Lipi Sahoo

Comedy

4.7  

Lipi Sahoo

Comedy

ବାନାମ୍ବର ଉର୍ଫ ବାନା

ବାନାମ୍ବର ଉର୍ଫ ବାନା

9 mins
463


କଥା ୧୯୭୮/ ୭୯ ମସିହାର ବୟସ ମୋର ୪/୫ ବର୍ଷ ହେବ । ବାପା ଜଗତସିଂହପୁର ର ଏସ.ଡି.ଓ ଥାଆନ୍ତି । ସେତେବେଳେ ସବଡିଭିଜନ ଥିଲା ଜଗତସିଂହପୁର । ଏକ କୋଠି ଭଳି ବିରାଟ କ୍ୱାର୍ଟର ମିଳିଥିଲା ବାପାଙ୍କୁ । ସେଥିରେ ଥିଲା ସୁନ୍ଦର ବିରାଟ ବଗିଚା । ଘର ପଛପଟେ ବୋହି ଯାଉଥିଲା ତାଳଦଣ୍ଡା କେନାଲ । ବାଡିରେ ବିଭିନ୍ନ ପ୍ରକାର ଫୁଲ ଫଳ ଆଉ ପରିବା ଗଛ ଲଗା ଯାଇଥିଲା । ସେ ସବୁର ଯତ୍ନ ନେଉଥିଲା ସୀତାରାମ । ତାକୁ ଛାଡି ଆହୁରି ତିନି ଜଣ ପିଅନ ଥିଲେ । ଜଣେ ରୋଷେଇଆ , ଜଣେ ସଫାସଫି ପାଇଁ ଆଉ ଜଣେ ୱଚମେନ୍ ।

 

          ମୋର ଆଜିର ବିଷୟବସ୍ତୁ ଆଧାରିତ ବାନାମ୍ବର କୁ ନେଇ । ରୋଷେଇ କାମ ଆଉ ଘରର ସଉଦା ପତ୍ର କିଣାକିଣି କାମ ତା'ର । ତାକୁ ସମସ୍ତେ ବାନା ବାନା ବୋଲି ଡାକନ୍ତି । ଉଚ୍ଚତା ବେଶୀ ନୁହଁ, ଗୋରା ମଣିଷଟିଏ । ସବୁବେଳେ ହସୁଥାଏ ଆଉ ହସଉ ଥାଏ । ଘରେ ରହୁଥିଲୁ ଆମେ ଦୁଇ ଭାଇଭଉଣୀ ଆଉ ବାପା ମା । ବଡ଼ଭାଇ ସୈନିକ ସ୍କୁଲ ରେ ରହି ପଢୁଥିଲେ । ମୋ ଉପର ଭାଇ ୪ର୍ଥ ଶ୍ରେଣୀ ରେ ଆଉ ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଥିଲି ।


          ବାନା ଆମ ଦୁଇ ଭାଇଭଉଣୀ ଙ୍କୁ କାହିଁକି କେଜାଣି ବହୁତ ଭଲ ପାଉଥିଲା । ସେ ସବୁ ବେଳ ସମସ୍ତ ଙ୍କ ସହ ଥଟ୍ଟାମଜା କରେ ଆମେ ଖାଲି ହସିହସି ଗଡୁ ତା କଥାରେ । ମୋତେ ପିଠି ରେ ନ ହେଲେ କାନ୍ଧରେ ବସେଇ ରୋଷେଇ କରେ । ମୋତେ ସ୍କୁଲ୍ ନେବା ଆଣିବା ବି କରେ । ମା କୌଣସି କାରଣରୁ ଆମ ଦୁଇ ଭାଇଭଉଣୀ ଙ୍କୁ ଗାଳିକଲେ , ସେ ଆସି ଆମ ଦୁଇ ଜଣଙ୍କୁ ତାଙ୍କ ଆଗରୁ ନେଇ ଯାଇ କହେ , ମାଁ ମୁଁ ବୁଝେଇ ଦେବି । ଆପଣ ରାଗନ୍ତୁନି । ଚାଲ ପାଠ ପଢ଼ିବ କହି ଆମକୁ ଷ୍ଟଡିରୁମ୍ କୁ ଡାକି ନେଇ , ସେଠି ଯାତ୍ରା ଆରମ୍ଭ କରିଦେବ । କେତେବେଳେ କଂସ, କେତେବେଳେ ରାବଣ ତ କେତେବେଳେ ରାମ ଅଭିନୟ ଆରମ୍ଭ କରିଦେବ । ସମସ୍ତେ ଜାଣନ୍ତି ଜଗତସିଂହପୁରିଆ ମାନଙ୍କ ର ଟିକେ ଯାତ୍ରା କଳା ଥାଏ । ଆଉ ଆମେ ତା'ର ଅଭିନୟ ଦେଖି ହସିହସି ବେଦମ୍ ହେଇଯାଉ । 


