Lina Dhal

Inspirational

5  

Lina Dhal

Inspirational

ବୋଉ-ବିଶ୍ବାସର ଅନ୍ୟ ନାମ

ବୋଉ-ବିଶ୍ବାସର ଅନ୍ୟ ନାମ

6 mins
583


ବୋଉ ଘରପ୍ରତି ଏବେ ଭାରି ଖାମଖିଆଲି ରହୁଥିଲା । ଘରଟା ଯାକର କାମ କରୁକରୁ ବଡପାଟିରେ ଚିଲଉଥିବା, ଘରଟାକୁ ଉଠଉଥିବା ପକଉଥିବା ବୋଉ ଏବେ କିଛି ଦିନ ହେଲା ଯେମିତି ମୂକ ହୋଇଯାଇଛି।


ବଞ୍ଚିଥିଲା ତ, ତେଣୁ ଅତିଆବଶ୍ୟକ କାମ ଛଡ଼ା ସେ କିଛି କରୁନଥିଲା। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ଦୁଆର ମୁହଁରେ ସେ ଛିଡା ହେଉଥିଲା । ଏକଲୟରେ ଅନେଇଥିବ ଯେ ରୋଡ଼ କୁ -ସକାଳରୁ ଖରାବେଳ, ସଞ୍ଜରୁ ରାତି ହୋଇଯାଉଥିଲା। ଛିଡା ହୋଇ ହାଲିଆ ହୋଇଯାଉଥିଲେ , ବସି ଯାଉଥିଲା ଦୁଆର ମୁହଁ କବାଟ କୁ ଆଉଜି ଆଉ ଆଖି ଯୋଡ଼ିକ ଅନେଇ ରହୁଥିଲା ଅସରନ୍ତି ରାସ୍ତାକୁ। ଯୋଉ କାମ କରୁଥାଉକି, ଯୋଉଠି ବ୍ୟସ୍ତ ଥାଉ ଯଦି କିଛି ଶବ୍ଦ ଟିଏ ବାହାରେ ହୁଏ, ଦୈାଡି ଆସେ ଦୁଆର ମୁହଁ କୁ । ଅନାଏ ଏପଟ ସେପଟ। ବୁଲା କୁକୁର, ଡାଳରେ ବସିଥିବା କାଉକୁ ବି କେତେ କଣ ପଚାରିବସେ। ବସି ରହେ ସେ ଦୁଆର ମୁହଁରେ, ଅପେକ୍ଷା କରେ।......ଯେତେ ଡାକିଲେ ବି ଘର ଭିତରକୁ ଆସିବାକୁ ତାର ମନ ହୁଏନି।


ହଁ.... ଭାଇ ଇଞ୍ଜିନିୟରିଂ ପାଇବାପରେ ହଷ୍ଟେଲରେ ରହି ପଢିବ ବୋଲି ବୋଉ କମ୍ କାନ୍ଦିନଥିଲା। କେମିତି ରହିବ।

କେମିତି ଚଳିବ। କ'ଣ ଖାଇବ, ଭାରି ଚିନ୍ତା ବୋଉର ବଢିଯାଇଥିଲା। ହଷ୍ଟେଲ ଯିବା ଦିନ ଯେତେ ପାଖେଇ ପାଖେଇ ଆସୁଥାଏ ବୋଉ ତାକୁ ଆହୁରି ଛୋଟ ଛୁଆକୁ ଗେହ୍ଲା କଲାଭଳି ମୁଣ୍ଡରେ ତେଲ ଲଗେଇ ବାଠୁଁ ରାତିରେ ଶୋଇଲା ବେଳେ ତା ମୁଣ୍ଡ ଆଉଁସି ଦେଉ ଦେଉ ବହୁତ କଥା କହିଯାଉଥିଲା: ସକାଳୁ ଉଠିବୁ ଧନ। ଠିକ୍ ରେ ଖାଇବୁ, ବେଶୀ ସମୟ ଯାଏ ପେଟ ଖାଲି କରିବୁନି। ବାହାର କୁ ଏକା ଯିବୁନି, ରାତିରେ ଶୋଇବା ବେଳେ କବାଟ ବନ୍ଦ ହୋଇଛି କି ନାହିଁ ଦେଖିବୁ ଏମିତି ଆହୁରି କେତେ କଥା....। ଭାଇ ଭାରି ଗେହ୍ଲା ହେଉଥିଲା

