Arabinda Rath

Drama Tragedy Classics

4.5  

Arabinda Rath

Drama Tragedy Classics

ଇଲାକା

ଇଲାକା

10 mins
406


କୃଷ୍ଣପକ୍ଷ ରାତ୍ରିର ଅନ୍ଧକାର ଧିରେଧିରେ ଘନୀଭୂତ ହେବାରେ ଲାଗିଥିଲା। ଜହ୍ନଟି ଦିଶୁଥିଲା ଶୀର୍ଣ୍ଣକାୟ ଠିକ୍ ଅଶୋକଙ୍କ ରୋଗକ୍ରାନ୍ତ ଶରୀର ପରି। ମଣିଷ ଜୀବନର ଅସରନ୍ତି ସମସ୍ଯା ପରି ଅସଂଖ୍ଯ ତାରାଗଣ ବିଚ୍ଛୁରିତ ହୋଇ ପଡଥିଲେ ସାରା ନଭମଣ୍ଡଳରେ। ଏକ ପୁରୁଣା ଦଉଡିଆ ଖଟରେ ଅବଶ ଶରୀରର ସମସ୍ତ ଭାର ଅର୍ପଣ କରି ମହାଶୂନ୍ଯରେ ଦୃଷ୍ଟି ନିବଦ୍ଧ କରି ଶୋଇ ରହିଥିଲେ ଅଶୋକ। ମନ୍ଦମନ୍ଦ ବୋହୁଥିବା ପବନର ସ୍ରୋତରେ ଅନେକ ସମୟ ପୂର୍ବରୁ ବିରାମ ଲାଗି ସାରିଥିଲା। ସୁତରାଂ, ଘର୍ମାକ୍ତ ଶରୀରକୁ ଶୀତଳ କରିବା ଉଦ୍ଦେଶ୍ଯରେ ତାଙ୍କ ପାଖରେ ଥିବା ଏକମାତ୍ର ଆୟୁଧ ଭଙ୍ଗା ବିଞ୍ଚଣାକୁ କଷ୍ଟରେ ଘୁରାଇ ଚାଲିଥିଲେ ଅଶୋକ । ରାଧାଙ୍କ ଅନ୍ତେ ସେହି ବିଞ୍ଚଣାଟି ଥିଲା ଅଶୋକଙ୍କର ଏକାନ୍ତ ନିଜର। ତାହା କେତେବର୍ଷ ତଳେ କିଣିଥିଲେ ମନେ ନାହିଁ,କିନ୍ତୁ ଏତିକି ମନେ ପଡୁଛି ଯେ ସେ ଥରେ ରାଧା ଓ ଏକମାତ୍ର ପୁତ୍ର ଗଗନକୁ ନେଇ ଏକ ମେଳା ବୁଲିବାକୁ ଯାଇଥିଲେ। ସେହିଠାରେ କିଣିଥିଲେ ତିନିଗୋଟି ବିଞ୍ଚଣା। ଦୁଇଟି ବଡ ଓ ଗୋଟିଏ ସାନ। ଜୀବଦ୍ଦଶାରେ ରାଧାଙ୍କ ହାତରେ ପ୍ରାୟ ସମୟରେ ବିଞ୍ଚଣାଟିଏ ଶୋଭା ପାଉଥିଲା। ତାଙ୍କ ଜୁଇ ସହିତ ସେହି ବିଞ୍ଚଣାଟି ମିଶି ଗଲା ପଞ୍ଚଭୂତରେ। ଗଗନ ତା ପାଇଁ ଆସିଥିବା ବିଞ୍ଚଣାକୁ ଖୁବ୍ କମ ଦିନରେ ଭାଙ୍ଗି ଦେଇଥିଲା, ଏବେ ତା'ର ସେକଥା ମନେଥିବ କି ନାଁ ସନ୍ଦେହ। ଅଶୋକଙ୍କ ସ୍ଦେଦସିକ୍ତ ଶରୀରକୁ ବିଞ୍ଚଣାରୁ ନିର୍ଗତ ଶୀତଳ ସମୀର ଅନେକାଂଶରେ ଶାନ୍ତ କରି ଚାଲିଥିଲା ଓ ତାଙ୍କ ଆଖିପତା ମୁଦି ହୋଇ ଆସୁଥିଲା।

ଆକାଶରେ ଚିକମିକ କରୁଥିବା ତାରା ମାନଙ୍କ ପାଇଁ ପିଲାଟି ଦିନରୁ ଅଶୋକଙ୍କ ମନରେ ଥିଲା ଅହେତୁକ ଆକର୍ଷଣ। ଶୈଶବ ଓ କୈଶୋରକାଳରେ ଖରାଦିନେ ଛାତ ଉପରେ ଶୋଇବା ସମୟରେ ଚିକମିକ କରୁଥିବା ତାରା ମାନଙ୍କୁ ଚାହିଁ ସେ ଅନେକ ବିନିଦ୍ର ରଜନୀ ବିତାଇଛନ୍ତି। ଏପରିକି ସେ କିଛି ତାରାଙ୍କର ନାମକରଣ ମଧ୍ଯ କରିଥିଲେ। ଆକାଶର ଠିକ ମଧ୍ଯ ସ୍ଥଳରେ ସେ ଗଢିଥିଲେ ଏକ ସ୍ବତନ୍ତ୍ର ଇଲାକା ; ତାହାଥିଲା ଅଶୋକଙ୍କର ଏକାନ୍ତ ନିଜସ୍ବ ଠିକ୍ ତାଙ୍କର ନିଶ୍ବାସ ପ୍ରଶ୍ବାସ ପରି--ଆଜି ନୁହଁ, ପିଲାଟି ଦିନରୁ। ସେହି ଇଲାକାରେ ଥିବା ସମସ୍ତ ତାରାଙ୍କର ସେ ଥିଲେ ଏକମାତ୍ର ପ୍ରଭୁ। ସତେକି ତାରାଗଣଙ୍କ ଭଲମନ୍ଦ ସେ ନ ବୁଝିଲେ ଖଣ୍ଡପ୍ରଳୟ ଘଟିଯିବ। ଅନେକ ସମୟରେ ଭାବନାରାଜ୍ଯରେ ସେ ନିଜକୁ ଆବିଷ୍କାର କରନ୍ତି ତାଙ୍କର ତାରା ଇଲାକାରେ। ତାରା ମାନଙ୍କୁ କୋଳକୁ ଟେକି ଗେଲ କରି ପକାନ୍ତି। କୁନିକୁନି ତାରା ମାନଙ୍କ ମୁଣ୍ଡ ସାଉଁଳାଇ ଦିଅନ୍ତି। ଦୁଷ୍ଟ ତାରା ସବୁ ଲୁଚି ଯା'ନ୍ତି ବାଦଲ ପଛରେ ଠିକ୍ ତାଙ୍କ ପୁସି ବିଲେଇ ଯେମିତି ଲୁଚିଯାଏ ରୋଷେଇଘର ଭାଡି ଉପରେ। ସାଙ୍ଗରେ ନେଇଥିବା ଗାମୁଛାରେ ସେ ପୋଛାପୋଛି କରି ପକାନ୍ତି ତାରା ମାନଙ୍କର ସମସ୍ତ ଅବୟବ,ନୋହିଲେ ସେମାନେ ରାତିରେ ଚିକମିକ କେମିତି କରିବେ ଯେ ! ତାଙ୍କୁ ଲାଗେ,ଆକାଶରେ ଜହ୍ନର ଅନୁପସ୍ଥିତି ସମୟରେ ତାଙ୍କ ଇଲାକାର ତାରାମାନେ ହିଁ ସବୁଠାରୁ ବେଶି ଆଲୋକ ପ୍ରଦାନ କରନ୍ତି। ବହୁତ୍ ମନହୁଏ ସେଇ ତାରା ମାନଙ୍କ ପାଇଁ କିଛି ଜିନିଷ ନେଇ ଯିବା ପାଇଁ- -କିଛି ଖେଳନା ବା ମିଠାଇ। କିନ୍ତୁ ସବୁଥର ଭୁଲି ଯିବା ହେତୁ ତାଙ୍କୁ ବାରମ୍ବାର କୈଫୟତ ଦେବାକୁ ପଡେ।