                 ଦିନକର ଘଟଣା । ସ୍କୁଲ ରେ ଗୋଟେ ପିଲା ସୁନ୍ଦର ଗୋଲାପି ପର ଟିଏ ଆଣି ତା ବହି ଭିତରେ ରଖିଥିଲା । ମୋ ଆଖିରେ ପଡ଼ିଗଲା । ମୁଁ ତାକୁ ମାଗିଲି । ସେ କହିଲା ଆମ ଘରେ ଆହୁରି କେତେ ରଙ୍ଗବେରଙ୍ଗ ପର ଅଛି । ନାଲି , ନୀଳ, ସବୁଜ , ହଳଦିଆ । ଏତିକି ଶୁଣି ମୋ ଆଖି ଆଗରେ ନାଚି ଗଲା ପରର ଇନ୍ଦ୍ରଧନୁ । ମୋତେ ଆଉ ସମ୍ଭାଳେ କିଏ ?? ମୁଁ କହିଲି ମୋର ସବୁ ଥିରୁ ଗୋଟାଏ ଗୋଟାଏ ଦରକାର । ମୋତେ ଦେବୁ ?? ସେ କହିଲା କାଲି ଆଣିବି ହେଲେ ମୁଁ ପଇସା ନେବି । ନ ହେଲେ ମୋ ବାପା ମୋତେ ବାଡେଇବେ । ମୁଁ ତ ପର ଲୋଭରେ ଉବୁଟୁବୁ । କହିଲି ଆଜି ଦେ ମୁଁ କାଲି ପଇସା ଆଣି ଦେବି । ସେ କହିଲା ଚାଲ୍ ତା ହେଲେ ମୋ ସାଙ୍ଗରେ । ଘରେ ଅଛି ଦେବି । ଏତିକି କଥାରେ ଛୁଟି ହେଲା ପରେ ସାଙ୍ଗେ ସାଙ୍ଗେ ତା ସହ ତା ଘରକୁ ଚାଲିଲି । ନ ହେଲେ ବାନା ପହଞ୍ଚି ଯିବ ଆଉ ମୋତେ ଘରକୁ ନେଇଯିବ । ଶୀଘ୍ର ଶୀଘ୍ର ତା ଘର ଆଡେ ଚାଲିଲୁ । ମୋତେ ରାସ୍ତାଘାଟ କିଛି ଜଣା ନଥାଏ । ଚାଲିଚାଲି କୋଉ ଗୋଟେ ସାହି ଭିତରେ ତା'ର ଘରେ ପହଞ୍ଚିଲୁ । ମୋତେ ରାସ୍ତା ଉପରେ ଠିଆ କରେଇ ସେ ଘରକୁ ଗଲା ଆଣିବା ପାଇଁ ।


