Sucharita Sena

Comedy

4.1  

Sucharita Sena

Comedy

ସ୍ମୃତିର ଗାମୁଛା

ସ୍ମୃତିର ଗାମୁଛା

13 mins
314


ଧଡ଼ଧଡି ଜେଜେ । ନାଆଁଟି ପାଇଥିଲେ ପିତା ମତାଙ୍କ ଠାରୁ । ନାମ ଯେପରି ଶରୀର ସେପରି । ଧଡ଼ଧଡି ଜେଜେଙ୍କ ଅନ୍ତରଙ୍ଗ ବନ୍ଧୁ ଥିଲେ ପୀତବାସ ଜେଜେ । ତେଣୁ ଧଡ଼ଧଡି ଜେଜେଙ୍କୁ "ଧଡି " ନାମରେ ଓ ପୀତବାସ ଜେଜେଙ୍କୁ " ପିତ" ବୋଲି ପରସ୍ପର ସମ୍ବୋଧନ କରନ୍ତି । ଲେଙ୍ଗୁଟି ସମୟର ବନ୍ଧୁତା ଏବେବି ବୟସର ଅପରାହ୍ନରେ ଜୀବିତ ଥିଲା । ବୟସ ବଢିବା ସହିତ ଦୁଇ ବନ୍ଧୁ ଚାକିରୀ ଜୀବନରୁ ଅବସର ନେଇ ସାରିଲେଣି । କିନ୍ତୁ ଏ ଅବସର ନେବା ପରେ ଘରେ ରହି ରହି ବିରକ୍ତି ଭାବ ଆସି ଗଲାଣି ଦୁଇ ଜେଜେଙ୍କୁ ।

ସବୁଦିନ ଭଳି ଆଜି ମଧ୍ୟ ପ୍ରାତଃ ଭ୍ରମଣରେ ବାହାରି ଆସିଲେ । ଦୁଇ ଘେରା ଖୋଲା ପଡିଆରେ ବୁଲୁ ବୁଲୁ ଧଡି ଜେଜେ ବସିଗଲେ ଟିଙ୍କ ଦୋକାନୀର ବେଞ୍ଚ ଉପରେ । ଦୁଇ ଗ୍ଲାସ ବିନାମିଠାର ଚାହା ଧରାଇ ଦେଲା ଟିଙ୍କ ଚାହାଦୋକାନୀ ।

ଧଡ଼ଧଡି ଜେଜ..... " ଟିଙ୍କ ଭଲ ଅଛୁ ? " ।

ଟିଙ୍କ ....... (ପାନଖାଇ ଦାନ୍ତକୁ ଏତେ ନାଲି ପକେଇ ଦେଇଛି ଯେ ହସିଲେ ଜଣାବି ପଡୁନି କେତୋଟି ଦାନ୍ତ ଦେଖାଇଲା ବୋଲି । )

..... : "ହା ... ହା ... ଆଜ୍ଞା ଜେଜେ ସବୁ ଭଲ " ।

ଧଡ଼ଧଡି ଜେଜେ ....... : " ଜାଣିଲୁ ପୀତ, ଘରେ ରହି ରହି ଭାରି ବିଜାର ଲାଗିଲାଣି । ଘରକୁ ଗଲା କ୍ଷଣି ତୋ ଭାଉଜ ଖାଲି ଗେରେ ଗେରେ । "

ପୀତବାସ ଜେଜେ ....... : " କାହାକୁ କହୁଛୁ ?, ମୋ ଅବସ୍ଥା କ'ଣ ତତେ ଅଛପା ଅଛି ।

ଧଡ଼ଧଡି ଜେଜେ....... : " କାଲି କଥା ଶୁଣୁନୁ । ...ମୋ ବାପାଙ୍କ ଯେଉଁ ସମ୍ବଲପୁରୀ ଗାମୁଛାଟା ଥିଲା, ମୁଁ ତାକୁ ସାଇତି ରଖିଥିଲି । ତାକୁ କାହିଁକି ବାପାଙ୍କ ସ୍ମୃତିରେ ତାଙ୍କର ଅନେକ ଜିନିଷ ମୁଁ ରଖିଛି ବୋଲି ତୁ ଜାଣିଛୁକି ନାହିଁ ? ।

ପୀତବାସ ଜେଜେ........ :"ହଁ ହଁ, ମଉସାଙ୍କ ପିତଳ ବଙ୍କୁଲି ବାଡ଼ି, ପାନକୁଟା, ପିକଦାନୀ, ଚମଡା ଜୋତା......ମୁଁ ସବୁ ଦେଖିଛି । ସେ ସମ୍ବଲପୁରୀ ଗାମୁଛା ଉପରେ ମୋର କମ୍ ଲୋଭ ଅଛି ।

ଧଡ଼ଧଡି ଜେଜେ.......... : "ହୂମ , ଲୋଭ । ଆଉ କନ୍ଦ ଅଛିଯେ ତୁ ଖାଇବୁ । "।

ପୀତବାସ ଜେଜେ...... :" କ'ଣ କହୁଛୁ ? । କିଏ ତାକୁ ଚୋରି କରି ଦେଲାନା କଣ ? " ।( ଆଖି ବଡ ବଡ କରି ପଚାରିଲେ ) ।

ଧଡ଼ଧଡି ଜେଜେ........ : " କାଲି ବାପାଙ୍କ କଥା ମନେ ପଡିବାରୁ ମୁଁ ଯାଇ ତାଙ୍କ ଜିନିଷ ଗୁଡା ଦେଖୁଥିଲି । ସବୁ ଅଛି କିନ୍ତୁ ସେ ସମ୍ବଲପୁରୀ ଗାମୁଛାଟି ନାହିଁ । ( ଦକ୍ଷିଣ ହସ୍ତର ବୃଦ୍ଧ ଅଙ୍ଗୁଳି ହଲାଇ ନାସ୍ତି ସୂଚକ ଇସାରାରେ କହିଲେ ଜେଜେ ) ।

ପୀତବାସ ଜେଜେ....... :" ଆରେ ଭାଉଜଙ୍କୁ ପଚାରେ ସେ ଜାଣିଥିବେ" ।

ଧଡ଼ଧଡି ଜେଜେ.......... : " ସେଇଠିତ କଥା, ସେ ଶଳା ମାଧ ଚାରିଦିନ ତଳେ ଆସିଥିଲା । ତା ପରେତ ଗାମୁଛାଟି ନାହିଁ " ।

