Pradesh Pratyush

Romance Tragedy Others

3  

Pradesh Pratyush

Romance Tragedy Others

ଅଲିଭା ଦାଗ

ଅଲିଭା ଦାଗ

3 mins
289


ଆଜି ଅରଣ୍ୟ ଖୁବ୍‌ ମନେ ପଡୁଛନ୍ତି । ସେଦିନ ଯଦି ମୁଁ ମୋ ପ୍ରେମ ପାଇଁ ଘର ଲୋକଙ୍କ ଆଗେ ଜିଦ୍‌ କରିଥାନ୍ତି ତ ଆଜି ଏମିତି ଅବସ୍ଥା ହୋଇନଥାନ୍ତା । ମୁଁ ପାଇଯାଇଥାନ୍ତି ମୋ ପ୍ରିୟର ମଣିଷକୁ। ମୋ ଅରଣ୍ୟକୁ। କାନ୍ଦୁଛି ଅରୁଣା । ଅତୀତ ଖୁବ୍ ମନେ ପଡୁଛି । 


ବାହାରେ ଅବିରତ ବର୍ଷା । ହୃଦୟରେ ଦୁଃଖର ବିଜୁଳି। ଆଖିରେ ଲଗାଣ ବର୍ଷାର ଧାରା। କଣ କରିବ ଅରୁଣା। ବାପା ମାଆ ସିନା ଯାନି ଯଉତୁକ ଦେଇ ଝିଅ ବିଦା କରିଦେଲେ। ତାଙ୍କ ମୁଣ୍ଡରୁ ବୋଝ ହାଲକା ହୋଇଗଲା । ହେଲେ ମୁଁ ପ୍ରତିକ୍ଷଣ ଦୁଃଖ ଓ ଅନୁତାପର ବୋଝ ମୁଣ୍ଡେଇ ଅଣନିଶ୍ୱାସି। ଯାହାକୁ ବେଦି ଉପରେ ବସି ଅଗ୍ନିକୁ ସାଖି ରଖି ବାହା ହେଲି ସେ ଦିନକ ପାଇଁ ମନ କଥା ବୁଝିଲେନି। ଅର୍ଥ ମୋହରେ ସେ ଯେମିତି ପାଗଳ । ଦିନ ରାତି ଟଙ୍କା ଟଙ୍କା। 


ବାହାଘରର ୨ ବର୍ଷ ଭିତରେ କେବେ ସେ ସ୍ତ୍ରୀକୁ କେଉଁଆଡେ ବୁଲାଇ ନେଇଛନ୍ତି ନା ଭଲରେ କଥା ହୋଇଛନ୍ତି । ମୁଁ ବେଦିରେ ବସିବା ପରେ ଭୁଲି ଯାଇଥିଲି ମୋ ଅତୀତକୁ । କର୍ମକୁ ଆଦରି ବଂଚିବାକୁ ସ୍ଥିର କରିନେଇଥିଲି। କିନ୍ତୁ ମତେ ପୁଣି ମୋ ଅତୀତକୁ ଫେରେଇ ଆଣିଲେ ମୋ ସ୍ୱାମୀ। ମୁଁ ପ୍ରଥମ ରାତିରେ ସତ କଥା କହିଦେଇଥିଲି ବୋଲି କଥା କଥାକେ ସେ କଥା କହିଲେ । ମୋତେ ସନ୍ଦେହ କଲେ।


ରାତି ୧୨ଟା ହେଲାଣି। ସ୍ୱାମୀ ଆଜି ଅଫିସ୍‌ କାମରେ ଅଫିସ୍‌ରୁ ଫେରିନାହାଁନ୍ତି। ଅରୁଣା ବସି ଅତୀତ ସ୍ମୁତିକୁ ରୋମନ୍ଥିତ କରୁଛି। ଅରଣ୍ୟ ଥିଲେ ତାଙ୍କ ପାଖ ଗାଁର ପିଲା। ହାଇସ୍କୁଲରୁ କଲେଜ୍ ଏକା ସାଙ୍ଗରେ ପଡିଛନ୍ତି। ପ୍ରତି ମୁର୍ହୂତ୍ତକୁ ଏକା ସାଥିରେ ବିତାଇଛନ୍ତି । ବନ୍ଧୁତା ,ପ୍ରେମ ଭିତରେ ଯେମିତି ଦିନ ଗୁଡାକ କେମିତି ବିତି ଯାଇଥିଲା। ଘର ଲୋକ ଆମ ବିଷୟରେ ଜାଣି ମୋର ବାହାଘର ସ୍ଥିର କରିଦେଲେ । କହିଲେ , ଆମେ ସରକାରୀ ଚାକିରୀଆକୁ ବାହାଦେବୁ । 


