ଆରମ୍ଭ
ଆରମ୍ଭ
ମୁଁ ବିଜୁ । ଯୌବନର ପାଦ ଦେଶରେ ଠିଆ ହୋଇଛି । ମୁଁ ଜଣେ ଉତ୍ତମ ଛାତ୍ର ହିସାବରେ ପରିଗଣିତ ହୁଏ । ତେଣୁ ପାଠ ପଢ଼ାରେ ଢ଼େରେ ସମୟ ଯାଏ । ମୋ ବନ୍ଧୁ ମାନେ କିନ୍ତୁ ବିଭିନ୍ନ ପ୍ରକାର । ଥୋକାଏ ମୋ ଭଳି, ଆଉ ଥୋକାଏ ମୋ ବିପରୀତ । ଯେଉଁ ଥୋକାଏ ମୋ ଭଳି ସେମାନଙ୍କ କଥା କିଛି କହିବା ଦରକାର ନାହିଁ । କିନ୍ତୁ ଯେଉଁମାନେ ମୋ ବିପରୀତ ସେମାନଙ୍କ କଥା କହିଲେ ସମାପ୍ତ ନହୋଇପାରେ । ବେଳେ ବେଳେ ଲାଗେ ଜୀବନଙ୍କୁ ସେଇ ମାନେହିଁ ଉପଭୋଗ କରୁଛନ୍ତି । ନା କୌଣସି କଥାରେ ଅଛି ଗମ୍ଭୀରତା, ନା ଅଛି ଭବିଷ୍ୟତ ଚିନ୍ତା କେବଳ ବର୍ତ୍ତମାନଙ୍କୁ ନେଇ ବଞ୍ଚିବା ଜାଣିଛନ୍ତି । ମୋର ବି ଇଛା ହୁଏ ସେପରି ଜୀବନ ଅତିବାହିତ କରିବାକୁ ।
ଆଜିକାଲି ସମୟରେ କେଉଁ ମାନଙ୍କର ପ୍ରେମିକା ନାହାନ୍ତି କୁହନ୍ତୁତ ?
ହଁ ଆଜ୍ଞା ମୁଁ ସେଇ ପିଲା ଯାହାର ଆଜି ପର୍ଯ୍ୟନ୍ତ ଗୋଟେ ପ୍ରେମିକା କେହି ହୋଇ ପାରିଲେ ନାହିଁ । କିନ୍ତୁ ମୋର ସେଇ ବିପରୀତ ଥୋକାଏ ସାଙ୍ଗ ହସନ୍ତି । କୁହନ୍ତି ଭାଇ ବୁଢ଼ା ହୋଇଯିବୁ । ଜଲ୍ଦି କିଛି କର । ସେମାନଙ୍କର କହିବାରେ ଥିଲା ଖୁବ୍ ଗୋଟେ ପାରିବା ପଣିଆ ।କହିବେନିନା କାହାର, କାହାର ତ ପ୍ରେମିକା ତତ୍ତ୍ୱଧିକ ବି ଅଛନ୍ତି । ସଂନ୍ଧ୍ୟା ଖଟିରେ ଆଜି ଟିକେ ଅଧିକା ହୋଇଗଲା । ସେ 'ନିଧି' ତ କୁଦି ପଡିଲା ମୋ ପାଖକୁ । ଶପଥ କଲା ଭଳି କହିଛି ମୋ ପାଇଁ ଗୋଟେ ଝିଅ ଖୋଜିଦେବ । କିନ୍ତୁ ମୋ ଇଛା ମୁଁ ଖୋଜିବି, ନିଧି କଣ ଜାଣିବ ମୋ ମନର କଥା ।
ସମୟ ଅପରାହ୍ନ । ମଧ୍ୟାହ୍ନ ଭୋଜନ ପରେ ଶରୀରକୁ ଖଟ ଉପରେ ଲୋଟେଇ ଦେବାକୁ ଭଲ ଲାଗେ । ପୂର୍ଵ ଅଭ୍ୟାସ ହେତୁ, ଟିକେ ଗଡିଯାଇ ଫୋନ ଆଡକୁ ହାତ ନେଉଛି ଗୋଟେ ଅଜଣା ନମ୍ବର ରୁ କଲ୍ ଆସିଲା ।
ମୁଁ ହେଲୋ ।
ସେ ( ନାରୀ କଣ୍ଠ ସ୍ୱର ) ମଧ୍ୟାହ୍ନ ଭୋଜନ ସମାପ୍ତ ହେଲାଣି ?
