Er. Suchismita Satpathy

Inspirational

4.0  

Er. Suchismita Satpathy

Inspirational

ଚିନ୍ତାଧାରା

ଚିନ୍ତାଧାରା

5 mins
197


ମନଟା ଆଜି ଅସ୍ଥିର l କେଉଁ ଏକ ଅଜଣା ନିଆଁର ଝାସରେ ଝାଉଁଳି ପଡିଛି ଗୋଲାପ ଫୁଲ ପରି ପ୍ରସ୍ଫୁଟିତ ହୋଇଥିବା ହୃଦୟଟି l ବେଳେବେଳେ ମନେ ହେଉଛି ଯେମିତି ମୁଁ ଅଲୋଡା ଓ ଅଦରକାରୀ l ସବୁ ଥାଇ କିଛି ନାହିଁ l ମୁହଁରେ ହସ ମାତ୍ର ମନଟା ଯେମିତି ଭାଙ୍ଗି ପଡ଼ିଛି କାହାର କୁଠାରାଘାତରେ l ବୁଝି ହେଉନି ବର୍ତ୍ତମାନକୁ ଗ୍ରହଣ କରିବି ନା ଅତୀତରେ ହଜିଯିବି l ଦେଖିବାକୁ ଗଲେ ବର୍ତ୍ତମାନରେ ସବୁକିଛି ଅଛି ସୁଖ ଅଛି, ଦୁଃଖ ଅଛି, ପରିବାର ଅଛି, ସମ୍ପର୍କ ଅଛି ମାତ୍ର ନାହିଁ ସେଇ କୋମଳମତି ଶିଶୁର ମନ ଯିଏ କି ଆଘାତ ମାତ୍ରକେ ପାଟି କରି କାନ୍ଦି ଉଠେ ଯନ୍ତ୍ରଣାକୁ ଜଣେଇ, ନାହିଁ ସେହି ହୃଦୟ ଯାହାକି ଯେତେ ଗାଳି ଶୁଣିଲେ ବି ପୁନର୍ବାର ଫେରିଯାଏ ସେହି ସ୍ଥିତିକୁ l ଏପରି କାହିଁକି ??ଶରୀର ତ ସେଇଆ ହିଁ ଅଛି, ମନ ତ ତାହା ହିଁ ଅଛି କିନ୍ତୁ କାହିଁକି ସେ ଭାବନାରେ ତଫାତ୍, କାହିଁକି ଆଜି କାହାର କଥା ଶୁଣି ମନ ବିଚଳିତ ହୋଇ ଉଠୁଛି, କାହିଁକି ଅନ୍ତରରେ କୋହ ସୃଷ୍ଟି ହେଉଛି ??

କଣ ଆମେ ସବୁ ଭୁଲି ସେହି ପିଲାଦିନକୁ ଫେରି ପାରିବାନି ?? ଫେରେଇ ଆଣି ପାରିବାନି ସେହି ନିଷ୍କପଟ ମନକୁ, ଯେଉଁ ଥିରେ ନା ରାଗ ଥିଲା, ନା ଅଭିମାନ ଥିଲା, ନା ଥିଲା ଅହଂ ଭାବ l କହ ମାଉସୀ କହ, ତୁ କ'ଣ କେବେ ଏମିତି ଭାବିନୁ ଯେ ତୁ ପୁଣି ପିଲାଦିନକୁ ଫେରିଯିବୁ ବୋଲି l ତୋର କଣ କେବେ ଇଚ୍ଛା ହୁଏନି?