                ଏଣେ ବାନା ସ୍କୁଲକୁ ଆସି ଦେଖିଲା ମୁଁ ନାହିଁ । ତା ମୁଣ୍ଡ ଚକର ଖାଇଗଲା । ସ୍କୁଲ ଚାରିପଟେ ଖୋଜିଲା । ପାଇଲାନି । କ'ଣ କରିବ ଆଉ ତା'ର ମୁଣ୍ଡ କାମ କରୁ ନଥାଏ । ଘରକୁ ଗଲେ ମା ବ୍ୟସ୍ତ ହେବେ । ସବୁ ସାର୍ ମାନଙ୍କୁ ପଚାରିଲା । ହେଲେ କେହି କିଛି କହି ପାରିଲେନି । ସମସ୍ତେ ବ୍ୟସ୍ତ ହେଇ ପଡିଲେ । ସାର୍ ମାନେ ବି ଖୋଜା ଆରମ୍ଭ କରିଦେଲେ । ବାନା କ'ଣ କରିବ ଭାବି ଭାବି ଫେରୁଥାଏ ‌। ରାସ୍ତା ରେ ମୋର ଆଉ ଗୋଟେ ସାଙ୍ଗ ପିଲା ଦେଖାହେଲା । ସେ ତାକୁ ପଚାରିଲା ମୋ କଥା । ସେ କହିଲା , ସେ ତ ଅମୁକ ପିଲା ସହ ଅମୁକ ସାହିକୁ ଯାଇଛି । ପର ନେବ ବୋଲି । ମୋର ଏବେ ଆଉ ସେ ପିଲା ଆଉ ସାହି ନାଁ ମନେ ପଡୁ ନାହିଁ । ସେ ଯାହା ହେଉ ବାନା ସାଇକେଲ ଧରି ପହଞ୍ଚିଲା ସେଇ ସାହିରେ । ମୋତେ ଦେଖିଲା ମୁଁ ଠିଆ ହେଇଛି ରାସ୍ତା କଡ଼ରେ । ସେ ଆସି ଟିକେ ରାଗି ଯାଇ ପଚାରିଲା , ଏଠି କ'ଣ କରୁଛ ?? ମୁଁ ବି କହିଦେଲି ପର ନେବାକୁ ଆସିଛି । ପର ନେଇକି ଯିବି । ଚୁପଚାପ ଘରକୁ ଚାଲ ନହେଲେ ମାଁ ଙ୍କୁ କହିଦେବି ଶେଷରେ ମାଡ଼ ଖାଇବ । ମୁଁ କିନ୍ତୁ ନଛୋଡବନ୍ଧା ନେଲେ ଯାଇ ଯିବି । କେତେ ସମୟ ଅପେକ୍ଷା କଲି ସେ ଆସିଲା ନାହିଁ । ବାନା ମୋତେ ଟେକି ନେଇ ସାଇକେଲ ରେ ବସେଇ ଘର କୁ ଚାଲିଲା । ମୁଁ ରାସ୍ତା ସାରା କାନ୍ଦି କାନ୍ଦି ବେଦମ୍ । ସେ କହିଲା ଖରାବେଳେ ସେଠି ଏକୁଟିଆ ଠିଆ ହେଇଥିଲ ପିଲାଚୋର ଆସି ନେଇ ଯାଇଥିଲେ କ'ଣ କରିଥାନ୍ତ ?? ଅଖାରେ ଭର୍ତ୍ତି କରି କୁଆଡେ ନେଇ ଯାଇଥାନ୍ତା । ରଙ୍ଗୀନ ପର ପାଇଁ କାନ୍ଦୁଥିଲି ଏବେ ତା କଥା ଶୁଣି ଡରରେ ଜୋର୍ ରେ କାନ୍ଦିବାକୁ ଲାଗିଲି ।


ଘରେ ପହଞ୍ଚିଲା ବେଳକୁ ମାଁ ବାରଣ୍ଡାରେ ଠିଆ ହେଇଥାନ୍ତି । ମୋତେ ଅପେକ୍ଷା କରି । ମୋ କାନ୍ଦ ଦେଖି ତାଙ୍କ ହାଲକ ଶୁଖିଗଲା । ମୋର ଆଖି ମୁହଁ ଲାଲ ପଡି ଯାଇଥାଏ । ବାନା କାଳ ବିଳମ୍ବ ନକରି କହିଲା ରଙ୍ଗୀନ ପର ପାଇଁ ଏତିକି କାଣ୍ଡ । ସବୁ ଘଟଣା ସେତେବେଳେ ଆଉ ଖୋଲିକି କିଛି କହିଲାନି । ଭୋକ ହେବଣି ଖାଇକି ଶୋଇ ପଢନ୍ତୁ କହି ମୋତେ ଘର ଭିତରକୁ ନେଇ ଗଲା । ନ ହେଲେ ମୁଁ ମାଡ଼ ଖାଇ ଥାଆନ୍ତି ସେ ଭଲ ଭାବରେ ଜାଣିଛି । ବାପାଙ୍କୁ ମଧ୍ୟ ଏ ବିଷୟ ଜଣା ଗଲା ନାହିଁ । ଭଲ କି ଦୁଇଟା ଉତ୍ତମ ମଧ୍ୟମ ମୋ ଉପରେ ହେଇଥାନ୍ତା । କିଛି ଦିନ ପରେ ଏଇ ଘଟଣାଟି ସମସ୍ତ ଙ୍କ ଆଗରେ ଅତି ନାଟକୀୟ ଢଙ୍ଗରେ ସେ ଉପସ୍ଥାପନ କରିଥିଲା । ବାନା ମୋତେ ବଞ୍ଚେଇ ଦେଲା । ନ ହେଲେ ସେଦିନ ମୋର କ'ଣ ଅବସ୍ଥା ହେଇଥାନ୍ତା ଭଗବାନ ଙ୍କୁ ଜଣା ।


