Arabinda Rath

Comedy

4.4  

Arabinda Rath

Comedy

କରୁଣା

କରୁଣା

12 mins
459



ସାରା ସହରରେ ଆତଙ୍କର ବାତାବରଣ ଖେଳି ଯାଇଥିଲା। ଲାଇଫବୟ ସାବୁନ,ଡେଟଲ ହ୍ଯାଣ୍ଡଓ୍ବାସ୍, ସାନିଟାଇଜରର ବିକ୍ରି ଆଶାତୀତ ଭାବରେ ବୃଦ୍ଧି ପାଇ ସାରିଥିଲା । ଅନେକ ସ୍ଥାନରେ ଏସବୁ ଜିନିଷର ଅଭାବ ପରିଲକ୍ଷିତ ହେବାରୁ କଳାବଜାରୀ ଆରମ୍ଭ ହୋଇଯାଇଥିଲା। ଲୋକମାନଙ୍କର ହାତ,ଗୋଡ,ମୁହଁ ଆଦି ବାରମ୍ବାର ଧୁଆଧୁଇ ହେବା ଫଳରେ ଗୋରା ପଡି ଯାଇଥିଲା। ବର୍ଷତମାମ ନ ଗାଧୋଇବା ଲୋକ ଦେହରେ ସାବୁନ,ସାମ୍ପୋ, ଡେଟଲ ମାଖି ଘଣ୍ଟାଏ କାଳ ଘଷିମାଜି ହୋଇ ଗାଧୋଉଥିଲେ। ଅବସ୍ଥା ଏପରି ହୋଇଥିଲା ଯେ ଦିନରେ ପାଞ୍ଚ ଛଅଥର ଟାଙ୍କିରେ ପାଣି ଚଢାଇବାକୁ ପଡୁଥିଲା ଓ ଗାଁଆର ନଦୀ ପୋଖରି ଫେଣମୟ ଦିଶୁଥିଲା। ଲୋକେ ବାହାର ଜିନିଷ ଖାଇବା ପ୍ରାୟ ବନ୍ଦ କରି ଦେଇଥିଲେ। ତେଣୁ ବୁଲାବୁକାଳି ମାନଙ୍କ ଘରେ ଚୁଲି ଜଳିବା ବନ୍ଦ ହୋଇ ଯାଇଥିଲା। ସେମାନଙ୍କର ରୋଜଗାର ତ ନାହିଁ, ଖାଇବେ କଣ ଓ ହାତ ଧୋଇବେ କଣ ? ଏମିତି ଘୋର ଦୁର୍ଦ୍ଦିନର ମୂଳ କାରଣ ଥିଲା କରୋନା ନାମକ ଏକ ଭୂତାଣୁ। ଗାଁ ଗହଳି ଲୋକେ ଭୁତାଣୁ ର ଅର୍ଥ ଠିକ୍ ରେ ବୁଝି ନ ପାରି ନ ଥିଲେ। ତେଣୁ ନିଜ ଜ୍ଞାନ ଅନୁସାରେ ଗାଁଆଖଟିରେ ଆଲୋଚନା କରୁଥିଲେ ଯେ ଚୀନଦେଶରେ ମାତିଥିବା ଭୂତମାନେ ସାରା ପୃଥିବୀରେ ମାଡି ଯାଇଛନ୍ତି। ସେମାନେ ଭୂତାଣୁର ନୂତନ ନାମକରଣ କରିଥିଲେ ଭୂଟାଣୁ ନାମରେ। ଗାଁଆ ବୁଦ୍ଧିଆମାନେ ଭାଷଣ ଝାଡି କହୁଥିଲେ ସେ ଭୂତ ସବୁ ଲୋକଙ୍କୁ କଲବଲିଆ କରି ମାରି ପକେଇ ତାଙ୍କ ଆତ୍ମା ଟାଣି ନେଉଛନ୍ତି। ସହଜେ ତ ସେମାନେ ଚାଇନା ଭୂତ, ପୁଁ ପାଁ ଟୁଁ ଟାଁ କରି କଣ କହୁଛନ୍ତି ସାରା ଦେଶର ଗୁଣିଆ ବୁଝି ପାରୁ ନାହାଁନ୍ତି। ସେଥିପାଇଁ ସେମାନଙ୍କ ପାଇଁ କୌଣସି ଗୁଣିଗାରେଡି କି ଟୁଣୁକା ଓୌଷଧ ବାହାରିନି। ତଥାପି ହନୁମାନ ଚାଳିଶା ପଢାପଢି କଲେ କିଛି ଫଳ ମିଳିପାରେ। ଜଣପିଛା ପଚାଶ ଟଙ୍କା ଚାନ୍ଦା ଆଦାୟ କରି ହନୁମାନ ଚାଳିଶା ନାମପାଠ କଲେ ଗାଁଆକୁ ସେ ଭୂଟାଣୁ ମାନେ ପଶି ପାରିବେନି। ହନୁମାନ ତାଙ୍କ ଗଦାରେ ଏମିତି କୁଲଛତ୍ରିଆ ମାଡ ମାରିବେ ଯେ ଭୂତ ମାନେ ଯେମିତି କୁଁ କାଁ ଟୁଁ ଟାଁ କରି ଆସିଥିଲେ ସେଇମିତି ବୋପାଁ ମାଆଁ ମରିଗଲିଁ କହି ପଳେଇବେ।

