ଠିକଣା ହଜିଲା ବାହାନଗାରେ
ଠିକଣା ହଜିଲା ବାହାନଗାରେ
ସେଇ କାଳରାତ୍ରୀ ! ବିଶ୍ବ ଦୋହଲିଗଲା କରମଣ୍ଡଳ ଦୁର୍ଘଟଣାରେ। କ୍ୟମେରାମ୍ୟାନ ସ୍ଵରୂପଙ୍କ କ୍ୟାମେରା ଅଟକିଗଲା ଗୋଟିଏ ଖୋଲା ଡାଏରୀ ଉପରେ। ଉଠେଇ ଆଣି ପଢ଼ିବାରେ ଲାଗିଲେ ସ୍ଵରୂପ। ବୋଧେ ଡାଏରୀ ହାତରେ ଧରି ମୃତ୍ୟୁବରଣ କରିଥିବା ଯୁବକଙ୍କ ନାଆଁ ବୋଧେ ଶୁଭଙ୍କର।
ସେପ୍ଟେମ୍ୱର ୧୨ ସନ ୨୦୨୦ ।
ଫେସବୁକ୍ ମେସେଞ୍ଜର :
ହ୍ୟଲୋ ! ମୁଁ ଶୁଭଙ୍କର, ବୟସ ୨୭ , ସରକାରୀ କର୍ମଚାରୀ।
ସେପଟରୁ ଉତ୍ତର : ହାଏ !
ହଁ କିଛି କୁହନ୍ତୁ, ମୋ ନାଆଁ ସୁପ୍ରଭା।
ଘର ଭୁବନେଶ୍ଵର , ମୁଁ ଇଞ୍ଜିନିୟରିଂ ପଢେ ଖଡ଼ଗପୁରରେ। ଆଉ ଆପଣଙ୍କର ?
ଶୁଭଙ୍କରର ଉତ୍ତର, ମୁଁ କଲିକତାରେ ରୁହେ। ଘର ବ୍ରହ୍ମପୁର।
ମୁଁ ଜଣେ ଭାବପ୍ରବଣ ମଣିଷ। ଶସ୍ତା ଗଳ୍ପକୁ ମୁଁ ଘୃଣା କରେ।
କ୍ଵଚିତ କେତେକଙ୍କୁ ବାଦ୍ ଦେଲେ ସବୁ ମନୁଷ୍ୟ ସାଧାରଣ। ପ୍ରକୃତି ନିହିତ ବିପୁଳ ମାୟା ସମସ୍ତଙ୍କୁ ବାରମ୍ଵାର ପ୍ରଭାବିତ କରିପାରେ। ଦୈନନ୍ଦିନ ଜୀବନରେ ମନୁଷ୍ୟ କେତେ ଶକ୍ତି ଦ୍ଵାରା ପ୍ରଭାବିତ ହୋଇଥାଏ।ମନୁଷ୍ୟର ସ୍ଥିରବସ୍ଥା ଥାଏ କିନ୍ତୁ ତାହା ସର୍ବଦା ହଲଚଲ ହେଉଥାଏ। ବିଦ୍ୟା, ବୁଦ୍ଧି ଅଥବା ବୃତ୍ତିରେ ମନୁଷ୍ୟ ସମକକ୍ଷ ସାମ୍ନାରେ ସ୍ଵତଃସ୍ଫୁର୍ତ୍ତ ଭାବରେ ନିଜକୁ ଅଧିକ ଦକ୍ଷ ପ୍ରତିପାଦିତ କରିବାରେ ଆଗ୍ରହୀ ହୁଏ। କାର୍ଯ୍ୟସ୍ଥଳରେ ଆମେ ଯଦି କର୍ତ୍ତା ହୋଇଥାଉ ; ତେବେ ଯାବତୀୟ କର୍ମଚାରୀଙ୍କ ଅପେକ୍ଷା ନିଜକୁ ଅଧିକ ଜ୍ଞାନୀ ଓ ଗୁଣୀ ବୋଲେଇବାର ଆବେଗ ଆସିଥାଏ ଆପଣା ଛାଏଁ।
ପ୍ରେମ ପିୟୁଷ ନା ବିଷ। ପ୍ରେମ ସଂସାରୀ ନାରୀର ତୁଳସୀ ଚଉରା ନା ବାରାଙ୍ଗନାର ଘରର ମାଟି।ପ୍ରେମ ଲକ୍ଷ୍ମୀ ରୂପି ମ୍ରୁଣ୍ମୟୀ ପ୍ରତିମା ନା ଲକ୍ଷ୍ମୀ ଙ୍କର ଆବିର୍ଭାବ। ପ୍ରେମ ଶାଶ୍ୱତ ସୁନ୍ଦର ଅଜର ଅମର ନା ଛଳନା,ପ୍ରତାରଣା, ଶାରିରୀକ ମିଳନ ର ଏକ କଳଙ୍କିତ ଅଧ୍ୟାୟ ?