ଏମିତି କଥା ଶୁଣୁ ଶୁଣୁ ସନେଇ ହଠାତ୍ କହି ଉଠିଲା, ଦିଦି କଣ ଆଜି ସକାଳୁ ସକାଳୁ ଏମିତି ଭାବୁ ସିଆଡୁ ପାଗେଳୀଙ୍କ ପରି ଗପୁଛ l କଣ ସବୁ ବାଉଳି ହେଉଛ ମୁଁ କିଛି ବୁଝି ପାରୁନି l ମୁଁ ପରା ବୁଡି ହେଲିଣି, ପୁଣି ପିଲା ଦିନକୁ ଫେରିବି କଣ, ମତେ ପୁରା ମରଣ ଡାକିଲାଣି, ଗୋଟାଏ ଗୋଡ଼ ଏଠି ତ ଆଉ ଗୋଟେ ଗୋଡ଼ ମଶାଣୀରେ l ମୋର ପୁଣି ଗୋଟେ ମନ କ'ଣ l ଦି ଓଳି ଦି ମୁଠା ଖାଇବାକୁ ମିଳିଲେ ହେଲା l ତମ ଘରେ ତ ମୋର କିଛି ଅସୁବିଧା ନାହିଁ, ମୁଁ ପୁଣି ଏତେ କଥା ଭାବିବି କାହିଁକି l ସ୍ନେହର କଥା ଶୁଣି ମିତାର ମନଟା ଭାରୀ ହୋଇଗଲା ଆଉ ଥରେ l ସନେଇକୁ ଚାହିଁ ପଚାରିଲା, ଇଚ୍ଛା କହିଲୁ, ତତେ କଣ କେବେ କେଉଁ କଥା ପାଇଁ ଲାଜ ଲାଗିନି ??

ଏଁ, ଦିଦି ଏମିତି କଣ କହୁଛ ବା, ଲାଜ ପୁଣି କ'ଣ l ସେଇଟା ପୁଣି କେମିତି ଲାଗେ ?? ଏ ଗରିବ ଖଟିଖିଆ ମଣିଷ ମନରେ ଲାଜ ବସା କେବେ ବାନ୍ଧି ପାରେନି l ଲାଜ କଲେ କ'ଣ ପେଟ ପୋଷି ହେବ l ପିଲାଟି ଦିନରୁ ଘର କଣ ଦେଖିନି l ହେତୁ ପାଇବା ଦିନଠୁ ରାସ୍ତା କଡଟା ହେଲା ଆଶ୍ରୟସ୍ଥଳୀ l ଦିନ ଯାକ ଭିକ ମାଗିକି ଯାହା ମିଳିଲା ସେଥିରେ ସନ୍ତୁଷ୍ଟ l ଦିନ ଯାକ ଖରା ବର୍ଷା ସହି ଥକି ଯାଇଥିବା ଶରୀରଟା ରାସ୍ତାର ସେହି ପିଚୁର ଶେଜରେ ଏମିତି ବିଛେଇ ହୁଏ ଯେମିତି ପାଖୁଡ଼ାଟି ପବନରେ ଫୁଲରୁ ଜଡ଼ି ତଳେ ପଡେ ଆଶ୍ରାହୀନ ହୋଇ l କେତେବେଳେ ସକାଳ ହୁଏ ଜଣା ନଥାଏ l ମୋର ଭାଗ୍ୟ ସେଦିନ ମନ୍ଦିର ପିଣ୍ଡାରେ ତୁମେ ଦେଖା ନ ହୁଅ ନା ମୁଁ ଏଠିକି ନ ଆସେ l ଏ ଭିତରେ ସାତ ବର୍ଷ ବିତିଗଲାଣି ମତେ ଜଣା ନାହିଁ l ଏଇ ତୁମର ଛୋଟ ଝିଅଟି ହାତ ଧରି ଚାଲୁଥିଲା ଏବେ ଏତେ ବଡ଼ ହେଲାଣି l ମୋର ପୁଣି ଆଉ କ'ଣ ଦରକାର, ଏମିତି ସମୟ କଟିଗଲେ ଯାଏ l ଆଉ ତୁମେ ଯୋଉ ଲାଜ କଥା କହିଲ, ସେଇଟା ଥିଲେ କଣ ମୁଁ ରାସ୍ତାରେ ଭିକ ମାଗିଥାନ୍ତି ନା ସେଦିନ ମନ୍ଦିରରେ ଅଇଁଠା ପତ୍ର ଉଠେଇ ଥାନ୍ତି l ହଉ ଛାଡ଼, ମୁଁ ଯାଏ ତେଣେ ରୋଷେଇ ସାରିବି, ବାବୁଙ୍କର ଆଉ ତୁମର ଅଫିସ ବେଳ ହେଇଯିବ l ଏହା କହି ମନେଇ ତ ଉଠିଗଲା ମାତ୍ର ଯାହା କହିଗଲା ତାର ମର୍ମ ସ୍ପଷ୍ଟ ବୁଝି ହୋଇଗଲା ମିତାର l 