ଟିଙ୍କ ........... : କମଳା ଆଈ ବୋଧେ ଗାମୁଛାଟିକୁ ତାଙ୍କ ଭାଇକୁ ଦେଇ ଦେଲେ କି କଣ ? ।

ଧଡ଼ଧଡି ଜେଜେ.......... : ( ଏକଦମ ବୁଲିଗଲେ ଟିଙ୍କ ଆଡକୁ ଆଖି ବଡ ବଡ କରି କହିଲେ) ..... " ଟିଙ୍କ ତୋ ମୁଣ୍ଡ ଠିକି ଧରିଛି । ବୁଦ୍ଧି ଅଛି ଏ ନାତିଆ ପାଖରେ " ।

ଟିଙ୍କ ମୁଁହରେ ସତେକି ଯାତ୍ରାମଞ୍ଚରେ ଖଞ୍ଜିତ ଚିକମିକ ଆଲୁଅ ପଡିଗଲା । ଗଡ଼ ଜିତିଲା ପରି ଛାତିଟା ଫୁଲିଗଲା । ମୁହଁରେ ହସର ପସରା ଖେଳିଗଲା ଯେପରି । ସ୍ଵଧୀନତା ହରାଇ ଥିବା କଳା କଳା ଦାନ୍ତ ଗୁଡା ଯେପରି ଅଗଷ୍ଟପନ୍ଦର ବାନେଇଦେଲେ ।

ପୀତବାସ ଜେଜେ......... : "ଭାଉଜଙ୍କୁ ପଚାରିଲୁନି "? ।

ଧଡ଼ଧଡି ଜେଜେ......... : " ପଚାରିଲି ବୋଲିତ କାଲି ଠାରୁ ତୋପ ଚାଲୁଛି " ।

ପୀତବାସ ଜେଜେ....... : " ଏମିତି କ'ଣ ପଚାରିଦେଲୁ ଭାଉଜଙ୍କୁ? " ।

ଧଡ଼ଧଡି ଜେଜେ........ : " ଛେନାଗୁଡ ଟା ପଚାରିଲି । ମୁଁ ଖାଲି ଏତିକି କହିଲି ବାପାଙ୍କ ସମ୍ବଲପୁରୀ ଗାମୁଛାଟା ମିଳୁନି, ମାଧ ଆସିଥିଲା.............,

ମତେ ତୋ ଭାଉଜ କଥାଟା ପୂରଣ କରିବାକୁ ଦେଲାନି । ମୁଁ କହିବାକୁ ଚାହୁଁଥିଲିଯେ ମାଧ ଆସିଥିଲା, ତମେ ସେ ଗାମୁଛାଟା ତାକୁ ଦେଇଛକି । କିନ୍ତୁ ତୋ ଭାଉଜ ମୋର ଅଧା କଥା ଶୁଣି ଆରମ୍ଭ କଲା "ମୋ ଭାଇକୁ ଚୋର କହିଲ, ତମର ବହପ ଦେଖ, ସେ ଭିକାରୀ ହେଇଛି । ତମ ବାପାଙ୍କ ସେ କୋତରା ପୁରୁଣା ଗାମୁଛାକୁ ନେଇଗଲା । ଆଉ ଏ ଘର ମାଡିବାକୁ ତାକୁ ମନା କରିଦେବି ।

........ ଏମିତି କଥା ଚାଲିଛି ଯେ ଆଉ ବନ୍ଦ ନାହିଁ । ସେ ଘରକୁ ଯିବାକୁ ମତେ ଡର ଲାଗୁଛି " ।

ପୀତବାସ ଜେଜେ........ : ଆରେ ବୁଝେଇ କହିଲୁନି ଭାଉଜଙ୍କୁ " ।

ଧଡ଼ଧଡି ଜେଜେ........ : " ବୁଝେଇବି ? । ଯିଏ କଥା ପୁରା କହିବାକୁ ଦେଉନି ସେ ପୁଣି ବୁଝିବ, ନା ତାକୁ ବୁଝେଇ ହେବ " ।

କିଛିକ୍ଷଣ ପୂର୍ବରୁ ଡିଟେକଟିଭ୍ ରାସ୍ତାରେ ନୂଆକରି ପାଦ ଥାପିଥିବା ଟିଙ୍କ ମନଟି ଉଦାସରେ ଭରିଗଲା । ସତେକି ତା ପରିଶ୍ରମ ବୃଥାଯିବ । ନିଜକୁ ସମ୍ଭାଳି ପାରିଲାନି ପଚାରିଲା......

ଟିଙ୍କ...... : " ଜେଜେ ତାହେଲେ କଣ ଆପଣଙ୍କ ବାପାଙ୍କ ସେ ସମ୍ବଲପୁରୀ ଗାମୁଛାଟ ମିଳିବନି, ଯାହା ଭିରରେ କେତେ ଅଭୁଲା ସ୍ମୃତି ଆପଣଂକର ଲୁଚି ରହିଛି ? ।

ଧଡ଼ଧଡି ଜେଜେଙ୍କ ଦୃଷ୍ଟି ପଡ଼ିବା ଆଗରୁ ପୀତବାସ ଜେଜେ ଆଖିର ଭ୍ରୂଲତାକୁ ମଥା ଉପରକୁ ଟେକି ଚାହିଁ ରହିଲେ ଟିଙ୍କକୁ ।

"ବାଃ ଟିଙ୍କ ପଦେ କଣ କହିଲୁ, ଛାଡିବା ପୁଣି ସେ ଚୋରକୁ । କ'ଣ କହୁଛୁ ଧଡି ? " । ନିଶରେ ହାତ ମାରି କହିଲେ ପୀତବାସ ଜେଜେ ।

ଧଡ଼ଧଡି ଜେଜେ ଥରେ ଟିଙ୍କକୁ ଚାହିଁଲେ । ନିଜ ରଥର ସାରଥୀ ଭଳି ଟିଙ୍କ ଦୃଶ୍ୟମାନ ହେଲା । ଜେଜେ ପଚାରିଲେ.... " ଟିଙ୍କ ଯିବୁ ମୋ ସହ, ସମ୍ବଲପୁରୀ ଗାମୁଛା ଖୋଜିବାକୁ " ।