ବାପାଙ୍କ ଜିଦ୍‌ ଆଗରେ ହାର୍‌ ମାନିଥିଲା ଅରୁଣା । ଘରର ନିଷ୍ପତ୍ତି ଆଗରେ ବଳି ପଡିଯାଇଥିଲା ତା ପ୍ରେମ। ଆଜି ଅରଣ୍ୟ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିତ୍ୱ। ଜଣେ ଭଲ ଲେଖକ ଭାବେ ଖୁବ୍‌ ନାଁ କମେଇଛନ୍ତି । ଟିଭି , ରେଡିଓ, ଖବର କାଗଜ ସବୁଠି ତାଙ୍କର ସୃଜନଶୀଳତାର ସ୍ପର୍ଶ। ସେଦିନଠୁ ଅରୁଣା କେବେ ବି ସାହସ କରିପାରିନି ଅରଣ୍ୟଙ୍କୁ ଦେଖା କରିବାକୁ । ଶୁଣିଛି ଖୁବ୍‌ ଭଲରେ ଅଛନ୍ତି ଅରଣ୍ୟ । ଆଉ ସେ ସବୁବେଳେ ଭଲରେ ଥାଆନ୍ତୁ ବୋଲି ନିତି ଅରଣ୍ୟଙ୍କ ପାଇଁ ସନ୍ଧ୍ୟା ଦୀପ ଜଳାଇ ଶୁଭ ମନାସେ ଅରୁଣା। 


ଭଲ ଚାକିରୀ କରୁଛନ୍ତି ଅରଣ୍ୟ। ଫେସ୍‌ବୁକ୍‌ରୁ ନିତି ତାଙ୍କର କବିତା ପଢେ ଅରୁଣା। ନିରବତାର ଅନ୍ଧକାରରେ ରହି କେବଳ ଅରଣ୍ୟଙ୍କର ସୃଜନଶୀଳତାର ଶବ୍ଦରେ ହଜେ । ଆଉ ବା କଣ କରିପାରିବ। କବିତା ପଢି ଅନୁଭବ କରେ ଅରଣ୍ୟ ଏବେ ବି ତାକୁ ହୃଦୟରେ ସ୍ଥାନ ଦେଇଛନ୍ତି । ତାର ପ୍ରେମ ପ୍ରତିଶୃତି ଓ ପ୍ରତିକ୍ଷାକୁ ନେଇ ଲେଖୁଛନ୍ତି କବିତା , ଗଳ୍ପ।


ଫେସ୍‌ବୁକ୍‌ ଖୋଜିଲା ଅରୁଣା। ଏମିତି ନିତି ରାତିରେ ସେ ଫେସ୍‌ବୁକ୍‌ରେ ଅରଣ୍ୟକୁ ତାଙ୍କ କବିତାର ଶବ୍ଦ ଓ ଭାଷାରେ ଭେଟେ। ଆଜି ଅରଣ୍ୟ ଏକ କବିତା ପୋଷ୍ଟ କରିଛନ୍ତି। ଖୁବ୍‌ ଆଗ୍ରହର ସହ ଅରୁଣା ପଢିଲା- ଅରଣ୍ୟ ଲେଖିଛନ୍ତି । 


ତୋ ପ୍ରେମ ମୋ ପ୍ରେମ , ଗୋଟେ ନିରବ କାହାଣୀ

ତୋ କଥା ମୋ କଥା ଗୋଟେ ଅଭୁଲା ଚାହାଣୀ...


