Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Pradesh Pratyush

Romance Tragedy Others


4.5  

Pradesh Pratyush

Romance Tragedy Others


ବାସର ରାତି

ବାସର ରାତି

7 mins 737 7 mins 737

ଘର କଥା ଭାବୁଛି ଚାରୁ । ବାପା ମା’ ସାନ ଭାଇକୁ ଛାଡି ଆଜି ଆଉ ଏକ ଦୁନିଆରେ। ପରକୁ ଆପଣାର କରି ଗଢିବ ନିଜ ଦୁନିଆ। ଆଉ ଏକ ସଂସାର। ସବୁ ଦିନ ପାଇଁ ପର ହୋଇଯିବେ ଆପଣାର। ନିଜର ହୋଇଯିବେ ପର। ଏଇ ତ ବିଧିର ବିଧାନ।

କାଲି ନିଜ ଘରେ ଗେଲବସରରେ ବଢିଥିବା ଚାରୁ ଆଜି ସାଜିଛି ନବବଧୂ। ଟିକିଲି ବଦଳରେ ପିନ୍ଧିଛି ସିନ୍ଦୁର। ପାଦରେ ଅଳତା। ହାତରେ ଶଙ୍ଖା ସିନ୍ଦୁର। ଠିକଣା ନୂଆ। ପରିଚୟ ନୂଆ। ଆଉ କିଛି ସମୟ ପରେ ତାର ଇହକାଳ ପରକାଳର ଦେବତା ,ସାତ ଜନମର ସାଥି ଚନ୍ଦନ ଥିବେ ସାଥିରେ। ଗୋଟିଏ ଘରେ। ଯିଏ ଦିନେ ଥିଲେ ଅଜଣା ଅଶୁଣା , ଆଜି ସେ ତାର ମଥାର ସିନ୍ଦୁର। ଆଉ କିଛି ସମୟ ପରେ ତାର ସର୍ବସ୍ୱ, କୁଆଁରୀ ଜୀବନର ସାଇତା ସମ୍ପତ୍ତିକୁ ଅକ୍ତିଆର କରିନେବେ ସେହି ସ୍ୱାମୀ ରୂପି ମଣିଷ। ସେ ହୋଇଯିବ ତାଙ୍କର। ଏ ଦେହ ମନ ଯୌବନରେ ଲେଖା ହେବ ତାଙ୍କର ନାଁ।

ରାତି ବଢୁଥିଲା। ଏହା ସହିତ ଚାରୁର ମନର ଗତି ବି ପ୍ରଖର ହେଉଥିଲା। ଆଉ ତାର ଅନ୍ୟମନସ୍କତା ତାକୁ ଡରାଉଥାଏ। କାହିଁକି ନା ସେ ଚାହୁଁଥିଲା ଆଉ କିଛି। ତା କୁଆଁରୀ ମନରେ ଆଉ କିଏ ଘର କରିଥିଲା। ତା’ହେଲେ ଚାରୁ କ’ଣ ଆଉ କାହାକୁ… ?

ହଁ ସେୟା ହିଁ ଥିଲା। ସେ ମନ ଦେଇଥିଲା ଆଉ ଜଣକୁ। ଯାହାକୁ ସେ ଦେଖିନଥିଲା କି ତା ବିଷୟରେ କିଛି ଜାଣିନଥିଲା। ସେହି ଲୋକର କବିତା ପଢ଼ି ସେ ତାଙ୍କର ପ୍ରେମରେ ପଡ଼ି ଯାଇଥିଲା। ଆଉ ଭଲ ପାଇବସିଥିଲା ସେ କବିଙ୍କୁ। କବିତା ପଢ଼ି ଅନେକ ଚିଠି ଦେଉଥିଲା। ଅକୁହା ଭଲ ପାଇବା ପରସ୍ପରକୁ ବାନ୍ଧିଥିଲା ଏକ ଭିନ୍ନ ଶିହରଣରେ। କିନ୍ତୁ ବାପାଙ୍କୁ କିଛି କହିପାରିନଥିଲା। ଯୁକ୍ତ ୩ ସରୁସରୁ ବାପା ବାହାଘର ଠିକ୍‌ କରିଦେଲେ। ସାହି ପଡିଶା କହିଲେ ବଢ଼ିଲା ଝିଅକୁ ଆଉ ଘରେ ନରଖି ଜଲଦି ବାହା କରିଦିଅ। ଯେତିକି ପଢିଲା, ସେତିକି ହେଉ। ବୋଉ ବି ବାପାଙ୍କ କଥାରେ ରାଜି ହୋଇଗଲା। ମୋର କିନ୍ତୁ ଇଚ୍ଛା ନଥିଲା।

ଚାରୁ ବସି ଭାବୁଛି। କୁଆଁରୀ ଝିଅର ଗହନ ମନର ଗୋପନ କଥା। କେମିତି ସେ ସ୍ୱାମୀଙ୍କୁ ନିଜର କରିବ। ମନରେ କେବେଠୁ ଘର କରିଛି ଜଣେ ପୁରୁଷ,ଯାହାକୁ ସେ ଏବେବି ଭୁଲିପାରିନି। କେମିତି କରିବ ମିଛ ଅଭିନୟ। ଚଉଠି ଦୀପକୁ ସାଖିରଖି କେମିତି ମିଛି କହିବ ସେ।

ଆଜିକାଲି ଏମିତି କିଏ ଅଛି ଯେ ମିଛ କହୁନି। କାହା ଜୀବନରେ କୁଆଁରୀ ବେଳେ କେଉଁ ପୁଅ ଆସିନି। ବହୁତ କମ୍‌ ଝିଅ ଥିବେ, କାହାକୁ ବିବାହ ପୂର୍ବରୁ ମନ ଦେଇନଥିବେ। ଯିଏ ନିଜର ପ୍ରିୟ ପୁରୁଷକୁ ଚାହେଁ ସେ କ’ଣ ତାକୁ ପାଇଛି ? ସେ କ’ଣ ଅନ୍ୟକୁ ମାରେଜ୍‌ କରି ମିଛି କହୁନି। ବିବାହ କରିବି ଅନେକ ଅଛନ୍ତି ନିଜର ଏକ୍ସ ଲଭକୁ ବି କଣ୍ଟିନିଉ କରିଥାନ୍ତି। ମୁଁ କିନ୍ତୁ ପାରିବିନି। ସେଥିରେ କି ସାର୍ଥକ ଜୀବନ ଓ ସତ ସଂପର୍କ। କେବଳ ଛଳନା। ଆଉ କମ୍ପ୍ରୋମାଇଜ୍‌।

ମିଛ ବିଶ୍ୱାସରେ ଗୋଟେ ସୁନ୍ଦର ଜୀବନ ଜିଇଁବାର ଅଭିପ୍ରାୟ ମରିଯାଏ। ଜୀବନରେ ଭୁଲ୍‌ ହୁଏ , କିନ୍ତୁ ଆଉ ଏକ ଦୁନିଆ ଗଢ଼ିଲା ପରେ ପଛ ଦୁନିଆକୁ ଭୁଲିବାକୁ ହୁଏ , ଛାଡିବାକୁ ହୁଏ। ନୁହେଁତ ଦୁଇ ନାଆରେ ଗୋଡ଼ି ରଖିଲେ ଯେଉଁ ଅବସ୍ଥା ହୁଏ ସେୟା…

