Arabinda Rath

Comedy

4.5  

Arabinda Rath

Comedy

ହୋଟେଲ କାନ୍ଦ ବୋବାଳି

ହୋଟେଲ କାନ୍ଦ ବୋବାଳି

12 mins
492



 


ସ୍ଥାନଟା ବିଶେଷ ବଡ ନହେଲେ ବି ଛୋଟ ପଦବାଚ୍ଯ ନୁହଁ। ସହର ପରି ଲୋକ ହାଉଯାଉ ହେବା ପ୍ରାୟ ଦୃଶ୍ଯ ହୁଏନି। ଗାଡି ମୋଟରର ପେଁ ପାଁ ରାବ ସହର ଅପେକ୍ଷା ଯଥେଷ୍ଟ କମ୍। ସ୍ଥାନଟା କୁଆଡେ ଇଂରେଜ ଅମଳରେ ଭାରି ଗୁରୁତ୍ବପୂର୍ଣ୍ଣ ଥିଲା। ବେଶ୍ କେଇ ଗୋଟି ସରକାରୀ ଅଫିସ ସେ ସମୟରେ ଖୋଲି ପକାଇଥିଲେ ଇଂରେଜ ମାନେ। ନଦୀ ପାଖିଆ ସ୍ଥାନଟା ବୋଲି ଡଙ୍ଗାରେ ଲୋକେ ସୁରୁଖୁରୁରେ ଯିବା ଆସିବା କରି ପାରୁଥିଲେ। ଏବେ ସିନା ଭଲ ରାସ୍ତା ସାଙ୍ଗକୁ ଚକମକିଆ ପୋଲ ହୋଇଯାଇଛି, ନହେଲେ ସେ ସମୟରେ ରାସ୍ତା ବୋଇଲେ ମାଟି ମୋରମ ବିଛା ଅଙ୍କାବଙ୍କା ଖାଲି ସ୍ଥାନକୁ ସୂଚାଉଥିଲା। ଲୋକେ ଚାଲିଚାଲି ଯେଉଁ ବାଟରେ ଯାଉଥିଲେ ତାହା ହି ଥିଲା ରାସ୍ତା। ବର୍ଷାଟିକେ ହୋଇଗଲେ ସେ ସମୟରେ କାଦୁଅ ପଚପଚ ରାସ୍ତାରେ ଅଣ୍ଟା ଯାଏଁ ବୁଡି ଲୋକେ ବଡ କଷ୍ଟରେ ଯାଉଥିଲେ। କାଳକ୍ରମେ ଦେଶ ସ୍ବାଧୀନ ହେଲା। କେତେ ଗାଁଆଗଣ୍ଡା ସହର ହୋଇଗଲା ତାହାର ହିସାବ ନାହିଁ। କିନ୍ତୁ ଏ ସ୍ଥାନ ପ୍ରତି କାହାର ଦୃଷ୍ଟି ପଡିଲା ନାହିଁ। କାରଣ ଟା ବେଶ୍ ରୋଚକ। ଗାଁଆର ଲୋକେ ଆଜନ୍ମ ଗାଲୁଆ। ଟାଉଟରିରେ ତାଙ୍କୁ କେହି ପାରିବେନି। ଇତିହାସର ପୃଷ୍ଠା ଘାଣ୍ଟିଲେ ଜଣା ପଡେ ଯେ ଇଂରେଜ ମାନେ ସର୍ବପ୍ରଥମେ ଏହି ସ୍ଥାନକୁ ଛାଡି ପଳାୟନ କରିଥିଲେ। କାରଣ ଲୋକଙ୍କ ବୁଦ୍ଧି ଆଗରେ ସେମାନଙ୍କର ପାତିମାଙ୍କିଡିଆ ବୁଦ୍ଧି ମଧ୍ଯ ଗୁଡୁମ୍ ମାରିଥିଲା। ପୂର୍ବରୁ ସ୍ଥାନର ନାମଟି କଣଥିଲା ସେ କଥା କେହି କହିବାକୁ ନାରାଜ୍। ମାତ୍ର ଇଂରେଜ ମାନେ ଯିବାପରେ ସ୍ଥାନର ନାମଟା ଫିରିଙ୍ଗିଘଉଡାପୁର ନାମରେ ଖ୍ଯାତହେଲା। ସ୍ଥାନର ସଂସ୍କୃତିରେ ଦେଶୀ ଡାଲମାର ଝଲକ ସ୍ପଷ୍ଟ ବାରିହୁଏ। ନାନା ଜାତିର ପରିବା ଡାଲମାରେ ପଡିବା ପରି ଏ ସ୍ଥାନର ଲୋକଙ୍କ ସଂସ୍କୃତିରେ ବିବିଧତା ଦେଖିବାକୁ ମିଳେ। ଏ ସ୍ଥାନରେ କିମ୍ଭୁତକିମ୍ଭାକାର ସାଙ୍ଗିଆଧାରୀ ଲୋକେ ଯାହାକୁ ଯେତେ। ଯେମିତି କି ରାମଚନ୍ଦ୍ର ଡିକୋଷ୍ଟା, ହରିଆ ଫର୍ଗୁନସନ, ପିଟର୍ ମହାପାତ୍ର, ଲିଓନାର୍ଡୋ ରଥ, ଚୈତନ୍ଯ ମାଉଣ୍ଟବେଟନ୍ ଆହୁରି କେତେ ଯେ ତାହାର ହିସାବ ନାହିଁ। ଛାଡ, ଏ ସହର ବିଷୟରେ ଆଉ ଅଧିକା କହି କିଛି ଲାଭ ନାହିଁ। କିନ୍ତୁ ଏ ସହର ମୋତେ ଯେଉଁ ଅଭୁଲା ଅନୁଭୂତି ଦେଇଛି ସେ ବିଷୟରେ ଟିକେ ଟର୍ଚ୍ଚପାତ କରିବା।