ମୁଁ ହଁ ।
ସେ ବର୍ତ୍ତମାନ ତାହେଲେ ବିଶ୍ରାମ ନେଉଥିବେ ।
ମୁଁ ହଁ ।
ସେ ପାଖରେ କିଏ ଅଛନ୍ତି ?
ମୁଁ ନାଇଁ କେହି ନାହାନ୍ତି ।
ସେ ଏକା ଅଛନ୍ତି ?
ମୁଁ ହଁ ।
ସେ ଖାଲି ହଁ ଅଥବା ନା କହୁଥିବେ, ନା ଆଉ କିଛି କହିବେ
ମୁଁ କିଏ କହୁଥିଲେ ? ମୁଁ ଚିନ୍ହି ପାରିଲିନି ।ଦୟାକରି କହିବେକି ?
ସେ ଭାବି ନିଅନ୍ତୁ କେହି ଅତି ନିଜର ବୋଲି ।
ମୁଁ ମନେ ମନେ ଭାବୁଥାଏ, ସେ ନିଧି ପକା ମୋ ନମ୍ବର କାହାକୁ ଦେଇ ଦେଇଛି । କିନ୍ତୁ ଏମିତି କିମିତି ହେବ, ମୋରତ ମନ ଅଛି ।ମୋ ପ୍ରେମିକା ମୁଁ ନିର୍ବାଚିତ କରିବି ।
ସେ କଣ ଭାବୁଛନ୍ତି, ଅପଣଂକ ନମ୍ବର କେହି ଦେଇ ନାହାନ୍ତି । ଆପଣଙ୍କ ସାମ୍ନା ଘର ସେ ରାଧେ ମଉସା ବୋଲି ଯାହାଙ୍କୁ ଡାକନ୍ତି ମୁଁ ତାଙ୍କ ସାନ ଝିଅ ।
ମୁଁ ଏଥର ଖୁସିରେ ଆତ୍ମହରା ହେଇ ଯାଉଥିଲି ।କୋଚିଂ କ୍ଲାସ ଯିବା ସମୟରେ ଝିଅକୁ ଅନେକ ଥର ଅଗଣାରେ ବସି ଥିବାର ଦେଖେ । କିନ୍ତୁ ସେ ମତେ ଏପରି କିଛି କହିବ ଏକଥା ଭାବି ନଥିଲି । ଅକାରଣେ ସେ ନିଧି ଉପରେ ରାଗିଲି ।
ସେ କ'ଣ ଭାବୁଛନ୍ତି?
ମୁଁ ସେଇ ନିଧି କଥା ।
ସେ ନିଧି? କ'ଣ କୌଣସି ଝିଅର ନାଆଁ ।
ମୁଁ ଆରେ ନାଇଁ ନାଇଁ, ମୋ ସାଙ୍ଗ ନିଧିଆ ତାକୁ ଆମେ ନିଧି ଡାକୁ ।
ସେ ଶୁଣନ୍ତୁ, ମୁଁ ରହୁଛି । ବୋଧେ ବାପା ଆସିଲେ
ତୁମେ ଆମ ଛାତ ଉପରକୁ ଆସ ସେଠାରେ କଥା ହେବା ।
ମୁଁ କିଛି କହିବା ଆଗରୁ ସେ ଫୋନ ରଖି ସାରିଥିଲା ।ମୋ ହୃଦ ସ୍ପନ୍ଦନ ବେଗ ଦୁଇଗୁଣିତ ହୋଇ ସରିଥାଏ । ମୁଣ୍ଡରୁ ଝାଳ ବୋହି ଯାଉଥାଏ । କ'ଣ କରିବିଜେ ଜୀବନରେ ପ୍ରଥମ ଥର ସବୁକିଛି ଘଟୁଛି, ସେ ପୁଣି ଦ୍ରୁତ ଗତିରେ । ମୁଁ ବାହାରିଲି ।ସେ ତାଙ୍କ ଛାତ ଉପରେ ଏପଟ ସେପଟ ହେଉଛି । ବୋଉ ପଛରୁ ଡାକିଲା... " କିରେ ଖରା ଟାରେ କୁଆଡେ ଯାଉଛୁ "
ମୁଁ ଚମିକି ପଡିଲି । କୁହନ୍ତି ମା' ପଛରୁ ଡାକିଲେ ଶୁଭ । ବୋଉ କୁ କିଛି ନ କହି ଆଗକୁ ବଢୁଥିଲି ।ବୋଉ ପଛରୁ ଡାକୁଥିଲା " ବିଜୁ ଏ ବିଜୁ |