ଚାରୁ ବସି ଭାବୁଛି, ଆଜି ସ୍ୱାମୀ ଚନ୍ଦନ ଯଦି ପଚାରନ୍ତି, କାହାକୁ ଭଲ ପାଇଥିଲ କି? କ’ଣ ଉତ୍ତର ଦେବି। ଯଦି କହିଦିଏ ସେ ଖରାପ ବି ଭାବିବେନି ତ। ଯେତିକି ଶୁଣିଛି ସେ ବହୁତ ଭଲ। ଶାନ୍ତ ଓ ସରଳ। ଆମ ପିଉସୀ ଅପା ଏ ବାହାଘର ଠିକ୍‌ କରିଥିଲେ। ସେ ତାଙ୍କ ବିଷୟରେ ସବୁ ଭଲ କହୁଥିଲେ। ଭାବୁଛି କହି ଦେବି ସବୁ ସତ। ପିଲାଦିନେ ପ୍ରାର୍ଥନାରେ ପଢ଼ିଥିଲି ସତ କହି ପଛେ ମଲେ ମରିବି। ହଁ ସତ କହିଲେ ଭଗବାନ ବି ସାହା ହୁଅନ୍ତି। ମିଛ କହିଲେ ମଶାଣି ପାଲଟି ଯାଏ ବିଶ୍ୱାସ,ସଂପର୍କ। ମୁଁ ତ କିଛି ଭୁଲ୍‌ କରିନି। ଭଲ ପାଇବା ତ ଖରାପ ନୁହେଁ। ମନରେ ଯେତେବେଳେ ପ୍ରୀତିର ରଙ୍ଗ ଲାଗେ, ଯଉବନ ଉପବନରେ ଯେତେବେଳେ ବୟସର ଫୁଲ ଫୁଟେ। ସେତେବେଳେ ମନ ଖୋଜେ ସାଥି। ଯାହାର କଥା, ଚାଲିଚଳନ , ସ୍ନେହଆଦର ମନକୁ କିଣେ ,ସେ ନିଜର ଲାଗନ୍ତି। ମନ ରହିଯାଏ ତାଙ୍କ ପାଖରେ। ଆପଣାର କରିବାକୁ ଇଚ୍ଛା ପ୍ରବଳ ହୁଏ।

ମଳୟ ବି ସେମିତି ମୋ ଜୀବନରେ ଆସିଥିଲେ। ସେହି କବି ହିଁ ତାଙ୍କ ଶବ୍ଦ ଓ ଭାଷାରେ ମୋତେ କିଣି ନେଇଥିଲେ। ମୁଁ ସ୍ଥିର କରି ନେଇଥିଲି ୟାଙ୍କୁ ହିଁ ମାରେଜ୍‌ କରିବି। ଦିନ ଯେତିକି ବଢ଼ିଥିଲା ଆମ ସଂପର୍କ ବି ସେତିକି ବଢୁଥିଲା। ମୁଁ ଯୁକ୍ତ ୩ର ପ୍ରଥମ ବର୍ଷରୁ ହିଁ ତାଙ୍କ କବିତା ପ୍ରେମରେ ପଡିଯାଇଥିଲି। ମୁଁ କମର୍ସ ଷ୍ଟୁଡେଣ୍ଟ୍‌ ଥିଲି। ହେଲେ ସାହିତ୍ୟକୁ ବହୁତ ଭଲ ପାଉଥିଲି। ଗପ କବିତା ପଢିବାରେ ମୋର ବେଶି ସମୟ ଯାଏ। ବହୁତ ପତ୍ରପତ୍ରିକା ଓ ଖବର କାଗଜରୁ ମଳୟଙ୍କର ଲେଖା ପଢ଼େ। ଆଉ ସେ ଲେଖାର ପ୍ରଶଂସା କରି ଚିଠି ଦିଏ। ଏମିତି ଭାବେ ଆମ ସଂପର୍କ ବଢିଗଲା। ଖାଲି ଚିଠି ଲେଖା ଥିଲା। ପୁଣି ତାଙ୍କ ଲେଖାର ତାରିଫ୍‌ କରିବାରେ ଲେଖୁଥିଲି ଚିଠି।

କିନ୍ତୁ ସେଦିନେ ମଳୟ ମୋତେ ଚିଠିରେ ଲେଖିଥିଲେ। ମୁଁ ତୁମକୁ ଚାହୁଁଛି ଚାରୁ। ତୁମ ମନରେ ଆଉ କିଏ ଅଛି କି ? ତୁମକୁ ମୋର ଜୀବନ ସାଥି କରିବାକୁ ଚାହୁଁଛି। ତୁମକୁ ନଦେଖିଲେ ବି ମୁଁ ତୁମକୁ ମନ ଦେଇଛିା ମୁଁ କୌଣସି ରୂପର ଦାସ ନୁହେଁ , ମୋତେ ଓ ମୋ ସୃଜନଶୀଳତାକୁ ଭଲ ପାଉଥିବା ଜୀବନସାଥି ଦରକାର ମୋର। ଯାହା ତୁମଠାରେ ଦେଖିବାକୁ ପାଉଛି।