ଗତ ରାତିରେ ରମେଶ ଓ ତା ଭିତରେ କଥା କଟାକଟିରେ ଲାଜକୁ ନେଇ କଥାଟିଏ ଉଠିଥିଲା l କଥାଟିରେ ଯଦିଓ ସେତେଟା ଗୁରୁତ୍ୱ ନଥିଲା କିନ୍ତୁ ମନଟା ଭାରୀ ହୋଇଗଲା l ପିଲାଦିନ କଥା ମନେ ପଡିଗଲା l ବିଦ୍ୟାଳୟ ସମୟରେ ସେପରି କିଛି ଅନୁଭୂତ ନ ହୋଇଥିଲେ ମଧ୍ୟ କଲେଜରେ ପଢ଼ିବା ସମୟରେ ସେଇ ଲଜ୍ଜ୍ୟାବୋଧ ମନରେ ଉଙ୍କି ମାରିଥିଲା l ଯେତେବେଳେ ସାଙ୍ଗମାନେ ବାହାରେ ଖାଇବାର ଯୋଜନା କରନ୍ତି କିନ୍ତୁ ଅର୍ଥ ଅଭାବ କାରଣରୁ ପେଟ ଭଲ ନାହିଁ, ଭୋକ ନାହିଁ କହି ନଯାଇ ରହିଯାଏ ସେତେବେଳେ ଲଜ୍ଜ୍ୟା ବୋଧହୁଏ l ଯେତେବେଳେ କଲେଜ ବାର୍ଷିକ ଉତ୍ସବରେ ସମସ୍ତେ ନୂତନ ପୋଷାକ ପିନ୍ଧି ଆସନ୍ତି ସେତେବେଳେ ପୁରୁଣା ପୋଷାକରେ ଆଇରନ୍ ଦେଇ ପିନ୍ଧି ଯିବାରେ ଲଜ୍ଜ୍ୟା ବୋଧହୁଏ l ଯେତେବେଳେ ସାଙ୍ଗମାନେ ନୂଆ ବହି ଆଣନ୍ତି, ସେତେବେଳେ ବହି ନାହିଁ ନ କହି ଘରେ ଛାଡିଆସିଛି କହିବାରେ ଲଜ୍ଜ୍ୟା ବୋଧହୁଏ l ଯେତେବେଳେ କଲେଜ ପିକନିକରେ ସମସ୍ତେ ଯାଆନ୍ତି ଅର୍ଥର ଅଭାବ ନ ଦେଖାଇ ଘରେ କାମ ଅଛି କହି ନ ଯିବାରେ ଲଜ୍ଜ୍ୟା ବୋଧହୁଏ l ସାଙ୍ଗମାନେ ଗାଡ଼ି ଧରି ଆସୁଥିବା ବେଳେ ସାଇକେଲରେ କଲେଜ ଯିବାରେ ଲଜ୍ଜ୍ୟାବୋଧ ହୁଏ l ତିନି ଚାରିଟି ପୋଷାକକୁ ଧୋଇ ମୁଠେଇ ପିନ୍ଧି ଯିବାରେ ଲଜ୍ଜ୍ୟାବୋଧ ହୁଏ l କୋଠାଘରେ ରହୁଥିବା ସାଙ୍ଗମାନଙ୍କୁ ମୁଁ ନଡ଼ା ଛପର ଘରେ ରହୁଛି କହିବାରେ ଲଜ୍ଜ୍ୟାବୋଧ ହୁଏ l ସେଇ ଲଜ୍ଜ୍ୟା ଭିତରେ କିନ୍ତୁ ଭାବନା ନଥିଲା ସେତେବେଳେ ମନରେ ଏକ ଦୃଢ଼ ବିଶ୍ଵାସ ଥାଏ ଯେ ପାଠପଢି ଏସବୁକୁ ଦୂରେଇ ଦେବି l ସେଇ ମନୋଭାବକୁ ନେଇ ବାପାମାଆଙ୍କ ଆଦର୍ଶରେ ଚାଲି ଆଜି ଉଚ୍ଚଶିକ୍ଷିତ ଓ ସ୍ୱାବଲମ୍ବୀ ହୋଇ ନିଜର ପରିଚୟ ତ ସୃଷ୍ଟି କରିପାରିଛି ହେଲେ ପଛରେ ଛାଡ଼ି ଆସିଛି ସେହି କୋମଳ ଶିଶୁ ମନଟିକୁ l ଆଜି ମନରେ ଭରି ରହିଛି ଅଭିମାନ, ଅହଂ ଭାବ ଏବଂ ଅନ୍ୟ ଆଗରେ ନିଜକୁ ବଡ଼ ଦେଖେଇ ହେବାର ପ୍ରତିଯୋଗିତା l ତଥାପି ସେସବୁ ଉପରେ ଆୟତ୍ତ ରଖି ଏକ ସାଧାରଣ ଜୀବନ କଟେଇବାର ପଦ୍ଧତିରେ ହଠାତ୍ ଝଡ ପରି ପଶିଆସେ ଅନେକ କଥା ଯାହା ମନେ ପକେଇ ଦିଏ ସେଇ ପୁରୁଣା ଲୋମ ଟାଙ୍କୁରା ଅତୀତ ସବୁକୁ l 

