Arabinda Rath

Comedy

4.7  

Arabinda Rath

Comedy

ଆଶୁକବି

ଆଶୁକବି

10 mins
582


ସହରରୁ ଆସିଥିବା ନିମନ୍ତ୍ରଣ ପତ୍ରଟିକୁ ଛାତିରେ ଧରି ଆଗ ବହେ ନାଚିଗଲେ ଚଣ୍ଟିଆ ମହାନ୍ତି। ଏତେବର୍ଷର କଲମଘୋରା ପରିଶ୍ରମର ଫଳ ତାଙ୍କୁ ମିଳିବାକୁ ଯାଉଛି। ସହରରେ "ସର୍ବନାଶିଆ ସାହିତ୍ଯ ସଂସଦ"ର ବାର୍ଷିକ ଉତ୍ସବରେ ରାଜ୍ଯର ବଛାବଛା କବି ମାନଙ୍କ ମଧ୍ଯରେ ଏକ ଘମାଘୋଟିଆ କବିତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ବିଜୟୀ ପ୍ରତିଯୋଗୀଙ୍କୁ ଟଙ୍କା ପାଞ୍ଚହଜାର ସାଙ୍ଗକୁ ମାନପତ୍ରରେ ଭୂଷିତ କରାଯିବ। ଥରେ ସେ ପ୍ରତିଯୋଗିତାରେ ଜିତିଗଲେ ତେଣିକି ଆଉ ଚିନ୍ତା ନାହିଁ। ପ୍ରକାଶକ ମାନେ ଘର ସାମନାରେ ଜିଭ ଲହଲହ କରି ଧାଡି ବାନ୍ଧି ଛିଡାହେବେ। ଏପରିକି ତାଙ୍କ ଦରଲେଖା କବିତା ମାନଙ୍କୁ ବହିରେ ଛପେଇ ଦେବାପାଇଁ କଳି ତକରାଳ କରିବେ। ସେ ବସୁଥିବା ଭଙ୍ଗାଦଦରା ତାରଭିଡା ପ୍ଲାଷ୍ଟିକ ଚେୟାର ଖଣ୍ଡକ ସ୍ଥାନରେ ଫୁଲା ପାଉଁରୁଟି ପରି ଗଦି ବିଶିଷ୍ଟ ଘିରିଘିରି ବୁଲୁଥିବା ଚେୟାର ପଡିବ। ତାଙ୍କ ଟେବୁଲ, ଅର୍ଥାତ୍ ଚାରିଖଣ୍ଡ ବାଉଁଶ ଖୁଣ୍ଟିରେ ପେଟେଇଥିବା ଭଙ୍ଗା କ୍ଯାରମବୋର୍ଡ ଟି ମଧ୍ଯ ବଦଳି ଯିବ। ତା ସ୍ଥାନରେ ପଡିବ ଧୋବ ଫରଫର ମାର୍ବଲ ଗୋଡିଆ, କାଚପିଠିଆ ଏକଦମ୍ ପିଞ୍ଛାଳିଆ ଟେବୁଲଟିଏ। ତା ଉପରେ ଚକମକିଆ ବିଜୁଳିବତୀ ଜାଳି ସେ କବିତା ସବୁ ଚରଚର ଲେଖି ପକେଇବେ। ଗାଁଆରେ ତାଙ୍କୁ ଥଟ୍ଟା ବେହେଲ କରୁଥିବା ନିଉଁଛୁଣିଆ ନିନ୍ଦୁକମାନେ ମୁହଁରେ ମୂଷା ମୁତିଲା ପରି ଭଙ୍ଗୀ କରି ଖାଲି ଯାହା ଜୁଳୁଜୁଳୁ ଦେଖୁଥିବେ। 

      ଆଉ କାହାର କଣ ହେଉ ବା ନ ହେଉ, କିନ୍ତୁ ସେ ପ୍ରତିଯୋଗିତା ଟା ଜିତି ଗଲେ ତାଙ୍କ ସ୍ତ୍ରୀ ଜାମ୍ବବତୀଙ୍କୁ ଜ୍ବର ହୋଇଯିବ। ସେ କବିତା ଲେଖିଲା ବେଳେ ଜାମ୍ବବତୀ ଏମିତି କଟୁକଥା କୁହନ୍ତି ଯେ ଉଡିଗଲା ଚଢେଇ ଚେତାବୁଡି ଖସି ପଡିବ। କାରଣ ଚଣ୍ଟିଆଙ୍କ କବିତ୍ବକୁ ନେଇ ଜାମ୍ବବତୀ ଭୀଷଣ ଅସନ୍ତୁଷ୍ଟ ଥିଲେ। ଚଣ୍ଟିଆ କବିତା ଲେଖିବାକୁ ବସିବା ମାତ୍ରେ ଜାମ୍ବବତୀଙ୍କର ଜଗତଯାକର କାମ ମନେ ପଡିଯାଏ। ଯେମିତି କି

- - - ଘରେ ବୁଢିଆଣୀ ଜାଲ ଭିଡି ଦେଲେଣି, ସେସବୁ ସଫା ନ କରି କବିତା ଲେଖୁଛ? ଲଜ୍ଜା ନାହିଁ ତୁମ ମୁହଁ କୁ ।

- - - ସାନପୁଅଟା ଛେରି ଛେରି ଛାରପୋକ ପରି ଶୁଖି ଗଲାଣି, ତାକୁ ଡାକ୍ତରଖାନା ନ ନେଇ ନିଆଁଲଗା ପ୍ରେମ କବିତା ଲେଖୁଛ! ଛିଃ ଛିଃ କେମିତି ବାପ ହୋଇଛ କେଜାଣି?

