Sucharita Sena

Tragedy Inspirational

4  

Sucharita Sena

Tragedy Inspirational

ଜୀବନର ପରିଭାଷା

ଜୀବନର ପରିଭାଷା

4 mins
343


ମୋର କୋଚିଂ ସାରି ଘରକୁ ପ୍ରତ୍ୟାବର୍ତନ ସମୟରେ ବାଟରେ ପଡେ ଦେବବ୍ୟାସ ପାର୍କ | ପାର୍କରେ ଅଧିକ୍ତର ପୌଢ ଅଥବା ବୟସ୍କ ପୁରୁଷ ଓ ମହିଳାଙ୍କୁ ଦେଖିବାକୁ ମିଳେ | ମୋ ସାଇକେଲ୍ ଟି ମନ୍ତରରୁ ଧୀର ପଡ଼ିଯାଏ,ଯେତେବେଳେ ମୋ ଜେଜେଙ୍କ ବୟସର ବୃଦ୍ଧ ଅବା ବୃଦ୍ଧା ମାନେ ହାତକୁ ଉପରକୁ ଉଠାଇ ହୋ ହୋ ହୋ ହାସ୍ୟ ଧ୍ୱନି କରନ୍ତି | ସ୍ଵୟମ୍ କୁ ସେମାନଙ୍କ ପରି ବାଧ୍ୟ କରେନି ହସିବାକୁ, ଅଦୂରରେ ଥାଇ ଅନାହୃତ ଭାବରେ ଚିବୁକରେ ହସଟି ଲହଡି ଭାଙ୍ଗି ଦିଏ ସେମାନଂକୁ ଦେଖି | ବେସ୍ ଭଲ ଲାଗେ ସେମାନଙ୍କ ହସ ହସ ମୁହଁଟି ମାନ ଦେଖିଲେ | କିନ୍ତୁ ଏହି ମୁହଁଟି ଏ ପାର୍କରୁ ବିରତି ନେବା ପରେ ବିକୃତ ଭାବ ଧାରଣ କରେ | କିଏ ରାଗିଲା ଭଳି, କିଏ ଦୁଃଖୀ ଭଳି, କିଏ ଚିନ୍ତିତ ପରି ଏପରି ଅନେକ ପ୍ରକାର | ମୋର କିନ୍ତୁ ସେମାନଂକୁ କହିବାକୁ ଇଛା ହୁଏ " ଆପଣ ମାନଙ୍କର ସେ ହସ ହସ ମୁଖଟି ବହୁତ ସୁନ୍ଦର " | କିନ୍ତୁ କହି ପାରେନି |

ସେଦିନ ମୁଁ ମୋ ସାଇକେଲ୍ କୁ ରଖି, ପାର୍କର ଥିବା ସିମେଣ୍ଟ ବେଞ୍ଚ ଉପରେ ବସିଥାଏ | ଟିକେ ଦୂରରେ ମୋ ନଜର ପଡିଲା ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଉପରେ | ସେ ଏକା ଲୟରେ ବସି ଚାହିଁଥାନ୍ତି ଗୋଟେ ଦିଗକୁ | କିନ୍ତୁ କାହାକୁ ଚାହିଁଥାନ୍ତି ତାହା ମୋ ଆଖିର ଉଢୁଆଳରେ ଥାଏ | ମଝିରେ ମଝିରେ ସେ ବୃଦ୍ଧବ୍ୟକ୍ତି ହସି ଦେଉଥାନ୍ତି, ତାଳିବି ମରୁଥାନ୍ତି, ଓ ହାତ ହଲାଇ ପାଖକୁ ଡାକିଲା ଭଳି ଇସାରା କରୁଥାନ୍ତି | ମୁଁ ଦୂରରେ ଥାଇ ବୃଦ୍ଧବ୍ୟକ୍ତିଙ୍କ ହାବଭାବ ଦେଖି ଆସୁଥିବା ହସକୁ ନିଜ ଭିତରେ ଚାପି ରଖିବାକୁ ଚେଷ୍ଟା କରୁଥାଏ | କିଛି ସମୟର ବ୍ୟବଧାନ ପରେ ମୋର ଇଛା ହେଲା ଦେଖିବାକୁ ଅପର ପାର୍ଶ୍ଵରେ କିଏ |

