Baman Chandra Dixit

Abstract Classics

4.4  

Baman Chandra Dixit

Abstract Classics

ସୁକୁଟା

ସୁକୁଟା

5 mins
243



      ପନ୍ଦର କୋଡିଏ ବର୍ଷ ପରେ ବୋଧେ ତା ସହିତ ଦେଖା ହେଲା ସେଦିନ। ଗୋବର ପାଛିଆଟାକୁ ତଳେ ରଖି ମୋ ମୁହଁକୁ ନିରେଖି ଦେଖି ମୋତେ ଚିହ୍ନିବାକୁ ଚେଷ୍ଟା କରୁଥିଲା ସେ।ବଡ ବଡ ଆଖି ଦୁଇଟାକୁ ତରାଟି ଦେଖୁଥାଏ ସେ ,ଆଖି ଦୁଇଟି କୋରଡକୁ ଠେଲି ବାହାରି ଆସିଲା ଭଳି ଲାଗୁଥିଲା।ଅନେକ ଦିନ ହେଲା ଦୁଇ ଆଖିକୁ ଘୋଡେଇ ରଖିଥିବା ମୋତିଆ ବିନ୍ଦୁ ବଢି ବଢି ଆଖି ଦୁଇଟିକୁ ନଷ୍ଟ କରିବା ପାଇଁ ଉଦ୍ୟମ କରୁଥାଏ ,ସେ କିନ୍ତୁ ନିର୍ବିକାର।ଜବର୍ଦ୍ଦସ୍ତି ସେଇ ଆଖିକୁ ଉପରକୁ ଉଠେଇ ଦେଖିବାକୁ ଚେଷ୍ଟା କରୁଥାଏ।ନିଜର ଝାପସା ଝାପସା ଦୃଷ୍ଟି ଶକ୍ତି କୁ ସମ୍ବଳ କରି ସେ ତା ଅନୁମାନ କୁ ସତ୍ୟ ସିଦ୍ଧ କରୁଥାଏ। ତା ମୁହଁ ରେ ଖେଳି ଯାଉଥିବା ହର୍ଷୋତ୍ଫୁଲ୍ଲ ଭାବ ତା ଆଖିକୁ ଜାବୁଡି ଧରିଥିବା ମୋତିଆ ବିନ୍ଦୁ କୁ ଉପହାସ କରୁଥାଏ ବୋଧେ।ମୋ ମାମୁଁ ଲୋ ବୋଲି କହୁ କହୁ ସେ ତା ହାତ ସାରା ଲାଗିଥିବା ଗୋବରକୁ ସଡକ କଡର ଘାସ ଉପରେ ଏପଟ ସେପଟ କରି ପୋଛିବାକୁ ଚେଷ୍ଟା କଲା।ତାପରେ ନିଜ ହାତ କୁ ଚାହିଁ ଦେଖିଲା।ତଥାପି ଗୋବର ମେଞ୍ଚା ମେଞ୍ଚା ଲାଗିଥାଏ ହାତରେ,ଆଙ୍ଗୁଳି ସନ୍ଧିରେ।ନିଜ ଅଣ୍ଟା ରେ ଗୁଡ଼େଇଥିବା ଗାମୁଛାଟିକୁ ଖୋଲି ରଗଡି ରଗଡି ହାତ ପୋଛିବା ପାଇଁ ଚେଷ୍ଟା ବି ବିଫଳ ହେଉଥାଏ ତାର,କାରଣ ଗାମୁଛା ଟା ସାରା ବି ଗୋବର ଲାଗିଥାଏ।ଗୋବର ପାଛିଆ ତଳୁ ନିଗୁଡୁଥିବା ପାଣିଆ ଗୋବରର ଚିହ୍ନ ରେ ଚିତ୍ରିତ ହୋଇ ଯାଇଥାଏ ଗାମୁଛାଟା ସାରା।ପାଦ ଛୁଇଁ ଜୁହାର ହେବାକୁ ଚାହୁଁଥାଏ ସେ ମାତ୍ର ନିଜ ହାତ କୁ ପୋଛି ପାଛି ସାରିବା ପରେ ବି ସେ ମୋ ପାଦ କୁ ଛୁଇଁବା ପାଇଁ କୁଣ୍ଠା ବୋଧ କରୁଥାଏ ବୋଧେ।ତେଣୁ ପାଦ ନ ଛୁଇଁ ଭୂଇଁ କୁ ଛୁଇଁ ଜୁହାର ହେଲା। ଠିକ ସେହି ସମୟରେ ମୋ ମୋବାଇଲରେ କଲ ଆସିଲା ,ମୁଁ କଥା ହେଉ ହେଉ ତା ଜୁହାର ର ପ୍ରତ୍ୟତ୍ତର କେବଳ ହାତ ହଲେଇ ଦେଲି।ମୋତେ ଲାଗୁଥିଲା ସତେ ଯେମିତି ସିଏ କିଛି କହିବାକୁ ଚାହୁଁଛି,ମାତ୍ର ମୁଁ ମୋବାଇଲରେ ବ୍ୟସ୍ତ ଅଛି ବୋଲି କହି ପାରୁନାହିଁ।ହାତର ଇଶାରାରେ ତାକୁ ଟିକେ ଅପେକ୍ଷା କରିବାକୁ କହିଲି।ତାକୁ ଉଛର ହେଉଥାଏ ବୋଧେ।ମୁଁ ଏପଟ ସେପଟ ଟହଲୁ ଟହଲୁ କଥା ହେଉଥାଏ।କାମ କୁ ବି ବହୁତ ଡେରି ହେଉଥାଏ ତାକୁ।ଥରେ ଦି ଥର ମୋ ଆଡ଼କୁ ଚାହିଁ ତାର ଗୋବର ପାଛିଆ ଉଠେଇ କେତେବେଳେ ଚାଲି ଯାଇଥିଲା ମୁଁ ଧ୍ୟାନ ଦେଇ ପାରିନଥିଲି। ମୋର କଥା ସରିବା ପରେ ଦେଖିଲି ସେ ଆଉ ନଥିଲା ସେଠାରେ।ଭାବିଲି ଲୋକଟା ଜୁହାର ହେଇକି ଗଲା,କିଛି କହିବ କହିବ ହେଉଥିଲା ବୋଧେ। ତାକୁ ପଦେ କିଛି କହି ନପାରିବାର ଅପରାଧାବୋଧ ଅନୁଭବ କରୁଥାଏ ମୁଁ।ଭାବିଲି,ହଉ ଏଇଠି କଉଠି କାହାରି ଘରେ କାମ କରୁଥିବ,ଟିକିଏ ପରେ ପୁଣି ଦେଖା ହେବ।


