STORYMIRROR

Arabinda Rath

Drama Thriller

4  

Arabinda Rath

Drama Thriller

ଗଜରାଜ

ଗଜରାଜ

10 mins
341


ଅଗନା ଅଗନି ବନସ୍ତ ଭିତରେ ଗାଏମୋଟ ପଚାଶ ସରିକି ପରିବାରଙ୍କୁ ନେଇ ଗଢି ଉଠିଥିଲା ଏକ କ୍ଷୁଦ୍ର ଜନପଦ। କାହିଁ କେତେଯୁଗରୁ ପୁରୁଷାନୁକ୍ରମିକ ଭାବେ ଆଦିମ ଅଧିବାସୀମାନେ ପ୍ରକୃତ୍ତିକୋଳରେ ମହାନନ୍ଦରେ କାଳାତିପାତ କରୁଥିଲେ। ଜନପଦର ଚତୁଃପାର୍ଶ୍ବରେ ଥିଲା ନଭଶ୍ଚୁମ୍ବୀ ବୃକ୍ଷରାଜିର ଅପରୂପ ସମ୍ଭାର ଓ ଅନତିଦୂରରେ ପ୍ରବାହିତ ହେଉଥିଲା ଏକ ଖରସ୍ରୋତା ନଦୀ। ଗ୍ରାମବାସୀ ମାନଙ୍କ ଖାଦ୍ଯ,ବସ୍ତ୍ର ଓ ବାସଗୃହର ଚାହିଦା ମେଣ୍ଟାଉଥିଲେ ସେହି ଖରସ୍ରୋତା ନଦୀ ଓ ଘଞ୍ଚ ଅରଣ୍ଯ। ଅରଣ୍ଯ ମଧ୍ଯରେ ବାସ କରୁଥିଲେ ବିଭିନ୍ନ ପ୍ରକାରର ପଶୁପକ୍ଷୀ। କିଛି ଥିଲେ ହିଂସ୍ର ଓ କିଛି ନିହାତି କୋମଳସ୍ବଭାବ ବିଶିଷ୍ଟ। ସବୁଠାରୁ ଆଶ୍ଚର୍ଯ୍ଯର ବିଷୟ ଥିଲା, ହିଂସ୍ର ଜୀବଜନ୍ତୁ ଗଣ କେବେହେଲେ ଗ୍ରାମବାସୀଙ୍କୁ ଆକ୍ରମଣ କରୁ ନଥିଲେ। ବାହ୍ଯଜଗତର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତଥିବା ଗ୍ରାମବାସୀଙ୍କୁ ପଶୁପକ୍ଷୀ ମାନେ କେବେହେଲେ ନିଜର ପ୍ରତିଦ୍ବନ୍ଦୀ ଭାବରେ ବିଚାର କରୁ ନଥିଲେ। ଯେତେବେଳେ ପ୍ରତିଦ୍ବନ୍ଦିତା ନଥିଲା ଶତୃତା ରହିବ ବା କିପରି। ଏକ ନିବିଡ ପ୍ରାକୃତିକ ଶୃଙ୍ଖଳାରେ ଆବଦ୍ଧ ଥିଲେ ଅରଣ୍ଯର ସମସ୍ତ ଜୀବଧାରୀ ସତ୍ତା। ସେହି ଜନପଦରେ ରହୁଥିଲା ରଘୁଆ। ସେ କଳା ମଚମଚ ବଳିଷ୍ଠ ଶରୀରର ଅଧିକାରୀ ଥିଲା ; କିନ୍ତୁ ସ୍ବଭାବରେ ଥିଲା ନିତାନ୍ତ ସରଳ ବିଶ୍ବାସୀ ଓ ସ୍ନେହଶୀଳ। ବାପାମାଆ ଅଜଣା ରୋଗରେ ପଡି ଆରପାରିକୁ ଯିବା ପରଠାରୁ ସେ ନିଜକୁ ନିଜେ ପାଳିଛି କହିଲେ ଚଳିବ। ଦିନସାରା ଅରଣ୍ଯରେ ବୁଲି କାଠ,କନ୍ଦ,ମହୁ, ଝୂଣା ଓ ବିଭିନ୍ନ ଚେରମୂଳୀ ଯୋଗାଡ କରି ଗାଁଆହାଟରେ ବିକ୍ରିକରି ପରିବାର ପୋଷେ। ସେହି ଜନପଦର ଲୋକେ ଟଙ୍କାପଇସାର ପ୍ରଚଳନ ବିଷୟରେ ଅଜ୍ଞଥିଲେ। ତେଣୁ ରଘୁଆ ତା ଜିନିଷ ବିକ୍ରି କରି ପ୍ରତିବଦଳରେ ଚାଉଳ,ତେଲ,ଡାଲି ,ଲୁଣ ଆଦି ଧରି ଆସୁଥିଲା। ଘରେ ସ୍ବାମୀ ସ୍ତ୍ରୀ ଦୁଇଜଣ। ନେତ ସବୁକାମରେ ରଘୁଆ ପଛେପଛେ ଥାଏ। ନାରୀ ହେଲେ କଣ ହେବ, ତା ଦେହରେ ଥିଲା ପୁରୁଷସମ ବଳ। ଗଛଚଢିବା, ନଦୀ ପହଁରା ଓ ମହୁଫେଣା ଭାଙ୍ଗିବା ଆଦି କାମରେ ସେ ବେଳେବେଳେ ରଘୁଆକୁ ମଧ୍ଯ ବଳେଇଯାଏ। ଦୁଇପ୍ରାଣୀଙ୍କ ମନରେ କେବଳ ଗୋଟିଏ ଦୁଃଖ। ବିଭାହେବାର ଏତେ ବର୍ଷ ହେଲାଣି ଅଥଚ ଘରେ କୁଆଁ ଡାକ ଶୁଭିଲାନି। ପିଲାଟିଏ ପାଇଁ ଦୁଇପ୍ରାଣୀ କେତେ ପୂଜା ଓପାସ କରିଛନ୍ତି ତା'ର ହିସାବ ନାହିଁ। ଝାଙ୍କର ପ୍ରଦତ୍ତ କେତେଜାତିର ଅଭିମନ୍ତ୍ରିତ ଚିଜ ସେବନ କରିଛନ୍ତି, ଗ୍ରାମଦେବତୀ ପାଖରେ ରାତି ରାତି ଧରି ଅଧିଆ ପଡିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନି, ବରଂ ନେତ ଦିନକୁ ଦିନ ନିରାଶାର ଭୀଷଣ ଚକ୍ରବାତରେ ପଡି ଆକ୍ତାମାକ୍ତା ହୋଇ ଚାଲିଛି। ରାତିଅଧରେ ନେତ ପିଲାଙ୍କ ପରି ସକେଇ ସକେଇ ରଘୁଆ କୋଳରେ ମୁଣ୍ଡ ଗୁଞ୍ଜି କାନ୍ଦେ । ରଘୁଆ ତାକୁ ବୋଧ କରି ଥକିଯାଏ ଓ ଶେଷରେ କୁହେ- - ଆଲୋ ହୁଣ୍ଡି, ତୁ ତ ନିଜେ ପିଲାଙ୍କ ପରି ହେଉଛୁ। ମୋର ଆଉ ପିଲା କଣ ହେବ? ଦୁଇଟା ପିଲାଙ୍କ ନଖରାମୀ ସହିବାକୁ ମୋ ଦିହରେ ବଳ ନାଇଁ ଲୋ ନେତ। ରଘୁଆର କଥା ଶୁଣି ନେତର କାନ୍ଦୁରା ମୁହଁରେ ଖେଳିଯାଏ ହସର କ୍ଷୁଦ୍ରଧାର ଓ ସେ ଫିକ୍ କିନା ହସିଦିଏ।

