Er. Suchismita Satpathy

Romance Tragedy Inspirational

4.5  

Er. Suchismita Satpathy

Romance Tragedy Inspirational

ନିଶିଦ୍ଧ ଇଲାକା

ନିଶିଦ୍ଧ ଇଲାକା

5 mins
312


ବାଜା ରୋଷଣୀ ନାଚ ଗୀତ ଭିତରେ ମସଗୁଲ ଥିଲେ ସବିତା ଓ ତାଙ୍କ ପରିବାର ବର୍ଗ।ଅନେକ ଲୋକଙ୍କ ସମାଗମ।ବହୁତ ଦୂର ବନ୍ଧୁ ବାନ୍ଧବ ମଧ୍ୟ ଉପସ୍ଥିତ। କାହିଁକି ନହେବ। ଏକମାତ୍ର ପୁଅ ନରେନ୍ ର ବାହାଘର ଯିଏକି ଭାରତୀୟ ନୌସେନାର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ।ବହୁତ ଚେଷ୍ଟା ପରେ ପୁଅ ରାଜି ହୋଇଛି ବାହା ହେବାକୁ ତାହା ପୁଣି ତାଙ୍କ ନିଜ ପସନ୍ଦର ଝିଅ ସହ। ସବିତାଙ୍କ ଦୂର ସମ୍ପର୍କୀୟ ଙ୍କ ଝିଅ ରମିତା। ରୂପରେ ଯେମିତି ଗୁଣରେ ବି ସେମିତି।ବିଭା ବୟସ ତୁଳନାରେ ବୟସ ଅଧିକ ମାତ୍ର ନରେନ୍ ଠାରୁ ବୟସରେ କମ୍। ତାହାର କାରଣ ମଧ୍ୟ ସବିତା ନିଜେ। ତାଙ୍କର ଏକା ଜିଦ୍ ସହି ଝିଅ ହିଁ ତାଙ୍କ ର ବୋହୁ ହେବ। ତେଣୁ ରମିତାଙ୍କୁ ପାଖରେ ଆଣି ରଖିଥିଲେ।ସେ ମଧ୍ୟ ସବିତାଙ୍କ ଘର ସହ ଯଥାରୀତି ଖାପ ଖୁଆଇ ଚାଲିଥାଏ।ନିଜ ଚାକିରି ସହ ସବିତାଙ୍କ ଘରର ସବୁ ଦାୟିତ୍ଵ ସୂଚାରୁ ରୂପେ ସମ୍ପାଦନା କରୁଥାଏ। କୌଣସି ଦିନ ସେ ବିବାହ କଥା ସବିତାଙ୍କ ଆଗରେ କୁହେ ନାହିଁ।ସବିତା ମଧ୍ୟ ବହୁତ ଖୁସି ରିମିତାର ବ୍ୟବହାର ରେ।

ମାତ୍ର ସବୁ ଭିତରେ ବି ସବିତାଙ୍କ ର ଏକ ଦୁଃଖ ଥିଲା। ପୁଅ ଏତେ ବଡ଼ ଅଫିସର ହୋଇ ମଧ୍ୟ ସଦା ସର୍ବଦା ମନ ଦୁଃଖରେ ଥାଏ।ପ୍ରତି ମୂହୁର୍ତ୍ତ ରେ ଲାଗେ ସତେ ଯେମିତି ସେ କାହା ଅପେକ୍ଷା ରେ ଅଛି, କାହାକୁ ଖୋଜୁଛି। ବର୍ଷ କୁ ଭିତରେ ଗୋଟିଏ ଥର ଆସେ ସେଥିରେ ବି ସେ ନିଜ ରୁମ୍ ବାହାରକୁ ଯାଏ ନାହିଁ। ଆଜି ବାହାଘର ସମସ୍ତେ ଖୁସିରେ ମାତ୍ର ତା ମୁହଁରେ ହସ ନାହିଁ।ଏ ବିଷୟରେ ସବିତା ଓ ରମିତା ଉଭୟ ଜାଣିବାକୁ ଚେଷ୍ଟା କରି ମଧ୍ୟ ଅସଫଳ।ସବୁ ସତ୍ତ୍ୱେ ସବିତା ଖୁସି ଯେ ବିବାହ ପାଇଁ ନରେନ୍ ରାଜି ହେଉ ପଛେ ତାଙ୍କ ଜିଦ୍ ପାଇଁ।