ଥରେ ଏକ କାମରେ ମୁଁ ଫିରିଙ୍ଗିଘଉଡାପୁର ଯାଇଥାଏ। ମୋର ଭଲରେ ମନେଅଛି , ସେତେବେଳକୁ ଶୀତ ଯିବ ବୋଲି ବାହାରିଥାଏ ଓ ଖରା ଆସିବ ଆସିବ ହେଉଥାଏ। ଆକାଶ ବେଶ୍ ପରିଷ୍କାର ଥାଏ ଓ ସୁଲୁସୁଲିଆ ପବନରେ ଦେହମନ ଛନଛନ ହୋଇଯାଉଥାଏ। ଅଫିସ କାଗଜ ଭର୍ତ୍ତି ବ୍ଯାଗଟା କାନ୍ଧରେ ଝୁଲାଇ ବସ୍ ରୁ ଓହ୍ଲାଇଲି। କାମଟା ବିଶେଷ ଝିଂଝଟିଆ ନଥିଲା। ସେହି ଅଞ୍ଚଳର ଜଣେ ଲୋକ ମୁଁ କାମ କରୁଥିବା ବ୍ଯାଙ୍କରେ ଲୋନ ନେବା ପାଇଁ ଦରଖାସ୍ତ ଦେଇଥିଲା। ବ୍ଯବସାୟରେ ଉନ୍ନତି ନିମନ୍ତେ ଲୋକଟା ଦଶଲକ୍ଷ ଟଙ୍କା ଲୋନ ପ୍ରଦାନ ନିମନ୍ତେ ପ୍ରାର୍ଥନା କରିଥିଲା। ଏତେ ଗୁଡାଏ ଟଙ୍କା ତ ଖାଲିରେ ଦେଇହେବ ନାହିଁ। ତେଣୁ ମୋତେ ଆସିବାକୁ ହେଲା ଲୋକଟାର ଘରଦ୍ବାର,ଜମିବାଡି ଦେଖିବା ପାଇଁ। କାଲି ସକାଳକୁ ଟଙ୍କା ଶୁଝି ନ ପାରିଲେ ସେଇସବୁକୁ ବିକ୍ରି କରି ବ୍ଯାଙ୍କ ଟଙ୍କା ଟା ଅସୁଲ କରିବ। କହିବାକୁ ଗଲେ ମୋ କଲମ ଗାରରେ ଲୋକଟାର ଭାଗ୍ଯ ଝୁଲୁଥିଲା। କରଜ ଶୁଝିବାର କ୍ଷମତା ନାହିଁ ବୋଲି ମୁଁ ରିପୋର୍ଟ ଦେଇଦେଲେ ଲୋକଟାର ଭେଳା ବୁଡିଲା ବୋଲି ଜାଣ। ଫାଇଲ ଅଣ୍ଡାଳି ଲୋକର ନାମକୁ ଭଲରେ ଆଉଥରେ ପଢିଲି। ହଁ ଲୋକର ନାମଟା ହେଲା ହେଣ୍ଡାଳି ଡିକାପ୍ରିଓ, ପିତା- ଠୁଙ୍ଗାଫିଟା ପିଟରସନ୍ ଗ୍ରାମ- ଫିରିଙ୍ଗିଘଉଡାପୁର। ସେତିକି ଠିକଣାରେ ଲୋକଟିକୁ ପାଇବା କଷ୍ଟ ବୋଲି ଜାଣି ପାଖ ଦୋକାନିଙ୍କୁ ପଚରା ଉଚୁରା କରିବାକୁ ସ୍ଥିର କଲି। ସମୟ ସେତେବେଳକୁ ଏଗାର ପଇଁଚାଳିଶି। ମୋତେ ଭୋକ ଲାଗିବାର ଅନୁଭବ କଲି। ମାତ୍ର ସେ ସମୟ ଟା ଏପରି ଯେ, ନା ଜଳଖିଆ ଖାଇହେବ ନା ମଧ୍ଯାହ୍ଣ ଭୋଜନ କରିହେବ। ବ୍ଯାଙ୍କରେ ଫିଲ୍ଡ ଅଫିସର ଭାବରେ ଯେତେବେଳେ ଯୁଆଡେ ଯାଇଛି ପେଟଫଟା ଖାଇବା ଖାଇଛି। କରଜ ପାଇବା ଲୋକେ ମୋତେ ଘିଅ ମହୂରେ ଭସାଇ ଦିଅନ୍ତି। ବାସ୍ନା ଅରୁଆଭାତ ସାଙ୍ଗକୁ କୁକୁଡା ଝୋଳ,ଖାସି ଝୋଳ, ଚିଙ୍ଗୁଡିଭଜା ଇତ୍ଯାଦି କେତେ ଯେ ଖୁଆନ୍ତି ତାହାର ହିସାବ ନାହିଁ। ପୁଣି ଘରକୁ ଫେରିବା ବେଳେ ନାନା ଜାତିର ଉପହାରରେ ପୋତି ପକାନ୍ତି। କିନ୍ତୁ ଏ ସ୍ଥାନରେ ମୋତେ ପାଛୋଟି ନେବାକୁ କେହି ଆସିଲେନି। ଅବସ୍ଥା ଏପରି ଯେ ନିଜ ପକେଟ ଉସୁଆସ କଲେ ଯାଇ ପେଟ ପୁରିବ। ମନେମନେ କହିଲି- - ହଉରେ ପୁଅ,ଯେମିତି ଚର୍ଚ୍ଚା କରିଛୁ ତୋତେ ସେମିତି ଲୋନ ମିଳିବ।

ରାସ୍ତାରେ କିଛି ବାଟ ଯାଇଛି କି ନାହିଁ- - କିଏ ଜଣେ ଅନବରତ ପଛ ପଟରୁ ଡାକି ଚାଲିଲା। କାଳେ ଚିହ୍ନା ପରିଚୟ ଲୋକ ହୋଇଥିବ ଭାବି ମୁଁ ଛିଡା ହୋଇଗଲି। ଲୋକଟା ପାଖକୁ ଆସି କହିଲା- - ହୋ ମାଲିକେ କହିଲ ଦେଖି- - କୁକୁଡା ଆଗ ନା ଅଣ୍ଡା?


ତା ପ୍ରଶ୍ନ ଶୁଣି ମୁଁ ଘାଇଲା ହୋଇଗଲି। ସେ ଲୋକକୁ ଚିହ୍ନିନି କି ଜାଣିନି- ସେ କଣ କୁକୁଡା ଅଣ୍ଡା ବିଷୟରେ ପାଠ ପଢେଇଲାଣି। ଲୋକଟା ଉତ୍ତର ପାଇବା ଆଶାରେ ମୋ ମୁହଁକୁ ଏକ ଲୟରେ ଚାହିଁ ରହିଥାଏ।

ତା ପାଖରୁ ବର୍ତ୍ତିବା ପାଇଁ କହିଲି- - ଅଣ୍ଡା।

ଲୋକଟା ମଳିଛିଆ ଦାନ୍ତ ନିକୁଟି କହିଲା - - ତୋ ବୋପା ମୁହଁରେ ଗୋବର ଲେଣ୍ଡା।

ତା କଥା ଶୁଣି ମୋ କାନ ମୁଣ୍ଡା ଭାଁ ଭାଁ କରିଦେଲା। ୟା'ପ ଶୁଖିଲାଟାରେ ମୋତେ ରାସ୍ତା ଉପରେ ବେଇଜ୍ଜତ କରିଦେଲା। ମୁଁ କିଛି କହିବା ପୂର୍ବରୁ ଲୋକଟା ଚବିଶି ଇଞ୍ଚିଆ ସାଇକେଲର ଭଙ୍ଗରା ପେଡାଲ ମାରି ସେ ସ୍ଥାନରୁ ଚାଲିଗଲା। ଗଲାବେଳକୁ କହିଲା - - ମଣି,ରାସ୍ତାରେ ଟିକେ ବାଗେଇକି ଚାଲ- - ଏମିତି ଚପଲ ଘୋଷାଡି ଚାଲିଲେ ରାସ୍ତାରୁ ପିଚୁ ଉଠିଯିବ ଯେ…