ଏମିତି ଭାବୁ ଭାବୁ ହଠାତ୍ ଏକ ଜୋର ଆବାଜରେ ମିତା ତାର ଭାବନା ରାଜ୍ୟରୁ ଫେରିଆସି ଦେଖେ ତ ସନେଇର ଗୋଡ଼ ଖସି ସେ ତଳେ ପଡି ଚିତ୍କାର କରୁଛି l 

ଦୌଡ଼ି ଯାଇ ତାକୁ ଉଠେଇ ବସେଇଲା ମିତା l ପାଣି ଆଣି ପିଇବାକୁ ଦେଇ ବିବ୍ରତ ହୋଇଗଲା ତାର ଅବସ୍ଥା ଦେଖି l ଡାକ୍ତରଙ୍କୁ ଫୋନ କରିବାକୁ ଯିବା ବେଳକୁ ସନେଇ ମିତାର ହାତକୁ ଟାଣି ଧରି ପାଖରେ ବସିବାକୁ କହିଲା l ସନେଇର ଏପରି ବ୍ୟବହାର ଦେଖି ମିତା କିଛି ବୁଝି ପାରିଲା ନାହିଁ l କହି ଉଠିଲା,ଆରେ ମାଉସୀ ରୁହ ମୁଁ ଡାକ୍ତରଙ୍କୁ ପଚାରି ଔଷଧ ଆଣେ ନହେଲେ ତୁମ ଦେହ ଠିକ୍ ହେବ କେମିତି l 

ମିତାର କଥା ଶୁଣି ସନେଇ କହିଲା, ଦିଦି ତୁମେ ବସ l ବାବୁ ତ ଅଫିସ ଗଲେଣି l ତୁମେ ସକାଳୁ କଣ ଗୁଡେ ଗପୁଛ ଯେ ଆଜି ଅଫିସ ଗଲନି l ହଉ ତେବେ ବସ ମୋ ପାଖରେ l ମୋର କିଛି ହେଇନି, ତୁମକୁ ତୁମ ଭାବନା ରାଇଜରୁ ଫେରେଇ ଆଣିବାକୁ ମୁଁ ଏଇ ପଡିଯିବାର ଅଭିନୟ କଲି l 

କାଲି ରାତିରେ ବାବୁ କହିଥିବା କଥା ମୁଁ ଶୁଣିଛି l ମୁଢ଼ି କିଣିବାରେ ଲାଜ ଲାଗିବା କଥା ତ l ହଠାତ୍ ମନେଇ ମୁହଁରୁ ଏକଥା ଶୁଣି ମିତା ଆଶ୍ଚର୍ଯ୍ୟ ହୋଇଗଲା l ସନେଇ ମିତାକୁ ଚାହିଁ କହିଲା ମତେ ଭୁଲ ବୁଝିବନି l ମୁଁ ତୁମ ଦୁହିଁଙ୍କ କଥା ଶୁଣୁ ନଥିଲି l ପାଣି ନେଇ ଗଲାବେଳେ ତୁମ ମୁହଁରୁ ଶୁଣିଲି ଯେ, ମତେ ପୁଣି ମୁଢ଼ି କିଣିବାକୁ ଲାଜ କାହିଁକି ଲାଗିବ, ବିନା ଚପଲରେ ବିଦ୍ୟାଳୟ ଯାଇଛି l ବାସ ସେତିକି l କଣ କଥା ମୁଁ ଜାଣିନି ମାତ୍ର ଏବେ ତୁମେ ଲଜ୍ଜ୍ୟା ଲାଗିବା କଥା ପଚାରିବାରେ ମୁଁ ଅନୁଭବ କଲି ତୁମକୁ ସେ କଥାଟା ବହୁତ ବାଧିଛି ଯାହାକି ତୁମକୁ ପିଲାଦିନକୁ ଫେରେଇ ନେଇଛି l 