ମାତ୍ର ରମିତା କିନ୍ତୁ ନରେନ୍ ଙ୍କ ପାଖରେ କେବେ ନିଜକୁ ସହଜ ମନେ କରନ୍ତି ନାହିଁ।ସତେ ଯେମିତି ସେ ଏକ ଅନ୍ୟ ଦୁନିଆ ର ଲୋକ ସେହିପରି ଲାଗେ ।ଆଜି ବାହାଘର। ରମିତା ସବୁ ପ୍ରକାରେ ସଜ ହୋଇ ବିବାହ ପାଇଁ ପ୍ରସ୍ତୁତ ମାତ୍ର ମାନସିକ ସ୍ତରରେ ନୁହେଁ। ତାଙ୍କର ଏକ ମାତ୍ର ଇଛା ନରେନ୍ ଙ୍କ ମନରେ କ'ଣ ଅଛି ତାହା ଜାଣିବା। ତେଣୁ ସମସ୍ତେ ସେପଟେ ବିବାହ କାର୍ଯ୍ୟ ରେ ବ୍ୟସ୍ତ ଥିଲାବେଳେ ରମିତା ମନରେ ସ୍ଥିର କଲେ ଆଜି ଏହି ମୁହୂର୍ତ୍ତ ରେ ନରେନ୍ ଙ୍କ ପାଖକୁ ଯିବେ ଓ ବିବାହ ବନ୍ଧନରେ ଆବଦ୍ଧ ହେବା ପୂର୍ବରୁ ସେ ପ୍ରକୃତରେ କଣ ଚାହୁଛନ୍ତି ଜାଣିବେ। ଏହା ଭାବି ରମିତା ନରେନ୍ ଙ୍କ ଦ୍ଵାର ପାଖରେ ପହଂଚି ଲେ। ସେଠାରେ ପହଁଚି ସେ ହଠାତ୍ ସ୍ଥିର ହୋଇଗଲେ ।ସେହି ମୁହୂର୍ତ୍ତ ରେ ସେ ଶୁଣି ପାରିଲେ ନରେନ୍ ଙ୍କ ସ୍ୱର। ସତେ ଯେମିତି ସେ କାହା ସହ କଥା ହେଉଛନ୍ତି ଓ ସେହି ଭିତରେ ତାଙ୍କ କାନ୍ଦିବାର ଆଭାସ ପାଇଲେ ରମିତା। ପ୍ରଥମେ ନିଜକୁ ଅସ୍ଥିର ମନେ କଲେ ରମିତା ମାତ୍ର ପୁଣି ନିଜକୁ ଦୃଢ଼ କରି କିଛି ପାଦ ଆଗକୁ ବଢେଇଲେ। ଅସ୍ପଷ୍ଟ ହେଉଥିବା କିଛି ଶବ୍ଦ ସ୍ପଷ୍ଟ ହେବାରେ ଲାଗିଲା।