କେବେକେବେ ତାଙ୍କ ଇଲାକାରେ ଅବସ୍ଥାନ କରେ ଚନ୍ଦ୍ର। ସେତିକିବେଳେ ସେ ପୁଲକିତ ହୁଅନ୍ତି। ଖୁସିରେ ଗଦଗଦ ହୋଇ ସାଙ୍ଗସାଥିଙ୍କୁ ଅତିବିଶିଷ୍ଟ ମହାଜାଗତିକ ଅତିଥିଙ୍କ ତାଙ୍କ ଇଲାକାକୁ ଆଗମନ ବିଷୟରେ ସୂଚନା ଦିଅନ୍ତି। ରାତିରେ ବାରମ୍ବାର ପଦାକୁ ଦୌଡି ଆକାଶକୁ ଚାହିଁ ରୁହନ୍ତି ଘଣ୍ଟା ଘଣ୍ଟା। କାଳେ ତାଙ୍କ ତାରା ମାନେ ଅତିଥିଚର୍ଚ୍ଚାରେ କିଛି ତୃଟି କରିଦେବେ। ଗାଆଁରେ କାହାର ସ୍ବର୍ଗବାସ ହେଲେ ଲୋକେ କୁହନ୍ତି ସେ ତାରା ପାଲଟି ଗଲା। ସଞ୍ଜବେଳେ ସାଙ୍ଗସାଥୀଙ୍କ ମେଳରେ ନଭମଣ୍ଡଳରେ ସନ୍ଧାନ ଚାଲେ ସ୍ବର୍ଗୀୟ ଗ୍ରାମବାସୀ ଅଥବା ସମ୍ପର୍କୀୟଙ୍କ ତାରକାରୂପୀ ଅବୟବର। ସେତେବେଳେ ଅଶୋକ ଆକାଶର ବୀପରିତ ଦିଗରେ ଦୃଷ୍ଟିବିଦ୍ଧ କରି ସାଙ୍ଗଗଣଙ୍କୁ ସେଆଡକୁ ଦେଖିବା ଲାଗି ପ୍ରବର୍ତ୍ତାଇବାରେ ବ୍ଯସ୍ତ ଥା'ନ୍ତି। ମନରେ ଭୟ ଥାଏ କାଳେ କେହି ମୃତବ୍ଯକ୍ତି ତାଙ୍କର ଅନୁମତି ନନେଇ ତାଙ୍କ ଇଲାକାରେ ଆସ୍ଥାନ ଜମାଇଦେବ। କିନ୍ତୁ ଅଶୋକଙ୍କ ମନରେ ସବୁ ସମୟରେ ଏକ ଅଶୁଭ ଚିନ୍ତା ଉଦ୍ରେକ ହୋଇ ଚାଲିଥିଲା ଯାହା ସେ କାହା ଆଗରେ ପ୍ରକାଶ କରି ପାରୁ ନଥିଲେ। ତାଙ୍କର ଏକାନ୍ତ ଇଛାଥିଲା ଯେ ମୃତ୍ଯୁପରେ ତାଙ୍କ ବାପାମାଆ ତାଙ୍କରି ତାରା ଇଲାକାରେ ବସବାସ କରିବେ। ରୋଗରେ ଶଯ୍ଯାଶାୟୀ ମାଆ ବୋଧେ ଅଶୋକଙ୍କ ମନର କଥା ବୁଝି ପାରିଥିଲେ। ଶେଷ ନିଶ୍ବାସ ତ୍ଯାଗ କରିବା ପୂର୍ବରୁ ସେ ଅଶୋକଙ୍କୁ କୋଳକୁ ଭିଡି ଆଣି କହିଥିଲେ- - ମୋ ସୁନା ଟା ପରା,ଜମାରୁ କାନ୍ଦିବୁନି। ମୁଁ ପରା ତୋ ଇଲାକାରେ ରହିବାକୁ ଯାଉଛି। ଯେତେବେଳେ ମନେ ପଡିବ ମୋତେ ଦେଖି ପାରିବୁ। ବାପାମାଆ ଚାଲିଯିବାର ପାଖାପାଖି ଚାଳିଶି ବର୍ଷ ଅତିକ୍ରାନ୍ତ ହୋଇ ସାରିଲାଣି। କହିବା ବାହୁଲ୍ଯ, ସେ ଏକାଧିକ ବାର ତାରା ଇଲାକାରେ ଆବିଷ୍କାର କରିଛନ୍ତି ତାଙ୍କ ସ୍ବର୍ଗତଃ ବାପାମାଆଙ୍କୁ।

