ପ୍ରିୟ ହାସ୍ୟରସାତ୍ମକ ବହି/(ଅବୋଲକରା କାହାଣୀ)
ପ୍ରିୟ ହାସ୍ୟରସାତ୍ମକ ବହି/(ଅବୋଲକରା କାହାଣୀ)


ଆଜି ଡେରିହୋଇଗଲା ଘରକୁ ଫେରିଲା ବେଳକୁ।ବିରକ୍ତବି ଲାଗୁଥିଲା।ସକାଳୁ କାହା ମୁହଁ ଚାହିଁଥିଲି ଜଣିନି ମାତ୍ର ଦିନଟି ବହୁତ ଖରାପ ଗଲାମାତ୍ର କାମଟି ହୋଇଗଲା।କଥାରେ କହନ୍ତି ସକାଳୁ ସକାଳୁ କାହାର ଅଧୁଆ ମୁହଁ ଯଦି ଚାହିଁଲେ ତେବେ ଦିନ ଯାକର କାମ ବେଙ୍ଗା ହୋଇଯାଏ।ଆଜି ବୋଧେ ଅଜାଣତରେ କାହାର ସେମିତି ମୁହଁ ଚାହିଁଛି ତେଣୁ ଯାବତୀୟ ଅସୁବିଧା ହେଇଛି ତଥାପି ଭଗବାନଙ୍କ ନିକଟରେ ଋଣି ଯେ ମୋ ସଞ୍ଚିତ ଧନ ଫେରି ପାଇଲି।
ରାଗ ବି ଲାଗୁଛି ଓ ହସ ବି ।
ପିଲାଦିନେ ଜେଜେମାଆଙ୍କ ଠାରୁ ଓ ଟିଭିରେ ଅବୋଲକରା କଥା ଦେଖିବାକୁ ମୁଁ ଭାରି ଭଲପାଏ।ସେଥିରେ ଦେଉଥିବା ଗପ ମତେ ଯେତିକି ଭଲ ନଲାଗେ ତାର ଦୁଇ ପ୍ରମୁଖ ଚରିତ୍ର ପଣ୍ଡିତଗୋସେଇଁ ଓ ଧରମା ( ଅବୋଲକରା)। ଅବୋଲକରାର ବୋକା ପରି କଥାବାର୍ତ୍ତା ଓ ସରଳ ମନୋଭାବ ମତେ ବେଶି ଆକର୍ଶିତ କରେ।ଯେତେବେଳେ ଦୂରଦର୍ଶନ ରେ ଆରମ୍ଭ ହୁଏ ମୋର ମନେ ଅଛି ମୁଁ ପ୍ରଥମରୁ ଅବୋଲକରାର କଥା ଓ ଗୋସେଇଁ ଙ୍କର ତାକୁ କହିବାର ଶୈଳି ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥାଏ।ତାପରେ ଗପ ମଝିରେ ମଝିରେ ଉଠି ପଳାଏ।ତେଣୁ ଅବୋଲକରା ର କଥାବାର୍ତ୍ତା ଓ ଜୀବନରେ କିଛି ନ ଜାଣି ପାରିବାର ଅନୂଭୂତି ମୋ ପାଇଁ ନିଆରା ଥିଲା।ବୋଧେ ତାର ପ୍ରତିଫଳନ ଆଜି ମତେ ଦେଖିବାକୁ ମିଳିଲା ମୋ ଜୀବନରେ। ମୁଁ ବୁଝିପାରିଲିନି ମୁଁ ଅବୋଲକରାର ଜୀବନ ଧାରଣ କରିନେଲି ନା ମତେ ସମୟ ବାଧ୍ୟ କଲା।ଅନେକ ଦିନ ତଳେ ମୁଁ ଯେତେବେଳେ ସହର ବାହାରକୁ ଯାଇଥିଲି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ରେ ସେତେବେଳେ ମୋ ସହ ଦେଖାହୋଇଥିଲେ ବିକାଶ ବାବୁ। ପ୍ରକୃତରେ ବିକାଶ ବାବୁ ଜଣେ ଜମି ଦଲାଲ।