- - -ମୋ ପାଖରେ ପିନ୍ଧିବା ପାଇଁ ଶାଢୀ ଖଣ୍ଡେ ନାହିଁ, ବାପା ଯାହା ଦେଇଥିଲେ ସେତିକି ପିନ୍ଧିପିନ୍ଧି ଛିଡେଇ ସାରିଲିଣି। ମାଇପ ଦିହରେ ଶାଢୀ ଖଣ୍ଡେ ଘୋଡେଇବାକୁ ଟଙ୍କା ନାହିଁ, ଆଉ ଏ ବାଡିପଶା କବିତା ଲେଖୁଛି। ଏ ଅଲାଜୁକ ଲୋକକୁ ବାହା ହୋଇ ମୋ ଜୀବନ ଟା ଦରସିଝା ଅଲଣା ସନ୍ତୁଳା ପରି ହୋଇଗଲା।

      ବିଚରା ଚଣ୍ଟିଆ, ପାଟିରେ ମଣ୍ଡା ମାଡି ଚୁପଚାପ ବସି ଗାଳି ଶୁଣନ୍ତି। ପାଟିରୁ କିଛି କଥା ଖସି ଗଲେ ତାଙ୍କ ଅବସ୍ଥା ଯେ ପେଡା ଯାଇଥିବା ଆଖୁ ପରି ହୋଇଯିବ ଏକଥା ତାଙ୍କୁ ଭଲରେ ଜଣା। ଜାମ୍ବବତୀଙ୍କ ବାପାମାଆ କାହିଁକି ପତ୍ନୀଙ୍କ ନାମକରଣ ଏପରି କରିଥଲେ ବୋଲି ସେ ବାହାଘରର ଅଳ୍ପ କିଛିଦିନ ଭିତରେ ଜାଣି ପାରିଥିଲେ। ଦିନେ ସାଧାରଣ କଥାକୁ ନେଇ ଦୁଇଜଣଙ୍କ ଭିତରେ ପାଟିତୁଣ୍ଡ ହେବା ସମୟରେ ଜାମ୍ବବତୀ ଚଣ୍ଟିଆଙ୍କୁ ଶୂନ୍ଯେଶୂନ୍ଯେ ଟେକିନେଇ ତଳେ କଚିଦେଲେ। ପିଚାହାଡଟି ତଳେ ଏପରି ଛେଚି ହୋଇଗଲା ଯେ ବିଚରା ପନ୍ଦରଦିନ ଯାଏ ଅଖିଆ ଅପିଆ ରହିଲେ। କାରଣ ଖାଦ୍ଯ ସିନା ସୁରୁଖୁରୁରେ ପାଟିରେ ପଶିଯିବ କିନ୍ତୁ ଅଖାଦ୍ଯ ବାହାରିବା ବାଟଟି ତ ଜାମ୍ବବତୀଙ୍କ ପ୍ରହାରରେ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହୋଇ ଯାଇଥିଲା ବାହାଘରର ଏତେ ବର୍ଷ ପରେ ବି ସେ ଅନେକ ଥର ଜାମ୍ବବତୀଙ୍କ ଦ୍ବାରା ଫିଙ୍ଗାଫୋପଡାର ଶିକାର ହୋଇଛନ୍ତି। କିନ୍ତୁ ତଳେ ଛେଚିହୋଇ ପଡିବା ପୂର୍ବରୁ ଚଣ୍ଟିଆ ନାନା ଅଙ୍ଗଭଙ୍ଗୀ କରି ନିଜର ସମ୍ବେଦନଶୀଳ ଅଙ୍ଗପ୍ରତ୍ଯଙ୍ଗ ମାନଙ୍କୁ ସୁରକ୍ଷିତ ରଖିବାର କଳା ଶିଖିଯାଇଛନ୍ତି। ନିଜର ଝିଣ୍ଟିକାପରି ନଡବଡିଆ ଶରୀରକୁ ହୃଷ୍ଟପୃଷ୍ଟ କରିବାକୁ ମାଛମାଂସ, ନାଲିପାଣି, କାଜୁବାଦାମ ଆଦି କ୍ବିଣ୍ଟାଲ ଦରିଆରେ ଗେଫିବା ପରେ ମଧ୍ଯ ଦେହରେ ଗୋଟିଏ ଗ୍ରାମ ର ମାଂସ ଚଢିନି। ଟିକେ ମୋଟାସୋଟା ହୋଇ ଯାଇଥିଲେ ବୋଧେ ଜାମ୍ବବତୀଙ୍କ ମଲ୍ଲଯୋଦ୍ଧିଆ ପ୍ରହାରରୁ ବଞ୍ଚି ପାରିଥା'ନ୍ତେ।

      ମନରେ ବଢୁଥିବା କୋହ ଓ ଆଖିର ଲୁହ ତାଙ୍କୁ କେବେ କବି କରି ଦେଲା ସେ ଜାଣି ପାରିଲେନି। ତାଙ୍କର ଦୁଇ ତିନୋଟି ଲାଗୁଆ ଶ୍ରୋତାଙ୍କ ମତରେ ସେ ଜଣେ ଅତି ଉଚ୍ଚକୋଟ୍ଟୀର ଦରଦୀ କବି। ତାଙ୍କ କବିତା ରେ ଏତେ ଦରଦ ଅଛି ଯେ ଶ୍ରୋତାଙ୍କ ମୁହଁରେ "ହସକୁରା ଗ୍ଯାସ" ଅର୍ଥାତ୍ "ନାଇଟ୍ରସ୍ ଅକ୍ସାଇଡ"ର ସିଲିଣ୍ଡର ଖୋଲି ଦେବା ପରେ ବି ସେ କାନ୍ଦିବ ହିଁ କାନ୍ଦିବ। ସେହି ମହାନ ଲାଗୁଆ ଶ୍ରୋତା ମାନେ ଚଣ୍ଟିଆଙ୍କ କବିତା ଅନେକ ଥର ପାରାଭାଡି ତଳେ, ଛେଳି ଗୋଠ ଭିତରେ ଓ ମାଛ ମାର୍କେଟ ପାଖ ବିଲେଇ ସଭାସ୍ଥଳରେ ଶୁଣିଛନ୍ତି। କିପରି ତାଙ୍କ କବିତା ଶୁଣି ପଶୁପକ୍ଷୀ ଆଦି କାନ୍ଦି ପକାନ୍ତି ବୋଲି ଜଣାଇବା ସହ ନିଜ ଆଖିରୁ ମଧ୍ଯ ଲୁହ ପୋଛନ୍ତି। ଏପରି ଶ୍ରୋତା ପାଇ ନିଜକୁ ଧନ୍ଯ ମଣିବା ସହ ଚଣ୍ଟିଆ କାହାକୁ ରୋହି ମାଛ କେଜିଏ ତ କାହାକୁ ସିଝାଅଣ୍ଡା ପାଞ୍ଚଟା ଉପହାର ସ୍ବରୂପ ଦିଅନ୍ତି। ସେ କବିତା ପଢିବାକୁ ସହର ଯାଉଛନ୍ତି ଶୁଣି ସେମାନେ କେତେ ଖୁସି ହୋଇଯିବେ ଭାବି ଚଣ୍ଟିଆଙ୍କ ମନ ଉତଫୁଲିତ ହୋଇ ଉଠିଲା।