ନା, ମାନି ମୁଁ ତୁମ ପ୍ରତି ଅନ୍ୟାୟ କରି ପାରିବି ନାହିଁ।ତୁମେ ଥାଉ ଥାଉ ମୁଁ ଆଉ କାହାକୁ ମୋର ଜୀବନରେ ସ୍ଥାନ ଦେଇ ନ ପାରେ। ଏପରି ହେଲେ ମୁଁ ବିଶ୍ଵାସଘାତକ ସାଜିବି। ମୋ ଭଲ ପାଇବା ମିଛ ହୋଇଯିବ।ତୁମର ମୋ ପ୍ରତି ଥିବା ସମର୍ପଣ ର କଣ କିଛି ମୂଲ୍ୟ ନାହିଁ। ତୁମେ ମୋତେ ଛାଡ଼ି ଯାଅ ନାହିଁ ମାନି। ପ୍ରେମ କଣ ଜାଣିବା ଆଗରୁ ତୁମେ ମୋ ଜୀବନରେ ପ୍ରବେଶ କଲ। ମୋର ପ୍ରକୃତ ପରିଚୟ ମତେ ପ୍ରଦାନ କଲ। ମୁଁ ଆଜି ଯେଉଁ ସ୍ଥାନରେ ଅଛି ତାହା ସବୁ ତୁମରି ଦାନ। ତୁମେ କୁହ ମାନି , ମୁଁ କଣ ଏତେ ବିବେକହୀନ।ତୁମର ସବୁ ବଳିଦାନ କୁ ପାଦରେ ଆଡେଇ ଦେଇ ମୁଁ ଆଗକୁ ଯିବି , ସଂସାର ଗଢିବି ତାହା ପୁଣି ତୁମ ବିନା।ତାହା ସମ୍ଭବ ନୁହେଁ। ମାଆ ଙ୍କ ଦିଦି ଆଗରେ ମୋ ମୁଣ୍ଡ କିଛି ସମୟ ପାଇଁ ନଇଁ ଯାଇଥିଲା ସତ ମାତ୍ର ମୁଁ ଆଉ ସମ୍ଭାଳି ପାରୁନି। ଏବେ ଯାଉଛି ସବୁ କଥା ମାଆଙ୍କ ଆଗରେ କହିବି। ତୁମକୁ ମୋ ଜୀବନରୁ ମୁଁ ଦୂରେଇ ଦେଇ ପାରିବିନି। ସେପରି ହେଲେ ସେହି ମୁହୂର୍ତ୍ତ ମୋ ପାଇଁ ଶେଷ ମୁହୂର୍ତ୍ତ ହେବ।ନା, ଆଉ ହବନି ମୁଁ ଏବେ ଯାଉଛି।

ନରେନ୍ ଙ୍କ ଠାରୁ ଏପରି କଥା ଶୁଣି ରମିତା ଏକ ପ୍ରକାର ସ୍ଥାଣୁ ପାଲଟିଗଲେ। ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ। ଯେଉଁ ମଣିଷକୁ ତାର ଭାବନା ନଜାଣି ବର୍ଷ ବର୍ଷ ଧରି ନିଜ ହୃଦୟରେ ସ୍ବାମୀ ଭାବେ ସ୍ଥାନ ଦେଇଥିଲା ସେ ଆଉ କାହା ସହ ,.....। ଯଦି ସେପରି ଥିଲା ତେବେ ନରେନ୍ ତାଙ୍କ ମାଆ ଙ୍କ ପାଖରେ କହି ନଥିଲେ କାହିଁକି।ଏମିତି ଅନେକ ଭାବି ବିବ୍ରତ ହୋଇପଡ଼ିଥିଲା ରମିତା। ପ୍ରଥମେ ଭାବିଲେ ସବିତା ଙ୍କ ପାଖକୁ ଯାଇ ସବୁ କଥା କହିବେ , ତାପରେ ଭାବିଲେ ନା , ପ୍ରଥମେ ନରେନ୍ ଙ୍କ ସହ କଥା ହେବେ , ଯଦି ସେ ଶୁଣିଥିବା କଥା ସତ ତେବେ ସବିତାଙ୍କୁ ବୁଝେଇ ନରେନ୍ ଙ୍କ ସହ ସେ ଝିଅର ବିବାହ କରେଇବେ। ଭଲ ପାଇବା ସବୁବେଳେ ପାଇବାରେ ନଥାଏ , ଅନେକ ସମୟରେ ଅନ୍ୟ କୁ ଖୁସି ଦେବାରେ ବି ଥାଏ। ଏମିତି ଅନେକ ଭାବି ନରେନ୍ ଙ୍କ ରୁମ୍ ଭିତରେ ପ୍ରବେଶ କଲେ ରମିତା।

ମାତ୍ର ଏ କଣ, ରୁମରେ ତ ନରେନ୍ ଏକା । ଆଉ କେହି ନାହିଁ। ପରେ ଭାବିଲେ ବୋଧେ ସେ ଫୋନରେ କଥା ହେଉଥିଲେ। ପୁଣି ସାହାସ ବାନ୍ଧି ଆଗକୁ ଗଲେ। ପୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଏ କଣ, ନରେନ୍ ତଳ ମୁହାଁ ହୋଇ ଶୋଇଛନ୍ତି।। ତାହା ଦେଖି ରମିତାଙ୍କର ଧର୍ଯ୍ୟ ରହିଲା ନାହିଁ। କିଛି ଅପ୍ରିତୀକର ପରିସ୍ଥିତି ର ଆଭାସ ଆସିଲା ତାଙ୍କୁ।ଭାବିଲେ କଣ ନରେନ୍ ଆତ୍ମହତ୍ୟା କୁ ଆପଣେଇ ନେଲେ । ନା ନା ସେପରି ହୋଇ ନପାରେ । ମୁଁ କଣ ଆସିବାରେ ଡେରି କରିଦେଲି। ମୋ ପାଇଁ କାହାର ଜୀବନ ଚାଲିଯିବାଟା ଉଚ୍ଚିତ ହେବ ନାହିଁ। ଏହା ଭାବି ନରେନ୍ ଙ୍କ କାନ୍ଧ ଉପରେ ହାତ ରଖିଲେ। ତତ୍ ସଙ୍ଗେ ସଙ୍ଗେ ନରେନ୍ ପାଟି କରି ଉଠିଲେ , ମାନି ତୁମେ ଆସିଗଲ। ଏହା କହି ବୁଲିପଡ଼ି ନରେନ୍ ଦେଖନ୍ତି ତ ମାନି ନୁହେଁ ରମିତା।

ଏହା ଦେଖି ନରେନ୍ ଚୁପ୍ ହୋଇଗଲେ। ନରେନ୍ ଙ୍କ ର ଏପରି ବ୍ୟବହାର ଦେଖି ରମିତା କହିଲେ , ଦେଖ ନରେନ୍ , ମୁଁ ତୁମ ଓ ମାନି ଭିତରେ ତୃତୀୟ ମଣିଷ ଭାବେ ଆସିବାକୁ ଚାହେଁନି। ଯଦି ମାଉସୀ ( ମାନେ ସବିତା ) ବୁଝୁ ନାହାନ୍ତି ତେବେ ତାଙ୍କୁ ମୁଁ ଚେଷ୍ଟା କରିବି ବୁଝେଇ ବାକୁ। ତୁମେ ହତୋତ୍ସାହିତ ହୁଅ ନାହିଁ। ଏମିତି ଅନେକ କଥା କହି ଚାଲିଲେ ରମିତା। ମାତ୍ର ନରେନ୍ ଚୁପ୍ ହୋଇ ମୁଣ୍ଡ ତଳକୁ କରି ବସିଥାନ୍ତି ଓ ତାଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥାଏ। ହଠାତ୍ ସେହି ସମୟରେ ରମିତା ଙ୍କ ଆଖିରେ ପଡିଲା ଏକ ଚିଠି, ଯାହାକି ନରେନ୍ ଙ୍କ ତକିଆ ଉପରେ ରଖା ହୋଇଥିଲା।କିଛି ନ ପଚାରି ଚିଠିଟି କୁ ଉଠେଇ ଆଣିଲେ ରମିତା।