ନିଜର ସତୁରୀବର୍ଷର ଜୀବନକାଳ ମଧ୍ଯେ ତାଙ୍କ ଇଲାକାରେ ବସବାସ କରୁଥିବା ଅନ୍ତେବାସୀଙ୍କ ସଂଖ୍ଯା ଗଣିବାକୁ ଅଶୋକ କୋଟିକୋଟି ବାର ପ୍ରୟାସ କରିଛନ୍ତି । କିନ୍ତୁ ବିଫଳ ହୋଇଛନ୍ତି ପ୍ରତ୍ଯେକଥର। ଆଶ୍ଚର୍ଯ୍ଯର ବିଷୟ ଏହାଥିଲା ଯେ, ତାରା ଗଣିବା ପାଇଁ ଯେତିକି ଜ୍ଞାନର ଆବଶ୍ଯକତା ଅଛି,ତାହା ଉଭୟ ଶିଶୁ ଅଶୋକ ଓ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଅଶୋକ ସାମନ୍ତରାୟଙ୍କ ପାଖରେ ସମାନ ଥିଲା। ଶେଷରେ ଅଶୋକ ନିର୍ଯ୍ଯାସ କାଢିଥିଲେ,ଯେହେତୁ ତାଙ୍କ ଇଲାକାର ତାରା ମାନଙ୍କୁ କେହି ଚୋରାଇ ନେଇ ପାରିବେ ନାହିଁ,ତେଣୁ ତାରାଙ୍କ ସଂଖ୍ଯା ସ୍ଥିର ଥିବ ନିଶ୍ଚୟ। ଅବଶ୍ଯ ତାଙ୍କର ଜ୍ଞାତି କୁଟୁମ୍ବଙ୍କ କଥା ଅଲଗା। ସେମାନଙ୍କ ମୃତ୍ଯୁ ପରେ ଏକମାତ୍ର ରହଣିସ୍ଥାନ ହେଲା ତାଙ୍କ ତାରା ଇଲାକା। ଅତି ବେଶିରେ ଦଶ ପନ୍ଦରଟି ତାରାଙ୍କ ସଂଖ୍ଯାବୃଦ୍ଧି ହୋଇପାରେ। ସର୍ବଶେଷରେ ତାରା ଇଲାକାର ଏକାଙ୍ଗଚକ୍ରବର୍ତ୍ତୀ ହୋଇ ସେ ନିଜେ ଗମନ କରିବେ ସ୍ବଇଲାକାକୁ। ଅତିଥି ଭାବରେ ନୁହଁ ବରଂ ପ୍ରଭୁତ୍ବର ଗାରିମା ବହନ କରି। ସ୍କୁଲରେ ପଢିବା ସମୟରେ ତାଙ୍କ ଇଲାକାକୁ ନେଇ ସାଙ୍ଗସାଥୀଙ୍କ ସହ ଅନେକବାର ଅଶୋକଙ୍କର ଝଗଡା ହୋଇଛି। ପିଲାଏ ତାଙ୍କୁ ପାଗଳ ବା ମୁଣ୍ଡର ସ୍କୃ ଢିଲା ଆଦି ଉପମାରେ ଅଭିଷିକ୍ତ କରି ଢେର୍ ଚିଡାନ୍ତି। ଏପରିକି ସେ କଥା ହେଡମାଷ୍ଟରଙ୍କ ପାଖକୁ ମଧ୍ଯ ଯାଇଛି।

' ଏମିତି ସାଙ୍ଗପିଲାଙ୍କ ସହ ମାଡଗୋଳ କଲେ ଆକାଶରେ ତୋ ଇଲାକା ସୁରକ୍ଷିତ ରହିବ ବୋଲି ଭାବେନି ଅଶୋକ। ତୋତେ ବହୁତ ପାଠ ପଢି ବଡ ମଣିଷ ହେବାକୁ ହେବ। ତେବେ ଯାଇ ସିନା ତୋ ଇଲାକାର ସୁରକ୍ଷାରେ ଠିକ୍ ରେ କରି ପାରିବୁ। ' ବୁଝାଇବା ଅବସରରେ କୁହନ୍ତି ହେଡମାଷ୍ଟର। ସମସ୍ତଙ୍କ କଥା ମାନି ସେ ମନଦେଇ ପଢିଛନ୍ତି। ଦକ୍ଷତା ବଳରେ ସରକାରୀ ଚାକିରିରେ ଯୋଗଦାନ କରିଛନ୍ତି। ରାଧାଙ୍କ ପରି ସର୍ବଗୁଣସମ୍ପର୍ଣ୍ଣା ପତ୍ନୀ ଓ ଗଗନ ପରି ସୁପୁତ୍ର ପାଇଛନ୍ତି। ସୀମିତ ଆୟରେ ବାପଅଜା ଅମଳର ଘରଟିକୁ ଅଧିକ ମନୋରମ କରି ଗଢି ପାରିଛନ୍ତି। କିନ୍ତୁ ସେ ଆଜି ଯାଏ ବୁଝି ପାରି ନାହାନ୍ତି ,ଜୀବନରେ ତାଙ୍କ ସଫଳତା ସହିତ ଯୋଜନ ଯୋଜନ ଦୂରତାରେ ଥିବା ନଭମଣ୍ଡଳର ଅକ୍ଷତ ଇଲାକାର ସୁରକ୍ଷା ମଧ୍ଯରେ କେଉଁ ନିଗୁଢ ସମ୍ପର୍କ ଲୁକ୍କାୟିତ ହୋଇ ରହିଛି। ବୋଧହୁଏ,ହେଡମାଷ୍ଟର ତାଙ୍କୁ ଭୁଲାଇବା ପାଇଁ ଏପରି କହି ଦେଇଥିବେ।