   ଗୁହାଳ ଭିତରେ ଲୁଚାଇ ରଖିଥିବା କବିତା ଭିତରୁ କିଛି କବିତା ନିଜ ସାଙ୍ଗରେ ନେଇ ସହର ଯିବାକୁ ଭାବିଲେ। ସ୍ବରଚିତ ଶତାଧିକ କବିତା ମଧ୍ଯରୁ " କାଣ୍ଡେଇ ମାଇପ ମୁହଁରେ ନିଆଁ,” " ପ୍ରେମ ଭାଙ୍ଗିଦେଲା ପଞ୍ଜରାହାଡ", " ଝାଡାତୁଠରେ ପ୍ରେମ”, "ବାହୁବଳୀ ପ୍ରିୟତମା , " ସପ୍ତଫେଣିଆ ବିଭାଘର”, " କର ପ୍ରେମ ନିଅ ନାମ”, "ସାଜିଲି କାଙ୍ଗାଳ ପ୍ରେମିକା ପାଇଁ ”, “ନିଜେ ଚଢିଲି ବାହାବେଦୀ, କେ ଅଛି ମୋର ପ୍ରତିବାଦୀ”ଆଦି କବିତା ତାଙ୍କୁ କାଳଜୟୀ ସୃଷ୍ଟି ପରି ଲାଗିଲା। ସେତକ ସଜେଇ ପକେଟରେ ପୁରାଇବା ସମୟରେ ଗୁହାଳଟି ଥରିଗଲା ଜାମ୍ବବତୀଙ୍କ ଭୟାନକ " କିହୋ ମୁନାର ବାପା ଟିକେ ଏ ଆଡକୁ ଆସିଲ“ ଡାକରେ। ନସରପସର ହୋଇ ସେ ଜାମ୍ବବତୀଙ୍କ ପାଖକୁ ମୁଣ୍ଡ ନୁଆଁଇ ଗଲେ। ଜାମ୍ବବତୀ ତାଙ୍କ ଘଡଘଡିଆ ପଥୁରିଆ ସ୍ବରରେ କହିଲେ

- - କିଛି କାମଧନ୍ଦା ନାହିଁ ନା କଣ? ସେ ଗୁହାଳ ରେ ପଶି କବିତା ଲେଖା ଚାଲିଥିଲା କି ? କେତେଥର କହିଲିଣି ମୋ ସିଲେଇ ସେମିନ ଟା ସଜାଡିବା ପାଇଁ? ତୁମେ ବଞ୍ଚିଥିଲା ବେଳେ ତାକୁ ସଜାଡି ପାରିବ ନା, ମୁଁ ଅଲଗା ଲୋକ ଦେଖିବି।

- - ସଜାଡି ଦେବି ଯେ.....କିନ୍ତୁ ସେଥିପାଇଁ ସହର ଯାଇ ଦିନେ ରହିବାକୁ ହେବ। ଯଦି କହିବ ମୁଁ ଏହି ସାଙ୍ଗେସାଙ୍ଗେ ଚାଲିଯିବି। ଆଗ୍ରହ ସହକାରେ କହିଲେ ଚେଣ୍ଟିଆ।

- - କାଇଁ ସହର ଯିବାକୁ ଏତେ ମନ ମ!!! - - କଣ ମୋ ସଉତୁଣୀ କୁ ସହର ରେ ରଖିଛ ନା କଣ!? ସହର ଯିବା ନାଁଆ ଶୁଣି ତୁମ ଆଖି ଯୋଡିକ ତ ବିରାଡିଆଖି ପରି ଝଲକି ଉଠୁଛି।

- - - ସଉତୁଣୀ !!!! ଜଣକୁ ବାହା ହୋଇ ମୋ ଅବସ୍ଥା ଯାହା ହେଲାଣି, ସାତ ଜନମ ରେ ମୁଁ ବାହା ହେବାକୁ ସାହାସ କରିବିନି, ଆଉ ଇଏ କହୁଛି ସଉତୁଣୀ। ଥୁଃ ଉଉଉ , ମୁହଁରେ ମିଥୁନ ଚକ୍ରବର୍ତ୍ତୀ ପରି ଦେବି ଏକ୍ ଖୁନ୍ଦା ଯେ ଜାମ୍ବବତୀ ରୁ ଆମ୍ବବତୀ ହୋଇଯିବୁ। ମନେମନେ ଗୁଣୁଗୁଣୁ ହୋଇ କହିଲେ ଚଣ୍ଟିଆ।

- - କଣ ମାଛି ପରି ଗୁଣୁଗୁଣୁ ହେଉଛ, ସାଙ୍ଗେସାଙ୍ଗେ ଯାଇ ମୋ ମେସିନ ସଜାଡି ଆଣ। ସହରରେ ରହିବାକୁ ପଡିଲେ କୌଣସି ଧର୍ମଶାଳାରେ ମୁଣ୍ଡ ଗୁଞ୍ଜିଦେବ। ସେ ହୋଟେଲ ଫୋଟେଲରେ ରହିଲେ ମାରିକି ଟାଙ୍କ ଛୋଟା କରିଦେବି।

      ଜାମ୍ବବତୀଙ୍କ କଥା ସରିବା ପୂର୍ବରୁ ଚଣ୍ଟିଆ ରାସ୍ତା ଉପରେ ହଳେ ପ୍ଯାଣ୍ଟସାର୍ଟ ଓ ସିଲେଇ ମେସିନ କାଖରେ ଜାକି ଲମ୍ବା ପାହୁଣ୍ଡ ପକେଇ ଚାଲିବା ଆରମ୍ଭ କରି ସାରିଥିଲେ। 