ଆଉ ପଢିପାରିଲାନି ଅରୁଣା। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। କାନ୍ଥ ଘଣ୍ଟା ଗର୍ଜି ଉଠିଲା । ରାତି ୨ଟା , ସ୍ୱାମୀ ଏଯାଏ ଆସିନାହାନ୍ତି। ଆଖିର ଲୁହ ପୋଛିଲା ଅରୁଣା । ଆଜି କେମିତି ପରିବେଶ ଅଲଗା ଲାଗୁଥିଲା । ଅରୁଣା ଆଖିରୁ ଯେତିକି ଲୁହ ଝରୁଥିଲା। ହୃଦୟର ବିଳାପ ସେମିତି ତୀବ୍ର ହୋଉଥିଲା , ବାହାରେ ବର୍ଷା ସେତିକି ପ୍ରତୀୟମାନ ହେଉଥିଲା। ଅରୁଣା ସ୍ଥିର କଲା ଆଜି ସେ ପ୍ରଥମ କରି କମେଣ୍ଟ କରିବ ଅରଣ୍ୟଙ୍କର କବିତାରେ।


ଲେଖିଲା ପୋଷ୍ଟରେ – ଅରଣ୍ୟ ...ତୁମ ପ୍ରେମ ଏବେବି ଜୀବନ୍ତ। ଏ ଦେହ ସିନା ଏଠି, ମନ ତୁମ ପାଖରେ । ମୁଁ ପ୍ରିୟା ପ୍ରେୟସୀ, ପ୍ରିୟତମା କୋଉଟା ହୋଇପାରିଲିନି। ତୁମେ କିନ୍ତୁ ସଚ୍ଚା ପ୍ରେମିକ ଓ ପ୍ରିୟ ପୁରୁଷ ପାଲଟି ଗଲ । ପ୍ରେମର ପରମ ସତ୍ୟ ତ୍ୟାଗରେ ବି ଅନୁଭବ କରିପାରିଲ ପ୍ରେମକୁ , ପ୍ରତିଶ୍ରୁତିକୁ । 


ଏତକ ଲେଖି ସାରି ଅରୁଣା ଯେମିତି ନିଜ ଭିତରେ ଆଶ୍ୱସ୍ତି ଅନୁଭବ କରୁଥିଲା । ସେପଟେ ତାର କମେଣ୍ଟର ଉତ୍ତର ଦେଲେ ଅରଣ୍ୟ , ....ଅରୁଣା ତୁମେ ଭଲରେ ଥାଅ...। ଯାହା ହେବାର ନଥିଲା, ତା ହେଲାନିା ଯାହା ହେବାର ଥିଲା ତାହା ହେଲା, ସେଇଟା ଆମ ପ୍ରେମ..... । 


ପ୍ରେମ ମାନେ ପ୍ରଶଂସା । ଯାହା ମୁଁ ବୁଝିଛି । ପରସ୍ପର ପ୍ରତି ସେହି ପ୍ରଶଂସା ରଖି ନିଜ ନିଜର ସଂସାର ଭିତରେ ହଜିଯିବା ହିଁ ଜୀବନ । ମୁଁ ତୁମ ପରି ଗୋଟେ ଜୀବନ ସାଥି ପାଇଛି ଅରୁଣା । ଠିକ୍ ତୁମ ଭଳିା ଲାଜେଇ , ସରଳି ଆଉ ମନକୁ ବୁଝିଲା ଭଳି । ତାରି ଭିତରେ ତୁମକୁ ଦେଖେ , ସେ ସବୁ ଜାଣିଛି । ସବୁ କହିଦେଇଛି । ମୁଁ ରାଗିଲେ ଅରୁଣା ଅରୁଣା କହି ଚିଡାଇ ମଜା କରେ ....।  


ଅରୁଣା ଆଖିରେ ଖୁସିର ଲୋତକ । ଦୀର୍ଘ ୨ବର୍ଷ ପରେ ନିଜ ଅରଣ୍ୟଙ୍କ ଠାରୁ ଏଭଳି ଭାବର ଆଦାନପ୍ରଦାନରେ ବିମୋହିତ ହୋଇଛିା ଅନେକ ଦିନ ଧରି ମନରେ ଜମାଟ ବାନ୍ଧିଥିବା ଦୁଃଖର ବରଫ ଧିରେ ଧିରେ ତରଳୁଥିଲା । ହାଲକା ଲାଗୁଥିଲା ଅରୁଣାର ଦେହ , ମନ , ପ୍ରାଣ । ମନକୁ ମନ କହିଲା ତୁମେ ସତରେ ମହାନ ଅରଣ୍ୟ...। ତୁମେ ମହାନ । ମୁଁ ଅଭାଗିନୀ ତୁମକୁ ନିଜର କରିପାରିଲିନିା


Rate this content
Log in

Similar oriya story from Romance