ଆଜି ଅଶୋକଙ୍କ ଆଖି ଆଗରେ ନାଚି ଯାଉଛି ବିତି ଯାଇଥିବା ଦିନ ଗୁଡିକର ତିକ୍ତ-ମଧୁର ଅନୁଭୂତି। ଅବଶ୍ଯ ସେ ଅନୁଭୂତିମାଳାର ମଧୁରତା ଅନେକାଂଶରେ ପ୍ରଭାବିତ ହୋଇଛି ମାତ୍ରାଧିକ ତିକ୍ତତାର ପ୍ରାବଲ୍ଯତା ହେତୁ। ସେହି ସବୁ ତିକ୍ତତାର ରଚୟିତା ଅଶୋକ କେବେ ମଧ୍ଯ ନଥିଲେ ବରଂ ପ୍ରାୟ କ୍ଷେତ୍ରରେ ନିର୍ଦ୍ଦୋଷ ଥାଇ ମଧ୍ଯ ପାନ କରିଥିଲେ ତିକ୍ତତାର ଗରଳ। ତାଙ୍କ ସଚ୍ଚୋଟ ପ୍ରକୃତ୍ତି ପାଇଁ ସହକର୍ମୀଙ୍କ ଗହଣରେ ସେ ଥିଲେ ଅସ୍ପୃଶ୍ଯ। ସତ୍ଯବାଦୀତା ଗୁଣ ତାଙ୍କୁ କରି ଦେଇଥିଲା ବନ୍ଧୁମହଲରେ ତ୍ଯାଜ୍ଯ। ଅନ୍ଯାୟ ଉପାୟରେ ଅମାପ ବିତ୍ତ ଠୁଳ କରି ନଭଶ୍ଚୁମ୍ଭୀ ଅଟ୍ଟାଳିକା ଓ ସୌଖୀନ ସାମଗ୍ରୀମାନ ଗଢି ନ ପାରିବା ହେତୁ ସେ ଅନେକଙ୍କ ନଜରରେ ଥିଲେ ଏକ ବିଫଳ ମନୁଷ୍ଯ। ଏପରି ଏକ ତୁଚ୍ଛ ମଣିଷ ଯାହାର ନାଁ ଅଛି ଉଚ୍ଚାଭିଳାଷ ନାଁ ଅଛି ନିଜକୁ ପ୍ରତିପାଦିତ କରି ପାରିବାର ସାମର୍ଥ୍ଯ। ଅନେକ ସମୟରେ ତାରାଭର୍ତ୍ତି ଆକାଶକୁ ନିର୍ଲିପ୍ତ ଭାବରେ ଚାହିଁ ଅଶୋକ ଖୋଜନ୍ତିି ତାଙ୍କ ଜୀବନର ପ୍ରକୃତ ଲକ୍ଷ୍ଯ। ପ୍ରାପ୍ତିର କାମନା କଣ ହେବା ଆବଶ୍ଯକ ; ଧନ ଜନ ଗୋପ ଲକ୍ଷ୍ମୀ ଅବା ଶାନ୍ତି ଓ ପରିପୂର୍ଣ୍ଣତା। ଯଦି ଶାନ୍ତି ଓ ପରିପୂର୍ଣ୍ଣତା ସମସ୍ତଙ୍କର କାମ୍ଯ, ତେବେ ତାହା ପାଇବାର ପଥ କାହିଁକି ଭିନ୍ନ ଓ ପରିସ୍ଥିତି ଅନୁଯାୟୀ କାହିଁକି ପରିବର୍ତ୍ତନ ହୋଇଯାଏ ଶାନ୍ତି ଓ ପରିପୂର୍ଣ୍ଣତାର ସଂଜ୍ଞା। ଏ ଜଟିଳ ପ୍ରଶ୍ନର ଉତ୍ତର ଖୋଜି ପାଗଳପ୍ରାୟ ହୋଇ ଉଠୁଥିବା ଅଶୋକଙ୍କୁ ସମ୍ଭାଳି ନେଇଥିଲେ ରାଧା । ରାଧାଙ୍କ ଆଗମନ ପରେ ଅଶୋକ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ଯାଇଥିଲେ। ଅଶୋକଙ୍କ ସହ ଜୀବନର ପ୍ରତି ମୁହୁର୍ତ୍ତକୁ ରାଧା ମନ ଭରି ବଞ୍ଚିଥିଲେ । ଧନ,ସମ୍ପତ୍ତି ବା ପ୍ରତିପତ୍ତି ପଛରେ ଗୋଡାଇବା ପାଇଁ ସେ କେବେ ମଧ୍ଯ ଅଶୋକଙ୍କୁ ବାଧ୍ଯ କରୁ ନଥିଲେ। ଯାହା ଓ ଯେତିକି ମିଳୁଥିଲା ତାହା ହି ଥିଲା ରାଧାଙ୍କ ପାଇଁ ଅମୃତ। ଅଗଣିତ ବାର ଅଶୋକ ରାଧାଙ୍କ ହାତରେ ହାତ ଥାପି ଶୂନ୍ଯ ଦୃଷ୍ଟିରେ ଚାହିଁ ରୁହନ୍ତି ଆକାଶକୁ। ' କଣ ତୁମ ତାରା ଇଲାକାରେ ମୋତେ ଜାଗା ଦେବ ତ?’ ଥଟ୍ଟାଳିଆ ସ୍ବରରେ ପଚାରନ୍ତି ରାଧା। ' ସେମିତି କୁହନି ରାଧା, ଆମେ ଦୁଇଜଣ ମିଶି ଏକା ସାଙ୍ଗରେ ଯିବା ମୋ ତାରା ଇଲାକାକୁ ସମ୍ରାଟ ଓ ସାମ୍ରାଜ୍ଞୀ ହୋଇ। ଏ ପୃଥିବୀରେ ସିନା ମୁଁ ସାଧାରଣ ସୈନ୍ଯଟିଏ ହେବାର ଯୋଗ୍ଯତା ଲାଭ କରି ପାରିଲିନି କିନ୍ତୁ ନଭମଣ୍ଡଳରେ ସମ୍ରାଟ ହେବାର ସ୍ଥାନ ପିଲାଟି ଦିନରୁ ସୁରକ୍ଷିତ ରଖିଛି। ଅନ୍ଯ କେହି ବୁଝୁ ନ ବୁଝୁ ରାଧା ବୁଝି ପାରନ୍ତି ଅଶୋକଙ୍କ ମନର ପ୍ରତିଟି ଅବ୍ଯକ୍ତ ଅଭିବ୍ଯକ୍ତି। ଅଶୋକଙ୍କ ସହ ତାଳ ଦେଇ ରାଧା ହୁଅନ୍ତି ରୋମାଞ୍ଚିତ,ପୁଲକିତ ଓ ଆହ୍ଲାଦିତ ଅବଶ୍ଯ ସେହି ତାରା ଇଲାକା ପାଇଁ। ଅଚାନକ ରାଧା ଚାଲିଗଲେ ଆରପାରିକୁ। ତାଙ୍କ ସହ ଶେଷଥର ପାଇଁ କଥା ହେବାର ସୁଯୋଗ ପାଇ ନଥିଲେ ଅଶୋକ। କିନ୍ତୁ ସେ ନିଶ୍ଚିତ ଥିଲେ ଯେ ରାଧା ଏକନିଷ୍ଠ ହୋଇ ପହଞ୍ଚିଥିବେ ତାଙ୍କର ତାରା ଇଲାକାରେ। ନିଜକୁ ଇଲାକାର ସାମ୍ରାଜ୍ଞୀ ବୋଲି ପରିଚୟ ମଧ୍ଯ ଦେଇଥିବେ। ତାରାଗଣ କଣ ତାଙ୍କୁ " କେବେ ଆସିବେ ଆମର ସମ୍ରାଟ୍ ?" ପ୍ରଶ୍ନ ପଚାରି ବ୍ଯସ୍ତ କରି ଦେଇ ନଥିବେ। ପଚାରିଥିବେ ତ ନିଶ୍ଚୟ କିନ୍ତୁ କି ଉତ୍ତର ଦେଇଥିବେ ରାଧା ।

