ଦୈବୀକୃପା
ଦୈବୀକୃପା
ମାଆ ହିଁ ପ୍ରଥମ ଗୁରୁ ପିଲାଙ୍କର। ମାଆଙ୍କ ନାମ ବି ଥିଲା ବସୁମତୀ। ଝିଅଟିକୁ ବସୁଧା ପରି ସହିଷ୍ଣୁ ଓ ସାମାଜିକ କରି ଗଢି ତୋଳିବାର ଇଛା ଥିଲା ତାଙ୍କର। ବାପା ଓ ମାଆ ଉଭୟଙ୍କ କାମ ତୁଳାଇ ଝିଅଟିକୁ ଶିକ୍ଷା, ଦୀକ୍ଷା, ସଂସ୍କାର ଦେଇ ବଢ଼ାଇବା ଭିତରେ ଝିଅଟିର ଚାକିରୀ ହୋଇଯିବା ସହ ଝିଅଟି ଅତ୍ୟଧିକ ସୌନ୍ଦର୍ଯ୍ୟ ଯୋଗୁଁ ଗର୍ବୀ ଓ ଅହଂକାରୀ ହୋଇଯାଇଥିଲା। ଏଣିକି ଏକୁଟିଆ ରାସ୍ତାରେ ଚାଲୁ ଚାଲୁ ଯେପରି ପାଦ ଖସିନଯାଏ, ମାଆ ବସୁମତୀ ସେଥିପ୍ରତି ଖୁବ ସତର୍କ କରେଇ ଛାଡିଥିଲେ ମଧ୍ୟ ଝିଅଟି ନିଜ ସୌନ୍ଦର୍ଯ୍ୟ ଯୋଗୁଁ ଖୁବ ଗର୍ବ ଅନୁଭବ କରୁଥିଲା। ସେ ଜଏନ କରିଥିବା ଅଫିସର ସମସ୍ତ ବଡ଼ ଓ ସାନ କର୍ମଚାରୀମାନେ ତା ରୂପ, ସୌନ୍ଦର୍ଯ୍ୟରେ ଆକର୍ଷିତ ହେଲାବେଳେ ଝିଅ ତାସା କାହାକୁ ପାସଙ୍ଗରେ ପକାଉନଥିଲା। ଏ ଭିତରେ ଝିଅଟି ସେହି ଅଫିସରେ କାମ କରୁଥିବା ଅନିମେଷକୁ ହିଁ ଭଲ ପାଇବାକୁ ଲାଗିଲା। ଅନିମେଷ କେବେ ବି ତାସାର ରୂପ ସୌନ୍ଦର୍ଯ୍ୟ ପ୍ରତି ଦୃଷ୍ଟି ନଦେଇ କାମ ଉପରେ ଗୁରୁତ୍ୱ ଦେଉଥିଲା। ତା ଯୋଗୁଁ କମ୍ପାନିର ବହୁ ଉର୍ନ୍ନତି ସାଧିତ ମଧ୍ୟ ହେଉଥିଲା ଫଳରେ ସେ ବସଙ୍କର ଅତ୍ୟନ୍ତ ପ୍ରିୟଭାଜାନ ଥିଲା। ତାସା ଦୃଷ୍ଟିରେ ସେ ଥିଲା ଉଦ୍ଧତ ଓ ଗର୍ବୀ, ତେଣୁ ଅନିମେଷକୁ ପଟାଇବା ଲକ୍ଷ ରଖି ତାସା ତା ଚାରିପାଖେ ଘୁରିବୁଲିବା ସହ ଅନିମେଷର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ଅନିମେଷର ନିର୍ଲିପ୍ତ ଭାବଭଙ୍ଗୀ ତାସାର ଅସହ୍ୟ ହୋଇଉଠୁଥିଲା। ଏହି ସମୟରେ ଗୋଟେ ପ୍ରୋଜେକ୍ଟରେ ଦୁହିଁଙ୍କୁ ଏକତ୍ର କାମ କରିବା ଫଳରେ ପ୍ରଥମେ ପ୍ରଥମେ ଦୂରେଇ ରହୁଥିବା ଅନିମେଷ କାମ ପାଇଁ ଯେତିକି ନିକଟତର ହେଲା ତାସା ମନରେ ଅନିମେଷ ପାଇଁ ତୃଷା ଓ ତୃଷ୍ନା ସେତିକି ବଢିଲା। ମାଆ ବସୁମତୀ ସାବଧାନ କରେଇଦେଇଥିଲେ ଝିଅକୁ, ଦେଖ ତାସା ଅନିମେଷ ସହିତ ଘନିଷ୍ଠ ହେବା ପୂର୍ବରୁ ତା ପରିବାର ଓ ତା ବିଷୟରେ ସବୁ ବୁଝି ବିଚାରି ଅନିମେଷ ସହିତ ସମ୍ପର୍କ ରଖିବା ଉଚିତ। ମାଆଙ୍କ କଥାକୁ ଖାତିର ନକରି ଅନିମେଷକୁ ଯେବେ ବିବାହ ପ୍ରସ୍ତାବ ଦେଲା ଅନିମେଷ ପଚାରିଥିଲା ମତେ ବିବାହ କରିବା ପୂର୍ବରୁ ମୋ ବିଷୟରେ ସବୁ ବୁଝିବା ଦରକାର ତାସା। କିଛି ବି ଶୁଣି ନଥିଲା ତାସା. ଜୀବନର ଏତେ ବଡ଼ ନିଷ୍ପତ୍ତି ଏକୁଟିଆ ନେଇ ଗଲା ପରେ ମାଆ ବସୁମତୀ ଆଉ କଣ କହିଥାଆନ୍ତେ?? ବାହାଘର ହୋଇଗଲା।
ବାହାଘର ପରେ ପ୍ରଥମ ରାତିରେ ଅନିମେଷ ନୁହେଁ ବରଂ ଅନିମେଷର ଛୋଟ ଝିଅ ତାସା ପାଖରେ ଶୋଇ କହୁଥିଲା ମତେ ଆଉ କୁଆଡେ ଏକା ଛାଡ଼ି ଯିବନି ତ ମାଆ। ହଠାତ ସ୍ବପ୍ନ ସବୁ ପାଣିଫୋଟକା ପରି ମିଳାଇ ଯାଇଥିଲେ ବି ତାସା ତା ଏକୁଟିଆ ଜୀବନ ରାସ୍ତାରେ ଛୋଟ ଝିଅ ତାନ୍ୟାର ମାଆ ଡାକରେ ଅନ୍ୟ ଏକ ଦୁନିଆଁରେ ପହଞ୍ଚିଯାଇଥିଲା। ମାଆଙ୍କ କଥା ନମାନି ସେ ଯେଉଁ ଭୁଲ କରିଥିଲା ତାକୁ ସୁଧାରିବା ପାଇଁ ସତରେ ସେ ତାନ୍ୟାର ସାବତ ମାଆ ବଦଳରେ ମାଆ ହୋଇଗଲା। ଆଉ ମାଆ ହେଉ ହେଉ ପତ୍ନୀ। ଅନିମେଷ ଏଣିକି ତାକୁ ପତ୍ନୀର ଆସନ ଦେବା ସହ ସ୍ୱର୍ଗ ସୁଖ ଅଜାଡି ଦେଇଥିଲେ ସତ କିନ୍ତୁ ତାନ୍ୟା ଯେବେ ତାର ଛୋଟ ଭାଇ ଭଉଣୀ ଖୋଜିଲା ସେତେବେଳେ ଅନିମେଷ ସବୁ ଖୋଲି କହିଥିଲେ ତାସାକୁ, ଯେ ପ୍ରଥମରୁ ସେ କହିଥିଲେ କି ତାଙ୍କ ବିଷୟରେ ସବୁ କଥା ଜାଣିବା ତାର ନିହାତି ଉଚିତ ଥିଲା। ଅନିମେଷ ଯେ ଭାସାକ୍ଟୋମି ଅପରେସନ ହୋଇ ସାରିଛନ୍ତି ଏକଥା ଶୁଣିବା ପରେ ତାସାକୁ ଚାରିଆଡେ ଅନ୍ଧାର ଦିଶିଥିଲା। ଲୁହ ଦୁଇଟୋପା ଆଖିରୁ ଗଡ଼ିଗଲା ବେଳେ ସେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲା। କ୍ଷଣିକ ରୂପ ସୌନ୍ଦର୍ଯ୍ୟ ମୋହରେ ନିଜ ନିଆଁରେ ନିଜେ ଜଳି ପୋଡି ଛାରଖାର ହେବା ପୂର୍ବରୁ ମାଆ ବସୁମତୀ ତାକୁ ସାନ୍ତ୍ୱନା ଦେଇଥିଲେ। କହିଥିଲେ ତଥାପି ସମୟ ଅଛି। ଧର୍ଯ୍ୟ ରଖ ସବୁ ସମାଧାନ ହୋଇପାରିବ। କେମିତି ମାଆ?? ଆଉ କୋଉ ବାଟ ବାକି ଅଛି ମୋ ଭାଗ୍ୟରେ କହି, ତାସା ଯେବେ ସବୁ ଦୋଷ ଅନିମେଷଙ୍କର ବୋଲି କହୁଥିଲା ବସୁମତୀ ଝିଅକୁ ବୁଝାଇଥିଲେ, ଅନିମେଷ ବହୁତ ଭଲ ହୋଇଥିବାରୁ ଏକମାତ୍ର କନ୍ୟା ସନ୍ତାନ ପରେ ଅପରେସନ କରାଇ ସେ ପ୍ରକୃତରେ କନ୍ୟା ସନ୍ତାନର ପିତା ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁଥିଲେ। ଆନ୍ୟା ଭିତରେ ସମଗ୍ର କନ୍ୟା ଜାତିକୁ ଗର୍ବ ଓ ଗୌରବ ପ୍ରଦାନ କରିବାକୁ ଯାଇ ଭାଗ୍ୟ ଲିଖନ କେ କରିବ ଆନ ଭିତରେ ଉବୁଟୁବୁ ହେବା ଭିତରେ ତୁ ଆସିଛୁ ତାଙ୍କ ଜୀବନକୁ। ଏଥିରେ ଅନିମେଷଙ୍କର କିଛି ଭୁଲ ନାହିଁ ମାଆ ବରଂ ଧର୍ଯ୍ୟ, ସାହାସ ଓ ଭଗବତ ବିଶ୍ୱାସ ହିଁ ତୋ ଭାଗ୍ୟ ବଦଳେଇ ଦେଇ ପାରେ। ମତେ କଣ କରିବାକୁ ହେବ ମା, ବୋଲି ତାସାର ପ୍ରଶ୍ନରେ ମାଆ ବସୁମତୀ କହିଥିଲେ ବିଶ୍ୱାସ ଓ ଭରସା ରଖିବାକୁ ହେବ ଜଗନ୍ନାଥଙ୍କ ଉପରେ।
ଏଥର ଅନିମେଷର ଅସ୍ତ୍ରୋପଚାର ପାଇଁ ବଡ଼ ବଡ଼ ଡାକ୍ତରଙ୍କୁ ଦେଖାଗଲା। ସମସ୍ତେ ମନା କରିଦେଉଥିବା ବେଳେ,ଆଶାର ଆଲୋକ ଜଳି ଉଠିଲା। ତାସାର କ୍ଲାସମେଟ ବର୍ତ୍ତମାନ ଜର୍ମାନୀରୁ ଏଇ ଏଇ ସମ ହସ୍ପିଟାଲକୁ ଓଡିଶା ଆସିଛନ
