ପାତାଲ୍
ପାତାଲ୍
ଅତଳ ଓ ଅଗଭୀର ସମୁଦ୍ର ମଧ୍ୟରେ ମୋତିର ସନ୍ଧାନ ଯେମିତି ସହଜସାଧ୍ୟ ନୁହେଁ ଠିକ ସେହିପରି କୋଟିକୋଟି ଜନ ସମୁଦ୍ରରୁ ସରଳ, ନିଷ୍କପଟ ମନୁଷ୍ୟଟିଏ ଖୋଜିବା ଅତ୍ୟନ୍ତ କଷ୍ଟଦାୟକ ।
ଆଜିକାଲି ଯନ୍ତ୍ରବତ୍ ଚାଲିଥିବା ସମାଜ ନିଜ ସ୍ୱାର୍ଥ ପାଇଁ ସବୁ ସମ୍ପର୍କକୁ ପଛରେ ପକେଇବାକୁ ପଛଉନାହିଁ । ଗୋଟିଏ ପଟେ ମଣିଷ ସମ୍ପତ୍ତି ରୂପକ ମରୀଚିକା ପଛରେ ଧାଇଁ ବାକୁ ଲାଗିଲା ବେଳେ ଅନ୍ୟ ପକ୍ଷେ ଦେଖିବାକୁ ମିଳୁଛି ଦିନକୁ ଦୁଇମୁଠା ଖାଇବା ଯୋଗାଡରେ ସଙ୍ଘର୍ଷ ।
ଏମିତି କିଛି ହଠାତ ଆଜି ଦୂରଦର୍ଶନରେ ଦେଖିବାକୁ ଓ ଶୁଣିବାକୁ ପାଇଲି । ବହୁତ ମର୍ମସ୍ପର୍ଶୀ ଥିଲା ସେ ପ୍ରବନ୍ଧଟି ଓ ତାର ଚିତ୍ର ଉତ୍ତୋଳନ । ପନ୍ଦର ମିନିଟର ସମୟରେ ମୋ ଆଖିରେ ଲୁହ ଆସିଗଲା ଓ ମନେ ପଡିଗଲା ସୁନ୍ଦରଗଡର ସେହି ରାମୁ କଥା ।
ଦୀର୍ଘ ଦିନର କଥା । ଅଫିସର କିଛି କାର୍ଯରେ ସୁନ୍ଦରଗଡ ଯିବାର ଯୋଜନା ହେଲା । ଭୁବନେଶ୍ୱର କୋଉଠି ଆଉ ସୁନ୍ଦରଗଡ କୋଉଠି । ଆକାଶ ପାତାଳର ଫରକ୍ । ଯେତିକି ପଢିଥିଲି ପଶ୍ଚିମ ଓଡ଼ିଶାର ଚାଲିଚଳନ ଆମ ଠାରୁ ଅନେକ ଭିନ୍ନ । ସମାଜ ସହ ଓ ସମୟ ସହ ତାଳ ଦେଇ ଚାଲିବା ପାଇଁ ସେମାନେ ଚେଷ୍ଟିତ । ରାଜଧାନୀ ଚାକଚକ୍ୟ ଠାରୁ ଅନେକ ଦୂରରେ ସେମାନେ । ଆମର ପୁଣି ରାଜଧାନୀର ଚଳଣୀ ଠାରୁ ଦୂରକୁ ଯାଇ ସୁଦୂର ସୁନ୍ଦରଗଡର ଘନଜଙ୍ଗଲ ପରିବେଷ୍ଟିତ ଅଞ୍ଚଳକୁ ଯିବା କଥା ଶୁଣି ମନରେ ଆଗ୍ରହ ସୃଷ୍ଟି ହେଲା । କାନରେ ଶୁଣିଥିବା ଓ ପଢିଥିବା କଥାକୁ ସ୍ୱଚକ୍ଷୁରେ ଦେଖିବା ପାଇଁ ମନ ଆଗଭର ହୋଇଉଠିଲା ।
ବାହାରି ପଡିଲି ଅଫିସର କିଛି କର୍ମଚାରୀଙ୍କ ସହ । ରାତ୍ରୀର ଯାତ୍ରା । ତେଣୁ ଆଗ୍ରହ ଆହୁରି ଅଧିକ । ସାଧାରଣତଃ ରାତ୍ରି ସମୟରେ ବାହାରେ ରହିବା ସମ୍ଭବ ହୋଇ ନଥାଏ । ତେଣୁ ବିଳମ୍ବିତ ରାତ୍ରୀର ଶୃଙ୍ଗାର ଦେଖିବାର ମଜା ହିଁ କିଛି ନିଆରା ହୋଇଥିବ ଭାବି ବସରେ ଚଢିଲି ।
ପ୍ରଥମ କିଛି ସମୟ ମନରେ ଉନ୍ମାଦ ଖେଳିଗଲା । ରାତିର ବୁକୁ ଚିରି ବସଟି ଆଗକୁ ଆଗକୁ ବଢି ଚାଲିଥାଏ ଅମାନିଆ ଅଙ୍କାବଙ୍କା ନଈ ପରି । ରାତି ପ୍ରାୟ ଏଗାରଟା ପରେ ଜଣାଗଲା ଆମ ବସଟି ସହର ଛାଡି ରାଜରାସ୍ତାରେ ଚାଲିଛି । ଚତୁର୍ଦ୍ଦିଗ ଅନ୍ଧକାରମୟ । ତା ମଧ୍ୟରେ ଚିକ୍ ମିକ୍ କରୁଥିବା ବିଜୁଳି ଖୁଣ୍ଟର ଆଲୋକ ଓ ମଧ୍ୟେ ମଧ୍ୟେ ସୁଦୂରରେ କିଛି ବିଜୁଳିବତୀର ଝଲକ ଅମାବାସ୍ୟା ରାତ୍ରୀର ଝିଲ୍ ମିଲ୍ ତାରା ମାନଙ୍କ ପରି ପ୍ରତୀତ ହେଉଥାଏ । ସତେ ଯେମିତି ରାତ୍ରୀର ପ୍ରହରୀ ।
ଏପରି ଲାଗୁଥାଏ କେଉଁ ଏକ ସପନ ରାଇଜରେ ଭ୍ରମଣ କରୁଛି ବୋଲି । ସେଇ ସ୍ୱର୍ଗୀୟ ଅନୁଭବ ଭିତରେ କେତେବେଳେ ନିଦ୍ରାଦେବୀ ଚକ୍ଷୁରେ ବିରାଜମାନ ହୋଇଛନ୍ତି ଜଣାନାହିଁ । ନିଦ ଭାଙ୍ଗିଲା କଣ୍ଡକ୍ଟରର ଡାକରେ । "ଆଜ୍ଞାମାନେ ଓହ୍ଲେଇଯାଆନ୍ତୁ । ବସଷ୍ଟାଣ୍ଡ ଆସିଗଲା । "
ସକାଳୁ ସକାଳୁ ଗାଡିରୁ ତଳେ ପାଦ ଦେବା ପୂର୍ବରୁ ଶୀତଳ ପବନର ଏକ ଝଲକ ଶରୀର ଓ ମନର ସ୍ପୃତିକୁ ଦ୍ୱିଗୁଣିତ କରିଦେଲା ।
ପୁନର୍ବାର ଏକ କାର ଯୋଗେ ଗନ୍ତବ୍ୟସ୍ଥଳ ଅଭିମୁଖେ ଆଗେଇଲୁ । କିଛି ସମୟ ପରେ ଦେଖାଦେଲେ ମନମୁଗ୍ଧକର ରୂପରେ ସୂର୍ଯ୍ୟ ଦେବ । ନାଲିରଙ୍ଗର କି ଅପୂର୍ବ ସୁନ୍ଦର ରୂପର ସମାହାର । ସୂର୍ଯ୍ୟଙ୍କର ଏ ସୁନ୍ଦର ରୂପ ପୂର୍ବରୁ କେବେ ମୁଁ ଦେଖିନଥିଲି । ଓଃ କି ମନୋହର ସେ ଦୃଶ୍ୟ । ସତେ ଯେମିତି ଅନ୍ଧକାର ମଧ୍ୟରେ କିଏ ନାଲି ରଙ୍ଗର ବଲ୍ ବ ଜଳେଇଦେଇଛି । ଇଛା ହେଉଥାଏ ସବୁଦିନ ଓ ସବୁ ସମୟ ଏହିପରି ରହି ଯାଆନ୍ତା କି । ମାତ୍ର ପରିବର୍ତ୍ତନ ଶୀଳ ଏ ପୃଥିବୀରେ ସ୍ଥିରତା ଅସମ୍ଭବ । କି ମନୋହର ସେ ସ୍ୱରୂପ ରୁଦ୍ରଙ୍କର ।