                ଚାରିଟା ବାଜିଲେ ସେ ବଜାରକୁ ଯାଏ ଚା ପାନ ଖାଇବାକୁ । ସେ ମୋତେ ସାଇକେଲ ରେ ବସେଇ ଚାଲିବ ବଜାର । ସେଠି ସେ ଚା ପାନ ଖାଏ । ମୋତେ କୋଉ ଦିନ ଚକଲେଟ ଦେବ ତ କୋଉ ଦିନ ବରା ପକୁଡ଼ି ଖୁଆଏ । ହେଲେ ମୋତେ ଯାହା ଖୁଆଇବ ତା ପଇସା ଦିଏନି । ଦୋକାନୀଙ୍କୁ କହି ଦିଏ ଏସ. ଡି.ଓ ଙ୍କ ଝିଅ ପା ... । ଦୋକାନୀ ଆଉ ପଇସା ନିଅନ୍ତି ନି । ବଜାର ରେ ସେତେବେଳେ ପ୍ରାୟ ସମସ୍ତ ଦୋକାନୀ ମୋତେ ଚିହ୍ନି ଯାଇ ଥାଆନ୍ତି । ଦିନେ କେମିତି କେଜାଣି ବାପାଙ୍କ କାନରେ ୟେ କଥା ପଡ଼ିଗଲା । ଓଃ ! ସେଦିନ ବାନା ଯୋଉ ଗାଳି ଖାଇଲା ବାପାଙ୍କ ଠୁ । ବାନା କୌଣସି କାରଣରୁ ବି ଯଦି ବାପାଙ୍କ ଠୁ ଗାଳି ଖାଏ ଆମ ଭାଇଭଉଣୀ ଙ୍କୁ ଭାରି ଖରାପ ଲାଗେ । ଆଉ ସେଇ ଦିନରୁ ତା ସହ ବଜାର ଯିବା ବନ୍ଦ ହେଇଗଲା । 