 ଗାଁ ମୁଣ୍ଡ ମହାଦେବ ମନ୍ଦିର ପାଖରେ ଠିଆ ହୋଇ ଥାଏ ମୁଁ।ଗୋବର ପାଛିଆ କାଖେଇ ସିଏ ପୁଣି ସେଇ ବାଟ ଦେଇ ଗଲା,କିଛି ସମୟ ପରେ ଗୋବର ଗାଡ଼ିଆରେ ଗୋବର ପକେଇ ଫେରିଲା ସୁକୁଟା। ସୁକୁଟା ,କାହିଁ କେତେ ଦିନରୁ ସେ ଆମ ଗୁହାଳ ସଫା କରି ଆସୁଛି।ମୋରି ବୟସରେ ହେବ ସିଏ।ସେତେବେଳେ ଯବାନ ଟୋକା ଥିଲା ଏବେ ବୁଢା ହେଲାଣି।ତାର ସ୍ୱାସ୍ଥ୍ୟ ବି ଠିକ୍ ଠାକ୍ ; ତା ଚେହେରାରୁ ବାର୍ଦ୍ଧକ୍ୟ ବାରି ହେଉନାହିଁ ଆଜି ବି।ମୋ ଚାକିରୀକୁ ପଇଁତିରିଶ ବର୍ଷ ହେଲାଣି ,ଏଇଥିରୁ ଅନୁମାନ କଲେ ସିଏ ଆମ ଘରେ ପାଖାପାଖି ଚାଳିଶ ବର୍ଷ ହେଲା କାମ କରି ଆସୁଛି।ଆମ ସାହିର ତିନି ଜଣଙ୍କ ଘରେ ସେ କାମ କରେ ।ଆମ ଘରେ, ଏବଂ ଦୁଇ କକେଇଙ୍କ ଘରେ।ସେତେବେଳେ ବି ଖଣ୍ଡେ ଗାମୁଛା ପିନ୍ଧୁଥିଲା ସେ ଖଣ୍ଡେ ଅଣ୍ଟାରେ ଗୁଡେଇ ହେଉଥିଲା।ଆଜି ବି ତାର ରୂପ ସେଇଆ, କେବଳ ପିନ୍ଧିବା ଗାମୁଛା ବଦଳରେ ଲୁଙ୍ଗି ଖଣ୍ଡେ ବେଢ଼େଇ ହୋଇ ଥାଏ।ତା ଉପରେ ଖଣ୍ଡେ ଗାମୁଛା ବେଢ଼େଇ ହୋଇଥାଏ।ଗୋବର ବୋହି ବୋହି ଜର୍ଜର ହୋଇ ଯାଇଥିବା ପାଛିଆ ଲାଗି ଲୁଙ୍ଗି ଚିରି ନଯାଉ ସେଇଥି ପାଇଁ ସେ ଗାମୁଛା ଖଣ୍ଡିକୁ ଗୁଡ଼େଇ ଥାଏ ଲୁଙ୍ଗି ଉପରେ।ଆଉ ଅଧିକ କିଛି ବଦଳିଲା ଭଳି ଲାଗୁ ନଥାଏ।କେବଳ ତା ଗୋଦଡ଼ ଗୋଡ଼ଟା ଆଜି କାଲି ଆହୁରି ଅଧିକ ଗୋଲ ମାଟୋଲ ହୋଇ ଯାଇଥାଏ ।ବାଁ ଗୋଡ଼ ଟି ଗୋଦଡ଼, ଗୋଇଁଠି ଉପରକୁ ଖଣ୍ଡେ କଳା ସୂତା ବନ୍ଧା ହୋଇ ଥାଏ ,ସେଇଟା ବି ମାଉଁସ ଭିତରକୁ ପଶି ଯିବାକୁ ଚାହୁଁଥିବା ଭଳି ଜଣା ପଡୁଥାଏ।କେଉଁ ଗୋଟିଏ ବଇଦର ଡେଉଁରିଆ ତେ ବନ୍ଧା ହୋଇ ଥାଏ ତାର ଗୋଡ଼ର ଗୋଡ଼କୁ ଠିକ କରିବାର ଆଶାକୁ ଜାବୁଡି ଧରି।