ମୋର ଚାକିରୀ ଓ ପରିବେଶ ଦେଖି ସେ ମୋ ସହ ବହୁମାତ୍ରାରେ ମିଶାମିଶି କରୁଥିଲେ।କହିବାକୁ ଗଲେ ପ୍ରତ୍ୟେକ ଦିନ ସଂଧ୍ୟା ବେଳେ ଆମ ଘର ସାମନା ବଗିଚାରେ ଏକ ଆସର ବସେ।ପାଖ ଆଖ ଅଞ୍ଚଳର କିଛି ଭଦ୍ର ବ୍ୟକ୍ତି ମଧ୍ୟ ଆସନ୍ତି।ଅନେକ ବିଷୟରେ ଆଲୋଚନା ହୁଏ।କିଛି ସମସ୍ୟାର ସମାଧାନ ମଧ୍ୟ ହୁଏ।ମୁଁ ମଧ୍ୟ ସେମାନଙ୍କ ଠାରୁ ଅନେକ କିଛି ଶିଖେ।ସେହି ସମୟରେ ଏକ ନୂଆ କମ୍ପାନୀ କିଛି ଜାଗା ନେଇ ତାର ଏକ ଫ୍ୟାକ୍ଟ୍ରି କରିବାର ଯୋଜନା ଶୁଣିବାକୁ ମିଳୁଥିଲା ମାତ୍ର ତାହା କେତେ ସତ କେତେ ମିଛ ଯିଏ କହିୱଆ ତାକୁ ଜଣା।ଏମିତି ଭାବି ଆମେ ଚୁପ ରହିଲୁ।ଏହି କଥା ହେବାର କିଛି ଦିନ ପରେ ବିକାଶ ବାବୁ ଦିନେ ମୋ ଘରେ ଆସି ହାଜର। ହଠାତ ତାଙ୍କୁ ଅସମୟରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।ଓ କହିଲି, ଆରେ ଆପଣ କଣ ଏ ଅସମୟରେ ଆମ ଘରେ କଣ ସଂଧ୍ୟା ବେଳେ ଆସିବେନି ? ମୋ କଥା ଶୁଣି ସେ କହିଲେ, ନାଇ ଆଜ୍ଞା ଏକ ଜରୁରୀ କାମ ଥିଲା ତେଣୁ ଆସିଲି।ଭାବିଲି ଏକାନ୍ତରେ ଆପଣଙ୍କ ସହ କଥା ହେବି।ତାଙ୍କ କଥାଶୁଣି ମତେ ବି ଟିକିଏ ଅଡୁଆ ଲାଗିଲା ।ବସିବାକୁ କହି ପଚାରିଲି କଣ କିଛି ଅସୁବିଧା ଅଛିକି।ସେ ଏକ ମୁରୁକି ହସ ଦେଖେଇ କହିଲେ ନାଁଁଇ ଆଜ୍ଞା ଆପଣ ଯୋଉଠି ଅଛନ୍ତି ସେଠି ଅସୁବିଧା କଣ।କଥା କଣ କି ଆପଣ ତ ଶୁଣିଥିବେ ଏକ କମ୍ପାନୀ ଆମ ଅଞ୍ଚଳରେ ଜାଗା ପବାକୁ ଯୋଜନା କରିଛି।ଏକଥା ବହୁତ କମ ଲୋକ ଜାଣିଛନ୍ତି।ମୁଁ କଣ କହୁଥିଲି କି ଯଦି ଆପଣ କିଛି ଜାଗା ଏଠି କିଣି ଦିଅନ୍ତେ ତେବେ ସେ କମ୍ପାନୀ ଆସିଲା ବେଳକୁ ଜାଗା ନେବାପାଇଁ ଅପଣଙ୍କୁ ତିନି ଗୁଣ ପଇସା ମିଳନ୍ତା।ଏହା ଶୁଣି ମୁଁ ଟିକେ ବିରକ୍ତ ହୋଇ କହିଲି ଯେଉଁ କଥା ତୁମେ ଠିକସେ ଜାଣିନ ସେ କଥା କାହିଁକି କହୁଛ।ସେ ସବୁରେ ମୋର କିଛି ଆବଶ୍ୟକତା ନାହିଁ।ତାପରେ ମୁଁ ଏଠି କେତେ ଦିନ ରହିବି ମୋର ଏ ସବୁ କିଏ ବୁଝିବ।ସେକଥା ହୋଇ ପାରିବ ନାହିଁ।