‘ ଜେଜେ ତୁମ ମୁଣ୍ଡ ପାଖରେ ଖାଇବା,ପାଣି,ଓୌଷଧ ରଖି ଦେଇଛି। ଖାଇ ନେବ।' ନାତୁଣୀ ରିମା ଗୋଟେ ନିଶ୍ବାସରେ ସେତିକି କହି ଚାଲିଗଲା। ଚମକି ଉଠିପଡିଲେ ଅଶୋକ। କିଛି କହିବାକୁ ଚାହୁଁଥିଲେ କିନ୍ତୁ ପାରିଲେନି। ଏବେ ତାଙ୍କୁ କଥା କହିବାକୁ ମଧ୍ଯ ସଂଘର୍ଷ କରିବାକୁ ପଡୁଛି। ଉଚ୍ଚ ରକ୍ତଚାପ ହେତୁ ଯେବେଠାରୁ ବ୍ରେନଷ୍ଟ୍ରୋକ୍ ହେଲାଣି ସେ ଗୋଟିଏ କଥାକୁ ବାରମ୍ବାର ଦୋହରାଇ କହୁଛନ୍ତି। ସେ କହିବାକୁ ଚାହୁଁଥିବା ଉକ୍ତି ତାଙ୍କର ସମସ୍ତ ଅନିଚ୍ଛାସତ୍ତ୍ବେ ଆପଣା ଛାଏଁ ଉଚ୍ଚାରିତ ହୋଇ ଯାଉଛି ଏକାଧିକ ବାର । ତାହା ହିଁ ପୁଅ,ବୋହୂ ଓ ନାତୁଣୀଙ୍କ ପକ୍ଷେ ଅସହ୍ଯ। ଅଶୋକ କାହାକୁ ବୁଝାଇ ପାରନ୍ତିନି ଯେ ଉଦ୍ଦେଶ୍ୟମୂଳକ ଭାବରେ ସେ ଏପରି କହୁ ନାହାଁନ୍ତି ବରଂ ତାଙ୍କ ରୁଗ୍ଣ ଶରୀର ଏଥିପାଇଁ ଦାୟୀ। ଅଶୋକଙ୍କ ଚରିତ୍ରର ଠିକ ବୀପରିତ ଥିଲା ଗଗନର ଚରିତ୍ର। ଆୟର ଅର୍ଦ୍ଧାଧିକ ଅଂଶ ତା ପାଠରେ ଖର୍ଚ୍ଚ କରିବା ପରେ ମଧ୍ଯ ସେ ସବୁ ସ୍ଥାନରେ ବିଫଳ ହେଲା। ଯୁବାବସ୍ଥାରୁ ଅବାଟ ଧରି ନିଶାପାଣିରେ ଢେର୍ ଅର୍ଥ ଶ୍ରାଦ୍ଧ କଲା। କେବଳ ସେତିକି ନୁହଁ, ଜୁଆଖେଳରେ ମାତି ନିଜର ସର୍ବସ୍ବ ହରାଇବା ପରେ ବାର ଦୁଆରେ ହାତପାତି ଧାର ଉଧାର ଆଣିଲା। କରଜଟଙ୍କା ଶୁଝି ନପାରି ଶେଷରେ ମଦଭାଟି ମାଲିକର ନଷ୍ଟଚରିତ୍ର ଝିଅକୁ ବାଧ୍ଯରେ ବିବାହ କରି ମଦଭାଟିରେ ମ୍ଯାନେଜର ଭାବରେ କାର୍ଯ୍ଯାରମ୍ଭ କଲା। ସବୁଦିନ ମଦପିଈ ଘରକୁ ଫେରିବା ଓ ଗଣ୍ଡଗୋଳ କରିବା ନିତିଦିନିଆ ଘଟଣା ପାଲଟି ସାରିଥିଲା। ଏସବୁ ବ୍ଯାପାର ସହ୍ଯ କରି ପାରିଲେନି ରାଧା। ତାଙ୍କ ଓୌରସରୁ ଏପରି ସନ୍ତାନ ଜନ୍ମିବ ବୋଲି ସେ ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିଲେ। ଭୀଷଣ ମାନସିକ ଚାପରେ ପେଶି ହୋଇ ହଠାତ୍ ହୃଦଘାତରେ ଶେଷନିଶ୍ବାସ ତ୍ଯାଗ କଲେ । କିଛିଦିନ ଉତ୍ତାରୁ ଅଶୋକ ମଧ୍ଯ ରୋଗାଗ୍ରସ୍ତ ହୋଇ ବିଛଣା ଧରିଲେ। ପୁଅବୋହୂଙ୍କ ଅକଥନୀୟ ଅତ୍ଯାଚାର ସହ୍ଯ କରିବାର ଶକ୍ତି ଅଶୋକଙ୍କ ପାଖରେ ନଥିଲା। ସେ ସୁସ୍ଥଥିବା ବେଳେ କେବେ କେମିତି ପ୍ରତିବାଦ ସୂଚକ ଦୁଇଚାରି ପଦ କଥା କହି ପୁଅବୋହୂଙ୍କୁ ତାଗିଦ୍ କରୁଥିଲେ। କିନ୍ତୁ ଇଶ୍ବର ସେ ଶକ୍ତି ମଧ୍ଯ ଛଡାଇ ନେଲେ। ଆଜି ତାଙ୍କ ସ୍ବନିର୍ମିତ ଘରେ ତାଙ୍କ ପାଇଁ ସ୍ଥାନ ନାହିଁ। ସେ ରହୁଥିବା କମରା ଏବେ ନାତୁଣୀ ଅକ୍ତିଆର କରି ନେଇଛି। ଠାକୁରଘର ପାଖକୁ ଲାଗିଥିବା ବାରଣ୍ଡା ଏବେ ତାଙ୍କ ଆସ୍ଥାନ ପାଲଟିଛି। ଭୀଷଣ ଗରମ ହେତୁ ପୁଅବୋହୂ ଓ ନାତୁଣୀଙ୍କ କମରାରେ ଏ ସି ଲାଗିଛି। କିନ୍ତୁୁ ସେ ଶୋଉଥିବା ଯାଗାରେ ପଙ୍ଖା ଲଗାଇବାର ସୁବିଧା ନାହିଁ। ତେଣୁ ରାତିରେ ତାଙ୍କୁ ଛାତ ଉପରେ ଦଉଡିଆ ଖଟରେ ଶୋଇବାକୁ ପଡୁଛି। ବ୍ରେନଷ୍ଟ୍ରୋକ ହେବା ପରଠାରୁ ସେ ପୂର୍ବପରି ଚାଲବୁଲ କରି ପାରୁ ନାହାଁନ୍ତି। କେହି ଟେକାରଖା ନକଲେ ଗୋଟିଏ ସ୍ଥାନରୁ ଅନ୍ଯ ସ୍ଥାନକୁ ଯିବା ଅସମ୍ଭବ। ଦୁଇଜଣ ପିଲା ସଞ୍ଜବେଳେ ତାଙ୍କୁ ଟେକିଟେକି ଛାତ ଉପରକୁ ନେଇ ଯାଆନ୍ତି ଓ ସକାଳେ ପୁଣି ତଳକୁ ଆଣି ଠାକୁରଘର ବାରଣ୍ଡା ପାଖରେ ରଖି ଦିଅନ୍ତି। ସାରାଦିନ ସେ ପଡି ରୁହନ୍ତି ଖଟ ଉପରେ ଏକ ଜୀବନ୍ତ ମୁର୍ଦାର ପରି। ଅର୍ଦ୍ଧାଧିକ ସମୟ ସେ ଅର୍ଦ୍ଧଚେତନ ଅବସ୍ଥାରେ ରୁହନ୍ତି,ତେଣୁ ପାରିପାର୍ଶ୍ବିକ ଘଟଣାକ୍ରମ ବିଷୟରେ କ୍ବଚିତ ଜାଣି ପାରନ୍ତି। କେବେକେବେ ପୁଅବୋହୂଙ୍କ ଫିସଫିସ କଥା କାନରେ ପଡେ। - - ' କେବେ ଯିବ ଏ ବୁଢା କେଜାଣି,ତେଣେ ଏ ଘର କିଣିବା ଲୋକ ଦିନକୁ ଦଶଥର ଫୋନ କରି ବିରକ୍ତ କରୁଛି। ପୁଣି ଧମକ ବି ଦେଉଛି ଯେ ଜଲଦି ଘର ଦିଅ ନହେଲେ ଆଡଭାନସ ଟଙ୍କା ଫେରାଅ।' ଅଶୋକ ଅଟ୍ଟହାସ୍ଯ କରନ୍ତି ମନେମନେ- - ତେଣେ ସମ୍ରାଟଙ୍କ ସ୍ବାଗତ ସମାରୋହ ଜାକଜମକରେ ପାଳନ କରିବାକୁ ତାରା ଇଲାକାରେ ନାହିଁ ନଥିବା ଉତ୍ସାହ,ଏଣେ ଏମାନଙ୍କର ବାଚାଳାମୀରେ ବିରାମ ନାହିଁ।

