Arabinda Rath

Comedy

4.4  

Arabinda Rath

Comedy

ବୀର ନଟବର

ବୀର ନଟବର

14 mins
430


ଚଳଚିତ୍ର ହେଉ ବା ବାସ୍ତବ ଜୀବନ, ବୀରଗଣଙ୍କୁ ଦେଖିଲେ ନଟବର ସାମନ୍ତରାୟଙ୍କ ଦେହ ଭିତରେ ଶିହରଣ ଖେଳି ଯାଉଥିଲା। ହେତୁ ପାଇବା ଦିନରୁ ହିଁ ସେ ନିଜକୁ କଳ୍ପନା କରୁଥିଲେ ଏକ ବୀରପୁଙ୍ଗବ ଚରିତ୍ରରେ। ଅତୀତରେ ରାମାୟଣ,ମହାଭାରତ ଧାରାବାହିକ ଦେଖିବା ଉତ୍ତାରୁ ତାଙ୍କ ଶରୀରରେ ଭରି ଯାଉଥିଲା ଶତସିଂହର ବଳ। ନିଜର ଅଦମ୍ଯ ବଳ ଓ ଯୁଦ୍ଧକୌଶଳର ପରାକାଷ୍ଠା ଦେଖାଇବାରେ ସେ କେବେ ପଛଘୁଞ୍ଚା ଦେଉ ନଥିଲେ। ସାଙ୍ଗସାଥୀ ତଥା ଭ୍ରାତା ଭଗିନୀଙ୍କୁ ଦୁଇ ଚାରି ବିଧା କଷିଦେଇ ଅବା ଅମୃତଭଣ୍ଡା ପତ୍ରର ଡାଙ୍ଗରେ ନିର୍ଘାତ ପ୍ରହାର କରି ଭୂପତିତ କରିବାରେ ତାଙ୍କୁ ମିଳୁଥିଲା ଅପୂର୍ବ ଆନନ୍ଦ। ସେହି ସମୟରେ ସେ ନିଜକୁ କୌଣସି ଏକ ଭୟଙ୍କର ଯୁଦ୍ଧର ସମ୍ମୁଖଯୋଦ୍ଧା ଭାବରେ ବିବେଚନା କରୁଥିଲେ, ଏହା ଯେ କେହି ବି କହି ପାରିବ। ଅବଶ୍ଯ ତାଙ୍କର ବୀରତ୍ବର ପ୍ରତ୍ଯୁତ୍ତର ମିଳୁଥିଲା ବେଶ୍ ନିର୍ଦ୍ଦୟ ରୂପରେ। ତାଙ୍କ ଆକ୍ରମଣର ଶିକାର ହୋଇଥିବା ଭ୍ରାତା ଭଗିନୀ ବା ସାଙ୍ଗସାଥୀ ମାନେ ଅନେକ ଥର ବାଳକ ନଟବରଙ୍କୁ ଗୋବରଗଦା, ପଙ୍କିଳ ପୋଖରି ଅବା ପିମ୍ପୁଡିମନ୍ଦା ଉପରକୁ ନିଷେପ କରି ଭୟଙ୍କର ଅଟ୍ଟହାସ୍ଯ କରୁଥିଲେ। ବିଦ୍ଯାଳୟ ହତା ମାଡିବା ପରେ ନଟବରଙ୍କ ବୀର ହେବାର ନିଶା ଧିରେଧିରେ ଛାଡି ଯାଇଥିଲା। କାରଣ ଟି ଥିଲା ବେଶ୍ ରୋଚକ। ତାଙ୍କ ଶ୍ରେଣୀର ସବୁଠାରୁ ଦୁର୍ବଳ ପିଲାଟି ପାଣି ପିଇବାକୁ ଯିବା ସମୟରେ ନଟବରଙ୍କ ହାବୁଡରେ ପଡି ଯାଇଥିଲା। ତାଙ୍କୁ ଅବମାନନା କରି ପିଲାଟି ପ୍ରଥମେ ସୁରେଇରୁ ପାଣି ପିଇବା ଦେଖି ନଟବରଙ୍କ ପକ୍ଷରେ କ୍ରୋଧ ସମ୍ବରଣ କରିବା ଦୁଃସାଧ୍ଯ ଥିଲା। ଅତଏବ,ସେ ପିଲାଟି ଉପରକୁ ଲମ୍ଫ ପ୍ରଦାନ କଲେ। ପିଲାଟି ସୁରେଇ ଉପରେ ପଡିଲା ଓ ନଟବର ପିଲାଟି ଉପରେ। ଅନ୍ଯ ପିଲାମାନେ କଣ ଘଟିଲା ବୋଲି ଦୌଡି ଆସି ଦେଖନ୍ତେ, ନରବର ସେହି ଦୁର୍ବଳ ପିଲାର ମୁଣ୍ଡ ଉପରେ ଦୁଇ ଚାରି ବିଧାକଷି ସାରିଲେଣି। ପିଲାଟି ନିରୁପାୟ ହୋଇ ନିଜକୁ ବଞ୍ଚାଇବାକୁ ପ୍ରୟାସ କରି ବିଫଳ ହେବା ପରେ ନଟବରଙ୍କ ଗାଲକୁ ଜୋର ରେ କାମୁଡି ଧରିଲା। ଏପରି କାମୁଡିଲା ଯେ ଜମା ଛାଡିଲା ନାହିଁ। କୌଣସି ମତେ ନିଜକୁ ସେହି ପିଲାପାଖରୁ ମୁକ୍ତ କରି ନଟବର ଛାତି ଫୁଲାଇ ଛିଡା ହେଲେ। ସେହି ପିଲାଟିକୁ ଯୁଦ୍ଧରେ ପରାଜୟ କରିବାର ପୁରସ୍କାର ଭାବରେ ସେ ଚାହୁଁ ଥିଲେ କିଛି କରତାଳି। କିନ୍ତୁ ସେତେବେଳକୁ ଜାଣିଲେ ଯେ ତାଙ୍କର ଧୋବ ଧବଳିଆ ସାର୍ଟ ଖଣ୍ଡକ ରକ୍ତରେ ଭିଜି ଯାଇଛି। ବୟସ ଟିକେ ଅଧିକ ହୋଇଥିଲେ ନଟବର ନିହାତି ଯୁଦ୍ଧଭୂମିରେ କ୍ଷରିତ ରକ୍ତ ଦେଖି ରୋମାଞ୍ଚିତ ହୋଇଥାଆନ୍ତେ। କିନ୍ତୁ ସେହି ସମୟରେ ନିଜ ଗାଲରେ ଅସମ୍ଭବ ଯନ୍ତ୍ରଣା ସାଙ୍ଗକୁ ରୁଧିରସିକ୍ତ ପିନ୍ଧାବସନ ଦେଖି ନଟବର ଚେତା ହରାଇ ପଡିଗଲେ। ଦୁର୍ବଳ ପିଲାର ଦୁଇଧାଡି ଦାନ୍ତ ମାନଙ୍କର ସ୍ବାକ୍ଷର ନଟବରଙ୍କ ଗାଲରେ ଶୋଭା ପାଉଥିଲା। ପିଲାଟିର ଛାମୁଦାନ୍ତ ଦ୍ବୟ ପୂର୍ବରୁ ଭୂପତିତ ହୋଇ ସାରିଥିଲେ, ତେଣୁ ସେମାନଙ୍କ ସ୍ବାକ୍ଷରସ୍ଥାନ ନଟବରଙ୍କ ଗାଲରେ ରିକ୍ତ ଥିଲା। ବିଦ୍ଯାଳୟରୁ ଚିକିତ୍ସାଳୟ ଓ ତତ୍ପରେ ସ୍ବଗୃହକୁ ଆଗମନ କରିବା ମଧ୍ଯେ ନଟବର ଯେତିକି ଉପଦେଶ ଓ ଚେତାବନୀ ଶୁଣିଥିଲେ ତାହା ଅଦ୍ଯାବଧି ତାଙ୍କ କର୍ଣ୍ଣଯୁଗଳରେ ଗୁଞ୍ଜରିତ ହୁଏ। ସୁସ୍ଥ ହୋଇ ବିଦ୍ଯାଳୟକୁ ପୁନରାଗମନ ସମୟେ ନଟବର ଶୁଣିଲେ,ସେହି ଅତି ଦୁର୍ବଳ ପିଲାଟିର ବାପା ସେହି ଅଞ୍ଚଳର ଜଣେ ନାମଜାଦା ଗୁଣ୍ଡା ଓ ସେ ଏକାଧିକବାର ନଟବରଙ୍କ ସନ୍ଧାନରେ ବିଦ୍ଯାଳୟକୁ ଆସିଛି। ସେତିକି ଶୁଣି ତାଙ୍କ ବୀରପଣିଆ ଏପରି ଅନ୍ତର୍ଧ୍ଯାନ ହେଲା ଯେ ସେ ଏକବାରେ ସୁନାପିଲା ହୋଇଗଲେ। ଇତି ମଧ୍ଯରେ ଅନେକବର୍ଷ ବିତି ଗଲାଣି। ଏକାଧିକବାର ନଟବରଙ୍କ ମନରେ ପୁଣି ଥରେ ବୀରଯୋଦ୍ଧା ହେବାର ଲାଳସା ଦୁର୍ବାର ହୋଇ ଉଠିଛି। ମାତ୍ର କୌଣସି ମତେ ନିଜକୁ ଆୟତ କରିବାରେ ସଫଳ ହୋଇ ପାରିଛନ୍ତି।