ବୋଧେ ମୋ କଥାରୁ କିଛି ଆସ୍ତିବାଚକତାର ବୋଧ ହେଲା ତାଙ୍କୁ ,ସଙ୍ଗେସଙ୍ଗେ କହିଲେ ,ନାଇ ଆଜ୍ଞା ଆପଣ କିଛି ବୁଝିବା ଦରକାର ନାହିଁ,ମୁଁ ସବୁ ବୁଝିବି ।ଯଦି ଆପଣ ଏଠୁ ପଳାନ୍ତି ତେବେ ବି ଆପଣଙ୍କ ପ୍ରାପ୍ୟ ସମୟ ହେଲେ ମୁଁ ଆପଣଙ୍କୁ ଜଣେଇଦେବି।ଆପଣ ଖାଲି ହଁ କଲେ ହେଲା।ମଣିଷ ମାତ୍ର କେ ଲୋଭ।ବିରକ୍ତ ଭାବ ପ୍ରକାଶ କରି ମୁଁ କହିଲି ତେବେ ଜାଗା ଠିକ ତ ।ନା ମୋ ଠାରୁ ଭୂଲେଇ ପଇସା ନେଇଯିବ।
ଏହା ଶୁଣି ସେ କହିଲେ ଆଜ୍ଞା କୋର୍ଟ କାଗଜରେ ଲେଖାପଢା ହେବ। ତେଣୁ ଅବିଶ୍ୱାସ କଥା କୋଉଠୁ ଆସିବ।
ହଉ କହି ପାଞ୍ଚ ଲକ୍ଷ ଟଙ୍କା ତାଙ୍କୁ ଦେଲି।ତାଙ୍କ କହିବା ଅନୁସାରେ ଛ ମାସ ଭିତରେ ମତେ ପନ୍ଦର ଲକ୍ଷ ଟଙ୍କା ମିଳିବ।ମୁଁ ବି ଖୁସି।ଯାହା ହେଉ ବସି ବସି ଏତେ ପଇସା ମିଳିଯିବ।
କିଛି ଦିନ ଗଲା ।ଅବଶ୍ୟ କହିବା ମୁତାବକ କୋର୍ଟ କାଗଜ ସହ ମତେ ବିକାଶ ବାବୁ ଜାଗା ଦେଖେଇ ଆଣିଲେ।ଏବଂ କହିଲେ ଏ ବାବଦରେ ବିଶେଷ କାହା ଆଗରେ କହିବେ ନାହିଁ।ମୁଁ ମଧ୍ୟ ଖୁସି ।ଆଉ କାହିଁ କିଏ ମୋ ପରି ପଇସା ପାଇବ।
ବାସ କିଛି ଦିନ କଟିଗଲା।ମୋର ସ୍ଥାନାନ୍ତର ହୋଇଗଲା।ଏ ଭିତରେ ମୁଁ ସେ ଜାଗା କଥା ଭୂଲି ଯାଇଥାଏ।
କଥାରେ ଅଛି ପରା ପାଖରେ ଅଧିକ ଅର୍ଥ ହେଲେ ତାହା ର ହିସାବ ରହେ ନାହିଁ।ତାହା ହିଁ ହେଲା।
ଦିନକର କଥା ନୂଆ ସ୍ଥାନରେ ମୁଁ ଅଫିସରେ ବସିଥିଲା ବେଳେ ମୋର ଜଣେ ସହକର୍ମୀ ଆସି ଖୁସି ହୋଇ କହିଲେ, ବୁଝିଲେ ଆଜ୍ଞା କିଛି ଦିନ ତଳେ ଏକ ଯାଗା କିଣିଥିଲି ସ୍ୱଳ୍ପ ମୂଲ୍ୟରେ ଯାହାର ଆଜି ଦୁଇଗୁଣ ପଇସା ମତେ ମିଳିଗଲା।ଘରଟି ଅଧା ଥିଲା ଶେଷ କରିଦେବି।ତାଙ୍କ କଥା ଶୁଣି ମୋର ମନେ ପଡିଗଲା ମୋ ପାଞ୍ଚ ଲକ୍ଷ କଥା।ତାଙ୍କ ଠାରୁ ସବିଶେଷ ବୁଝେ ତ ମୁଁ ଯେଉଁ ସ୍ଥାନରେ ଥିଲି ସେଠାର କଥା କହୁଛନ୍ତି।ସଙ୍ଗେ ସଙ୍ଗେ କାଳ ବିଳମ୍ବ ନକରି ବିକାଶ ବାବୁଙ୍କ ପାଖକୁ ଫୋନ ଲଗେଇଲି।ପ୍ରଥମେ ତ ସେ ଜାଣି ପାରିଲେ ନାହିଁ ତା ପରେ ଜାଣି ପାରିଲେ।ତାଙ୍କୁ ସବୁ କଥା ପଚାରିବାରେ ସେ ଯାହା କହିଲେ ମୋର ମୁଣ୍ଡ ଖରାପ ହୋଇଗଲା।