   ନିମନ୍ତ୍ରଣ ପତ୍ର ଅନୁସାରେ କବି ମାନଙ୍କର ରହିବାର ଆୟୋଜନ ଟା ହୋଟେଲ "କାନ୍ଦବୋବାଳି" ରେ କରା ଯାଇଥିଲା। ହୋଟେଲର ନାମଟା ବଡ ଅଖାଡୁଆ ଶୁଭୁଥିଲେ ବି ସେଇଟା କୁଆଡେ ସହରର ଏକ ନାମୀଦାମୀ ହୋଟେଲ। ଜଣା ପଡୁଥିଲା ଆୟୋଜକ ମାନେ ବେଶ୍ ଥିଲାବାଲା ଲୋକ। ନୋହିଲେ ଏ ଛାର କବି ମାନଙ୍କ ପାଇଁ ଏମିତି ନାମୀ ହୋଟେଲ ଯୋଗାଡ କରିବା ଟା କଣ କମ ବଡ କଥା! ! ବୁଝାବୁଝି କରି ଜାଣିଲେ ଯେ ତହିଁ ଆରଦିନ ସକାଳ ନଅ ଟା' ରେ ପ୍ରତିଯୋଗିତା ହେବ "ସର୍ବନାଶିଆ ସାହିତ୍ଯ ସଂସଦର" ଅଫିସରେ। ହୋଟେଲରୁ ସେଠାକୁ ନେବାକୁ ଅଟୋରିକ୍ସାର ଆୟୋଜନ ବି ହୋଇଛି। ଦିନ ଗୋଟାଏ ସୁଦ୍ଧା ବିଜୟୀ ପ୍ରତିଯୋଗୀଙ୍କ ନାମ ଘୋଷଣା ହେବ ଓ ତା ପରେ ପୁରସ୍କାର ବିତରଣ- - ଶେଷରେ ପ୍ରୀତିଭୋଜନ। ଚଣ୍ଟିଆ ମନେମନେ ହିସାବ କରିନେଲେ ଯେ ଦିନ ତିନି ଟା' ସୁଦ୍ଧା ପୁରସ୍କାର ଓ ସିଲେଇ ମେସିନ ଧରି ସେ ଘରେ ପହଞ୍ଚିଯିବେ। ହୋଟେଲ ପିଲାଟା ଚଣ୍ଟିଆଙ୍କୁ ତାଙ୍କ ରୁମ ଦେଖାଇବାକୁ ଟାଣିନେଲା। ରୁମ୍ ରେ ପହଞ୍ଚି ତାଙ୍କ ମନଟା ଖୁସିରେ ଖଲଖଲ ହୋଇଗଲା। କି ସୁନ୍ଦର ଧୋବ ଫରଫର ଚଦର ଖଟରେ ବିଛାଡି ହୋଇ ପଡିଛି, ତକିଆ ଦୁଇଟି ପେଟ ଫୁଲାଇ ମୁହଁ ମାଡି ପଡିଛନ୍ତି। ଏକ ସୁନ୍ଦରିଆ ଚାଦରକୁ ସିଙ୍ଗଡା ପରି ତିନିକୋଣିଆ କରି ସଜାଇ ରଖାଯାଇଛି, ରାତିରେ ଘୋଡେଇ ହେବା କାମରେ ଆସିବ। ପାଣିଭର୍ତ୍ତି ପ୍ଲାଷ୍ଟିକ ଜାର ପାଖକୁ କାଚଗିଲାସ ଯୋଡିଏ ମୁହିଁ ମାଡି ବସିଥା'ନ୍ତି ଓ ଏକ ସାନଟେବୁଲ ଉପରେ ଖବର କାଗଜ ଓ ଦୁଇ ତିନିଟା ପତ୍ରିକା ସଜେଇ ହୋଇ ବସିଥା'ନ୍ତି। ଚଣ୍ଟିଆଙ୍କ ମନରେ କ୍ଷଣକ ପାଇଁ ଭାବାନ୍ତର ହେଲା ; ଭାବିଲେ ଯଦି ତାଙ୍କ ଶୋଇବାଘରଟା ଏମିତି ରୂପରେ ଥା'ନ୍ତା ଏତେ ବେଳକୁ ସେ ମହାଭାରତ ପରି ଦଶ ବାରଟା ମହାଗ୍ରନ୍ଥ ରଚନା କରି ସାରନ୍ତେଣି। ଭାବନାରାଜ୍ଯରେ ଜାମ୍ବବତୀଙ୍କ ବେଦନିଆ ମୁହଁର ଝଲକ ଖେଳିଯିବା କ୍ଷଣି ସେ ପ୍ରକୃତ୍ତିସ୍ଥ ହୋଇ ହୋଟେଲ ପିଲାଟି ଆଡକୁ ଦେଖିଲେ। ପିଲାଟା ଅନବରତ କାନ ଉପର କୁଣ୍ଡାଇ ମନ୍ଦମନ୍ଦ ହସି ଚାଲିଛି। ସେ ଭାବିଲେ ପିଲାଟାର କାନ ଉପରେ କାଛୁକୁଣ୍ଡିଆ ହୋଇଛି ବୋଧେ, ନହେଲେ ବୁଲା କୁକୁରଙ୍କ ପରି କାନ କୁଣ୍ଡାଉଛି କାହିଁକି ।

   ସେତିକି ବେଳକୁ ପିଲାଟି କହିଲା - - ସାରେ, ଟିକେ ଖର୍ଚ୍ଚପାଣି ଦେବେନି? ହାଲୁକା ଶୀତ ପଡି ଆସିଲାଣି, ଚକ୍ ଖଡି ଖଣ୍ଡେ ଟାଣିବା ପାଇଁ ପଇସା ଦିଅନ୍ତୁ। ପିଲାର ବ୍ଯବହାରରେ ଅତ୍ଯନ୍ତ ପ୍ରୀତ ହୋଇ ଚଣ୍ଟିଆ କୋଡିଏ ଟଙ୍କିଆ ନୋଟ ବଢେଇ ଦେଇ କହିଲେ- - ଆରେ ପିଲା, ଯାଆ ମନ ଖୁସିରେ ଚକଖଡି ଟାଣି ବାକି ପଇସା ରେ ସଫଳ ଚୋବେଇଦେବୁ। ସେ ପିଲାଟି ଖୁସି ହୋଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବା ଶୈଳୀରେ କହିଲା

