Baman Chandra Dixit

Tragedy

4.0  

Baman Chandra Dixit

Tragedy

ନିରବ ଆତ୍ମୀୟତା

ନିରବ ଆତ୍ମୀୟତା

3 mins
204


ସବୁଜ ଡକ୍ଟର ପେନଟା ଲୁହ ଢାଳୁଥିଲା ନିତି। ପ୍ରତିଦିନ ପ୍ରତି ମୁହୂର୍ତ୍ତ,କେତେବେଳେ ଆଲଜ଼ାବ୍ରା ଏରିଥମାଟିକ question solve କରୁ କରୁ ,ପୁଣି କେତେବେଳେ ସାହିତ୍ୟ ସଂସ୍କୃତର ଶବ୍ଦ ମାଧୁର୍ଯ୍ୟରେ ହଜି , ଅବା କେବେ ଇତିହାସର ବିଭୀଷିକା ଭୁଗୋଳର ଦ୍ରାଘିମା ମାପୁଥିବା ବେଳେ। ସାହିତ୍ୟର ଶବ୍ଦ ପୁଞ୍ଜ, ସଂସ୍କୃତର ଶବ୍ଦରୁପ ଧାତୁରୁପ, ଜ୍ୟାମିତିକ ରେଖା ଏବଂ କୋଣ ଅନୁକୋଣ ଚିତ୍କାର କରୁଥିଲେ । ଚିତ୍କାର କରୁଥିଲା ସାରା ଆକାଶ,ମୋ ଆଖି ସାମ୍ନାର ଦୁନିଆଁ ସାହି ପଡିଶାର ସମସ୍ତ ଆଖିରେ ବିଚ୍ଛେଦର ଧାର ବାହୁନୁ ଥିଲା। ଏକାନ୍ତରେ ବସିବାକୁ ଡର ଲାଗୁଥିଲା, ଗହଣରେ ବି ସମ୍ପର୍କୀୟ ମାନଙ୍କର ସହାନୁଭୂତି ଆହୁରି କାକୁସ୍ଥ କରି ଦେଉଥିଲା।ପଢ଼ା ପଢ଼ିର ପରିବେଶ ନଥାଏ ରାତିରେ ଟିକେ ସମୟ ମିଳେ..ମାତ୍ର ମନ ବୁଝେନା ସବୁ ଝାପ୍ସା ଝାପ୍ସା ଦିଶେ କେବଳ।ବାହାରୁ ଟିକେ ବୁଲି ଆସିବା ପାଇଁ ଘରୁ ବାହାରିଲି।ଉଦାସିଆ ଆଖି ତୋଳି କେବେଳ ଶୁନ୍ୟ ଆକାଶକୁ ଦେଖୁଥାଏ ମୁଁ ।ଫୁଲା ଫୁଲା ଆଖିର ନିଛାଟିଆ ଏକାକୀ ପଣ ଖୋଜୁଥାଏ ଅବା କିଛି , ଦୂର ଦିଗ୍ବଳୟ ତଳୁ।