ଦେଶର ପ୍ରତି ସହର ଓ ଗାଁଆରେ ଏପରି ଛାତି ଧାଡୁଧାଡୁକାରୀ ଅବସ୍ଥା ଚାଲିଥିବା ସତ୍ତ୍ବେ କରୁଣାର ପ୍ରେମନିଆଁ ସୀମା ସରହଦ ନ ମାନି ଉଚ୍ଛୁଳାନଦୀ ପରି ବୋହି ଚାଲିଥିଲା। ତା ପ୍ରେମିକା ନାକଫୋଡି ସହରର ଏକ ମହିଳା ମହାବିଦ୍ଯାଳୟରେ ପଢୁଥିଲା। ଗାଁଆଛକରେ ଥିବା ଟେଲିଫୋନ୍ ବୁଥ ହିଁ ଥିଲା ସେମାନଙ୍କର ପ୍ରେମ ଆଦାନ ପ୍ରଦାନର ପ୍ରମୁଖ ମାଧ୍ଯମ। ନାକଫୋଡି କଲେଜରୁ ଫେରି ହଷ୍ଟେଲର ଟେଲିଫୋନକୁ କାନରେ ମାଡି କରୁଣା ସହିତ ଘଣ୍ଟାଘଣ୍ଟା ପ୍ରେମାଳାପରେ ବୁଡି ରହୁଥିଲା। ଟେଲିଫୋନ ବୁଥ୍ ର ମାଲିକ ଶଙ୍କରା କରୁଣା ପାଇଁ କରିଥିଲା କିଛି ସ୍ବତନ୍ତ୍ର ଆୟୋଜନ। ସେମିତି ବି ଆଜିକାଲିର ମୋବାଇଲ ଯୁଗରେ ଟେଲିଫୋନରେ କଥାହେବା ଲୋକକୁ ଦେଖିଲେ ସମସ୍ତେ ଭାବନ୍ତି ଯେ ବୋଧେ ଲୋକଟା ମଙ୍ଗଳ ଗ୍ରହରୁ ଆସିଛି। କେହି ବ୍ଯବହାର ନ କରିବା କାରଣରୁ ଟେଲିଫୋନ ଯନ୍ତ୍ର ଉପରେ ମାଛି,ମଶା,ପିମ୍ପୁଡି,ଜନ୍ଦା ମାନଙ୍କର ରାଜୁତି ଅଧିକା ଚାଲେ। ସେହି କ୍ଷୁଦ୍ରଜୀବ ମାନଙ୍କୁ ଘଉଡାଇ,ଟେଲିଫୋନ୍ ଯନ୍ତ୍ର ପାଖରେ ଥଣ୍ଡାପାଣି, ମୁଢି ମିକ୍ସଚର ଆଦି ରଖି କରୁଣାର ଆଗମନକୁ ଚାହିଁ ବସୁଥିଲା ଶଙ୍କରା। ଥରେ କରୁଣା ଟେଲିଫୋନ ପାଖରେ ପହଞ୍ଚିଲେ ତିନି ଚାରି ଘଣ୍ଟା କାଳ ତପସ୍ଯା କଲାପରି ବସିରୁହେ। ଶଙ୍କରାର ଭଲ ଆୟ ମଧ୍ଯ ହୋଇଯାଏ, ଏପରିି ଗ୍ରାହକକୁ କିଏ ବା କାହିଁକି ଛାଡିବ?

କରୁଣା ସେଦିନ ସଂନ୍ଧ୍ଯାବେଳେ କଥା ହେବା ବେଳେ ନାକଫୋଡି ଭୋ ଭୋ ରଡିଛାଡି କାନ୍ଦି ଉଠିଲା। କରୁଣା ସମସ୍ତ ଘଟଣା ବୁଝାବୁଝି କରି ଜାଣିଲା ଯେ ହଷ୍ଟେଲରେ ରହୁଥିବା ଝିଅ ନାଣ୍ଡି ବିଚାରି ନାକଫୋଡି ସହ ଭୀଷଣ ଗଣ୍ଡଗୋଳ କରିଛି। ସାମନ୍ଯ ନଡିଆ କୋରଣାକୁ ନେଇ ସେମାନଙ୍କ ଭିତରେ ପ୍ରଥମେ ଚୁଟି ଟଣାଟଣି ହେଲା ଓ ତାପରେ ମୁଥ ମରାମରି ଆରମ୍ଭ ହୋଇଗଲା। ନାଣ୍ଡିର ନଡିଆ କୋରଣାରେ ନାକଫୋଡି ନଡିଆ କୋରି ମୁଢି ସହ ଖାଇବାକୁ ସଜବାଜ ହେଲା ବେଳକୁ, ନାଣ୍ଡିି ତାକୁ ଚୋରଣି ଡାହାଣୀ କରି ଶୋଧାବକା କଲା। ପୁଣି କହିଲା ଯଦି କୋରଣା କିଣିବାକୁ ପଇସା ନାହିଁ ଭିକ ମାଗି କିଣୁନୁ? ମୋ କୋରଣା କଣ ପାଇଁ ନେଇ ଯାଉଛୁ। ଭିକ କଥା ଶୁଣି ନାକଫୋଡି କଲିଜା ଟା ଥରିଗଲା ଓ ଆଖି ଯୋଡିକ କାନ୍ଦିକାନ୍ଦି କଖାରୁ ପରି ଫୁଲି ଗଲା। ହଷ୍ଟେଲର କିଛିଝିଅ ଦୁଇଜଣକୁ ମାଡଗୋଳ ପାଇଁ ଉସୁକାଇ ଦେଇ ନାକଫୋଡିର ମୁଢି ଓ ନଡିଆ ଚୋବେଇବାରେ ଲାଗିଲେ। ବହେ ପିଟାପିଟି ହୋଇସାରିବା ପରେ ଦୁଇଜଣ ଅଲଗାହେଲେ,କିନ୍ତୁ ସେତେବେଳକୁ ନାଣ୍ଡି ଓ ନାକଫୋଡି ପରସ୍ପରକୁ ରାମ୍ପୁଡି,କାମୁଡି,ଠିଆ ଗୋଇଠାମାରି,ଖୁନ୍ଦା ବିଧା ଆଦି ଲଦିଦେଇ ଘାଇଲା ହୋଇସାରିଥିଲେ। ନିଜର ପ୍ରାଣପ୍ରିୟା ପ୍ରେମିକା ପାଖରୁ ଏପରି କଲିଜାଫଟା କାହାଣୀ ଶୁଣି କରୁଣା ଟେଲିଫୋନ କାନରେ ଜାକି ଭୋ ଭୋ ହୋଇ ରଡିଛାଡିଲା। ବଡକଷ୍ଟରେ ଶଙ୍କରା ତାକୁ ବୁଝାବୁଝି କରି ଉପଦେଶ ଦେଇ କହିଲା- - ଆରେ କରୁଣା, ତୁ କାଲି ସକାଳୁ ନାକଫୋଡି ପାଇଁ ଗୋଟେ ଭଲ ନଡିଆ କୋରଣା, ଦଶମାଣ ମୁଢି ଓ ପନ୍ଦରଟା ନଡିଆ ନେଇ ସହର ଯାଆ। ବିଚାରି କୁ ବୋଧ କରି ଜିନିଷ ସବୁ ଦେଇ ଆସିବୁ। ତା କାନେ କାନେ କହିବୁ ନିଇତି ରାତିରେ ଭଲରେ ମୁଢିି ନଡିଆ ଖାଇ ଶକ୍ତିଶାଳୀ ପରମାଣୁ ବୋମା ମାନ ଛାଡିବ ସେ କଳିହୁଡୀ ନାଣ୍ଡି ମୁହଁରେ, ଯେମିତି ନାଣ୍ଡିର ନାକଦଣ୍ଡି ଫାଟିଯିବ। ସେତିକି କଥାରେ କରୁଣାର ମନ ଖୁସିରେ ଉଚ୍ଛୁଳା ନଦୀ ପରି ଉବୁଟୁବୁ ହେବାରେ ଲାଗିଲା। ସେଦିନ ସଂନ୍ଧ୍ଯାବେଳେ ଜିନିଷପତ୍ର କିଣାକିଣି କରି ବ୍ଯାଗରେ ସଜିଲ କରି ରଖିଲା କରୁଣା। ତହିଁ ଆରଦିନ ସକାଳୁ ବାହାରିଗଲେ ନାକଫୋଡି ପାଖରେ ଚଞ୍ଚଳ ପହଞ୍ଚିଯିବ। ସୁବିଧା ହେଲେ ସେ କାଣ୍ଡେଇ ନାଣ୍ଡିକୁ ଭଲରେ ଦୁଇ ପଦ ଶୁଣାଇଦେଇ ଆସି ପାରିବ।