ବଡ କଷ୍ଟରେ ବୁଲି ଦେଖିଲେ ଛୋଟ କାଠ ଷ୍ଟୁଲରେ ରଖା ଯାଇଥିବା ଖାଇବା ଓ ଓୌଷଧକୁ। ପୋଡା ରୁଟି ଦୁଇଖଣ୍ଡ ଉପରେ କିଛି ଆଳୁ ଚକଟା। ବାସ୍ ସେତିକି ଥିଲା ଅଶୋକଙ୍କ ରାତ୍ରି ଭୋଜନ। କେମିିତି ସେ ଏପରି ଖାଦ୍ଯ ଖାଇବେ ବୋହୂ କଣ ଥରେ ବି ଭାବି ପାରିଲାନି? ଅନେକଥର ଏପରି ହୋଇଛି ଯେ ରାତିର ଖାଇବା ସେମିତି ଷ୍ଟୁଲ ଉପରେ ସକାଳ ଯାଏଁ ରଖାଯାଇଛି। ଅବଶେଷରେ କୁଆ ମାନେ ଥାଳି ଖାଲି କରିଛନ୍ତି। କଥା ସେତିକିରେ ସରିନି, ସେ ଖାଦ୍ଯ ନଷ୍ଟ କରୁଛନ୍ତି ବୋଲି ପୁଅବୋହୂଙ୍କ ଅଭିସମ୍ପାତ୍ ଶୁଣିବାକୁ ପଡିଛି । ରାତିରେ ଛାତ ଉପରେ ଶୋଇବା ବେଳେ ଅଶୋକଙ୍କୁ ଅକଥନୀୟ ଯନ୍ତ୍ରଣା ସହ୍ଯ କରିବାକୁ ପଡେ। ମଶା,ଡାଆଁସଙ୍କ ଉତ୍ପାତ ଓ ଶୀତଳ ପବନରୁ ନିଜକୁ ବଞ୍ଚାଇବା ସକାଶେ ଦେହ ଉପରେ ଚଦର ଖଣ୍ଡିକ ମଧ୍ଯ ଘୋଡାଇବାରେ ସେ ଅସମର୍ଥ। ଶୋଷ ଲାଗିଲେ ବି, କାହାକୁ ଡାକି ପାଣି ଟିକେ ଦିଅ ବୋଲି କହିବାକୁ କେହି ନାହିଁ। ସମସ୍ତେ ନିଜ କମରାରେ ଏ ସି ଫ୍ଯାନ ଲଗାଇ ଶୋଇଥିବେ। ଏପରି ସମୟରେ ସେ ଗୋଟିଏ ଲୟରେ ଆକାଶକୁ ଚାହିଁ ଖୋଜି ଚାଲିଥାନ୍ତି ରାଧାଙ୍କୁ। ସେ କଣ ଅଶୋକଙ୍କର ଏପରି ଦୂରାବସ୍ଥା ଦେଖି ସହ୍ଯ କରି ପାରୁଥିବେ?