        ଦେଖାଯାଉଥାଏ କେବଳ ଗୋଟିଏ ମୁହଁ ବିଭିନ୍ନ ସମୟର ବିଭିନ୍ନ ପରିସ୍ଥିତିରେ ପାଖରେ ଠିଆ ହୋଇଥିବା ଚେହେରାଟିଏ, ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିର ଉପଚାର ସାହସ ଦମ୍ଭ ଏବଂ ସାହାରାର ପ୍ରତିମୂର୍ତ୍ତି। ସମସ୍ତେ କହୁଥାନ୍ତି ବାପ ଛେଉଣ୍ଡ ହୋଇଗଲି ମୁଁ, ମାତ୍ର ମୁଁ କେବଳ ବାପାଙ୍କୁ ହରେଇ ନଥିଲି, ମୁଁ ହଜେଇ ଦେଇଥିଲି ମୋର ପ୍ରେରଣାର ଉତ୍ସ, ଆଗକୁ ବଢିବାର ସାହସ।ମୋର ସାମାଜିକ ସାଂସ୍କୃତିକ ପାରିବାରିକ ଶୈକ୍ଷଣିକ ମହାଗୁରୁଙ୍କୁ। ମନେ ପଡୁଥିଲା ପ୍ରତି ରାତିର ଶେଷ ପ୍ରହର ର ସେ ମହାମନ୍ତ୍ର। ଭୋରୁ ଭୋରୁ ଉଠେଇ ସେଇ ବିଛଣା ଉପରେ ବସେଇ ଗାୟତ୍ରୀ ଜ୍ଞାନ ବିଭିନ୍ନ ମନ୍ତ୍ର ସ୍ତ୍ରୋତ୍ରର ସଠିକ ଉଚ୍ଚାରଣ ଆଦି ର ଅଭ୍ୟାସ ରୁ ବଂଚିତ ହେବାର ଖାଲି ପଣ ବିବ୍ରତ କରୁଥିଲା ମୋତେ।ସେତେବେଳେ ଯାହା ଖରାପ ଲାଗୁଥିଲା । ଆଜି ସେଇଥିପାଇଁ ମନ ହାଇଁ ପାଇଁ ହେଉଥାଏ।ଏହା ଭିତରେ ତିନି ଦିନ ବିତି ସାରିଥାଏ।...ବେଳେ ଗଡ଼ିବାକୁ ହେଲାଣି, ବାହାରେ ଦାଣ୍ଡ କଡ଼ ଲିମ୍ବ ଗଛକୁ ଡେରି ହୋଇ ଠିଆ ହୋଇ ଥାଏ ; ନିର୍ନିମେଶ ଦେଖୁଥାଏ ଅସ୍ତଗାମୀ ସୂର୍ଯ୍ୟର ଲୋହିତ ଆଭାକୁ ମୁଁ। ଅନେକ ପ୍ରଶ୍ନବାଚୀ ମନ ଭିତରେ, ସମାଧାନ ଖୋଜୁଥାନ୍ତି। ଭାବୁଥାଏ.. କିଛି ତ ଫରକ ନାହିଁ ଅସ୍ତ ଅବା ଉଦିତ ସୂର୍ଯ୍ୟର ଆଭା ମଣ୍ଡଳରେ ଉଭୟ ଲୋହିତ, ଉଭୟ ତେଜସ୍ୱୀ ଏବଂ ମନୋରମ ।ବିଲୀନ ହୋଇଯିବାର ଠିକ ପୂର୍ବବର୍ତ୍ତୀ ମୁହୂର୍ତ୍ତରେ ବି ଉଦୟର ଆଭା। ମୁଁ ମଧ୍ୟ ଦେଖିଥିଲି ଜାଣି ପାରିନଥିଲି ସେଦିନ ମୋ ବାପାଙ୍କ ମୁହଁ ରେ ଲିଭା ଦୀପାଳୀର ଜାଜ୍ୱଲ୍ୟମାନ ଅନ୍ତିମ ଜ୍ୟୋତିକୁ ଠିକ ଏହି ମରଣାସନ୍ନ ତପନର ଅନ୍ତିମ ମନୋରମ ଛଟା ପରି। ସଦା ସର୍ବଦା କର୍ମ ମୁଖର ତତ୍ପର ଚେହେରାରେ ଲେଶ ମାତ୍ର କ୍ଳାନ୍ତି ପରିଲକ୍ଷିତ ହେଉ ନଥିଲା ନାନା ପାଇଁ ସାଇକେଲ ଠିକ କରିବା ଏବଂ ନିଜକୁ ଡାକ୍ତର ଦେଖେଇବା ପାଇଁ ସକାଳୁ ସକାଳୁ ଭଦ୍ରଖକୁ ବାହାରିଥିଲେ ବାପା, ମାତ୍ର ଘରେ ପହଁଚିଲା ବେଳକୁ ଲିଭି ଯାଇଥିଲା ଜୀବନ ପ୍ରଦୀପର ସଦା ଜାଜ୍ୱଲ୍ୟମାନ ଶିଖା, ଛାଡ଼ି ଯାଇ ମେଞ୍ଚା ମେଞ୍ଚା ଅନ୍ଧାର,ଖାଁ..ଖାଁ ଖାଇ ଗୋଡାଉ ଥିବା ଅନ୍ଧକାର।