ଟିଙ୍କ ଯେପରି ଏ ପଦେ କଥାକୁ ଚାହିଁ ରହିଥିଲା, ମୁଣ୍ଡ ଟୁଙ୍ଗାରି ଖପ କରି ଡେଇଁ ପଡିଲା ଦୋକାନ ଭିତରୁ ବାହରକୁ ।

ଟିଙ୍କ ଓ ପିତର ହାତଯୁଗଳ ଯେପରି ଧଡି ଜେଜେଙ୍କ କାନ୍ଧ ଉପରେ ପଡିଲା ଭଳି ଲାଗିଲା । ଏଥର ମନରେ ଗଣ୍ଠି ବାନ୍ଧିଲା ପରି ବାପାଙ୍କ ସମ୍ବଲପୁରୀ ଗାମୁଛା ଚୋରକୁ ଧରିବାକୁ ବାହାରିଲେ ତିନିହେଁ ।

ତା ପରେ ଆରମ୍ଭ ହେଲା ଚୋର ଧରିବା ଅଭିଯାନ । ଧଡ଼ଧଡି ଜେଜେ ସମ୍ପୂର୍ଣ୍ଣ ଯୋଜନାକୁ ଅବଗତି କରିବା ପାଇଁ ବଖାଣି ବସିଲେ ପୀତବାସ ଜେଜେ ଓ ଟିଙ୍କ ଆଗରେ

......... ଯୋଜନା ଟି ଏପରି ରହିଲା,.........

ଆସନ୍ତା କାଲି ତିନିଜଣ ଏକା ସହ ଯାଇ ପହଁଚିବେ ମାଧ ବସା ରେ । ( ଧଡ଼ଧଡି ଜେଜେଙ୍କ ଶାଳକ ) । ଟିଙ୍କ ନିଜଘରେ ବନାଉ ଥିବା ଛେନା ଧରି ଯିବ । ତିନିଜଣ ପହଂଚିବା ପରେ, ପୀତବାସ ଜେଜେ ମାଧ ସହିତ ବାର୍ତାଳାପରେ ବ୍ୟସ୍ତ ରଖିବାକୁ ଚେଷ୍ଟା କରିବେ । ଧଡ଼ଧଡି ଜେଜେ ଟିଙ୍କଙ୍କୁ ସାଙ୍ଗରେ ଧରି ପ୍ରବେଶ କରିବେ ରୋଷେଇଘରେ ଚାହାକରିବା ବାହାନାରେ । ଏହି ସମୟରେ ଟିଙ୍କ ଯାଇ ଖୋଜିବ ଅନ୍ୟଘର ଗୁଡିକ । ଯଦି ଗାମୁଛା ଥିବ ତାହାଲେ ନିଶ୍ଚୟ ଆଖିରେ ପଡ଼ିବ । କାହିଁକିନା ମାତ୍ର ଦୁଇ ଦିନର ଅବଧି ଭିତରେ ମାଧ ତା ସୁଦୂର ଗାଁକୁ ଯାଇନଥିବ ।

ସମସ୍ତେ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ । ଟିଙ୍କ ଖାଲି ମଝିରେ ମଝିରେ କହୁଥାଏ " ସବୁ ଠିକ୍ ଠାକ୍ କରିଦେବି, ମୋ ଉପରେ ଭରସା ରଖନ୍ତୁ " ।

ଧଡ଼ଧଡି ଜେଜେ ପୀତବାସ ଜେଜେଙ୍କୁ କହିଲେ ତୋ ଉପରେ ସବୁ କିଛି ନିର୍ଭର କରୁଛି । ତୁ ଯଦି ସେ ଶଳା ମାଧକୁ ଅଟକାଇ ପାରିବୁନି ତାହେଲେ ସବୁ ସରିଲା । ତା ଭଉଣୀ ଆଗରେ ଏପରି କହିବ ମୋର ବଂଚିବା କଷ୍ଟ ହେଇଯିବ ରେ ପୀତ ।

ଏଥର ପୀତବାସ ଜେଜେ କହିଲେ......... "ତୁ କାଇଁ ବ୍ୟସ୍ତ ହେଉଛୁ । ମୁଁ ସବୁ ସମ୍ଭାଳି ନେବି ।

************

ଧଡ଼ଧଡି ଜେଜେଙ୍କ ଆଖିକୁ ନିଦ ଲାଗୁନଥାଏ । ସାରା ରାତି ନିଜକୁ ଗୋଟେ ଅନୁଭବୀ ଡିଟେକଟିଭ୍ ପରି ନିଜ ଯୋଜନା କିପରି ସାକାର କରିବେ ସେହି ବିଷୟରେ ଚିନ୍ତା କରିଚାଲିଥାନ୍ତି ।

କୁଆ କୋଇଲି ରାବିବା ଆଗରୁ ଜେଜେଙ୍କ ନିତ୍ୟକର୍ମ ଶେଷ । ଟିକେ ଫର୍ଚ୍ଚା ହୋଇଛିକି ନାହିଁ ପୀତବାସ ଜେଜେ ଓ ଟିଙ୍କ ଆସି ଦୁଆରମୁହଁରେ ହାଜର । ଖାଲିଯେ ଧଡ଼ଧଡି ଜେଜେ ଅନିଦ୍ରା ଥିଲେ ତା ନୁହେଁ, ନିଜର ଦୁଇ ସହଚରଙ୍କ ଅବସ୍ଥା ମଧ୍ୟ୍ୟ ଠିକ୍ ସେହିପରି ଥିଲା ।

ତିନିହେଁ ତରତର ଅବସ୍ଥାରେ ଘରୁ ବାହାରି ଗଲେ । ଅବଶ୍ୟ କମଳା ଆଈ ପଛରୁ ଡାକୁଥିଲେ " ଆରେ ପୀତବାସ ଚାହା ବସିଛି ପରା "? । କିନ୍ତୁ ପୀତବାସ କମଳା ଆଈଙ୍କ ମୁହଁରେ ଏଯାବତ ମୁହଁ ଫୁଲାର ଝଲକ ଠିକି ବାରିପାରୁଥିଲେ ।