ଅଶୋକଙ୍କ ମନରେ ଖାଇବା ପାଇଁ ତିଳାର୍ଧ୍ଧେ ଆଗ୍ରହ ନଥିଲା। ସେ ପୂର୍ବପରି ଆକାଶକୁ ଚାହିଁ ଭାବନାରାଜ୍ଯରେ ନିମଜ୍ଜିତ ହେଲେ। ତାରା ଇଲାକାରେ ତାଙ୍କ ଆଖି ଖୋଜି ଚାଲିଥିଲା ରାଧାଙ୍କୁ। ସେହି ଅବସ୍ଥାରେ ସେ କେତେ ସମୟ ରହିଲେ ଜଣାନାହିଁ। ପବନରେ ଶୀତଳତାର ମାତ୍ରା ବୃଦ୍ଧି ହେବା ଅନୁଭବ କରି ସେ ପ୍ରକୃତିସ୍ଥ ହେଲେ। ପବନର ବେଗ ଧିରେ ଧିରେ ବଢିଚାଲିଲା। ଅଶୋକଙ୍କ ଦୃଷ୍ଟି ସମ୍ମୁଖରୁ ତାଙ୍କ ତାରା ଇଲାକା ଧିରେଧିରେ ଅଦୃଶ୍ଯ ହେବାକୁ ଲାଗିଲା। ଅନ୍ଧକାର ରାତିର ସାନ୍ଦ୍ରତା ଯଥେଷ୍ଟ ବୃଦ୍ଧି ପାଇ ସାରିଥିଲା। ଏକ ହିମଶୀତଳ ଜଳବିନ୍ଦୁ ଅଶୋକଙ୍କ ମୁଖସ୍ପର୍ଶ କରିବା ଉତ୍ତାରୁ ସେ ଚମକି ପଡି ଉଠିବାକୁ ଚେଷ୍ଟା କଲେ। ମାତ୍ର ବିଫଳ ହେଲେ। ସେତିକିବେଳେ ନଭମଣ୍ଡଳ ଜାଜ୍ଜଲ୍ଯମାନ ହେଲା ଘନଘନ ବିଜୁଳିର ଚାବୁକମାଡରେ। ସତେକି ବିଜୁଳିଗଣ କ୍ରୀଡାମନସ୍କ ହୋଇ ଘନକୃଷ୍ଣ ବାଦଲର ବୁକୁଚିରି ମର୍ତ୍ତ୍ଯମଣ୍ଡଳକୁ ଲମ୍ଫପ୍ରଦାନ କରି ଚାଲିଛନ୍ତି। ତା ସାଙ୍ଗକୁ ତୁହାକୁ ତୁହା ବଜ୍ରପାତରେ କମ୍ପମାନ ହେଲା ଭୂମଣ୍ଡଳ। ଆତଙ୍କରେ ଶିହରି ଉଠିଲା ଅଶୋକଙ୍କ ମନ। ସେ ଛାତ ଉପରେ ନିରାଶ୍ରୟ ଅବସ୍ଥାରେ ପଡି ରହିଛନ୍ତି ବୋଲି ପୁଅବୋହୂ କଣ ଭୁଲି ଗଲେ। ଅନ୍ତତଃ, ନାତୁଣୀ ତ ଢେର ରାତି ଯାଏଁ ଚାହିଁ ରହିଥାଏ। ସେ ତ ଜାଣି ପାରିବା କଥା। ପୁଣି ନିଜକୁ ସାନ୍ତ୍ବନା ଦେଲେ- - ଆରେ, ତାଙ୍କୁ ନିଆଅଣା କରୁଥିବା ପିଲା ଦୁଇଟା ତ ସକାଳେ ଆସିବେ। ସେ ବିଛଣାରେ ପଡି ରହିବା ଦିନରୁ ତ ସେଇମାନେ ହିଁ ତାଙ୍କ ନିଥର ଶରୀରର ଭାର ବୋହି ଚାଲିଛନ୍ତି;ଘରେ ଅନ୍ଯ କାହାକୁ ସେ କଷ୍ଟ କରିବାକୁ ପଡିନି। ସୁତରାଂ ବର୍ଷା ହେବାର ସମ୍ଭାବନା ସତ୍ତ୍ବେ, ସେ ଛାତ ଉପରେ ରହିବା ବିଷୟ ଘରଲୋକେ ଜାଣିବା ବା ନଜାଣିବା ମଧ୍ଯରେ କିଛି ପାର୍ଥକ୍ଯ ନାହିଁ। ସମୟ କେତେହେଲା ଜାଣିବାର ଅବକାଶ ନାହିଁ। ପାଖରେ ଘଣ୍ଟା ନାହିଁ। ହାବୁକାଏ ହିମଶୀତଳ ପବନ ଅଶୋକଙ୍କ ଉପରେ ହାମୁଡାଇ ପଡିବା ପରି ଲାଗିଲା। ପବନ ଓ ବଜ୍ରପାତ ସହିତ ତାଳଦେଇ ବଢି ଚାଲିଥିଲା ବର୍ଷାବିନ୍ଦୁର ଅବୟବ। ବାଲୁକା ରେଣୁସମ ବର୍ଷାବିନ୍ଦୁ କେଇକ୍ଷଣରେ ବରକୋଳି ଆକାର ଧାରଣ କରି ସାରିଥିଲା। ସମସ୍ତ ଶକ୍ତି ଖଟାଇ ଅଶୋକ ଚେଷ୍ଟାକଲେ ଚଦର ଖଣ୍ଡକ ତାଙ୍କ ଦେହରେ ଆପାଦ ମସ୍ତକ ଘୋଡାଇ ରଖିବା ପାଇଁ। ମାତ୍ର ନାଃ, ଅମାନିଆ ପବନ ଚଦରକୁ ବହୁ ସମୟ ପୂର୍ବରୁ ଉଡାଇନେଇ ସାରିଥିଲା। ସେ ଥିଲେ ନିରୁପାୟ ଓ ନିରସ୍ତ୍ର। ଆଜୀବନ ପରିସ୍ଥିତି ଓ ପରିବେଶର ଅହରହ ଧକ୍କା ଖାଇ ତିଷ୍ଠି ରହିବା ପରି ତାଙ୍କୁ ଏବେ ସମ୍ଭାଳିବାକୁ ହେବ ଇନ୍ଦ୍ରଦେବଙ୍କର ଏ ଅତର୍କିତ ଆକ୍ରମଣ। ପ୍ରତିରୋଧ କରିବାର ପ୍ରଶ୍ନ ଉଠୁନି ବରଂ ଆତ୍ମସମର୍ପଣ କରିଦେବା ହିଁ ଏକ ମାତ୍ର ପନ୍ଥା। ଘନଘନ ବିଜୁଳିର ଚମକ,ବଜ୍ରପାତର ଗୁରୁ ଗମ୍ଭୀର ନାଦ ଓ ଆକାଶମାର୍ଗରୁ ବର୍ଛ୍ଛାପରି ନିକ୍ଷିପ୍ତ ବୃଷ୍ଟିଧାରାର ପ୍ରାବଲ୍ଯ ଅଚିରେ ନିରସ୍ତ କରି ପକାଇଲା ଅଶୋକଙ୍କୁ। ପ୍ରଥମେ ସେ ପାପୁଲିରେ ମୁହଁ ଢାଙ୍କି ନିଜକୁ ବଞ୍ଚାଇବାର ଦୁର୍ବଳ ପ୍ରୟାସ କରୁଥିଲେ। କିନ୍ତୁ ସେହି ପ୍ରୟାସ ପ୍ରଭାବହୀନ ବୋଲି ଅନୁଭବ କରିବା ପରେ ସେ ଇଶ୍ବରଙ୍କ ଉଦ୍ଦେଶ୍ଯରେ ଦୁଇହାତ ଶୂନ୍ଯକୁ ତୋଳି ଧରିଲେ। ତାଙ୍କ ଆଖି ମୁଦି ହୋଇ ଆସୁଥିଲା। ହଠାତ୍ କାହାର ଚିର ପରିଚିତ ସ୍ପର୍ଶରେ ସେ ରୋମାଞ୍ଚିତ ହୋଇ ଉଠିଲେ।

