ଭାବନାର ଭାବନା
ଭାବନାର ଭାବନା
ଅନେକ ଭାବିଲି । ଭାବନାର ଆଦି ଅନ୍ତ ନାହିଁ । ତଥାପି ଭାବିଲି । ପ୍ରକୃତରେ ମୁଁ ନେଉଥିବା ନିଷ୍ପତ୍ତି ଠିକ ହେବ ନା ନାହିଁ ।
ଭାବନାର ରାଜ୍ୟ ଏକ ଭିନ୍ନ ରାଜ୍ୟ । ସେ ଭିତରେ ଥରେ ପଶିଗଲେ କେତେବେଳେ ନିଜେ ରାଣୀ ତ କେତେବେଳେ ଚାକରାଣୀ । କେତେବେଳେ ପୃଥିବୀର ସର୍ବଶ୍ରେଷ୍ଠ ଧନୀ ତ କେତେବେଳେ ଚପଲ ଘୋରି ହୋଇଯାଇଥିବା ନିରାଶୟ ପଥିକ । କେତେବେଳେ ସବୁଠାରୁ ସୁଖୀ ତ କେତେବେଳେ ସବୁଠାରୁ ଦୁଃଖୀ ।
ପ୍ରକୃତରେ ଏ ଭାବନା ମନକୁ ଆସିଲା କାହିଁକି ? କଣ ବିନା ଭାବି ନିଷ୍ପତ୍ତି ନେଇହେବନି ?
ଭାବନା ଭିତରେ ଥିବା ଭାବ ଶବ୍ଦଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଭାବ ତ ମନକୁ ଯୋଡେ । ଯେଉଁଠି ଭାବ ନାହିଁ ସେଠି ମନ ନାହିଁ । ତେଣୁ ଭାବନାର ପ୍ରଶ୍ନ କାହୁଁ ଉଠିବ । ମନର ଭାବ ସହ ପରିସ୍ଥିତି ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ ।
ଅନେକ ସମୟରେ ପରିସ୍ଥିତି ମନକୁ ବାଧ୍ୟ କରେ ଭାବନା ରାଜ୍ୟରେ ଭାସି ଯିବାକୁ । ବୋଧହୁଏ ସେହି ସମୟଟି ମଣିଷ ନିଜ ପାଇଁ ବଞ୍ଚେ । ନଚେତ ନିଜ କଥା ଭାବିବାକୁ ସମୟ କାହଁେ ।
ଏମିତି ଅନେକ କଥା ଭାବୁ ଭାବୁ ଭାବନା ଯେ ପ୍ରକୃତରେ ନିଜ ରାଜ୍ୟ ଛାଡି ଭାବନା ରାଜ୍ୟରେ ଉଡି ବୁଲୁଛି ସେକଥା ସେ ନିଜେ ବି ଜାଣିପାରିନାହିଁ ।
"ଦେଇ... ଦେଇ... କଣ ଏତେ ଭାବୁଛ । "
ହଠାତ ରତନୀର ହାତ ସ୍ପର୍ଶ ପାଇ ପ୍ରକୃତିସ୍ଥ ହେଲା ଭାବନା ।
"ଓହୋ ଏତେ ସମୟ ହେଲାଣି ମତେ ଡାକୁନୁ ।" ଏକ ସାମୟିକ ବିରକ୍ତି ଭାବ ପ୍ରକାଶ କରି ଭାବନା ଉଠି ବସିଲା ।
ରତନୀର ହାତରୁ ଚା କପଟି ଧରି ପିଇବା ବେଳେ ମନେ ପଡିଗଲା ସାଗର କଥା ।