ପୀତବାସ ଜେଜେ କିଛି କହିବା ପୂର୍ବରୁ, ଟିଙ୍କ ଫୁସୁଫୁସ କରି କହୁଥାଏ " ଜଲ୍ଦି ପଳେଇ ଚାଲ , ନହେଲେ ବେକ ରହିବନି । ଯଦି ଆଈ ଜାଣିବେ ଆମେ ତାଙ୍କ ଭାଇଙ୍କ ଘରକୁ ଯାଉଛେ ଗାମୁଛା ଖୋଜି " ।

ଖଣ୍ଡିକାଶ ମାରି ଯେପରି ଟିଙ୍କ କଥାରେ ସହମତି ପ୍ରକାଶ ସୂଚକ ଶବ୍ଦ ବାହାର କଲେ ଧଡ଼ଧଡି ଜେଜେ । ପୀତବାସ ଜେଜେ ନିରବ ରହିବାଟା ଠିକି ହେବ ଭାବି ମୌନବ୍ରତ ପାଳନ କଲେ । ତିନିହେଁ ଧପାଳିଲେ ଆଗକୁ ଆଗକୁ ।

ଗୋଟେ ଅଟୋ ଧରି ଯାଇ ପହଁଚିଲେ ମାଧବ ରାଉତ ଓରଫ ମାଧ ଘରେ । ଡାକ ଯନ୍ତ୍ରରେ ହାତ ଦେଇ ଟିଙ୍କ ତିନି ଚାରିଥର ଚିପିଦେଲା ।

ଯେପରି କବାଟ ଖୋଲିଛି ମାଧ କିଛି ବୁଝିବା ଆଗରୁ ତିନିଜଣ ପବନ ବେଗରେ ପଶିଗଲେ ଘରେ । ଧଡ଼ଧଡିଜେଜେ ମାଧକୁ ବସିବାକୁ ଇଂଗିତ କରି ନିଜେ ବସିଗଲେ ଚୌକିରେ ।

ମାଧ...... : " ଭାଇନା ଏତେ ସକାଳୁ, କଣ ସବୁ ଠିକ୍ ଠାକ୍ ? " ।

ଧଡ଼ଧଡି ଜେଜେ....... : " ନାଇଁମ ଏ ଟିଙ୍କର ଟିକେ ତହସିଲ ଅଫିସ୍ ରେ କାମ ଥିଲା, ଭାରି ଭଲ ପିଲାଟେ । ତାକୁ ନେଇ ପୀତ ଓ ମୁଁ ଆସିଛୁ । ଅନ୍ୟ ଯାଗାରେ ବି କାମ ଅଛି ସେଥିପାଇଁ ଟିକେ ଜଲ୍ଦି ଘରୁ ବାହାରି ଆସିଲୁ । ଭାବିଲୁ ତୋ ପାଖରେ ଟିକେ ଦୁଃଖସୁଖ ହୋଇ ଯିବୁ " ।

ଏତିକି କଥା ସରିଛିକି ନାହିଁ ଟିଙ୍କ ହାତରେ ଧରିଥିବା କ୍ଷୀର ଛେନା ଜରିଟିକୁ ମାଧ ବାବୁଙ୍କ ହାତରେ ଟେକି ଦେଇ ତାଙ୍କ ପାଦରଧୂଳି ନେଇ ମୁଣ୍ଡରେ ମାରିବାକୁ ପ୍ରସ୍ତୁତ ହୁଅନ୍ତେ , ମାଧ ଦୁଇ ହାତ ପଛକୁ ଘୁଂଚି ଗଲେ ହାଁ......ହାଁ କହି ।

ପୀତବାସ ଜେଜେ କହିଲେ : " ଜାଣିଲୁ ମାଧ, ଆମେ ତାକୁ ତୋ ବିଷୟରେ ବହୁତ କଥା କହୁ । ତାର ଭାରି ଇଚ୍ଛା ଥିଲା ତତେ ଦେଖିବାକୁ । ସେଥିପାଇଁ ଚାଲି ଆସିଲୁ । ତୁ ଆ ମୋ ପାଖରେ ବସ । ଧଡି ଗଲୁ ଚା ଟିକେ କରିବୁ । ମୁଁ ଟିକେ ମାଧ ସହ କଥା ହୁଏ । ହଁ ଟିଙ୍କକୁବି ସାଙ୍ଗରେ ନେଇଯାଆ ,ତତେ ସାହାଯ୍ୟ କରିବ " । ଏତିକି କହି ସାରିବା ପରେ ମାଧକୁ ଭିଡି ନେଇ ପାଖରେ ବସାଇ ଦେଲେ ପୀତବାସ ଜେଜେ ।

ମାଧ କଣ କହୁଛି, କି କହିବାକୁ ଚେଷ୍ଟା କରୁଛି ତାହା କେହି ଶୁଣିବା ଅବସ୍ଥାରେ ନଥିଲେ । ମାଧକୁ ସବୁ ଆଶ୍ଚର୍ଯ୍ୟ ହେବା ଭଳି ଲାଗୁଥାଏ । ଯେତେଥର ଚୌକିରୁ ଉଠିବାକୁ ଚେଷ୍ଟା କରୁଥାଏ କିନ୍ତୁ ବିଫଳ ହେଉଥାଏ ।

ଧଡ଼ଧଡି ଜେଜେ ଟିଙ୍କକୁ ଚାହା କରିବାକୁ କହି ଶୋଇବା ଘର ଭିତରକୁ ପ୍ରବେଶ କରି ଛାନଭିନ୍ନ ଆରମ୍ଭ କରିଦେଲେ । ଅନେକ ଖୋଜାଖୋଜି ପରେ ମଧ୍ୟ୍ୟ ସେ ସମ୍ବଲପୁରୀ ଗାମୁଛାର କିଛିବି ସନ୍ଧାନ ମିଳିନଥିଲା । ଖାଲି ହାତ ଓ ନିରାଶ ମନରେ ଘରଭିତରୁ ବାହାରିବା ବେଳକୁ ଧଡ଼ଧଡିଜେଜେ ଙ୍କ ଦୃଷ୍ଟି ପଡିଲା ଘରର ଏକ କୋଣରେ । ଯେଉଁଠାରେ କିଛି ଲୁଚା ହୋଇ ରଖିଲା ଭଳି ଜଣା ପଡୁଥାଏ । ଧଡ଼ଧଡିଜେଜେ ବିଳମ୍ବ ନକରି ଟାଣି ଆଣିଲେ ପଦାକୁ । ଗୋଟେ ସୁନ୍ଦର ବାକ୍ସ ଭିତରେ ଅନେକ ଚିଠି । ଚିଠି ଗୁଡିକ ଅତରରେ ଗାଧୋଇଲା ଭଳି ମହ ମହ ବାସୁଥାନ୍ତି । ନିଜ ନାକ ପାଖକୁ ଆଣି ସୁଗନ୍ଧକୁ ମନଭରି ନିଜ ଭିତରକୁ ଟାଣି ନେଇଗଲେ ସବୁ ବଳ ପ୍ରୟୋଗ କରି । ଆଗରୁ ଯେପରି ଏ ମହକ ନିଜ ନାକରେ ବାଜିଲା ଭଳି ଲାଗୁଥାଏ ।