ନିଖୁରା ଚୁଟି, ମଇଲା ପୋଷାକ ପିନ୍ଧା ଚାରି / ପାଞ୍ଚ ବର୍ଷର ଛୋଟ ଝିଅଟି | ଖେଳରେ ମାତି ଯାଇଛି | କେତେବେଳେ ଗଛର ଛୋଟ ଡାଳ ଧରି ଝୁଲି ପଡୁଛିତ, ପୁଣି ଗଡି ପଡୁଛି ତଳେ | ମୁଁ ବୁଲି ଚାହିଁଲି ସେଇ ବୃଦ୍ଧବ୍ୟକ୍ତିଙ୍କୁ, ପିଲାଟି ପଡିଗଲେ ଉଠିଯିବାକୁ ନିର୍ଦ୍ଧେଶ ଦେଉଥାନ୍ତି | ପିଲାଟି ଡାଳଧରି ଓହଳି ପଡିଲେ ତାଳିମାରି ଦେଉଥାନ୍ତୁ | କିଛି ସମୟ ପରେ ସେପଟୁ ଶୁଭିଲା "ରେଶମା" ଛୋଟ ଝିଅଟି ଦୌଡ଼ି ଚାଲିଗଲା | ବୃଦ୍ଧବ୍ୟକ୍ତି ସେ ଛୋଟ ଝିଅର ପଛରୁ ହାତକୁ ହଲାଇ ଧୀରେ ଧୀରେ କହିବାର ଶୁଣିଲି "ବାୟ ରେଶମା " |

ପ୍ରତିଦିନ ମୁଁ ଦେଖି ଆସୁଛି ରେଶମାର ସେ ମାଙ୍କଡ଼ ପରି ଖେଳ ଓ ଖେଳକୁ ଅତି ଆଗ୍ରହ ସହ ଦେଖୁଥିବା ସେ ବୃଦ୍ଧବ୍ୟକ୍ତିଙ୍କୁ | ମୁଁ ଦୂରରେ ଥାଇ ଅନେକ କିଛି ଭାବେ ମନର ଲଟେଇ ସୂତାଟା ବେସ୍ କିଛି ଦୂରକୁ ଟାଣି ହୋଇଯାଏ | ମିଶ୍ରିତ ଭାବନାରେ କେବେ କୂଳରେ ଲାଗି ପାରେନି | ନିଜକୁ ବହୁତ କିଛି ପ୍ରଶ୍ନକରେ ଏତେ ମୂଲ୍ୟବାନ ସମୟକୁ ଏ ବୃଦ୍ଧବ୍ୟକ୍ତି ଏପରି ଭାବରେ କଣ ପାଇଁ ନଷ୍ଟ କରୁଛନ୍ତି ?, ଘଣ୍ଟା ଘଣ୍ଟା ବସି ସେ ଛୋଟ ପିଲାକୁ ଦେଖିବାର ଉଦ୍ୟସ କଣ ?, କିଛି ମନ୍ଦ ଉଦ୍ୟସ ନୁଁହେତ? |

କିଛିଦିନ ହେଲା ରେଶମାର ଦେଖା ନାହିଁ | ସେ ବୃଦ୍ଧ ବ୍ୟକ୍ତି ଆସୁଛନ୍ତି, ରେଶମା ଖେଳୁଥିବା ଯାଗାକୁ ଚାହିଁ ରହୁଛନ୍ତି | ଦୁଇ ଯୁଗଳ ନୟନ ଘୁରିବୁଲିଛି, କିନ୍ତୁ କେବଳ ବିଫଳ | ମୁଁ ଜାଣି ସାରିଥିଲି ରେଶମା ଏହି ଯାଗାର କିଛି ଦିନର କୁଣିଆଁ ଥିଲା | ତାର ଅବୁ / ଆମ୍ମୀ (ବାପା,ମା) ମଜୁରୀ ଲାଗୁଥିଲେ | ଏ ଯାଗାର କାମ ସରିଲା ପୁନଃ ଆଉ ଏକ ଯାଗାକୁ ଯାଇ କାମ କରିବା ତାଙ୍କର ଅଭ୍ୟାସ | କିନ୍ତୁ ବୃଦ୍ଧବ୍ୟକ୍ତି କଣ ଏତିକି କଥା ବୁଝି ପରୁ ନାହାଁନ୍ତି | ମୁଁ ନିଜକୁ ଆଉ ଅଟକାଇ ପାରିଲିନି | ଯାଇ ତାଙ୍କ ପାଖରେ ବସିଲି | ଆଉ ପଚାରି ବସିଲି ମନ ତଳର କଥାକୁ |