ଏପଟେ ବାପାଙ୍କ କଥା ବି ଭାବୁଥିଲି। ସେ ମୋତେ ବହୁତ ଭଲ ପାଆନ୍ତି। ସବୁ ଇଚ୍ଛା ମୋର ପୂରଣ କରିଛନ୍ତି। ଗୋଟିଏ ବୋଲି ଝିଅ ବୋଲି ବୋଉ ବି ମୋର ସବୁ କଥାରେ ରାଜି ହୋଇଛି। ଯାହା ଚାହିଁଛି ତା କରିବାକୁ ଦେଇଛି। କ’ଣ କରିବି ଭାବି ପାରୁନଥିଲି। ନା ଏପଟେ ମଳୟଙ୍କୁ ଦୂରେଇ ପାରିବି ନା ପରିବାରକୁ। ଶେଷରେ ମଳୟଙ୍କୁ କହିଥିଲି, ମୁଁ ବି ତୁମକୁ ଚାହେଁ। ତୁମପରି ଜଣେ ସରଳ, ସ୍ନେହୀ ଓ ନିଷ୍ଠାପର ମଣିଷକୁ ମୋର ଜୀବନସାଥି କରିବାକୁ ଅନେକ ଥର ଭାବିଛି। କିନ୍ତୁ ମୋ ବାପା ବୋଉଙ୍କ ବିନା ସ୍ୱୀକୃତିରେ କିଛି କରିପାରିବିନି।

ବାସ୍‌ ତାପରେ ମଳୟ ମତେ କିଛି ପଚାରି ନଥିଲେ। ଆଗ ଭଳି ଆମ ସଂପର୍କ ସେମିତି ଭଲରେ ଚାଲିଥିଲା। ତାଙ୍କର ଲେଖା ବାହାରିଲେ ପତ୍ରପତ୍ରିକାରେ ଆଣି ପଢ଼େ ଚାରୁ।

ଚଉଠି ଖଟ ଉପରେ ଉପରେ ବସିଛି ଚାରୁ। ଫୁଲରେ ସଜା ହୋଇଛି ଖଟ ଆଉ ଘରଟି। ମହ ମହ ବାସ୍ନାରେ ଫାଟି ପଡୁଛି ଘରଟି। ସତେକି ସ୍ୱର୍ଗର ପାରିଜତ ଫୁଲ ବିଛେଇ ହୋଇ ପଡିଛି ଶେଯ ଉପରେ। ଆଉ ସୁନ୍ଦରୀ ଅପସରୀଟିଏ ବସି ତାର ପ୍ରିୟ ମଣିଷକୁ ଅପେକ୍ଷା କରିଛି। ଆସି ପ୍ରେମର ମଦିରା ପିଆଇବେ। ପ୍ରୀତି ସର ମାରିବେ।

କବାଟ ଖୋଲିବାର ଶବ୍ଦରେ ଟିକେ ଚମକି ପଡିଲା ଚାରୁ। ଅନେଇଲା ଓଢଣି ଫାଙ୍କରେ କଣେଇ କଣେଇ। ଚନ୍ଦନ ଆସିଲେ। ତାର ପ୍ରିୟର ମଣିଷ। ସ୍ୱାମୀ। ଅଗ୍ନୀକୁ ସାଖି ରଖି ଯାହାକୁ ସେ ଦୁନିଆ ବଡ ଦାଣ୍ଡରେ ସାତ ଜନମର ସାଥି କରିଛି। ଚନ୍ଦନକୁ ଦେଖୁଛି ଚାରୁ। ଗୋରା ତକ୍‌ ତକ୍‌ ବଳିଷ୍ଠ ଶରୀର। ସୁନ୍ଦର ଚେହେରା। ସତେକି ଜଣେ ଦେବ ପ୍ରତିମ ସ୍ୱର୍ଗରୁ ଓହ୍ଲାଇ ଆସିଛନ୍ତି। ଚାଲି ଓ ସ୍ୱଭାବରୁ ଶାନ୍ତ ସରଳ ଲାଗୁଥିଲେ।

