Pradesh Pratyush

Romance Tragedy Others

3  

Pradesh Pratyush

Romance Tragedy Others

ପ୍ରୀତି ତ ଛଳନା ନଥିଲା

ପ୍ରୀତି ତ ଛଳନା ନଥିଲା

2 mins
260


ତା ଚିଠିରେ ଅତର ଲାଗିଥିଲା କି ନାହିଁ ଜାଣିନି, ହେଲେ ତାହା ମହମହ ବାସୁଥିଲା । ଆଉ ମୋ ହୃଦୟରେ ଭିନ୍ନ ଶିହରଣ ସୃଷ୍ଟି କରୁଥିଲା । ଚିଠି ନଥିଲା ତା ଥିଲା ପ୍ରେମର ପୋଥି। ରାତି ରାତି ବସି ମୁଁ ତାକୁ କେତେ ଥର ଯେ ପଢ଼ୁଥିଲି ତାର ହିସାବ ନାହିଁ । ଫର୍ଦ୍ଦ ପରେ ଫର୍ଦ୍ଦ ସୁନ୍ଦର ଅକ୍ଷରରେ କେମିତି ସେ ଲେଖେ, ମୁଁ ଭାବି ପାରେନି। ପ୍ରେମ ଚିଠି ବୋଧେ ଏଇ ପ୍ରଥମେ ତା ଠାରୁ ଜାଣିଲି । ଆଉ ଗୋଟିଏ ଫର୍ଦ୍ଦ ଠିକ୍ ରେ ଲେଖି ପାରୁନଥିବା ପିଲା , ମୁଁ ବି ତା ଚିଠିର ପ୍ରତ୍ୟୁତ୍ତରରେ ଅନେକ କିଛି ଲେଖୁଥିଲି । ହେଲେ କାଗଜ ସରି ଯାଉଥିଲା , ରାତି ପାହି ଯାଉଥିଲା ଲେଖା ସରୁନଥିଲା ।


ପ୍ରଥମେ ପ୍ରଥମେ ଚିଠିରେ କଣ ଲେଖିବି , କଣ କହି ସମ୍ବୋଧନ କରିବି ଏମିତିରେ ସମୟ ବିତି ଯାଉଥିଲା । ହେଲେ ତା ଚିଠି ହିଁ ସବୁ ଶିଖେଇ ଦେଲା। ସତରେ ତାର ସେ ଚିଠି ପ୍ରେମ ମୋତେ ମତୁଆଲା କରିଥିଲା । ଆଉ ଆନମନା ବି କରିଥିଲା। ମୁଁ ସେହି ଚିଠିରେ ପ୍ରେମର ପ୍ରଥମ ସ୍ପର୍ଶକୁ ଅନୁଭବ କରି ଥିଲି । ହୃଦୟକୁ ହୃଦୟରେ ଯୋଡ଼ିବାର ମଧୁର ସୂତ୍ରକୁ ଜାଣି ପାରିଥିଲି । ଜୀବନକୁ ବୁଝି ଥିଲି ସେହି ଚିଠିରୁ ।


ପ୍ରଥମ ପ୍ରେମର ସେ ପ୍ରଥମ ଚିଠି , ମୋ ପାଇଁ ଆଜି ଚିର ସ୍ମରଣୀୟ । ମୋର ଦେହ ମନ ଯଉବନରେ ତା ପହିଲି ପୁଲକ । ମୋ ମନ ଉପବନରେ ପ୍ରୀତିର ମଳୟ। ଜୀବନର ଖୋଜାଖୋଜି ବେଳରେ ବିଶେଷ ସନ୍ଦେଶ । ମୋତେ ଏ ଦୁନିଆରେ ଭିନ୍ନ ମଣିଷଟିଏ କରି ଦେଇ ଥିଲା ପ୍ରେମିକାର ସେହି ଚିଠି । ମୁଁ ନିଜକୁ ନିଜ ଭିତରେ ଆବିଷ୍କାର କରୁଥିଲି ସ୍ଵତନ୍ତ୍ର ଭାବେ । 