ବାଲ୍ଯାବସ୍ଥାର ସେହି ଦାରୁଣ ଅନୁଭବ ନଟବରଙ୍କ ବୀରତ୍ବ ଉପରେ ନିର୍ଘାତ ପ୍ରହାର କରିଥିଲା ସତ,ମାତ୍ର ନିଶ୍ଚିହ୍ନ କରି ପାରି ନଥିଲା। ବାହ୍ଯଜଗତରେ ସେ ବୀରତ୍ବ ପ୍ରକାଶିବାରୁ କ୍ଷାନ୍ତ ହେଲେ କିନ୍ତୁ ଅନ୍ତଃର୍ମନରେ ସେ ଲଢି ସାରିଥିଲେ ଅଗଣିତ ଯୁଦ୍ଧ।

କିଏ ବା କାହିଁକି ଜାଣିବ, "ମାଛି କୁ ମ " କହୁ ନଥିବା ନଟବରଙ୍କ ମାନସପଟ୍ଟଳରେ ଲୋମହର୍ଷକ ଯୁଦ୍ଧର ଦୃଶ୍ଯାବଳୀ ଅବାରିତ ଭାସି ଚାଲିଥିଲା। ସେ ଲଢୁଥିଲେ କ୍ଷୀରବାଲା ସହିତ, ପେପରବାଲା ଓ ପରିବା ଦୋକାନୀ ସହିତ। ଘରେ ପତ୍ନୀ ଓ ପିଲାମାନଙ୍କ ସହ ଲଢିବା ସଙ୍ଗେସଙ୍ଗେ ଅଫିସ ର ପ୍ରତ୍ଯେକ କର୍ମଚାରୀଙ୍କ ସହିତ। ସବୁଠାରୁ ଭୟଙ୍କର ଯୁଦ୍ଧ ହେଉଥିଲା ତାଙ୍କ ଅଫିସ ର ମୁଖ୍ଯଙ୍କ ସହିତ। ସେପରି ଯୁଦ୍ଧ କୁରୁକ୍ଷେତ୍ରରେ ହୋଇଥିବ କି ନାହିଁ ସେ ବିଷୟରେ ନଟବର ସନ୍ଦିହାନ ଥିଲେ। ନିତିଦିନ ସେ ଅଫିସମୁଖ୍ଯଙ୍କ ଜାନୁଭଙ୍ଗ କରି ସେହି ରକ୍ତରେ ସ୍ନାନ କରୁଥିଲେ। ସହସ୍ରାଧିକ ବାର ଅଫିସମୁଖ୍ଯଙ୍କ ଶିରଚ୍ଯୁତ କରି ସେ ଫୁଟବଲ ଖେଳୁଥିଲେ। ତାଙ୍କ ଶରୀରର ପ୍ରତ୍ଯେକଟି ଅସ୍ଥିମଜ୍ଜାକୁ କଡମଡ କରି ଭାଙ୍ଗି ନିକ୍ଷେପ କରୁଥିଲେ ପୂତିଗନ୍ଧମୟ ନର୍ଦ୍ଦମାକୁ। ଅବଶ୍ଯ, ଏସବୁ ଯୁଦ୍ଧ ମାନସିକ ସ୍ତରରେ ଥିଲା। ବାସ୍ତବ ଜୀବନରେ ନଟବରଙ୍କ ଠାରୁ ଶାନ୍ତ ପ୍ରାଣୀ ଜୀବମଣ୍ଡଳରେ ଥିବେ ବୋଲି ଆମେ ବିଶ୍ବାସ କରି ପାରୁନାହୁଁ। ପତ୍ନୀଙ୍କ ପ୍ରତିଟି ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରିବାଠାରୁ ଆରମ୍ଭ କରି ପରିବା ଦୋକାନୀ ପଚାସଢା ପରିବା ଦେଇ ତଟକା ବୋଲି ଯୁକ୍ତି କରିବାପରେ ମଧ୍ଯ ନିରୁତ୍ତର ହୋଇ ପରିବା କିଣିବା ଯାଏଁ, ସମସ୍ତ ସ୍ଥାନରେ ନଟବର ଥିଲେ ଅସୀମ ଧୈର୍ଯ୍ଯ ଓ ନୀରବତାର ମୂର୍ତ୍ତିମନ୍ତ ପ୍ରତୀକ।

ହୋଃ ନଟିଆ ସାହେବ,ତୁମକୁ ବଡସାର୍ ଡାକୁଛନ୍ତି। ଏମନ୍ତ ତାଚ୍ଛଲ୍ଯପୂର୍ଣ୍ଣ ସମ୍ଭାଷଣରେ ନଟବରଙ୍କ ଧ୍ଯାନ ଭଗ୍ନ ହେଲା ଓ ସେ ପ୍ରକୃତିସ୍ଥ ହେଲେ। ପିଅନ ହାତରେ ବଡସାର ଡକାଇଛନ୍ତି। କିଛି ଗୁରୁତ୍ବପୂର୍ଣ୍ଣ କାମ ଥିବ ନିଶ୍ଚୟ। ବାଧ୍ଯଛାତ୍ରଟି ପରି ସେ ବଡସାରଙ୍କ ପ୍ରକୋଷ୍ଠରେ ଉପସ୍ଥିତ ହେଲେ।

– ହଇହୋ ନଟ,କାମ ତ ଯାହା କରୁଛ ନ କହିବା ଭଲ- - ପୁଣି କେଉଁ ସାହାସରେ ଛୁଟି ମାଗୁଛ? ତୁମ ମାନଙ୍କୁ ଯଦି ଏମିତି ଛୁଟି ଦେବି ଏ ଅଫିସ ର କାମ କିଏ କରିବ? ବଡସାରଙ୍କ ଉକ୍ତିରେ ଥିଲା ଚେତାବନୀ ଓ ହେୟଜ୍ଞାନ ।

- - ନାଇଁ ସାର୍, ପରିବାରକୁ ନେଇ ଶ୍ରୀକ୍ଷେତ୍ର ଯିବାକୁ ଭାବିଥିଲି ତ ସେଥିପାଇଁ ଦୁଇ ଦିନ ଛୁଟି ନଟବରଙ୍କ ବାକ୍ଯ ସମାପ୍ତ ହେବା ପୂର୍ବରୁ ବଡସାର୍ ଗର୍ଜି ଉଠିଲେ।

- - ଭାଗ୍ ଏଠୁ। ମୁର୍ଖ କାହାଁକା, କାମଧାମ ପାଞ୍ଚ ପଇସାର ନାହିଁ। ଏଣେ ବୁଲି ଯିବାକୁ ମନ ବଳାଉଛି। ଯଦି ଏତେ ବୁଲି ଯିବାକୁ ମନ, ଚାକିରି ଛାଡି ଦିଅ। ସେହି ଶ୍ରୀକ୍ଷେତ୍ରରେ ଥାଳିଆ ମେଲେଇ ବସିଯାଆ, ଭଲ ରୋଜଗାର ହେବ। କହିଲା କଣ ନାଁ ବୁଲିଯିବ। କିଛି ଛୁଟି ମିଳିବନି ଦରଖାସ୍ତ ଖାରଜ ହେଲା ଯାଇ କାମରେ ମନ ଦିଅ। ଗୋଟେ ନିଶ୍ବାସରେ ବାକ୍ଯ ସମ୍ପାଦନ କରି ବଡସାର ସିଗାରେଟ ଫୁଙ୍କିବାରେ ଲାଗିଲେ।

ଅପମାନରେ ନଟବରଙ୍କ ମୁଖମଣ୍ଡଳ ରକ୍ତିମ ଦିଶିଲା। ସଦ୍ଯ ଚାକିରିରେ ଯୋଗଦାନ କରିଥିବା ଯୁବତୀ ସେକ୍ରେଟେରି ଆଖିମିଟିକା ମାରି ନଟବରଙ୍କୁ ଚାହିଁ ହସୁଥିଲା। ଅନ୍ଯ କର୍ମଚାରୀ ମାନଙ୍କ ମନରେ ଭରିି ରହିଥିଲା ଅଦମ୍ଯ ଆଗ୍ରହ - - ନଟବରଙ୍କ କାନ୍ଦୁରା ମୁଖମଣ୍ଡଳ ଦେଖି ସେମାନେ ଆହୁରି ତୃପ୍ତ ଅନୁଭବ କଲେ। ଯୁବତୀଟି ବଡସାରଙ୍କ ହାତକୁ ଗରମ କଫିକପ୍ ବଢାଇ ଦେବା ସମୟରେ ନଟବର କିଂକର୍ତ୍ତବ୍ଯବିମୁଢ ଅବସ୍ଥାରେ ଛିଡା ହୋଇଥିଲେ। ବଡସାର ପୁଣି ଗର୍ଜି ଉଠିଲେ- - ଆବେ, ନିଜ ସିଟ୍ କୁ ନ ଯାଇ ପଥର ପରି ଛିଡା ହୋଇଛୁ କଣ? ମୋ ସାଙ୍ଗରେ ବସି କଫି ପିଇବାକୁ ମନ ହେଉଛି ନା କଣ?