ପ୍ରଥମ ଶ୍ରେଣୀ ପଢିଲା ପିଲାଙ୍କ ପରି। ମୋତେ ଭାରି ଈର୍ଷା

ହେଉଥିଲା ତା ଉପରେ।


ହଷ୍ଟେଲ ଯିବା ଦିନ ବାପା ଆଉ ଭାଇ ସକାଳୁ ସକାଳୁ ରେଡି ହୋଇଗଲେ ବାହାରିବା ପାଇଁ। ଆଗରୁ ସବୁ ସଜଡ଼ା ସଜଡ଼ି ସରିଥିଲା।ବୋଉ କିନ୍ତୁ ଯେମିତି ଛାଞ୍ଚଟେ ପାଲଟି ଯାଇଥିଲା, ତା ଭିତରେ ଜୀବନ ନ ଥିଲା ଭଳି, ଛୁଇଁ ଦେଲେ ପଡିଯିବ‌। ତା ଆତ୍ମା ଯେ ପ୍ରଥମ ଥର ପାଇଁ ତାଠୁ ଦୂରକୁ ଯାଉଛି। କ'ଣ କରିବ ସେ,ନିଜ ଭିତରେ ନିଜକୁ ବୁଝଉ ଥିଲା ଯେମିତି। ମାଟି ବୋଧେ ପଥର ହେବାର ପ୍ରକ୍ରିୟା ଭଳି ଅଧିକ ଟାଣ ଆଉ ମଜବୁତ୍ ହେବା ଦର୍ଶାଉଥିଲା ନିଜକୁ। ସ୍ନେହ, ମମତା, ବାତ୍ସଲ୍ୟ, ସମସ୍ତେ ମିଶି ତା। ମନ, ପ୍ରାଣ ଆଉ ଆତ୍ମାକୁ ଥରେଇ ଦେଉଥିଲେ। ହୃଦୟ ରୁ କୋରିହେଇଯାଉଥିବା କୋହକୁ ସେ ପୁଅର ଭବିଷ୍ୟତ ପାଇଁ ଢୋକି ପକଉଥିଲା। ହାରୁନଥିଲା ସେ କି କାହାକୁ ଜଣେଇବାକୁ ଚାହୁଁନଥିଲା ଯେ ସେ ଏବେ ସ୍ପନ୍ଦନ ନ ଥିବା ପ୍ରାଣଟିଏ ବୋଲି।


ଦୁଇଦିନ ପରେ ସେଠି ସବୁ ବନ୍ଦୋବସ୍ତ କରି ବାପା ଫେରିଆସିଲେ।ତାଙ୍କ ମୁହଁ ରୁ ସୁବ୍ୟବସ୍ଥିତ କଥା ଶୁଣି

ସେ ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲା। ସବୁ ସେଇ ମା

ତାରିଣୀ ଙ୍କ କୃପାରୁ।ମୋ ପୁଅକୁ ମା'ଲୋ ଘଣ୍ଟ ଘୋଡେ଼ଇ

ରଖିଥା। ପ୍ରତ୍ୟେକ ଦିନ ଫୋନ ରେ ଟିକିଏ ଭାଇ ସହିତ କଥା ହେଲା ପରେ ଆସ୍ତେ ଆସ୍ତେ ବୋଉ ସ୍ବାଭାବିକ ହୋଇଆସୁଥିଲା।

