STORYMIRROR

Dr Baman Chandra Dixit

Inspirational

4  

Dr Baman Chandra Dixit

Inspirational

ଭାଗ ବଣ୍ଟରା

ଭାଗ ବଣ୍ଟରା

4 mins
377


       

          

ଜମି ବାଡ଼ି ଭାଗବାଣ୍ଟ ହେଉ ହେଉ ବାପା ମା'ଙ୍କ ଭାଗବଣ୍ଟରା ହେବ ଏହା ମୁଁ ଅନୁମାନ କରି ନଥିଲି।କଥା ଯେତେବେଳେ ଉଠିଲା ଅତି ମର୍ମାହତ ହେଲି। ବାପା ମା'ଙ୍କୁ ଏ ବୟସରେ ଅଲଗା ରହିବାକୁ ବାଧ୍ୟ କରିବା କଣ ଠିକ ହେବ? ଗୋଟେ ଉପାୟ ମନକୁ ଆସିଲା।

ସଫା ସଫା କହି ଦେଲି ମୁଁ, ଜମିବାଡ଼ି କଥା ଯାହା ଭାବୁଛ କର ମୋର କୌଣସି ଆପତ୍ତି ନାହିଁ କିନ୍ତୁ ମା' ମୋ ପାଖରେ ରହିବ। ଖୁସି ଖୁସି ସେମାନେ ବି ରାଜି ହୋଇଗଲେ।ବେମାରିଆ ମା'ଟି ତ,କିଏ ପଶିବ ଏତେ ଝାମେଲାରେ।ଆଜି ବିପି ତ କାଲି ଶୁଗାର 

ଆଜି ଝାଡ଼ା ତ କାଲି ଜର,ଆଜି ଏ ଡାକ୍ତର ତ କାଲି ସେ ଡାକ୍ତର ,ଏବେ ଅମୁକେଇ ଔଷଧ ତ କେବେ ସମୁକେଇ ସିରପ।ଦର ଦାମ ରେ ନିଆଁ ଲାଗିଛି ଯେମିତି , କେତେବେଳେ ଶହେ ହଜାରେ ହଉ ହଉ ଲକ୍ଷ୍ୟ ପହଂଚି ଯିବ ଜାଣି ହେବନାହିଁ।ସବୁ ବୁଝିପାରୁଥାଏ ମୁଁ। ମୁଁ ପୁଣି ଦୋହରେଇଲି ମୋ କଥା ।ମୁଁ ଚାହେଁ ମା ମୋ ପାଖରେ ରହୁ ଦିହ'ପା ଟିକେ ଭଲ ହେଉ ତା ପରେ ଯାହା ହବ ଦେଖାଯିବ। ଏ କଥା ପଦକ ଶୁଣିବା ପରେ ସମସ୍ତଙ୍କ ଚେହେରା ଟିକେ ଆଶ୍ୱସ୍ତ ଦେଖାଗଲା ପରି ଅନୁଭବ କଲି ମୁଁ। ସମସ୍ତେ ଖୁସି;ସେମାନେ ବି ମୁଁ ବି।ମାତ୍ର ମା' ର ମୁହଁରୁ କିଛି ବାରି ହେଉ ନଥାଏ।