ଦୁଇଟୋପା ଲୁହ ନଟବରଙ୍କ ମାଂସବିହୀନ ଗାଲ ମଧ୍ଯେ ପ୍ରବାହିତ ହେଲା। ଲୋତକାପ୍ଳୁତ ଚକ୍ଷୁ ଯୁଗଳରେ ପରିପାର୍ଶ୍ବର ଦୃଶ୍ଯରାଜି ଧୂମ୍ରାଭ ହେବାକୁ ଲାଗିଲା। ଅଫିସ ଚେୟାରରେ ବସି ସେ ସ୍ମରଣ କରୁଥିଲେ ପତ୍ନୀଙ୍କର ଚେତାବନୀ - - ମୋ ସାଙ୍ଗ ଭଉଣୀର ବାହାଘର ଅଛି ପୁରୀରେ। ସପରିବାରେ ଯିବାକୁ କାନେକାନେ କହିଛି। ଦୁଇଦିନ ଛୁଟି ଧରି ଆସିଲେ ବାହାଘର କାମ ସାଙ୍ଗକୁ ପୁରୀବୁଲା ବି ହୋଇଯିବ। ହେଇଟି ଖବରଦାର- - ଛୁଟି ଯେମିତି ହେଲେ ଆଣିବ,ଏଥର କୌଣସି ବାହାନା ଶୁଣିବିନି। ତୁମ ବଡସାର ସାମନାରେ ଛେଳି ପରି ମେଁ ମେଁ ନ ହୋଇ ସିଂହ ପରି ଗର୍ଜନ କରି ଛୁଟି ମାଗିବ। ଦେବନି କେମିତି ଦେଖିବା। ମୋ କଥା ଅନ୍ଯଥା ହେଲେ ପରିଣାମ କଣ ହେବ ତୁମେ ଭଲରେ ଜାଣିଛ। ବଡ କରୁଣ ଦିଶିଲା ନଟବରଙ୍କ ମୁହଁ।

ଦୀର୍ଘ ନିଶ୍ବାସ ଛାଡି କହିଲେ ହଁ, ମୋ ପରିଣାମ କଣ ଆଉ ହେବ। ପିଲାଙ୍କ ସାମ୍ନାରେ ମୋତେ ବେଜ୍ଜିତ୍ କରି ଦୁଇ ଚାପୁଡା ମାରିବ ଓ ସମସ୍ତେ ପୁରୀ ଚାଲିଯିବ। ତେଣେ ନିଜ ସାଙ୍ଗସାଥୀଙ୍କ ସାମନାରେ ମୋ ନାମରେ ଯାହାଇଛା ତାହା ଗପିବ। ଏହା ଠାରୁ ଅବସ୍ଥା ବେଶି ଗୁରୁତର ହେଲେ କିଛିଦିନ ପାଇଁ ବାପଘରକୁ ଚାଲିଯିବ। ହେବ ଆଉ କଣ?

ନଟବରଙ୍କ ଆଶଙ୍କା ସତ୍ଯ ହେଲା। ପତ୍ନୀ ଭୀଷଣ ଗାଳିିମନ୍ଦ କରବା ସହିତ ତାଙ୍କ ମୁହଁକୁ କାଚ ଗିଲାସଟେ ଫୋପାଡିଦେଲେ। ପତ୍ନୀ ନିଷ୍ପତ୍ତି ନେଇ ସାରିଥିଲେ ପିଲାଙ୍କୁ ନେଇ ପୁରୀ ଯାଇ ବିଭାଘରରେ ଯୋଗଦାନ କରିବେ ଓ ତତ୍ପରେ ପିତୃଗୃହକୁ ଗମନ କରିବେ। ଭଙ୍ଗା କାଚଖଣ୍ଡ ସବୁ ଉଠାଇବା ସମୟରେ ନଟବରଙ୍କ କାନରେ ପଡୁଥିଲା ପତ୍ନୀ ଓ ପିଲା ମାନଙ୍କର କଟୁକ୍ତି। ଅବଶ ଶରୀରକୁ ସୋଫା ଉପରେ କିଛି ସମୟ ପାଇଁ ଗଡାଇ ଦେବା ଅବସରରେ ରୋଷେଇଘରେ କିଛି ଜଳି ଯାଉଥିବାର ବାସ୍ନାରେ ସେ ପ୍ରକୃତିସ୍ଥ ହେଲେ। ଓଃ, କ୍ଷୀର ଉତୁରି ଯାଉଛି। ହଁ ପତ୍ନୀ ତ ରାଗରେ ଜଳୁଛନ୍ତି,ଗ୍ଯାସ ଉପରେ କ୍ଷୀର ବସେଇ ଭୁଲି ଯାଇଥିବେ ପରା। ଅବିଳମ୍ବେ ସେ କେଇ ଚାମଚ ଚିନି ଉତୁରି ଆସୁଥିବା କ୍ଷୀର ଉପରେ ନିକ୍ଷେପ କଲେ। ବାଧ୍ଯ ପିଲାଟି ପରି ବାସନ ର କୂଳଲଙ୍ଘନ କରୁଥିବା କ୍ଷୀର ଥମିଗଲା- - ନିଜର ସୀମା ବିଷୟରେ ସଚେତନ ହୋଇ ପୁଣି ବାସନ ଭିତରେ ଫୁଟିବାକୁ ଲାଗିଲା। ଏହି ଦୃଶ୍ଯ ନଟବରଙ୍କ ମନରେ ତଡିତ୍ ପ୍ରବାହ ଖେଳାଇଦେଲା। ଆରେ ସତେ ତ! ତାଙ୍କର ଅବସ୍ଥା ଠିକ୍ ଏହି ଫୁଟୁଥିବା କ୍ଷୀର ପରି। ତାଙ୍କ ଅନ୍ତରାତ୍ମାରେ ଅହରହ ଫୁଟିଚାଲିଥିବା ଯୁଦ୍ଧଂଦେହୀ ହୁଙ୍କାର କୁ ପରିବେଶ ଓ ପରିସ୍ଥିତି ଠିକ୍ ଏହିପରି ଅବଦମିତ କରି ଚାଲିଛନ୍ତି। ନାଃ, ଆଉ ନୁହେଁ। ଅବଦମିତ ହେବାର ସମୟ ଶେଷ ହୋଇଛି। ସେ ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ। ରୋଷେଇଘରେ ମୃଦୁ ଗୁଞ୍ଜରଣ କରି ଶୂନ୍ଯରେ ଖଣ୍ଡା ବୁଲାଇବାର ଅଭ୍ଯାସରେ ଲାଗିଗଲେ ନଟବର। ସହି କ୍ଷଣି ପିଠିରେ ପଡିଲା କାହାର ଭୀଷଣ ଧକ୍କା। ସେ ଛିଟିକି ପଡି କାନ୍ଥରେ ବାଡେଇ ହୋଇଗଲେ। କିଛି ବୁଝିବା ପୂର୍ବରୁ ପତ୍ନୀ କ୍ଷୀରପାତ୍ରକୁ ସାଙ୍ଗରେ ନେଇ ପ୍ରସ୍ଥାନ କରୁଥିବା ଦୃଶ୍ଯହେଲା। ଉତୁରି ପଡୁଥିବା କ୍ଷୀର ପରି ନଟବରଙ୍କ ଆତ୍ମାରେ ଫୁଟି ଚାଲିଥିବା ବୀରତ୍ବ, ପୁଣିଥରେ ଜାକିଜୁକି ହୋଇ ଆତ୍ମଗୋପନ କରିନେଲା। ଶୂନ୍ଯକୁ ଚାହିଁ ଅଟ୍ଟହାସ୍ଯ କଲେ ନଟବର ହାଃ ହାଃ ହାଃ ଡରିଗଲ। ତୁମେ ସମସ୍ତେ ମୋତେ ଡରିଗଲ। ମୋ ବୀରତ୍ବର ତେଜ ସହ୍ଯ କରିବାର ଶକ୍ତି ତୁମ ପାଖରେ ନାହିଁ। ଏ କଥା ମୁଁ ଜାଣେ। ସେଥିପାଇଁ ତ ତୁମେ ଶଙ୍କିତ,କମ୍ପିତ ଓ ତ୍ରସ୍ତ।