                  ଆଉ ଦିନକର ଘଟଣା ୱଚମେନ୍ କୁମର ଛୁଟି ରେ ଥାଏ । କୁମର ସେ ତ ଆଉ ଗୋଟେ ଭିନ୍ନ ବ୍ୟକ୍ତିତ୍ଵ । ପିନପିନ ପତଳା ଡେଙ୍ଗା ଗୋରା ଲୋକ ଟିଏ । ସମସ୍ତେ ତାକୁ ଥଟ୍ଟାରେ କୁହନ୍ତି, ହଇରେ କୁମର ତୁ ତ ଯାହା ଦୋହଲୁଚୁ ପେଟ ପିଠିରେ ଲାଗୁଛି ତୋତେ ଜଗୁଆଳି କିଏ କଲା ?? ଓଡ଼ିଶା ସରକାର ଙ୍କୁ ମାନିବାକୁ ପଡ଼ିବ । ତା ଠାରୁ ବଳି ତା ସାଇକେଲ ଆହୁରି ଦୋହୋଲୁ ଥାଏ । ଘଡଘଡ ଶବ୍ଦ ବାହାରେ ଏମିତି ଯେ ବହୁତ ଦୂରରୁ ଜଣାପଡେ କୁମର ଆସୁଛି । ସେ ତା ସାଇକେଲ କୁ କୁ‌ହେ ବେଡଫଡ ଗାଡ଼ି । ସନ୍ଧ୍ୟା ହେଲେ ସେ ଆମ ଭାଇଭଉଣୀ ଙ୍କୁ ଡାକି ଆକାଶକୁ ଚାହିଁ ସବୁଠୁ ଉଜ୍ଜ୍ୱଳିଆ ତାରା କୁ ଦେଖେଇ କୁହେ ଏଇଟା ମୋର ଶନିଗ୍ରହ । ମୋତେ ବକ୍ର ଦୃଷ୍ଟିରେ ଅନେଇଚି । ସେଇଥି ପାଇଁ ମୋ ବାହାଘର ହେଇ ପାରୁନି । ଆମେ ହସିହସି ଗଡୁ । ତା ସହ ଘଟିଥିବା ମଜା ମଜା କଥା ଶୁଣାଏ । କହିଲା ଦିନେ ମୁଁ ଗୋଟେ କାନ୍ଦୀ କଦଳୀ ସାଇକେଲ କେରିଅର ରେ ରଖି ଗାଁ କୁ ଗଲି । ଗାଁ ରେ ପହଞ୍ଚିଲା ବେଳକୁ ଆଉ ଦୁଇ ଚାରିଟା କଦଳୀ ଲାଗିଛି କାନ୍ଦୀରେ । ସବୁ ଏଇ ବେଡଫଡ ଗାଡ଼ି ଯୋଗୁଁ । ଧଡ ଧଡ ରେ ସବୁ ପାଚିଲା କଦଳୀ ରାସ୍ତାରେ ଗଳି ପଡ଼ିଚି ।


ଆଉ ଥରେ ମୁଁ ଗାଁ କୁ ଫେରୁଚି ରାସ୍ତା ରେ ଗୋଟେ ବଡ ପୋଲ ପଡେ । ମୁଁ ଗଡାଣି ରେ ଗଡୁଚି ମୋର ତ ବ୍ରେକ ଧରେନି ଜାଣିଚ, ସେତେବେଳେ ଘଣ୍ଟି ବି କାମ କଲାନି । ଆଗରେ ଗୋଟେ ଝିଅ ଯାଉଥିଲା । ମୋ ଆଗ ଚକ ତା ଗୋଡ଼ ଭିତରେ ପଶିଗଲା । ସେ ଆଗ ଚକ ଉପରେ ବସିଛି ମୋ ବେଡଫଡ ଗାଡି ଗଡ଼ି ଚାଲିଛି । ସେ ପାଟିକଲା ହେ ଅଟକାଅ । ହେଲେ ମୁଁ କରିବି କ'ଣ ଅଧ କିଲୋମିଟର ଗଡ଼ି ଚାଲିଲା । ମାଡ଼ ଖାଇଥାନ୍ତି ଗାଁ ଲୋକଙ୍କ ଠୁ । ହେଲେ ଏଇ ବେଡଫଡକୁ ଦେଖି ସେମାନଙ୍କ ଦୟା ଆସିଲା , ବଞ୍ଚିଗଲି । ଏମିତି ଅନେକ ମଜା ଘଟଣା ତା ସହ ଜଡ଼ିତ ।


        ମୁଁ ବାନା କଥା କହୁ କହୁ କୁମର କଥା କହି ବସିଲି । ୟେ ଭଳି ବ୍ୟକ୍ତିଙ୍କୁ କାହାଣୀ ରୁ କି ସ୍ମୃତି ରୁ ବାଦ ଦିଆ ନ ଯାଇ ପାରେ । ମୂଳ କାହାଣୀ କୁ ଫେରୁଛି, ହଁ କୁମର ଛୁଟି ରେ ଥାଏ । ତା ବଦଳରେ ବାନା ଡ୍ୟୁଟି ରେ ଥାଏ । ରାତି ପ୍ରାୟ ଏଗାରଟା ବେଳକୁ ବିଡ଼ିଓ କ'ଣ ଏକ ଜରୁରୀ ଫାଇଲ୍ ନେଇ ଆସି ପହଞ୍ଚିଲେ ଆମ ଘରେ । ସେ କବାଟ ବାଡେଇଲେ । ବାନା ସେ ଦିନ ଅଫିମ ଟେଳେ ପକେଇ ଦେଇ ଆସିଥାଏ । କିଏ କିଏ ବୋଲି ପଚାରିଲା । ବିଡ଼ିଓ କହିଲେ ବାନା କବାଟ ଖୋଲ । ସେ ନିଶାରେ ଥାଏ ଯାତ୍ରା ଆରମ୍ଭ କରିଦେଲା ।

     ଆରେ ରେ ପାମର ଜାଣି ନାହୁଁ ଏହା ଏସ. ଡି.ଓ ବଙ୍ଗଳା

    ପ୍ରଣ ଭୟ ଥିଲେ ଏଠୁ ଶୀଘ୍ର ପଳା ......