     ହଠାତ ଏକ ସ୍ପର୍ଶ ଅନୁଭବ କଲି ବାଁ କାନ୍ଧ ଉପରେ ମୁହଁ ବୁଲେଇ ଚାହିଁବାକୁଦେଖିବାକୁ ସେ ସ୍ପର୍ଶର ଆତ୍ମୀୟତା ଇଚ୍ଛା ହେଉ ନଥାଏ, କେବଳ କାନ୍ଦ ଲାଗୁଥାଏ।ଭାବିଲି କେହି ଆତ୍ମୀୟ ବନ୍ଧୁ ବାନ୍ଧବ ଆସିଥିବେ, ମୋତେ ଏକାକୀ ଦେଖି ସାନ୍ତ୍ୱନା ଦେବା ପାଇଁ ଆସି ଯାଇଥିବେ। ସ୍ପର୍ଶରେ ଅନୁଭବ କଲି ଅନେକ ଆତ୍ମୀୟତା ମାତ୍ର ନୀରବତା ଭଙ୍ଗ କରିବାର କୌଣସି ପ୍ରୟାସ ଶୁନ୍ୟ ଥିଲା ସେ ଉପସ୍ଥିତି। ଆଉ ସମ୍ଭାଳି ପାରିଲିନି ବୁଲି ଚାହିଁଲି , ମୋ ସାନବାପାଙ୍କ ଝିଅ ଜୁଲି ନାନୀ, ମୋଠାରୁ ଦି ବର୍ଷ ବଡ଼ ହେବ।କେବଳ ମୋତେ ଚାହିଁଥାଏ.. ମୋ ଆଖିରୁ ଝରି ଯାଉଥିବା ଲୁହକୁ ବି ପୋଛିବାର ଚେଷ୍ଟା ନଥିଲା ତାର। ପୁଣି କେତୋଟି ମୁହୂର୍ତ୍ତ ନିରବ ବିଳାପର ଅପସରି ଗଲା।ଏତେ ଘନିଷ୍ଟତା ଭରା ସେ ସ୍ପର୍ଶ ଅଭିଭୂତ କରି ନେଉଥାଏ ମୋତେ। ସେଇ ଜୁଲି ନାନୀ ଯିଏ ମୋର ସମବୟସ୍କ ତୁଲ୍ୟ, ଯାହା ସାଥିରେ ଅନେକ ବାର ଖେଳର ଖେଳରେ ଝଗଡ଼ା ହେବା ନିତି ଦିନିଆଁ କଥା, ସେ ଏତେ ପରିପକ୍ଵ କେମିତି ଏତେ ମମତା ଏତେ ସ୍ନେହ ଏତେ ଆତ୍ମୀୟତା ତା'ର ମୋତେ ନିର୍ବାକ କରି ଦେଉଥାଏ।ସେ କେବଳ ମୋ କାନ୍ଧରେ ହାତ ରଖି ଥାଏ , ପୁଣି କେତୋଟି ନିରବ ମୁହୂର୍ତ୍ତ ବିତି ଗଲା ପରେ ଏକଦମ ଶାନ୍ତ ସ୍ୱରରେ କହିବାକୁ ଚେଷ୍ଟା କରୁ ଥିଲା ସେ..............


"ପରୀକ୍ଷା ମାତ୍ର ସାତ ଦିନ ରହିଲା, ତୁ ଏମିତି ଅଧୈର୍ଯ୍ୟ ହେଲେ କେମିତି ହବ?" ଧୈଯ୍ୟର ବନ୍ଧ ଭାଙ୍ଗି ଯାଉଥିଲା ମୋର କିନ୍ତୁ କାନ୍ଦିବାକୁ ଚାହୁଁ ନ ଥାଏ ମୁଁ, ମାତ୍ର ଲୁହ ସବୁକୁ ଲୁଚେଇବାର ଅବା ଅଟକେଇବାର ଚେଷ୍ଟା ବିଫଳ ହୋଇ ପଡୁଥିଲା।ଆଉ ସେଠାରେ ଠିଆ ହେବାର ଧୈର୍ଯ୍ୟ ନଥିଲା ମୋର ନଈ ପଠା ଆଡକୁ ମୁହେଁଇଲି ମୁଁ ଏବଂ ଅନୁଭବ କରୁଥାଏ ଏକାନ୍ତ ମୁହୂର୍ତ୍ତର ନିରବ ଆତ୍ମୀୟତା।



Rate this content
Log in

Similar oriya story from Tragedy