ଚିଠି ଗୁଡିକ ନିହାତି ପ୍ରେମ ପତ୍ର ବୋଲି ତିଳେ ହେଲେ ସନ୍ଦେହ ନଥିଲା ଧଡ଼ଧଡି ଜେଜେଙ୍କୁ ।

ସମ୍ୱଲପୁରୀ ଗାମୁଛା ସିନା ପାଇଲେନି, କିନ୍ତୁ ଏ ବିବାହର ପଚିଶ ବର୍ଷ ପରେ କୌଣସି ସ୍ତ୍ରୀ କାହିଁକି ଏପରି ଅତର ମାରି ପ୍ରେମ ପତ୍ର ଲେଖିବ ତା ନିଜ ସ୍ୱାମୀ ପାଖକୁ? । ମାଧ ଉପରେ ଓ ନିଜ ଭିତରେ ଲୁଚାଇ ରଖିଥିବା ରାଗତକ ଯେପରି ଶୁଝେଇବାକୁ ସୁଯୋଗ ଖୋଜୁଥିବା ଧଡ଼ଧଡିଜେଜେଙ୍କୁ ସରଗର ଚାନ୍ଦ ମିଳିଲା ପରି ଲାଗିଲା । ସବୁବେଳେ ଭାଇର ପକ୍ଷ ଧରି ଲଢ଼ୁଥିବା ସ୍ତ୍ରୀଙ୍କ ସେ ବିକୃତ ମୁହଁଟି ଆଖି ଆଗରେ ନାଚିଗଲା । ଆଉ କିଛି ନ ଭାବି ସବୁତକ ଚିଠି ଗୁଡିକ ଉଠାଇ ନିଜ ପଂଜାବୀ ତଳେ ଥିବା ଗଞ୍ଜିରେ ଭର୍ତି କରିଦେଲେ ।

ସେପଟରୁ ଶୁଭୁଥାଏ ପୀତବାସ ଜେଜେଙ୍କ ସ୍ୱର " ଆରେ ମାଧ ଶୁଣୁ, କୁଆଡେ ସେ ରୋଷେଇ ଘର ଆଡକୁ ଯାଉଛୁ । ଆରେ ଆହୁରି କଥା ଅଛି..... ଶୁଣୁ.......ମାଧ...... ମାଧ " ।

ମାଧ......... : " ପନ୍ଦର ମିନିଟ୍ ହେବ ପୀତବାସ ଭାଇନା ଆପଣ ମୋ ସହ କଣ ଗପୁଛନ୍ତି ତାର କିଛି ଠିକଣା ନାହିଁ । ମୋର ପୋଖରୀପାଣି ଠିକ୍ ସେ ସଫା ହେଉଛିକି ନାହିଁ ତାହାବି ପଚାରି ସାରିଲେଣି । ଏ ପିଲାଟି....... କ'ଣ ତୁମ ନାଆଁଟି ତ ????" ।

ଟିଙ୍କ ...... ( ଟିଙ୍କ ନିଜର ଦାନ୍ତ ଦେଖାଇ )" ଆଜ୍ଞା ଟିଙ୍କ, ଏଟା ମୋ ଡାକ ନାଆଁ ଆଜ୍ଞା । ଭଲ ନାଆଁ ହେଉଛି " ଟିଙ୍କ ପ୍ରସାଦ ଦାସ " । ମୋ ଜେଜେ ରଖିଥିଲେ ଆଜ୍ଞା । ସେ କଥା କ'ଣ କି ମୁଁ ଛୋଟ ଥିବା ବେଳେ ଯିଏ ମତେ କାଖକଲା ତା ପାଖରୁ ଆଉ ତଳକୁ ଓଲ୍ହାଏନି, ଟିଙ୍କ ଭଳି ଜଡେଇ ଧରେ । ସେଥିପାଇଁ ମୋ ଜେଜେ............ " ।

ମାଧ........ : "ଥାଉ, ଖୁବ୍ ସୁନ୍ଦର ତୁମ ନାମକରଣ ଗଳ୍ପ । କିନ୍ତୁ ମତେ କୁହ ତମେ ଚାହା ଦୋକାନୀଟି, ଏ ପନ୍ଦର ମିନିଟ୍ ହେଲା କି ଚାହା କରୁଛ । ଚାହା ମରିକି ଆଉ ପୋଷେ ପଡିଛି " ।

ଟିଙ୍କ......... : " (ଉକ୍ତ ଗରମ ଚହାରେ ଥଣ୍ଡା ପାଣି ଚାରି କପ୍ ଢାଳି ଦେଇ ) । ଧଡଧଡି ଜେଜେ ଏପରି ଚାହା ପସନ୍ଦ କରନ୍ତି ଆଜ୍ଞା " ।

ମାଧ............ : " ହଉ ହେଲା, ତୁମର ସେ ଜେଜେ କୁଆଡେ ଗଲେ । ମୋ ଆଗରୁ ଉଠ । ଆରେ ଟିଙ୍କ ଉଠୁ । " ।

ଧଡ଼ଧଡି ଜେଜେ........ " ଆରେ ମୁଁ ଟିକେ ଘର ଚାରିପଟେ ବୁଲିକି ଦେଖୁଥିଲି । ମାଧ ତୁ କଣ ମତେ ଦେଖିବାକୁ ଏତେ ଵ୍ୟସ୍ତ "? । ଚାଲେ ବସି କଥା ହେବା । (କହି ପୀତବାସ ଜେଜେ ଙ୍କୁ ଆଖି ମାରିଦେଲେ ) ।