ଦିନେ ଯଦି ଭାଇର ଫୋନ୍ ନ ଆସେ, ଭାରି ବ୍ୟସ୍ତ ହୋଇପଡେ... କ'ଣ ହେଲା କାହିଁକି କଲାନି? ଦେହପା କ'ଣ ହେଲା କି। ବାପା ଙ୍କ ଉପରେ ବହୁତ ରାଗେ, ଚିଡି ଚିଡି ହୋଇ କହେ ମୋ ଛୁଆକୁ ନେଇ ଅଗନା ଅଗନି ବନସ୍ତ ରେ ଛାଡି ଆସିଛନ୍ତି। ନ ହେଲା ନାଇଁ। ଏଇଠି ମୋ ପାଖରେ ଆଖି ସାମ୍ନାରେ ରହି ପଢିଥାନ୍ତା।


ବାପା ବୁଝେଇ ଦିଅନ୍ତି, ସେ ବୁଝିଯାଏ। ଭାଇ ଫୋନ୍ କଲାପରେ ତାକୁ କିନ୍ତୁ ରାଗେନି। ଖାଲି ଠିକ୍ ରେ ଅଛି କି ନାହିଁ, କିଛି ଅସୁବିଧା ହୋଇନି ତ ପଚାରେ, ସେତିକି ରେ ସେ ଖୁସି।ତା ରାଗ ଅଭିମାନ କୁଆଡେ଼ ଉଭେଇ ଯାଏ।


ଦିନେ, ଦୁଇ ଦିନ, ଚାରିଦିନ ହେଲା ହଠାତ୍ ଦିନେ ଫୋନ୍

ଆସିବା ବନ୍ଦ ହୋଇଗଲା। ଏଥର ବୋଉ ସହିତ ବାପା ଭି ବହୁତ ବ୍ୟସ୍ତ ହୋଇପଡିଲେ। ସେ‌ହି ସହରରେ ରହୁଥିବା ତାଙ୍କ ସାଙ୍ଗ ଓ ଭାଇର ଲୋକାଲ ଗାର୍ଡିଆନ୍ ଙ୍କଠୁ ଆରମ୍ଭ କରି ହଷ୍ଟେଲ ୱଡେନ୍ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଜଣ ଜଣ କରି ପଚାରୁଥିଲେ। ସମସ୍ତ ଙ୍କ ଠୁ ନୈରାଶ୍ୟଜନକ ଉତ୍ତର ଶୁଣି

ସେ ବି ଆସ୍ତେ ଆସ୍ତେ ଧୈର୍ଯ୍ୟ ହରା ହୋଇଯାଉଥିଲେ। ମୁଣ୍ଡ ଘୁରେଇପକଉଥିଲା ତାଙ୍କର।


ବାପା ଆଉ‌ ମାମୁଁ ଦୁଇ ଜଣ ବାହାରିପଡିଲେ ଭାଇର ଖବର ବୁଝିବାକୁ ତା କଲେଜ୍ କୁ।.... ସେ କ୍ଲାସ୍ ସରିଲା ପରେ ପାଖ ମାର୍କେଟ କୁ ଯାଇଥିଲା, ତାପରେ କିନ୍ତୁ ତା'ର କୋୖଣସି ଖବର ନାହିଁ। ଦିନ ଦିନ ପୁରି ପନ୍ଦର ଦିନ ହେବାକୁ ଯାଉଥିଲା। ବାପା, ମାମୁଁ, ଦାଦା, ବନ୍ଧୁବାନ୍ଧବ ଯେତେ ଥିଲେ ସମସ୍ତ ଙ୍କ ସାମର୍ଥ୍ୟ ହାର୍ ମାନିଥିଲା।

ପୋଲିସ ଷ୍ଟେସନ ରେ ନିଖୋଜ ହେବାର ଯେଉଁ ଏତଲା

ଦିଆ ଯାଇଥିଲା, ସେହି ଭିତ୍ତିରେ ପୋଲିସ୍ ଦିନେ ଭାଇର ସାମଞ୍ଜସ୍ୟ ଥିବା ଏକ‌ ମୃତଦେହ କୁ ଚିହ୍ନଟ କରିବା ପାଇଁ