ସତ କହୁଛି ଆଜ୍ଞା, ମୋ ପାଟିରେ ଜାବ ପଡିଗଲା। ମୋ ବାଉନ ବର୍ଷର ଜୀବନକାଳରେ ଏମିତି ସ୍ବାଗତ କେଉଁ ସ୍ଥାନରେ ଆଜିଯାଏ ହୋଇନଥିଲା। ମନଟା ବି ଉଦାସିଆ ହୋଇଗଲା। ସକାଳେ ଖବରକାଗଜରେ ରାଶିଫଳ ଦେଖିଥିଲି। ସେଥିରେ ତ ଲେଖାଥିଲା ଧନପ୍ରାପ୍ତି,ସୁଖାଦ୍ଯ ଭୋଜନ ଓ ଶୁଭଖବର ମିଳିବାର ଯୋଗ ରହିଛି। ତା ସାଙ୍ଗକୁ ଚାକିରିରେ ପଦୋନ୍ନତି ଓ ସମ୍ମାନଯୋଗ ମଧ୍ଯ ଥିଲା। କିନ୍ତୁ ସବୁ ଫସର ଫାଟିବା ପରି ଲାଗୁଥିଲା। ଏମିତି ଅପମାନିତ ହେବା ପରେ ମନରେ କୋହ ଓ ପେଟରେ ଭୋକ ବଢି ଯାଇଥିଲା। କଣ ଟିକେ ଖାଇ ନଦେଲେ ନିସ୍ତାର ନାହିଁ। ମୋ ଲଣ୍ଡାମୁଣ୍ଡରେ ସୂର୍ଯ୍ଯଦେବ କ୍ଯାରମ୍ ଖେଳିବା ଆରମ୍ଭ କରି ଦେଇଥିଲେ। ଯେଉଁ ଦଶ ବାରଟି ଚୁଟି ମୁଣ୍ଡ ଉପରେ କୂଳକିନାରା ନ ପାଇ ଖେଳ ଚଳାଇଥିଲେ ସେମାନେ ଝାଳରେ ତିନ୍ତି ନିଘୋଡ ନିଦରେ ଶୋଇ ପଡିଥିଲେ। କାନ୍ଧରେ ବ୍ଯାଗ ଭଲରେ ଜାକି ଲମ୍ବା ପାହୁଣ୍ଡ ପକାଇ ଚାଲିବା ଆରମ୍ଭ କଲି। ଥୋଡାଏ କଲେଜ ପଢୁଆ ଝିଅ କିଳିକିଳା ରାବ ମାରି ଆଗ ପଟରୁ ମାଡି ଆସୁଥିଲେ। ସମସ୍ତଙ୍କ ହାତରେ ବିଭିନ୍ନ ଆକାରର ମୋବାଇଲ ଶୋଭା ପାଉଥିଲା। ସେମାନଙ୍କର ଝିଣ୍ଟିକାପରି ଗୋଡ ସବୁ ଚର୍ମଚିପା ଜିନ୍ସ ପ୍ଯାଣ୍ଟର ଚାପରେ ଚାପି ହୋଇ ପଡିଥିଲେ। ରଙ୍ଗ ବେରଙ୍ଗିଆ ଟି ସାର୍ଟ ସାଙ୍ଗକୁ ସାମ୍ପୋକରା ଝାମ୍ପୁଲା କେଶରାଶି ହାଲୁକା ପବନରେ ଧାନ କ୍ଷେତରେ ଧାନ କେଣ୍ଡା ପରି ଝୁଲି ଚାଲିଥିଲେ। କିଛି ପାହୁଣ୍ଡ ଆଗେଇଛି କି ନାହିଁ ଅଚାନକ ଗୋଟିଏ ଲଳନା କାଳିଶି ନାଚିବା ପରି ଭିଡି ଓଟାରି ହୋଇ ହାତଗୋଡ ଛାଟି ରାସ୍ତା ଉପରେ ଡେଇଁବା ଆରମ୍ଭ କଲା। ତାକୁ ଦେଖି ମୋ ହାଲକ ଶୁଖିଗଲା। ଭାବିଲି ଝିଅ ମୁଣ୍ଡରେ ଖରା ପଶିଗଲା ବୋଧେ। କାଳେ ତଳେ ପଡିଯିବ ବୋଲି ଭାବି ତା ପାଖକୁ ଦୌଡି ଯିବା ସମୟରେ ଦେଖିଲି ତା ସାଙ୍ଗ ଝିଅ ମାନେ ତାକୁ ଚାହିଁ ଦୁଇ ଯିବା ଇସାରା କରୁଛନ୍ତି। ପୁଣି ଭାବିଲି ନିହାତିି କୌଣସି ସ୍ଥାନରେ ଅଖାଦ୍ଯ ଖାଇ ପିଲା ଗୁଡାକର ପେଟ ଭୀଷଣ ଗୋଳମାଳ ହୋଇ ଯାଇଛି। ସେହି କାରଣରୁ କିଏ କାଳିଶି ନାଚ ନାଚିଲାଣି ତ କିଏ ଦୁଇ ଯିବାକୁ ବାହାରିଲାଣି। କିନ୍ତୁ ମୋର ଭାବନାରେ ପୂର୍ଣ୍ଣଛେଦ ପଡିଗଲା ଯେତେବେଳେ କାଳିଶୀ ନଚା ଝିଅଟି ଦାନ୍ତ ନିକୁଟି କହିଲା - - ମୁଁ ପୋଷ୍ଟ କରିଦେଲି, ଏବେ ତୁମ ମାନଙ୍କ ପାଳି। ତା କଥା ସରିଛି କି ନାହିଁ ବାକି ଝିଅ ମାନେ ରାସ୍ତା ଉପରେ ଚପଲ ଘୋଷାରି କିଛି ବାଟ ଆଗେଇ ଗଲେ। ପୁଣି ପଛକୁ ଫେରିଲେ। କିନ୍ତୁ ଫେରିଲା ବେଳକୁ ସମସ୍ତଙ୍କ ପାଦରୁ ଚପଲ ଖସି ଗଲା ଓ ପୁଣି ଚପଲ ମାଡି ପାଦ ଘୋଷାରି କିଛି ବାଟ ଗଲେ। ଭଲରେ ଲକ୍ଷ କଲି, ପାଦ ଘୋଷାରି ଚାଲିଲା ବେଳକୁ ସେମାନଙ୍କର ଗୋଟିଏ ପାଖ କାନ୍ଧ ଉପରକୁ ଟୁଙ୍ଗାରି ହୋଇ ରହିଛି। ଏ ସବୁ ବ୍ଯାପାର ଦେଖି ମୋର ଚେତା ବୁଡିବା ପରି ଲାଗୁଥାଏ। କାଳିଶି ଲଗା ଝିଅଟି ଘାଙ୍ଗୁଡିଆ ସ୍ବରରେ ଘାଡୁଘାଡୁ ହୋଇ ମଳିଛିଆ ବତିଶି ଦେଖେଇ କହିଲା- - ମାଆ ରାଣ୍, ତୁମେ ମାନେ ତ ଶ୍ରୀବଲି ନାଚରେ ନିଆଁ ଲଗେଇଦେଲ। ହେଇ ଦେଖୁନ ହୀନସ୍ତାଗ୍ରାମରେ କେତେ ନାଲି ହୁରୁଦୟ ଚିହ୍ନ ଓଜାଡି ହେଇ ପଡିଲାଣି। ଝିଅଦଳ ଭିତରୁ ଜଣେ ଠାକରି ଗାଲି କହିଲା- - ଆଲୋ ଲାଣ୍ଡି, ତୋ ନିଜ ଆକାଉଣ୍ଟ ଦେଖ୍। ସାମି ସାମି ଗୀତରେ ଯେଉଁ ନାଚ ତୁ ନାଚିଲୁ କେତେ ଆଙ୍ଗୁଠିଟେକା ମିଳିଛି। ହେଇ, ତୋ ନାଚ ଭିଡୁଓରେ ଆମ କଲେଜର ପ୍ରନିସିପାଲ ହେଙ୍ଗୁଳି ଛୁଆଳ ସିଂ, ଇକୋନୋମିକ୍ସ ସାର୍ ଗନ୍ଧରା ଗନ୍ଧର୍ବ ବି ଆଙ୍ଗୁଠି ଟେକା ଦେଇଛନ୍ତି। ବାକି କଲେଜ୍ ଛୁଆଙ୍କ କଥା କଣ କହିବି। କୁତୁୁକୁତିଆ ହୋଇ କେତେ କଣ ଲେଖିସେନ୍ତି ଯେ ପଢିଲା ବେଳକୁ ରାତି ପାହିଯିବ। ତୋ ଆକାଉଣ୍ଟରେ ଗୋଛା କୁ ଗୋଛା ନାଲିଆ ପାନପତ୍ର ବରଷି ପଡୁଛନ୍ତି ପରା। ସେତିକି ଶୁଣି କାଳିଶି ଲଗା ଝିଅଟିର ପାତିଆ ଗାଲ ଲାଜରେ ଗୋଲାପି ପଡିଗଲା। ମୋ ପାଖଦେଇ ଝିଅଦଳ ଯିବା ବେଳକୁ ମୋତେ ବଡ ଅଜବ ଭଙ୍ଗିରେ ଦେଖିଲେ। ସତେକି ଅଚାନକ ମୁଁ ତାଙ୍କ ଗାଧୁଆ ତୁଠରେ ପଶି ଯାଇଛି।