ପ୍ରଥମ ଥର ତା ସହ ଦେଖାହେବାର ମୁହୂର୍ତ୍ତ ଜଳଜଳ ହୋଇ ଆଖି ସାମନାରେ ଭାସି ଉଠିଲା । ସୁଢଳ ଓ ଗୋରା ତକ୍ ତକ୍ ରାଜକୀୟ ଚେହେରା । କଥା କହିବାର ଠାଣି ସମସ୍ତଙ୍କ ଠାରୁ ଅଲଗା ବାରି ହୋଇପଡୁଥିଲା । ଅଫିସ ଭିତରେ ସମସ୍ତଙ୍କ ମଧ୍ୟରେ ଭିନ୍ନ । ସହକର୍ମୀଭାବେ ଅନେକ ଦିନ କାର୍ଯ୍ୟ କଲାପରେ ଉଭୟଙ୍କ ମଧ୍ୟରେ ଏକ ଆକର୍ଷଣ ସୃଷ୍ଟି ହୋଇଥିଲା । ଭାବନା ମନେ ମନେ ତା ପ୍ରତି ଆକର୍ଷିତ ହୋଇ ଯାଉଥାଏ ଦିନକୁ ଦିନ । ସାଗର ମଧ୍ୟ ଅନେକ ସମୟରେ ଭାବନାର ଚତୁଃପାର୍ଶ୍ୱରେ ଭ୍ରମର ପରି ଘୁରି ବୁଲୁଥାଏ ।
ଏହିପରି କିଛି ଦିନର ଦେଖାସାକ୍ଷାତରେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଉଭୟେ ଉଭୟଙ୍କର ଅତି ନିକଟତର ହୋଇଯାଇଥିଲେ । ସେବେ ଠାରୁ ଅଗଣିତ ଭଲପାଇବା ଦେଇ ଚାଲିଥିଲା ଭାବନା । ନିଃସ୍ୱାର୍ଥପର ଭାବେ ନିଜର କୁମାରୀତ୍ୱକୁ ସାଗର କୋଳରେ ଅଜାଡି ଦେଇଥିଲା ତାକୁ ନିଜ ଭାବି ସ୍ୱାମୀ ଭାବେ ଗ୍ରହଣ କରି ।
ସେତେବେଳେ ପ୍ରତ୍ୟକ ଦିନ ଅଫିସ ଶେଷରେ ସାଗର ଆସି ପହଞ୍ଚିଯାଏ ଭାବନା ଘରେ । ସନ୍ଧ୍ୟାସମୟ ଅତିବାହିତ କରି ପୁନଶ୍ଚ ଫେରିଯାଏ ପୁଣି ଆସିବାର ପ୍ରତିଶ୍ରୁତି ଦେଇ ।
ପ୍ରତିଶ୍ରୁତି ଶୁଣିବାକୁ ବହୁତ ଭଲ ଲାଗେ । ମାତ୍ର ପ୍ରତିଶ୍ରୁତିର କାର୍ଯ୍ୟକ୍ଷମତା ଉପରେ ଯେତେବେଳେ ପ୍ରଶ୍ନବାଚୀ ସୃଷ୍ଟି ହୁଏ ସେତେବେଳେ ପ୍ରତିଶ୍ରୁତି ଶବ୍ଦ ହିଁ ବିଷ ଉଦ୍ଗିରଣ କରେ ।
ଯେତେବେଳେ ସାଗରର ଫେରିବାର ପ୍ରତିଶ୍ରୁତିରେ ପ୍ରଶ୍ନ ଉଠିଲା ସେତେବେଳେ ଭାବନାର ଅନ୍ତର ଦୋହଲି ଉଠିଲା ଏକ ଅଦେଖା ଭୟକୁ ନେଇ ।
