Panchanan Jena

Comedy Romance

2.7  

Panchanan Jena

Comedy Romance

ଘଟି

ଘଟି

14 mins
684


ଛୋଟକାଟିଆ ବଗଦା ଗାଁର ସୁଦର୍ଶନ ବିଶ୍ଵାଳ ଓରଫ ଭାନୁ ବିଶ୍ଵାଳଙ୍କର ଖାଇବା ପିଇବାରେ କୌଣସି ଅସୁବିଧା ନଥିଲା । ସେ ଐତିହାସିକ ଅଧଭୁତିଆ ପଦାର ଐଶାନ୍ୟ କୋଣରେ , ଜଣାଶୁଣା ତାମସା ପୁଷ୍କରିଣୀର ଉପକଣ୍ଠରେ ତଥା ଯାମକୁଣ୍ଡା –ପଞ୍ଚୁପାଲି ଦାଣ୍ଡରାସ୍ତାର ଦକ୍ଷିଣ ପାର୍ଶ୍ଵରେ ଏକ ବିରାଟ ଦ୍ଵିତଳ ଭବନ “ବିଶ୍ଵାଳ ସଦନ “ ନିର୍ମାଣ କରି ତଳ ତାଲା କୌଶିକ ବାନାର୍ଜୀ ନାମକ ଷ୍ଟେଷ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ-ପ୍ରତାପପୁର ଶାଖାର ଉପ –ପ୍ରବନ୍ଧକଙ୍କୁ ମାସିକ ସାତ ହଜାର ଟଙ୍କାରେ ଭଡା ଦେଇଥାନ୍ତି । ଉପର ତାଲାରେ ସପତ୍ନୀକ ଅର୍ଥାତ ପତ୍ନୀ ସୁଲୋଚନା ଦେବୀ ଓରଫ “ସୁଲୁ “ ସହିତ ହସ ଖୁସିରେ ଜୀବନ ଅତିବାହିତ କରୁଥାନ୍ତି ।  ପିଲା –ଝିଲା ବର୍ତ୍ତମାନ ଘରକୁ ଆସି ନଥିଲେ , ଅର୍ଥାତ ବାହାଘର ମାତ୍ର ଦୁଇ ବର୍ଷ ପୂର୍ବରୁ ହୋଇଥାଏ । ଘରେ ମାତ୍ର ଦୁଇ ପ୍ରାଣୀ । ଶାଶୁ –ଶ୍ଵଶୁର ବାହାଘର ପୂର୍ବରୁ ଆର ପାରିରେ । ନଣନ୍ଦ ତାଙ୍କ ଶଂଶାର ନେଇ ବ୍ୟସ୍ତ । ଷୋଳଶା ପାଣ୍ଠରେ କେନାଲ କୂଳିଆ ବାର –ତେର ଏକର ଜମିରୁ ଅତି କମ୍ ରେ ପଚାଶ –ପଞ୍ଚାବନ ପଊଟି ଧାନ ବାର୍ଷିକ ମିଳିଯାଏ । ଖର୍ଚ୍ଚ କହିଲେ କିଛି ନାହିଁ  । ଆୟ କହିଲେ ସବୁ .... ।


    ମାତ୍ର ଗାଁ ଲୋକେ କହନ୍ତି ଭାନୁଆ ବିଶାଳ ସବୁବେଳେ ମୁଣ୍ଡ ଗଡଉଥିବ । ଗିଲକାକୀ-ନାଦୁଆ ଦାସ –ରଜନୀ ଜେନା –ଫତିଆ ପଇଡା –ସଂପଡା ପାତ୍ର –ବେଣୁ ଜେନା –କଟିଆ ବେହେରା –ଯୋଗିଆ ଭାଇ –ବନା ଜେନା –ଏକ ରାଉତ –କଣା ସାହୁ –ନେପାଳି ଦାସ-ଗାଣ୍ଡୁଆ ନାଇକ –ମାଳୀ କାକୀ –ସମସ୍ତଙ୍କୁ ପଚାର । ଜଣ ଜଣ କରି ବୁଝିଆସ । ଏକ ସ୍ଵରରେ ସମସ୍ତେ କହିବେ ଭାନୁଆ ଟା ପୂରା ପେର୍ତ୍ତ, ମହା କଞ୍ଜୁସ –ମକ୍ଷିଚୂଷ  । ସମସ୍ତେ ମୁଖେ ଏକ ବଚନ , ଭାନୁ ବିଶାଳର ନାହିଁ ରତନ ।  ସବୁ ବେଳେ ନାହିଁ ---ନାହିଁ ---ନାହିଁ ।