ଧଡ଼ଧଡି ଜେଜେଙ୍କ ମୁଖ ମଣ୍ଡରେ ଲହଡି ଭାଙ୍ଗୁଥିବା ସେ ଖୁସିକୁ, ଦୂରରୁ ଥାଇ ପୀତବାସଜେଜେ ଓ ଟିଙ୍କ ନିଜ ଦୃଷ୍ଟି ବଳରେ ଦେଖି ସାରିଥିଲେ । ଅଜାଣତରେ ସମ୍ବଲପୁରୀ ଗାମୁଛା ମିଳିବା ଖୁସିରେ ଦୁହେଁ ମାଧ ସହିତ ଆହୁରି ବାଚାଳମତି ଭଳି ଗପର ପସରା ଲମ୍ବେଇ ଦେଲେ ।

ଟିଙ୍କ ଗରମ ଗରମ ଚାହା ନେଇ ଧରାଇ ଦେଲା ସମସ୍ତଙ୍କ ହାତରେ । ଚହାକୁ ଢୋକେ ଢୋକେ ନେଇ, ତା ସ୍ୱାଦ ବାରିବା ପରେ ନିଜ ନିଜ କପ୍ କୁ ତଳେ ଥୋଇଦେଲେ ।

ମାଧ ଜୋରେ ଇଂଗିତ କରି କହିଲା ଧାଡିଧାଡି ଜେଜେ ଙ୍କୁ..... : " ଓଃ ଧଡି ଭାଇନା ତୁମର କାଳେ ଏ ଚାହା ପସନ୍ଦ । ଥୋଇଦେଲ କଣ ପିଅ " ।

ଧଡ଼ଧଡି ଜେଜେ ସବୁ ତକ ଚାହା ଶେଷ କରି ବାହାରିଲେ । ତିନିଜଣ ଆଗ ପଛ ହୋଇ ଘରୁ ବାହାରି ଯାଉଥାନ୍ତି । ମାଧକୁ ଏମାନଂକ ବ୍ୟବହାର କିଛି ଠିକି ଲାଗୁ ନଥାଏ । ତଥାପି ନାଚାର ଭଳି ଦୁଆର ମୁହଁରେ ଠିଆ ହୋଇ ଚାହିଁ ରହିଥାଏ ।

ଧଡ଼ଧଡି ଜେଜେ ଗୋଟେ ନିରଳା ଯାଗା ଦେଖି ଗାଡି ଅଟକାଇ ଓଲ୍ହାଇ ଗଲେ । ପୀତଜେଜେ ଓ ଟିଙ୍କ ଅତି ଉତ୍କଣ୍ଠାରେ ପଚାରି ବସିଲେ........." ଓଓହୋଃ......ଗାମୁଛା ତାହାଲେ ମିଳିଗଲା " ।

ଧଡି ଜେଜେ ମୁରିକି ହସା ମାରି କହିଲେ , ...... "କାଇଁ ଗାମୁଛା । ଗାମୁଛା ଫାମୁଛା କିଛି ମିଳିଲାନି " ।

ପୀତବାସ ଜେଜେ..... : ଆଉ ଏ ମୁରିକି ହସା କାଇଁ ମାରୁଛୁ ? ।

ଟିଙ୍କ....... : (ମୁହଁ କୁ ଶୁଖାଇ ),ସବୁ ପରିଶ୍ରମ କଣ ବୃଥା ଗଲା? ।

ଧଡି ଜେଜେ...... :" ଆରେ ନାହିଁ, ଆଳୁ ଖୋଳୁ ଖୋଳୁ ମହାଦେବ ହାତରେ ଲାଗିଛନ୍ତି " ।

ଧଡି ଜେଜେ ବାହାର କଲେ ଚିଠି ଗୁଡିକ । ସମସ୍ତେ ଚାହିଁ ଥାନ୍ତି । ଗୋଟେ ଦୁଇଟି ଚିଠି ଖୋଲି ପଢି ଗଲେ । କେବଳ ଏତିକି ବୁଝା ପଡିଲା ଝିଅଟେ ପୁଅ ପାଖକୁ ପ୍ରେମ ପତ୍ର ଲେଖିଛି । କିନ୍ତୁ ପ୍ରେରଣ ଓ ପ୍ରାପ୍ତେସୁ ଙ୍କ ନାମ କେବଳ ସୁନା ଓ ଧନ ବୋଲି ଲେଖା ଯାଇଛି । ଚିଠି ଗୁଡିକ ପଢିବା ସମୟରେ ଆଜି କାଲିର ଆଧୁନିକ ଚଳଣୀର ଛିଟା ଜଣା ପଡୁଥାଏ ।

ଟିଙ୍କ....... : ମାଧ ବାବୁ ଆମର ବିବାହିତ, ପୁଣି କେଉଁ ଝିଅ ଚକରରେ ପଡିଛନ୍ତି ବୋଧେ । ବିଚାରି ତାଙ୍କ ସ୍ତ୍ରୀ, ଗାଁରେ ରହି କିଛି ଜାଣି ପାରୁ ନାହାନ୍ତି "।

ଧଡି ଜେଜେ...... : ଆରେ ସେଇଠିତ କଥା, କିଛି ଜାଣି ପାରୁ ନାହାଂତି ସିନା । ହେଲେ ଆମେ ଜଣେଇବା । ଶଳା ପାଇଁ ମୁଁ ତା ଭଉଣୀ ଠାରୁ ଯେତିକି ଗାଳି ଖାଉଛି । ଶଳାକୁ ଛାଡିବାର ନାହିଁ । ତା ଭଉଣୀକୁ କହି ତା ସ୍ତ୍ରୀକୁ ଡକାଇ ପାନେ ଦେବାକୁ ପଡ଼ିବ । ଏ ବୟସରେ ଝିଅ ବାହାଘର କରିବା କଥା ନିଜେ ବିବାହ ପାଇଁ ମନ ବଢ଼ାଇଛି । ଏତେ ଦିନ ପରେ ଭାଇ ଭଉଣୀକୁ କହିବାର ବଢିଆ ମଉକା ମିଳିଛି " ।