ସମୟ ଗଡିଲା ଓ ଆମେ ପହଞ୍ଚିଗଲୁ । ନିଜ ପାଇଁ ନିଧାର୍ଯ୍ୟ କୋଠରୀରେ ପ୍ରବେଶ କରି ନିତ୍ୟକର୍ମ ସାରି ବାହାରି ପଡିଲୁ କାର୍ଯ୍ୟକ୍ଷେତ୍ର ଅଭିମୁଖେ । କିଛିଦିନ ଗଲା । ପ୍ରତ୍ୟେକ ଦିନ ମୁଁ ଲକ୍ଷ୍ୟ କରେ ନିକଟରେ ଏକ ବେସରକାରୀ ଆବାସିକ ଅନୁଷ୍ଠାନକୁ । ସେଠାରୁ ଅନେକ ଛୁଆ ବାହାରକୁ ଆସନ୍ତି ଓ କିଛି ସମୟ ବାହାରେ ବୁଲି ପୁଣି ଭିତରକୁ ଯାଆନ୍ତି । ଆଗ୍ରହ ବଢିବାରୁ ଦିନେ ସମୟ ବାହାର କରି ସେଠାକୁ ଗଲି । ଯାଇ ଦେଖେତ ତାହା ଏକ ବେସରକାରୀ ଅନୁଷ୍ଠାନ ଯେଉଁଠି କିଛି ପିଲା ରହିଛନ୍ତି ଓ ପାଠ ପଢୁଛନ୍ତି । ବହୁ ଦୂର ଦୂରାନ୍ତରୁ ତାଙ୍କ ପରିବାରବର୍ଗ ତାଙ୍କୁ ଛାଡି ଯାଇଛନ୍ତି ।
ସେ ମଧ୍ୟରେ ଏପରି କିଛି ପିଲା ଅଛନ୍ତି ଯାହାର ଘରେ ଦୁଇ ଓଳି ଦୁଇମୁଠା ଖାଇବାକୁ
ନାହିଁ । ସେମାନେ ପିଲାଙ୍କୁ ଛାଡିଛନ୍ତି କେମିତି ସେମାନେ ସେଠାରେ ରହି ଖାଇବାକୁ ପାଇବେ ଓ ତା ସହ ସମାଜର ମୁଖ୍ୟ ସ୍ରୋତରେ ମିଶିବାର ସୁଯୋଗପାଇବେ ।
ତାଙ୍କ କର୍ମକର୍ତ୍ତାଙ୍କ ପାଖରୁ ଏତେ କଥା ଶୁଣି ମନଟା ଭାରାକ୍ରାନ୍ତ ହୋଇଗଲା । ସହରରେ ରହି ବଢିଵା ଭିତରେ ମନୁଷ୍ୟର ଏ ପରିସ୍ଥିତି କେବେ ଦୃଷ୍ଟିକୁ ଆସି ନଥିଲା । ମନ ହେଉଥିଲା ମୁଁ ଯେମିତି ପରିବେଶରେ ବଢିଛି ସମସ୍ତେ ସେମିତି ପରିବେଶ ପାଇଯାଆନ୍ତେ କି । ମାତ୍ର ତାହା ସମ୍ଭବ ନଥିଲା । ସମସ୍ତଙ୍କୁ ନିଜ ନିଜ ଭାଗ୍ୟ ସହ ଲଢିବାର ଥିଲା ।
ସେହିଦିନ ଠାରୁ ମୁଁ ପ୍ରତ୍ୟେକ ଦିନ କିଛି ଚକଲେଟ ଧରି ସେଠାକୁ ଯାଏ ଖାଇବା ଛୁଟି ସମୟରେ । ସେହି ପିଲାମାନଙ୍କର ଶୃଙ୍ଖଳିତ ବ୍ୟବହାର ଓ ଯିବାମାତ୍ରେ "ଦିଦି ନମସ୍କାର" ଶବ୍ଦଟି ମୋ ପକ୍ଷେ ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଆଣିଦେଉଥିଲା, ଯାହାକୁ ମୁଁ ହାତଛଡା କରିବାକୁ
ଚାହୁଁନଥିଲି ।
କିଛି ଦିନ ପରେ ମୋର ଦୃଷ୍ଟି ନିକ୍ଷେପ ହେଲା ଏକ ଛଅ ବର୍ଷର ପିଲା ଉପରେ । ସମସ୍ତେ ଖାଇବା ପାଖରେ ବସିଲା ପରେ ସେ ଉଠି ଚାଲିଯାଏ । କିଛି ମୁହୂର୍ତ୍ତ ପରେ ହାତରେ କିଛି ଧରି ଚାଲିଆସେ । ତାକୁ ଲୁଣ ଓ ଲଙ୍କା ଦେଇ ଚକଟି ଦିଏ ଓ ମହା ଆନନ୍ଦରେ ଖାଲି ଭାତକୁ ଖାଇଦିଏ । ସେଠାରେ ଖାଦ୍ୟର ସେମିତି କିଛି ଯୋଗାଡ ନଥିଲା । ଭାତ ସହ ଯେକୌଣସି ଗୋଟିଏ ତରକାରୀ ଦିଆଯାଇଥାଏ । ମାତ୍ର ସେ ପିଲାଟି କେବଳ ଭାତ ଓ ସେ ସବୁଜ ଦେଖାଯାଉଥିବା ଫଳଟିର ଚକଟା ଦେଇ ଖାଇ ଉଠି ଯାଏ ।
