ଭାର, ତେଲି ସାହିର ତେଲ ଘଣା ,କୁମ୍ଭାର ର ଚକି , ରାଢ଼ୀ ଘର ଚୁଡା କୁଟା ଢେଙ୍କି,ଗାଁ ଯାତରା, ଦିଅରକୁଣ୍ଡ ମେଳା, ମହାସାଇଁଙ୍କ ଉଆସ ,ଏଇମିତି ଆହୁରି ଅନେକ। ଓଡ଼ିଆ ସଂସ୍କୃତିର ଅଭିନ୍ନ ଅଙ୍ଗ ଭାବରେ ପୁର ପଲ୍ଲୀରେ ପରିଚିତ ପାଲା ଗାୟନ କଥା ଭୁଲି ହୁଏନା।ଅନେକ ପାଲା ଗାୟକ ଦେଖିଛି ମାତ୍ର ଜଣେ ଗାୟକଙ୍କୁ ଆଜି ବି ମନ ଖୋଜେ।ଥାଅନ୍ତେ କି ଫକୀର ପଣ୍ଡା! ମହାଭାରତ ର ଅର୍ଜୁନର ଲାଖବିନ୍ଧା ହେଉ ବା ଭୀମ-ଦୁଃଶା ଯୁଧ୍ୟ ହେଉ, ସତରେ ଜୀବନ୍ତ ହୋଇ ଯାଆନ୍ତି ଚରିତ୍ର ଏବଂ ଚିତ୍ର ସମସ୍ତ ତାଙ୍କର ପରିବେଶଣ ମାଧ୍ୟମରେ ।
ମୋ ବାପାଙ୍କର ଦେହାବଶାନ ହୁଏ ମୋର ଷୋଳ ବର୍ଷ ବୟସ ରେ। ମ୍ୟାଟ୍ରିକ ପରୀକ୍ଷାର ଠିକ ଏଗାର ଦିନ ଆଗରୁ।ବାପାଙ୍କର ଅନ୍ତ୍ୟେଷ୍ଟି କ୍ରିୟାର ଏକାଦଶ ଦିନର କର୍ମ ଘରେ ହେଉଥାଏ ଏବଂ ମୁଁ ମ୍ୟାଟ୍ରିକ ପରୀକ୍ଷା ଦେଉଥାଏ ଆଗରପଡ଼ା ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ।ଆଖିର ଲୁହ, ମନର କୋହ ସବୁ ଏକାକାର ହୋଇ ଝରୁଥାଆନ୍ତି କଲମ ର ମୁନ ରୁ। ମ୍ୟାଟ୍ରିକ ପରୀକ୍ଷା ସହିତ ଜୀବନ ପରୀକ୍ଷାର ଅନେକ ଅସମାହିତ ପ୍ରଶ୍ନ ବି ଅନିୟନ୍ତ୍ରିତ କରୁଥାନ୍ତି ହୃଦୟ
ର ସ୍ପନ୍ଦନକୁ। ଲୁହ ଭରା ଆଖିକୁ ସ୍ପଷ୍ଟ ଅକ୍ଷର ଝାପସା ଦିଶିଲା ଭଳି ,ଅନେକ ସହଜ ସମାହିତ ପ୍ରଶ୍ନ ବି ଉପଯୁକ୍ତ ଶବ୍ଦ ଅଭାବରେ ଅସମାହିତ ହେବାକୁ ବିବସ ହେଉ ଥାଆନ୍ତି।
ଚିତ୍ତ ସ୍ଥିର କରିବାର ପ୍ରୟାସ ମୋର ବାରମ୍ବାର
ଅସଫଳ ହେବାର ଅନୁଭୁତି ବ୍ୟଥିତ କରୁଥାଏ। ସେ ସବୁ ପରିସ୍ଥିତି ସହିତ ସାମଞ୍ଜସ୍ୟ ସ୍ଥାପିତ କରୁ କରୁ ମୋ ଜୀବନର ଅତି ମହତ୍ୱପୂର୍ଣ୍ଣ ପରୀକ୍ଷା କୁ ସାମନା କରୁଥାଏ ମୁଁ।
ତାପରେ ଆମ ଗୋସେଇଁ ବୁଢା ବାପାଙ୍କର ଅନ୍ୟ ଏକ ରୂପ ମୋତେ ପ୍ରଭାବିତ କରେ।ବ୍ରାହ୍ମଣ ପରିବାର, ପୁରୋହିତି ପେଶା।ଅଚାନକ ପୁରୋହିତଙ୍କ ର ଦେହାବଶାନ,ଏତେ ବଡ଼ ଯଜମାନି ଚଳେଇବ କିଏ? ମୁଁ ସାଧାରଣ ପୂଜା ପାଠ ଜାଣି ସାରିଥାଏ ମାତ୍ର କେବେ ଏକା ସ୍ୱତନ୍ତ୍ର ଭାବେ କୌଣସି ପୂଜା କରି ନଥାଏ।ତେଣୁ ଡର ଲାଗୁଥାଏ।ସେତେବେଳେ ଗୋସେଇଁ ବୁଢା ଆଗେଇ ଆସିଲେ।ମୋତେ ସାଙ୍ଗରେ ନେଇ କେତେକ ପୂଜା ପାଠ କରାଇଲେ।ପାଠ ସହିତ ଶାଠ ବି ଅନେକ ସମୟରେ ଅନେକ ଦରକାରୀ ସାବ୍ୟସ୍ତ ହୁଏ।ଯେଉଁ ବିନ୍ଦୁ ଉପରେ କେବେ ମୁଁ ଧ୍ୟାନ ଦେବା ଜରୁରୀ ମଣି ନଥିଲି , ସେହି ଗୁଡିକର ଉପାଦେୟତା ଜାଣିବାକୁ ପାଇଲି ଗୋସେଇଁଙ୍କ ଠାରୁ।ମେଘାଚ୍ଛନ୍ନ କାଲରାତ୍ରୀ ରେ ବିଜୁଳି ର ଚମକ ପରି ମୋର ପଥପ୍ରଦର୍ଶକ ସାଜିଥିଲେ ଆମ ଗୋସେଇଁ ବୁଢା।ପରେ ପରେ ମୋର ଆତ୍ମବିଶ୍ବାସ ବଢ଼ିଲା,ଏବଂ ଧିରେ ଧିରେ ମୁଁ ଯଜମାନୀ ସମ୍ଭାଳି ନେଲି।