*****************

ଧଡିଜେଜେ ଗୋଟେ ସୋଫା ଉପରେ ବସି ନିଜ ଗୋଡ଼କୁ ହଲାଉଥାନ୍ତି । ମାଧ ର ସ୍ତ୍ରୀ "ମଞ୍ଜୁ " ବସି ନାକ ସୁଁ...ସୁଁ କରୁଥାଏ । କମଳା ଆଈ ଅଥାର ହାଣ୍ଡି ଭଳି ମୁହଁକୁ ଫୁଲାଇ ମାଧର ଆସିବା ବାଟକୁ ଚାହିଁ ରହିଥାନ୍ତି । ଧଡିଜେଜେ ଭଲକି ଚିଠି ଗୁଡିକୁ ତନଖି ନେଲେ । ପ୍ରମାଣ ନଥିଲେ ସବୁ ଦୋଷୀ ବିନା ଦୋଷରେ ମୁକ୍ତି ପାଇବାଭଳି ଏ ମାଧବି ଖସି ଯିବ ।

ଅନେକ ସମୟ ପରେ ମାଧ ଆସି ପହଂଚି ଗଲେ । ନିଜେ କିଛି ବୁଝିବା ଆଗରୁ ତାଙ୍କ ସ୍ତ୍ରୀ ବାହୁନି ବାହୁନି କାନ୍ଦିବା ଆରମ୍ଭ କରିଦେଲା ।

ମାଧ କିଛି ପଚାରିବାକୁ ଉଦ୍ୟମ କରନ୍ତେ ଭଉଣୀ ତାଙ୍କର ଉଗ୍ର ରୂପ ଧାରଣ କରି କହି ଉଠିଲେ..... " ଯା ବିଷ ଟିକେ ନେଇ ଆ, ଏଇ ବୟସରେ ତୁ ଏପରି କଲେ ଆମେ ବିଷ ଖାଇବା ଛଡା ଆଉ କିଛି ବାଟ ନାହିଁ । ଦୁଇଦିନ ହେବ ତୋ ଭାଇନାଙ୍କ ଠାରୁ କଥା ଶୁଣି ଶୁଣି ଅଧା ମରି ସାରିଲିଣି " । ( କହି ଭୋ ଭୋ ହୋଇ କାନ୍ଦି ଉଠିଲେ ) ।

ମାଧ........ : " ଆରେ କଣ ହୋଇଛି କିଏ କହିବ ନା ଏପରି କାନ୍ଦୁ ଥିବ । ମୁଁ କଣ କରିଛି ମୁଁ ନେଜେବି ଜାଣି ପାରୁନି । ଭାଇନା ତୁମେ ହେଲେ କୁହ " ।

ଧଡିଜେଜେ........ " ଏ ଚିଠି ଗୁଡା ତୋ ଘରୁ ମିଳିଲା । ସବୁ ଗୁଡା କୌଣସି ଝିଅର ହାତ ଲେଖା ଚିଠି । ଏବେ ତୁ କହ, କିଏ ତତେ ଦେଇଛି ? " ।

ମାଧ........ : "ଚିଠି ?? କି ଚିଠି, ମୋର ଆଉ ବୟସ ଅଛି କାହାକୁ ଚିଠି ଦେବାକୁ ନା କାହା ଚିଠି ନେବାକୁ । ଏ ଚିଠି ବିଷୟରେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ " ।

ଧଡି ଜେଜେ......... : "ତୋ ଘରୁ ମିଳିଲା, ଅଥଚ ତୁ ଫାଂକି ଦେଉଛୁ " ।

କମଳା ଆଈ......... : " ମୋ ଭାଇ କହୁଛି ଜାଣିନି ମାନେ ସେ ଜାଣିନି । ତୁମେ କୁହ ଏହାକୁ କେଉଁଠୁ ପାଇଲ । ମୋ ଭାଇକୁ କଣ ପାଇଁ ଫସାଉଚ । ଏ ସବୁ ତୁମର ଯୋଜନା । ମୋ ଭାଇ ଘରକୁ କାହିଁକି ଯାଇଥିଲ? ।

ଧଡି ଜେଜେ ଛିପଢ଼ୋକି ମାଧ ଘରକୁ ବୁଲିଯିବା କଥାଟି କହିଲେ । କିନ୍ତୁ ସମ୍ବଲପୁରୀ ଗାମୁଛା ଖୋଜିବା କଥା ଗୁପ୍ତ ରଖିଲେ ।

ଧଡିଜେଜେ ଜାଣିଲେ ଯେ ସେ ଚିଠିଗୁଡିକ ମାଧର ନୁହେଁ । ହେଲେ କାହାର ??? । ସମସ୍ତଙ୍କୁ ପ୍ରତିଶୃତି ଦେଲେ ଗୋଟେ ସପ୍ତାହ ଭିତରେ ନିଶ୍ଚୟ ଖୋଜି ବାହାର କରିବେ ।

****************

ପୀତଜେଜେ ଓ ଟିଙ୍କକୁ ସାଙ୍ଗରେ ନେଇ ଧଡିଜେଜେ ବାହାରିଲେ ଚିଠିର ପର୍ଦାଫାଶ କରିବାକୁ । ମାଧକୁ ସମସ୍ତଙ୍କ ଆଖିରେ ଦୋଷୀ ସଜାଇବା ପରେ ନିଜକୁ ଧଡିଜେଜେ କ୍ଷମା କରି ପାରୁନଥାନ୍ତି । କିପରି ତାକୁ ନିର୍ଦୋଷ ପ୍ରମାଣ କରିବେ ସେଇ ବିଷୟରେ ଚିନ୍ତା ଘାରି ହେଉଥାଏ ।

ମାଧ ବାବୁଙ୍କ ଘର ପାଖରେ ଟିଙ୍କକୁ ଯଗାଇ ରଖାଗଲା । କିଏ କେତେବେଳେ ଆସୁଛି ଯାଉଛି ତାର ଟିକିନିକି ଖବର ରଖିବ ।

ଧଡିଜେଜେ ଜାଣିଥିଲେ ଯିଏ ଚିଠି ରଖିଛି, ସେ ପୁନଃ ତାକୁ ନେବାକୁ ଆସିପାରେ ।

ସପ୍ତାହ ପରେ ଧଡିଜେଜେ ଦୁଇ ସହଯୋଗୀଙ୍କୁ ପାଖକୁ ଡାକି କହିଲେ ଯେ " ଚିଠିର ମାଲିକ ମତେ ମିଳିଗଲା । କିନ୍ତୁ ଚିଠି ଦେଇଥିବା ଝିଅଟି କିଏ ସେତିକି ଜାଣିବାର ଅଛି " ।