ବାଟରେ କିଛି ଲୋକଙ୍କୁ ହେଣ୍ଡାଳିିର ଠିକଣା ପଚାରିଲି। କଏ ଉତ୍ତର ଦିଗକୁ ଦେଖେଇଲା ତ କିଏ ପଶ୍ଚିମ କୁ। କିଏ କିଏ ଆକାଶ କୁ ଆଙ୍ଗୁଠି ଦେଖାଇ ଠିକଣା ବତେଇଲେ। ମୁଁ ନିଶ୍ଚିତ ହୋଇ ସାରିଥିଲି ଯେ ଏ ଲୋକଙ୍କୁ ଠିକଣା ପଚାରିବା ଯାହା ମରୁଭୂମିରେ ସୁଇମିଂପୁଲ ଖୋଜିବା ତାହା। ସ୍ଥିର କଲି କଣ ଗଣ୍ଡାଏ ଖାଇଦେଇ ସହରକୁ ଫେରିଯିବି। ଅଫିସରେ କହିବି ଲୋକର

ପତ୍ତା ମିଳିଲାନି। ସେ ଲୋନ ନ ପାଇଲେ ମୋର କଣ ଟା ଭାସି ଯିବ କି। କିଛି ବାଟ ଯାଇଛି କି ନାହିଁ ଏକ ହୋଟେଲ ନଜରକୁ ଆସିଲା। ହୋଟେଲ ପାଖକୁ ଯାଇ ବୋର୍ଡ ଦେଖି ଚିନ୍ତାରେ ପଡିଗଲି। ହୋଟେଲର ନାମଟା ଥିଲା "କାନ୍ଦ ବୋବାଳି”। ଭାବିଲି ଇଏ କଣ ଡାକ୍ତରଖାନା ନା ଥାନା ହୋଇଛି ଯେ କାନ୍ଦ ବୋବାଳି ପଡିବ। କିହୋ ଖାଇବା ଯାଗାର ନାମ କିଏ ପୃଥିବୀରେ ଏମିତି ରଖିଲାଣି! ଦୋକାନ ବୋଇଲେ ଚାରିଖଣ୍ଡି ବାଉଁଶ ସହ ବନ୍ଧା ହୋଇ ଚାରିଟି ବାଉଁଶ ତାଟି, ଦୁଇଫୁଟ ବହଳର ନଡାକୁ ମୁଣ୍ଡେଇ ବସିଛନ୍ତି। ଦୋକାନ ଭିତରେ ମାଙ୍କଡା ପଥର ଉପରେ ଲମ୍ବତମ୍ବ ହୋଇ ଶୋଇ ରହିଛି ଏକ ସିମେଣ୍ଟ ଇଲେକ୍ଟ୍ରିପୋଲ। ଗରାଖ ସେଇଥିରେ ବସିବା ବ୍ଯବସ୍ଥା ହୋଇଛି। ଆବଶ୍ଯକ ହେଲେ, ଗରାଖ ସିମେଣ୍ଟ ପୋଲର ଦୁଇପଟକୁ ଗୋଡ ଝୁଲେଇ ବସି ମହା ଆନନ୍ଦରେ ଖାଦ୍ଯ ଭୁଞ୍ଜି ପାରିବେ। ଦୋକାନ ଭିତରେ ଜଣେ ଦରବୁଢା ଲୋକ ଭଙ୍ଗା ପ୍ଲାଷ୍ଟିକ ଚେୟାରରେ ବସି ଦାନ୍ତ ଖୁଣ୍ଟିବାରେ ନିମଗ୍ନ ଅଛି। ଆଗପଛ ନ ଭାବି ମୁଁ ଦୋକାନ ଭିତରକୁ ପଶିଗଲି। ଭୋକ ସେତେବେଳକୁ ମୁଣ୍ଡକୁ ଚଢି ଗଲାଣି। କଣ ଟିକେ ପାଟିରେ ନ ପକେଇଲେ ନିସ୍ତାର ନାହିଁ। ଦୋକାନ ଭିତରେ ପାଦ ପଡିଛି କି ନାହିଁ, ଦୋକାନ ମାଲିକ ମୋ ପାଖକୁ ଦୌଡି ଆସିଲା ଓ ହୁଇ ହାତ ଘିଞ୍ଚି ଟାଣିନେଇ ବସାଇଦେଲା। ପୁଣି ବଡ ରଡିଟାଏ କରି ଡାକିଲା - - ଆରେ ହେ ଅଇଁଠୁ, କୁନ୍ଥେଇ,ନଖିଆ କୁଆଡେ ଗଲ ବେ। ଦଉଡି ଆସ - - ଦୋକାନରେ ଗ୍ରାହକ ପହଞ୍ଚି ଗଲେଣି। ତା କଥା ସରିନି, ତିନିଟା ମେଞ୍ଚଡ ଟୋକା ଆସି ମୋ ପାଖରେ ଛିଡା