ଶୂନ୍ୟସ୍ଥାନ
ଶୂନ୍ୟସ୍ଥାନ
ପୁଣି ବସନ୍ତ ଆସିଛି। ଆମ୍ବଗଛରେ ବଉଳର ବାସ୍ନା ଚତୁର୍ଦିଗ କୁ ମହକେଇ ଦେଇ ଆଶ୍ବାସନା ର ବାର୍ତ୍ତା ନେଇ ଆସିଛି ସଜ୍ଞିବନୀ ପାଖକୁ।ମନୁଷ୍ୟର ଇଛା ଅନିଚ୍ଛା ସବୁର ଉର୍ଦ୍ଧ୍ବ ରେ ସମୟ।ସମୟ ଆସିଲେ ପୁଣି ଶୁଖି ଯାଇଥିବା ଗଛରେ ନୂଆ ନୂଆ ପତ୍ର କଅଁଳି ଗଛକୁ ସବୁଜିମା କରିବା ସହିତ ଫୁଲଫଳରେ ପରିପୂର୍ଣ୍ଣ କରିଦେବ।କୋଇଲି ମଝିରେ ମଝିରେ ତା'ର ସୁଲଳିତ କଣ୍ଠରେ ପତ୍ରଝଡା ଜୀବନରେ ସୁମଧୁର ସଂଗୀତ ର ମୃର୍ଛନା ଦ୍ବାରା ସତେକି ନୂତନ ପତ୍ର ର ସମ୍ଭାରଣ ସୃଷ୍ଟି କରୁଛି। ବିମାନରେ ଝୁଲି ଝୁଲି ରାଧାମୋହନ ଘରକୁ ଘର ଆସିଲେଣି ଭୋଗ ଖାଇବାକୁ।
ଆଜି ରାଧାମୋହନ ଆସିବେ ଆମ ଘରକୁ।ଗାଁ ରେ ସବୁ ଘର ବୁଲି ଆସିବା ପରେ ଆଜି ସକାଳୁ ରାତି ପର୍ଯ୍ୟନ୍ତ ଆମଦାଣ୍ଡରେ ତାଙ୍କର ପୂଜା ହେବ।ତା' ପରେ ଯାଇ ମେଳଣ ପଡିଆରେ ରଙ୍ଗର ସମ୍ଭାର ଉସ୍ଚବ।ସେଥିପାଇଁ ଘର ଆଗରେ ଫୁଲ, ଆମ୍ବ ଡାଳର ତୋରଣ ସହିତ ରଙ୍ଗ ବେରଙ୍ଗର ଚାନ୍ଦୁଆରେ ସଜା ହୋଇଥିବା ପରିବେଶ ଆହୁରି ଭକ୍ତିମୟ, ଭାବମୟ ବିହ୍ବଳ କରି ତୋଳୁଥିଲା।ଝୁଣା,ଅଗରୁ,ଧୂପ,ଦୀପକର୍ପୂର,ତୁଳସୀ ର ବାସ୍ନା ରେ ନିଜକୁ ରାଧାମୋହନ ଙ୍କ ପାଖରେ ସମର୍ପିତ କରିଦେବାକୁ ଉତ୍ସାହିତ କରୁଥିଲା।
ସମଗ୍ର ଗାଁ ଊସ୍ଚବମୁଖର।ଘରେ ଝିଅ ବୋହୁ, ବନ୍ଧୁ ବାନ୍ଧବଙ୍କ ସମାହାର। ବାହା ହୋଇଥିବା ଝିଅ, ଦୂରରେ ରହୁଥିବା ପୁଅ ବୋହୁ ସମସ୍ତେ ଏହି ଦୋଳଯାତ୍ରା ରେ ଘରକୁ ଆସିବା ନିଶ୍ଚିତ। ଏଇଟା ବୁଢୀମା' ର ଆଦେଶ ହେଉଅଥବା ରାଧାମୋହନ ଙ୍କ ଭକ୍ତିଭାବ ସହିତ ପିଲାବେଳୁ ସମସ୍ତ ଙ୍କର ଆକର୍ଷିତ ହେବାର ନିଆରାପଣ।ବର୍ଷରେ ଥରେ ସମସ୍ତ ଙ୍କ ସହିତ ଦେଖାସାକ୍ଷାତ।କିଛି ସମୟ ଏକତ୍ରିତ ଭାବେ ବିତଉଥିବା ମୁହୂର୍ତ୍ତ କୁ କେହି ଯେମିତି ହାତଛଡା କରିବାକୁ ଚାହାନ୍ତିନି।
ଏହି ସମୟରେ ଭାଇଙ୍କ ବଡଝିଅ ଆନି କିଛି ମେହେନ୍ଦୀ ଧରି ଆସିଗଲା। ସମସ୍ତ ଙ୍କ ହାତରେ ମେହେନ୍ଦୀ ଲଗେଇବା ତା'ର ଗୋଟିଏ ପୁରୁଣା ଅଭ୍ୟାସ। ବହୁତ ସୁନ୍ଦର ଭାବରେ ସେ ବିଭିନ୍ନ ଆକାରରେ ଆଙ୍କିପାରେ, ଯେମିତି ସେ କୁଶଳୀ ଦକ୍ଷ କାରୀଗର ଟିଏ ଏହି ବିଦ୍ୟାରେ।ନିଜ ହାତରେ କରେ।ଅନ୍ଯମାନଙ୍କ ହାତକୁ ଭିଡିକି ନେଇକି କରେ।