ମୋତିଆ ବିନ୍ଦୁ ର ପ୍ରଭାବରୁ ଆଖି ଦିଟା ତାର ବାହାରକୁ ବାହାରି ଆସିଲା ପରି ଦେଖା ଯାଉଥାଏ,ସେଇଥି ପାଇଁ ସେ ଠିକ ଭାବରେ ଦେଖି ପାରୁ ନଥାଏ।କାହିଁ କେତେ ଦିନରୁ ତାର ଏ ଅବସ୍ଥା।ମୁହଁକୁ ଉଠେଇ ମୋତେ ଦେଖିବାକୁ ଚେଷ୍ଟା କରୁଥିଲା ସେ।ମୋଠାରୁ ବହୁତ ବେଶୀ ବଡ଼ ନୁହେଁ ସେ ଏଇ ବର୍ଷେ ଦି ବର୍ଷ ବଡ଼ ହୋଇ ପାରେ,ସମବୟଷ୍କ ବି ହୋଇ ପାରେ।ମାତ୍ର ସେ ମୋତେ ମାମୁଁ ବୋଲି ଡାକେ।ତା ମା ମୋ ମା କୁ ଧରମ ମା ବସେଇଥିଲା।ସେ ଦୃଷ୍ଟିରୁ ମୁଁ ତା ମା ର ଭାଇ ଅର୍ଥାତ ତାର ମାମୁଁ।କହୁଥିଲା ସେ

ମୋ ମାମୁଁ ଲୋ! କେତେ ଦିନ ହେଲା ତତେ ଦେଖିନି ଲୋ ମାମୁଁ।ଘରୁକୁ ଯାଇକି ମା କୁ କଇମି ମାମୁଁ ଆସିଛି।ସିଏ ବି ଭଉତ ଖୁସି ହବ।

ମୁଁ କହିଲି ହଉ ଠିକ ଅଛି।ଯା ତୋ କାମ ସାର।ଏଇଠି ଠିଆ ହେଲେ ତୋତେ ଡେରି ହେବ।ତଥାପି ସେ ଯାଉ ନଥାଏ।ମୁଁ କହିଲି କିଛି କହିବାକୁ ଚାହୁଁଛୁ କି? କଣ କହିବୁ କହୁନୁ।କୁନି ଛୁଆଟିଏ ଜିଦ୍ଧି କଲା ପରି କହିଲା ସିଏ-

:ପଇସା ଦେ ନା,ଭଉତ ଦିନ ହେଲା ଖରଚ ଦେଇନୁ।ସବୁ ଥର ଯାତରା ବେଳୁକୁ ତତେ ଖୁଜେ ମନେ ମନେ।ଆଈ ଦଶ ଟଙ୍କା ଦିଏ ସାନ ମାମୁଁ ବି ଦଶ କୁଡ଼ିଏ ଟଙ୍କା ଦିଏ।ଭଉତ ଦିନ ହେଲା ତୁ ଦେଇନୁ ,ମତେ ପଚାଶ ଟଙ୍କା ଦେ।ନହେଲେ ମୁଁ ଯିମିନି।