 ସେ ଖୁସୀ କି ଦୁଃଖୀ କିଛି ଜଣା ପଡୁ ନଥାଏ। ଏଇଟା ବି ସେମିତି କିଛି ଗୋଟେ ସୁନ୍ଦର ସୁଖଦ ପରିସ୍ଥିତି ନୁହେଁ କି ମନ ଗଦ୍ ଗଦ୍ ହୋଇଯିବ।ଗଲା ହପ୍ତା ବାପାଙ୍କ ଦେହ ଖରାପ କଥା ଶୁଣି ମୁଁ ଗାଁକୁ ଆସିଥାଏ ।ଆସି ଦେଖେ ବାପାଙ୍କର ଅସୁସ୍ଥତା ଠାରୁ ମାନସିକ ଦୁଶ୍ଚିନ୍ତା ବେଶୀ।ଘରର ସମସ୍ତଙ୍କ ମିଯାଜ ବି ସେମିତି ଠିକ ଲାଗୁନଥାଏ।ଏକାନ୍ତରେ ମା'କୁ ପଚାରିଲି। ମା' ଯାହା କହିଲା ଏଇଟା କିଛି ନୂଆ କଥା ବି ନଥିଲା।ମୋ ଚାକିରୀ ପରଠାରୁ ବାପା-ମା'ଙ୍କର ଦାୟିତ୍ୱ କୁ ନେଇ ଗୋଟେ ଅଘୋଷିତ ତକରାଳ ଚାଲିଥିଲା ଆମ ଘରେ। କାହା ପାଖରେ ରହିବେ ଗାଁରେ କି ମୋ ପାଖରେ?ବଡ଼ ଭାଇ ଦୁଇ ଜଣ ଯାକ ଭାବୁଥାନ୍ତି ମୋର ସରକାରୀ, ଚାକିରୀ ବାହାରେ ରହୁଛି, ଭଲ ଦରମା ।ତେଣୁ ସେମାନେ କାହିଁକି ବାପା-ମା'ଙ୍କ ଖର୍ଚ୍ଚ ତୁଲେଇବେ। କିନ୍ତୁ କେହି ମୋତେ ମୁହାଁମୁହିଁ କହି ପାରୁନଥିଲେ।ମୁଁ ଗଲା ପରେ ପରେ ବାପା ମା'ଙ୍କୁ ସେଇ କଥା କହି କହି ବିରକ୍ତ କରିବା ନିତ୍ୟ ନିୟମିତ କଥା ହୋଇ ସାରିଥାଏ।ମୋତେ ବାପା କି ମା' କେହି ବି ଏକଥା କୁହନ୍ତି ନାହିଁ।ତଥାପି ମୋ ମନରେ ଆଶଙ୍କା ତ ଥାଏ। ସେ ଯାହା ହେଉ ମୁଁ ନିଶ୍ଚିତ କଲି ଏହାର ସ୍ଥାୟୀ ସମାଧାନ ଦରକାର ନହେଲେ ବାପାଙ୍କ ଦେହ ଆହୁରି ଖରାପ ହୋଇଯିବ।ତେଣୁ ଜମିବାଡ଼ି ଭାଗ କଥା ମୋ ତରଫରୁ ଉଠେଇଲି।ମୋର କଥା ଆରମ୍ଭ କରିବା ସଙ୍ଗେ ସଙ୍ଗେ ସମସ୍ତେ ସକ୍ରିୟ ହୋଇଗଲେ।ମୋର ଅମକେଇ ତା'ର ସମକେଇ ଆଉ ତୋର ଢମକେଇ ବିଲବାଡ଼ି ଇତ୍ୟାଦି ଇତ୍ୟାଦି।ତାପରେ ବାପା-ମା'ଙ୍କ କଥା।ଆମେ ତ ଗାଁରେ ରହୁଛୁ, ବାପା ଆମ ପାଖରେ ଛ ମାସ ମା' ତୋ ପାଖରେ ଛ'ମାସ ତାପରେ ଯଦି ତାଙ୍କୁ ଭଲ ନଲାଗେ ତାହେଲେ ମା' ଆମ ପାଖରେ ବାପା ତୋ ପାଖରେ ରହିବେ।ବୟସ ହେଲାଣି, ଦୁଇଜଣଯାକ ବେମାର ରହୁଛନ୍ତି।ଏକା ଜାଗାରେ ରହିଲେ ଦି ଦି ଜଣ ବେମାରିଆ ଲୋକଙ୍କ ଯତ୍ନ ନେବା କଷ୍ଟସାଧ୍ୟ ହୋଇପଡିବ।