ଏହିଯୁଗରେ ଲୁଗା ବଦଳିଲା ପରି ପ୍ରେମିକ/ ପ୍ରେମିକା ବଦଳନ୍ତି। ତେଣୁ ଏସବୁ ମୁଁ ପସନ୍ଦ କରେନା।
ଖୁସି ହୋଇ ଶୁଣୁଥିଲେ ସୁପ୍ରଭା।
ଜାଣିଛ ସୁପ୍ରଭା !
ପ୍ରେମ, ପ୍ରେମିକ, ପ୍ରେମିକା । ସୁନ୍ଦର ସମାହାର। ଏକବିଂଶ ଶତାବ୍ଦୀର ମୁଖ୍ୟ ଆକର୍ଷଣ।
ଚଳଚ୍ଚିତ୍ରରେ , କଳିଙ୍ଗ ଗଣନାଟ୍ୟରେ ଖଳନାୟକକୁ ଗାଳିଦେଲେ ହିଁ ଚଳଚ୍ଚିତ୍ର/ଯାତ୍ରାର ଖଳନାୟକ ସଫଳ। ଠିକ୍ ସେମିତି ବହୁତ ଘଟଣା ଘଟିଯାଏ। ଏହା କେବଳ ଏକବିଂଶ ଶତାବ୍ଦୀରେ ଘଟୁନାହିଁ , ଆବାହମାନ କାଳରୁ ଘଟିଚାଲିଛି।
କିନ୍ତୁ.......
ଇଣ୍ଟରନେଟ, ସୋସିଆଲ ମିଡିଆ, ଆଧୁନିକତାର ଛାପରେ ଆଜିକାଲି ଅପରାଧର ମାତ୍ରା ବଢିଯାଇଛି। ପୁର୍ବରୁ ସମ୍ୱାଦସରବରାହ ସଂସ୍ଥା ସେତେଟା ସକ୍ରିୟ ନଥିଲା ତେଣୁ ବେବିନା, ଛବିରାଣୀ, ପରି ଘଟଣା ଲୋକଲୋଚନକୁ ଆସିପାରୁନଥିଲା। ସେତେବେଳେ ବି ଏମିତି ଘଟଣା ବି ଘଟୁଥିଲା, କିନ୍ତୁ ଆଜିକାଲି ତାର ମାତ୍ରା ଟିକେବଢିଯାଇଛି।
କାରଣ ତ ବହୁତ୍......
ଆଜିକାଲି ପୁଅଝିଅଙ୍କୁ ଲାଗେ ପ୍ରେମ ବିନା ସବୁ ଅଧୁରା। କଥାରେ ଅଛି, ପ୍ରେମ କରାଯାଏ ନାହିଁ, ହୋଇଯାଏ। ପ୍ରେମରେ ବାଧକ କିଛି ବି ନାହିଁ।
କିନ୍ତୁ ଆଜିକାଲିର ଯୁବକ,ଯୁବତୀ.....
ପ୍ରେମ ପୁର୍ବରୁ ଖୋଜନ୍ତି ବୟସ, ଶିକ୍ଷା, ସମ୍ପତ୍ତି। ଦୁଇଦିନ ଅନଲାଇନ କଥାବାର୍ତ୍ତା ପରେ କୁହନ୍ତି, ପ୍ରେମ ହୋଇଗଲା।
କିନ୍ତୁ.........