ମୁଁ ବି ପଚାଶ ଟଙ୍କା ଦେଇ ଥାଆନ୍ତି ।ପର୍ସ ଖୋଲି ଦେଖିଲି ଦି'ଟା ଦଶ ଟଙ୍କିଆ ଆଉ ସବୁ ବଡ଼ ନୋଟ ଥାଆନ୍ତି।ଶହେ ଟଙ୍କା ତା ଆଡ଼କୁ ବଢ଼େଇ କହିଲି

: ନେ ତୋର ପଚାଶ ଆଉ ତୋ ମା କୁ ପଚାଶ ଦେଇ ଦେବୁ।ବହୁତ ଖୁସି ହୋଇଗଲା ସେ।ଦୋକାତା ଖିଆ କଳା କଳା ଦାନ୍ତ ଦେଖେଇ ହସିଲା।କହିଲା

:ଜମ୍ମା ଦେମିନି, ତାର ନବାର ଥିନେ ସିଏ ଆସିବ,ଏଇଟା ମ ଟଙ୍କା।ତାକୁ କାଇଁକି ଦେମି?

ଗୋବର ହାତକୁ ଗାମୁଛାରେ ପୋଛି ଟଙ୍କାକୁ ଦି ଚାରି ଚଉତା କରି ଅଣ୍ଟି ରେ ଖୋସିଲା।ତା ଦୋକାତା ଖିଆ ଫର୍ଚ୍ଚା ଦାନ୍ତ ଦେଇ ଦୋକ୍ତା ର ବାସନା ଦୁର୍ବିସହ ହେଉଥାଏ , ମାତ୍ର ନିଜକୁ ହଟେଇ ପାରୁ ନଥାଏ ମୁଁ।ଟଙ୍କା ଅଣ୍ଟି ରେ ଖୋସି କେତେ ବେଳୁ ଚାଲି ଯାଇଥାଏ ସେ, ମାତ୍ର ତାର ଯିବା ବାଟକୁ ଚାହିଁ ଭାବୁଥାଏ ମୁଁ।

     ଚାଳିଶ ବର୍ଷ ତଳର ସୁକୁଟା ଆଜି ବି ସେହି ସୁକୁଟା କାହିଁକି! ସୁକୁଟା ମାନେ କଣ ସୁକୁଟା ହୋଇ ରହି ଯାନ୍ତି ସବୁ ଦିନ ପାଇଁ!! ଦୁନିଆଁ କେତେ ବଦଳି ଗଲାଣି ମାତ୍ର ସୁକୁଟା ଆଜି ବି ସେଇଠି?ଗରିବ ମାନଙ୍କ ପାଇଁ କାହିଁ କେତେ ଯୋଜନା ସରକାରଙ୍କର,ଇନ୍ଦିରା ଆବାସ, ଅଟଳ ଆବାସ ବେରୋଜଗାର ଭତ୍ତା,ଖାଦ୍ୟ ସୁରକ୍ଷା ,ମାଗଣା ରାସନ,ବିଜୁ ସ୍ୱାସ୍ଥ୍ୟ ବୀମା ଆହୁରି କାହିଁ କେତେ...ମାତ୍ର ଏ ସବୁ ସତ୍ତ୍ୱେ ଆଜି ବି ସୁକୁଟା ମାନେ କାହିଁକି ସୁକୁଟା ହୋଇ ପଡି ରହିଛନ୍ତି।କାହିଁକି ତାଙ୍କ ପାଖରେ ଇନ୍ଦିରା ଆବାସ ର ଘର ଖଣ୍ଡେ ନାହିଁ।କାହିଁକି ଅଧିକାଂଶ ସୁକୁଟା ମାନଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ନାହିଁ।କାହିଁକି ସୁକୁଟା ମାନଙ୍କ ଆଖିର ମୋତିଆ ବିନ୍ଦୁ ବଢି ବଢି ଯାଏ ଅନ୍ଧତ୍ୱ ଆଡକୁ।

ହିତାଧିକାରୀ ଶ୍ରେଣୀ ଭୁକ୍ତ ହେବାକୁ ଆଉ କେତେ ବାର ଜନ୍ମ ନେବାକୁ ହେବ ଏଇ ସୁକୁଟା ମାନଙ୍କୁ?ଏହି ଭଳି ଅନେକ ପ୍ରଶ୍ନବାଚୀ ବିବ୍ରତ କରୁଥାନ୍ତି।

            ଠିକ ସେତିକି ବେଳେ ନିଜ ଏକ୍ଟିଭା ରେ ଟଙ୍କାକିଆ ଚାଉଳ ନେଇ ଆସୁଥିଲା ମକରନ୍ଦ।ନିଜେ ଚାରି ପାଞ୍ଚ ଏକର ଜମିର ମାଲିକ କିନ୍ତୁ ସୋସାଇଟି ରୁ ଏକ୍ଟିଭା ରେ ଚାଉଳ ବୋହୁଛି ଆଉ ସୁକୁଟା ପାଛିଆରେ ବୋହୁଛି ଗୋବର।ଯେଉଁ ପାଞ୍ଚ ଏକର ଜମି ତା ଭିତରୁ କିଛି ଗୋଚର ଅନାବାଦୀ ଜବର ଦଖଲ ବି ଅଛି।ଆଗରୁ ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଗୋଚର ଜମି, ଖେଳ ପଡିଆ ଅନାବାଦୀ ଜମି ଯାହା ଥିଲା ସେ ସବୁ ଆଜି ଏଇ ମକରନ୍ଦ ମାନଙ୍କ ଅଧୀନରେ।ଏ ମାନଙ୍କୁ ଇନ୍ଦିରା ଆବାସ , ଟଙ୍କାକିଆ ଚାଉଳ ,ବିଜୁ ସ୍ୱାସ୍ଥ୍ୟ ବୀମା ତ ନିହାତି ମିଳିବା ଦରକାର। ନେତାଜୀ ଙ୍କ ଖାସ ଲୋକ ସିଏ।କେତେ ଥର ୱାର୍ଡ ମେମ୍ବର ହେଲାଣି ତାକୁ କିଛି ତ ସୁବିଧା ମିଳିବା ଦରକାର।ତେବେ ତ ସୁକୁଟା ମାନେ ନିର୍ବାଚନ ସମୟରେ ଉପଯୋଗୀ ସାବ୍ୟସ୍ତ ହୋଇ ପାରିବେ।ମାଲ ଆଉ ପାଣି ର ଖେଳ ରେ ଏଙ୍କ ଠାରୁ ପାରିବା ଲୋକ ଆଉ କିଏ ଅଛି!!

   ଭାବୁଥିଲି ପୁଣି, ଇଏ ତ ଆଜିକା କଥା ନୁହେଁ।ବହୁତ ଦିନରୁ ଚଳି ଆସୁଛି ଏ କଥା।ସେତେବେଳେ ବି ସ୍କୁଲ କୁ ମିଳୁଥିବା ବିଲାତି ଦୁଧ ପାଉଡର , ଜନ ସାଧାରଣଙ୍କ ପାଇଁ ମିଳୁଥିବା କଣ୍ଟ୍ରୋଲ ଚାଉଳ ଏବଂ କିରାସିନି ତେଲ ର ସଦୁପଯୋଗ ଦେଖଛି। ନିଜ ଘର ଚାଉଳ ବିକ୍ରି କରି କଣ୍ଟ୍ରୋଲ ଚାଉଳ ଖାଉଥିବା ଜନ ସେବକଙ୍କର ଜନ ସେବା ଦେଖିଛି।ସବୁ ଦିନେ ସବୁ କଥା ଠିକ ଏହି ଭଳି ହୋଇ ଆସୁଛି ଆଇନ କାନୁନ କୁ ଠେଙ୍ଗା ଦେଖାଇ । ତେବେ କାହିଁକି ସେ ସମାଜ ଉତ୍ଥାନ ର ଲୋକ ଦେଖାଣିଆଁ ପ୍ରହସନ,କାହିଁକି ସମାଜ ସେବା ଏବଂ ସମାଜ ସେବି ର ଲୁଚକାଳି ଖେଳ??ଅସମାହିତ ପ୍ରଶ୍ନ ଅନେକ ଆଜି ବି , ମାତ୍ର କାନ ପାଖରେ ପ୍ରଖର ପ୍ରହାର କରୁଥିଲା "ତୁମେ ମାନେ ଖୁସି ତ!" ର ଶବ୍ଦ-ଶୂଳ।

         ମୁଁ ମନ୍ଦିର ପାଖ ଚାପାକଳ ରୁ ପାଣି ବାହାର କରି ମୁହଁ ଧୋଉଥିଲି , ସୁକୁଟା ଗୋବର ବୋହୁଥିଲା ଏବଂ ବାବୁ ମକରନ୍ଦ ଙ୍କ ଏକ୍ଟିଭା ବୋହୁଥିଲା ଟଙ୍କାକିଆ ଚାଉଳ।


କ୍ରମଶଃ....


Rate this content
Log in

Similar oriya story from Abstract