ଟ୍ରେନରେ ରାକ୍ଷୀ
ଟ୍ରେନରେ ରାକ୍ଷୀ
ବହୁତ ଦିନ ତଳର କଥା।ସେତେବେଳେ କଲେଜରେ ପଢୁଥାଏ ମୁଁ। କୌଣସି ଗୋଟେ ପ୍ରତିଯୋଗିତା ପାରିକ୍ଷା ଦେଇସାରି ଆମେ ତିନି ଚାରିଜଣ ଭୁବନେଶ୍ୱରରୁ ଫେରୁଥାଉ।ପକେଟରେ ବସ ଭଡ଼ା ପାଇଁ ପଇସା ନଥାଏ,ଭାବିଲୁ ଟ୍ରେନ ରେ ବିନାଟିକେଟ ଯିବା।ଟିଟିଈ ଯଦି ଧରେ ତାକୁ ସବୁ ଖୋଲି କହିବା , ମାନିଲେ ଭଲ ନହେଲେ ଯେଉଁଠି ଓହ୍ଲେଇ ଦେବ ସେଇଠୁ ଆଉ ଗୋଟେ ଗାଡ଼ି ଧରିବା।ପାଖରେ ଯେତେ ପଇସା ଥିଲା ସେହି ଅନୁଯାୟୀ ବ୍ରେଡ଼ ଆଉ କଦଳୀ କିଣି ଖାଇଲୁ ।ଗୋଟେ ଗାଡି ଆସି ଠିଆହେଲା ପ୍ଲାଟଫର୍ମରେ ସମସ୍ତେ ଗୋଟେ ଡବାରେ ଚଢ଼ିଲୁ ।ଜେନେରାଲ ଡବା ଖଚାଖଚ ଭରିଥିଲା ।ଦୁଆର ପାଖରୁ ଟିକିଏ ଆଗକୁ ବଢ଼ି ପାରିଛୁକି ନାହିଁ ଟ୍ରେନ ଛାଡ଼ିଦେଲା।କିଛି ସମୟପରେ ଟିକେ ଫାଂକଅଫଅଙ୍କା ଲାଗିଲା।କିଛି ଲୋକ ଉପର ସିଟରେ ଚଢି ବସିଯିବାରୁ ଆମକୁ ଠିଆ ହେବା ପାଇଁ ଜାଗା ମିଳିଗଲା।ବଡ଼ ବିରକ୍ତ ଲାଗୁଥାଏ, ଯେତେବେଳେ କେହି ଭିଖାରି ସେହି ଭିଡ଼ ଭିତରେ ବି ମାଗିବାକୁ ହାତ ପାତାନ୍ତି। ହଠାତ ଜଣେ ଭିନ୍ନ ରକମର ଭିଖାରୁଣୀ ଦେଖିଲି ଯିଏ ଗୋଟେ ଚେପା ଟୋଲା ସିଲବର ତାଟି
ଆରେ କେତୋଟି ସୂତାରାକ୍ଷୀ ଧରି ଭାଇ ଖୋଜୁଥାଏ।ଯିଏ ଚାରଣା ଆଠଣା ଦେଇ ରାକ୍ଷୀଟିଏ ବାନ୍ଧିବାକୁ ରାଜି ସିଏ ତାର ଭାଇ।ଅନେକ ମନା କରୁଥାନ୍ତି,ମୁଁ ବି ନଦେଖିଲା ପରି ଠିଆ ହୋଇଥାଏ।ସିଏ ମୋ ଆଡ଼କୁ ଆସୁଥିଲା ଏବଂ ମୁଁ ଟ୍ରେନର ଉପର ସିଟ କୁ ଧରି ଢୁଳେଇବାର ଅଭିନୟ କରୁଥିଲି।ହଠାତ ଗୋଟେ ରାକ୍ଷୀଧରି ସେ ମୋ ଡାହାଣ ହାତରେ ବାନ୍ଧିବାକୁ ଲାଗିଲା।ମନା କରିବି ଭାବୁଥାଏ ମାତ୍ର ମନାକରି ପାରିଲିନି ।ମୋର ନିରଵତାକୁ ସ୍ୱୀକୃତି ଭାବି ସିଏ ରାକ୍ଷୀ ବାନ୍ଧି ଦେଇ ମୋ ମୁଣ୍ଡ ଉପରେ ହାତ ରଖି ଆଶୀର୍ବାଦ କଲା ଏବଂ ଅଚାନକ ମୋ ବଡ଼ ଭଉଣୀ ହୋଇଗଲା।କିଛି ଅନୁଭବ କଲି ମୁଁ ହୃଦୟ ଭିତରେ ଯାହାକୁ ଆଜି ଯାଏ ନାଁ ଦେଇ ପାରିନାହିଁ। ରାଗ ଦ୍ୱେଶ ଘୃଣା କରୁଣା ଦୟା ସ୍ନେହ ଏବଂ ଆହୁରି ଅନେକ କିଛି ଭାବର ମିଶାମିଶି ଅନୁଭବକୁ ଆଜିବି ମୁଁ ବ୍ୟାଖ୍ୟା କରିପାରୁନି। ମୋ ଲମ୍ବା ପକେଟରେ କିଛି ଖୁଚୁରା ପଇସା ଥିଲା ମୋ ହିସାବରେ ଅଶି ନବେ ପଇସା ହେବ, ସବୁ ବାହାର କରି ତା ହାତରେ ଦେଲି।ବହୁତ ଖୁସି ହୋଇ ଆଗକୁ ବଢିଗଲା ମୋ ବଡ଼ଭଉଣୀ ହୋଇସାରିଥିବା ଭିଖାରୁଣୀଟି।