ଟିଙ୍କ.......... : "ଜେଜେ କୁହନ୍ତୁ, ଜାଣିବାକୁ ପ୍ରବଳ ଆଗ୍ରହ ହେଉଛି " ।

ପୀତବାସ ଜେଜେ..........: " ଆରେ କହ, ସପ୍ତାହ ହେଲା ଲୁଚି ଲୁଚି ମାଧ ଘରକୁ ଯେତିକି ନଜର ରଖିଛି କାଇଁ ମୋ ଆଖିରେ ସେପରି କେହି ଦୋଷୀ ଲାଗୁନାହାନ୍ତି ।

ଧଡିଜେଜେ......... : " ସେଇଠିତ କଥା । ମାଧ ଘରକୁ ତାର କେତେଜଣ ସହଯୋଗୀ ଆସନ୍ତି ସମସ୍ତେ ତା ବୟସର । ସେମାନଂକୁ ମୁଁ ବହୁତ ପିଛା କରିବା ପରେ ଜାଣିଲି କେହି ସେପରି ନୁହନ୍ତି । ବାକି ରହିଲେ କ୍ଷୀର ଵାଲା, ଓ ପେପର ଵାଲା ସେମାନେ କେବେ ଘର ଭିତରକୁ ପ୍ରବେଶ କରିନାହାନ୍ତି । ଜଣେ ଯିଏ ତା ଘରକୁ ଯାଏ, ଯାହାକୁ ସବୁ କିଛି ଛୁଟ୍ ଅଛି, ସେ ହେଉଛି ମୋ ପୁଅ "ଅଜୁ" । ଏ ସବୁ ଅଜୁର ଚିଠି । ମୁଁ ଯେଉଁ ସମ୍ବଲପୁରୀ ଗାମୁଛା ଖୋଜୁଥିଲି । କାଳେ ଏ ଚିଠି ଗୁଡିକ ମୋ ହାତରେ ପଡ଼ିବ, ସେ ଆଣି ତା ମାମୁଁ ପାଖରେ ଲୁଚାଇ ଥିଲା । ମାଧକୁବି ଏ ବିଷୟରେ କିଛି ଜଣାନଥିଲା । ସେଦିନ ସେଥିପାଇଁ ସେ ଚିଠିର ବାସ ମତେ ପରିଚିତ ଲାଗୁଥିଲା । କାହିଁକିନା ଅଜୁ ସେପରି ଅତର ବ୍ୟବହାର କରେ ।

ଚିଠି ଗୁଡିକ ତା ପୂର୍ବଯାଗାରେ ରଖିବା ପରେ, ହଟାତ ଦୁଇଦିନ ପରେ ଗାୟବ ହୋଇଗଲା । ମୁଁ ଟିଙ୍କ ଠାରୁ ବୁଝିଲି ସେଦିନ କେବଳ ଅଜୁହିଁ ମାଧ ଘରକୁ ଆସିଥିଲା ।

ଟିଙ୍କ......... : " ଆଛା ତାହେଲେ ଚିଠି ସମସ୍ୟା ସମାପ୍ତ ହେଲା । ଆଉ ସେ ସମ୍ବଲପୁରୀ ଗାମୁଛା କଥା କଣ କରିବା ? " ।

ପୀତବାସ ଜେଜେ........ : ଆରେ ଗାମୁଛା କଥାରୁ ମନେ ପଡିଲା,....... ମୋ ଝିଅ କୃତ୍ତିକା ଠିକି ମଉସାଙ୍କ ସମ୍ୱଲପୁରୀ ଗାମୁଛା ପରି ଗୋଟେ ଆଣିଛି । ମୁଁ ତାକୁ ପଚାରୁ ଥିଲି ସେ କହିଲା କେଉଁଠି ମିଳୁଛି କହିବ । ତୁ ଵ୍ୟସ୍ତ ହଅନି ଆଉ ଗୋଟେ ନହେଲେ ନେଇ ଆସିବା କିଣିକି " ।

ଧଡିଜେଜେ ଜୋରେ ଜୋରେ ହସିବାକୁ ଲାଗିଲେ ।

ଟିଙ୍କ........ : ଜେଜେ କଣ ହେଲା, ଦେହ ଭଲ ଅଛି ତ ?।

ପୀତବାସ ଜେଜେ...... : " ଆରେ କଣ ହେଲା, ହସୁଛୁ କାହିଁକି? " ।

ଧଡ଼ଧଡି ଜେଜେ........... : " ଆରେ ଚିଠି ଠାରୁ ଆରମ୍ଭ କରି ଗାମୁଛା ପର୍ଯ୍ୟନ୍ତ ସବୁ କେସ୍ ସମାଧାନ ହୋଇଗଲା । ଏଥର ମତେ ସମୁଦୀ ଡାକେ ପୀତ " ।

ପୀତବାସ ଜେଜେ........ " କଣ ସବୁ କହୁଛୁ ଧଡି ମୁଁ ବୁଝିପାରୁନି ? "।

ଧଡ଼ଧଡି ଜେଜେ....... " ପୀତ ତୁ କହୁ କୃତ୍ତିକାକୁ ପୁରୁଣା ଜିନିଷ ପାଖରେ ରଖିବାକୁ ଭଲ ଲାଗେ । ସେଥିପାଇଁ ଅଜୁ ବାପାଙ୍କ ପୁରୁଣା ଗାମୁଛା ତାକୁ ରଖିବାକୁ ଦେଇଛି । ଅଜୁର ପ୍ରେମିକା ଆଉ କେହି ନୁହଁ ସେ ହେଉଛି ତୋ ଝିଅ କୃତ୍ତିକା " ।

ଟିଙ୍କ...... ( ଜୋରେ ତାଳିମାରି ) ବାଃ ଜେଜେ ବଡ ବଡ ଡିଟେକଟିଭ୍ ଙ୍କୁ ଆପଣ ପଛରେ ଛାଡିଦେବେ ।

ତିନିଜଣକ ମନ ଖୋଲା ହସ ଭାସି ଯାଉଥିଲା ଅନେକ ଦୂରକୁ ।


Rate this content
Log in

Similar oriya story from Comedy