ନା ସେତେବେଳେ ଥିଲା ସ୍ମାର୍ଟ ଫୋନ୍ ନା ସୋସିଆଲ ମିଡ଼ିଆ । ଦୂରତା ରେ ଚିଠି ଥିଲା ମନକୁ ମନ ସହ ଯୋଡିବାର ମାଧ୍ୟମ । ଖୁବ୍ ଉତ୍କଣ୍ଠା ଥିଲା ମନରେ । ଅପେକ୍ଷାରେ ବ୍ୟାକୁଳତା ଭାଙ୍ଗୁଥିଲା  ନିରବତାର ବନ୍ଧବାଡ । କେତେ ବେଳେ ତାର ଚିଠି ଆସିବ । କାହିଁକି ପ୍ରତି ଉତ୍ତର ଦେଲାନି । ଏତେ ବିଳମ୍ବ କାହିଁକି ହେଲା । ଏମିତି ଅନେକ ଭାବନାରେ ମନ ହୁଏ ଛଟପଟ । ଆଉ ଚାତକ ପକ୍ଷୀ ପରି ଚାହିଁ ଥିବା ମନ ଚିଠି ପାଇଲା ପରେ ଏତେ ଯେ ଖୁସି ହୋଇ ଯାଏ, ଯେମିତି କୋଟିନିଧି ପାଇଗଲା ପରି ।


ସତରେ ସେଇ ଚିଠି ପ୍ରେମ ଆଜି ଅପେକ୍ଷା ଥିଲା ବହୁତ ଜୀବନ୍ତ ଓ ସ୍ଵତନ୍ତ୍ର । ରାଗ ରୁଷା ଅଭିମାନ ଥିଲା, ହେଲେ ଆଜିର ପ୍ରେମ ପରି ସ୍ଵାର୍ଥପର ହେଉନଥିଲା । ମନ ଅଥୟ ହେଉଥିଲା, ହେଲେ ସେଥିରେ ଥିଲା ବୁଝାମଣା । ଥିଲା ପବିତ୍ରତା । ପ୍ରତିବର୍ଦ୍ଧତା ଥିଲା ସେହି ପ୍ରେମରେ ।


ମୋର ମନେଅଛି ମୁଁ ଯେଉଁ ଦିନ ପ୍ରଣିତାର ଚିଠି ପାଉଥିଲି, ମୋ ମନ ଖୁସିରେ ନାଚି ଉଠୁଥିଲା । ଆଉ ଥରେ ନୁହେଁ କେତେଥର ଯେ ଲୁଚାଇ ଲୁଚାଇ ସେ ଚିଠି ପଡେ , ତା କହି ପାରିବିନି...!


ତମେ ସେ ଘର ଭିତରଟାରେ କଣ ଯେ କରୁଛ । ହଠାତ୍ ମୋ ସହଧର୍ମିଣୀଙ୍କର ଡାକରେ ମୁଁ ଚେତନାକୁ ଆସିଗଲି । ହାତରେ ଧରିଥିବା ଡାଏରୀଟି ତଳେ ଖସି ପଡିଲା । ମୁଁ କେତେବେଳୁ ଯେ ସେ ଘରେ ପୁରୁଣା ବହି ସଜାଡୁ ସଜାଡୁ ସେହି ପୁରୁଣା ପୃଷ୍ଠା ଓଲଟାଉଥିଲି , ଜାଣି ନଥିଲି । ସହଧର୍ମିଣୀ ମୋତେ ରୋଷେଇ ସାରି ଖାଇବାକୁ ଡାକ ପକେଇଲେଣି । 


ମୁଁ ପ୍ରକୃତିସ୍ଥ ହେଲି । ଆଉ ମନରେ ଟିକେ ସ୍ମିତ ହାସ୍ୟ ଦେଇ ମନକୁ ମନ କହିଲି , ତୁ ଯେଉଁଠି ଥାଆ, ଭଲରେ ଥାଆ । 

ପ୍ରକୃତ ପ୍ରେମ ମୋ ପାଖେ । ମୋର ପ୍ରେୟସୀ ହୋଇ ମୋର ସଂସାର ପାଲଟିଛି । ହେଲେ ଆଜି ଯାଏ ବୁଝି ପାରିନି ତୁ କେମିତି ହାରିଗଲୁ, ଚିଠିର ପ୍ରୀତି ତ ଛଳନା ନଥିଲା ???

          



Rate this content
Log in

Similar oriya story from Romance