    ମାତ୍ର ଗୋଟିଏ କଥା ସତ । ଭଲ ଖାଏ । ଭଲ ପିନ୍ଧେ । ବାଟ ଗଲା –ଅଇଲା ଦୁଃଖୀ –ରଙ୍କିଙ୍କୁ ପିଣ୍ଡାରେ ବସାଏ –ପତରପାରି ଖୋଏଇଦିଏ । ମାଗିଲେ ପଇସା ଦବନି । ନେହୁରା ହେଲେ ଭିକ ଦବନି । ବହେ ବକିବ । ଅଳସୁଆ ଗତରକୋଢିଆ ମାଗିଖିଆ କହି ବହେ ସୁଧିବ । ପରନ୍ତୁ ଖାଇବାକୁ ମାଗିଲେ ଖୁସିମନରେ ତାମସା ପୋଖରୀରେ ଜାଲ ପକେଇ ବଡ ପହଣା ଧରିବ , ପାଖରେ ବସେଇ ବାର ତିଅଣ-ତରକାରୀ ତେର ଭଜା –ଝୋଳକରି ବଳକେଇ ବଳକେଇ ଖୁଏଇ ଦେବ । ବିଡି –ପାନ –ତଉକା –ହୁକା –କଳିକି ସବୁ ଯୋଗାଇ ଦେବ । ମତଲବ ଖାଲି ପେଟେ ଖୁଏଇବନି, ଏକଦମ ଶାନ୍ତି-ଉଦରସ୍ଥ ପ୍ରଶାନ୍ତି କରି ଛାଡିବ । ପେଟ ପୂଜା କି ଦେବ ପୂଜା ।


    କାର୍ତ୍ତିକ ମାସର ଶେଷ ବୁଧବାରରେ ଯେତେବେଳେ ବିଶ୍ଵାଳବୁ ବସା ଦହି –ଭୂଜା ବେଳେ ଠୁଙ୍କି , ଧୋତିକୁଞ୍ଚକୁ ପଞ୍ଜାବୀ ପ୍ୟାକେଟରେ ପୁରଉଥିଲେ ସାପ୍ତାହିକ ନୂଆଗାଁ ହାଟକୁ ଯିବେ , ସହସା କୋକିଳକଣ୍ଠୀ ସୁଲୁବେଦୀ ପାନଖିଆ ପାଚିଲା ଦାନ୍ତକୁ ନେଫେଡି ଦେଇ କହି ପକେଇଲେ –“ହଇହୋ ଶୁଣୁଛ ! ମୋତେ ବାର ହଜାର ଟଙ୍କା ଦବ ତ । କାଳୀପଦ ମାର୍କେଟରୁ ସାହୁ ଏଣ୍ଡ ସାହୁ ଜ୍ବେଲର୍ସରୁ ଗୋଟେ କଟକି ମଙ୍ଗଳସୂତ୍ର ଆଣନ୍ତି । ଟିଭି ସିରିଏଲରେ ପାର୍ବତୀ , କୁମକୁମ –ତୁଳସୀ –ରାଜନନ୍ଦିନୀ --- ମାନଙ୍କୁ ଦେଖି ଦେଖି ମୋର ମନ କରୁଛି ଗୋଟେ ତାଙ୍କ ପରିକା ବେକରେ ପକେଇବି । ଶୁଣିଲ ଟି । ”


   ହଠାତ ଯେମିତି ଧୁତିକୁଞ୍ଚକୁ ଧରିଥିବା ହାତ କାମ କରିବାକୁ ଭୁଲିଗଲା । ବିଶ୍ଵାଳବୁ ଧପକିନା କାଠ ଚଉକିରେ ଲଥକରି ବସିପଡିଲେ । କାନମୁଣ୍ଡା ଆଉଁସି ଆଉଁସି ଭାବୁଥିଲେ ---“ ବାର ହଜାର ---ମାନେ ଛଖଣ୍ଡ ଦୁଇ ହଜାରିଆ ନୋଟ , ମାନେ ଚବିଶ ଖଣ୍ଡ ପାଞ୍ଚଶହକିଆ ନୋଟ , ମାନେ ଶହେ କୋଡିଏ ଖଣ୍ଡ ନମ୍ବରୀ ----- ଆଖି ଉଠିବା ଦିନରୁ ଏତେଗୁଡାଏ ଟଙ୍କା ଏକାବେଳକେ ଦେଖିନି --- । ”