ସେଦିନ ରଘୁଆ ନେତ ସାଙ୍ଗରେ ଅରଣ୍ୟ ଭିତରକୁ ଯାଇଥିଲା ଏକ ଚେରମୂଳୀ ସନ୍ଧାନରେ। ବହୁ ସନ୍ଧାନ ପରେ ମଧ୍ଯ ଜିନିଷ ନ ମିଳିବାରୁ ସେମାନେ ଜଙ୍ଗଲର ମଝି ଅଞ୍ଚଳକୁ ଚାଲି ଯାଇଥିଲେ । ଏତେବର୍ଷ ଭିତରେ ରଘୁଆ ଅରଣ୍ଯର ସେହି ନିଷିଦ୍ଧ ଅଞ୍ଚଳକୁ ଯିବାର ସାହାସ କରି ନଥିଲା। ପୁରୁଖା ବୁଢାବୁଢୀ କୁହନ୍ତି,ସେ ସ୍ଥାନଟା କୁଆଡେ ଭୀଷଣ ଭୟଙ୍କର। ବିଷଧର ସାପ, ବାଘ,ସିଂହ,ଭାଲୁ, ବିଶାଳକାୟ ହାତୀ ମାନଙ୍କର ରହଣି ସେହି ଅଞ୍ଚଳରେ। ସେମାନେ କେବେ ଜନପଦକୁ ଆସନ୍ତିନି, କିନ୍ତୁ ତାଙ୍କ ପାଖକୁ ଗଲେ ସେମାନେ କଣ ଛାଡିଦେବେ? ଯାହାହେଲେ ବାଘ,ଭାଲୁ,ସିଂହ ଆଦି ମାଂସାଶୀ ପ୍ରାଣୀ। ତଟକା ରକ୍ତ ଓ ମାଂସ ପାଇଲେ ସେମାନେ ଗୋଟେ କ୍ଷେପାରେ ପ୍ରାଣହରଣ କରିନେବେ। ପିଲାଦିନରୁ ଏସବୁ କାହାଣୀ ଶୁଣି ରଘୁଆ ମନରେ ଭୟ ପଶି ଯାଇଥିଲା। ତେଣୁ ସେ ଜଙ୍ଗଲର ସେହି ନିଷିଦ୍ଧ ଅଞ୍ଚଳକୁ ଯିବାର ସାହାସ କେବେ କରି ନଥିଲା। କିନ୍ତୁ ସେଦିନ ଏପରି କାମ ପଡିଲା ବୋଲି ଯିବାକୁ ବାଧ୍ଯ ହେଲା। ସେ ଚେରମୂଳୀଟା ମିଳିଗଲେ ହାଟରୁ ଦଶମାଣ ଚାଉଳ ମିଳିଯିବ। ତା ସାଙ୍ଗକୁ ମାସକ ପାଇଁ ତେଲଲୁଣ ଡାଲିର ଯୋଗାଡ ମଧ୍ଯ ହୋଇଯିବ। କମ୍ ପରିଶ୍ରମରେ ଯଦି ଏତେ ଜିନିଷ ମିଳି ପାରୁଛି, ତେବେ ଟିକେ ସାହାସ କୁଳାଇ ଅରଣ୍ୟ ଭିତରେ ଘେରାଏ ବୁଲି ଆସିଲେ କ୍ଷତି କଣ? ଏସବୁ ଭାବି ବାହାରିବା ବେଳକୁ ନେତ ମଧ୍ଯ ଜିଦିକଲା ସାଙ୍ଗରେ ଯିବାପାଇଁ।