ଖବର ପଠେଇଲେ।


ବାପା ଯାଇଥିଲେ, କିନ୍ତୁ ଚିହ୍ନି ହେଉନଥିଲା। ଭାଇ ଭଳି ପତଳା ଛ ଫୁଟ୍ ଦି ଇଞ୍ଚ ର ଚେହେରା ଥିବା ଦେହଟି କୁ

ଚିହ୍ନି ପାରିଲେନି।ପୁରା ଭାଙ୍ଗି ସାରିଥିଲେ ସେ। ଆଗରେ

ତାଙ୍କ ସ୍ବପ୍ନ ଆଉ ବାସ୍ତବତା ଲୁଚକାଳି ଖେଳ ଖେଳୁଥିଲେ।

ନିର୍ବାକ ହେଇଯାଉଥିଲେ ସେ। କ'ଣ ସତ କେଉଁଟା ମିଛ

ସେ କିଛି ବୁଝିପାରୁନଥିଲେ।


ଘରୁ ଅଫିସ, ଅଫିସ ରୁ ଘର। ଏକରକମ ଯନ୍ତ୍ର ଚାଳିତ ମଣିଷ ଟିଏ ବାପା ପାଲଟି ଯାଇଥାନ୍ତି। ଯେମିତି ବଞ୍ଚିବା ଟା

ତାଙ୍କ ପାଇଁ ଏକ ଦାୟିତ୍ଵ ନହେଲେ ମରିବା କୁ ସେ ବୋଧେ

ଶ୍ରେୟସ୍କର ମଣିଥାନ୍ତେ। ଏମିତି କୋହଭରା , ହୃଦୟ ଭଙ୍ଗା

ଦୁଃଖ ଆସିଲେ ବି ତାକୁ ନିଜ ପାଖରେ ରଖି ବେଳେ ବେଳେ ଜୀଅନ୍ତା ଶବଟେ ହୋଇ ଦୁନିଆ ଆଗରେ ବଞ୍ଚିବା ର ଅଭିନୟ କରିବାକୁ ପଡେ।ଏଇ ବୋଧେ ଜୀବନ।


ବୋଉ ସବୁ ଜାଣୁଥିଲା, ଶୁଣୁଥିଲା କିନ୍ତୁ କାହାକୁ କେଉଁ କଥାକୁ ଭୃକ୍ଷେପ କରୁନଥିଲା।ସେ ଅନ୍ୟ ପ୍ରକାର ର ହୋଇଯାଇଥିଲା। ଭଲରେ ଠାକୁର ପୂଜା କରୁଥିଲା,ସମୟ କିନ୍ତୁ ଆହୁରି ବଢେଇ ଦେଇଥିଲା। ତାରିଣୀ ମା'ଙ୍କୁ ପୂଜା

କଲାବେଳେ କେତେଥର ମୁଁ ଦେଖିଛି ତାକୁ ଶାଢୀ କାନି

ପତେଇକି କ'ଣ କ'ଣ ସବୁ ଗପିବାର। ସବୁବେଳେ ଆମଘରେ ଏବେ ଭାଇ ପସନ୍ଦ ର ଖାଇବା ହେଉଥିଲା।ଭାଇକୁ ଭଲ ଲାଗୁଥିବା ଛୁଇଁ -ଆଳୁ -ବଡ଼ି -ବାଇଗଣ, ପୋଟଳ କୁର୍ମା, ଲାଉ କୋଫ୍ତା ତରକାରୀ ହେଉଥିଲା।ବୋଉ ସବୁବେଳେ ଅଣ୍ଡା ଅମ୍ଲେଟ ରେ ଗୋଲମରିଚ ପକେଇଲି ଦେଉଥିଲା ଯଦିଓ ମୁଁ ଆଉ ବାପା ଅମ୍ଲେଟ ରେ ଗୋଲମରିଚ ଗୁଣ୍ଡ ପଡ଼ିଲେ ଖାଇବାକୁ ପସନ୍ଦ କରୁନା।ଭାଇ କିନ୍ତୁ ଗୋଲମରିଚ ଗୁଣ୍ଡ ନପଡିଲେ ଅମ୍ଲେଟ ଖାଏନି।