୍ତି । ସେ ନିରାଶ କଲେ ନାହିଁ। ଭରସା ଓ ବିଶ୍ୱାସ ଦେଇ ଚେଷ୍ଟା କରିବେ କହିଲେ। ଜଗନ୍ନାଥଙ୍କ ପାଖରେ ଅଖଣ୍ଡ ଦୀପ ଜାଳି ମାଆ ବସୁମତୀ ଜଗି ରହିଲେ ନାତୁଣୀ ଆନ୍ୟା ସହ ଆଉ ତାସା ସ୍ୱାମୀଙ୍କ ଅପରେସନ ବେଡ଼ ପାଖେ ପାଖେ। ଯା ହେଉ ଡାକ୍ତର ଦିବ୍ୟାଂଶୁଙ୍କ ଶତ ଚେଷ୍ଟା ପରେ ଅନିମେଷଙ୍କ ଅସ୍ତ୍ରୋପଚାର ସଫଳ ହେଲା। ଅନିମେଷ ସୁସ୍ଥ ହେଲା ପରେ ସ୍ୱାଭାବିକ ଅବସ୍ଥା ଫେରିଆସିଲା। ତାସା ମାଆ ହେବାର ଜଣା ପଡିବା ପରେ ବସୁମତୀ ଖୁସିରେ ଆତ୍ମହରା ହୋଇ, ଜଗନ୍ନାଥ ମନ୍ଦିରରେ ବାନା ବାନ୍ଧିଲେ। ନିର୍ଦିଷ୍ଟ ସମୟରେ ନାତିଟିଏ ଆସିଲା। ଏକୋଇଶିଆ ଓ ପାଲାପୂଜା ସବୁ ସରିଲା। ହେଲେ ବସୁମତୀ ଦୁନିଆଁରୁ ବିଦାୟ ନେବା ପୂର୍ବରୁ ତାସାକୁ କହିଗଲେ ଜୀବନରେ ଅନେକ ଝଡ଼ ଆସେ। ସେସବୁକୁ ସମାଧାନ କରିବାକୁ ଧର୍ଯ୍ୟ ଓ ସାହାସ ସହିତ ଆଧ୍ୟାତ୍ମିକ ଭାବ ରଖିଥିବୁ ମାଆ। ଏକୁଟିଆ ରାସ୍ତାରେ ଚାଲୁ ଚାଲୁ ଭାବିନେବୁ ତୋ ସହ କେହି ଅଛନ୍ତି। ସେ ହିଁ ଭଗବାନ। ମାଆ ବସୁମତୀଙ୍କ ଆବର୍ତ୍ତମାନରେ ନିଜକୁ ଏକାକୀ ମନେ ନକରି ପୁଅ ଝିଅ ଓ ସ୍ୱାମୀ ସହ ଚାଲୁଥିଲା ତାସା।
ଜୀବନର ଦ୍ୱିତୀୟ ଭାଗରେ ତାସା ସନ୍ଦେହ ନିଆଁରେ ଜଳି ପୋଡି ମରୁଥିଲା। ସେ ନିଆଁ ପୁଣି ସ୍ୱାମୀ ଅନିମେଷଙ୍କ ଆଖିରେ। ଦିବ୍ୟାଂଶୁ ପ୍ରତି ତାଙ୍କର ସନ୍ଦେହ ବଢୁଥିଲା। ତାଙ୍କୁ ଅପରେସନର ମିଛ ନାଟକରେ ଫସାଇ, ଦିବ୍ୟାଂଶୁ ସହ ତାସାର ସମ୍ପର୍କ ରହିଛି ବୋଲି କହିବା ପରେ ତାସାକୁ ଚାରିଆଡେ ଅନ୍ଧାର ଦିଶୁଥିଲା। ନିଜ ପାଖରେ ସବୁ ଥାଇବି ତାସା ଆଜି ଏକୁଟିଆ ରାସ୍ତାରେ ଚାଲୁଥିଲ। ପ୍ରଥମେ ମାଆଙ୍କ ଉପଦେଶ ମନେ ପକାଇ ସେ ଠାକୁରଙ୍କୁ ବହୁତ ଡାକିଲା। କିନ୍ତୁ ଅନ୍ୟ କୌଣସି ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇ ସତ ମିଛ ଜାଣିବାକୁ ଅନିମେଷ ଆଦୌ ରାଜି ହେଲେ ନାହିଁ। ସ୍ୱାମୀଙ୍କ ସନ୍ଦେହ ଘେରରେ ରହି ଛୁଆ ଦୁଇଟାଙ୍କୁ ମଣିଷ କରୁ କରୁ ସେଦିନ ଅନିମେଷ ଧରାଇ ଦେଇଥିଲେ ଛାଡ଼ପତ୍ର ନୋଟିସ। ତାଙ୍କ ଝିଅକୁ ଧରି ସେ ବାକି ଜୀବନ ଏକୁଟିଆ ରହିଯିବେ। ତାସା ତାଙ୍କ ପୁଅକୁ ନେଇ ତାଙ୍କ ବାଟରେ ଚାଲିଯାଆନ୍ତୁ କହିଥିଲେ ଅନିମେଷ। ତାସା ରାଜି ହୋଇନଥିଲେ। କୋର୍ଟ ଯାଏଁ କଥା ଯିବା ପୂର୍ବରୁ ତାସାଙ୍କ ଓକିଲ ଆରାଧ୍ୟା ସେଦିନ ଡକାଇଥିଲେ ତାସାଙ୍କୁ। ତାସାଙ୍କ ଜୀବନ କାହାଣୀ ପଢ଼ିସାରିବା ପରେ କହିଥିଲେ ତୁମ ଜୀବନ ବହିର ମୁଁ ହିଁ ଶେଷ ପୃଷ୍ଠା। ତୁମ ବହି ଚିରି ଯିବା ପୂର୍ବରୁ ତାକୁ ଠିକ ଠାକ ବାନ୍ଧି ନେବା ଦାଇତ୍ୱ ମୋର। କୋର୍ଟକୁ ଯିବା କିଛି ଦରକାର ନାହିଁ ମୁଁ ଓ ମୋ ସ୍ୱାମୀ ହିଁ ତୁମ ଜୀବନ କାହାଣୀର ଶେଷ ପରଦା ପଛର ନାୟକ ନାୟିକା । କିଛି ବୁଝି ପାରିନଥିଲେ ତାସା। କେବଳ ଜଗନ୍ନାଥ ତୁମେ ହିଁ ଭରସା ବୋଲି ତାଙ୍କ ପାଟିରୁ ବାହାରି ପଡିଥିଲା।
ଝିଅ ଆନ୍ୟା ଏବେ କିଛି କିଛି ବୁଝିପାରିବାର ବୟସରେ ଉପସ୍ଥିତ ହୋଇଥିଲା। ସେ ତାସାକୁ କେବେ ବି ସାବତମାଆ ରୂପେ ଦେଖିନି ବା ତାସା ଝିଅକୁ କେବେବି ପର ଭାବିନି, ଏବେ ମାଆ, ସାନଭାଇ ସହ ଚାଲିଗଲା ପରେ ସେ ଏକୁଟିଆ, ଏ ଜୀବନ ରାସ୍ତାରେ ଚାଲିପାରିବତ!