ରାତିିସାରା କଡ ଓଲଟାଇ ବିତିଲା, କାହିଁକି କେଜାଣି କରୁଣା ଆଖିରୁ ନିଦ ହଜି ଯାଇଥିଲା। ତା ପରଦିନ ସକାଳୁ ସେ ହାଜର ହୋଇଗଲା ବସଷ୍ଟାଣ୍ଡରେ। ବିଶେଷ ଗହଳି ନଥିଲା। ସବୁ ଲୋକ କିଛି ଗୋଟେ ଗମ୍ଭୀର ଆଲୋଚନାରେ ବ୍ଯସ୍ତ ଥିବାର ଦେଖି କରୁଣାର ମନ ଦବିଗଲା। ଲୋକମାନଙ୍କର ମୁହଁ ଦେଖି ସେ ମନେମନେ ବହେ ହସିଲା। ସବୁ ଲୋକ ମୁହଁରେ ଗୋଟାଏ ଲେଖାଁ ତୁଣ୍ଡି ବାନ୍ଧି ବୁଲୁଥିଲେ। ଇଏ କିି ଅଜବ କଥା। କିହୋ ମୁହଁରେ ତୁଣ୍ଡି ବାନ୍ଧିବା କଣ ଦରକାର। ତୁମେ ଗାଈ ନା ବଳଦ ହୋଇଛ। ନା ପାଟି ଏମିିତି ଗନ୍ଧ ଛାଡୁଛି ଯେ ତୁଣ୍ଡି ନ ବାନ୍ଧିଲେ ପାଖ ଲୋକ ବେହୋସ ହୋଇ ଯିବାର ଆଶଙ୍କା ଅଛି। ତୁଣ୍ଡିବନ୍ଧା ଲୋକଙ୍କୁ ଚିହ୍ନିବା କଷ୍ଟଥିଲା ତେଣୁ ସେ ଲୋକ ମାନଙ୍କୁ ପାଖକୁ ଯାଇ ସେମାନଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଥିଲା। ସେତିକିବେଳେ ନିତମ୍ବରେ ବାଜିଲା ଏକ ଶକ୍ତିଶାଳୀ ଠେଙ୍ଗିଣୀ ପାହାର। ବୋପାଲା- - ମାଆଲୋ ଚିତ୍କାର କରି କରୁଣା ଦଶବାର ଘେରା ଘୁରିଗଲା। ତା ସାମ୍ନାରେ ମୁହଁରେ ତୁଣ୍ଡିବାନ୍ଧିି ଛିଡା ହୋଇଥଲା ଜଣେ ଖାକି ପିନ୍ଧା ବାବୁ। ତା ପାଟିରୁ ନାନା ଅଶ୍ରାବ୍ଯ ଗାଳି ଝରି ପଡୁଥିଲା। ପାଖଲୋକ ମାନେ ପୁଲିସି ଆସିଲା କହି ଦୌଡାଦୌଡି କରିବାରୁ କରୁଣା ଜାଣିଲା ସେ ପୁଲିସି ହାବୁଡରେ ପଡି ଯାଇଛି। କିନ୍ତୁ ତା ପାଖକୁ ପୁଲିସି ଆସିବାର କାରଣ କଣ ସେ ଜାଣି ପାରୁ ନ ଥିଲା। ମନରେ କେତେ ଭାବନା ଖେଳିଗଲା। ସେ ଦଶଦିନ ତଳେ ମହାନ୍ତି ଘରୁ ଖାସି ଚୋରିକରି ସାଙ୍ଗ ମାନଙ୍କ ସହ ଭୋଜି କରି ଥିଲା।କିନ୍ତୁ କିଏ ଚୋରି କଲା ବୋଲି ତ କେହି ଜାଣି ନାହାଁନ୍ତି। ସେ ନିଜେ ମହାନ୍ତି ସାଙ୍ଗରେ ଚୋର ଖୋଜିବାକୁ ଯାଇଥିଲା। ତେଣୁ ଚୋରି ପାଇଁ ତାକୁ ସନ୍ଦେହ କରିବାର ପ୍ରଶ୍ନ ଉଠୁନି। ସୋମବାର ଦିନ ମନ୍ଦିର ହତାରୁ ଜମିଦାରର ନୂଆ ଜୋତା ହଳକ ହରଣଚାଳ କରିଥିଲା। କିନ୍ତୁ

ସେ ଚୋରି କଲା ବେଳେ କାଉ କୋଇଲିଙ୍କ ଦେଖା ନ ଥିଲା ଓ ମନ୍ଦିର ଭିତରେ ମହାଜନ ରୁଦ୍ରାଭିଷେକରେ ବ୍ଯସ୍ତଥିଲା। ମାଡ ଟା ସେଥିପାଇଁ ନୁହଁ ବୋଲି ସେ ନିଶ୍ଚିତ ହେଲା। ତେବେ କଣ ରତନା ସାହୁ ଝିଅକୁ ସେ ମାରିଥିବା କମେଣ୍ଟ କଥାଟା ଥାନା ଯାଏଁ ପଳେଇଲା। ସେଦିନ ବେଶଭୂଷା ହୋଇ ରତନା ଝିଅ ସାଇକେଲରେ ତା ସାଙ୍ଗ ମାନଙ୍କ ସହ ଯାଉଥିଲା। ସେ ଜାଣିଜାଣି ବଦମାସୀ କଲା କି ଅଜାଣତରେ ଭଗବାନଙ୍କୁ ଜଣା; କିନ୍ତୁ ସାଇକେଲଟା କରୁଣା ଆଡକୁ ହାବୁଡାଇ ଆଣିଲା। ଡରରେ କରୁଣା ରାସ୍ତା ପାଖ ନର୍ଦ୍ଦମାକୁ ଡେଇଁ ପଡିଲା। ମଇଳା ପଚପଚ ହୋଇ ଆଖି ମଳି ଦେଖିଲା ବେଳକୁ ରତନା ଝିଅ ଓ ତା ସାଙ୍ଗ ମାନେ କରୁଣା ଆଖିକୁ ଦିଶୁନି କହି ନାନା ଟାହି ଟାପରା କଲେ। ରାଗରେ କରୁଣା ଖାଲି ଏତିିକି କହିଥିଲା-- ହଇଲୋ ଘୋଡାମୁହିଁ,ତୋତେ ମରଣ ହେଉନି। ଏ ରାସ୍ତା ତୋ ବୋପାର ବୋଲି ଭାବିଛୁ କି? ଯାହା ତ ଘୁଷୁରି ପରି ରୂପ ସେଥିରେ ପୁଣି ଏତେ ବହପ। ମାରିବି ଏକ ବ୍ରହ୍ମ ଚାପୁଡା ଯେ ତୋ ସୁକୁଟି ଗାଲ ଦୁଇଟା ବୋଇତାଳୁ ପରି ଫୁଲିଯିବ।