ସ୍ଥାନଟା ଯେପରି ହୋଇଥିଲା ଦେଖିବାଲୋକ ମନରେ ଭୟ ପଶିଯିବ ଏଥିରେ ସନ୍ଦେହ ନାହିଁ। ବିଶାଳକାୟ ଗଛ ମାନଙ୍କ ଡାଳପତ୍ର ମେଘାଚ୍ଛନ୍ନ ଆକାଶର ଭ୍ରମ ସୃଷ୍ଟି କରାଉଥିଲେ। ଦିନ ଦ୍ବିପହରରେ ମଧ୍ଯ ସୂର୍ଯ୍ଯକିରଣ ତଳେ ପଡିବା ଅସମ୍ଭବ ଥିଲା। ଗଛ ମାନଙ୍କରୁ ତଳକୁ ଝୁଲି ରହିଥିଲେ ବିଷାକ୍ତ ସର୍ପମାନ। ମଝିରେ ମଝିରେ ହିଂସ୍ରଜନ୍ତୁ ମାନଙ୍କର ବିକଟ ଚିତ୍କାର ଶୁଭି ଚାଲିଥିଲା। ହରିଣ,କୁଟୁରା,ଠେକୁଆ ଆଦି ନିରୀହପ୍ରାଣୀ ମାନେ ରଘୁଆ ଓ ନେତକୁ ବଲବଲ କରି ଚାହିଁ ରହିଥିଲେ। ମନେମନେ ଭାବୁଥିବେ ନିଶ୍ଚୟ, ଏମାନେ କେଉଁ ଜାତିର ପଶୁ? ରଘୁଆର ଭାଗ୍ଯ ଭଲଥିଲା, ଖୋଜୁଥିବା ଚିଜଟା ଚଞ୍ଚଳ ମିଳିଗଲା। କିନ୍ତୁ କେତେ ସମୟ ସେମାନେ ଅରଣ୍ୟର ସେହି ସ୍ଥାନରେ ଥିଲେ ତାହା ଜାଣିବା ସମ୍ଭବପର ହେଉନଥିଲା। କାରଣ, ବିଶାଳକାୟ ମହାଦ୍ରୁମ ମାନଙ୍କର ଅଭେଦ୍ଯ ଦୁର୍ଗ ଭେଦ କରି ନଭମଣ୍ଡଳରୁ କିଞ୍ଚିତ୍ ସୂର୍ଯ୍ଯାଲୋକ ମଧ୍ଯ ଅରଣ୍ଯର ବକ୍ଷଦେଶକୁ ସ୍ପର୍ଶ କରିବା ଅସମ୍ଭବ ଥିଲା। ସେତିକି ବେଳେ ରଘୁଆକୁ ଶୁଭିଲା କାହାର ବିକଟ ଚିତ୍କାର। ବିକଟ ନୁହଁ ତ କରୁଣ ଆର୍ତ୍ତ ଚିତ୍କାର। ସେମାନେ ଆଗକୁ ବଢିବା ସହିତ ଚିତ୍କାର ସ୍ପଷ୍ଟରୁ ସ୍ପଷ୍ଟତର ହେବାକୁ ଲାଗିଲା । ରଘୁଆ ନେତ କାନରେ ଧିରେ କହିଲା- - ନେତ ଶୁଣି ପାରୁଛୁ ତ ? ମୋତେ କାଇଁ ହାତୀ ପାଟି ପରି ଶୁଭୁଛି। ମାଡଗୋଳ ହୋଇ ଜଖମ ହୋଇ ଯାଇଥିବ ନିଶ୍ଚୟ। ଚାଲ ଶୀଘ୍ର ପଳେଇବା, ଆମକୁ ଦେଖିଦେଲେ ରାଗରେ ଦଳି ପକେଇବ। ନେତ କିଛି ନ ଶୁଣି ଧିର ପଦକ୍ଷେପରେ ଶବ୍ଦ ଶୁଭୁଥିବା ଦିଗରେ ଅଗ୍ରସର ହେବାକୁ ଲାଗିଲା। କିଛିବାଟ ଯିବା ପରେ ଦେଖିଲା ଏକ ବିଶାଳକାୟ ଦନ୍ତା ହାତୀ ତଳେ ପଡି ବିକଟ ଚିତ୍କାର କରୁଛି। ରଘୁଆ ମଧ୍ଯ ଦୌଡି ଆସି ଯାହା ଦେଖିଲା ଆଖିକୁ ବିଶ୍ବାସ କରି ପାରିଲାନି। ହାତୀର ଦେହରେ ଏକାଧିକ ଆଘାତର ଚିହ୍ନ। ପୂତିଗନ୍ଧମୟ କ୍ଷତସ୍ଥାନରେ ଠାଏ ଠାଏ ପୋକ ଧରିବା ଆରମ୍ଭ କଲାଣି। ମାଛି ଓ ଅନ୍ଯାନ୍ଯ କୀଟପତଙ୍ଗ ନିର୍ବିଘ୍ନରେ କ୍ଷତ ସ୍ଥାନରେ ଖୋଜି ଚାଲିଥିଲେ ସେମାନଙ୍କର ଆହାର। ଓଃ କି ଭୀଷଣ କଷ୍ଟ ପାଉଥିବ ବିଚରା। ରଘୁଆର ଦେହମୁଣ୍ଡ ଶିହରି ଉଠିଲା। ସେହି ପରିସ୍ଥିତିରେ ନିଜର କର୍ତ୍ତବ୍ଯ କଣ ବୋଲି ରଘୁଆ ଭାବିବା ବେଳକୁ ଦେଖିଲା, ନେତ ପାଖ ପୋଖରିରୁ ପଦ୍ମପତ୍ରରେ ପ୍ରସ୍ତୁତ ଏକ ଠୋଲାରେ ପାଣି ଆଣି,ନିଜ ପିନ୍ଧା ବସନରୁ ଫାଳେ ଚିରି ଓଦା କପଡାରେ କ୍ଷତ ସ୍ଥାନକୁ ପୋଛିବାରେ ଲାଗି ପଡିଛି। ଯନ୍ତ୍ରଣାରେ ହାତୀଟି ଗଁ ଗଁ ହେବା ଆରମ୍ଭ କରି ଦେଇଥିଲା। ତା ଭାଷାରେ ହାତୀକୁ ବୋଧ ଦେଇ ନେତ କ୍ଷତସ୍ଥାନ ସଫା କାମରେ ମନପ୍ରାଣ ଦେଇ ଲାଗି ପଡିଥିଲା। ରଘୁଆ ମଧ୍ଯ ମୁଣ୍ଡରେ ଭିଡିଥିବା ଗାମୁଛା କାଢି ନେତ ସାଙ୍ଗରେ ଲାଗିଗଲା। ପୋଛାପୋଛି ପରେ ଧଳା ପଡି ଆସୁଥିବା କ୍ଷତ ସ୍ଥାନ ଲୋହିତ ବର୍ଣ୍ଣ ଧାରଣ କଲା। ସେତିକି ସମୟ ମଧ୍ଯରେ ପାଳି ପାଳି କରି ନେତ ଓ ହରିଆ ପଦ୍ନପତ୍ର ତିଆରି ଠୋଲାରେ କେତେଥରରେ ପାଣି ଆଣିଲେ ତାହାର ହିସାବ ନାହିଁ। ଏବେ କ୍ଷତରେ କିଛି ଓୌଷଧ ଲଗାଇବାକୁ ହେବ। କାରଣ କ୍ଷତର ଗଭୀରତା ଓ ଆକ୍ରାନ୍ତରୁ ସ୍ପଷ୍ଟ ଜଣା ପଡୁଥିଲା ଯେ ଚିକିତ୍ସା ନକଲେ ହାତୀର ସମଗ୍ର ଶରୀର ବିଷାକ୍ତ ହୋଇ ଉଠିବ ଓ ଶେଷରେ ବିଚରା ପ୍ରାଣ ହରାଇବ। ଓୌଷଧୀୟ ଚେରମୂଳି ସନ୍ଧାନ କରିବାରେ ଉଭୟ ପୋଖତ ଥିଲେ। ସେମାନଙ୍କୁ ବିଶେଷ କଷ୍ଟ କରିବାକୁ ପଡିଲାନି। କ୍ଷତରେ ଓୌଷଧୀୟ ପ୍ରଲେପ ଲଗାଇବା ପରେ ହାତୀର ଯନ୍ତ୍ରଣାସିକ୍ତ ଚିତ୍କାରରେ ବିରାମ ଲାଗିଲା। ସେ ଆଖି ବନ୍ଦକରି ନିସ୍ତେଜ ହୋଇ ପଡି ରହିଲା। - - ଆହା ବିଚରାକୁ କିଏ ଏତେ ହୀନିମାନ କରି ମାରି ପକାଇଛି। ନଖାଇ ନପିଇ କେତେଦିନରୁ ହାତୀ ଏ ଜାଗାରେ ପଡିଛି ଜାଣିବାର ଉପାୟ ନାହିଁ। ସ୍ବଗତୋକ୍ତି କଲା ନେତ।ହାତୀ ପାଖରେ ରହିବେ ନା ଘରକୁ ଫେରିବେ ସେକଥା ବିଚାର ବିମର୍ଶ କରିବା ପରେ ଉଭୟେ ହାତୀ ପାଖରେ ରହିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଅରଣ୍ଯରେ ଯେ ଭରି ରହିଛନ୍ତି ନାନାଦି ହିଂସ୍ର ଜନ୍ତୁଗଣ। ଆକ୍ରମଣର ଆଶଙ୍କାକୁ ଏଡାଇ ଦିଆ ଯାଇ ନପାରେ। ହାତୀର ପେଟ ପାଖରେ ଅର୍ଦ୍ଧସୁପ୍ତ ଅବସ୍ଥାରେ ରାତ୍ରିଯାପନ କଲେ ଦୁଇଜଣ। ମନପ୍ରାଣ ଦେଇ ଯତ୍ନ କରି ଜଡିବୁଟି ଓୌଷଧ ଲଗାଇ ଦୁଇଦିନରେ ହାତୀ ଅବସ୍ଥାରେ ଯଥେଷ୍ଟ ସୁଧାର ଆସିଲା। ମାତ୍ର ଖାଦ୍ଯାଭାବ ହେତୁ ହାତୀଟି ନିଜ ଗୋଡରେ ଛିଡା ହେବା ପାଇଁ ଅକ୍ଷମ ଥିଲା। ଜଙ୍ଗଲରେ ଢେର ସମୟ ଖାଦ୍ଯ ଅନ୍ବେଷଣ ପରେ ରଘୁଆକୁ ମିଳିଲା ବେଶ କେତୋଟି କଦଳୀ କାନ୍ଧି ଓ ଅନ୍ଯାନ୍ଯ ଫଳ। ନିଜ ସନ୍ତାନ ପରି ନେତ ହାତୀ ପାଟିରେ ଆହାର ଭୁଞ୍ଜାଇ କହୁଥିଲା- - ମୋ ଗଜରାଜ,ଧନଟା ପରା-- ଆଉ ଟିକିଏ ଖାଇଦେ- - ନହେଲେ ଦେହରେ ବଳ ଆସିବନି ଯେ। କେମିତି ଚାଲିବୁ,ଦୌଡିବୁ ଭାବିଲୁ ଥରେ। ହାତୀଟି ଖାଇବା ପାଇଁ ଅନିଚ୍ଛୁକ ହେଲେ, ତା ମୁଣ୍ଡ ଆଉଁସି ନେତ ବୋକରେ ପୋତି ପକାଉଥିଲା। ବାସ୍ ତାପରେ ପୁଣି ହାତୀଟି ଖାଇବାରେ ଲାଗୁଥିଲା।