କଥାରେ ଅଛି, ଭଲ ପାଇବା,ପ୍ରେମ ଓ ଅନାବିଳ ସ୍ନେହ ସେତେବେଳେ ଆସେ ଯେତେବେଳେ ଉଭୟଙ୍କ ମନରେ ସମ ଭାବନା ଜାତ ହୁଏ, ମାତ୍ର ଜଣଙ୍କ ମନର କିଞ୍ଚିତ୍ ପରିବର୍ତ୍ତନ ଓ ଛଳନାପୂର୍ଣ୍ଣ ଚିନ୍ତାଧାରା ଶତ ପ୍ରତିଶତରେ ଅପରପକ୍ଷରେ ପ୍ରତିଫଳିତ ହେବା ସହ ଅନ୍ତର୍ମନରେ ଆନ୍ଦୋଳନ ସୃଷ୍ଟି ହୁଏ ଉଭୟଙ୍କ ଅଜାଣତରେ ମଧ୍ୟ । ସେହି ସମୟ ହିଁ ଚେତାଇଦିଏ ପ୍ରକୃତରେ ଅପରପକ୍ଷର ଛଳନା ।"
ଠିକ ତାହା ହିଁ ପ୍ରତିଫଳିତ ହୋଇଥିଲା ଭାବନା କ୍ଷେତ୍ରରେ ଯେତେବେଳେ ସେ ସାଗରକୁ ନେଇ ଆକାଶର ଜହ୍ନକୁ ହାତମୁଠାକୁ ଆଣିବାର ପ୍ରଚେଷ୍ଟାରେ ଥିଲା । ସେ ଜାଣି ନଥିଲା ଅନ୍ୟର ଆଲୋକରେ ଆଲୋକିତ ଜହ୍ନ କେବଳ ଶୀତଳତା ଦେଇ ପାରିବ ଦିବାସ୍ୱପ୍ନ ପରି ।
ପୁଣି ରତନୀର ହାତର ସ୍ପର୍ଶ, "ଦିଦି, ଚା ପିଇବା ସରିଲା ନା ସର୍ବତ ପିଇବ । "
ତା କଥା ଶୁଣି ଚା କପଟିକୁ ଧରି ଢକ ଢକ ପିଇଦେଇ ଉଠି ବାହାରର ସୂର୍ଯ୍ୟଙ୍କ କିରଣକୁ ମୁହେଁଇଲା ଭାବନା ।
କହିଉଠିଲା,ରତନୀ ଆଜି ତ ସୂର୍ଯ୍ୟଙ୍କ କିରଣ ବେଶି ପ୍ରଖର ନାହିଁ, ରତନୀ କହିଲା, ଯେତେବେଳେ ବାଦଲ ଥାଏ ନା ଦିଦି ସେତେବେଳେ ସୂର୍ଯ୍ୟଙ୍କ ଅତି ପ୍ରଖର କିରଣ ବି କୌଣସି କାର୍ଯ୍ୟରେ ଆସେ ନାହିଁ । ସେତେବେଳେ ସୂର୍ଯ୍ୟଙ୍କ କିରଣ ପାଇବାକୁ ହେଲେ ବାଦଲ ହଟିବାକୁ ଅପେକ୍ଷା କରିବାକୁ ପଡେ । ଦିନେ ଦିନେ ତ ଏପରି ହୁଏ ବାଦଲ ହଟିଲା ବେଳକୁ ସୂର୍ଯ୍ୟ ବି ତାଙ୍କ ତେଜ ହରେଇ ବସିଥାନ୍ତି ।
ହଠାତ ରତନୀ ମୁହଁରୁ ଏ ପ୍ରକାର ବାଣୀ ଶୁଣି ଭାବନା ସ୍ଥିର କଲା ସାଗର ଘରକୁ ଯିବ । ଧଡପଡ କରି ବାହାରି ପଡିଲା । ରତନୀକୁ କହିଗଲା ଡେରି ହେବ ।
ରାସ୍ତାରେ ଯାଉ ଯାଉ ଭାବନା ସ୍ଥିର କଲା ଆଉ କିଛି ନଭାବି ଆଜି ସିଧା ସିଧା ସାଗରକୁ ତା ମନ କଥା ପଚାରି ଦୁହିଁଙ୍କ ବିବାହ କଥା ସ୍ଥିର କରିବ । ଦୀର୍ଘ ଦିନ ଧରି ଅଫିସ ନ ଆସିବା ଓ ତା ସହ ଦେଖା ନକରିବାର କାରଣ ପଚାରିବା ସହ ନିଜ ଅଭିମାନ ଜଣେଇବ ।