                କବାଟ ସେପଟୁ ବାଵୁ କହିଲେ ହଇରେ ବାନା ତୋ ଚାକିରୀ ପିତା ଲାଗିଲାଣି ବୋଧେ । ରହ ତୋ ଚାକିରୀ ଖାଉଛି । ଅଫିମ ପକେଇ ପଳେଇ ଆସିଛୁ । ତୋ କଥା ରହ ବୁଝୁଛି । ଏତିକି ଶୁଣି ଧଡାସ୍ କରି କବାଟ ଖୋଲି ତାଙ୍କ ପାଦ ତଳେ ଲମ୍ବ ହେଇ ପଡ଼ିଗଲା । ଗରିବ ଲୋକ ମରିଯିବି । ସାର୍ ଙ୍କୁ କହିବେନି । ନ ହେଲେ ୟେ ପାଦ ଛାଡ଼ିବିନି । ଉଠ ଉଠ ତୋ ଯାତ୍ରା ବନ୍ଦ କରି ଯା ସାର୍ ଙ୍କୁ ଡାକ ଜରୁରୀ ଫାଇଲ୍ ଆଣିଚି । ବିଚରା କାନ କୁଣ୍ଡେଇ କୁଣ୍ଡେଇ ଭିତରକୁ ଗଲା । ପର ଦିନ ସନ୍ଧ୍ୟାରେ ୟେ ଘଟଣା ଆମ ଆଗରେ ଯାତ୍ରା ଶୈଳୀ ରେ ବର୍ଣ୍ଣନା କରିଥିଲା ।