ଅନତିଦୂରରେ ବସି ରଘୁଆ ଦେଖୁଥିଲା ନେତ ଓ ସେହି ବିଶାଳକାୟ ହାତୀ ମଧ୍ଯରେ ଗଢି ଉଠିଥିବା ନିବିଡ ମାତୃ -ସନ୍ତାନ ସମ୍ପର୍କକୁ। ପ୍ରକୃତରେ ମାଆର ମମତା କଣ ମଣିଷ-ପଶୁର ସମ୍ପର୍କ କେବେ ବୁଝେ? ତାହା ତ ମମତାର ଚିର ପ୍ଳାବିତ ନିର୍ଝରିଣୀ। ଶରୀରରୁ ରକ୍ତ ଶୁଖି ଯାଇପାରେ ମାତ୍ର ମାତୃପ୍ରେମର ଅମୃତଧାରାକୁ ଶୁଷ୍କ କରିବାର ଶକ୍ତି ବ୍ରହ୍ମାଣ୍ଡର କୌଣସି ଶକ୍ତି ପାଖରେ ନାହିଁ।

କ୍ଷତ ପ୍ରାୟ ଶୁଖି ସାରିଥିଲା ଓ ହାତୀଟି ନିଜ ଗୋଡରେ ଛିଡା ହେବାରେ ସକ୍ଷମ ହୋଇ ପାରିଲା। ହାତୀ ପାଖରୁ ବିଦାୟ ନେବା ସମୟରେ ଛଅଟି ଆଖିରେ ସ୍ପଷ୍ଟ ବାରି ହୋଇ ପଡୁଥିଲା ମାତ୍ରାଧିକ ଆର୍ଦ୍ରତା ଯାହାର ପରିମାଣ କିଞ୍ଚିତ ଅଧିକ ହେଲେ ଗାଲ ମଧ୍ଯ ଦେଇ ପ୍ରବାହିତ ହୋଇଯବ। ଚାରିଟି ଆଖିରେ ଥିଲା ପରିପୂର୍ଣ୍ଣତାର ସ୍ବାକ୍ଷର ଓ ବାକି ଦୁଇଟିରେ କୃତଜ୍ଞତାର ଘନ ଆସ୍ତରଣ। ଗଗନପବନ ପ୍ରକମ୍ପିତ କରି ଗୁରୁ ଗମ୍ଭୀର ହୁଁକାର ନାଦରେ କମ୍ପମାନ ହେଲା ଅରଣ୍ଯସ୍ଥଳୀ ଓ ତାହା ହିଁ ଥିଲା ହାତୀଟିର ସୁସ୍ଥତାର ବଳିଷ୍ଠ ପ୍ରମାଣ। ବିପରୀତ ଦିଗରେ ଅଗ୍ରସର ହେଲେ ନେତ,ରଘୁଆ ଓ ଗଜରାଜ।

ଜନପଦକୁ ଫେରିବା ପରେ ପଡୋଶୀଙ୍କ ପ୍ରଶ୍ନବାଣରେ ଜର୍ଜରିତ ହୋଇଗଲେ ଦୁଇପ୍ରାଣୀ। ସମସ୍ତଙ୍କ ଧାରଣାଥିଲା ବୋଧେ ରଘୁଆ ଓ ନେତ କୌଣସି ହିଂସ୍ର ବନ୍ଯଜନ୍ତୁଙ୍କ ଆହାର ପାଲଟି ସାରିଛନ୍ତି। ଉଭୟେ କଥାର ମୋଡ ବଦଳାଇ ଦେଇ ସେମାନଙ୍କର ବିଳମ୍ବିତ ପ୍ରତ୍ଯାବର୍ତ୍ତନର ଅସଲ କାରଣଟି ଗୁପ୍ତ ରଖିଲେ। ଦିନ ପରେ ଦିନ ବିିତି ଚାଲିଲା। ରଘୁଆ ଓ ନେତଙ୍କ ମାନସପଟ୍ଟରେ ସେଦିନର ଘଟଣା ଧୂମ୍ରାଭ ହେବାକୁ ଲାଗିଲା। ସେହିଦିନ ପରଠାରୁ ସେମାନେ ପ୍ରାୟ ଅରଣ୍ଯର ସେହି ନିଭୃତ ନିଷିଦ୍ଧ ଅଞ୍ଚଳକୁ ଯିବାର ଆବଶ୍ଯକତା ପଡି ନଥିଲା। ଅତଏବ, ଗଜରାଜର ଅବସ୍ଥିତି ବିଷୟରେ ସେମାନେ ଅଜ୍ଞ ଥିଲେ। କିନ୍ତୁ କେବେକେବେ ନେତର ମାତୃ ହୃଦୟ ଖୋଜୁଥିଲା ଗଜରାଜକୁ। ସେ ରଘୁଆକୁ ଅନେକଥର କହିଛି ଅରଣ୍ଯକୁ ଯାଇ ଗଜରାଜକୁୁ ଦେଖି ଆସିବାକୁ। ମାତ୍ର ରଘୁଆ ସେ କଥାର ଗୁରୁତ୍ବ ବୁଝି ନପାରି ନାନା ବାହାନା କରି ନେତର କଥାକୁ ଟାଳିଦିଏ।