ହୋଇଗଲେ। ଦୋକାନ ମାଲିକ ନିଜ ସ୍ଥାନକୁ ଫେରିଯାଇ ପୁଣି ଦାନ୍ତ ଖୁଣ୍ଟିବାରେ ଲାଗିଗଲା। ସତେକି ଦାନ୍ତ ସନ୍ଧିରେ କୌଣସି ଅମୂଲ୍ଯ ରତ୍ନ ଲୁଚି ରହିଛି ଓ ସାବଧାନତାର ତାହା ଖୋଳି ବାହାର କରୁଛି। ଟୋକା ତିନିଟାକୁ ଭଲରେ ନିରୀକ୍ଷଣ କଲି। ଜଣଙ୍କ ହାତରେ କଳା ଲାଗିଛି- - ସେ ନିହାତି ରୋଷେଇଆ ହୋଇଥିବ। ଆଉ ଗୋଟେ ପିଲା ହାତରେ ପୋଛା କପଡା- - ସେ ନିହାତି ସଫେଇତି ପିଲା ହୋଥିବ। ଶେଷ ପିଲା ଟା ହାତରେ ଚିରିକୁଟ କାଗଜ ସାଙ୍ଗକୁ ଖଣ୍ଡେ ଭଙ୍ଗା ପେନସିଲ। ଏ ନିହାତି ଖାଦ୍ଯବଢା ପିଲା ହୋଇଥିବ। ମୋର ଅନୁମାନ ଆଦୌ ଭୁଲ ନ ଥିଲା। କାଗଜଧରା ଟୋକା କହିଲା- - ହଁ କୁହ, କଣ ଖାଇବ। ପିଲାଟାର ଏପରି ସମ୍ବୋଧନରେ ମୋ ମୁଣ୍ଡକୁ ପିତ୍ତ ଚଢିଗଲା। ଶ୍ଯଃ- - ବ୍ଯବହାରର "ବ” ଅକ୍ଷର ଜାଣିନି । କଣ ଅଛି ଦୋକାନରେ- - ଯାହା ଅଛି ତ ଦବ – ମୁଁ ଯାହା ଖାଇବାକୁ ଚାହିଁବି କଣ ତିଆରି କରିଦେବ ଯେ ଏତେ ପଚାରୁଛ। ବିରକ୍ତିରେ ମୁଁ କହି ଉଠିଲି। କିନ୍ତୁ ସେ ଟୋକା ମୁହଁରେ କିଞ୍ଚିତ ପ୍ରତିକ୍ରିୟା ଦେଖି ହେଲାନି। ନିହାତି ବେପରୁଆ ଢଙ୍ଗରେ କହିଲା- - ଆମ ଦୋକାନ ରେ ଯାହା ସବୁ ଅଛି ମୁଁ କହି ଦେଉଛି। କଣ ଦରକାର ମୋତେ କହିଦେବ। ସେ କହିବା ଆରମ୍ଭ କଲା- - ଜଳଖିଆରେ ଅଛି ଜୀଅନ୍ତା ବରା ସାଙ୍ଗକୁ ଛଟପଟିଆ ଘୁଘୁନି, ଦାନ୍ତ ଭଙ୍ଗା ପିଆଜି,ଚାନ୍ଦ ଇଟିଲି ଓ ଚଡଚଡିଆ ଦୋଷା- - ମିଠାରେ ରସଜାମୁନ ଓ ଗୋଲାପଗୋଲା। ଯଦି ଭାତ ଖାଇବ ତା ସାଙ୍ଗକୁ ଅଛି- ବାଡିଆ କୁକୁଡା ଝୋଳ,ଉଡନ୍ତା ଡାଲମା,ଠେଙ୍ଗେଣି ଖାସି କଷା ଓ ବାଡିପୋଡା ଚିଙ୍ଗୁଡି। ଆଇଟମର ନାମ ଶୁଣି ମୋ ରାଗ ଆହୁରି ଚଢିଗଲା। ବଡପାଟିରେ କହିଲି- - ଆରେ ହେଃ ମେଞ୍ଚଡ ଟୋକା- - ମୁଁ ତୋ ଅଜା ନା ଜେଜେବାପା ଯେ ମୋ ସାଙ୍ଗେ ଥଟ୍ଟା ଖେଳୁଛୁ। ଏମିତି ଆଇଟମ ତୋ ବୋପା ଅଜା ଚଉଦ ପୁରୁଷରେ କିଏ ରାନ୍ଧିଥିଲା ନା କିଏ ଖାଇଥଲା। ପୁଣି ହୋଟେଲର ନାଁଆ ଦିଆ ହେଉଛି କାନ୍ଦବୋବାଳି- - ଆଉ କିଛି ନାଁଆ ମିଳିଲାନି ତୁମ ମାନଙ୍କୁ?