ସେହିରାତିରେ ନଟବରଙ୍କ ପେଟରେ ଦାନା ପଡିଲା ନାହିଁ । ସାରାରାତି ବୈଠକଖାନାରେ ବସି ଯୁଦ୍ଧରେ ସେ କେତେଜଣଙ୍କୁ ପରାସ୍ତ କଲେ ତାହାର ହିସାବ ନାହିଁ। କିନ୍ତୁ ପରଦିନ ସକାଳେ ତାଙ୍କ ମୁଖମଣ୍ଡଳରେ ଝଲସି ଉଠୁଥିଲା ଅପୂର୍ବ ପ୍ରଶାନ୍ତିର ଝଲକ। ତାଙ୍କ ମୁହଁରେ କବାଟ ବନ୍ଦ କରି, ପତ୍ନୀ ପିଲା ମାନଙ୍କୁ ନେଇ ବାହାରିଗଲେ। ଯିବା ବେଳକୁ ସାନ ପୁଅଟା ବଡ ପାଟି ରେ କହିଲା ହଇରେ ନଟୁ, ବୋଲୁଅ ପଡି ତୋ ମୁଣ୍ଡଟି ଫାଟୁ। ପୁଅର ଏ ଅଭଦ୍ରାମୀ ପାଇଁ ପତ୍ନୀ ତାକୁ ଆକଟ କରିବା ବଦଳରେ କହିଲେ ଠିକ୍ କହିଲୁ ପୁଅ,ଏ ବଣୁଆ ଭାଲୁ ମୁଣ୍ଡରେ ବୋଲୁଅ କଣ ପର୍ବତ ପଡିଯାଉ। ମାଇଗୁଲି କୋଉଠିକାର। କବାଟ ବନ୍ଦ ହୋଇ ସାରିଥିଲା ଅନେକ ବେଳୁ,ମାତ୍ର ନଟବରଙ୍କ ମସ୍ତିଷ୍କରେ ଅହରହ ବିସ୍ଫୋରଣ ମାନ ସଂଘଟିତ ହୋଇ ଚାଲିଥିଲା। ଏଡିକି ବକଟେ ଛୁଆ,ନିଜ ବାପକୁ ଏମିତି କଥା କହି ପାରିଲା ଏତେ ଦୁଃସାହାସ ପୁଣି ପିଲାଙ୍କ ସାମନାରେ ପତ୍ନୀ ତାଙ୍କୁ ମାଇଚିଆ କହିଲେ। ଅପମାନର ଗରଳ ପିଇପିଇ ନୀଳକଣ୍ଠ ପାଲଟି ସାରିଥିବା ନଟବରଙ୍କ ପକ୍ଷରେ ଏପରି ଅପମାନ ନୂଆ ନଥିଲା। କିନ୍ତୁ ତାଙ୍କ ପୁଅ ପ୍ରଥମଥର ଏପରି ଅଭଦ୍ରାମୀ କରିଥିଲା। ପାପୁଲିରେ ମୁହଁ ଢାଙ୍କି ବସି ରହିଲେ କିଛି କ୍ଷଣ। ତାଙ୍କ ମାନସପଟ୍ଟରେ ଭାସି ଉଠିଲା ପୁଣି ଏକ ଯୁଦ୍ଧର ଦୃଶ୍ଯ। ଦେହହାତ ଅବଶ ଲାଗୁଥିଲା। ଅତଏବ୍, ସେ ଗୋଟିଏ ହାତରେ ଶୂନ୍ଯରେ ତରବାରୀ ଚାଳନା କରିବାକୁ ଲାଗିଲେ। ସେଦିନ ଅଫିସ ଯିବାକୁ ମନ ନଥିଲା। କିନ୍ତୁ ନ ଗଲେ ନିସ୍ତାର ନାହିଁ। ନିର୍ଦ୍ଧାରିତ ସମୟରେ ଅଫିସରେ ନ ପହଞ୍ଚିଲେ ଚାକିରି ପ୍ରତି ବିପଦ ଅଛି। ତାଙ୍କ ନଜରରେ ଖବର କାଗଜରେ ବାହାରିଥିବା ଏକ ବିଜ୍ଞାପନ ପଡିଲା। "ଜୀବନର ସମସ୍ତ ସମସ୍ଯାର ସମାଧାନ ସହିତ ଇହଜନ୍ମ,ପୂର୍ବଜନ୍ମ ଓ ପରଜନ୍ମ ବିଷୟରେ ଜାଣିବା ପାଇଁ ନିମ୍ନଲିଖିତ ଠିକଣାରେ ସାକ୍ଷାତ କରନ୍ତୁ ।" ସେହି ବିଜ୍ଞାପନକୁ ଅତି ଆଗ୍ରହ ସହକାରେ ଦେଖିବାକୁ ଲାଗିଲେ।

କେମିିତି ହୁଅନ୍ତା ଯଦି ମୋ ପୂର୍ବଜନ୍ମର ବୃତ୍ତାନ୍ତ ଜଣା ପଡି ଯାଆନ୍ତା। ମୋର ଦୃଢ ବିଶ୍ବାସ,ମୁଁ ନିହାତି ରାମାୟଣ ଅବା ମହାଭାରତ ସମୟର ଯୋଦ୍ଧା ହୋଇଥିବି। ସେତିକି ନହେଲେ ବି ମୋଗଲ ସାମ୍ରାଜ୍ଯ ବା ଇଂରେଜ ଶାସନକାଳରେ ଯୋଦ୍ଧା ତ ଅବଶ୍ଯ ହୋଇଥିବି। ଅନ୍ଯଥା କାହିଁକି ମୁଁ ଦିବାରାତ୍ର ଯୁଦ୍ଧରତ ରହୁଛି। କାରଣ ଟା ଜାଣିବା ନିହାତି ଆବଶ୍ଯକ। ମନେମନେ କହିଲେ ନଟବର। ଘରେ ତାଙ୍କ ବ୍ଯତୀତ ଅନ୍ଯ କେହି ନଥିଲେ। ତେଣୁ ସେ ଚଞ୍ଚଳ ଅଫିସ ବାହାରିଗଲେ। ଯାହାହେଲେ ବିଜ୍ଞାପନ ବର୍ଣ୍ଣିତ ଠିକଣାରେ ପହଞ୍ଚି ବାକୁ ହେବ। ଆଜି ହିଁ ଏବେ ହିଁ। ନଟବରଙ୍କ ଆଶା ମୁତାବକ ଗହଳି ସେହି ଠିକଣାରେ ଦିଶୁ ନଥିଲା।କେବଳ ଦୁଇ ତିନୋଟି ସାଇକେଲ ଛିଡା ହୋଇଥଲା ଯାହା। ଠିକଣାର ଅନତିଦୂରରେ ଏକ ଷଣ୍ଢ ବିଶାଳ ବରଗଛ ମୂଳେ ପାକୁଳି କରିବାରେ ବ୍ଯସ୍ତଥିଲା। ଷଣ୍ଢକୁ ଦେଖି ରୋମାଞ୍ଚିତ ହେଲେ ନଟବର। ଆରେ ମୋର ତ ବୃଷ ରାଶି- - ଏହି ବଳଶାଳୀ ଷଣ୍ଢ ଓ ମୋ ଭିତରେ କିଛି ସମାନତା ତ ନିଶ୍ଚୟ ଥିବ। ବେଶି ନହେଲେ ବି ମୁଁ ପାଞ୍ଚ ଛଅଟା ଲୋକଙ୍କୁ ଟେକି ଦୂରକୁ ଫିଙ୍ଗି ଦେଇ ପାରିବି। ହେଃ ମୁଁ କାହିଁକି ଷଣ୍ଢ ପରି ହେବି। ବରଂ ମୁଁ ସିଂହ ସାକ୍ଷାତ ସିଂହ। ରାଶି ସିଂହ ନହେଲେ କଣ ହେବ ମୋ ଗୁଣ ଗାରିମା ତ ସିଂହ ପରି। କଳ୍ପନା ରାଜ୍ଯରେ ବିଚରଣ କରିବାକୁ ଉଦ୍ଯତ ହୁଅନ୍ତେ, କାହା ଡାକରେ ନଟବର ପ୍ରକୃତିସ୍ଥ ହେଲେ। ସତର ଅଠର ବର୍ଷର ଭେଣ୍ଡିଆଟାଏ ତାଙ୍କୁ ପଚାରିଲା ଆଜ୍ଞା, ସେ ତ୍ରିକାଳଦର୍ଶୀ ବାବାଙ୍କ ଘର ଏଇଠି ଅଛି ନା? ମୋତେ କଣ ଭାବିିଲୁ କିରେ ମୁଢ ଯୁବକ। ତୋତେ ମୁଁ ବାବାଙ୍କ ସେକ୍ରେଟେରୀ ପରି ଲାଗୁଛି ନା କଣ? ଚିହିଁକି ଉଠିଲେ ନଟବର। ଓଃ ମଉସା ମାଇଣ୍ଡ କଲ କି? ତୁମ ରୂପଭେକ ଦେଖିଲେ ସେମିତି ଲାଗୁଛି ତ। ଛିଗୁଲାଇ କହିଲା ସେ ଯୁବକ। ନଟବର କଣ ଭାବିଲେ କେଜାଣି ପିଲାଟା ବେକରେ ଧକ୍କାଏ ପକାଇଲେ। ସେ ଛିଟିକି ଯାଇ ଷଣ୍ଢ ପାଖରେ ପଡିଲା। କାଳେ ଷଣ୍ଢ ଭୂଷିଦେବ ସେହି ଭୟରେ ପିଲାଟା ଜୀବନ ବିକଳରେ ଦୌଡି ପଳାଇଲା। ସେତେବେଳକୁ ନଟବରଙ୍କ ବୁକୁ ଚୌଡା ହୋଇ ସାରିଥିଲା। ଦେହର ମାଂସପେଶୀ ମାନ ଟକମକ ହୋଇ ଫୁଟିବାପରି ଲାଗୁଥିଲା। ଦେହରେ ଶତସିଂହର ବଳ ଆସିବା ପରି ଅନୁଭୂତ ହେଲା। ଲମ୍ବା ପାହୁଣ୍ଡ ପକାଇ ସେ ତ୍ରିକାଳଦର୍ଶୀ ବାବାଙ୍କ କବାଟ ଖୋଲି ଭିତରେ ପଶିଲେ। ସେତିକି ବେଳକୁ ଜଣେ ଲୋକ ରାଗରେ ଗରଗର ହୋଇ ପଦାକୁ ବାହାରିଲା। ତାକୁ ଘଟଣାକଣ ପଚାରିବା ପୂର୍ବରୁ ସେ ଗୋବର ଲେଣ୍ଡାଏ ଧରି ବାବାଙ୍କ ଘର ଉପରକୁ ନିକ୍ଷେପ କଲା ଓ ଗାଳିଗୁଲଜ କରି ସ୍ଥାନ ଛାଡିଲା। ବିଜୁଳି ବେଗରେ ନଟବର ଘୁଞ୍ଚି ଯାଇ ନଥିଲେ ଗୋବରସ୍ନାତ ହେବାରୁ ତାଙ୍କୁ ଭଗବାନ ମଧ୍ଯ ରକ୍ଷା କରି ପାରି ନଥାନ୍ତେ। ହାତଗୋଡ ହଲାଇ ନଟବର ଶୂନ୍ଯରେ ଯୁଦ୍ଧକଳା ଦେଖାଇବାରେ କିଛି ସମୟ ବ୍ଯତୀତ କଲେ। ତ୍ରିକାଳଦର୍ଶୀ ଗାଲରେ ହାତ ଦେଇ ଏସବୁ ବ୍ଯାପାର ଲକ୍ଷ କରୁଥିଲେ। ତାଙ୍କର ଅତି ମଧୁର ଡାକରେ ନଟବରଙ୍କ ହେତୁ ଫେରିଲା। ହାତଗୋଡ ଛାଟ ନାହିଁ ବାପା, ଆସ, ମୋ ପାଖକୁ ଆସ। ତୁମର ଜିଜ୍ଞାସା ପ୍ରକାଶ କର। କହିଲେ ତ୍ରିକାଳଦର୍ଶୀ।