ସେଥିରେ ସୀମିତ ନରହି ଆରମ୍ଭ ହୁଏ କାମ। ପ୍ରେମୀଯୁଗଳ ଖୋଜି ବୁଲନ୍ତି ନିଭୃତ ସ୍ଥ
ାନ।
କିନ୍ତୁ ...........
ପ୍ରେମ ଖେଳନା କଣ୍ଢେଇ ନୁହେଁ। ପ୍ରେମକୁ କଣ୍ଟକିତ, ନିନ୍ଦାର ପାତ୍ର କରି ଇତିହାସର ପୃଷ୍ଠା କର୍ଦ୍ଦମାକ୍ତ କରନ୍ତି କିଛି ଯୁବତୀ ଓ ପ୍ରେରଣା ଯୋଗାନ୍ତି ତା ପରିବାର।
ପ୍ରେମ ନୁହେଁ ମିଶାଣ ଫେଡାଣ ସମ୍ୱଳିତ ଗଣିତ। ପ୍ରେମ ନୁହେଁ ଦାନ ପ୍ରତିଦାନର ସାହିତ୍ୟ , ପ୍ରେମ ନୁହେଁ ଆଶା ନିରାଶାର ସୀମା ନିର୍ଦ୍ଧାରିତ ଭୁଗୋଳ, ପ୍ରେମ ନୁହେଁ ବଦନାମଗଳିର ନାୟିକାର ଚିତ୍ରୋତ୍ତଳନ କରି "ଓଃ ଡାର୍ଲିଙ୍ଗ ୟେ ହୈ ଇଣ୍ଡିଆ " କହିବାର ଇଂରାଜୀ।
ପ୍ରେମ ସମର୍ପଣର ମାର୍ଗ, ପ୍ରେମ ବିଶ୍ବାସର ପଥ।
ସୁପ୍ରଭା ଅନାୟାସ କହି ଉଠେ, ବାଃ ରେ ପ୍ରେମିକ ପ୍ରବର, ତମେ ତ କୌଣସି କବି ଠାରୁ କମ୍ ନୁହଁ। କିନ୍ତୁ ସୁନ୍ଦର ତମ ଚିନ୍ତାଧାରା । ମୁଁ ତମ କଥା ସହ ଏକମତ। ବାହାଘର ପୂର୍ବରୁ ଆମର ମିଳନ ହେବ ନାହିଁ କିମ୍ୱା ଶାରୀରିକ ସମ୍ପର୍କ ଗଢ଼ିବ ନାହିଁ।
ହଁ ଭରିଲେ ଶୁଭଙ୍କର।
ସୁପ୍ରଭା କହିଲେ,
ମଣିଷର ଚରିତ୍ର ତୁଳିଧରି କାନଭାସରେ ଅଙ୍କା ଯାଇପାରେନା। ବୟସର ଉଦ୍ଦାମତାରେ ମୃତ୍ୟୁର ଭୟରେ ଥରୁଥିବା ମଣିଷଟାକୁ ବି କାମ କବଳିତ କରେ। ସେହି ସମୟରେ ମଣିଷ ଭୁଲିଯାଏ ସ୍ଥାନ, କାଳ, ପାତ୍ର। ମୃତ୍ୟୁକୁ ଅନୁଭବ କରୁକରୁ କ୍ଷଣିକ ସୁଖରେ ମଣିଷ ଭୁଲିଯାଏ ତାର ସଂସାର। ଆପଣେଇ ନିଏ ବର୍ତ୍ତମାନର କ୍ଷଣିକ ଖୁସିକୁ। ମରିଚିକା ବି ସତେ ଯେମିତି ଧରାଦିଏ ସେହି ମୁହୂର୍ତ୍ତରେ। ବୟସର ଜ୍ୱାଳା। ପଚିଶବର୍ଷର କଳାମଚମଚ ଯୁଆନଟା ଭାବିଚାଲେ, ସେ ବୟସ ଆଗକୁ ବଢିବ ନାହିଁ। ସେ ଜୀବନସାରା ଏମିତି ପଚିଶବର୍ଷର ଯୁଆନ ହିଁ ରହିଥିବ ଓ ସାଥିଟିକୁ ଏମିତି ହିଁ ଶରୀର ସୁଖ ଦେଇଚାଲିଥିବ।
କିନ୍ତୁ.......