  ମୋ ମନକୁ ଗୋଟେ ଉପାୟ ଆସିଲା।ମୁଁ ଅଧିକାର ସ୍ୱରରେ କହିଲି-ମୋର ମା' ଦରକାର।


     ବାପା ଏବଂ ମା' ଦିଜଣଙ୍କର ଆଲମାରୀ ଗୋଟେ। ସବୁ ଲୁଗା ପଟାକୁ ଖେଳେଇ ଖେଳେଇ ଖଟ ଉପରେ ଗଦା କଲାଣି ମା'।ବାପାଙ୍କ ଧୋତି କୁର୍ତ୍ତା , ଗେଂଜି ଗାମୁଛା ସବୁ,ଅଲଗା କରି ରଖୁଥାଏ ନିଜର ଶାଢ଼ୀ ସାୟା ବ୍ଲାଉଜ ଇତ୍ୟାଦି କୁ ଅଲଗା କରି ରଖୁଥାଏ।ମୋର ଯିବାର ବେଳ ପାଖେଇ ଆସୁଥାଏ,ଏହାରି ଭିତରେ ବାପାଙ୍କ ଲୁଗା ପଟା ସବୁ କୁ ସଜେଇ ରଖିବାକୁ ହେବ ଏବଂ ନିଜର ସବୁ ଲୁଗା ପଟାକୁ ପେକିଙ୍ଗ କରିବାକୁ ହେବ।ଶୀଘ୍ର ଶୀଘ୍ର ସବୁ କାମ କରୁଥାଏ ମା'।ମୁଁ ବି କପଡା ଚଉତେଇବାରେ ସାହାଯ୍ୟ କରୁଥାଏ। ମୁଁ ବେଶ୍ ଅନୁଭବ କରି ପାରୁଥିଲି ତାର ଅନ୍ୟମନସ୍କତା କୁ।ଜଲଦି ଜଲଦି ସବୁ କରିବାକୁ ତ ଚାହୁଁଥାଏ ମାତ୍ର ବେଳେ ବେଳେ ଏପଟ ଲୁଗା ସେପଟେ ସେ ପଟ ଲୁଗା କୁ ଏପଟେ ରଖି ପୁଣି ଏପଟ ସେ ପଟ କରୁଥାଏ।ଜାଣିଶୁଣି ଏମିତି କରୁଥାଏ କି ତରବରରେ କାମ କରୁଥିବା ଯୋଗୁଁ ଏମିତି ହୋଇଯାଉଥାଏ ତାହା ବୁଝିବା ବି କଠିନ ଜଣାପଡୁଥାଏ।ବେଳେ ବେଳେ ମୋ ଆଡ଼କୁ ଚାହୁଁଥାଏ ଆଶାୟୀ ଦୃଷ୍ଟିରେ।ପୁଣି କଣ ଭାବି ନିଜ କାମରେ ବ୍ୟସ୍ତ ହେବାର ବାହାନା ଖୋଜୁଥିଲା ଭଳି ଲାଗୁଥାଏ।ସ୍ପଷ୍ଟ ଅନୁମାନ କରିପାରୁଥାଏ ମୁଁ; ସେ ମୋତେ କିଛି କହିବାକୁ ଚାହୁଁଥାଏ , ମାତ୍ର କହିବ କି ନାହିଁ ଏହି ଦ୍ବଂଦଗ୍ରସ୍ତ ମନଃସ୍ଥିତି ଦେଇ ଗତିକରୁଥାଏ ସେ।

:-କଣ ହେଲା ମା , କିଛି କହିବାକୁ ଚାହୁଁଛୁ କି? ଯଦି ଯିବାକୁ ନ ଚାହୁଁଛୁ କହ ମୁଁ ଆଉ କିଛି ବ୍ୟବସ୍ଥା କରିବି। ପୁଣି ଯେବେ ତୋର ଯିବାକୁ ମନ ହବ କହିବୁ ଆସି ନେଇଯିବି।

ଟିକିଏ ନୀରବତା ପରେ ମା' କହିଲା "ତୋ ବାପାଙ୍କ ଦେହ ବି ଆଜିକାଲି ଭଲ ରହୁନି ରେ ,ଗଲା ମାସ ଟିକିଏ ସର୍ଦ୍ଦି ହେଲା ଯେ ଦଶ ଦିନ ବିଛଣାରୁ ଉଠି ପାରିଲେନି।ପାରାସିଟାମଲ ଗୋଟେ ଦେଇଦେଲେ ଦାୟିତ୍ୱ ସରିଯାଏ ବୋଲି ଯେଉଁ ମାନେ ଭାବନ୍ତି ସେଠି ଜର ନୂଆର ବି ବେଶୀ ଦିନ ରହେନି। ହୁଏତ ଦେହ ବି ଠିକ ହୋଇ ଯାଇ ପାରେ ଦି ପାନ ଔଷଧ ପରେ, ହେଲେ ମନର କଥା ବୁଝେ କିଏ!ଗୋଡ଼ ହାତ ଘୁଳେଇ ହେଲେ କାହାକୁ କହିବେ?ରାତିରେ କାଶ ହବା ଟା ନିତି ଦିନିଆଁ କଥା , ପାଣି ଗିଲାସ ଟା କିଏ ବଢ଼େଇ ଦବ।ଏ ସବୁ ଭାବି ମୋତେ ଭଲ ଲାଗୁନି।ଏଠିକାର ପରିସ୍ଥିତି ଯାହା , କହିଲେ ବି କେହି ଶୁଣିବେ ନାହିଁ।ତୁ ବି କଣ କରିବୁ ,କେତେ ଜଣକୁ ପୋଷିବୁ ବକଟେ ଦରମାରେ!ସହର ରେ ସବୁ ଜିନିଷ କିଣା ,ପାଣି ଠାରୁ ପବନ ଯାଏ। ହଉ ଯାହା ହବ ଦେଖାଯିବ।ତୁ ଯା ମୁଁ ସବୁ ଜିନିଷ ପେକ କରି ଦେଉଛି।ସବୁ ଠାକୁରଙ୍କ ଇଚ୍ଛା।"