ଲେଖାଥିଲା , ପ୍ରିୟ ନରେନ୍

ତୁମେ ଏ ଚିଠି ପାଇଲା ବେଳକୁ ମୁଁ ଏ ଦୁନିଆରେ ନ ଥିବି। ବହୁତ କମ୍ ଦିନରେ ଆମ ଭିତରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା। ତୁମକୁ ଉଚ୍ଚ ସ୍ଥାନରେ ଦେଖିବା ଆଶା ମୋର ପୂରଣ ହୋଇଗଲା। ଭାବିଥିଲି ତୁମ ସହ ସମ୍ପର୍କ ଅନେକ ଦିନ ଧରି ରହିବ। ମୋର ଆଶା ଥିଲା ତୁମେ ଓ ମୁଁ ଏକ ସ୍ଥାନରେ ଉଚ୍ଚ ପଦବୀରେ ରହି ଦେଶର ସେବା କରିବା ସହ ନିଜର ଏକ ଛୋଟ ସଂସାର ଗଢ଼ିବା। ମାତ୍ର ବିଧିର ବିଧାନ ବିଚିତ୍ର। ମଣିଷର ଆଶା କେବେ ପୁରଣ ହୁଏ ନାହିଁ। ତୁମେ ମୋର ଆଶା ପୂରଣ କଲ। ପରିଶ୍ରମ କରି ଉଚ୍ଚ ପଦବୀ ହାସଲ କଲ ମାତ୍ର ମୁଁ ମୋର ପ୍ରତିଶ୍ରୁତି ରକ୍ଷା କରି ପାରୁନି। ଏଠି ନୌ ବିଭାଗରେ ଭାଇରସ ବହୁ ମାତ୍ରାରେ ବ୍ୟାପିଗଲା। ମୋର ସହକର୍ମୀ ଡାକ୍ତର ନିଜେ ପୀଡ଼ିତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ମୁଖରେ ପଡ଼ିଲେ। ଅନେକ ଆକ୍ରାନ୍ତ ଙ୍କ ସେବା ଭିତରେ ମୁଁ ଯେ କେତେବେଳେ ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଗଲି ଜଣାନାହିଁ। ଅନେକ ଦିନ ଧରି ତୁମ ସହ ଯୋଗାଯୋଗ ହୋଇପାରିଲା ନାହିଁ କାରଣ ତୁମେ ସମୁଦ୍ର ଆର ପାରିରେ ଥିଲ। ମୋ ପାଖରେ ସମୟ ବହୁତ କମ୍ । ମୋର ଅମ୍ଳଜାନ ର ପରିମାଣ ଧିରେ ଧିରେ କମିବାରେ ଲାଗିଛି। ତେଣୁ ବଞ୍ଚିବାର ଆଶା କ୍ଷୀଣ। ଆଶା କରେ ମତେ କ୍ଷମା କରିଦେବ ଅଧା ରାସ୍ତାରେ ତୁମକୁ ଏକା ଛାଡ଼ି ଯାଉଥିବାରୁ। କଥା ଥିଲା ଏଥର ତୁମେ ଫେରିଲେ ତୁମ ମାଆଙ୍କ ପାଖକୁ ଯାଇ ବିବାହ ପାଇଁ ଅନୁମତି ନେବାର। କଥା ରଖି ପାରୁନି, ମତେ କ୍ଷମା ଦେବ।ତୁମର ନିଷିଦ୍ଧ ଇଲାକା ଭିତରକୁ ପ୍ରବେଶ ର ପଥ ବୋଧେ ମୋ ପାଇଁ ପ୍ରଯୁଜ୍ୟ ନଥିଲା। ମୋ ପରି ନ ହେଲେ ବି ତୁମ ମାଆଙ୍କ ଇଛା ଥିବା ଝିଅ ରମିତା ସହ ବିବାହ କରିବ। ଏହା ମୋର ଶେଷ ଇଛା। ଆଶା କରେ ପୂରଣ କରିବ ଓ ପରିଶେଷରେ ତୁମ ହାତ ଛାଡି ଯାଉ ଥିବାରୁ ମତେ କ୍ଷମା ଦେବ।


ଇତି ତୁମର ମାନି।


ଚିଠିଟି ପଢି ସାରିଲା ବେଳକୁ ରମିତାର ଆଖିରୁ ଲୁହର ବନ୍ୟା ସୃଷ୍ଟି ହୋଇ ସାରିଥିଲା।ସେ କଣ ଭାବିଥିଲା, କଣ ଦେଖିଲା। ନରେନ୍ ଏତେ ଦୁଃଖ କୁ ନିଜ ଭିତରେ ଜାବୁଡ଼ି ଧରି କିପରି ସ୍ଥିର ଅଛନ୍ତି। ଏହା ଭାବି ସେ ନରେନ୍ ଙ୍କୁ ଏକ ଦୃଢ଼ ଆଲିଙ୍ଗନ କରି ନିଜ ବାହୁ ବନ୍ଧନରେ ଆବଦ୍ଧ କରିନେଲା। ନରେନ୍ ମଧ୍ୟ ଛୋଟ ପିଲାଙ୍କ ପରି ରମିତା ଙ୍କ ବନ୍ଧନରେ ଆବଦ୍ଧ ହୋଇ କାନ୍ଦିବା କୁ ଲାଗିଲେ। ଉଭୟ ଙ୍କ ଏହି ଆଲିଙ୍ଗନ ଓ ସମର୍ପଣ ର ଭାବ ଦେଖି ମାନି ବହୁ ଦୂରରେ ଥାଇ ନିଜକୁ ଧନ୍ୟ ମନେ କରୁଥିଲେ।



Rate this content
Log in

Similar oriya story from Romance