ମୋ କଥା ନ ସରୁଣୁ ଦୋକାନ ମାଲିକ ଦାନ୍ତଖୁଣ୍ଟା ଛାଡି ମୋ ପାଖରେ ଆସି ଛିଡା ହେବା ଲକ୍ଷ କଲି। ଢିମାଢିମା ଆଖି କରି ସେ ମୋ ଆଡେ ଚାହିଁ ଘଡଘଡିଆ ସ୍ବରରେ କହିଲା- - କିହୋ ସାଇବ, ତୁମ ଜିଭ ତ ବହୁତ ଚାଲୁଛି- - ଡିଜେଲ ପିଉଛ ନା ପେଟ୍ରୋଲ ମ। ଦୋକାନ ନା ମୁଁ ନିଜେ ଦେଇଛି। ମୋ ଦୋକାନ, ଯାହା ଇଛା ଚାହିଁବି ନାଁଆ ଦେବି। ତୁମ ଫାଦରଙ୍କ ବ୍ଯାକ୍ ପୋଡିବାର କିଛି କାରଣ ନାହିଁ। ମୋ ପିଲା ଯାହା ସବୁ ଆଇଟମ କହିଲା ସବୁ ମୋ ଦୋକାନ ରେ ମିଳିବ। ଟୋଟାଲ ଫିରିଙ୍ଗିଘଉଡାପୁରରେ ସିଙ୍ଗଲ ପିସ୍ ଦୋକାନ ମୋର। ଅନ୍ଯ ହୋଟେଲବାଲା ଶହେ ବର୍ଷ ତପସ୍ଯା କଲେ ମଧ୍ଯ ଏ ଆଇଟମ ରାନ୍ଧି ପାରିବେନି। ମୋ ଦୋକାନ କୁ ଏମିତି ସେମିତି ଲୋକ ଆସନ୍ତିନି,ଖୁବ ବଡବଡିଆ ଲୋକେ ଆସନ୍ତି। ପୃଥିବୀ ପ୍ରସିଦ୍ଧ ଦୋକାନ ଇଏ। ବଇନି ସମୟରେ ରାଉରାଉ ନ କରି, କଣ ଖାଇବା କଥା ଖାଇଦେଇ ବେଞ୍ଚ୍ ଖାଲି କର। ମାଲିକର ଟାଉଁଟାଉଁ କଥା ମୋ ପ୍ରାଣକୁ ଭାରି ବାଧିଲା। ଭାବିଲି ଏମାନଙ୍କ ସହ ଯୁକ୍ତିତର୍କ ନକରି କଣ ଟିକେ ଖାଇଦେଇ ସେ ଦୋକାନରୁ ବାହାରିଯିବା ବୁଦ୍ଧିମାନର କାମ । ବହୁ ଚିନ୍ତା


କରିବା ପରେ ବରାଦ ଦେଲି ଭାତ,ଉଡନ୍ତା ଡାଲମା ଓ ଠେଙ୍ଗେଣି ଖାସି କଷା । ଦୋକାନ ପଛକୁ ଲାଗି ରୋଷେଇଘର। ବରାଦ ଦେବାମାତ୍ରେ ଟୋକାଟା ଖାଇବା ଟଙ୍କା ଆଗ ଜମା କରିଦେବାକୁ କହିଲା। ମୁଁ ଆପତ୍ତି କଲି। ମାଲିକ ନାଲିଆଖିରେ ମୋତେ ଚାହିଁ ଦାନ୍ତ ଖୁଣ୍ଟିବାରେ ଲାଗିଲା। ଯେହେତୁ ଭୋକର ମାତ୍ରା ଢେର ବଢି ସାରିଥିଲା ଉପାୟ ନ ପାଇ ମାଲିକକୁ ଟଙ୍କା ଦେଲି।

- - ପାଞ୍ଚଶହ ଟଙ୍କା??ଏତେ କଣ ଯେ- - ପଚାରିଲି ମୁଁ

- - ମାଲିକେ,ଦୋକାନ ଟା ଏମିତି ଇଷ୍ଟାଇଲରେ ହେଇଛିି ବିଦେଶୀ ଲୋକଙ୍କ ପସନ୍ଦ ବୋଲି,କିନ୍ତୁ ଖାଇବା ଜିନିଷ ଅଉଲ ନମ୍ବରର। ତୁମ ସହରର ହୋଟେଲ ତୁଳନାରେ କୌଣସି ଗୁଣରେ କମ ନୁହଁ। ଏତିକି କହି ମାଲିକ ଗୋଟେ ପୁରୁଣା ଆଲବମ୍ କାଢି ଦେଖେଇଲା। ନାନାଜାତିର ପାତି ମାଙ୍କଡ ମୁହାଁ ବିଦେଶୀମାନେ ସେହି ହୋଟେଲରେ ତା ସହ ଫଟୋ ତୋଳିବାର ଦୃଶ୍ଯ ଦେଖି ମୁଁ ଚକିତ ହୋଇଗଲି। ମନେମନେ ଲଜ୍ଜିତ ହେଲି ମାଲିକ କୁ ମଳିମୁଣ୍ଡିଆ ଭାବିଥିଲି ବୋଲି। ଟଙ୍କା ଗଣିସାରି ସିମେଣ୍ଟ ପୋଲ ଉପରେ ମଟର ସାଇକେଲରେ ବସିବା ପରି ଦୁଇ ପଟକୁ ଗୋଡ ଝୁଲେଇ ବସିଲି। ଦେଖିଲି ଖାଇବା ବରାଦ ନେବା ପିଲାଟା ସାଇକେଲରେ କୁଆଡେ ଗଲା। ହଁ ଯାଇଥିବ କୁଆଡେ। ଗ୍ରାହକ ତ ମୁଁ ଜଣିଏ। ଯିଏ ନାହିଁ ସିଏ ବାଢିଦେବ,ସେଥିରେ କଣ ଅଛି। ସମୟ ଗଡି ଚାଲିଲା। ଖାଇବାର ନାଁଆ ଗନ୍ଧ ନାହିଁ। କୋଡିଏ ମିନିଟ ଯିବା ପରେ ଆଉ ରହି ହେଲାନି। ସିଧା ମାଲିକ ପାଖକୁ ଯାଇ ପଚାରିଲି – ଏତେ ଡେରି କଣ ପାଇଁ ହେଉଛି। ବିରକ୍ତିରେ ସେ ମୋତେ ଚାହିଁ କହିଲା- - ମାଲିକେ,ତୁମେ ଜନମ ହେଲା ପରେ ବେଶି କାନ୍ଦିଲା ପରି ଲାଗୁଛି। ତୁମ ସାମନା ରେ ପରା ପିଲା ଟା ଗଲା ସଉଦା ଆଣିବାକୁ- - ଦେଖି ପାରିଲନି- - ସେଇଟା ତୁମର ଆଖି ନା କାଚବାଟି।ଠେଙ୍ଗିଣି ଖାସି ପାଇଲେ ସେ ଆଣିବ,ତା ପରେ ଯାଇ ରୋଷେଇ ହେବ।