ବାଧ୍ଯ ପିଲାଟି ପରି ଚକାମାଡି ନଟବର ଭୂଇଁପରେ ବସିଗଲେ। ସେ ଦେଖି ପାରୁଥିଲେ ବାବାଙ୍କ ଦୁଇଟି ଗାଲରେ ପାଞ୍ଚଟି ଲେଖାଏଁ ଆଙ୍ଗୁଠିର ସ୍ପଷ୍ଟ ସ୍ବାକ୍ଷର। କିନ୍ତୁ ପଚାରିବେ ବା କେମିତି। ତାଙ୍କ ମନରେ ଘୋର ସନ୍ଦେହ ହେଲା ସେହି ଲୋକଟି ଉପରେ ଯିଏ ରାଗରେ ଗରଗର ହୋଇ ଘରୁ ବାହାରିଲା। ଛାଡ ମୋର କଣ ଯାଏ ଆସେ, କହି ନଟବର ପ୍ରଶ୍ନ ପେଡି ଖୋଲିଲେ।

ବାବା ପୁଣି ଘୋଷଣା କରି କହିଲେ ଦେଖ ବାପା, ଅତୀତ ବର୍ତ୍ତମାନ ଓ ଭବିଷ୍ଯତ ଯାହା ପଚାରିବ ସବୁ କହିବି। ଅତୀତ ଜାଣିବାକୁ ପ୍ରଶ୍ନ ପିଛା ଶହେ ଟଙ୍କା। ବର୍ତ୍ତମାନ ଜାଣିବାକୁ ଦୁଇଶହ ଓ ଭବିଷ୍ଯତ ପାଇଁ ଚାରିଶହ। ଆଗେ ସ୍ଥିର କରିନିଅ କଣ ଜାଣିବାକୁ ଚାହୁଁଛ। ସେହି ଅନୁସାରେ ଦର ଦାଖଲ କଲେ ମୋ ଗୁରୁଙ୍କ କୁହୁକ ପେଡି ଖୋଲିବି। ନଟବର କିଛି କ୍ଷଣ ବିଚାରମନସ୍କ ହେଲେ। ପ୍ରକୃତରେ ସେ କଣ ଜାଣିବାକୁ ଚାହାଁନ୍ତି ବର୍ତ୍ତମାନ ତ ସେ ଦେଖୁଛନ୍ତି,ସେଥିରେ ଜାଣିବାର କଣ ଅଛି। ଭବିଷ୍ଯତ ଯେମିତି ଦେଖିବାକୁ ଚାହିଁବେ ସେମିତି ଦେଖିବେ। ସେଥିରେ ମଧ୍ଯ କିଛି ବିଶେଷତ୍ବ ନାହିଁ। କିନ୍ତୁ ଅତୀତ- - ସେ ତ କାଳଗର୍ଭରେ ଲୀନ ହୋଇ ସାରିଛି। ପୁଣି ପୂର୍ବଜନ୍ମର କଥା- - ସେହି କଥା ଜାଣିବାଟା, ଗଛରୁ ଫଳ ତୋଳିବା ପରି ସହଜ ଆଦୌ ନୁହଁ। ତାଙ୍କର ଖାଲି ଏତିକି ଜାଣିବାର ଅଛି ଯେ ସେ ପୂର୍ବଜନ୍ମରେ କେଉଁ ଯୋଦ୍ଧା ବା ବୀରପୁଙ୍ଗବ ଥିଲେ। କାନପଛ କୁଣ୍ଡାଇ ନଟବର କହିଲେ ମହାଭାଗ,ମୋ ପୂର୍ବଜନ୍ମ ବିଷୟରେ ଜାଣିବାକୁ ଚାହୁଁଛି। ହେଇ ପାଞ୍ଚଶହ ଟଙ୍କା ଦାଖଲ କଲି। ଏବେ ପ୍ରଶ୍ନ ପଚାରିବି? ଖଡଖଡିଆ ପାଞ୍ଚଶହ ଟଙ୍କା ନୋଟ ଦେଖି ବାବାଙ୍କ ବର୍ତ୍ତମାନ ଓ ଭବିଷ୍ଯତ ଉଜ୍ବଳ ଦିଶିଲା। ସେ ଅଣ୍ଟିରୁ ଏକ ଛୋଟ ବୋତଲ କାଢି ଦୁଇ ତିନି ଢୋକ ପିଇ, ହେଉଡି ମାରି ନଟବରଙ୍କ ପୂର୍ବଜନ୍ମ ପେଡି ଖୋଲିବାକୁ ତୟାର ହେଲେ।

ମୁଁ ପୂର୍ବଜନ୍ମରେ କେଉଁ ଯୋଦ୍ଧା ବା ବୀର ଥିଲି ଟିକେ ଜଣାଇବେ ମହାଭାଗ।

ବାପା, ହେ ବାପା ତୁମେ ତ ରାମାୟଣ ସମୟରୁ ଯୁଦ୍ଧ କରି ଆସିଲା ପରି ଲାଗୁଛ। ଭଙ୍ଗା ପେନସିଲରେ କିଛି ଅସଜଡା ରେଖା କାଟି କହିଲେ ବାବା। ହେଁ ସତ ରାମାୟଣ ସମୟରୁ ଯୁଦ୍ଧ। ମୁଁ ବି ସେଇଆ ଭାବଥିଲି। ଆଉ ମହାଭାରତ ସମୟରେ? ଦ୍ବିତୀୟ ପ୍ରଶ୍ନ ନଟବରଙ୍କର।