ଏତିକି କଥାରେ ରତନା ଝିଅ ଛାତି ଫଟେଇ ଏମିତି କାନ୍ଦିଲା ଯେ ଗାଁଆ ସାରା ଲୋକ ଜମା ହୋଇଗଲେ। ବୁଝାସୁଝା କରି ତାକୁ ଘରକୁ ବିଦା କଲେ। ଏଇ କଥା ନେଇ ପୋଲିସ ପାଖରେ କଣ ସେ ନାଲିସ୍ କରି ଦେଇଥିବ? କରୁଣା କରିଥିବା କାରନାମା ମାନ ତା ଆଖି ସାମନା ରେ ନାଚି ଚାଲିଥିଲା ଓ ସେ ବାଜିଥିବା ପାହାରର କାରଣ ଖୋଜି ଚାଲିଥିଲା। ସେତିକି ବେଳେ ଖାକି ପିନ୍ଧା ଲୋକଟି ଘଡଘଡିଆ ସ୍ବରରେ ନାନା ଅଶ୍ରାବ୍ଯ ଗାଳିଫଜିତ୍ କରି କହିଲା- - ଆବେ ହେ ମାଙ୍କଡ୍ କା ବଚ୍ଚା, ମୁହଁରେ ମାସ୍କ କାହିଁକି ପିନ୍ଧିନୁ। ଟିଭି,ରେଡିଓ,ପେପରରେ ଘନଘନ ନିଉଜ୍ ଛଡା ଚାଲିଛି ମାସ୍କ ନ ପିନ୍ଧିଲେ କରୋନା ମାଡି ବସିବ,କିନ୍ତୁ ତୁମ ମାନଙ୍କର ପରବାୟ ନାହିଁ। ଏବେ ପିଚା ଆଉଁସି ଯାଆ, ମାସ୍କ କିଣି କି ପିନ୍ଧ୍। ନହେଲେ ଏମିତି ମାଡ ବାଜିବ ଯେ ପ୍ଯାଣ୍ଟ ପିନ୍ଧି ପାରିବୁନି। ବିଚରା ଦୌଡିଯାଇ ପାଖ ଦୋକାନରୁ ତୁଣ୍ଡିଟିଏ କିଣି ମୁହଁରେ ମଡେଇଲା। ଅଣନିଶ୍ବାସୀ ଲାଗିବାରୁ ତୁଣ୍ଡି ତଳକୁ ଖସାଇବାକୁ ବାହାରିଛି କି ନାହିଁ ପୁଣି ସେ ପୁଲିସି ବାଲା ହାବୁଡି ଗଲା। ଧମକାଇ କହିଲା ପୁଅ ନାକ ତଳକୁ ତୁଣ୍ଡି ଖସିଲେ ଗା ଡ୍ଯାସ୍ ଫଟେଇଦେବି। ବୁଝୁଚୁ ଟି? ମୁଣ୍ଡ ଟୁଙ୍ଗାରିଲା କରୁଣା।

ବସ ଭିତରେ ବସିଥିବା ଲୋକ ମାନଙ୍କୁ ଦେଖି ମନେମନେ ବହେ ହସିଲା କରୁଣା। ସମସ୍ତଙ୍କ ମୁହଁ ବଗ ପରି ଦିଶୁଥିଲା। ଆଖି ତଳୁ ଥୋଡିଯାଏଁ ବଗ ଥଣ୍ଟ ପରି ତୁଣ୍ଡି ଗୁଡିକ ଶୋଭା ପାଉଥିଲା। ସେମାନଙ୍କର କଥାବାର୍ତ୍ତା ଭଲରେ ନ ଶୁଭି ଗାଉଁ ଗାଉଁ ଶୁଭୁଥିଲା। ବସ୍ ଚାଲିବା ସଙ୍ଗେସଙ୍ଗେ କରୁଣା ମନରୁ ଡର ଉଭାନ ହୋଇଗଲା। ସେ ଧିରେ ଧିରେ ତୁଣ୍ଡି କାଢିବାକୁ ଲାଗିଲା। କିନ୍ତୁ କଣ୍ଡକ୍ଟର ଆସି ଝିଙ୍ଗାସି ପକେଇ କହିଲା- - ନାକ ତଳକୁ ତୁଣ୍ଡି ଖସିଲେ ତୋତେ ଟେକିକି ଝରକା ବାହରକୁ ଫିଙ୍ଗିଦେବି। ୟାପ ତୁମ ମାନଙ୍କ ବୋକାମୀ ପାଇଁ ଆମକୁ ଫାଇନି ଗଣିବାକୁ ପଡୁଛି। ଚୁପଚାପ ମୁହଁରେ ତୁଣ୍ଡି ବାନ୍ଧି କି ସବୁ ବସିଥାଅ। ବଡ ସଙ୍କଟରେ ପଡିଲା କରୁଣା। ସକାଳୁ ଭଲରେ ଦାନ୍ତ ଘଷିନି ବୋଲି ପାଟିଟା ପଚାମାଛ ପରି ଗନ୍ଧାଉଛି। ନିଜ ପାଟି ଗନ୍ଧ ଶୁଙ୍ଘି ଚେତା ବୁଡିବା ଅବସ୍ଥା ଆଜିଯାଏଁ କେବେ ହୋଇ ନ ଥିଲା। ପୁଣି ଭଲରେ ନିଶ୍ବାସ ଟିକେ ନେଇ ହେଉନି ବୋଲି ତୁଣ୍ଡି ଭିତରେ ସେ ମାଛ ପରି ପାଟି ପାକୁପାକୁ କରିବା ଆରମ୍ଭ କରି ଦେଇଥିଲା। କିନ୍ତୁ ଯାହା ନିୟମ ହୋଇଛି ତାହା ମାନିବାକୁ ତ ପଡିବ। ଅନ୍ଯ ଉପାୟ ନ ପାଇ ସେ ବାହାରକୁ ଦେଖିବାକୁ ଲାଗିିଲା। ସତକୁ ସତ ଦୁନିଆଁ ଟା ତୁଣ୍ଡିମୟ ହୋଇ ଯାଇଥିଲା। ଯାହାକୁ ଦେଖିବ ସେ ମୁହଁରେ ତୁଣ୍ଡି ମାରି ବୁଲୁଛି। ଛକ,ବଜାର ଚାରିଆଡେ ଖାକି ପୋଷାକଧାରୀ ମାନେ ଅମାନିଆ ଲୋକଙ୍କୁ ଯତ୍ନ ସହକାରେ ତିନି ଚାରି ଠେଙ୍ଗା କଷି ଦେଉଛନ୍ତି। ମାଇକି ରେ ଘନଘନ ପ୍ରଚାର ଚାଲିଛି,ମୁହଁରେ ତୁଣ୍ଡି ନ ବାନ୍ଧିଲେ