ଏ ସବୁ ଲକ୍ଷ୍ୟ କରି ମୁଁ ଦିନେ ତାଙ୍କ କର୍ମକର୍ତ୍ତାଙ୍କୁ ପଚାରିଲି । ତାଙ୍କର ଉତ୍ତର ଆହୁରି ଚଞ୍ଚକତା ବଢେଇଦେଲା । ଉତ୍ତର ଥିଲା, "ଆପଣ ନିଜେ ପଚାରିଲେ ଭଲରେ ବୁଝିପାରିବେ । "
ଏପରି କଣ ଯେ, ମତେ ବୁଝିବାକୁ ପଡିବ । ମନରେ ସ୍ଥିର କରି ଦିନେ ତା ପଛରେ ଗଲି । ଯାଇ ଦେଖେ ତ ଅନତି ଦୂରରେ ଥିବା ଏକ ବିଲରୁ ସେ ଦୁଇଟି ଫଳ ତୋଳି ଆଣିଲା । ତାକୁ ତରତର ଆସିବାର ଦେଖି ମୁଁ ଅଟକାଇ ପଚାରିବାକୁ ଚେଷ୍ଟା କଲାରୁ ପିଲାଟି ପ୍ରଥମେ ଡରିଗଲା । ଓ ପରେ ମୋର ଧିର ସ୍ୱରରେ ତାକୁ କଥା ହେବାର ଦେଖି ସେ ଏକ ହସଟିଏ ଭରି ଦେଲା ତା ଓଠରେ ।
ପ୍ରତ୍ୟେକ ଦିନ ଏଇ ଦୁଇଟି କି ଫଳ ନେଉଛୁ ଓ ଅନ୍ୟ କିଛି ନନେଇ ୟାକୁ ଦେଇ ଭାତ ଖାଇବାର ତାତ୍ପର୍ଯ୍ୟ କଣ ପଚାରିବାରୁ ସେ କଣ କହିବ ଚିନ୍ତାମଗ୍ନ ହୋଇଗଲା । ଟିକେ ଡରି ଯାଇ କହିଲା, ଆଜ୍ଞା ଆପଣ କହିଦେବେନି ତ ବିଲ ମାଲିକକୁ । ମୁଁ ଆଶ୍ୱାସନା ଦେବାସହ ମନାକଲି । ତା ପରେ ସେ ଆରମ୍ଭ କଲା ।
ତାଙ୍କ ଘର ବିଦ୍ୟାଳୟରୁ ତିରିଶ କିମି ଦୂର । ଘରେ ବାପାମାଆ ଓ ସାନ ଭାଇ ଅଛନ୍ତି । ବାପା ମାଆ ଅନ୍ୟ ବିଲରେ କାମ କରନ୍ତି ଓ ଯାହା ସଞ୍ଜକୁ ଆଣନ୍ତି ସେଥିରେ ତାଙ୍କ ଗୁଜୁରାଣ ମେଣ୍ଟେ । ତଥାପି ଦିନେ ଦିନେ ତାହା ମିଳେ ନାହିଁ ଓ ଉପାସ ରହିବାକୁ ହୁଏ । ସେଥିପାଇଁ ତା ପରିବାର ଠାରୁ ଦୂରରେ ଏଠାରେ ଛାଡିଛନ୍ତି ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ । ତାଙ୍କ ପରିବାରର ଖାଦ୍ୟରେ ପ୍ରତ୍ୟେକ ଦିନ ଭାତ ଥାଏ, ମାତ୍ର ସାଥିରେ ସବୁ ଦିନ କିଛି ମିଳେନି । ତେଣୁ ତାଙ୍କ ମାଆ ଯୋଉ ବିଲରେ କାମ କରନ୍ତି ସେଠାରୁ ଏଇ ଫଳ କେତୋଟି ତୋଳି ଆଣନ୍ତି ତାକୁ ଲୁଣ ଲଙ୍କା ଦେଇ ଚକଟି ଦିଏ । ଖଟା ଓ ରାଗ ଲାଗେ, ଆମେ ଖୁସିରେ ଭାତ ଖାଇଦେଉ ।