ସାଗରର ଘର ଠିକଣା ଅଫୀସରୁ ଫୋନକରି ବୁଝି ସେହି ଠିକଣାରେ ପହଞ୍ଚିଲା ।
ସେତେବେଳେ ମନେମନେ ଭାବୁଥାଏ ଏତେ ବଡ ସମାଜରେ ଜଣଙ୍କ ବିଷୟରେ କିଛି ନଜାଣି ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେବାର ଧୃଷ୍ଠତା କଥା । ଏହା କେତେ ମାତ୍ରାରେ ଠିକ ଓ ଭୁଲ । ଏମିତି କେହି ନାହିଁ ଯାହା ସହ ଆଲୋଚନା କରିପାରିବ ବା ପର୍ଯ୍ୟାଲୋଚନାର ସମୟ ବି ମଧ୍ୟ ନାହିଁ ।
ପହଞ୍ଚିଗଲା ସାଗର ଘରେ । ସୁସଜ୍ଜିତ ଘର ଓ ଅଗଣା । ସୁନ୍ଦର ସୁନ୍ଦର ଫୁଲର ସମ୍ଭାର । ଜଗୁଆଳୀ ଦେଖି ପଚାରିଲା, କାହାକୁ ଖୋଜୁଛନ୍ତି । ଘର ବାହାରର ସାଜସଜ୍ଜାରେ ନିମଗ୍ନ ଭାବନା ମୁହଁରେ ସ୍ୱତ୍ତଃ ଆସିଗଲା ସାଗର ଅଛନ୍ତି ।
ଜଗୁଆଳୀ କହି ଉଠିଲା, ଆଜ୍ଞା ଆସନ୍ତା କାଲି ରାତିରେ ବୋହୁମା ଓ ବାବୁ ଆସିଛନ୍ତି ଆପଣ ଭିତରକୁ ଯାଆନ୍ତୁ । । ଜଗୁଆଳୀ ମୁହଁରୁ ଏକଥା ଶୁଣି ଭାବନା କିଛି ମୁହୂର୍ତ୍ତ ପାଇଁ ବିବ୍ରତ ହେବା ପରେ ମନକୁ ବୁଝେଇ ଆଗେଇଲା, ବୋହୁମା ଶବ୍ଦଟି ସାଗରର ମାଆ ପାଇଁ ଉଦ୍ଦିଷ୍ଟ ହୋଇଥିବ ।
ଏପରି ଭାବି କଲିଂ ବେଲଟି ମାରି ଅପେକ୍ଷାକଲା ଦରଜା ଖୋଲିବାର । ହଠାତ ଏକ ପାଉଁଜିର ରୁଣୁଝୁଣୁ ଶବ୍ଦସହ ଦରଜା ଖୋଲିଲା ।
ଭାବନା ସାମନାରେ ସେତେବେଳେ ଏକ ନୀଳ ନୟନା, ଗୋଟିଏ ଚାଉଳରେ ଗଢା ଅତୀବ ସୁନ୍ଦର ନାରୀଟିଏ ଉଭା ହେଲେ । ହାତ ଯୋଡି ନମସ୍କାର ହୋଇ ଘର ଭିତରକୁ ନିମନ୍ତ୍ରଣ କରିବା ସହ ତାର ହାଜର କୋମଳ ସ୍ପର୍ଶରେ ନିଜକୁ ସହଜ କରିବାକୁ ଚେଷ୍ଟା କଲା ଭାବନା । ଘର ଭିତରେ ରଜନୀଗନ୍ଧାର ବାସନା ମହକି ଉଠୁଥାଏ ଯେମିତି ସେଦିନ ସାଗର ଓ ତା ଭିତରେ ବ୍ୟତୀତ ହୋଇଥିବା ଗୋପନ ମୁହୂର୍ତ୍ତରେ ବାସି ଥିଲା ଚତୁର୍ଦିଗ ।
ଭିତରୁ ଆବାଜ ଆସିଲା କିଏ ଲୁସି ?