- - ଆଜ୍ଞା, ରାତି ଆଠଟାରେ ଖାଇବା ପାଇଁ ହୋଟେଲର ଡାଇନିଂ ହଲକୁ ଚାଲି ଆସିବେ। ଆପଣଙ୍କ ରୁମ୍ ରେ ଆଉ ଜଣେ କବି ରହିବେ, ସେ କାଇଁ ଏତେବେଳ ଯାଏ ଆସି ନାହାଁନ୍ତି। ନ ଆସିଲେ ଆପଣ ଆରାମରେ ଗୋଡହାତ ଫାଡି ଶୋଇବେ, ସେ ଆସିଗଲେ ଟିକେ ଅସୁବିଧା ହେବ। କିନ୍ତୁ ଆପଣ ତ ଏତେ ଭଲଲୋକ, ସବୁ କିଛି ଚଳାଇ ନେଇପାରିବେ। ସକାଳ ଆଠ ଟା ସୁଦ୍ଧା କାଉଣ୍ଟର ପାଖକୁ ଚାଲି ଆସିବେ। ଆଠ ଟା ପନ୍ଦରରେ ଗାଡି ଆପଣଙ୍କ ସଭାସ୍ଥାନକୁ ବାହାରିଯିବ। ସହରରେ ଭୀଷଣ ଗହଳି ତ, ଆଗରୁ ନ ଗଲେ ପହଞ୍ଚି ପାରିବେନି। ଗୋଟେ ନିଶ୍ବାସରେ ସବୁ କହିସାରି ପିଲାଟି ଦଣ୍ଡବତ ଠୁଙ୍କି ସେ ସ୍ଥାନରୁ ଚାଲିଗଲା।

      ଚଣ୍ଟିଆ ସିଲେଇ ମେସିନ ସଜାଡିବାକୁ ଦେଇସାରି ହୋଟେଲ କୁ ଫେରି ଆସି ନିଜକୁ ପ୍ରସ୍ତୁତ କରିବାରେ ଲାଗିଗଲେ। ତାଙ୍କ କବିତା ମାନଙ୍କ ମଧ୍ଯରୁ “ ସାଜିଲି କାଙ୍ଗାଳ ପ୍ରେମିକାପାଇଁ” କବିତା ଟି ପ୍ରତିଯୋଗିତା ପାଇଁ ସର୍ବୋତ୍ତମ ମନେହେଲା। ତେଣୁ ସେ ନାନା ଅଙ୍ଗଭଙ୍ଗୀ କରି ତାକୁ ଆବୃତ୍ତି କରିବାରେ ଲାଗିଗଲେ। କବାଟରେ ଠକଠକ ଶବ୍ଦ ଶୁଣି ଖୋଲି ଦେଖିଲା ବେଳକୁ ସେ ହୋଟେଲ ପିଲା ଜଣେ ପ୍ରୌଢ ବ୍ଯକ୍ତିଙ୍କୁ ସାଙ୍ଗରେ ଧରି ଛିଡା ହୋଇଛି।

- - ସାରେ, ଏ ବାବୁ ଆପଣଙ୍କ ସହିତ ଏ ରୁମ୍ ରେ ରହିବେ। ଖାଇବା ସମୟ ତ ହୋଇ ଗଲାଣି। ଆପଣ ଦୁଇଜଣ ଶୀଘ୍ର ତଳକୁ ଚାଲି ଆସନ୍ତୁ।

 ପୁଣି ସେ ପିଲାଟି କାନ କୁଣ୍ଡାଇବା ଆରମ୍ଭ କରିବା ମାତ୍ରେ ପ୍ରୌଢଲୋକଟି ତା ହାତ କୁ ପଚାଶ ଟଙ୍କିଆ ନୋଟ ବଢେଇଦେଇ ବିଦାୟ ଦେଲା।

- - ହୋଟେଲ ରେଜିଷ୍ଟରରୁ ତୁମ ନାମଟା ଦେଖିଲି, ଯାହା ହେଉ ଏତେ କମ୍ ବୟସରୁ କବି ହୋଇଗଲଣି। ମୁଁ ଆଶୁକବି ମର୍ଦ୍ଦରାଜ ଚମ୍ପତ୍ତିରାୟ, ସାହିତ୍ଯ ଜଗତରେ ମୋତେ ସଭିଏଁ ଚିହ୍ନନ୍ତି। ବର୍ଷସାରା ମୁଁ ବିଭିନ୍ନ ପ୍ରତିଯୋଗିତା ଓ ସାହିତ୍ଯସଭାରେ ଯୋଗଦାନ କରେ। ତୁମ ପରି ନୂଆ କଲମ ଧରୁଥିବା କବିମାନେ ମୋ ସହ କଥା ଟିକେ ହେବା ପାଇଁ ବିକଳ ହୋଇ ଯାଆନ୍ତି। ତୁମ ପରମ ସୌଭାଗ୍ଯ, ତୁମେ ମୋ ସହ ଆଜି ରହିବାର ସୁଯୋଗ ପାଇଛ। କଥାରେ ଅଛି ମହାପୁରୁଷ ମାନଙ୍କର ଉପସ୍ଥିତି ହିଁ ଯଥେଷ୍ଟ, ନିର୍ଜୀବ ବସ୍ତୁ ଦେହରେ ପ୍ରାଣସଞ୍ଚାର କରିବା ପାଇଁ। ମୋ ଦେହରୁ ବାହରୁଥିବା କବିତ୍ବର ଧାସରେ ତୁମର ବି କିଛି ଉନ୍ନତି ନିହାତି ହୋଇଯିବ। କିନ୍ତୁ ମୋ ମନଟା ଭୀଷଣ ଦୁଃଖ, କାରଣ ତୁମପରି ଅନଭିଜ୍ଞ କବି ମାନଙ୍କ ସହ ମୋ ପରି ମହାନକବି କୁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ହେବ। ପୁରସ୍କାର ଟା ମୋ ନାମ ରେ ଲେଖା ବୋଲି ଆଜିଠାରୁ ଜାଣି ନିଅ, କାଲି ସେ ସ୍ଥାନରେ ବେଶି କାନ୍ଦ ବୋବା ନ କରି ଘରକୁ ଚାଲିଯିବ।