ପାଣି ପାଇପ୍ କୁ ସାହାରା କରି ଉପରକୁ ଉଠୁଥାଏ ।କିନ୍ତୁ ପାରୁ ନାଥାଏ, ଗୋଡ ବାର ବାର ଖସିବାରେ ଲାଗିଥାଏ । ଓହଃ ଆଣ୍ଠେଇ ପେଟେଇ, ଅତି କଷ୍ଟରେ ଯାଇ ଉପରେ ପହଂଚିଲି । ଝିଅଟି ଦେଖି ହସିଦେଲା, ମୋ ହାତ ଓ ଆଣ୍ଠୁ ର ସେ କ୍ଷତ ଉପରେ ସତେକି ମଲମର ଲେପ ଲାଗିଗଲା । ଝିଅଟିର ହାତକୁ ଧରିଛିକି ନାହିଁ କେଉଁଠି ଥିଲେ ରାଧେ ମଉସା, ଝାପଟି ଆସିଲେ ସାନିଧ୍ୟେ ।ମୋ ହାତରୁ ଛଡାଉ ଥିଲେ ତାଙ୍କ ଝିଅର ହାତକୁ ।ମୁଁ କିନ୍ତୁ ନଛାଡବନ୍ଦ । ଆହୁରି ଜୋରେ ଜାବୁଡି ଧରିଲି ସେ ଝିଅର ହାତକୁ । ମୁଁ କହୁଥାଏ " ଦେଖିବି ଆଜି କିଏ ଅଲଗା କରିବ ତୁମକୁ ଓ ମତେ " । ରାଧେ ମଉସା ନିଜର ବଳ ଯେତେ ଠୋ କରି ଲଗେଇ ଦେଲେ ମୋ ଗଳାରେ । " ବୋଉ........ଲୋ " , କହି ଛାଡି ଦେଲି ହାତକୁ । କି ଚାପୁଡ଼ା ।ମୋ କାନ ମୁଣ୍ଡା ଝାଉଁ ଝାଉଁ କରି ଦେଉଥାଏ ।
ଆଖି ଖୋଲିଲି, ସାନ ଭଉଣୀ ବତିଶ ଦେଖେଇ ହସୁଛି ।ବୋଉ ଟିକେ ଦୂରରେ ଠିଆ ହୋଇ ହାତକୁ ଛାଟୁଛି । ବଡ ଭଉଣୀ ନିଜର ଭ୍ରୂଲତାକୁ ମଥା ଉପରେ ରଖି , ଆଜୀବ ଚିଜ ଦେଖିଲା ଭଳି ଚାହିଁଛି । ମୁଁ କେଉଁଠି ? ଚାହିଁଲି ସକାଳ ହେଲାଣି । ବୋଉ ର ହାତ କୁ ସେ ଝିଅର ହାତ ଭାବି ଧରିଥିଲି ତାହେଲେ । ରାଧେ ମଉସା ବି ମୋ ବୋଉ ଥିଲା । ଏତିକି ଜୋରେ କୋଉ ପୁଅକୁ କିଏ ମାରେ । ଗାଲକୁ ଧରି ଉଠି ବସିଲି । ବୋଉ ହାତକୁ ଆଉଁଷି ଆଉଁଷି ସେଠାରୁ ବାହାରି ଗଲା । ବଡ ଭଉଣୀ ପାଖକୁ ଲାଗିଆସି କହୁଥିଲା " କେବେଠୁ ବୋଉ ଡାକୁଛି..... ବିଜୁ... ବିଜୁ ଉଠୁ, ତୁ କଣ ଜାଣି ପାରୁନଥିଲୁ । ଏ କାହା ଠାରୁ ଅଲଗା ନହେବାକୁ କହୁଥିଲୁ ଶୁଣେ ? ବୋଉ ହାତକୁ ଆଉ ରଖିଛୁ ।
ଯାଆ ଜଲ୍ଦି ଉଠୁ, ସେ ରାଧେ ମଉସାଙ୍କ ସାନ ଝିଅ ଆସିଛି । ତାର କଣ ଗଣିତ କିଛି ବୁଝିବାର ଅଛି |
ଅପା ର ଏ ଶେଷ ଦୁଇ ଧାଡି କଥା ମୋ ଜୀବନର ଧାଡି ଆରମ୍ଭ ଭଳି ଲାଗୁଥିଲା । କୁହାଯାଏ ପାହାନ୍ତା ସ୍ୱପ୍ନ ସତ ହୁଏ । ଓଠରେ ହସ ଥିଲା । କିନ୍ତୁ ହୃଦୟ ଗତି ସେଇ ପ୍ରଖର ଥିଲା ।