ଆରେ ଏ ତ ସାଗରର ଶବ୍ଦ । ଭାବନା କିଛି ଭାବିବା ଆଗରୁ ତା ସାମନାରେ ଆସି ପହଞ୍ଚିଗଲା ସାଗର । ଭିବନାକୁ ଦେଖି କଣ ଖହିବ କିଛି ଭାବି ନପାରି ଥଙ୍ଗମଙ୍ଗ ହୋଇ କହିଲା, ଲୁସି ଟିକେ ଚାହା କର ।
ଅତି ଧିର ସ୍ୱରରେ ଆଣୁଛି କହି ଭିତରକୁ ଚାଲିଗଲେ ସେହି ସ୍ୱର୍ଗର ଅପ୍ସରା ପରି ପରିଭୂଷିତା ନାରୀଜଣକ ।
ସାଗରକୁ ଦେଖି ବସିବା ସ୍ଥାନରୁ ଉଠି ଛିଡାହେଲା ଭାବନା । କିଛି କହିବା ଆଗରୁ ଭିତରୁ ଆଉ ଏକ ଶବ୍ଦ ଶୁଣାଗଲା ।
ଆରେ ସାଗର, ବୋହୁକୁ ନେଇ ପାଖ ମନ୍ଦିର ଦର୍ଶନ କରେଇ ଆଣେ । ଆଜି ପରା ଅଷ୍ଟ ମଙ୍ଗଳା । ସେ ତା ବାପାଘରକୁ ଯିବ । ଶିଘ୍ର କର । ଏକଥା ଶୁଣି ନିରୁତ୍ତର ହୋଇ ଏକ ଦୋଷୀ ସଦୃଶ ଛିଡା ହୋଇ ରହିଲା ସାଗର ଭାବନା ସାମ୍ନାରେ ।
ଏକଥା ଶୁଣି ଭାଵନାର ଆଉ ବୁଝିବାରେ ବାକି ରହିଲାନି ଯେ, ସେ ସୁଢଳ ସୁନୟନା ସୁନ୍ଦରୀ ନାରୀ ହେଉଛି ସାଗରର ନବ ବିବାହିତା । ଆଖି ଛଳଛଳ ହୋଇଗଲା ଭାବନାର ।
ଠିକ୍ ସେତିକିବେଳେ ଲୁସି ଚା କପ ଧରି ଆସି ପହଞ୍ଚିଗଲା । କପଟି ବଢେଇଦେଲା ଭାବନା ହାତକୁ । ଚା କପଟି ଧରି ଭାବନା ସାମନାରେ ପଡିଥିବା ଟେବଲ ଉପରେ ରଖି ହାତରେ ପିନ୍ଧିଥିବା ଚୁଡି ଦୁଇଟି ଖୋଲି ଲୁସିକୁ ପିନ୍ଧେଇ ଦେଲା, ଯେଉଁ ଦୁଇଟି ତାଙ୍କ ମିଳନ ରାତ୍ରୀରେ ସାଗର ଭାବନା ହାତରେ ପିନ୍ଧେଇଥିଲା ।
ପରିସ୍ଥିତିକୁ ସହଜ କରିବାକୁ ଯାଇ ସଙ୍ଗେ ସଙ୍ଗେ କହିଉଠିଲା, ସାଗର ତାଙ୍କ ବାହାଘରକୁ ଡାକିଥିଲେ ମାତ୍ର ମୁଁ ଆସି ନପାରିଥିବାରୁ ଦୁଃଖିତ । ସେଥି ପାଇଁ ଏବେ ଚାଲି ଆସିଲି । ଏବେ ମତେ ବିଦାୟ ଦିଅ ସାଗର ।
ଏହା କହି ଅଗ୍ରସର ହେଲା ଭାବନା ନିଜ ଗର୍ଭରେ ଜୀବଦାନର ଅପେକ୍ଷାରେ ଥିବା ନିଷ୍ପାପ ଭ୍ରୂଣଟିକୁ ହାତର ଉଷ୍ମ ସ୍ପର୍ଶ ଦେବା ସହ ଏକ ଅଜଣା ଓ ଅଚିହ୍ନା ପରିଚୟର ଅପେକ୍ଷାରେ । ସାଗର ସେହିପରି ଛିଡା ହୋଇ ଭାବନାକୁ ଚାହିଁଥାଏ ଜଣେ ଉପେକ୍ଷିତ ମାନବ ପରି ।
ସବୁଦିନ ପାଇଁ ସୁପ୍ତ ରହିଗଲା ଭାବନାର ଭାବନା ।