ସ୍ବାମୀଙ୍କର ଏତାଦୃଶ ବ୍ୟବହାରରେ ସୁଲୁଦେବୀ ସବୁ ବୁଝିପାରିଲେ । ଟିକିଏ କଁଅଲେଇ ଗେଲ୍ହେହି ମଧୁରିଆ ଗଳାରେ କହିଲେ –“ ଡ଼ରନ୍ତୁ ନାହିଁ । ଆପଣ ଯଦି ଦେବାକୁ ଅସମର୍ଥ ମୁଁ ମୋ ବାପାଙ୍କଠାରୁ ମାଗିନେବି । ”

   ବିଶ୍ଵାଳବୁ ଶ୍ରୀମତିଙ୍କର ଏତାଦୃଶ ବ୍ୟବହାରରେ ମିଠା ପ୍ରହାରରେ ଅପ୍ରତିଭ ହୋଇପଡିଲେ । ମାତ୍ର ମୁଁହରେ ରାଗ-ରଙ୍ଗିମା ଫୁଟେଇ ହସି ହସି କହିଲେ – “ଲାଜ ସରମ କିଛି ଅଛି କି ନାହିଁ ?ମାତ୍ର ଏଇ କେତୋଟି ଟଙ୍କା ପାଇଁ ରିତାୟର୍ଡ ବାପାଙ୍କ ଆଗରେ ଭିକାରି ପରି ହାତ ପତେଇବ । ତୁମ ବାପା ମାନେ ମୋର ପରମପୂଜ୍ୟ ଫାଦାର –ଇନ-ଲ ଗ୍ୟାଷ୍ଟିକ , ମଧୁମେହ , ଉଚ୍ଚ ରକ୍ତଚାପ ଇତ୍ୟାଦି ବହୁ ରୋଗ କାନ୍ଧେଇ- ମୁଣ୍ଡେଇ ନଇଁ ଗଲେଣି  । ତାଙ୍କୁ ଟଙ୍କା କଥା କହିଲେ ଆଉ କିଛି ନୂଆ ରୋଗ ଦସ୍ତକ ଦେବନି ତ ? ଘରେ ଅଶାନ୍ତିର ବୟାର ବହିବନି ତ ? ମୋ ପାଖରୁ ନେଇନେବ । ବୁଝିଲ ଟି । ତେଣେ କେତେ ବେଳ ହେଲାଣି । ଲୋକେ ହାଟ ଝାଟି ସାରିବେଣି । ”


  ସୁଲୁଦେବୀ ଦୁଇ ବର୍ଷ ହେଲା ଘର-ସଂସାର କଲେଣି । ବିଶ୍ଵାଳ ବାବୁଙ୍କ ଘରଣୀ ହୋଇ ଜାଣିସାରିଲେଣି ଯେ ତାଙ୍କ ପତିଦେବ ଟିକିଏ ଚୁଣ୍ଠା । ପଇସା ଟଙ୍କା ଦେବାକୁ ସବୁବେଳେ କୁନ୍ଥୁ-କୁନ୍ଥୁ, ସବୁ ପରିସ୍ଥିତିରେ କିନ୍ତୁ କିନ୍ତୁ । ସ୍ବାମୀଙ୍କ କଥାରେ ଜମା ଭରସା କରିପାରିଲେନି ---“ କିନ୍ତୁ ମୋର ଏହି ଜନମରେ ଏହି ଜୀବନରେ ଏହି ମାସରେ ଏହି ସପ୍ତାହରେ ଟଙ୍କା ଦରକାର ଅଛି । “ ପତି ଦେବଙ୍କୁ ଉଷ୍କେଇବା ଆଳରେ ଜାଣିଜାଣି କହିପକେଇଲେ  । ସେ ଜାଣନ୍ତି ଧାରୁଆ କଥା, ତିର୍ଜ୍ୟକ ବକ୍ରୋକ୍ତି ଧାରୁଆ ଛୁରିଠାରୁ ବେଶୀ ଧାରୁଆ । ଶାଣ ଦିଆ ଅସ୍ତ୍ର ଠାରୁ ବେଶୀ କାଟତି । । ଆଉ କଲିଜା ଥରେଇଦେବ ।