ସେଥର ରଘୁଆ ସ୍ବେଦରକ୍ତ ସିଞ୍ଚନ କରି ତା ଚାଷଜମିରେ ସୁନା ଫଳାଇଥିଲା। ବନ୍ଯପ୍ରାଣୀଙ୍କ ଉପଦ୍ରବରୁ ଫସଲ ବଞ୍ଚାଇବାକୁ ଦୁଇପ୍ରାଣୀ ଜମି ପାଖରେ ମଞ୍ଚାବାନ୍ଧି ରାତି ଅନିଦ୍ରା ହୋଇ ଜଗି ରହୁଥିଲେ । ରଘୁଆର ଚାଷଜମି ପାଖରେ ଅନ୍ଯ ବାସିନ୍ଦା ମାନଙ୍କର ଜମିଥିଲା ଓ ସେମାନେ ମଧ୍ଯ ଚାଷ କରିଥିଲେ। ମାତ୍ର ସେମାନଙ୍କ ଫସଲ ସେତେଟା ଭଲ ହୋଇ ନଥିଲା। ତେଣୁ ରଘୁଆ ପ୍ରତି ଅସୂୟାଭାବ ରହିବା ସ୍ବାଭାବିକ ଥିଲା। ସେଦିନ ରାତିରେ ହାତୀପଲଙ୍କ ଚିତ୍କାର ଶୁଣି ରଘୁଆ ଚମକି ଉଠିଲା। ଶୁକ୍ଳପକ୍ଷ ଜହ୍ନ ଆଲୋକରେ ଦିଶି ଯାଉଥିଲା ଜଙ୍ଗଲୀହାତୀଙ୍କର ଏକ ବିରାଟ ପଟୁଆର। ଥରେ ସେମାନେ ବିଲରେ ପଶିଲେ ଆଉ କିଛି ବାକି ରହିବନି। ସବୁ ପରିଶ୍ରମ ବୃଥାଯିବ। କଣ କରିବ ଭାବି ରଘୁଆ ମୁଣ୍ଡ ଗୋଳମାଳ ହୋଇ ଯାଉଥାଏ। ହାତୀ ମାନଙ୍କୁ ଘଉଡାଇବା ପାଇଁ ପାଖଜମିର ଲୋକେ ନିଆଁହୁଳା ଧରିି ଚିତ୍କାର କରିବାକୁ ଲାଗିଲେ। ନେତ ଓ ରଘୁଆ ମଧ୍ଯ ତାଙ୍କ ଜମି ପାଖରେ ନିଆଁ ଜାଳି ସଜାଗ ହୋଇ ରହିଲେ। ହାତୀପଲ ଦୂରରୁ ଧୂଳି ଉଡାଇ ମାଡି ଆସୁଥିଲେ। ଲାଗୁଥିଲା,ସେମାନଙ୍କର ନିଆଁହୁଳା ବା ଲୋକଙ୍କ ଚିତ୍କାର ପ୍ରତି ତିଳାର୍ଦ୍ଧେ ଭ୍ରୂକ୍ଷେପ ନାହିଁ। ଏଥର ଜହ୍ମ ଓ ନିଆଁହୁଳାର ମିଳିତ ତେଜରେ ପରିଷ୍କାର ଦିଶିି ଯାଉଥିଲା ସେହି ବିଶାଳକାୟ ହାତୀ ମାନଙ୍କର ରାଜକୀୟ ରୂପଟି ମାନ। ରଘୁଆ ଜମିକୁ ହାତୀମାନେ ପଶିବାକୁ ଆଉ କେଇ ପାହୁଣ୍ଡ ବାକି ଅଛି,ନେତ କରି ପକାଇଲା ଏକ ଅପ୍ରତ୍ଯାଶିତ କାଣ୍ଡ। ଗୋଟିଏ ହାତରେ ଦାଆ ଓ ଅନ୍ଯହାତରେ ନିଆଁହୁଳା ଧରି ସେ ଦୌଡିଗଲା ହାତୀଦଳ ସମ୍ମୁଖକୁ- - ଓ ଚିତ୍କାର କରି ସେମାନଙ୍କୁ ଡରାଇ ବାର ପ୍ରୟାସ କଲା। ସେଠାରେ ଉପସ୍ଥିତ ଅନ୍ଯଲୋକେ ପରବର୍ତ୍ତୀ ଦୃଶ୍ଯ କଣ ହେବାକୁ ଯାଉଛି ଅନୁମାନ କରି ପାରୁଥିଲେ। ଦଳ ମଧ୍ଯରୁ କୌଣସି ଏକ ହାତୀ ନେତକୁ ଶୁନ୍ଯେ ଶୁନ୍ଯେ ଟେକି ନେଇ ତଳେ କଚାଡି ପାଦରେ ଦଳିଦେବ। ବାସ୍ ତାପରେ ସବୁ ଶେଷ। ରଘୁଆ ନେତକୁ ହାତୀଙ୍କ କବଳରୁ ବଞ୍ଚାଇବା ପାଇଁ ତା ପଛେପଛେ ଦୌଡିଥାଏ। ସମସ୍ତଙ୍କ ଆଶଙ୍କା ସତ୍ଯ ହେଲା। ଦଳ ଭିତରୁ ହଠାତ୍ ଏକ ହାତୀ ଆସି ନେତକୁ ଶୂନ୍ଯେଶୂନ୍ଯେ ଟେକି ନେଲା। ଏପରି ଅପ୍ରତ୍ଯାଶିତ ଆକ୍ରମଣ ପାଇଁ ଆଦୌ ପ୍ରସ୍ତୁତ ନଥିଲା ନେତ, ବିଚାରିର ହାତରୁ ନିଆଁହୁଳା ଓ ଦାଆ ତଳେ ପଡିଗଲା। ରଘୁଆ ଆଣ୍ଠୁମାଡି ତଳେ ଲଥ୍ କରି ବସି ପଡିଲା। ସେ ଥିଲା ସମ୍ପୂର୍ଣ୍ଣ ଅସହାୟ ଓ କିଂକର୍ତ୍ତବ୍ଯବିମୁଢ। ତା ସାମ୍ନାରେ ସଂଘଟିତ ହେବାକୁ ଯାଉଥିବା ଲୋମହର୍ଷଣକାରୀ ଘଟଣା ଯେ ତା ଜୀବନକୁ ଧୂଳିସାତ୍ କରିଦେବ ସେଥିରେ ସନ୍ଦେହ ନଥିଲା। ତା ଠାରୁ ସହସ୍ରଗୁଣ ଅଧିକ ବଳଶାଳୀ ହାତୀ ସମ୍ମୁଖରେ ରଘୁଆ ବିବଶ ଥିଲା। ହାତୀଶୁଣ୍ଢର ଯମଫାଶରୁ ନିଜକୁ ବଞ୍ଚାଇବାକୁ ନେତ ପ୍ରାଣମୂର୍ଚ୍ଛା ଉଦ୍ଯମ ଚଳାଇଥିଲା। କିନ୍ତୁ ତା ଶରୀର ଧିରେଧିରେ ଅବଶ ହୋଇ ପଡୁଥିଲା। ନେତକୁ ରକ୍ଷା କରିବାର କୌଣସି ବାଟ ଦିଶୁ ନଥିଲା ସୁତରାଂ ଅନ୍ଯୋପାୟ ନପାଇ ରଘୁଆ ଲମ୍ବତମ୍ବ ହୋଇ ହାତୀ ସାମ୍ନାରେ ନିଜକୁ ସମର୍ପଣ କରିଦେଲା। ଯେପରିକି ସେ ହାତୀକୁ କହିବାକୁ ଚାହୁଁଥିଲା - - ଯଦି ତାକୁ ମାରିବୁ ମୋତେ ବି ମାରିଦେ। ନେତ ବ୍ଯତିରେକେ ମୋର ବଞ୍ଚିବାର କିବା ପ୍ରୟୋଜନ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ହାତରୁ ନିଆଁହୁଳା ଖସି ସାରିଥିଲା। ସ୍ବପ୍ରାଣ ବଞ୍ଚାଇ ସେମାନେ କିପରି ପଳାୟନ କରିବେ ସେହି ବିଷୟରେ ଚିନ୍ତା କରୁଥିଲେ।