କରୋନା ଭୂତାଣୁ ନାକବାଟେ ପଶି ପ୍ରାଣ ଶୋଷିନେବ। କି ଭୟଙ୍କର ଅବସ୍ଥା। ସେ ଧରିଥିବା ବ୍ଯାଗକୁ ଭଲରେ ପରଖି ନେଲା। ନିଡିଆ,କୋରଣା ଓ ମୁଢି ସୁରକ୍ଷିତ ଥିଲେ। ସୁଲୁସୁଲିଆ ପବନରେ ତା ଆଖିପଦା ମୁଦି ହୋଇ ଆସୁଥିଲା। ହଠାତ୍ କାନରେ ପଡିଲା ପଛ ସିଟ୍ ରେ ବସିଥିବା ଦୁଇ ଜଣ ବାହାପିଆଙ୍କ କଥା।

ଜଣେ କହୁଥିଲା - - ଆରେ ଭାଇ, ଏ କରୁଣା ପାଇଁ ଆମ ଜୀବନଟା ବରବାଦ ହୋଇଗଲା। ଶଳା ଟା ଏତେଦିନ କୁଆଡେ ଥିଲା କେଜାଣି। ଏବେ ଆସି ଯାହା ହନ୍ତସନ୍ତ କରୁଛି ନ କହିବା ଭଲ। ସମସ୍ତେ କରୁଣା ବିଷୟରେ କଥା କହୁଛନ୍ତି,କିନ୍ତୁ ତାକୁ ଆଜି ଯାଏଁ କେହି ଦେଖି ନାହାନ୍ତି। ମାଆ ରାଣ, ଥରେ ତାକୁ ଦେଖି ଦେଲେ ତା ଅବସ୍ଥା ଏପରି କରିବିି ଯେ କାହାକୁ ମୁହଁ ଦେଖେଇ ପାରିବନି। ସେଦିନ ଜାଣିବ ଆମେ କେତେ ବଡ ଗୁଣ୍ଡା।

ଆର ପିଲାଟା କହିଲା- - ଭାଇ ଠିକ୍ କହୁଛୁ। ଆମ ଘରେ ବି ଦିନରାତି ସେଇ କରୁଣା ବିଷୟରେ କଥା ଚାଲିଛି। ସେ କୁଆଡେ ବହୁତ ଲୋକଙ୍କୁ ମାରି ସାରିଲାଣି। କିନ୍ତୁ ଅସଲ ମରଦ ପୁଅ ହାବୁଡରେ ସେ କେବେ ପଡିନି। ଯଦି ଏତେ ସାହାସ ଅଛି ଆମ ସାମ୍ନାକୁ ଆସୁ। ମାରିମାରି ଯଦି ପାଣି କଖାରୁ ନ କରି ଦେଇଛୁ ଆମେ କି ଅଷ୍ଟକୀଳା କ୍ଲବର ଟୋକା। ହେଇ ଦେଖୁନ ଏ ବାଡିଖିଆ କରୁଣା ପାଇଁ ଲୋକମାନେ କେମିତି ମୁହଁରେ ଓଢଣୀ ବାନ୍ଧି ବୁଲୁଛନ୍ତି। କିହୋ ଇଏ କି ଅଜବ କଥା। ବଂଶବୁଡା କାମ କରିବ ସିଏ କିନ୍ତୁ ଆମେ ମୁହଁରେ ଓଢଣୀ ବାନ୍ଧି ବୁଲିବୁ। ମାଆ ଚିଙ୍ଗୁଡିଖାଇଙ୍କ ପାଖରେ ଏତିକି ପ୍ରାର୍ଥନା- - ଥରେ ଖାଲି କରୁଣାକୁ ଆମ ସାମନାରେ ଛିଡା କରେଇ ଦିଅ। ତାକୁ ଠିଆଠିଆ ଚିରି ଦେବୁ।

ବାହାପିଆଙ୍କ କଥା ଶୁଣି କରୁଣା ପିଳେହି ପାଣି ହୋଇଗଲା। ସେ ଭାବି ପାରୁ ନଥାଏ ଯେ ବାହାପିଆ ମାନଙ୍କର ସେ କି ଦୋଷ କରିଛି । ତାକୁ ସେମାନେ ମାରିବେ,ପିଟିବେ,ଚିରିବେ ବୋଲି କାହିଁକି କଥା ହେଉଛନ୍ତି। ନାନା ଦୁଶ୍ଚିନ୍ତାରେ ମନଟା ଆଉଟୁପାଉଟୁୁ ହେବାରେ ଲାଗିଲା। ମନରେ ଉଠୁଥିବା ପ୍ରେମାଳିଆ ଭାବନା ସବୁ ଏ ବଗୁଲିଆ ଟୋକାଙ୍କ କଥାରେ ଝାଉଁଳି ପଡୁଥିଲା। ଆଜି ଦିନଟା କାହିଁକି ଏମିତି ବିତୁଛି ସେ ଜାଣି ପାରୁ ନଥଲା। ସେ ବସିଥିବା ସିଟ ରୁ ଉଠି ଅନ୍ଯ ଯାଗାକୁ ପଳେଇ ବୋଲି ଭାବିଲା ବେଳକୁ କଣ୍ଡକ୍ଟର ଆସି ପାଖରେ ଛିଡା ହୋଇଗଲା ଓ କରୁଣାକୁ କହିଲା- - ହୋ ଭାଇ,ଟିକେ ଅନାନି, ତୁମ ଦୁଇହାତ ମୋ ଆଡେ ଭିକାରୀ ପରି ବଢେଇଦିଅ। ନିଦ ମଳମଳ ଅବସ୍ଥାରେ କରୁଣା ଦୁଇ ହାତ ମେଲେଇ ଦିଅନ୍ତେ କଣ୍ଡକ୍ଟର ଗୋଟିଏ ବୋତଲରୁ ପାଦୁକ ପରି କିଛି ତରଳ ଚିଜ ତା ହାତରେ ଢାଳି ଦେଲା। ସେ ଭାବିଲା ବୋଧେ ମହାଦେବଙ୍କ ପାଦୁକ ହୋଇଥିବ ପରା। ଭକ୍ତିରେ ଗଦଗଦିଆ ହୋଇ ସେ ତୁଣ୍ଡି ଖସାଇ ତରଳ ପଦାର୍ଥ ତକ ଆଚମନ କରିନେଲା। ଉହୁଁ….ଥୁଃ ଥୁଃ କରି ଲେଣ୍ଡା ଲେଣ୍ଡା ଛେପ ଥୁତକାର କରି କହିଲା- - କିହୋ ଭାଇ ବିଷ ଦେଇଦେଲ କି?