ଶୁଣ ଦିଦି ଛୋଟ ମୁହଁରେ ବଡ଼ କଥା l ଯେଉଁ ସମୟ ଯାଇଛି ତାକୁ ଭାବି ମନ ଦୁଃଖ କରିବାରେ କିଛି ମୂଲ୍ୟ ନାହିଁ l ତୁମ ପରିବେଶ, ଚଳଣି ବାବୁଙ୍କ ପରିବେଶ, ଚଳଣି ଠାରୁ ଭିନ୍ନ l ସେ ଅଭାବ ଜାଣି ନାହାନ୍ତି ତେଣୁ ଲଜ୍ଜ୍ୟାବୋଧ ତାଙ୍କ ମନରେ ଆସିବ ସେ କହିବାଟା ସ୍ଵାଭାବିକ କିନ୍ତୁ ତୁମେ ସବୁ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚଳିବା ଶିଖିଛ ତେଣୁ ତୁମକୁ ତାଙ୍କ କଥାରେ ମନ ଦୁଃଖ କରିବାରେ କିଛି ନଥିଲା l ଯେଉଁ କାର୍ଯ୍ୟରେ କେହି ଅସମ୍ମାନ ହେଉନାହାନ୍ତି କିମ୍ବା କାହାର ଅନିଷ୍ଟ ହେଉନାହିଁ ତାହା ଲଜ୍ଜ୍ୟା ପଦ କିପରି ହେବ l ଆଉ କଥା ହେଲା ମୁଢି କିଣିବା କଥା, ଗରିବ ହେଉ କି ଧନୀ ଖାଦ୍ୟରେ ସମସ୍ତଙ୍କର ଅଧିକାର ଅଛି l ଆଜି ତୁମେ ଚାକିରୀ କରିଛ ବୋଲି କଣ ଦୋକାନରୁ ମୁଢ଼ି ଆଣିବା ଲଜ୍ଜ୍ୟାକର ହୋଇଗଲା‌ l ନା ତା ଭାବିବା ଭୁଲ l ତୁମର ବି ବାବୁଙ୍କ କଥାକୁ ଧରିବା ଭୁଲ l ପ୍ରତ୍ୟେକ ମଣିଷର ଭାବନା ଶକ୍ତି, ଚିନ୍ତାଧାରା ଅଲଗା l ତେଣୁ ସେସବୁ ନ ଭାବି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲ ଦେଖିବ କେଉଁ ଦିନ ତୁମର ସେଇ ପିଲାଦିନ ତୁମ ଭିତରେ ପୁଣି ଫେରି ଆସିଥିବ l ଏହା କହି ସନେଇ ଉଠିଗଲା ଓ ଖାଇବାକୁ ତାଗିଦ୍ କରିଗଲା l 

ମନେଇର କଥା ଶୁଣି ମିତା କିଛି ମୁହୂର୍ତ୍ତ ପାଇଁ ନିସ୍ତେଜ ହୋଇଗଲା l ସେଇଠି ବସିରହି ତା ଚଲାପଥକୁ ଚାହିଁ ଚାହିଁ ଭାବିଲା, ପାଠ ନପଢି ଥିବା ମୂର୍ଖ ମଣିଷଟିର ଜୀବନ ବିଷୟରେ ଏତେ ଅଭିଜ୍ଞତା କୋଉଠୁ ଆସିଲା l 



Rate this content
Log in

Similar oriya story from Inspirational