ଠିକ୍ ସେତିକିବେଳେ ବଜ୍ରଠାରୁ ମଧ୍ଯ ଭୟଙ୍କର ବିସ୍ଫୋରଣସମ ନାଦରେ ଗଗନପବନ ପ୍ରକମ୍ପିତ ହେଲା। ସେ ହୁଂକାର ଶଦ୍ଦର ତୀବ୍ରତାରେ ସବୁକିଛି ସ୍ଥାଣୁ ପାଲଟିଯିବା ପରି ମନେହେଲା। ଅତିକାୟ ମହାଦ୍ରୁମ ଭୂପତିତ ହେବା ସମୟେ ସୃଷ୍ଟି ହେଉଥିବା ପ୍ରଚଣ୍ଡ ଭୂକମ୍ପନ ସମ ଥରି ଉଠିଲା ମେଦିନୀର ବକ୍ଷସ୍ଥଳ। ମରୂଭୂମିରେ ସଂଘଟିତ ବାଲୁକାଝଡରେ ଉଡୁଥିବା ରାଶି ରାଶି ବାଲୁକାର ଘଞ୍ଚ ବାଦଲ ପରି ଉଡି ଚାଲିଥିବା ଧୂଳିକୁ ପଛରେ ଛାଡି ବିଜୁଳିବେଗରେ ମାଡି ଆସୁଥିଲା ଏକ ବିଶାଳକାୟ ଜୀବ। ତାହାର ଆଗମନର ସୂଚନା ହାତୀଦଳ ଜାଣି ପାରିଲେ ନିଶ୍ଚୟ- - ସେମାନଙ୍କ ପଙ୍ଖାସମ କର୍ଣ୍ଣ ଯୁଗଳରେ ବିସ୍ତାରିତ ହୋଇଗଲା। ହଠାତ୍ ହାତୀଦଳଙ୍କୁ ଦୁଇଭାଗରେ ବିଭକ୍ତକରି ଧୁମକେତୁ ସମ ପ୍ରବେଶକଲା ଏକ ଅତି ବିଶାଳକାୟ ଶରୀର ଓ ଦନ୍ତ ବିଶିଷ୍ଟ ହାତୀ। ହଁ ସେ ଥିଲା ହାତୀ ମାନଙ୍କର ଦଳପତି। ତାହାର ଶୁଭ୍ରସ୍ଫଟିକ ସମ ଦନ୍ତଯୁଗଳର କାନ୍ତି, ଚନ୍ଦ୍ରଆଭାରେ ଉଦଭାସିତ ହୋଇ ଉଠୁଥିଲା। ସୂର୍ଯ୍ଯଙ୍କ ଠାରୁ ଅଧିକ ଦୀପ୍ତିମାନ ଚକ୍ଷୁଯୁଗଳରୁ ବିଚ୍ଛୁରିତ ହୋଇ ଚାଲିଥିଲା ପ୍ରଚଣ୍ଡ କ୍ରୋଧର ଅଗ୍ନି ସ୍ଫୁଲିଙ୍ଗ। ଶୁଣ୍ଢକୁ ନଭମୁଖୀ କରି ଦଳପତି ସର୍ବାଗ୍ରେ ଦଣ୍ଡାୟମାନ ହେବାପରେ କ୍ରୋଧ ଜର୍ଜରିତ ହୋଇ ହୁଂକାର ପରେ ହୁଂକାର ନାଦ କରି ଚାଲିଲା। ତାହାର ସମ୍ମୁଖ ପଦାଘାତରେ କମ୍ପମାନ ହେଲା ସମଗ୍ର ଅଞ୍ଚଳ। ଦଳପତିର ଏତାଦୃଶ କ୍ରୁଦ୍ଧ ଆଚରଣରେ ସ୍ବମ୍ଭୀଭୂତ ହୋଇ ଯାଇଥିଲେ ଦଳର ଅନ୍ଯ ହାତୀଗଣ। ସେମାନଙ୍କ ଦ୍ବାରା କୌଣସି ଏକ ଗୁରୁତର ତ୍ରୁଟି ସମ୍ପାଦିତ ହୋଇଛି ନିଶ୍ଚୟ। ନଚେତ୍ ଦଳପତିର ଏପରି ରୌଦ୍ରରୂପ ପଛରେ ଅନ୍ଯ କୌଣସି ଯଥାର୍ଥ କାରଣ ଥାଇ ନପାରେ। ହାତୀଦଳ ପଛକୁ ହଟି ଚାଲିଲେ। ସମ୍ମଖରେ କେବଳ ଥିଲେ ଦଳପତି ଓ ନେତକୁ ଶୁଣ୍ଢରେ ଉଠାଇ ରଖିଥିବା ହାତୀ। ଦଳପତିର ପୁଣି ଏକ କ୍ରୁଦ୍ଧ ହୁଂକାରରେ ଶଙ୍କିତ ହୋଇ ହାତୀଟି ସାବଧାନ ସହକାରେ ନେତକୁ ଭୂମିଷ୍ଠ କଲା। ରଘୁଆ ଏସବୁ ଦେଖି ସ୍ଥାଣୁ ପାଲଟି ସାରିଥିଲା, ତଥାପି ସାହାସ କରି ଦଳପତିକୁ ନିରେଖି ଦେଖିଲା। ତା ମୁହଁରୁ ଅସ୍ପଷ୍ଟ ସ୍ବରରେ ବାହାରିଗଲା- - ଗ….ଜ । ସେ ଅଧିକା କିଛି କହି ପାରିଲା ନାହିଁ। ପିଲାଙ୍କ ପରି କଇଁକଇଁ କାନ୍ଦି ନେତ ପାଖକୁ ଦୌଡିଗଲା।