ମାନେ……..ଆଶ୍ଚର୍ଯ୍ଯରେ ମୋ ପାଟି ମେଲା ହୋଇଗଲା। ମୁଁ କଣ ସେତେବେଳ ଯାଏ ଚାହିଁ ବସିଥିବି। ପଚାରିଲି ମୁଁ। - - - ନାହିଁ, ବସିବାକୁ କିଏ କହୁଛି। ତୁମେ ଛିଡା ହୋଇ ପାରିବ,ଚାଲି ବୁଲି ପାରିବ। ସେଥିପାଇଁ ତୁମକୁ କିଏ ମନା କରୁଛି ନାଁ କଣ- - କହିଲା ମାଲିକ। ଆରେ ଠେଙ୍ଗିଣି ଖାସି ପାଇବା ଟା ଏତେ ସହଜ ନୁହଁ। ମୋ ଚାଷ ଜମିରେ ଯଦି ଖାସି ପଶି ଫସଲ ଖାଉଥିବ ତେବେ ମୋ ଟୋକା ଠେଙ୍ଗିଣିରେ ତା ମୁଣ୍ଡକୁ ପାହାରେ ଦେଇ ଆରପାରି କୁ ପଠେଇବ। ବ୍ଯାଗରେ ପୁରେଇ ଆଣି ସଲିମ ମିଆଁ ପାଖରେ ହାଜର ହେବ। ସେ କଟାଛଟା କରି ସାରିବା ପରେ ମାଲ୍ ଧରି ଦୋକାନକୁ ଫେରିବ। ତା ପରେ ରୋଷେଇ ହେବ।

- - ତୁମେ ପାଗଳ ନାଁ ମୁଁ ପାଗଳ। କିହୋ ଏମିତି କୁଆଡେ ହେଲାଣି।

- - ହବ,ମାଲିକେ ସବୁ ହବ। ଏ ଯାଗାରେ ସବୁ ହବ। ତୁମ ସହରରେ ହଉନି ମାନେ କଣ ଏଠି ହୋଇ ପାରିବନି ବୋଲି ଭାବୁଛ?

- - ସେ ଫାଲତୁ କଥା ଛାଡ, ମୋତେ ଭାତ ଡାଲମା ଦିଅ। ମୁଁ ଖାଇଦେବି। ବାକି ପଇସା ଫେରସ୍ତ ନେଇଯିବି।

- - ସେମିତି ହେବନି, ଥରେ ବରାଦ ଦେଇଛ ମାନେ ସେଥିରେ ଅଦଳ ବଦଳ ହେବନି। ଦୋକାନ ଖୋଲିବା ଦିନରୁ ସେମିତି ହେଇନି। ଚୁପଚାପ ଅପେକ୍ଷା କର। ତୁମ ଜିନିଷ ରୋଷେଇହେଲେ ଖାଇବ, ବେକାରରେ ମୋ ମୁଣ୍ଡ ଖାଅନି।

ମୁଁ ଠକାମିରେ ପଡି ଯାଇଛି ବୋଲି ନିଶ୍ଚିତ ହୋଇଗଲି। ପାଞ୍ଚଶହ ଟଙ୍କା ପାଣିରେ ପଡି ସାରିଥିଲା। ତଥାପି ଧୈର୍ଯ୍ଯ ଧରି ପଚାରିଲି - - ବାଡିଆ ଡାଲମାର ବ୍ଯାପାରଟା କଣ ଜାଣି ପାରେକି?

--ହଁ ନିହାତି ଜାଣି ପାର। ମୋ ରୋଷେଇଆ ଟୋକା ସଦାବେଳେ ଡାଲମା କରିବା ସମୟରେ ଓଲଟ ପାଲଟ କରେ। କେତେବେଳେ ପରିବା ପକେଇବନି ତ କେତେବେଳେ ଡାଲି ପକେଇବାକୁ ଭୁଲିଯିବ। ତେଣୁ ସେ ଡଲମା କରିବା ସମୟରେ ମୁଁ ତା ପାଖରେ ଜଗି ରହିଥାଏ। ଟିକିଏ ଭୁଲ ହେଲେ ମୂଷଳ ଠେଙ୍ଗାରେ ତା ପିଚାରେ ପାହାରେ ଦିଏ। ଡାଲମାଟା ଏମିତି ବାଡିଆ ପିଟା କରି ହେଉଥିବାରୁ ତା ନାମ ଟା ବାଡିଆ ଡାଲମା।

ସେତେବେଳକୁ ପଇଁଚାଳିଶି ମିନିଟ ପାର ହୋଇ ସାରିଥିଲା ଓ ଭୋକରେ ମୋ ହଂସା ଉଡିବା ଅବସ୍ଥା। ବିକଳ ହୋଇ ଦୋକାନ ମାଲିକକୁ କହିଲି- - ଭାଇ,ଦୟାକରି ମୋ ପଇସାଟା ଫେରେଇ ଦିଅ। ମୋର ଖାଇବାର ନାହିଁ ତୁମ ଠେଙ୍ଗିଣି ଖାସିକୁ ବାଡିଆ ଡାଲମା। ଦୋକାନ ମାଲିକ ବାଉଁଶତାଟିରେ ଆଉଜା ହୋଇ ରଖାଯାଇଥିବା ମୂଷଳ ଠେଙ୍ଗାଟି କାଢି ହାତରେ ଧରି କହିଲା- - ମାଲିକେ ପଇସା ତ ଫେରେଇବିନି,ବେଶି ବକବକ କଲେ ବାଡିଆଗ୍ରାହକ ଆଇଟମ ପରଶି ଦେବି।ଚୁପଚାପ ଦୋକାନ ଭିତରେ ଅପେକ୍ଷା କର। ଯଦି ବିଜାର ଲାଗଛି ଅନ୍ଯ ଆଇଟମ ସବୁ ର ନାମ କେମିିତି ରଖିଛି କହି ଦେଉଛି ମନ ଦେଇ ଶୁଣ। ସେତେବେଳକୁ ମୋର ଘର କଥା ଜୋର ମନେ ପଡୁଥିଲା-- ପଖାଳ କଂସାକୁ ବଡିଚୁରା ଆକଣ୍ଠ ଭିଡିଦେବାକୁ ପ୍ରାଣ


ଛଟପଟ ହେଉଥିଲା।। ଜାଣି ସାରିଥିଲି, ଆଉ କିଛିି ସମୟ ସେ ହୋଟେଲରେ ରହିଲେ ମୁଁ ଆଗ ପାଗଳ ହେବି ତା ପରେ ଭୋକରେ ମରିଯିବି। କାନ୍ଧରେ ବ୍ଯାଗ ଝୁଲେଇ ବାଛୁରି ଛୁଆ ପରି ଡିଆଁଟେ ମାରି ବାହାରକୁ ଦୌଡିଲି। ପଛ ପଟରୁୁ ମାଲିକ ପାଟି କରି କହୁଥାଏ - - ହଇରେ ବଜ୍ଜାତିଆ ଟାଉଟର,ତୋର ଏତେ ସାହାସ ତୁ ହେଣ୍ଡାଳି ଡିକାପ୍ରିଓର "କାନ୍ଦ ବୋବାଳି” ହୋଟେଲକୁ ଗୋଇଠା ମାରି ପଳେଇଲୁ। ରହ ଦଉଛି ତୋତେ। ହେଣ୍ଡାଳି ନାମଟା ଶୁଣି ମୁଁ ଚମକି ପଡି ଛିଡା ହୋଇଗଲି। ପଛକୁ ଫେରି ଲୋକଟାକୁ ପଚାରିଲି- - କଣ କହିଲ ତୁମେ, ହେଣ୍ଡାଳି ଡିକାପ୍ରିଓ- - ତୁମେ ତାକୁ ଜାଣିଛ।