ଫୁଲର ଶେଯ ଉପରେ ବସିଛି ଚାରୁ। ଚନ୍ଦନ ଆସି ପାଖରେ ଠିଆ ହେଲେ। ଚାରୁର ଓଢଣି ତଳକୁ ଖୋଲିଦେଲେ। ଚାରୁ ଅଟକେଇଲା ଭଳି ହେଉଥିଲା। ହେଲେ କିଛି କରିପାରିଲାନି। କ’ଣ ବା କରିବ। ନୂଆ ବୋହୂଟିଏ ସେ। ସଣ୍ଠଣା ଭିତରେ ରହିବାକୁ ହେବ। ନୁହେଁତ ବାପା ମାଆଙ୍କ ନାଁରେ ଦୁର୍ନାମ ହେବ। ଲାଜେଇ ଗଲା ଚାରୁ।

ଲାଜ କ’ଣ କରୁଛ ଚାରୁ – ଚନ୍ଦନ କହିଲେ। ଆଜିପା ଆମର ବାସର ରାତି। ଲାଜ କରିବା ରାତି ନୁହେଁ। ସେମିତି ଚୁପ୍‌ ହୋଇ ବସି ଚାରୁ ଶୁଣୁଥାଏ ଚନ୍ଦନଙ୍କ କଥା। ଆଉ ଏକ ଅଜଣା ଭୟରେ ଥରୁଥାଏ। ପ୍ରଥମ କରି ସେ ଜୀବନରେ ଗୋଟିଏ ନିଭୃତ କୋଠରୀ ଭିତରେ ଜଣେ ପୁରୁଷ ପାଖରେ। କେବେ ବି ସେ ବାପା ମାଆ ଭାଇ ଛଡା କାହା ପାଖରେ ଏକା ରହିନି। ଡର ନିଶ୍ଚୟ ଲାଗିବ।

ଚନ୍ଦନ ଶେଯ ଉପରେ ଚାରୁ ପାଖରେ ବସିଲେ। ତାର ମୁହଁକୁ ଅନେଇ କହିଲେ ତୁମେ ବହୁତ ସୁନ୍ଦର ଚାରୁ। ତୁମ କଥା ମୁଁ ଶୁଣିଛି ବହୁତ ଭଲ। ଏମିତି ଚୁପ୍‌ ହୋଇ ବସିବ, କିଛି କହିବନି। ଏଠି ଆଉ କିଏ ଅଛି କି ମୋତେ ଛାଡିଦେଲେ।

ଚନ୍ଦନଙ୍କର ଏମିତି ମଜାଳିଆ ଢଙ୍ଗରେ କହିବାରେ ଚାରୁ ହସିଦେଲେ। ଚନ୍ଦନ ବି ହସିଲେ। ଆଉ କହିଲେ … କି ସୁନ୍ଦର ସ୍ମିତ ହାସ୍ୟ। ମୁଁ ଏମିତ ହସ ଖୋଜିଥିଲି। ଯାହା ହେଉ ଭଗବାନ ମୋତେ ଦେଇଦେଲେ। ଛାଡ ରାତି ଅଧିକ ହେଲାଣି। ସମସ୍ତେ ଶୋଇଲେଣି।ଆମେ ଆଉ ଟୁପୁର ଟାପର ନହୋଇ ଶୋଇଯିବା।

ଚାରୁ କ’ଣ କହିବ କିଛି ଭାବି ପାରୁନି। ଭାବିଲା ଏବେ ଆଉ ଚୁପ୍‌ ରହିହେବନି। ଚନ୍ଦନ ଆଉ କିଛି କରିବା ଆଗରୁ ସେ ସବୁ ଖୋଲି କହିଦେବ। ଭଗବାନଙ୍କୁ ମନେ ମନେ ସ୍ମରଣ କଲା ଚାରୁ। ପ୍ରଭୁ ମୁଁ କ’ଣ କରିବାକୁ ଯାଉଛି ଜାଣେନା। ହେଲେ ମୁଁ ନିରୁପାୟ। ଚନ୍ଦନଙ୍କ ସହ ମୋ ଦେହ ମନ ଏକ ହେବା ଆଗରୁ ସବୁ କହିଦେବି।