ସମୟ ର ସୁଅ ରେ ଧୋଇଯାଏ କେବେ କେବେ କେତେ ନଈ ପଠା,ପୁଣି ସୃଷ୍ଟି ହୋଇ ବି ପାରେ ନୂଆ ଏକ ଉପତ୍ୟକା। ଘଆ ଦିଏ କାଳ,ସହିବାକୁ ଧୈର୍ଯ୍ୟ ଦିଏ ,ଧିରେ ଧିରେ ସେହି ଧୈର୍ଯ୍ୟ ମଲମ ର ରୂପ ନିଏ ଏବଂ ଦେହସୁହା ହୋଇ ଯାଉଥିବା ବେଦନାକୁ ଆବୋରି ଜୀବନ ହସିବାକୁ ଚେଷ୍ଟା କରେ। ସେହି ଭଳି ଗତାନୁଗତିକ ଧାରାରେ ବିତୁ ଥାଏ ସମୟ।ଲୟଚ୍ୟୁତ ଜୀବନ ସଙ୍ଗୀତର ସ୍ୱର ଲୟବଦ୍ଧ ହେଉଥାଏ କ୍ରମଶଃ।ଭଦ୍ରକ କଲେଜ ରେ ନିଜର ଶିକ୍ଷା ସମାପ୍ତ କରୁ କରୁ ,ଭାରତୀୟ ରେଲୱେ ରେ ସହାୟକ ଷ୍ଟେସନ ମାଷ୍ଟର ଭାବରେ ନିଯୁକ୍ତି ହୁଏ ପୂର୍ବ ରେଲୱେ ଧାନବାଦ ଡିଭିଜନ ରେ। ସେଦିନର ଖୁସିର ମୁହୂର୍ତ୍ତ ମୋତେ ଘରଛଡ଼ା କରିଦେଵ ଏହାର କଳ୍ପନା କେବେ ମୁଁ କରି ନଥିଲି।ସେ ଯାହା ହେଉ ଆମ ଘର ସଜାଡ଼ିବା ପାଇଁ ମୁଁ ମୋ ଘର ଛାଡ଼ି ଦେଲି।ସେହି ଦିନରୁ ଯେ ଘର ଛାଡିଛି ଆଜି ଯାଏ ବାହୁଡ଼ି ପାରିନି,ପାରିବିନି ଆଉ। ଏ ସବୁ କଥା ଚିନ୍ତା କଲା ବେଳେ ଆଗ ପରି ଆଉ ଲୁହ ଜକେଇ ଆସୁନି , ମାତ୍ର ହୃଦୟର କେଉଁ ଅଭ୍ୟନ୍ତର ଅନ୍ଧାରି ରେ ବିରାଟ ଏକ ଶୁନ୍ୟତା ଅନୁଭୂତ ହେଉଛି ନିଶ୍ଚୟ।ଚେୟାର ରେ ବସି ଟେବୁଲ ଲେମ୍ପ କୁ ଜଳାଉଥିବା ଲିଭଉଥିବା ଚଳଚିତ୍ର ନାୟକର ବିବସତା ପରି ହନ୍ତସନ୍ତ ହୁଏ କେବଳ କିଂକର୍ତ୍ତଵ୍ୟବିମୁଢ ବିକଳ ଅଭିଳାଶା ଟିକିଏ।
ବାଁ ହାତ ପାପୁଲିରେ ଆଖି ମଳି ମଳି ମଲା ମୁହୂର୍ତ୍ତ ଗୁଡିକୁ ନିରଖୁଥିଲି। ଘର ପରିବାର ଛାଡି ବାହାରେ ପୁଣି ହିନ୍ଦୀ ଭାଷୀ ରାଜ୍ୟ ବିହାର ରେ ରହିବାରେ ନିଜକୁ ଅଭ୍ୟସ୍ତ କରୁଥାଏ।
ସେତେବେଳେ ମୋବାଇଲ ଫୋନ ର ଚଳନ ଆରମ୍ଭ ହୋଇ ନଥିଲା।ଚିଠି ହିଁ ଏକ ମାତ୍ର ସାଧନ ଥିଲା ଖବର ବିନିମୟର।ଡାକିଆ ର ବାଟ ଅନେଇ ରହିବାକୁ ପଡୁଥିଲା।କେବେ କେବେ ଡାକିଆ ବି ଦି ତିନି ଦିନ ଯାଏ ଆସେ ନାହିଁ। ଦିନେ ଗୋଟେ ଚିଠି ପାଇଲି;ଗୋସେଇଁ ଚାଲିଗଲେ। ତାରିଖ ଦେଖିଲି ସତର ଦିନ ପୂର୍ବର।ବହୁତ ଖାଲି ଖାଲି ଲାଗିଲା ବହୁତ ଦିନ ଯାଏ।ଆଜି ବି ତାଙ୍କ କଥା ମନେ ପଡିଲେ ମନଟା ଉଦାସ ହୋଇଯାଏ।