- - ଆବେ ସେ ଜନମ ହେବା ଦିନରୁୁ ତାକୁ ଜାଣିଛି। ତାକୁ ସଦାବେଳେ ସାଙ୍ଗରେ ନେଇ ଯିବା ଆସିବା କରୁଛି ପରା। ୟା'ପ ଦିନକାଣୁ,ମୁଁ ନିଜେ ହେଲି ହେଣ୍ଡାଳି ଡିକାପ୍ରିଓ। ତୁ ମୋତେ ଯଦି ନ ଚିହ୍ନଛୁ ତୋ ଭାଗ୍ଯ ଖରାପ ବୋଲି ଜାଣ୍। ଏତିକି କହି ସେ ଠେଙ୍ଗା ଉଞ୍ଚେଇ ମୋତେ ଦୋକାନ ଭିତରକୁ ଘୋଷାଡି ନେବାକୁ ଉଦ୍ଯତ ହେଲା।

- - ହେଣ୍ଡୁ ମାରି କହିଲି, ପୁଅ ହେଣ୍ଡାଳି ତୋ ଭାଗ୍ଯ ବୁଡିଲା ଜାଣ। ତୁ ମୋତେ ବେଧେ ଜାଣିନୁ। ଯେଉଁ ବ୍ଯାଙ୍କରେ ଦଶଲକ୍ଷ ଟଙ୍କା ଲୋନ ପାଇଁ ଦରଖାସ୍ତ ଦେଉଥିଲୁ ମୁଁ ସେଇ ବ୍ଯାଙ୍କରୁ ଆସିଛି। ମୋ ରିପୋର୍ଟ ସହ ତୋ ଦଶଲକ୍ଷ ଝୁଲିଛି। ଆଜି ମୋତେ ଯେତିକି ହୀନିମାନ କରିଛୁ ମୁଁ କଣ ଭୁଲିଯିବି। ଏମିତି ରିପୋର୍ଟ ଦେବି ଯେ ତୋ ପଇଁଚାଳିଶି ପୁରୁଷରେ କେହି ଲୋନ ପାଇବେନି।

ଲୋକଟା ହାତରୁ ଠେଙ୍ଗାଟା ଖସି ପଡିଲା। ଲମ୍ବତମ୍ବ ହୋଇ ରାସ୍ତା ଉପରେ ଶୋଇ କାନ୍ଦକାନ୍ଦ ହୋଇ କହିଲା- - ଦୋଷ କ୍ଷମା କରିଦିଅ ଜହୁର୍, ମୋର ଭୁଲ ହୋଇ ଯାଇଛି। ଆପଣ ହେଟେଲକୁ ଆସନ୍ତୁ- - ଥରୁଟିଏ ମୋତେ ଅତିଥି ଚର୍ଚ୍ଚା କରିବାର ସୁଯୋଗ ଦିଅନ୍ତୁ। ଲୋକଟା କହି ଚାଲିଥିଲା ମାତ୍ର ମୁଁ ଡିଆଁ ମାରି ସେ ଯାଗାରୁ ପଳେଇବା ଦେଖି ସେ ରାଗିପାଚି ଲାଲ୍ ହୋଇଗଲା। ଠେଙ୍ଗା ଧରି ମୋ ପଛରେ ଗୋଡେଇବାକୁ ଆରମ୍ଭ କଲା। ମୁଁ ପ୍ରାଣ ବିକଳରେ ଦୌଡିବା ଅବସ୍ଥାରେ ଦେଖିଲି ଦୋକାନ ପିଲାଟା ସାଇକେଲ ପେଲି ଆଗ ପଟରୁ ଆସୁଛି। ମୋତେ ଦେଖି କହିଲା- - ସାରେ,ହୋଟେଲ ରେ ବସିଥାଆନ୍ତୁ ସେପଟ ବିଲରେ ଖାସି ମିଳିଲାନି। ମୁଁ ଗାଆଁ ଶେଷ ମୁଣ୍ଡ ବିଲକୁ ଯାଉଛି,ସେଠି ନିହାତି ମିଳିଯିବ। ତାକୁ କଣ କହିବି ମୋ ମୁଣ୍ଡରେ ପଶିଲାନି। ଦୂରରୁ ଦେଖିଲି ସହରକୁ ଯିବାପାଇଁ ବସ ଗଡିବା ଆରମ୍ଭ କରୁଛି। ସମସ୍ତ ବଳ ଖଟାଇ ଏକ ଲୟରେ ଦୌଡିଲି । ବସ ପାଖାପାଖି ପହଞ୍ଚିବା ସମୟରେ କେହି ଜଣେ ବଡ ପାଟିରେ ଡାକି କହିଲା- - ରହି ଯାଆ ରଘୁଆ ଖାଇକି ଯିବୁ। ମିଲ୍ସ ରେଡି ହୋଇ ଗଲାଣି। ମୁଁ ଚମକି ପଡିଲି- - ଏ ଯାଗାର ଲୋକ ମୋ ନାମ କେମିତି ଜାଣିଲା। ମୋ ଭଲ ନାମ ସିନା ରଘୁନାଥ ଛୁଆଳ ସିଂ କିନ୍ତୁ ଘରେ ମୋତେ ସ୍ନେହରେ ରଘୁଆ ଡାକନ୍ତି। ମୁହଁ ବୁଲେଇ ଦେଖେ ତ ହୋଟେଲର ନାମ ହେଲା "ରହି ଯାଆ ରଘୁଆ ଖାଇକି ଯିବୁ"। ପୁଣି ଏକ କିମ୍ଭୁତକିମ୍ଭାକାର ନାମ ଦେଖି ମୋ ଛାତି ଭିତରଟା ରେଳଗାଡି ଡବା ପରି କୁଟି ହୋଇଗଲା। ଗୋଟେ ଡିଆଁରେ ବସ ଭିତରେ ପଶି କଣ୍ଡକ୍ଟର ସିଟ୍ ରେ ବସିଗଲି। ମୋ ଅବସ୍ଥା ଦେଖି କଣ୍ଡକ୍ଟର ପଚାରିଲା- - ସାରେ, ପାଗଳ କୁକୁର ଗୋଡେଇଲା କି?

ଧଇଁସଇଁ ହୋଇ କହିଲି - - ନାହିଁରେ ଭାଇ, ମୁଁ ଭୁଲରେ ହୋଟେଲ କାନ୍ଦ ବୋବାଳିରେ ପଶି ଯାଇଥିଲି।

*******


Rate this content
Log in

Similar oriya story from Comedy