ବୃଦ୍ଧବ୍ୟକ୍ତି କହିବାକୁ ଲାଗିଲେ " ମୁଁ ଜଣେ ଇଞ୍ଜିନିୟର ଥିଲି | ମୋ ସ୍ତ୍ରୀ ଥିଲେ ଅଧ୍ୟପିକା | ବିବାହ ତିନି ବର୍ଷ ପରେ ମୋ ପୁଅ ଆସିଥିଲା ଆମ ଜୀବନକୁ | ଦୁନିଆରେ ରଙ୍ଗ ବଦଳି ଯାଇଥିଲା ଯେପରି |ସବୁ ରଂଗୀନି | ତା ଠୁକୁଠୁକୁ ଚାଲିରେ ଘର ହସୁଥିଲା | ସେ ବଡ ହେବା ସହିତ ତା ପାଠ ପଢ଼ାବି ଉଭାହେଲା | ଗୋଟେ ପୁଅ, ଟଙ୍କା ପଇସାରେ ଅଭାବ ନାହିଁ | ସେ କିପରି ଭଲ ପଠ ପଢିବ, ଭଲ ଚାକିରୀ କରିବ ତା ଚିନ୍ତା ଘାରିଲା | ପୁଅଟି ବି ପଢା ପଢ଼ିରେ ଢ଼େରେ ଆଗୁଆ ଥିଲା | ଧୀରେ ଧୀରେ ତା ପଢା ସରି ସେ ଚାକିରୀ କରିବାକୁ ପ୍ରସ୍ତୁତ ହେଲା | ଓ ଆମେ ପ୍ରସ୍ତୁତ ହେଲୁ ଚାକିରୀ କ୍ଷେତ୍ରରୁ ଅବସର ପାଇଁ |

ସେଦିନ ଆମେ ବହୁତ ଖୁସି ଥିଲୁ, ପୁଅର ଆମେରିକାରେ ଚାକିରୀ ହୋଇଗଲା, ମୋଟା ଅଙ୍କର ଦରମା | ମୋ ସ୍ତ୍ରୀ ଭଗବାନଙ୍କ ପାଖରେ ଅନେକ ମୁଣ୍ଡିଆ ମାରିଲା | ମୁଁ ଗର୍ବରେ ଫାଟି ପଡୁଥାଏ | ନିଜ ସାଙ୍ଗ ମାନଙ୍କୁ ଏ ଖୁସି ଖବର ଦେବାକୁ ବ୍ୟାକୁଳ ହେଉଥାଏ |