ଓଃ ବାପା କି ସୁନ୍ଦର ପୂର୍ବଜନ୍ମ ତୁମର। ମହାଭାରତ ସମୟରେ ତୁମେ କୃଷ୍ଣଙ୍କ ରଥ ସମ୍ମୁଖରେ ଛିଡା ହୋଇ ଖଣ୍ଡା ବୁଲାଇବାର ଦୃଶ୍ଯ ମୋ ଆଖି ଆଗରେ ନାଚି ଯାଉଛି। ଆହାଃ କି ଯଶସ୍ବୀ ବୀର ତୁମେ। ଶତୃ ମାନଙ୍କୁ କଦଳୀଗଛ ପରି କାଟି ପକାଉଛ। କୃଷ୍ଣ ମହାପ୍ରଭୋ ଖୁସି ରେ ଗଦଗଦ ହୋଇ ତୁମକୁ ଦେଖୁଛନ୍ତି। କହିଲା ବେଳକୁ ବାବାଙ୍କ ଆଖି ଲେଉଟି ପଡୁଥିଲା। ଜିଭ ବାହାରକୁ ଚାଲି ଆସୁଥିଲା ଓ ପାଟିରୁ ଲାଳ ଗଡି ପିନ୍ଧାବସନ ତିନ୍ତାଇବାରେ ଲାଗିଥିଲା। ନଟବରଙ୍କ ଆଖିରୁ ଅଶୃ ଧାରା ବର୍ଷି ଚାଲିଥିଲା। ଚତୁର୍ଦ୍ଦିଗରେ କେବଳ ସ୍ବୟଂ କୃଷ୍ଣଙ୍କ ବ୍ଯତିରେକ ଅନ୍ଯ କିଛି ଦିଶୁ ନଥିଲା। ଦେହରେ କରେଣ୍ଟ ଲାଗିବା ପରି ସେ ଛିଡା ହୋଇଗଲେ। କାହିଁ କେତେବର୍ଷରୁ ନଇଁ ପଡିଥିବା କାନ୍ଧ, ଭୂମି ସହିତ ସମାନ୍ତରାଳ ରେଖାରେ ବିସ୍ତାରିତ ହୋଇଗଲା। ମାତ୍ରାଧିକ ବୀରତ୍ବହେତୁ ମାଂସହୀନ ବପୁୁଦେଶ ମଧ୍ଯ ପୁରିଲା ପୁରିଲା ଦିଶିଲା। ନଟବର ଦୁଇ ହସ୍ତ ପ୍ରସାରଣ କରି ମୁଷ୍ଠିବଦ୍ଧ କଲେ। ଗୋଟିଏ ହାତ ସିଧା ଆକାଶମୁଖୀ ହେଲା ଓ ଅନ୍ଯହାତଟି ପ୍ରଚଣ୍ଡ ମୁଥାଏ ମାରିବା ଭଙ୍ଗିରେ ପ୍ରସ୍ତୁତ ହେଲା। ରୁହ ବାପା ରୁହ କହି ବାବା ନିଜ ଆସ୍ଥାନ ଛାଡି ଚମ୍ପଟ ମାରିଲେ। ଲମ୍ବା ପାହୁଣ୍ଡ ପକାଇ ନଟବର ବାହାରକୁ ଆସିଲେ। ଏବେ ସେ କେବଳ ସାଧାରଣ ନଟବର ସାମନ୍ତରାୟ ନୁହଁନ୍ତି, ସେ ବୀର ଯୋଦ୍ଧା ନଟବର। ଯୁଦ୍ଧ ତାଙ୍କ ପ୍ରତିଟି ରକ୍ତ କଣିକାରେ ଅଛି। ସ୍ବୟଂ କୃଷ୍ଣ ତାଙ୍କୁ ଦେଖିଛନ୍ତି କୁରୁକ୍ଷେତ୍ର ଯୁଦ୍ଧରେ ଓ ପ୍ରଶଂସାସିକ୍ତ ଚାହାଂଣୀରେ ଆପ୍ଳୁତ କରିଛନ୍ତି। ତାଙ୍କୁ ଏବେ କିଏ ରଖିପାରିବ। ସେ ଛିନଭିନ୍ କରିଦେବେ ଏ ସଂସାର। ଅନ୍ଯାୟ ଅତ୍ଯାଚାର ଦେଖିଲେ ସମ୍ମୁଖଯୁଦ୍ଧରେ ଭୁପତିତ କରିବେ ଦୋଷୀ ମାନଙ୍କୁ। ହାଃ ହାଃ ହାଃ। ନଟବରଙ୍କ ଅଟ୍ଟହାସ୍ଯରେ ବାବାଙ୍କ ପ୍ରକୋଷ୍ଠ କମ୍ପମାନ ହେଉଥିଲା ଓ ବାବା ପରଦା ଉହାଡରୁ ଲୁଚି ଦେଖୁଥିଲେ ନଟବରଙ୍କ ପ୍ରସ୍ଥାନକୁ।

ସ୍କୁଟର ପାଖକୁ ଆସି ପ୍ରଥମେ ନଟବର କିଛି ଅସ୍ତ୍ର ଖୋଜିଲେ। ତାଙ୍କ ପୂର୍ବଜନ୍ମର ସଂସ୍କାର। ଅସ୍ତ୍ର ନଥିଲେ ସେ କି ଯୋଦ୍ଧା। ଅସ୍ତ୍ର ତ ମିଳିଲାନି,କିନ୍ତୁୁ ସେ ଦେଖିଲେ ଏକ ସଜନା ଗଛରୁ ମୋଟାସୋଟା ଛୁଇଁ ମାନ ଝୁଲନ୍ତ ଅବସ୍ଥାରେ ତାଙ୍କ ଆଡକୁ ଦେଖି ଚାଲିଛନ୍ତି। ସେଥିରୁ କିଛି ସାଙ୍ଗରେ ଧରି ନଟବର ଅଫିସମୁହାଁ ହେଲେ। ସ୍କୁଟର ଷ୍ଟାର୍ଟ କରି ପ୍ରଥମ ଗିୟର ପକାଇବା ପରେ ଟିକେ ଅନ୍ଯମନସ୍କ ହୋଇଗଲେ ସେ। ଅତଏବ୍,ଅଚାନକ କ୍ଲଚ୍ ଛାଡିଦେଲେ। ସ୍କୁଟରଟି ଲୁଣିବେଙ୍ଗ ଡିଆଁ ମାରିବା ପରି ଡେଇଁ ପଡିଲା। ଚମକି ଉଠିଲେ ନଟବର। ଆରେ ଏହା ସ୍କୁଟର ନୁହଁ ବରଂ ମୋର ପୂର୍ବଜନ୍ମର ଘୋଡା। ୟା'ରି ଉପରେ ସବାର ହୋଇ ମୁଁ କେତେ ଯେ ଯୁଦ୍ଧ ଲଢିଥିବି ତାହାର ହିସାବ ନାହିଁ। ସେହି ସ୍ମୃତି ଉଜ୍ଜୀବିତ କରିବାକୁ ଆଜି ସ୍କୁଟର ବାପୁଡା ଡିଆଁ ମାରିଲା। ଏଥର ନଟବରଙ୍କୁ ସମ୍ଭାଳେ କିଏ। ତାଙ୍କ ସ୍କୁଟର ବେଙ୍ଗ ପରି ଡେଇଁ ଡେଇଁ ଗଡି ଚାଲିଲା ଓ ସଜନା ଛୁଇଁ ମାନେ ପ୍ରସ୍ତୁତ ହୋଇ ରହିଲେ ଯେ କୌଣସି ସମୟରେ ଯୁଦ୍ଧରେ ବ୍ଯାପୃତ ରହିବାକୁ। କିଛି ବାଟ ଯାଇଛନ୍ତି କି ନାହିଁ, ଷଣ୍ଢ ପାଖରେ ତାଙ୍କ ଧକ୍କା ଖାଇଦେଲେ ପିଲାଟି ଅଚାନକ ତାଙ୍କ ସ୍କୁଟର ସାମନାକୁ ଡେଇଁ ପଡିଲା। ନାନା ଅଶ୍ରାବ୍ୟ ଭାଷାରେ ଗାଳିଫଜିତ କରି ନଟବରଙ୍କ ପୁରୁଷତ୍ବ ପ୍ରତି ବିଦ୍ରୁପ କଲେ। ନଟବର କି ଛାଡିବା ଲୋକ-- ସେ ପୁଣି ସଦ୍ଯ ପୂର୍ବଜନ୍ମର କୁରୁକ୍ଷେତ୍ରରୁ ଫେରିଛନ୍ତି। ସଜନାଛୁଇଁ ସେ ପିଲାଟାକୁ ସେକିଦେଇ ଗଲେ। ଅବଶ୍ଯ ପ୍ରଥମେ ମାଡ ମାରିଲେ ତତ୍ପରେ ହାତ ଗୋଡ ହଲାଇ ଯୁଦ୍ଧକଳା ଦେଖାଇଲେ। ତିନି ଚାରି ପାହାର ବାଜିବା ପରେ ପିଲାଟା ଚମ୍ପଟ ମାରିଲା। କିନ୍ତୁ ଏକ ବୁଢା ପୋଲିସ ନଟବରଙ୍କ କାଣ୍ଡ କାରଖାନା ଦେଖି ପାଖକୁ ଆସି କହିଲେ ହୋଃ ମଉସା, ଏ ଗହଳି କାହଁକି। ଆଉ କିଛି ମିଳିଲାନି ଯେ ସଜନାଛୁଇଁରେ ମାଡପିଟ ଚାଲିଛି। ବେଶି ଦାଦାଗିରି କଲେ ଜେଲରେ ଠୁଙ୍କିଦେବି। ନଟବର ବୀରତ୍ବ ଛାଡି ଦାନ୍ତ ନିକୁଟି, ମୁଣ୍ଡ ଆଉଁସି ଅଫିସ ଅଭିମୁଖେ ବାହାରିଲେ।