ସେ କହିଲେ ଆପଣ ଯେଉଁ ଯାଗା କିଣିଥିଲେ ସେ ସ୍ଥାନ ପୂର୍ବରୁ କିଛି ଦୂର ପର୍ଯ୍ୟନ୍ତ ସେମାନେ ଜାଗା ନେଲେ।ଆପଣଙ୍କ ଜାଗା ପଡିଲା ନାହିଁ ।ତେବେ ଯଦି ଆପଣ କହିବେ ମୁଁ କଥା ହେଇ ତାଙ୍କୁ ଜାଗାଟା ଦିଆ କରେଇ ଦେବି।ମାତ୍ର କିଣା ମୂଲ୍ୟରେ ଆପଣ ପଇସା ପାଇବେ।ଏହା ଶୁଣି ମୋତେ ଆଉ କିଛି ବୁଦ୍ଧି ବାଟ ଦିଶିଲା ନାହିଁ।ମତେ ପୁରା ଲାଗିଲା ଅବୋଲକରା କାହାଣୀ ରେ ଯେମିତି ଗୋସେଇଁ ଅବୋଲକରାକୁ କଥା କହି ଭଣ୍ଡେଇ ଦେଉଥିଲେ ଠିକ ସେମିତି କଥା ମୋ ସହ ହେଉଛି।
ଆଉ ଦ୍ୱିତୀୟ ଚିନ୍ତା ନକରି ହଁ ଭରିଲି ,କାରଣ ମୂଳ ତ ମିଳୁ।ତେଣୁ ସିଧା ସକାଳୁ ଉଠି ଧାଇଁଲି ସେଠାକୁ ପହଞ୍ଚି ଫୋନ କଲାରୁ ସେ ବ୍ୟକ୍ତି ଜଣକ କହିଲେ ଅମୁକ ଜାଗାକୁ ଆସନ୍ତୁ ମୁଁ ଯାଉଛି।
"ପକା କମ୍ବଳ ପୋତ ଛତା ,ବସ ଅବୋଲକରା କହୁଛି କଥା "ପରି ତା କଥାକୁ ମାନି ଚାଲିଲି।ଅପେକ୍ଷା ପରେ ଅପେକ୍ଷା।ଏବେ ଏଇ ସ୍ଥାନରେ ତ କେବେ ସେଇ ସ୍ଥାନରେ।ଏମିତି ସଂଧ୍ୟା ହୋଇଗଲା।ବିରକ୍ତ ହୋଇ ଶେଷରେ କହିଲି ଅବୋଲକରା ପରି ମୁଁ ଏଠାରେ ବସିଲି,ଯେମିତି ମୋ ପାଖରୁ ପଇସା ନେଇଥିଲ ସେମିତି ଆଣି ଫେରେଇ ଦିଅ ନହେଲେ ମୁଁ ଏଠୁ ଉଠିବିନି ପରବର୍ତ୍ତୀ ପରିସ୍ଥିତି ତୁମେ ବୁଝିବ।ଅବୋଲକରାର ପନ୍ଥା ଧରିଲି।ବୋଧେ ବିକାଶ ବାବୁ ମୋ କଥାର ଗୁରୁତ୍ୱ ବୁଝିଗଲେ ।
କିଛି କ୍ଷଣ ପରେ ମତେ ମୋ ପଇସା ଆଣି ଫେରେଇଲେ।
ଓହୋ ମୋ ପଇସା ଫେରି ପାଇ ମୁଁ ଟିକେ ଶାନ୍ତିରେ ନିଃଶ୍ବାସ ନେଲି ଓ ଘରକୁ ଫେରିଲି।
ମନେ ମନେ ଭାବୁଥାଏ ବେଳେବେଳେ ଅବୋଲକରା ଭଳି ବୋକାର ଅଭିନୟ ବହୁ ବିପତ୍ତିରୁ ଉଦ୍ଧାର କରିଦିଏ।