ତାରି କଥା ଭାବୁଥିଲା ବେଳେ ତାସାକୁ ଚମତ୍କୃତ କରି, ଆରାଧ୍ୟା କହିଥିଲେ, ଭଉଣୀ ତାସା,ଆପଣଙ୍କୁ ମୁଁ ଜାଣେ। ଆପଣ ନିଜର ସୁନ୍ଦର ରୂପ ଓ ସୌନ୍ଦର୍ଯ୍ୟ ଗର୍ବରେ ମୋ ସ୍ୱାମୀଙ୍କୁ ନାପସନ୍ଦ କରି ଅନିମେଷଙ୍କୁ ବିବାହ କଲା ପରେ ମୋ ସ୍ୱାମୀ ମତେ ବିବାହ କରିବା ପୂର୍ବରୁ ସବୁକଥା କହିଥିଲେ। ଆଉ ତିନି ତିନୋଟି ପିଲାଙ୍କୁ ହରାଇ ସାରିଲା ପରେ ଅନାଥା ଆଶ୍ରମରୁ ଆମେ ଆମ ପୁଅକୁ ନିଜର କରିବା ପୂର୍ବରୁ ଦୁହେଁ ଅପରେସନ କରାଇ ନେଇଥିଲୁ ନିଜ ନିଜକୁ ଏହି ଭୟରେ କି ଆମ ପୁଅର ଭାଇ ଭଉଣୀ କେହି ସଂସାରକୁ ଆସି ତାକୁ ଭିର୍ନ୍ନ ଦୃଷ୍ଟିରେ ନଦେଖୁ। ଏକଥା ଆମେ ଏଯାଏଁ ଗୁପ୍ତ ରଖିଥିଲେ ମଧ୍ୟ ଆଜି ଖୋଲିବାର କାରଣ ଆପଣଙ୍କ ସଂସାର ରକ୍ଷା ପାଇଯାଉ। ଆପଣ ଆଉ ଏକୁଟିଆ ରାସ୍ତାରେ ନଚାଲନ୍ତୁ । ଆନ୍ୟା ତା ମାଆ ଠାରୁ ଅଲଗା ନହେଉ କି ପୁଅ ତାର ପିତୃପରିଚୟରୁ ବଞ୍ଚିତ ନହେଉ। ତାସା ପ୍ରଭୁଙ୍କ ଉଦେଶ୍ୟରେ ହାତ ଯୋଡି କହିଲେ କିଏ ତୁମେ ଦେବୀ?? ମୋ ମାଆ ଚାଲିଗଲା ପରେ ଏକୁଟିଆ ରାସ୍ତାରେ ଚାଲୁ ଚାଲୁ, ମାଆ କଥା ମାନି ଐଶ୍ଵର୍ଗିକ ସତ୍ତାର ବିଶ୍ୱାସରେ ବାଟ ଚାଲୁଥିଲା ବେଳେ, ସନ୍ଦେହ ଯୋଗୁଁ ମୋ ସଂସାର ଉଜୁଡିବାକୁ ଯାଉଛି। ଯୋଉ ସ୍ୱାମୀଙ୍କୁ ଡାକ୍ତର ଦିବ୍ୟାଂଶୁଙ୍କ କଠିନ ପରିଶ୍ରମ ପୁନ୍ନର୍ଜନ୍ମ ଦେଲା ଓ ସେ ପୁଣି ପିତା ହେବାର ସୌଭାଗ୍ୟ ପାଇଲେ ସେଇ ଡାକ୍ତରଙ୍କୁ ସନ୍ଦେହ କରି ଆମ ସଂସାର ଭାଙ୍ଗିବାକୁ ଯାଉଛି, ସେତେବେଳେ କିଏ ଆପଣ ଦେବୀ,କହୁଛନ୍ତି ଆପଣଙ୍କ ଜୀବନ କାହାଣୀ ଓ ସେଥିପାଇଁ ଆପଣଙ୍କ ଜୀବନୀ ଆମ ସଂସାରକୁ କିପରି ରକ୍ଷା କରିପାରିବ ମୁଁ ବୁଝିପାରୁନି କହି ତାସା ବିବ୍ରତ ଓ ଧର୍ଯ୍ୟାହରା ହୋଇପଡୁଥିବା ବେଳେ ଆରାଧ୍ୟା କହୁଥିଲେ ମୁଁ ଦିବ୍ୟାଂଶୁଙ୍କ ସ୍ତ୍ରୀ।ତାସା ମୁଗ୍ଧ ଓ ଦିବ୍ୟନୟନରେ ଦେବୀ ରୂପୀ ଆରାଧ୍ୟାଙ୍କୁ ଚାହିଁଥିଲେ କେବଳ।