ନିୟତିର ନିୟମ ବଦଳେ ନାହିଁ। ଯୌବନ ଢଳେ !
ହସୁଥିଲେ ଶୁଭଙ୍କର ଓ କହୁଥିଲେ କି ସୁନ୍ଦର ଅନୁଶୀଳନ ସୁପ୍ରଭା !
ଶୁଭଙ୍କର ବାପା ମାଆ ଛେଉଣ୍ଡ। ତେଣୁ କଥା ହେଲା ସୁପ୍ରଭା ଘରେ ରାଜି ହେଲେ ବାହାଘର। ଦୃଢ଼ମନା ସୁପ୍ରଭା ଘରେ ରାଜି କରେଇଲା। କିନ୍ତୁ ଘର ଲୋକଙ୍କ ସର୍ତ୍ତ ବାହାଘର ଦିନ ସ୍ଥିର କରିବାକୁ ଦୁହେଁ ଭୁବନେଶ୍ଵର ଆସିବାକୁ ହେବ।
କଥା ହୋଇ ଦିନ ସ୍ଥିର ହେଲା। ଶୁଭଙ୍କର ଆସିବ କଲିକତାରୁ ଓ ସୁପ୍ରଭା ଚଢ଼ିବ ଖଡ଼ଗପୁରରୁ। ରେଳରେ ଦୁହିଁଙ୍କ ସାକ୍ଷାତ ହେବ ଓ ମିଶି ଭୁବନେଶ୍ଵରରେ ଓଲ୍ହେଇବେ ।
ଏ ସୁପ୍ରଭା ! ଜୁନ ୨ରେ କରମଣ୍ଡଳରେ ବାହାରିବା। ମୁଁ ଛୁଟି ନେ଼ଇ ସାରିଛି। ମୁଁ ଉତଫୁଲ୍ଲିତ , ମୋ ଜୀବନସଙ୍ଗିନୀ ସହ ରେଳରେ ଦେଖା। ଆମ ପ୍ରେମ ଓ ବାହାଘର ବୋଧେ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ।
ଏ ସୁପ୍ରଭା ....
ମୁଁ ରେଳ ଚଢ଼ିଲି। ମନୁଷ୍ୟ ପରିସ୍ଥିତିର ଦାସ। ଆମ ବାହାଘର, ସଂସାର ପରେ କାଳେ ଏହି ଦିନ ସବୁ ଭୁଲିଯିବା ତେଣୁ ଡାଏରୀରେ ଲିପିବଦ୍ଧ କରି ରଖୁଛି। ମିଶିକି ପଢ଼ିବା। ଖଡ଼ଗପୁର ପହଞ୍ଚିବା ସମୟରେ ମୋ ଆଖି ଲାଗି ଯାଇଥିଲା, ଆଉ ରେଳ ଛାଡିଦେଲା। ହଉ ଆମେ ଆଗରେ କେଉଁ ଷ୍ଟେସନ୍ ରେ ଦେଖାହେବା। ତମେ ଓହ୍ଲେଇ ଆସିବନି ସୁପ୍ରଭା ମୁଁ ତମ ପାଖକୁ ଯିବି।
ସ୍ଵରୂପଙ୍କ ହାତ ଥରୁଥିଲା।ଡାଏରୀ ହାତରୁ ଖସି ପଡିଥିଲା। ଅନାୟାସ ତାଙ୍କରି ମୁହଁରୁ ବାହାରିଗଲା, ହେ ଶୁଭଙ୍କର ! ପ୍ରକୃତରେ ତମ ଅଧୁରା ପ୍ରେମ କାହାଣୀ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ।
କ୍ୟାମେରାମ୍ୟାନ ସ୍ଵରୂପ ସେଇ କୁଢ଼ କୁଢ଼ ଶବ ଭିତରେ ଖୋଜୁଥିଲେ ସୁପ୍ରଭାକୁ। କାଳେ ..........!!