ତୁମର ଏ ମାଳି ଦରକାର ତ?
ତୁମର ଏ ମାଳି ଦରକାର ତ?
ଘରର ଛାତ ଉପରେ ଅନେକ ମାଟି ଏବଂ ସିମେଣ୍ଟର କୁଣ୍ଡ,ଯେଉଁଥିରେ ମଲ୍ଲି , ଚାମେଲି ଗୋଲାପ,ଟଗର,କରବୀର ଆଦି ଫୁଲ। ଆଉ କେତେକରେ କିଛି ଔଷଧୀୟ ଗୁଳ୍ମ ।ସବୁ କୁଣ୍ଡ ଗୁଡିକରେ ମାଟି ଖୁସେଇବା ଗୋବର ଖତ ଦେବା ,ପାଣି ଦେବା ଆଦି କାମରେ ସେ ମଗ୍ନ ଥିଲା ବେଳେ ଜଳଖିଆ ଖାଇବା ବା ଚା ପିଇବା ବି ଭୁଲି ଯାଆନ୍ତି। ଛାତ ଉପରର ସିମେଣ୍ଟ ବେଞ୍ଚ ଉପରେ ରହି ରହି ଚା କପ ଥଣ୍ଡା ହେବା ପରେ ଶ୍ରୀମତିଙ୍କ ନଜର ନପଡୁ ସେହି ଡରରେ ଥଣ୍ଡା ଚା ଗୁଡାକୁ ଏକା ଥରକେ ଢୋକି ତଳକୁ ଓଆନ୍ତି ବିକାଶ ବାବୁ।
ବଗିଚା ଆଉ ଫୁଲ ଗଛ କଥାରୁ ମନେ ପଡିଗଲା ଗୋଟେ କଥା।ସେତେବେଳେ ସେ ରେଲୱେ କ୍ବାଟର୍ସ ରେ ରହୁ ଥାଆନ୍ତି। ଘର ସାମ୍ନା ବଗିଚାରେ ସେ ନାନା ରକମର ଫୁଲ ଫଳ ଗଛ ଲଗେଇ ଥାଆନ୍ତି। ଅଫିସ ରୁ ଆସିବା ପରେ ହେଉ ବା ଯିବା ଆଗରୁ ହେଉ ବଗିଚାରେ କାମ କରିବା ତାଙ୍କର ଅଭ୍ୟାସ ଥିଲା।ଯେତେବେଳେ ଦେଖ ଲୁଙ୍ଗି ଖଣ୍ଡେ ପିନ୍ଧି ଗାମୁଛା ଅଣ୍ଟାରେ ବାନ୍ଧି ବଗିଚା କାମରେ ଲାଗିଥାନ୍ତି। ସେଦିନେ ଅଫିସ ରୁ ଫେରିବା ପରେ ଶ୍ରୀମତୀ ଚା କପ୍
ଧରାଉ ଧରାଉ କହିଲେ
- ଶୁଣୁଛ ! ଆଜି ଜଣେ ସ୍ତ୍ରୀ ଲୋକ ତୁମ ବିଷୟରେ କଣ କହୁଥିଲେ ଜାଣିଛ?
-କିଏ କହିଲା,କଣ କହିଲା,ଯେପର୍ଯ୍ୟନ୍ତ ମୋତେ ନ କହିବ ମୁଁ ଜାଣିବି କେମିତି?
ଶ୍ରୀମତୀ ନିଜ ହସକୁ ସମ୍ଭାଳୁ ସମ୍ଭାଳୁ କହୁଥାନ୍ତି
- ସିଏ କହୁଥିଲା :-ତୁମ ବଗିଚାରେ ଯେଉଁ ମାଳି କାମ କରୁଛି ତା କାମ ବହୁତ ବଢିଆ। ବହୁତ ଯତ୍ନର ସହିତ କାମ କରୁଛି ସିଏ।ସେଇଥି ପାଇଁ ତୁମ ବଗିଚା ର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି।ତାକୁ ପଚାରିବ ତ ଆମ ବଗିଚାର କାମ କରିବ କି?ସବୁ ଦିନ ନହେଲେ ହପ୍ତାକୁ ଦି'ଦିନ ଆସିଲେ ବି ଚଳିବ।ଆମ ବାବୁଙ୍କର କେବଳ ଅଫିସ। ଆଉ କିଛି କାମ ତାଙ୍କ ଦେଇ ହବନାହିଁ।
- ମୁଁ ବି ନିଜ ହସକୁ ସମ୍ଭାଳି ପାରିଲିନି।
କହିବା ବାହୁଲ୍ୟ ଯେ ଶ୍ରୀମତୀ ତାଙ୍କୁ ମୋ ପରିଚୟ ଦେବା ପରେ ତାଙ୍କର ମୁହଁର ଭାବ ଭଙ୍ଗୀ ଦେଖିଲା ଭଳିଆ ଥିଲା।ତା ପରେ ଦୁହେଁ ହସି ହସି ବେଦମ।
ଶ୍ରୀମତୀ କହିଲେ କୁହ ଏ ସବୁ ଜାଣିବା ପରେ ତୁମର ଏ ମାଳି ଦରକାର ତ?କହିବ ଯଦି ସବୁ ଦିନେ ପଠେଇଦେବି।