               ସୀତାରାମ ଯେ କି ବଗିଚା କାମ କରେ ।ସେ ଆଦିବାସୀ ଥିଲା । ଅତି ସରଳ ଲୋକ । ସବୁବେଳେ କାମ କରୁଥାଏ । ବଗିଚାରେ ଆମର ସତେକି ସୁନା ଫଳେଇ ଥିଲା । ଯେ ବି ଦେଖିବ ତା'ର ମନ ଖୁସି ହେଇ ଯିବ । ନା ନା ଫୁଲ ଫଳ ପରିବା ଲଗେଇ ଥିଲା । ଆଉ ତା ହାତରେ ସବୁ ଗଛ ଛନଛନ ହେଇ ବଢିଥିଲେ । ସେ ତେଣ୍ଡାରେ ପାଣି ମଡାଏ ବଗିଚାରେ । ତାଳଦଣ୍ଡା କେନାଲରେ ତେଣ୍ଡା ଲାଗିଥିଲା । ସେଠୁ ପାଣି ଉଠିଏ ସିଆରରେ ପାଣି ଆସି ବଗିଚା ସାରା ମାଡେ। ଦିନେ ସେ ହାଣ୍ଡିଆ ଟିକେ ମାରି ଦେଇ ଆସିଚି । ବାନାକୁ କହିଲା ମୁଁ ପାଣି ମଡେଇବା କୁ ଯାଉଚି ତୁ ଟିକେ ଦେଖିବୁ ସବୁଠି ପାଣି ହେଇଗଲେ ମୋତେ ଡାକି ଦେବୁ । ବାନା ଜାଣିଗଲା ସେ ହାଣ୍ଡିଆ ପିଇଚି । ମଜା ନେବା ପାଇଁ କହିଲା ହଉ ତୁ ଯା ମୁଁ ଡାକି ଦେବି । ହେଲେ ସେ ଆଉ ତାକୁ ଡାକିଲାନି । ଖରାବେଳୁ ସେ ପାଣି ମଡଊଚି ଆସିକି ସଂନ୍ଧ୍ୟା ହେଲାଣି । ପାଣି ଭର୍ତ୍ତି ହେଇ ଅଗଣା କବାଟ ପାଖରେ ପହଞ୍ଚିଲାଣି । ସେତେବେଳେ ବାନା ଯାଇ ଡାକିଲା ଦେଖ ତୁ କ'ଣ କଲୁଣି ?? ସୀତାରାମ ର ରାଗ ପଞ୍ଚମକୁ ଉଠିଗଲା । ସେ କଟୁରୀ ଧରି ଗୋଡେଇଲା ବାନାକୁ ତୋତେ ଆଜି ହାଣି ଦେବି । ମୋ ସାଙ୍ଗେ ଥଟ୍ଟା ଖେଳୁଚୁ । ବାନା ଆଉ କିଛି ବାଟ ନ ପାଇ ମା ଙ୍କ ଗୋଡ଼ ତଳେ ପଡ଼ିଗଲା । ସୀତାରାମ ହାତରେ କଟୁରୀ ଦେଖି ସେ ଆଶ୍ଚର୍ଯ୍ୟ ହେଲେ । ୟେ କି ଯାତ୍ରା ଚାଲିଛି । ମା'ଙ୍କୁ ଦେଖି ସୀତାରାମ କାନ କୁଣ୍ଡେଇ କୁଣ୍ଡେଇ ପଳେଇଲା । ସେ ଆଦିବାସୀ ହେଲେ ବି ଅତ୍ୟନ୍ତ ଭଦ୍ର ଆଉ ମାର୍ଜିତ ଥିଲା । ସେ ତା ନିଜ ଘର ବାଡିରେ ଲିଚୁ ସପେଟା ଜାମୁ ଜମୁରୋଳ ପିଜୁଳି ଆମ୍ବ ବହୁତ ଗଛ ଲଗେଇ ଥିଲା । ଦିନେ ଆମ ଭାଇଭଉଣୀ ଙ୍କୁ ତା ଘରକୁ ନେଇ ଯାଇ ବଗିଚା ଦେଖେଇଥିଲା । ତା ଗଛରେ ଫଳ ହେଲେ ସେ ଆଣି ଘରେ ଦିଏ । ବାବୁ ଖାଇବେ ବୋଲି । ସେ ବାପାଙ୍କୁ ବହୁତ ଭଲ ପାଉଥିଲା ।

ଆଉ ଜଣେ ରହିଲେ ସେ ହେଲେ ଦୀନବନ୍ଧୁ । ମଧ୍ୟ ବୟସ୍କଲୋକ । ଖୁବ୍ ଗମ୍ଭୀର ଆଉ ସରଳ । ସେ ଘର ସଫାସଫି କରିବାକୁ ଥିଲେ । ସେ ସବୁବେଳେ ଆମକୁ କହୁଥିଲେ ଭଲ ପାଠ ପଢ଼ିବ ବଡ଼ ମଣିଷ ହେବ । ବେଳେ ବେଳେ ସୁନ୍ଦର ଗପ ବି ଶୁଣାନ୍ତି । ମାଁ ଙ୍କୁ ସବୁବେଳେ କୁହନ୍ତି ଏ ବାନା ପିଲାମାନଙ୍କୁ ଖରାପ କରିଦେବ । ଖାଲି ବସି ପିଲାଙ୍କ ଆଗରେ ଯାତ୍ରା କରୁଛି । ବାପାଙ୍କର ଗୋଟେ ବଡଗାଡି ଆକ୍ସିଡେଣ୍ଟ ହେଇ ଥିଲା ସେଠି । ବାପା ମାସେ ପଡ଼ିଲେ ହସ୍ପିଟାଲ ରେ । ଘରକୁ ଫେରିବା ପରେ ଦୀନବନ୍ଧୁ ତାଙ୍କର ଯେତିକି ସେବାଯତ୍ନ କରିଛି ନିଜ ଲୋକ ବି ସେତିକି କରିବେନି । ସେଇଥି ପାଇଁ ମାଁ ବି ତାଙ୍କ ପାଖରେ ଖୁବ୍ କୃତଜ୍ଞ । ଆଜି ବି ମନେ ପକାନ୍ତି ତାଙ୍କ ସେବାକୁ ।