ମୁଁ ଜଣକୁ ଭଲ ପାଉଥିଲି। ତାଙ୍କୁ ବାହା ହେବାକୁ ଇଚ୍ଛା ରଖିଥିଲି। କିନ୍ତୁ ହୋଇ ପାରିଲାନି। ଏବେ ବି ତାଙ୍କୁ ଭୁଲିପାରିନି କି ଭୁଲି ପାରିବିନି। ତାଙ୍କୁ ଦେଖିନି ସତ , ହେଲେ ମୁଁ ଅନୁଭବ କରିପାରିଛି ସେ କେମିତିକା। ଆଉ ସେ ମୋର ଏମିତି କିଛି କ୍ଷତି କରିନାହାଁନ୍ତି ଯେ ମୁଁ ତାଙ୍କୁ ଦୋଷ ଦେଇ ଭୁଲିଯିବି। ମୁଁ କିନ୍ତୁ ତାଙ୍କ ପ୍ରତି ଅନ୍ୟାୟ କରିଛି। କିଛି ନକହି ଚୁପ୍‌ ରହି ତାଙ୍କ କଥାକୁ ଏଡେଇଥିଲି। ବାହା ହେଲି ଜଣାଇପାରିଲିନି....ଏତିକି ଏକ ନିଶ୍ୱାସରେ କହି ଚାରୁ କାନ୍ଦି ଉଠିଲା, ଯେମିତି ଛୋଟ ପିଲାଟେ କଇଁ କଇଁ କାନ୍ଦିଉଠେ। ଆଖିରେ ଲୁହର ନଈ ଚାରୁର। ନିଜ କୋଳକୁ ଟାଣିନେଲେ ଚନ୍ଦନ। ଲୁହ ପୋଛିଦେଲେ। କହିଲେ ନା ଚାରୁ କାନ୍ଦନି। ଗୋଟେ ଚୁମା ଦେଇଦେଲେ ତା ଓଠରେ ନିଜ ଛାତିରେ ଡାବୁଡି ଧରିଲେ। କହିଲେ , ମୁଁ କ’ଣ ତୁମର ମଳୟ ହୋଇପାରିବିନି। ମୁଁ କ’ଣ ତୁମକୁ ଭଲ ପାଇବା ଦେଇପାରିବିନି। କୁହ ଚାରୁ।

ସତେ ଯେମିତି ନିରାଶ୍ରୟ ଲୋକଟି ଆଜି ଆଶ୍ରା ପାଇଛି। ସେମିତି ଲାଗିଲା ଚାରୁକୁ। ଚନ୍ଦନ ହସିଲେ। ଖୁବ୍‌ ହସିଲେ। ଚାରୁ କିଛି ବୁଝି ପାରିଲାନି। ଏମିତି କ’ଣ ଚନ୍ଦନ ହସିଲେ। ମୋ କଥାରେ ସେ ଏମିତି କଣ ପ୍ରତିକ୍ରିୟା କଲେ। ଚନ୍ଦନ କହିଲେ ଚାରୁ ତୁମର ସେହି କବି ପ୍ରେମିକ ମୁଁ ,ମଳୟ। ଯାହାକୁ ତୁମେ ଭଲ ପାଉଥିଲ। ଚାରୁ ଚମକି ପଡିଲା। ଚନ୍ଦନଙ୍କର ମୁହଁକୁ ଚାହିଁଲା। ସତେ ତ ଆପଣ କେମିତି ଜାଣିଲେ ତାଙ୍କ ନାଁ ମଳୟ। ମୁଁ ତ ତାଙ୍କ ନାଁ କହିନି। ଚାରୁ ଯେମିତି ଏକ ଖୋଜିଲା ଜିନିଷ ପାଇଲା ଭଳି ମନେକଲା। ଆଖିରେ ଆଶ୍ଚର୍ଯ୍ୟର ସଂକେତ। ଓଠର ଭାଷା ଧୀର ହୋଇଗଲା। କ’ଣ କହୁଛନ୍ତି ଆପଣ। ମଳୟ ଆପଣ … ଚନ୍ଦନକୁ ଚାହିଁଲା। ଆତ୍ମବିଭୋର ହୋଇଗଲା। ଦୁଃଖ ଗ୍ଲାନିରେ ଭାଙ୍ଗି ପଡିଥିବା ମନଟି ଉଲ୍ଲସୀତ ହୋଇ ଉଠିଲା।