   ଗର୍ବରେ ଫାଟି ପଡିବା ଭଙ୍ଗୀରେ ସେ ଲୋକଟି ଚଣ୍ଟିଆଙ୍କ ଉଦ୍ଦେଶ୍ଯରେ ଭାଷଣ ଝାଡି ଉତ୍ତର ଅପେକ୍ଷାରେ ରହିଲା। ତା ହାବଭାବ ଦେଖି ଚଣ୍ଟିଆଙ୍କ ମନଟା ଦବି ଗଲା । ଲୋକଟାର ନାଁଆ ଯେତିକି ବଡ, କଥା ସବୁ ବି ସେମିତି ବାହାସ୍ଫୋଟିଆ। ଫିଙ୍ଗିଦେଲା ପରି ପ୍ରଣାମ ପକାଇ, ଚଣ୍ଟିଆ ତାଙ୍କୁ ଖାଇବାକୁ ଯିବାକୁ କହିଲେ। ଡାଇନିଂହଲ୍ ରେ ମର୍ଦ୍ଦରାଜ ଅନ୍ଯ କବି ମାନଙ୍କ ସାମନାରେ ଅନୁରୂପ ଢଙ୍ଗରେ ଫୁଟାଣି ମାରିବାରେ ବ୍ଯସ୍ତ ରହିଲେ। କିଛି ତରୁଣ କବିଙ୍କୁ ଘୋଷାଡି ଆଣି ତାଙ୍କ ଟିପାଖାତାରେ ଅଟୋଗ୍ରାଫ୍ ଦେଇ ପକାଇଲେ। ଖୁବ୍ କମ୍ ସମୟ ମଧ୍ଯରେ ସେ ନିଜର ଅଦୃଶ୍ଯ ଆଧିପତ୍ଯତା ବିସ୍ତାର କରାଇବାରେ ସଫଳ ମଧ୍ଯ ହୋଇଗଲେ। ଗପସପ ସାରି ନାକ ଯାଏ ଚୁଣ୍ଟିଲା ପରି ଖାଇ ଚାଲିଲେ। ଶେଷରେ ବାଢିବା ଲୋକ ମଧ୍ଯ କହିଲା- - ଆଜ୍ଞା, ଆପଣ ଯଦି ଏମିତି ତେଣ୍ଡି ଚାଲିବେ, ଆମ "କାନ୍ଦବୋବାଳି" ହୋଟେଲରେ କାନ୍ଦବୋବାଳି ପଡି ଯିବ ଯେ। ଦୟା ପରବଶ ହୋଇ ମର୍ଦ୍ଦରାଜେ ଖାଇବା ସ୍ଥାନ ପରିତ୍ଯାଗ କରି ଚଣ୍ଟିଆଙ୍କ ସାଙ୍ଗରେ ରୁମ ଅଭିମୁଖେ ବାହାରିଲେ। ମର୍ଦ୍ଦରାଜେ ଚଣ୍ଟିଆଙ୍କୁ ହେୟଜ୍ଞାନ କରିବା ଆରମ୍ଭ କରିଦେଇଥିଲେ, ପ୍ରାଣକୁ ବାଧୁଥିଲେ ବି ନିରୁପାୟ ଥିଲେ ସେ। ରାତି ଅଧରେ କୁଆଡେ ବା ଯିବେ।

   ଖଟ ଉପରେ କ୍ବିଣ୍ଟାଲିଆ ଶରୀରକୁ ବିଛାଡି ଦେଇ ମର୍ଦ୍ଦରାଜେ ଶୋଇବାର ଉପକ୍ରମ କଲେ। ଧିର ସ୍ବରରେ ଚଣ୍ଟିଆ ପଚାରିଲେ - - ଆଜ୍ଞା, କାଲି ପାଇଁ ପ୍ରସ୍ତୁତି କରିବେନି?

- - ହାଃ ହାଃ ପ୍ରସ୍ତୁତି, ପୁଣି ମୁଁ ! ମୁଁ ପରା ଆଶୁ କବି। ପାଟି ଖୋଲିଦେଲେ କବିତା ଗୁଡାକ ଲାଳ ପରି ବୋହିଯିବ। କବିତା ରଚନା ପାଇଁ ମୋ ମସ୍ତିଷ୍କ ଉପରେ କେବେ ଚାପ ପଡେନି। ଠିକ୍ ଜାଗାରେ ସେମାନେ ଝରଝର ହୋଇ ପାଟିରୁ ବୋହି ଚାଲିବେ। ତୁମେ ନୂଆ ପିଲା, ପରିଶ୍ରମ କର। କିନ୍ତୁ, ମୁଁ ଭାବୁଛି ଯେ ତୁମେ ହାରିବ ବୋଲି ଜାଣି ତ ସାରିଲଣି, ତେଣୁ ପରିଶ୍ରମ ନ କରି ଜାକିଜୁକି ହୋଇ ଶୋଇପଡ। ଏତିକି କହି ମୋବାଇଲରେ ଟୁକୁରୁ ଟାକୁରୁ ଆରମ୍ଭ କରିଦେଲେ ମର୍ଦ୍ଦରାଜେ।

   କାଳେ ଖଟରେ ଜାଗା ମିଳିବନି ବୋଲି ଭାବି ଚଣ୍ଟିଆ ଖଟ ଉପରେ ଗଡିବା ଆରମ୍ଭ କଲେ। ମନ ତାଙ୍କର ଭୀଷଣ ଅଶାନ୍ତ ଥାଏ। ଦୁର୍ଯୋଗ କୁ ଏମିତି ନିଉଛୁଣିଆ ଲୋକଟା ସହ ତାଙ୍କୁ ଗୋଟେ ଖଟରେ ଗୋଟିଏ ଚାଦର ଘୋଡେଇ ଶୋଇବାକୁ ହେବ। ଶୀତ ଟିକେ ପଡି ସାରିଥିଲା, ନ ହେଲେ ଚାଦର କୁ କିଏ ପଚାରି ଥା'ନ୍ତା। ଅଳ୍ପ ସମୟ ମଧ୍ଯରେ ମର୍ଦ୍ଦରାଜେ ଘୁଙ୍ଗୁଡି ମାରିଲେ। ଘୁଙ୍ଗୁଡି ନୁହଁ ତ ସେଗୁଡା ନଡିଆ ବୋମା ଫାଟିବା ପରି ଶୁଭୁଥିଲା। ବିଚରା ଚଣ୍ଟିଆଙ୍କ ହାତରୁ କବିତା ଲେଖାକାଗଜ ସେ ଘୁଙ୍ଗୁଡି ନାଦରେ ଖସି ପଡୁଥିଲା। ତଥାପି ସେ କବିତା କୁ ମୁଖସ୍ଥ କରିବାରେ ମନପ୍ରାଣ ଦେଇ ଲାଗି ପଡିଥିଲେ। କିଛିି ସମୟ ପରେ ଟୁଁ ଉ ଉ ଉ ଶବ୍ଦ ଶୁଭିଲା। ସେ ଚମକି ଚାରି ଆଡକୁ ଦେଖିବା ବେଳକୁ ମର୍ଦ୍ଦରାଜେ ଗିଲାସରୁ ପାଣି ପିଉପିଉ କହିଲେ - - କଣ କିଛି ଶୁଭିଲା କି? ମୋ ମୋବାଇଲରେ ମେସେଜ୍ ଆସିବାର ଶବ୍ଦ ସେଇଟା। ସାରା ରାତି ଏମିତି କେତେ ମେସେଜ୍ ଆସିବ। ତୁମେ ଜମା ଡରିବନି। ଏତିକି କହି ସେ ପୁଣି ଗଭୀର ନିଦରେ ଶୋଇପଡିଲେ।