ବୋଉ ଏବେ ଦିନକୁ କୋଡ଼ିଏ ଥର ଭାଇର ବେଡ଼ରୁମର

ବେଡସିଟ୍ କୁ ସଜାଡେ।ଦଶଥର ତା ଫଟୋ କୁ ଆଉଁସୁଥାଏ ,ତା ସଜଡ଼ା ସାର୍ଟ ପ୍ୟାଂଟ କୁ ଆଉଥରେ ସଜାଡି କି ଆଲମୀରା ରେ ରଖେ।ତା ବ୍ଯାଟବଲ୍ ରେ ଲାଗିଥିବା ମାଟିକୁ ବି ପୋଛାପୋଛି କରି ଥୋଉଥୋଉ ମୋତେ ଯୋରରେ ଧମକ ଦେବାକୁ ବି ଭୁଲେନି।

ତା ଜିନିଷ ତୁ କିଛି ଛୁଇଁବୁନି। ଆସିଲେ ଚିଡିବ।ତୋର ପା

ଗୋଟିଏ ବୋଲି ଭାଇ। ମୁଁ ଅଧିକ ଆଉ ଶୁଣିପାରେନି। ବୋଉକୁ ଲୁଚେଇକି ବହୁତ କାନ୍ଦେ ଆଖି ରୁ ଲୁହ ସରିବା ଯାଏଁ। ଆମେ ବହୁତ ଝଗଡା ଲାଗୁଥିଲୁ। ଗୋଟିଏ ଟେବୁଲ୍ ରେ ବସି ପଢିଲା ବେଳେ ମୁଁ ଯଦି ଟିକେ ବଡପାଟିରେ ପଢେ କି ଗୋଡ଼ ଟିକେ ବାଜିଯାଏ କଳିକୁ ବାପା ଙ୍କୁ ସମାଧାନ କରିବାକୁ ପଡେ। ମୋର ଦିପଟେ ବାନ୍ଧୁଥିବା ଛୋଟ ଛୋଟ ବେଶୀରେ ତାର କ'ଣ ଶତ୍ରୁତା କେଜାଣି, ମୁଁ ସେମିତି କୁଣ୍ଡେଇଲେ ସେ ପ୍ରତ୍ୟେକ କଥା ର ରାଗ ମୋ ବେଣୀରେ ସୁଝେଇଦିଏ। ଝଗଡା ତ ଲାଗୁଥିଲୁ ଟମ୍ ଏଣ୍ଡ ଜେରୀ ଭଳି କିନ୍ତୁ ମୋ ପସନ୍ଦ ର ଅମୁଲ ଚକୋଲେଟ ସେ କେବେ ଖାଉନଥିଲା । ତାକୁ ଯଦି କିଏବି ଦେଇଥିବ ଅବା ସେ କେବେ ବାପାଙ୍କ ସହିତ ବଜାର ଯାଇ କିଣିଥିବା ଚକୋଲେଟ ପକେଟ୍ ରେ ରଖି ମୋ ପାଇଁ ଆଣିଥି। ମୁଁ ଟିକେ ଚଣ୍ଡୀ ଆଉ ସେ ଶାନ୍ତ ସ୍ଵଭାବ ର। ସ୍କୁଲ ରେ ଯେତେ କାଣ୍ଡ କରେ ସେ ସେସବୁ ସମାଧାନ କରିଦିଏ ବାପାଙ୍କ କାନକୁ ଯିବାକୁ ଦିଏନି। ଆମେ ଝଗଡା ଲାଗୁଥିଲୁ