ଦଳପତିର କ୍ରୋଧ ପ୍ରଶମିତ ହେବାର ନାଁଆ ନେଉ ନଥିଲା। ତା'ର ସମଗ୍ର ଶରୀର ଦଗ୍ଧୀଭୂତ ହୋଇ ଚାଲିଥିଲା ପ୍ରତିଶୋଧର ଭୀଷଣ ଅଗ୍ନିରେ। ସେ ହାତୀଟି ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ଉଦ୍ଯତ ହୁଅନ୍ତେ, ହାତୀଟି ଶରଣ ପଶିବା ମୁଦ୍ରାରେ ଦୁଇ ଗୋଡ ସମ୍ମୁଖକୁ ଲମ୍ବାଇ ଭୁମିପରେ ଶୋଇଗଲା। ତାହାର ଅର୍ଥହେଲା - - ତ୍ରାହି ମାଂ- - ମୋର ଦୋଷ ମାର୍ଜନା କର। କିନ୍ତୁ ସେତିକିରେ ଦଳପତିର ରାଗ ଶାନ୍ତ ହେଲା ନାହିଁ। ବଜ୍ରଠାରୁ ଶକ୍ତ ଦନ୍ତ ଯୁଗଳରେ ସେ ହାତୀଟିର ଶରୀର ବିଦ୍ଧ ପାଇଁ ପ୍ରସ୍ତୁତ ହେବା ବେଳକୁ ନେତ ପାଟି କରି ଉଠିଲା- - ଗଜରାଜ, ମୋ ଧନଟା ପରା ତାକୁ ମାରନି- - ଛାଡିଦେ- - ମୋ ସୁନା ଟା ପରା- - ତୋ ମାଆର ଏତିକି କଥା ମାନିବୁନି? ଏତିକି କହି ନେତ ଦଳପତିର ଶୁଣ୍ଢକୁ ଜାବୁଡି ଧରିି ଭୋ ଭୋ ହୋଇ କାନ୍ଦି ଚାଲିଲା।

ନେତର ସେଇ କେତେପଦ କଥାରେ କି କୁହୁକମନ୍ତ୍ର ଥିଲା କେଜାଣି, ଦଳପତି ସ୍ଥାଣୁ ପାଲଟିଗଲା। ତା ଚକ୍ଷୁଯୁଗଳରୁ ଝରି ଆସୁଥିବା ଅଶୃର ଚମକ ଘନକୃଷ୍ଣ ମେଘାଚ୍ଛନ୍ନ ଆକାଶର ବକ୍ଷଚିରି ଚତୁର୍ଦ୍ଦିଗକୁ ଉଦଭାସିତ କରୁଥିବା ତଡିତ୍ ଠାରୁ କାହିଁ କେତେ ଗୁଣ ଅଧିକ ଥିଲା। ଗଜରାଜ ଆଣ୍ଠୁମାଡି ନେତ ପାଖରେ ବସିଗଲା ଓ ରଘୁଆକୁ ପାଖକୁ ଆସିବାକୁ ଇସାରା ଦେଲା। କହିବା ବାହୁଲ୍ଯ, ସେତେବେଳକୁ ହାତୀଦଳ କେଉଁଆଡେ ଅଦୃଶ୍ଯ ହୋଇ ସାରିଥିଲେ। ନେତ ଏତେଦିନ ପରେ ଗଜରାଜକୁ ପାଖରେ ପାଇ ପାଗଳୀପ୍ରାୟ ହୋଇ ବୋକରେ ପୋତି ପକାଉଥିଲା। ତେଣେ ରଘୁଆ ଗାମୁଛାରେ ଗଜରାଜର ଦେହରେ ଲାଗିଥିବା ଧୂଳି ଝାଡିବାରେ ବ୍ଯସ୍ତଥିଲା। ସେଠାରେ ଉପସ୍ଥିତ ଅନ୍ଯଲୋକେ ଘରଣାର କୂଳକିନାରା ନପାଇ କେବଳ ବଲବଲ କରି ଚାହିଁ ରହିଥିଲେ ଯାହା। ରଘୁଆ ପ୍ରତି ମନରେ ଅସୂୟାଭାବ ରଖିଥିବା ଲୋକେ ଭୟରେ ଜଡ ପାଲଟି ଯାଇଥିଲେ। ଦୈବାତ୍ ରଘୁଆର ଶତୃ ଭାବରେ ପରିଚିତ ହେଲେ ତାଙ୍କ ଅବସ୍ଥା କେତେ ଯେ ଭୟାନକ ହେବ ସେ ବିଷୟ ମନକୁ ଆସିବା ମାତ୍ରେ ତାଙ୍କ ଦେହ ଶିହରି ଉଠୁଥିଲା।

ସୁଦୂର ଆକାଶରେ ଅନେକାଂଶରେ ବର୍ତ୍ତୁଳାକାର ଧାରଣ କରିଥିବା ଚନ୍ଦ୍ରମା ଓ ତାରାଗଣ ସହାସ୍ଯ ବଦନରେ ପରମତୃପ୍ତିର ସହ ଦେଖି ଚାଲିଥିଲେ ମର୍ତ୍ତ୍ଯରେ ସଂଘଟିତ ସେହି ପ୍ରେମ ଓ ପରିପୂର୍ଣ୍ଣତାର ସ୍ବର୍ଗୀୟ ଦୃଶ୍ଯ। ମନ୍ଦମନ୍ଦ ବୋହୁଥିବା ସମୀର ପ୍ରେମର ସେହି ଅବ୍ଯକ୍ତ ଅଥଚ ଗୁଢ ବାର୍ତ୍ତାକୁ ଯୋଜନବ୍ଯାପୀ ପ୍ରସାର କରିବା ଉଦ୍ଦେଶ୍ଯରେ ନିଜର ବେଗ ବଢାଇ ଦେବା ପରି ଲାଗୁଥିଲା। ଛଅଟି ଚକ୍ଷୁରୁ ଅବାରିତ ଝରି ପଡୁଥିଲା ଆନନ୍ଦ ଓ ପ୍ରାପ୍ତିର ଅମୃତାଶୃ ।


Rate this content
Log in

Similar oriya story from Drama