' ଆରେ ରାଧା ତୁମେ, ଏହା କିପରି ସମ୍ଭବ ! ପୁଣି ଏପରି ବେଶ କାହିଁକି ଧାରଣ କରିଛ କହିଲ ଭଲା ମୋତେ ବିଶ୍ବାସ କର, ତୁମେ ସତସତିକା ମହାରାଣୀ ପରି ଦିଶୁଛ। ସାଙ୍ଗରେ ଏ କୁନିକୁନି କିମ୍ଭୁତକିମ୍ଭାକାର ବେଶଧାରୀ ପ୍ରାଣୀମାନେ କିଏ? ସେମାନେ ଅଶୋକଙ୍କୁ ବେଢିଯାଇ ଗେଲ କରିବାରେ ଲାଗିଲେ। ସେମାନଙ୍କ ଆଖିରେ ଅଶୋକ ଦେଖି ପାରୁଥିଲେ ସୀମାହୀନ

ପ୍ରେମ ଓ ନିବିଡ ଆବେଗର ଉଚ୍ଛ୍ବାସ। ଲାଗୁଥିଲା ଏହି ପ୍ରାଣୀ ମାନଙ୍କୁ ସେ ଅତି ଭଲରେ ଚିହ୍ନିଛନ୍ତି କାହିଁ କେତେ କାଳରୁ।

‘ ତୁମେ ନିଜେ ସମ୍ରାଟ ହୋଇ ନିଜ ଇଲାକାକୁ ଭୁଲି ଯାଇଛ? ରାଧାଙ୍କ ଓଷ୍ଠରେ ରହସ୍ଯମୟ ହସର ଚମକ।

‘ ତେବେ ମୁଁ’ ଅଶୋକଙ୍କ ବାକ୍ଯ ଅସମ୍ପୂର୍ଣ୍ଣ ରହିଗଲା।

ଏକ ପରମ ଶାନ୍ତିପ୍ରଦ ଶୀତଳ ବାୟବୀୟ ଆକୃତି ଅଶୋକଙ୍କ ସମଗ୍ର ସତ୍ତାକୁ ଆଚ୍ଛନ୍ନ କରିବାକୁ ଆରମ୍ଭ କଲା । ତାଙ୍କ କଷ୍ଟଜର୍ଜରିତ ଶରୀରରେ ସ୍ଫୁର୍ତ୍ତିର ନୂତନ ଆଭା ଉକୁଟି ଉଠିବା ପରି ମନେହେଲା। ସମଗ୍ର ଶରୀର ରେ ଖେଳିଗଲା ହାଲୁକାପଣର ନୂତନ ଅନୁଭବ। ମୁଖ ଉନ୍ମୁକ୍ତ କରି ସେ ସେହି ବାୟବୀୟ ସତ୍ତାକୁ ଆବକ୍ଷ ପାନ କରିବାକୁ ଲାଗିଲେ। ତାଙ୍କ ଆଖି ସାମ୍ନାରେ ନାଚି ଉଠିଲା ତାଙ୍କ ତାରା ଇଲାକାର ମନଲୋଭା ଦୃଶ୍ଯ। ହଠାତ୍ ଘନ ଅନ୍ଧକାର ତାଙ୍କ ଉନ୍ମକ୍ତ ନେତ୍ରଯୁଗଳରେ ବ୍ଯାପ୍ତ ହେବାକୁୁ ଲାଗିଲା।

ଚିରାଚରିତ ଢଙ୍ଗରେ ପରଦିନ ସକାଳେ ପିଲା ଦୁଇଟା ଅଶୋକଙ୍କୁ ଘର ଭିତରକୁ ଟେକି ନେବା ପାଇଁ ଛାତ ଉପରକୁ ଆସିଲେ। ପାଗ ଥଣ୍ଡାଥିଲା, ତେଣୁ ସେମାନଙ୍କ ନିଦ ଭାଙ୍ଗିବାରେ ବୋଧେ ବିଳମ୍ବ ହୋଇ ଯାଇଥିଲା। ସେହି ଦଉଡିଆ ଖଟରେ ଅଶୋକ ଓଦା ସଡସଡ ଅବସ୍ଥାରେ ପଡି ରହିଥିଲେ। ତାଙ୍କ ମୁଖ ଉନ୍ମୁକ୍ତ ଥିଲା ଓ ଦୃଷ୍ଟି ନିବଦ୍ଧ ଥିଲା ମେଘାଛନ୍ନ ଆକାଶର ବକ୍ଷରେ ।

‘ ଓହୋ,କି ନିର୍ଦ୍ଦୟ ଲୋକ ଏମାନେ। ବିଚରା ରୋଗିଣା ବୁଢାକୁ ରାତିସାରା ବର୍ଷାରେ ଭିଜିବା ପାଇଁ ଛାଡି ଦେଇ ନିଶ୍ଚିନ୍ତ ହୋଇ ଶୋଇଛନ୍ତି। କାଲିରାତିରେ ଏମିତି ବର୍ଷାହେଲା ଯେ ଘରଦ୍ବାର ଭାଙ୍ଗିଗଲା,ରାସ୍ତାଘାଟରୁ ତ ଏତେବେଳ ଯାଏଁ ପାଣି ଛାଡିନି। ଏତେ ସବୁ ହେଲା କିନ୍ତୁ ଏମାନଙ୍କୁ ଜଣା ପଡିଲାନି?’ ଆତଙ୍କିତ ଅବସ୍ଥାରେ ପ୍ରଥମ ପିଲାଟି ତା ସାଙ୍ଗକୁ କହିଲା ।

ଏକ ପୁରୁଖା ଡାକ୍ତର ପରି, ଅଶୋକଙ୍କ ଦେହ,ନାକ,ପାଟି ଓ ଆଖିରେ ହାତ ମାରିବା ପରେ ପିଲାଟି ଏକ ଅନୁଚ୍ଚ କ୍ଷୁଦ୍ର ଆର୍ତ୍ତନାଦ ସହ ପଛକୁ ଡେଇଁ ପଡିଲା ।


Rate this content
Log in

Similar oriya story from Drama