      ଗୋଟିଏ ପଟେ ଘୋର ଘର୍ଘର ନାଦରେ ଘୁଙ୍ଗୁଡି ଓ ଅନ୍ଯ ପଟେ  ଟିଂ... ଟୁଂ... ପୁଁଃ ଉ ଉ ଉ....ଠିସ୍ ଠିସ୍ ଠାଃ.....ଟୁସୁକ୍ ଟୁସୁକ୍......କୁଁ ଉଉଉଉଉ …..ଫିିଟ୍ ଫିଟ୍ ଫିଟ୍ … ସୁଉଉଉଉଉଉ ସଟାକ୍ ସଟାକ୍ ଆଦି ଧ୍ବନିରେ ଚଣ୍ଟିଆଙ୍କ ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲେ। ସେ ବୁଝି ପାରିଲେନି ମର୍ଦ୍ଦରାଜେଙ୍କ ମୋବାଇଲରେ ଏତେ ମେସେଜ୍ କିଏ ଦେଉଛି। ହଁ ହେଇଥିବ, ଏତେ ବଡ କବି ଯେତେବେଳେ, ଲୋକେ ମେସେଜ୍ ଛାଡୁଥିବେ। ସେ ଦେଖିଲେ ମର୍ଦ୍ଦରାଜେ ଘମ ପରି ପେଟଟିକୁ ଫୁଲାଇ ଚାଦର ନ ଘୋଡେଇ ଶୋଇଛନ୍ତି। ସୁବର୍ଣ୍ଣ ସୁଯୋଗ ହାତଛଡା ନ କରି ଚଣ୍ଟିଆ ଚାଦରକୁ ଆପାଦମସ୍ତକ ଘୋଡାଇ ତା ଭିତରେ ନିଜକୁ ଲୁଚାଇ ରଖିଲେ। କେତେବେଳେ ସେ ଶୋଇପଡିଲେ ନିଜେ ମଧ୍ଯ ଜାଣି ପାରିଲେନି।

   ସ୍ବପ୍ନରେ ଦେଖିଲେ, ହାତରେ ପ୍ରଥମ ପୁରସ୍କାର ଧରି ସେ ମନ ଖୁସିରେ ରାସ୍ତା ରେ ଦୌଡି ଚାଲିଛନ୍ତି। ହଠାତ୍ ସାମନାରେ ମର୍ଦ୍ଦରାଜଙ୍କର ଆବିର୍ଭାବ ହେଲା ଓ ସେ ତାଙ୍କ ହାତରୁ ପୁରସ୍କାର ଛଡାଇବାରେ ଲାଗିଗଲେ। ଅନେକ ପ୍ରତିରୋଧ ପରେ ମଧ୍ଯ ମର୍ଦ୍ଦରାଜେ ତାଙ୍କୁ ଛାଡୁ ନ ଥା'ନ୍ତି। ଶେଷରେ ଚଣ୍ଟିଆଙ୍କ ବେକରେ ମସ୍ତବଡ ଧକ୍କିଆ ମାରି ମର୍ଦ୍ଦରାଜେ ପୁରସ୍କାର ଟି ଛଡାଇନେଲେ। ବିଚରା ଚଣ୍ଟିଆ ନିଜକୁ ଆବିଷ୍କାର କଲେ ଏକ ପାଇଖାନା ଟାଙ୍କି ଭିତରେ। ଚାରି ପଟରେ କେବଳ ମଣିଷ ବିଷ୍ଟାର ପଚପଚିଆ କାଦୁଅା ସ୍ତୁପ.. ତା ଭିତରେ ସେ ପହଁରି ଚାଲିଥିଲେ. . .ଓଃ କି ଦୁର୍ଗନ୍ଧ....ବାନ୍ତି ଉଠାଇ ଆଣୁଥିଲା । ଭୟରେ ତାଙ୍କ ଆଖି ଖୋଲିଗଲା। ଦେଖିଲା ବେଳକୁ ଚାଦର ଭିତରେ ମର୍ଦ୍ଦରାଜଙ୍କ ନିତମ୍ବ ପ୍ରବେଶ କରି ସାରିଥିଲା ଓ ସେ ଅନବରତ ଭୟଙ୍କର ଦୁର୍ଗନ୍ଧ ବିଶିଷ୍ଟ ବାୟୁ ଛାଡି ଚାଲିଥିଲେ। ଯେହେତୁ ଚଣ୍ଟିଆ ମୁହଁ ପର୍ଯ୍ଯନ୍ତ ଚାଦରଟି ଘୋଡାଇ ଶୋଇଥିଲେ, ସେ ଦୁର୍ଗନ୍ଧିଆ ବାୟୁ ନାକପୁଡା,କାନପୁଡା ଓ ମେଲାପାଟି ଦେଇ ତାଙ୍କ ଶରୀର ମଧ୍ଯକୁ ଅବାଧ ପ୍ରବେଶ ଚଳାଇଥିଲେ ଅନେକ ସମୟ ଧରି। ଗୋଟିଏ ଡିଆଁରେ ସେ ଗାଧୁଆଘରେ ପହଞ୍ଚି ବାନ୍ତି କରି ପକେଇଲେ।