କଣ୍ଡକ୍ଟର ତା ଦାନ୍ତ ସନ୍ଧିରୁ ଗୁଆ କାଢୁକାଢୁ କହିଲା- - କିହେ ପଣ୍ଡିତଙ୍କ ବାଛୁରୀ , ଯାହା ତୁମ ହାତରେ ଢଳିବ ତୁମେ ଚାଟି ପକେଇବ ନା କଣ? ତୁମେ ମଣିଷ ପିଲା ଟି ? ଏ ବୋତଲ ଭିତରେ କଣ ଅଛି ମୁଁ ଜାଣିନି। କିନ୍ତୁ ମାଲିକ କହିଛି ଟିକଟ କାଟିବା ବେଳେ ସମସ୍ତଙ୍କ ହାତ ପାପୁଲିରେ ମୁନ୍ଦେମୁନ୍ଦେ ଛିଞ୍ଚିଦେବୁ ଯେ ଭୁଟାଣୁ ମରିଯିବ। ତୁମକୁ ମିଶାଇ ପଇତିରିଶି ଜଣ ଏ ଜିନିଷ ଚାଟି ସାରିଲେଣି। ଆଜିକାଲି ଯୁଆଡେ ଦେଖିବ ଲୋକଙ୍କ ପେଟରେ ନିଆଁ ଜଳୁଛି। ଯେତେବେଳେ ବାଦୁଡି,କୁକୁର,ବିଲେଇଙ୍କୁ ମାରି ଖାଇ ଯାଉଛନ୍ତି ଏ ହାତସଫା ଜିନିଷ କୁ ପଚାରେ କିଏ।


ଜଣେ ଯାତ୍ରୀ ପଛପଟୁ ରଡିଛାଡି କହିଲା- - ଆରେ ଭାଇ ସେ ଜିନିଷର ନାମ ହେଲା "ଛିନତାଇ ଝର”। କରୁଣାକୁ ଏ ଜିନଷ ପିଏଇଦେଲେ ସେ ବସିବା ଥାନରେ ଟଳି ପଡିବ। ଏକଥା ଶୁଣି କରୁଣା ଛାତିରେ ଛନକା ପଶିଗଲା,କାରଣ ସେ ଚାଟିଲା ବେଳକୁ "ଛିନତାଇଝର" ତଣ୍ଟି ତଳଯାଏ ବୋହି ଯାଇଥିଲା। ତା ତଣ୍ଟି ଟା ଟିକେ ପୋଡିଲା ପରି ଲାଗିଲା। ସାଙ୍ଗେସାଙ୍ଗେ ବସଭଡା ବାବଦକୁ କଣ୍ଡକ୍ଟର ଶହେ ଟଙ୍କା ମାଗିଲା।

- - ଶହେଟଙ୍କା, କିନ୍ତୁ କାହିଁକି? ସହରକୁ ଭଡା ଜମା ଚାଳିଶି ଟଙ୍କା। ମୁଁ ସବୁଥର ଦେଇକି ଯାଉଛି। ଆଜି ଏମିତି କଣ ହୋଇଗଲା ଯେ ଶହେ ଟଙ୍କା ଦେବି।

– - କଣ ହେଇଗଲା ? ଯା ସେ କରୁଣାକୁ ପଚାରିବ। ୟା'ପ ତା ପାଇଁ ଅଳ୍ପ ଦିନ ପରେ ଲୋକେ ଘରୁ ବାହାରକୁ ବାହାରିବେନି ବୋଲି ସରକାର କହୁଛି। ଗାଡି,ମଟର,ଦୋକାନ,ବଜାର ସବୁ ବନ୍ଦ ହୋଇଯିବ। କରୁଣାକୁ ଡରି ବହୁତ ଗାଡି ମାଲିକ ଏବେ ଠୁଁ ଗାଡି ଚଳେଇବା ବନ୍ଦ କରି ଦେଲେଣି। ଇଏ ପଚାରୁଛି କଣ ହେଲା। ବେଶି ବକବକ ନ କରି ଟଙ୍କା ଟା ବଢେଇ ଦିଅ ନହେଲେ ଗାଡିରୁ ଓହ୍ଲେଇ ଚାଲିଚାଲି ଯାଅ।

କଣ୍ଡକ୍ଟର କଥାକୁ ସମର୍ଥନ କଲେ ପଛସିଟରେ ବସିଥିବା ଦୁଇ ବାହାପିଆ। ପୁଣି ଥରେ କରୁଣାର ଆଲୋଚନା ଆରମ୍ଭ ହେବାରୁ ଦୁଇଜଣ ହାତ ମୁଠା ଶକ୍ତ କରି କହିଲେ- - କଣ୍ଡକ୍ଟର ଆଜ୍ଞା, ଆମେ ସେଇ କରୁଣାକୁ ଖୋଜୁଛୁ। ଖାଲିି ଥରେ ହାବୁଡରେ ପଡିଯାଉ- - ଏମିତି ବଇଁଶି ବଜେଇବୁ ଯେ ଯୁଗ ଯୁଗକୁ ମନେ ରଖିଥିବ। ବାହାପିିଆଁଙ୍କ କଥାକୁ କର୍ଣ୍ଣପାତ ନକରି କରୁଣା ଏତେ ଟଙ୍କା ଦେବନି ବୋଲି ଜିଦ୍ ଧରି ବସିଲା। କଣ୍ଡକ୍ଟର କି ଛାଡିବା ଲୋକ, ସେ ବି ଧୁମଧାମରେ ପାଟିତୁଣ୍ଡ ଆରମ୍ଭକଲା। ଅଳ୍ପ ସମୟ ଭିତରେ ଗୋଟେ ଛୋଟମୋଟିଆ ବାଦୀପାଲାର ଆୟୋଜନ ହୋଇ ସାରିଥିଲା। କରୁଣା ସହିତ ତାଳ ଦେଇ କିଛି ଯାତ୍ରୀ ଏତେ ଟଙ୍କା ଦେବୁନାହିଁ ବୋଲି ବିଦ୍ରୋହ ଆରମ୍ଭ କଲେ। ବଗୁଲିଆ ଟୋକା ଦୁଇଟା ମହାଆନନ୍ଦରେ ଏସବୁ ଦୃଶ୍ଯ ଉପଭୋଗ କରିବାରେ ଲାଗିଥାନ୍ତି। ଯେହେତୁ ସେମାନେ ଅଷ୍ଟକୀଳା କ୍ଲବର ଟୋକା ତାଙ୍କପାଇଁ ସବୁ ବସରେ ମାଗଣାରେ ଯିବା ଆସିବା କରିବାର ବ୍ଯବସ୍ଥା ଅଛି। ଦୈବାତ୍ କୌଣସି ବସ୍ ଏହି ନିୟମ ନ ମାନିଲେ ଅବସ୍ଥା ବଡ ଶୋଚନୀୟ ହୁଏ। କେବେ ବସର କାଚ ଭାଙ୍ଗେ ତ କେବେ ଡ୍ରାଇଭରର ଦାନ୍ତ। ପରିସ୍ଥିତିର ଗମ୍ଭୀରତା ଅନୁଯାୟୀ କେବେ କେବେ ହାତ ଗୋଡ ମଧ୍ଯ ଭାଙ୍ଗେ। ଏତେ ଭଙ୍ଗାଭଙ୍ଗି ଚକ୍କରରେ ନ ପଡି ଅଷ୍ଟକୀଳା ଟୋକାଙ୍କୁ ମାଗଣା ଯାତ୍ରାର ସୁବିଧା ଯୋଗାଇଦେବା ପାଇଁ ନିଷ୍ପତ୍ତି ନେଇଥିଲେ ବସ୍ ମାଲିକ ମାନେ। ସେ ଯାହା ବି ହେଉ, କଣ୍ଟକ୍ଟର ଓ କରୁଣାର ଯୁଦ୍ଧ କମିବା ବଦଳରେ ବଢିବାକୁ ଲାଗିଲା। ରାଗରେ କଣ୍ଡକ୍ଟର କରୁଣାର ସାର୍ଟ କଲାର ଘିଞ୍ଚି ପଇସା କାଢ୍ ବୋଲି ଧମକେଇଲା।