                 ୧୯୭୯ ମସିହାରେ ସବୁଠୁ ବଡ଼ ଘଟଣା ହେଲା ଆକାଶରୁ ସ୍କାଇଲାବ ଖସିବା କଥା ପ୍ରଚାର ହେଲା । ଭାରତ ଧ୍ୱଂସ ହେଇଯିବ କହିଲେ । ସବୁ ଡରିକି ଛାନିଆ । ମୃତ୍ୟୁ କୁ ଅପେକ୍ଷା କରି ସବୁ ବସି ଥାଆନ୍ତି । କେତେ ତ ବଡ଼ ବଡ଼ ଗାତ ଖୋଳି ତା ଭିତରେ ରହିବେ ବୋଲି ଭାବି ନେଲେ । ମୋ ଭାଇ ସୀତାରାମ କୁ ଧରି ଗୋଟେ ବିରାଟ ଗାତ ଖୋଳେଇ ଦେଇଥିଲା । କୁମର ପୂର୍ବ ଦିନ ମୁହଁ ଶୁଖେଇ ଆସିଲା , ଭାଇକୁ କହିଲା ବାବୁ କାଲି ତ ମରିଯିବି ଆଜି କିଲେ ମାଂସ ଖାଇ ଆସିଛି । ବାହା ବି ହେଇ ପାରିଲିନି । ଏମିତି ଶୁଖିଲା ରେ ମରିବି । ସମସ୍ତେ କିନ୍ତୁ ଡରିକି ଥିଲେ । ସେ ଯାହା ହେଉ ସ୍କାଇଲାବ ପଡ଼ିଲା ସମୁଦ୍ର ରେ ।

               ବାନା ର ଆଉ ଗୋଟେ କାମ ହେଲା ।ଯୋଉ ଦିନ ବାପା ଘରେ କୌଣସି କାରଣରୁ ଯଦି ବିରକ୍ତ ହେଇଥିବେ । ସେ ଅଫିସ ବାହାରି ଗଲେ ବାନା ସାଙ୍ଗେ ସାଙ୍ଗେ ଅଫିସ କୁ ଫୋନ କରି ଜଣେଇ ଦେବ , ଆଜି ପାଣାପଗ ବିଗିଡି ଯାଇଛି ସବୁ ରହି ସମ୍ଭାଳି କି ଥିବ !! ପଛରେ କହିବନି ଯେ ବାନା ଜଣେଇଲାନି ବୋଲି । ଦିନେ ଭାଇ ଶୁଣିଦେଲା ତା କଥା । ସେ ବାପାଙ୍କୁ ଯାଇ କହିଦେଲା । ବାପା ବାନାକୁ ଡାକି ହସିହସି କହିଲେ ତୋର ଏଇ ଏକ୍ସଟ୍ରା ଡ୍ୟୁଟି ପାଇଁ କିଛି ଉପରି ମିଳୁଛି କିରେ ??? ସେ ବିଚରା ଲାଜରେ ମୁହଁ ପୋତି ଠିଆ ହେଲା ଆଉ କ'ଣ କହିବ ?? ପଛରେ ଭାଇକୁ କହିଲା ବାବୁ ତମେ ବଡ ଚୁଗୁଲିଆ ।

                   ଚାଳିଶ ବର୍ଷ ପରେ ବି ସେ ସବୁ ଘଟଣା ପ୍ରାଞ୍ଜଳ ଭାବରେ ମନେ ଅଛି । ଏମିତି କିଛି ସ୍ମୃତି କାଳଜୟୀ ବୋଧହୁଏ । କେବେ ବି ଭୂଲି ହୁଏନା । ସେ ସମସ୍ତେ ଥିଲେ ଗୋଟେ ଗୋଟେ ସ୍ୱତନ୍ତ୍ର ବ୍ୟକ୍ତିତ୍ଵର ଅଧିକାରୀ । ହୃଦୟ ରେ ଛାପ ଛାଡ଼ି ଯାଇଛନ୍ତି । ଆଜିବି ସେମାନଙ୍କ କଥା ଆଲୋଚନା ହୁଏ ଘରେ ବେଳେ ବେଳେ......... ।

                


Rate this content
Log in

Similar oriya story from Comedy