   ସେ କହିଚାଲିଥା'ନ୍ତି ଲୋକଟା ମଣିଷ ନା ପାଡରା ପୋକ ! ମୋବାଇଲରେ ମେସେଜ୍ ଆସୁଛି କହି ହଜାର ଖଣ୍ଡେ ପାଡିଲା, ସେ ଶୋଇ ପଡିବା ପରେ ପୁଣି ପାଞ୍ଚହଜାର ଖଣ୍ଡେ ପାଡି , କାନ ମୁଣ୍ଡ ଭାଁ ଭାଁ କରିଦେଲା। ଲାଗୁଛିି ସତେକି ଘର ଭିତରେ ଦୁର୍ଗନ୍ଧିଆ ବାୟୁର ବହଳିଆ ଆସ୍ତରଣ ପଡିଯାଇଛି। ସେ ଦୁର୍ଗନ୍ଧରେ କାନ୍ଦବୋବାଳି ହୋଟେଲରୁ ପୋକଜୋକ, ମଶାମାଛି ଓ ଝିଟିପିଟି ପରି ଇତର ପ୍ରାଣୀ ସମୂହେ ଧ୍ବଂସ ପାଇ ଯାଇଥିବେ, ଏଥିରେ ସନ୍ଦେହ ନାହିଁ। ଅବସ୍ଥା ଏବେ ଏପରି ଯେ ନିଶ୍ବାସ ପ୍ରଶ୍ବାସ ନେଲା ବେଳକୁ ପାଡ ର ଗନ୍ଧ ଆସୁଛି। ତାଙ୍କ ଇଚ୍ଛା ହେଉଥିଲା ମର୍ଦ୍ଦରାଜ ମୁହଁ ଉପରେ ଯାଇ ଝାଡା ଫେରିଦେବା ପାଇଁ। ଲୋକଟା କି ଅବସ୍ଥା ନ କଲା !! ସେ ଚିନ୍ତାକରୁଥିବା କାର୍ଯ୍ଯଟି କରିବେ ବୋଲି ନିଜକୁ ପ୍ରସ୍ତୁତ କରିବା ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲେଇଦେଲା, ପାଟି ରୁ ଫେଣ ବାହାରି ଆସିଲା ଓ ସେ ଗାଧୁଆଘର ଭିତରେ ଚାରି ଖୁରା ଟେକି ଗଳି ପଡିଲେ। ତହିଁ ଆରଦିନ ସକାଳ ଏଗାରଟାରେ ତାଙ୍କ ଆଖି ଫିଟିଲା ବେଳକୁ ସେ ଗାଧୁଆ ଘରେ ଲୋଚାକୋଚା ହୋଇ ପଡିଥିଲେ।

   ମର୍ଦ୍ଦରାଜେଙ୍କୁ ନ ଦେଖି ସେ ଭାବିଲେ ମର୍ଦ୍ଦରାଜେ ଗାଧେଇ ପାଧେଇ, ଚହଟ ଚିକ୍କଣ ହୋଇ ସାହିତ୍ଯ ସଭାକୁ ଚାଲି ଯାଇଥିବେ। କିନ୍ତୁ ଲୋକଟା ଏତେ ସ୍ବାର୍ଥପର, ତାଙ୍କୁ ଉଦ୍ଧାର କରିବାର ସାମାନ୍ଯତମ ଚେଷ୍ଟା ନ କରି ଚାଲିଗଲା। ସାଷ୍ଟାମ ହେବା ପରେ ଜିନିଷପତ୍ର ଧରି ଗାଁଆକୁ ଫେରିବେ ବୋଲି ବାହାରିବା ବେଳକୁ ତାଙ୍କ କବିତାଲେଖା କାଗଜ ସବୁ ନ ପାଇ ଚଣ୍ଟିଆ ବ୍ଯସ୍ତ ହୋଇ ଉଠିଲେ। ତାଙ୍କ ନଜରରେ ପଡିଲା ଏକ ଚିରିକୁଟି କାଗଜରେ କେଇଧାଡି ଲେଖା । ସେଥିରେ ଲେଖାଥିଲା- -


   ଭୁଲ୍ ବୁଝିବନି ବାବୁ ଚଣ୍ଟିଆ, ଆଶୁକବି ମୁହିଁ ଦିଲଦାରିଆ

   ବାୟୁ ଦୋଷ ମୋତେ କଲା ଘାଇଲା, ସାରା ରାତି ବାଡି କବାଟ ଖୋଲା ।।

   ସକାଳୁ ଛେରିଛି ପଚିଶ ଥର, ଅବସ୍ଥା ମୋହର ବିଚାର କର

   ପାଣି ପରି ବୋହି ଯାଉଛି ଝାଡା, ହୋଇ ମୁଁ ପାରୁନି ଭଲରେ ଛିଡା ।।

   ଡାକ୍ତରଖାନାକୁ ଯାଉଛି ମୁହିଁ, କବି ସମ୍ମିଳନୀ କରିବି ତହିଁ

   ସାଙ୍ଗରେ ନେଉଛି ତୁମ କବିତା, କାନ୍ଦିବନି ଆହେ ମୋ  କବି ଭ୍ରାତା ।।

   କି ଖାଦ୍ଯ ଦେଲା ଏ "କାନ୍ଦ ବୋବାଳି”, ହଗୁଛି ମୁଁ ଖାଲି ଚେଙ୍ଗ ହାବେଳି

   ମନ ଆନନ୍ଦ ରେ ଘରକୁ ଯିବ, ଆଶୁକବି କଥା ପାଶୋରି ଦେବ।।

      ସେ ଗାଧୁଆଘରେ ଅଚେତପଡି ଥିବା ଅବସ୍ଥାରେ, ମର୍ଦ୍ଦରାଜେ ଏତେଥର ଝାଡା ଯାଇଛନ୍ତି ବୋଲି ଜାଣିବା ପରେ ପୁଣିଥରେ ଚଣ୍ଟିଆ ମାଟି କାମୁଡି ଚେତା ହରାଇ ଟଳି ପଡିଲେ। ସେଦିନ "ସର୍ବନାଶିଆ ସାହିତ୍ଯ ସଂସଦ"ର ବାର୍ଷିକ ଉତ୍ସବର କର୍ମକର୍ତ୍ତାଗଣ ଚଣ୍ଟିଆ ଓ ମର୍ଦ୍ଦରାଜ ପରି କବିଙ୍କ ସାନ୍ନିଧ୍ୟ ନ ପାଇ ନିହାତି ମନ ଦୁଃଖ କରିଥିବେ।

             


Rate this content
Log in

Similar oriya story from Comedy