କରୁଣା କି ଛାଡିବା ଲୋକ - - ସେ ନିଜର ସମସ୍ତ ବଳ ଲଗାଇ ଚିତ୍କାର କରି କହିଲା- - ଆବେ ଛାର କଣ୍ଡକ୍ଟର୍, ତୋର ଏତେ ସାହାସ୍- - ତୁ ମୋ ଦେହରେ ହାତ ଲଗେଇଦେଲୁ?? ଜାଣିଛୁ ମୁଁ କିଏ? ଆରେ ମୁର୍ଖ ମୁଁ ହେଲି କରୁଣା। ଦେଖିବୁ, ତୋତେ କେମିତି ପିମ୍ପୁଡି ପରି ଦଳି ପକେଇବି। ହାତରେ ନଡିଆ କୋରଣା ଧରି ପୁଣି କହିଲା- - ତୋ ନାକ ଭିତରେ କୋରଣା ପୁରେଇ କୋରି ଦେବି ଯେ ଜାଣିବୁ। ନିଜର ବଡିମା ଦେଖାଇ କଣ୍ଡକ୍ଟରକୁ ଅଧିକ ଡରାଇବା ପାଇଁ କହିଲା- - ଏଇ କୋରଣା କେତେ ଲୋକଙ୍କ ନାକ ଭିତରେ ପୁରେଇ ପ୍ରାଣ ଟାଣି ନେଇଛି ତାର ହିସାବ ନାହିଁ। ଯଦି ଭଲ ଗତି ଅଛି,ମୋ


ଆଗରୁ ଚୁପଚାପ ଚାଲି ଯା। ନିଖୁଣ ଅଭିନୟରେ ଯବନିକା ପତନ କରି ମୁହଁରୁ ତୁଣ୍ଡି ଟି ଅଳ୍ପ ଖସାଇ ଚାରି ଆଡକୁ ଆଖି ମିଟିମିଟି କରି ଚାହିଁଲା କରୁଣା।

ସେତେବେଳକୁ ସମସ୍ତ ଯାତ୍ରୀ ବସର ପଛ ଭାଗରେ ଲୁଚି ରହିଥିବା ଦେଖିବାକୁ ମିଳିଲା। ସେ ବାହାପିଆ ଟୋକା ଦୁଇଟା ସିଟ୍ ପଛରେ ମୁହଁ ଲୁଚାଇବାରେ ଲାଗିଥିଲେ। କାଳେ ସେମାନେ କରୁଣା ହାବୁଡରେ ପଡିଯିବେ ସେହି ଭୟରେ। ବଡ ବାହାପିଆ ଟା ସାନ ବାହାପିଆ କାନରେ କହୁଥିଲା - - ଯାହାହେଉ ପ୍ରଭୁଙ୍କ କୃପାରୁ ପ୍ରାଣ ବଞ୍ଚିଗଲା। ସାରା ଜଗତ ଯେଉଁ କରୁଣାକୁ ଖୋଜୁଛି ସେ ଆମ ସାଙ୍ଗେ ବସରେ ଯାଉଛିି ବୋଲି କିଏ ବା କାହିଁକି ଭାବିବ। ଦେଖୁନ କେତେ ନୃଶଂସ ସେ କରୁଣା। ସାଙ୍ଗରେ କୋରଣା ଧରି ବୁଲିଛି ଲୋକଙ୍କ ନାକରେ ପୁରେଇ ମାରିବ ବୋଲି। ଭାଇ ଆଉ ଡେରି କରିବାନି, ଚାଲ ଝରକା ବାହାରକୁ ଡେଇଁ ଜୀବନ ବଞ୍ଚାଇବା। ବସ୍ ରେ ବସିଥିବା ତିନି ପା ମହାଜ୍ଞାନୀ ଭାବି ସାରିଥିଲେ ଯେ କରୁଣା ହିଁ ସେହି ଭୁତାଣୁ। ନିଜ ରୂପ ବଦଳାଇ ମଣିଷ ହୋଇ ସାଙ୍ଗରେ ଯାଉଛି। ବେଳକାଳ ଉଣ୍ଡି ସମସ୍ତଙ୍କ ନାକରେ କୋରଣା ପୁରେଇ ପ୍ରାଣ ନେଇଥାଆନ୍ତା। "ମୂଳୁ ମାଇଲେ ଯିବ ସରି " ନ୍ଯାୟରେ ସେହି ବସ୍ ଭିତରେ କରୁଣାକୁ ଶେଷ କରିଦେଲେ ପୃଥିବୀ ଭୟଙ୍କର ବିପଦରୁ ତ୍ରାହି ପାଇଯିବ ବୋଲି ସେମାନେ ଟୁପୁରୁଟାପର ହେବା ଆରମ୍ଭ କଲେ। ଅଧାପାଠୁଆ କଣ୍ଡକ୍ଟର କାହାକୁ ବିଶ୍ବାସ କରି କଣ କରିବ ଜାଣି ପାରୁ ନଥାଏ। ବସ ଭଡାଟା ଏତେ ବେଳ ଯାଏ ମିଳିଲାନି ବୋଲି ତା ମୁଣ୍ଡ ଗରମ ହୋଇ ଯାଇଥାଏ। ହଠାତ୍ ବସ୍ ର ପଛ ସିଟ୍ ଆଡୁ ଏକ ବିରାଟ ଆଳୁ ଆସି ବାଜିଲା କରୁଣାର ମୁଣ୍ଡରେ। ତା ମୁଣ୍ଡ ଝାଇଁଝାଇଁ କରିଗଲା ଓ ସିଟ୍ ଉପରେ ଲଥ୍ କରି ବସି ପଡିଲା। ତା ପଛକୁ ଛୁଇଁ,ବୋଇତାଳୁ,ଖମ୍ବଆଳୁ,ପୋଟଳ, ଶାଗବିଡା ପାଳି ପାଳି କରି ପଡିଲେ।