ଯେତେଦିନ ଏ ଫଳ ଫଳେ ଆମର ଭଲ ନହେଲେ ତେନ୍ତୁଳି ପାଣିରେ ଭାତ । ଗୋଟେ କୁନି ମୁହଁରୁ ଏପରି କଥା ଶୁଣି ମୋ ଆଖି ଛଳଛଳ ହୋଇଗଲା । ପଚାରିଲି ଏ ଫଳଟିର ନାଁ କଣ । ଉତ୍ତର ଥିଲା "ପାତାଲ୍" ।
ମୁଁ ହଠାତ ପଚାରି ବସିଲି, ତୁ ଏମିତି ଅନ୍ୟ ବିଲରୁ ଆଣୁଛୁ ସେମାନେ ଦେଖିଲେ ଗାଳି ଦେବେ ନିହାତି । ତତେ ତ ଖାଇବାକୁ ମିଳୁଛି ତୁ କାହିଁକି ଏପରି କରୁଛୁ ।
ତାର ଉତ୍ତର ଶୁଣି ମୋର କୋହ ଭରି ଆସିଲା । କହିଲା, ମାଆ ଆମକୁ ଜନ୍ମରୁ ଏହାକୁ ଖୁଏଇଛି । ଏଥିରେ ମାଆର ବାସ୍ନା ଅଛି । ମତେ ଏଠି ଏକୁଟିଆ ଭଲ ଲାଗୁନି । ଏଇ ପାତାଲ୍ ଆଣି ଭାତରେ ଖାଇଲେ ମତେ ମାଆ ଓ ଘର ପରି ଲାଗେ । ସେଥିପାଇଁ ସବୁଦିନ୍ ଖାଇ ବସ୍ ବାର ବେଳେ ଯାଇ ନି ଆସେ ।
ତା କଥା ଶୁଣି ମୋର ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଥିଲା ସେଦିନ । କୋଳକୁ ଟାଣିଆଣି ଆଲିଙ୍ଗନ କରି ତାକୁ ଟିକେ ଆଉଁସି ଦେଇଥିଲି ସେଦିନ । ସେବେ ପରଠୁ ସେ ଯେତେବେଳେ ମତେ ଦେଖେ ମୋ ପାଖକୁ ଧାଇଁ ଆସି ମୋ ହାତକୁ ଟାଣି ତା ପିଠିରେ ରଖେ । ମୁଁ ବୁଝିପାରେ ଓ ତାକୁ ଟିକିଏ ଆଉଁସି ଦିଏ । ସେ ହସି ହସି ପୁଣି ଚାଲିଯାଏ ।
ମୋର କାର୍ଯ୍ୟ ସମାପ୍ତ ହୋଇସାରିଥାଏ । ଯେଉଁ ଦିନ ମୋର ଫେରିବାର ଥାଏ ସେଦିନ ମୁଁ ସେଠାକୁ ଯାଇ କିଛି ଚକଲେଟ ଓ ଆର୍ଥିକ ସାହାଯ୍ୟ ଦେଇଆସିଥିଲି । ମାତ୍ର ସେଠାରେ ରାମୁକୁ ନପାଇ ମନ ଦୁଃଖରେ ଫେରିଥିଲି । ମନରେ ଅବଶୋଶ ରହିଯାଇଥିଲା ତାକୁ ନଦେଖି ପାରିବାର ।