    ମୁଁ ଜାଣିଥିଲି ଏ ସବୁ।ସେଇଥି ପାଇଁ ଆଗରୁ ଆଉ ଗୋଟେ ଆଟାଚି ଖାଲି କରି ରଖି ଥାଏ।ସେଥିରେ ସବୁ ଲୁଗାପଟାକୁ ରଖିବାକୁ ଲାଗିଲି।ମା' ର କପଡା ସାଙ୍ଗରେ ବାପାଙ୍କର ଧଳା ମଖମଲି କପଡାର ସାଲୱାର-ପଞ୍ଜାବୀ ଏବଂ ଅନ୍ୟାନ୍ୟ କପଡା ରଖିଲା ବେଳକୁ ମା'ର କାନ୍ଦ କାନ୍ଦ ମୁହଁକୁ ନଦେଖିଲା ଭଳି ମୁଁ କାମରେ ବ୍ୟସ୍ତ ଥାଏ।ମୁଁ କାଳେ ଜାଣିପାରିବି ଭାବି ମା' ବି ଅନ୍ୟ କାମ ବାହାନାରେ ବାହାରକୁ ଚାଲିଗଲା।ବାପା ମା' ଦୁଇ ଜଣଙ୍କର ଜିନିଷ ପେକ କରି ସମସ୍ତଙ୍କୁ ଶୁଣେଇଲା ଭଳି କହିଲି-"ମୁଁ ଯେବେ ଠାରୁ ଚାକିରି କଲିଣି ତେବେଠୁଁ କୌଣସି ନା କୌଣସି କାମ ବାହାନା ରେ ବାପା ମୋ ପାଖରେ ଦି ଚାରି ଦିନ ବି ରହିପାରିନାହାନ୍ତି।ମୁଁ ଭାବୁଛି ଏଥର ବାପା ମା' ଦିଜଣଙ୍କୁ ମୋ ପାଖକୁ ନେଇ ଯିବି ସେଇଠି ରୁହନ୍ତୁ କିଛି ଦିନ ତାପରେ ଯାହା ହେବ ଦେଖିବା। ଜମି ବାଡ଼ି ଯାହା ଭାଗ ବାଂଟ କରିବ ମୋତେ ଜଣେଇ ଦେବ। ଯାହା ନିଷ୍ପତ୍ତି ହୋଇ ସାରିଛି ସେଥିରେ ମୁଁ ରାଜି।ଆଉ ରହିଲା ବାପାଙ୍କ କଥା। ବର୍ତ୍ତମାନ ମାସେ ଦିମାସ ମୋ ପାଖରେ ରୁହନ୍ତୁ।ଆଜିଯାଏ ବାପା ମା' ପରସ୍ପର ଠାରୁ ଅଲଗା ହୋଇ ରହିନାହାନ୍ତି। ହଠାତ ତାଙ୍କୁ ଅଲଗା କରିବା ଠିକ ହେବନି, ସେମାନଙ୍କୁ କିଛିଦିନ ମିଳିବା ଦରକାର ନିଜକୁ ପ୍ରସ୍ତୁତ କରିବା ପାଇଁ।ତେଣୁ ଭାଗବାଣ୍ଟର ନିଷ୍ପତ୍ତି ଚୂଡାନ୍ତ ହେବା ଯାଏ ସେ ଦୁହେଁ ମୋ ପାଖରେ ଥାଆନ୍ତୁ।ତାପରେ ଯାହା ହେବ ଦେଖାଯିବ।ତାଙ୍କ ଖର୍ଚ୍ଚବର୍ଚ୍ଚ ପାଇଁ ଯାହା ତୁମେ ଠିକ ଭାବିବ ସେଇଆ କର,ମୋର କୌଣସି ଆପତ୍ତି ନାହିଁ। ଏ ବୟସରେ ବାପା ମା'ଙ୍କୁ ଭାଗ କରିବା ଉଚିତ ନୁହେଁ। 

ଦାଣ୍ଡ ଦୁଆରେ ରିକ୍ସାର ପେଁ..ପେଁ... ଶବ୍ଦ ଶୁଭିଲା।

  ଏତେ ସହଜରେ ଭାଗବାଣ୍ଟ ସରିଯିବ ବୋଲି କେହି ଆଶା କରିନଥିଲେ।



Rate this content
Log in

Similar oriya story from Inspirational