ଆଜି ସେ ସଗର୍ବେ ଛାତି ଫୁଲାଇ ଅଫିସରେ ପଶିଲେ। ସଳଖ କାଉଁରିକାଠି ପରି ତାଙ୍କ ମେରୁଦଣ୍ଡ ଭୂଇଁ ସହିତ ନବେ ଡିଗ୍ରିରେ ଅବସ୍ଥାନ କଲା। ଆଜି ସେ ସମସ୍ତଙ୍କୁ ସହାସ୍ଯ ବଦନରେ ଅଭିନନ୍ଦନ କରୁଥିଲେ। ସେ ବା କେଉଁ ସାଧାରଣ ଲୋକ - - - ରାମାୟଣ ମହାଭାରତ ଯୁଗର ଯୋଦ୍ଧା ପରା। ତାଙ୍କ ମନ ହେଉଥିଲା ଅଫିସ ର ସମସ୍ତଙ୍କୁ ତାଙ୍କ ପୂର୍ବଜନ୍ମ ବିଷୟରେ କହିଦେବାକୁ। ମାତ୍ର ସାହାସ କୁଳଉ ନଥିଲା। କାଳେ ଅନ୍ଯ କର୍ମଚାରୀ ଗଣ ତାଙ୍କ ସହିତ କଥାବାର୍ତ୍ତା ବା ମିଳାମିଶା ପାଇଁ ଭୟ କରିବେ। ବୁଢା ପୋଲିସ ତାଙ୍କର ଅସ୍ତ୍ରାଗାର ଖାଲି କରି ଦେଇଥିଲା। ତାକୁ କୁଆଡେ ଛୁଇଁଭଜା ଭଲ ଲାଗେ। ହଁ ନେଉ,ସେଥିରେ କଣ ଅଛି। ତାଙ୍କ ପାଖରେ ଏବେ ମଧ୍ଯ ଗୋଟିଏ ଛୁଇଁ ବାକି ଅଛି। ସେହି ଅସ୍ତ୍ରରେ ସେ କେତେ ଯୁଦ୍ଧ ଜିତିଯିବେ ତାହାର ହିସାବ ନାହିଁ। ବଡସାର ଡାକୁଛନ୍ତି ବୋଲି ଚପରାଶି କାନ ପାଖରେ ରଡିଟାଏ କରି ଚାଲିଗଲା। ସାର୍ଟର ଉପର ବୋତାମ ଖୋଲି ପିଠି ପାଖରେ ସେ ଅସ୍ତ୍ରଟି ଲୁଚାଇ ବଡସାର ପାଖକୁ ବାହାରିଲେ। ଯୋଦ୍ଧା କଣ କେବେ ଅସ୍ତ୍ର ତ୍ଯାଗ କରି ରହିପାରେ?? ବଡସାରଙ୍କ ଖାସ୍ କମରା ସାମନାରେ ଚପରାଶି କାଷ୍ଠାସନ ଉପରେ ପାଟି ମେଲା କରି ଘୁଙ୍ଗୁଡି ମାରି ଚାଲିଥିଲା।

ନଖିଆ ବାବୁ ନଖିଆ ମୁଁ ଆସିବା ଖବରଟା ସାରଙ୍କୁ ଦେ। କହିଲେ ନଟବର

ଆଖି ମଳି ନଖିଆ କହିଲା ରହି ଯାଆ ବାବୁ, ଖାସ କମରାରେ ବଡସାରେ ନୂଆ ସେକ୍ରେଟେରୀ ସହ କଥା ହେଉଛନ୍ତି। ଏଇଠି ଅପେକ୍ଷା କର। ଘଣ୍ଟି ବାଜିଲେ ଭିତରକୁ ଛାଡିବି।

ଅପେକ୍ଷା କରିବା ସମୟରେ ନଟବର ପୁଣି ଶୂନ୍ଯରେ ଅସି ଚାଳନା କରିବାରେ ଲାଗିଲେ। ନଖିଆ ତାଙ୍କୁ ଆଖି ମିଟିମିଟି କରି ଦେଖି ପୁଣି ଘୁଙ୍ଗୁଡି ମାରିଲା। କିଛି ସମୟ ଉତ୍ତାରୁ ଖାସକମରା ଭିତରୁ କିଛି ଟଣାଓଟରା ଶବ୍ଦ ଭାସି ଆସିଲା, ତା ସାଙ୍ଗକୁ ଯୁବତୀ ସେକ୍ରେଟେରୀର ଆକୁଳ କ୍ରନ୍ଦନ- - ମୋତେ ଛାଡି ଦିଅନ୍ତୁ ସାର୍,ମୋ ଜୀବନ ବରବାଦ କରନ୍ତୁ ନାହିଁ। ନଖିଆ କାନରେ ସେସବୁ ପଡିଲେ ମଧ୍ଯ ସେ ଗାଲୁ ମାରି ଆଖି ବୁଜି ଢୁଳେଇବାରେ ଲାଗିଥିଲା। ଘଟଣା କଣ ବୁଝିବାକୁ ନଟବରଙ୍କୁ ବେଶି ସମୟ ଲାଗିଲାନି। ତାଙ୍କ ଭିତରେ ସୁପ୍ତ ବୀରଯୋଦ୍ଧା ହୁଙ୍କାର ନାଦ କରିବାକୁ ଲାଗିଲା। ହାତରେ ଛୁଇଁଟି ଧରି ସେ କବାଟରେ ପକାଇଲେ ଏକ ଶକ୍ତ ଗୋଇଠା । ଭିତରେ ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ଯୁବତୀ ସେକ୍ରେଟେରୀର ପିନ୍ଧା ବସନକୁ ଟାଣି ଓଟାରିବାରେ ଲାଗିଛନ୍ତି ବଡସାର। ଏକ ରାକ୍ଷାସ ପରି ତାଙ୍କ ନେତ୍ର ଯୁଗଳ ଜଳି ଉଠୁଛି। ନଟବର ଫେରିଚାଲିଲେ ମହାଭାରତ ଯୁଗକୁ। ସମ୍ମୁଖରେ ଚାଲିଛି ଏକ ଅବଳା ନାରୀର ଚିରହରଣ। ତାଙ୍କ ପରି ବୀର ଚୁପ୍ ରହିବ ବା କିପରି। ବପୁବିସ୍ତାର କରି କେଇ ପାହୁଣ୍ଡ ଚାଲିବା ପରେ ସେ ହୁକାଂର କଲେ। ଅଫିସ ଚଟାଣରେ ପଡିଥିବା ଧୂଳିରୁ ଚିମୁଟାଏ ଉଠାଇ କପାଳରେ ମାରି ଭୂମାତାଙ୍କୁ ପ୍ରଣାମ କରି ଯୁଦ୍ଧ ପାଇଁ ଅନୁମତି ମାଗିଲେ। ତତ୍ପରେ ଗୋଟାଏ ଲମ୍ଫରେ ସେ ପହଞ୍ଚିଗଲେ ବଡସାରଙ୍କ ପାଖରେ। ପିଲାଦିନରୁ ଶିଖିଥିବା ପ୍ରତ୍ଯେକଟି ଯୁଦ୍ଧକଳାର ସଦୁପଯୋଗ କରି ସେ ବିଧା,ଗୋଇଠା,ଚାପୁଡା,ଚିମୁଟା,କାମୁଡା ଓ ଅନ୍ଯ ଯେତେ ପ୍ରକାରର ଆକ୍ରମଣ ହୋଇପାରେ କରି ଚାଲିଲେ। ତା ସାଙ୍ଗକୁ ସଜନା ଛୁଇଁରେ ବଡସାରର ନାକ,କାନ,ଆଖି କେଞ୍ଚି ପକାଇଲେ। ତାଙ୍କ ଲୋମଶ ଛାତି ଉପରେ ବସି ପୁଳା ପୁଳା କରି କେଶ ଉତ୍ପାଟନ କରି ପକାଇଲେ। କାନ୍ଥରେ ସହାସ୍ଯ ବଦନରେ ଶୋଭା ପାଉଥିବା କୃଷ୍ଣ ଭଗବାନଙ୍କ ଫଟୋ ଆଡକୁ ନଟବର ମଝିରେ ମଝିରେ ଦେଖି ପ୍ରଣାମ କରୁଥିଲେ। ତାଙ୍କୁ ଲାଗୁଥିଲା ସ୍ବୟଂ ଶ୍ରୀକୃଷ୍ଣ ତାଙ୍କ ଯୁଦ୍ଧକଳା ଦେଖି ଅଭିଭୂତ ଓ ରୋମାଞ୍ଚିତ। ମନେ ପଡି ଯାଉଥିଲା ତ୍ରିକାଳଦର୍ଶୀ ତାଙ୍କୁ କହିଥିବା ପୂର୍ବଜନ୍ମର ବୃତ୍ତାନ୍ତ। ସେସବୁ କଥା ସ୍ମରଣ ହେବାମାତ୍ରେ ଆହୁରି ଭୟଙ୍କର ହୋଇ ଯାଉଥିଲେ ନଟବର ଓ ଆକ୍ରମଣର ମାତ୍ରା ବଢି ଯାଉଥିଲା। ବେଶି କିଛି ସମୟର ଘମାଘୋଟ ଆକ୍ରମଣ ପରେ ବଡସାର ଚେତା ହରାଇ ପାଟି ମେଲା କରି ଟଳି ପଡିଲେ। ଶତୃ ଭୂପତିତ ହେବାପରେ ବୀରଗଣ ଜୟଲାଭ କରିବାର ଆନନ୍ଦରେ ଉଦ୍ଦଣ୍ଡ ନୃତ୍ଯ କରିବା ପରି ନଟବର ଦୁଇହାତ ଶୂନ୍ଯକୁ ଟେକି ଅଣ୍ଟା ହଲାଇ କିଞ୍ଚିତ୍ ନୃତ୍ଯ ପ୍ରଦର୍ଶନ କଲେ।