କିଛି ବାଟ ଆସିଛି, ପଛରୁ ଡାକ ଶୁଭିଲା, ଦିଦି, ଦିଦି । ଜାଣିପାରିଲି ରାମୁର ଶବ୍ଦ । ଅଟକିଯାଇ ପଛକୁ ବୁଲି ଦେଖେତ ହାତରେ ସେହି ସବୁଜ ଫଳ ଦୁଇଟି ଧରି ଏକ ନିଶ୍ୱାସରେ ମୋ ଆଡକୁ ଧାଇଁଛି । ଧଇଁସଇଁ ହୋଇ ପହଞ୍ଚି ଗଲା । କୁଆଡେ ଯାଇଥିଲୁ ପଚାରିଲାରୁ କହିଲା "ତୁମର ଲାଗି ପାତାଲ୍ ଆନି ଯାଇଥିଲେ" ଏହା କହି ଦୁଇଟି ପାତାଲ୍ ମତେ ବଢେଇ ଦେଲା । ମୁଁ ମଧ୍ୟ ଖୁସିରେ ତାକୁ ଆଣି ମୋ ବ୍ୟାଗରେ ରଖି ଦେଲି ଓ ତା ପାଇଁ ବଜାରରୁ କିଣି ଥିବା କିଛି ମିଠା ଓ ଡ୍ରେସ ଦେଲି । ତାକୁ ଦେଖି ଖୁସିରେ ନାଚି ଉଠିଥିଲା ସେଦିନ ସେ । ତାକୁ ସେଦିନ ଶେଷ ଆଲିଙ୍ଗନ କରି ମୁଁ ବସରେ ବସିଥିଲି ।
ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସେ ସେମିତି ଛିଡାହୋଇ ହାତ ହଲାଉଥିବାର ମୁଁ ଦେଖିଥିଲି ଓ ମୁଁ ମଧ୍ୟ ତାକୁ ହାତ ହଲେଇ ଆଉଥରେ ଆସିବାର ସୂଚନା ଦେଉଥିଲି । ମାତ୍ର ନା ଆଉ ସମୟ ଆସିଲା ନା ମୁଁ ସେଠାକୁ ଆଉ ଗଲି ।
କିଛି ସମୟ ବସ ଚାଲିଲା ପରେ ମନ ହେଲା ବ୍ୟାଗରୁ ରାମୁ ଦେଇଥିବା ଫଳ ଦୁଇଟିକୁ ଦେଖିବାକୁ । ଆଗ୍ରହର ସହ କାଢି ତାକୁ ଚିହ୍ନିବାକୁ ଚେଷ୍ଟା କଲି । ଚିହ୍ନିବାର ପ୍ରଥମ ପର୍ଯ୍ୟାୟ ଆଘ୍ରାଣ । ତେଣୁ ଫଳଟିକୁ ନାକ ପାଖକୁ ନେଇ ଜାଣିବାକୁ ପାଇଲି ଯେ, ରାମୁର ଏଇ "ପାତାଲ୍" ଅନ୍ୟ କିଛି ନୁହେଁ ଆମେ ରାଜଧାନୀ ବାସୀଙ୍କର ତାହା "ଟମାଟୋ" । ଫଳଟିର ପରିଚୟ ପାଇ ମନେ ମନେ ବହୁତ ହସିଲି । ସମ୍ପୂର୍ଣ୍ଣ ରାସ୍ତାଟି ତାର କଥା ଓ ତାର ନିର୍ମାୟା ମୁହଁକୁ ଆଖିଆଗରେ ରଖି କାଟିଦେଲି ।
ଘରେ ପହଞ୍ଚି ମାଆକୁ ଖାଇବାକୁ ମାଗିଲି । ମାଆ ଭାତ ସହ ନ ଭଜା ଛ ତିଅଣ ପରଷି ଦେଲା । ମାତ୍ର ସେଦିନ ମୁଁ ସେହି ପାତାଲ୍ ମାନେ ଟମାଟୋକୁ ଆଣି ମାଆକୁ ଲୁଣ ଓ ଲଙ୍କା ମାଗି ତାକୁ ଚକଟି ଭାତ ସହ ଖାଇବାକୁ ଲାଗିଲି । ମାଆ ଏହା ଦେଖି କହିଲା, ତୁ ଏମିତି କଞ୍ଚା ଟମାଟୋକୁ ଚକଟି ଖାଉଛୁ କଣ । ମୋ ପାଟିରୁ ସ୍ୱତଃ ପ୍ରବୃତ ଭାବେ ବାହାରି ଆସିଲା ଏହାକୁ ଖାଇବାରୁ ରାମୁ ପାଖରେ ଥିଲା ପରି ଲାଗୁଛି । ମୋ ଆଖି ସେତେବେଳକୁ ଛଳଛଳ ହୋଇଆସିଥିଲା ।