ତା କାନରେ ପଡିଲା ଏକ ବୃଦ୍ଧ ଲୋକର ସ୍ବର- - ଏ ଭୂତକୁ ମାରିଲେ କାଟୁଛି ରେ ପିଲେ। ତା ମୁଣ୍ଡକୁ ଲକ୍ଷ୍ଯ କରି ଯାହା ପାରୁଛ ଫିଙ୍ଗ। ତୁମ ଆମ ପରିି ଦିଶୁଥିଲେ କଣ ହେବ, ଇଏ ହେଲା ଚାଇନା ଭୂତ। ସବୁ ଚାଇନାମାଲ ପରି ଇଏ ବିି ଅଳପେଇଷା ହୋଇଥିବ। ନା ଗାରେଣ୍ଡି ଥିବ ନା ବାରେଣ୍ଡି। ଘମାଘୋଟିଆ ମାଡଦେଇ ତାକୁ ନ ମାରିଲେ ସେ ଆମ ସମସ୍ତଙ୍କୁ ମାରିଦେବ। ପ୍ରାଣ ବଞ୍ଚାଇବାକୁ କରୁଣା ହାତରେ ନଡିଆ କୋରଣା ଧରି ଲୋକଙ୍କୁ ଅନୁରୋଧ କରୁଥାଏ ତାକୁ ନ ମାରିବା ପାଇଁ। ସେତିକି ବେଳେ ଜଣେ ବାହାପିଆ କହିଲା- - ଏ ଅଜା, ଦେଖ କରୁଣା ଭୂତ କେମିତି ହତିଆର ଧରି ଆମ ନାକକୋରି ପ୍ରାଣ ନେବ ବୋଲି ଆସୁଛି। କିଛି ଉପାୟ କର। ବୁଢା ବଗୁଲିଆ ଟୋକାଙ୍କ ହାତକୁ ନାଲି ଟହଟହ ବିଲାତି ବାଇଗଣ କେତେଟା ବଢେଇଦେଇ କହିଲା- - ଏ ବିଲାତି ଭିତରେ କଞ୍ଚାଲଙ୍କା ଦଳି ପୁରେଇ ଦେଇଛି। ତା ଆଖି କୁ ଲକ୍ଷ୍ଯ କରି ସାଇଁ ସାଇଁ ମାରି ଚାଲ। ବୁଢାର କଥା ସରିଛି କି ନାହିଁ କରୁଣା ଆଖି ଦୁଇଟା ବିଲାତି ରସରେ ପଚପଚ ହୋଇଗଲା। କଞ୍ଚାଲଙ୍କା ପ୍ରକୋପରେ ତା ଆଖି ଦୁଇଟି ଫୁଟିଯିବା ପରି ଲାଗୁଥାଏ। ସେ କଷ୍ଟରେ ଗଁ ଗଁ ହୋଇ ତଳେ ପଡିଗଲା। ତା ପରର ଅବସ୍ଥା ନ କହିବା ଭଲ। ବସରେ ଥିବା ସବୁ ଯାତ୍ରୀ ପାଳି ପାଳି କରି କରୁଣାକୁ ବିଧା,ଗୋଇଠାରେ ବନ୍ଦେଇ ଦେଇଗଲେ। ପାଞ୍ଚ ଦଶ ମିନିଟ ପରେ କରୁଣା ଚେତା ବୁଡି ପାଟି ମେଲା କରି ପଡି ରହିଲା। ସବାଶେଷରେ ବସ ଡ୍ରାଇଭର ଗାଡି ଛିଡା କରି କରୁଣାକୁ ଖୋବେ ଦୁଇ ଖୋବା ଦେଲା। ଶେଷରେ କରୁଣା ବ୍ଯାଗରେ ଥିବା ନଡିଆ ତକ ତା ମୁଣ୍ଡରେ ପିଟି ଦେହ ସାରା ମୁଢି ଢାଳିଦେଲା। କାରଣ ପଚାରିବାରୁ କହିଲା- - ଆରେ ସମସ୍ତେ ତ ମନ ଭରି ଛେଚିଲେ, ମୁଁ ଟିକେ ନାଛି ଦେଲି ବୋଲି କଣ ଅସୁବିଧା ହୋଇଗଲା। ଜଣେ ମହାଜ୍ଞାନୀ କହିଲେ ହଁ ଡ୍ରାଇଭର ବାବୁ ଭଲ କଲ। ସାରା ଜଗତକୁ ଦହଗଞ୍ଜ କରୁଥିବା କରୁଣାକୁ ଆଜି ଆମେ ବସ ଭିତରେ ବୁଦ୍ଧି ଶିଖେଇଦେଲେ। ଏବେ ଜାଣି ସମସ୍ତେ ନାକରେ ତୁଣ୍ଡି ନ ବାନ୍ଧି ଶାନ୍ତିରେ ନିଶ୍ବାସ ମାରି ପାରିବେ।

ସେଦିନ ସଞ୍ଜ ବେଳକୁ କରୁଣା ନିଜକୁ ଏକ ନର୍ଦ୍ଦମା ଭିତରେ ଆବିଷ୍କାର କଲା। ନାକଫୋଡିର ଭଲମନ୍ଦ ବୁଝିବା ପରି ଶକ୍ତି ତା ଦେହରେ ନଥିଲା। ବଡ କଷ୍ଟରେ ଘରକୁ ଫେରି ବହେ ଦିନ ଯାଏଁ ବିଛଣାରେ ପଡି ରହିଲା। ଖାଇପିଇ ସାଷ୍ଟମ ହେଲା ପରେ ସେ ଜଣେ ଓକିଲଙ୍କ ପାଖକୁ ଯାଇ ନେହୁରା ହେଲା ତା ନାମଟା "କରୁଣା” ରୁ ବଦଳାଇ ଅନ୍ଯ କିଛି ରଖିଦେବା ପାଇଁ। ଓକିଲ କାରଣ ପଚାରିବାରୁ ସେ ପାଟି ମେଲା କରି ଦେଖେଇ ଦେଲା। ସମୁଦାୟ ଆଠ ଟିି ଦାନ୍ତ ଓକିଲଙ୍କ ମୁହଁକୁ ଜୁଳୁଜୁଳୁ କରି ଚାହିଁ ରହିଥିଲେ।


Rate this content
Log in

Similar oriya story from Comedy