ହଁ ଚାରୁ , ମୁଁ ତୁମ ମଳୟ। ମନେପଡୁଛି ଯେତେବେଳେ ତୁମେ ମୋ ଚିଠିର ଉତ୍ତରରେ କହିଲ, ତୁମ ବାପାଙ୍କ ଇଚ୍ଛାରେ ବାହା ହେବ। ତାଙ୍କୁ ଦୁଃଖ ଦେବନି। ମୁଁ ସେହି ଦିନଠୁ ତୁମ ଇଚ୍ଛାକୁ ସ୍ୱୀକୃତି ଦେବା ପାଇଁ ଲାଗିପଡିଲି। ତୁମ ପାଇଁ ରାତି ଦିନ ଏକ କରିଦେଲି। ଆଉ ତାପରେ ତୁମ ସଂପର୍କୀୟଙ୍କ ସହ କଥା ହେଲି। ଏକଥା ତୁମକୁ ଏକ ସରପ୍ରାଇଜ୍‌ ଦେବାକୁ ଥିଲା। ଚାରୁ ଖୁସିରେ ଚନ୍ଦନଙ୍କୁ କୁଣ୍ଡେଇ ପକେଇଲା। କ’ଣ ଆଉ କହିବ। ଆଖିରେ ଖୁସିର ଲୋତକ। ଓଠରେ ଅନେକ ଦିନରୁ ବରଫ ଭଳି ଜମାଟ ବାନ୍ଧିଥିବା ପ୍ରୀତିର ଭାଷା ତରଳୁଥିଲା। ନିଜର ପ୍ରିୟ ମଣିଷକୁ ଫେରି ପାଇଲେ କେତେ ଯେ ଶାନ୍ତି ପାଏ ପ୍ରାଣ ସ୍ପନ୍ଦନ ,ତାହା ଅନୁଭବ କରୁଥିଲା ଚାରୁ। ଆଜିର ଏତେ ଖୁସି ବୋଧେ ସେ କେବେ ପାଇନଥିଲା। ଆଜି ଜୀବନରେ ପ୍ରଥମ ଅନୁଭବ କରୁଛି।

ଚନ୍ଦନ କହିଲା କୁହ ମୁଁ ତୁମର ପସନ୍ଦ ତ। ମୁଁ କିନ୍ତୁ ତୁମକୁ ପାଇ ବହୁତ ଖୁସି। ଆଉ ମୋ ଚଏସ୍‌ ବି ପୁରା ଠିକ୍‌। ଚାରୁ କହିଲା ଥାଉ ଆଉ କିଛି କୁହନି ଆଉ। ମୋତେ ଏତେ କଷ୍ଟ ଦେଲ … ଗେହ୍ଲେଇ ପରି କହିଲା ଚାରୁ।

ନହେଲେ ତୁମକୁ ଏମିତି ସରପ୍ରାଇଜ୍‌ କେମିତି ଦେଇଥାଆନ୍ତି ଯେ, …ଏମିତି କହି ଚନ୍ଦନ ଚାରୁକୁ ନିଜ ବାହୁ ଯୁଗଳରେ ବାନ୍ଧିଦେଇ କହିଲେ , ଚାରୁ ଏ ବାସର ରାତି ବାସି ହେବା ଆଗରୁ ଆସ ଆମେ ଟିକେ ହଜିଯିବା ପ୍ରୀତି ରାଇଜରେ। ଅନେକ ଦିନର ଅପେକ୍ଷାକୁ ଟିକେ କରିଦେବା ଶାନ୍ତ। ଚାରୁ ହସି ଉଠିଲେ। ଆଉ ଚନ୍ଦନଙ୍କୁ କହିଲେ ଦୁଃଷ୍ଟ। ଚନ୍ଦନ ଆହୁରି ନିବିଡ ଭାବେ ଚାରୁକୁ ଭିଡି ଧରି ଶେଯ ଉପରେ ଲୋଟି ପଡିଲେ। ଆଉ ସେତିକି ବେଳେ ଆପେ ଆପେ ଲିଭିଗଲା ଅନେକ ବେଳୁ ଜଳୁଥିବା ବାସର ଦୀପଟି।


Rate this content
Log in

More oriya story from Pradesh Pratyush

Similar oriya story from Romance