ପୁଅ ଆମେରିକା ଯିବା ପରେ, ମଝିରେ ମଝିରେ ଘରକୁ ଆସେ | ତା ପରେ ତା ବିବାହ | ବିବାହର ଠିକି ମାସେ ପରେ ବୋହୂକୁ ନେଇ ଚାଲିଗଲା | କିଛିଦିନ ଏକା ଲାଗିଲା, ତଥାପି ମନକୁ ବୁଝାଇ ଦେଲୁ | ଧୀର ଧୀରେ ପୁଅ ର ଆସିବାରେ ଲମ୍ବା ଅବଧି ଆରମ୍ଭ ହେଲା | ମୋ ସ୍ତ୍ରୀକୁ ମୁଁ ଲୁଚି ଲୁଚି କାନ୍ଦିବାର ଦେଖିଲି | ପୁଅ ବିବାହର ଚାରି ବର୍ଷ ପରେ ନାତୁଣୀର ଜନ୍ମ | ଥରଟେ ପୁଅ ନେଇ ତାକୁ ଆସିଥିଲା | ଖୁବ୍ ସୁନ୍ଦରଟେ ହୋଇଛି | ତାକୁ କୋଳରେ ଧରିବା ପରେ କିପରି ମାୟା ଲାଗିଗଲା | କି ଟଙ୍କା କି ପଇସା ସବୁ ତୁଚ୍ଛ | ପ୍ରଥମଥର ଅନୁଭବ ହେଲା ଟଙ୍କାର ମୂଲ୍ୟ କିଛିନୁହେଁ | ଯେଉଁଦିନ ପୁଅ ମୋ ନାତୁଣୀକୁ ନେଇ ଚାଲିଗଲା ଆମେ ମା ବାବା ଦୁଇଟା ଲୁଚି ଲୁଚି ନୁହେଁ ଭେଁ ଭେଁ ହୋଇ କାନ୍ଦିଥିଲୁ | ପୁଅ ମୋର ସେ ଆମେରିକା ଯିବା ଦରକାର ନାହିଁ, ଯାହା ଅଛି ସବୁ ତାର, ମନ ପରିବର୍ତ୍ତନ କରି ଦିଅନ୍ତାକି, ରହିଯାନ୍ତା ଆମ ପାଖରେ | ଅନ୍ତରରୁ ଏପରି ଅନେକ କଥା ବାହାରୁଥିଲା | କିନ୍ତୁ ବ୍ୟକ୍ତ କରିବାକୁ ପାଟିରେ ଭାଷା ନଥିଲା | ପୁଅ ପ୍ରତି ମାସରେ ଟଙ୍କା ପଠାଉଛି, କିନ୍ତୁ କଣ ହେବ ବାବା ସେ ଟଙ୍କାରେ | ମଝିରେ ମଝିରେ ଭିଡ଼ିଓ କଲ୍ କରେ | ନାତୁଣୀକୁ ଦେଖି କାଖେଇ ଦେବାକୁ ଇଛା ହୁଏ, ଛୁଇଁଵାକୁ ଇଛା ହୁଏ, କିନ୍ତୁ ମୁଁ ନାଚାର | ସ୍ତ୍ରୀ ମୋର ଏବେ ଶଯ୍ୟାଶାୟୀ | ନିଜ ମନକୁ ହାଲକା କରିବାକୁ ଧାଇଁଆସେ ଏ ପାର୍କ | ତିନିମାସ ହେଲାଣି ଏ ରେଶମା ଦେଖା ହୋଇଥିଲା, ତା ଭିତରେ ମୋ ନାତୁଣୀର ଛବି ଦେଖାଯାଉଥିଲା | କାଇଁ ସେ ବି କୁଆଡେ ଚାଲିଗଲା | କେତେ ଖୋଜିଲିଣି କିନ୍ତୁ ପାଉନି | ତୁମେ ବସିଥାଅ, ମୋର ଯିବାର ସମୟ ହେଲାଣି | ସ୍ତ୍ରୀ ଆସୁସ୍ଥ, ରୁଟି କଲେ ଖାଇକି ଔଷଧ ଖାଇବେ |ମୁଁ ଆସୁଛି କାଲି ପୁଣି ଦେଖା ହେବ | " |

ମୁଁ ପଛରୁ ଚାହିଁଥାଏ ସେ ବୃଦ୍ଧବ୍ୟକ୍ତିଙ୍କୁ | ଭାବୁଥାଏ ଜୀବନର ମାନେ କଣ? | ସବୁ ଥାଇ ନିଶ୍ଵ ହେବାର ଅନୁଭବ ଖୁବ୍ କଷ୍ଟ ପ୍ରଦ | ଜୀବନର ପରିଭାଷା ସତରେ ଏଠି ବଦଳି ଯାଇଛି |



Rate this content
Log in

Similar oriya story from Tragedy