ଅଫିସ ର ଅନ୍ୟ କର୍ମଚାରି ମାନେ ଘଟଣାସ୍ଥଳରେ ପହଞ୍ଚିି ସାରିଥିଲେ। ଯୁବତୀର ଶଙ୍କିତ ଚେହେରା,ଭୁପତିତ ବଡସାରଙ୍କ ଯନ୍ତ୍ରଣାସିକ୍ତ ଚିତ୍କାର ଓ ନଟବରଙ୍କ ହାତରେ ଛୁଇଁଧରି ଉଦ୍ଦଣ୍ଡ ନୃତ୍ଯ ଦେଖି ଘଟଣା ବିଷୟରେ କିଞ୍ଚି୍ତ ଅନୁମାନ କରି ପାରୁଥିଲେ। ସେମାନେ ଫୁସଫୁସ ହୋଇ କହୁଥିଲେ - - ଏ ନଟିଆବୁଢା ପାଗଳ ହୋଇଗଲା ବୋଧେ। ନହେଲେ ହାତରେ ଛୁଇଁ ଧରି ଏମିତି ନାଚନ୍ତା କାହିଁକି। ଆମ ସାରଙ୍କୁ ବି ଠିକ୍ ହେଇଛି। ଏତେ ସୁନ୍ଦର ସେକ୍ରେଟେରୀ ପଛରେ ଲୋକଟା କୁକୁର ପଡି ଗୋଡାଉଥିଲା। ଆଜି ଭଲରେ ପାଇଛି ପାନେ। ନାରୀ କର୍ମଚାରୀ ମାନେ ଛଳଛଳ ଆଖିରେ ଛିଡା ହୋଇ ଭାବୁଥିଲେ, ଚାକିରି ଖାଇଯିବ ବୋଲି ଧମକ ଦେଇ ଏ ଲମ୍ପଟଲୋକ ଅନେକ ନାରୀ କର୍ମଚାରୀଙ୍କ ଇଜ୍ଜତ ସହ ଖେଳିଛି ,କିନ୍ତୁ କେହି ପ୍ରତିବାଦ କରି ନଥିଲେ। ଯାହାହେଉ ଆଜି ନଟବରଙ୍କ ପାଇଁ ଝିଅଟା ବଞ୍ଚିଗଲା।

କୁଆଡୁ ଖବର ପାଇଲା କେଜାଣି, ସେ ବୁଢା ପୋଲିସ ଘଟଣାସ୍ଥଳରେ ପହଞ୍ଚିଗଲା। ଚେତା ଫେରିବା ପରେ ପୋଲିସ ପାଖରେ ବଡସାର ବାହୁନି ବାହୁନି ଅନେକ କାନ୍ଦିଲେ ଓ ନଟବରଙ୍କ ନାମରେ ଅଜସ୍ର ଫେରାଦ ଦେଲେ। ସେତେବେଳକୁୁ ଯୁବତୀ ସେକ୍ରେଟେରୀଟି ର ଆଖି ଯୋଡିକ ଅତ୍ଯଧିକ ଲୋତକବର୍ଷଣ ହେତୁ ଫୁଲି ସାରିଥିଲା। ବଡସାର ଅକ୍ରମଣକାରୀ ଭାବରେ ନଟବରଙ୍କୁ ଦେଖାନ୍ତେ, ବୁଢା ପୋଲିସଟି ଦାନ୍ତ ନିକୁଟି ବହେ ହସି କହିଲା ଆହା,ଏତେ ଭଲଲୋକ ନାମରେ ଏତିକି ଖଚଚୁଗୁଲି କରୁଛୁ। ତୋ ମୁହଁରେ ଲାଜନାହିଁ ବାଡିପୋଡା। ତୁୁ କି କାଣ୍ଡ କାରଖାନା କରିଛୁ ମୋତେ ଭଲରେ ଜଣା। ଥାନାକୁ ଚାଲ୍ ସେଇଠି ହିସାବ କିତାବ କରିବା। ହାତକଡି ପକାଇ ବଡସାରଙ୍କୁ ଘିଞ୍ଚିନେବା ଅବସରରେ ବୁଢାପୋଲିସ ନଟବରଙ୍କୁ କହିଲା ମଉସା,କାଲି ଆଡକୁ ଆଉ ଗଣ୍ଡେ ସଜନାଛୁଇଁ ଯୋଗାଡ ହୋଇ ପାରନ୍ତାନି? ମୁଣ୍ଡହଲାଇ ସମ୍ମତି ଜଣାଇଲେ ନଟବର। ଗହଳି ଭାଙ୍ଗିି ସାରିଥିଲା। କର୍ମଚାରୀ ମାନେ ନଟବରଙ୍କ ପରିବର୍ତ୍ତିତ ରୂପଭେକ ଦେଖି ଅବାକ ଥିଲେ।ସେମାନଙ୍କ ମଧ୍ଯରେ କେତେକଣ ଆଲୋଚନା ଚାଲିଥିଲା। ମାତ୍ର ସେ ସମୟରେ ନଟବରଙ୍କ ଦୃଷ୍ଟି ନିିବଦ୍ଧ ଥିଲା ଶ୍ରୀକୃଷ୍ଣଙ୍କ ଫଟୋ ଉପରେ। ସତେକି ଶ୍ରୀକୃଷ୍ଣ ତାଙ୍କ ଉଦ୍ଦେଶ୍ଯରେ କହୁଥିଲେ ସାବାସ୍ ନଟବର,ତୁମେ ହିଁ ପ୍ରକୃତ ଯୋଦ୍ଧା। ତୁମ ଯୋଗୁଁରୁ ଆଜି ରକ୍ଷା ପାଇଯାଇଛି ଏକ ଅବଳା ନାରୀ। ଧନ୍ଯ ତୁମ୍ଭ ବୀରତ୍ବ। ନଟବରଙ୍କ ତଥାକଥିତ ପୂର୍ବଜନ୍ମ ଓ ଇହଜନ୍ମର ମହାମିଳନ ଘଟି ସାରିଥିଲା। ସେହି ସ୍ବବିଦିତ ତ୍ରିକାଳଦର୍ଶୀର କେଇପଦ କଥା ,ନଟବରଙ୍କ ଚରିତ୍ରରେ ଆଣି ଦେଇଥିଲା ଅଭୂତପୂର୍ବ ପରିବର୍ତ୍ତନ।

                                                                                                                   


Rate this content
Log in

Similar oriya story from Comedy