ଏବେ ତ ବାହାଘର, ବ୍ରତଘର,ଯେ କୌଣସି ଉତ୍ସବ ହେଲେ ବି ମେହ
େନ୍ଦୀ କରିବାଟା ଯେମିତି ଆମ ପରମ୍ପରା ସହିତ ଜଡିତ ହୋଇଗଲାଣି।ସତ କହିବା କୁ ଗଲେ ଏଇ ମେହେନ୍ଦୀ ଲଗାଇବାକୁ ସବୁ ଝିଅ ବୋହୁ ଙ୍କର ଲୋଭ ଥାଏ।ସୁଯୋଗ ମିଳିଲେ ଟିକେ ବି ହାତଛଡା କରିନଥାନ୍ତି।
ଜଣକ ପରେ ଜଣେ ହାତ ବଢେଇ ଦେଉଥିଲେ ମେହେନ୍ଦୀ କରିବାକୁ। ସମସ୍ତେ ପ୍ରାୟ ନିଜ ହାତରେ ଗୋଟିଏ ଗୋଟିଏ ଅକ୍ଷର ଲେଖିବାକୁ ଭୁଲୁ ନଥାନ୍ତି। ନିଜର ମନର ମଣିଷ ର ନାଁ, ସତେ ଯେମିତି ନିଜ ମନର ମଣିଷ ର ନାଁ କୁ ସେଠି ଲେଖିଦେଲେ ତାଙ୍କ ଜୀବନ ସହିତ ଆହୁରି ନିବିଡ଼ ଭାବେ ଯୋଡିହୋଇଯିବେ।
ସମସ୍ତଙ୍କର ସରିଲା ପରେ ସଜ୍ଞିବନୀ ହାତରେ ମେହେନ୍ଦୀ ଲଗେଇବା ଆରମ୍ଭ କରିଦେଲା ଆନି।ସବୁ ଆଙ୍କି ସାରିଲାପରେ ଏପର୍ଯ୍ୟନ୍ତ ସମାଜର ଆଦବକାଇଦା ଉପରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଆନି ପଚାରିଲା ଅପା କେଉଁ ନାଁ ଲେଖିବି।
ଏ ପ୍ରକାର ଉତ୍ତର ପାଇଁ ପ୍ରସ୍ତୁତ ନଥିବା ସଜ୍ଞିବନୀ
ହଠାତ୍ ଚମକି ଉଠିଲା। କୋଉ ଅକ୍ଷର କହିବ,ତା'ର ଏପର୍ଯ୍ଯନ୍ତ ସେ ଜାଗା ଶୂନ୍ଯସ୍ଥାନ ହୋଇ ରହିଛି। ସେ ଶୂନ୍ଯସ୍ଥାନ ପୂରଣ ପାଇଁ ଘରେ ସବୁବେଳେ ବାପା, ଭାଇ ଚେଷ୍ଟା କଲେ ବି ସିଏ ତ କେବଳ ଜଣଙ୍କୁ ହିଁ ଭାବେ। ରାଧାମୋହନ ଙ୍କ ପାଖରେ ଜଣଙ୍କ ପାଇଁ ଗୁହାରି କରେ।ସେ ଜାଣିଛି ଓ ବିଶ୍ବାସ ମଧ୍ୟ ରଖିଛି ଯେ ସେ ନିଶ୍ଚୟ ତା'ର ଡାକ ଶୁଣିବେ।
ଭଗବାନଙ୍କ ଉପରେ ଏତେ ଭରସା ଥାଇ ମଧ୍ୟ
ବେଳେ ବେଳେ ନଈ ଭଳି ବହିଯାଉଥିବା ସମୟ ଆଗରେ
କିଂକର୍ତ୍ଯବିମୁଢ ହୋଇଯାଏ ସେ।ମନକୁ ସାନ୍ତ୍ବନା ଦେବାକୁ
ପଚାରି ବସେ ବିଭିନ୍ନ ପ୍ରଶ୍ନ ଏବଂ ଖୋଜିବୁଲେ ଉତ୍ତର।
ସାମଜ୍ଞସ୍ଯ କଣ?ରାଧାମୋହନ ଙ୍କ ଆଡକୁ ସେ ଅନେଇଲା। ସେ କଣ ରାଧା,ମୀରା ନାଁ ଋକ୍ମିଣୀ ହେବା ଅପେକ୍ଷା ରେ। ମୀରା ତ ହୋଇସାରିଛି। ରାଧା ହେବାକୁ ସଂକୋଚ କରିଛି କେବେ ପରିବାର ଭୟରେ ତ କେବେ ସମାଜ ଭୟରେ। କିନ୍ତୁ ଋକ୍ମିଣୀ ହେବାକୁ ତ ଅର୍ଣବଙ୍କର ସମ୍ପୂର୍ଣ୍ଣ ସ୍ବୀକାରୋକ୍ତି କୁ ଅପେକ୍ଷା କରିବାକୁ ପଡିବ। ତା'ର ଶୂନ୍ଯସ୍ଥାନ ସେ ହିଁ ପୂରଣ କରିପାରିବେ।