ସତ କିନ୍ତୁ କେହି କା‌ହାକୁ ଛାଡି ରହିପାରୁନଥିଲୁ।ସେ ମୋର ସବୁଠୁ ବଡ଼ ସପୋର୍ଟର। ମୁଁ ଟିକେ ମନଦୁଃଖ କଲେ ସେ ବାପା ବୋଉଙ୍କ ଉପରେ ରାଗିଯାଏ। ସେ ଆମକୁ ଏମିତି ଏକା କରି......। ସହିପାରୁନଥିଲି ମୁଁ। କିଛି ଭଲ ଲାଗୁନଥିଲା।


ବୋଉ କିନ୍ତୁ ଦିନ କୁ ଦଶଥର ତା ମାର୍କସିଟ, ସାର୍ଟିଫିକେଟ

ଦେଖି ଆଉଁସି ଆଉଁସି ଜୀବନର କେଉଁ ଗଣିତ କଷେ କେଜାଣି, ବିଲକୁଲ ମୁଁ ‌ବୁଝିପାରୁନଥିଲି।


ଅଙ୍କ ରେ ଅନେଶତ

ଇଂରାଜୀ ରେ ନବେ

ଭୂଗୋଳ ରେ ପଞ୍ଚସ୍ତରୀ ରୁ ତେସ୍ତରୀ

ଆଉ ବିଜ୍ଞାନ ରେ.......

ସେ ନିଶ୍ଚୟ ଆସିବ

ତାକୁ କେହି କେଉଁଠି ଲୁଚେଇ ରଖିପାରିବେ ନି। ସେ ନିଶ୍ଚୟ ଫେରିବ ମୋ ପାଖକୁ। ଏସବୁ ବୋଉର ନିତିଦିନିଆ କାମରେ ପରିଣତ ହୋଇଯାଇଥିଲା।

....................................


ଏହା ଭିତରେ ଏବେ ମାସେ, ଦୁଇମାସ, ତିନି ମାସ ବିତିଯାଇଥିଲା। ଆଖି ଲୁହ ଏବେ ଶୁଖି ଶୁଖି ଦୁନିଆ ଟା

ଝାପସା ଦେଖାଗଲାଣି।ମନ ଭିତରେ ଯେତେ ଦୁଃଖ ଥାଉ

ପଛକେ ପରିସ୍ଥିତି କୁ ସମ୍ଭାଳି ଭାଗ୍ୟ ଆଉ ସମୟର କରାଳ ଚକ୍ରରେ ବଞ୍ଚିବାକୁ ପଡୁଥିଲା।


ସବୁ ଚେଷ୍ଟା ଖୋଜିବାର ବିଫଳ ହୋଇଯାଇଥିଲା। ବୋଉ

କିନ୍ତୁ ଅସମ୍ଭବ ଭାବେ ସ୍ବାଭାବିକ ଥିଲା। ଯେମିତି କେଉଁଠି କିଛି ହୋଇନି,ଭାଇ ଖାଲି ତାଠୁ ଦୂରରେ ଅଛି। ହଷ୍ଟେଲ ରେ ରହି ପଢୁଛି।ଛୁଟି ହେଲେ ଆସିବ। ଯେତେ ସ୍ବାଭାବିକ ହେବା ଜଣଉଥିଲେବି ତା ମନ ଭିତରେ କ'ଣ ଚାଲୁଥିଲା କେଜାଣି?ଭାରି ଶୁଖିକି ଝଡିଯାଉଥିଲା‌ ଦିନ କୁ ଦିନ। ସକାଳୁ ଉଠି ନାଲି ସିନ୍ଦୂର ଟୋପାଟେ ମାରି ପୂଜାଘରେ ପଶିଯାଉଥିଲା। ଏମିତି କି ଦିନେ ବାହାରେ ରାସ୍ତା ସଫା କରୁଥିବା ଝାଡୁବାଲା ମଉସା ଙ୍କୁ ଭାଇ ବିଷୟରେ ପଚାରୁଥିବାର ମୁଁ ଶୁଣିଥିଲି। ସେ ଝାଡୁବାଲା ମଉସା ଭି ଦିନେ ଭଗବାନଙ୍କ ଭଳି ସତସତିକା କିଛି ଉପଦେଶ ଦେବା ଭଙ୍ଗୀରେ ବୋଉକୁ ଏସବୁ କରିବା କୁ କହିଲେ।ଭାସିଯାଉଥିବା ଲୋକର କୁଟାଖିଅ କୁ ଆଶ୍ରା ପରି ବୋଉ ସବୁଦିନ ସକାଳୁ ତାରିଣୀ ମା'ଙ୍କୁ ପୂଜା କରି, ସୂର୍ଯ୍ୟ ଙ୍କୁ

ପାଣି ଟେକୁ ଟେକୁ ଆଞ୍ଜୁଳା ରେ ମା ତାରିଣୀ ଙ୍କ ପ୍ରୀୟ ଫୁଲ ମନ୍ଦାର କୁ ଧରି ଭାଇର ନାଁ କୁ ମନେମନେ ଏକୋଇଶ ଥର ଡାକୁଥିଲା। ସେତେବେଳେ ବହୁତ କାନ୍ଦେ ସେ। କଇଁ କଇଁ ହୋଇ କାନ୍ଦେ। ମୋ ଧନ ଧନ ବୋଲି ଡାକେ। ଏସବୁ ଦେଖି ଦେଖି ମୋତେ ଲାଗୁଥିଲା ଯେ ବୋଉ ଭି ଆଉ ସହି ପାରୁନି। ଲୁଚେଇ ଲୁଚେଇ କାନ୍ଦିବା ମାନେ ସେ ବୋଧେ ବାପାଙ୍କୁ ତା  ଅସହାୟତା ଦେଖେଇବାକୁ ଚାହୁଁନଥିଲା କାଳେ ବାପା ଆହୁରି ଭାଙ୍ଗିଯିବେ ବୋଲି।


ଦିନେ ସକାଳୁ ଆମେ ଶୋଇଥାଉ। ବୋଉ ର ଭୋଭୋ ହୋଇ କାନ୍ଦିବା ଶୁଣି କ'ଣ ହେଲା ବୋଲି ବାପା ଆଉ ମୁଁ ଦୈାଡି ଆସିଲୁ। ଗୋଟିଏ ପିଲାକୁ ଜାବୁଡ଼ି କି ଧରି କି କାନ୍ଦୁଥାଏ ବୋଉ। ଭାଇ...........ମୋ ସୁନା ଭାଇ। ଚିହ୍ନି ହେଉନଥାଏ। କଳା ପଡି ଦାଢ଼ି, ଚୁଟି ଲମ୍ବି ଯାଇଥାଏ। ଚିତ୍କାର କରୁଥିଲି ମୋର ଯେତେ ଶକ୍ତି ଥିଲା। ସାରା ଦୁନିଆକୁ ଜଣେଇବାକୁ ଚାହୁଁଥିଲି ମୋ ଭାଇ ଫେରି ଆସିଛି। ମୋ ଖୁସି ଜାହିର କରୁଥିବା ପାଟି ଆଉ ଆଖିର ଲୁହ ବୋଲ ମାନୁନଥିଲେ।  ଭାଇ କୁ ସମସ୍ତେ କୁଣ୍ଢେଇ ଧରିଥିଲୁ।


ବୋଉର ବିଶ୍ବାସ ଜିତିଯାଇଥିଲା ଅଦ୍ଭୁତ ଭାବେ। କେବେ ବି ଆମକୁ ନ ଦେଖଉଥିଲେ ବି ମର୍ମାହତ ବୋଉର ମୁହଁରେ କୋଟି ପଦ୍ମର ଖୁସିର ଚମକ୍ ଦେଖାଯାଉଥିଲା। ବାପା ଙ୍କ ଆଖି ର ଲୁହ ବୋହିଯାଉଥିଲା ବେଳେ ପାଟି ନିଃଶବ୍ଦ୍

ପାଲଟି ଯାଉଥିଲା।



Rate this content
Log in

Similar oriya story from Inspirational