“ହଁ ହଁ ! ଏହି ସପ୍ତାହରେ ନେଇ ନେବ । ” ହାଟ ଝୁଲାକୁ କାନ୍ଥ କଣ୍ଟାରୁ ଆଣୁ ଆଣୁ ଶୁଣେଇ ଦେଲେ ।


 “ସପ୍ତାହେ ଅର୍ଥାତ ଏହି ଆଗାମୀ ସାତ ଦିନରେ କିମ୍ବା ସାତ ବର୍ଷରେ । ” ଅପେରା ଡାଇଲଗ ଭଳିଆ ଡେରି ନକରି ଆଉ ଟିକେ ବେଶୀ ଉତ୍ତେଜିତ କରିବା ପାଇଁ ଅଗତ୍ୟା କହିଦେଲେ । ନିଜ କାମ ତ ହାସଲ କରିବାକୁ ହେବ । ସମାଜରେ ମୋର ବି ଗୋଟେ ଖାତିର ଅଛି । ସମସ୍ତଙ୍କ ଆଗରେ ଫୁଟାଣି ଦେଖେଇ ଡିଣ୍ଡିମ ପିଟେଇ କହି ତ ଦେଇଛି । କାର୍ତ୍ତିକ ରାସ ପଞ୍ଛୁକ ଡଙ୍ଗା ଭସେଇ ଦିନକୁ ମଙ୍ଗଳସୂତ୍ର ବେକରେ ଚକମକ ନ କଲେ ମାନ ମର୍ଯ୍ୟାଦା ରହିବ ଟି ? ଲୁହା ଗରମ ହେଲେ ସିନା ବଙ୍କା ହେବ, ହାତକୁ ଆସିବ !


  ନିଜ ଅର୍ଦ୍ଧାଙ୍ଗିନୀଙ୍କ ଠାରୁ ଏମିତି ବିଶ୍ଵାସରହିତ ତାଚ୍ଛଲ୍ୟଭରା ଦେହ ହଣା କଥା ଶୁଣି ବିଶ୍ଵାଳ ବାବୁଙ୍କ ରାଗ ବିଏସଏ ସାଇକେଲର ପ୍ୟାଡାଲ ଉପରେ ପଡୁଥିବା ପାଦର ପ୍ରହାରରୁ ଜଣାପଡୁଥିଲା । ଘଣ୍ଟିର ଟିଙ୍ଗ ଟିଙ୍ଗ ସହିତ କହି ଚାଲିଥିଲେ –“ ଆଜି ଠାରୁ ଦିନ ଗଣିକି ରଖ । ରାଧାରମଣ କ୍ୟାଲେଣ୍ଡରରେ ଗାର ଲଗେଇ ରଖ । ଠିକ ସାତ ଦିନରେ ଯଦି ତୁମକୁ ଟଙ୍କା ବାର ହଜାର ନ ଦେଇଛି , ତେବେ ମୁଁ ଖତୁ ବିଶାଳ ପୁଅ ନୁହଁ କି ହରି ବିଶାଳ ନାତି ନୁହଁ । ”


   ମାତ୍ର ଜେନତେନ ପ୍ରକାରେଣ ଯେତେବେଳେ ଚାରିଦିନ ବିତିଗଲା ଏବଂ ଫଟା ପାହୁଲାଟିଏ କି କଣା ଅଧୁଲିଟିଏ ବି ଯୋଗାଡ ହୋଇପାରିଲାନି , ବିଶ୍ଵାଳ ବାବୁଙ୍କ ମୁଣ୍ଡ ଉପରେ ଚିନ୍ତାର ପାହାଡ ଯେମିତି ଛିଡିପଡିଲା । କଥା କ’ଣ କି ? ପୁରୁଷ ପୁଙ୍ଗବ ତ । କାଳେ କଥା ଦେଇ କଥା ରଖିହେବନି ପରା । ନିଜ ପ୍ରତିଷ୍ଠା ଉପରେ ଏକ ସୁଦୀର୍ଘ ପ୍ରଶ୍ନବାଚୀ । ନିଜ ଘରେ ଏବଂ ନିଜ ସହଧର୍ମିଣୀ ଆଗରେ ଆତ୍ମସମ୍ମାନ ଓ ମର୍ଦାଙ୍ଗିର ଏକ ସଙ୍ଗେ ଆତ୍ମହତ୍ୟା । ପତ୍ନୀ ନିଜ ମାନସ ପଟଳରେ ମୋ ବିଷୟରେ କ’ଣ କ’ଣ ସବୁ ଭାବିବ । ସୁଲୁ ମନ ସିଂହାସନରେ ଯେଉଁ ସ୍ଵାକ୍ଷର ମୋର ଥିଲା , ସବୁ ଦିନ ପାଇଁ ହରେଇବାକୁ ପଡିବ । ମୁଁ ମୋର ଦୁଇ ବର୍ଷର ଜୀବନଯାତ୍ରାରେ ବହୁ ବଢା ଚଢା କପୋଳକଳ୍ପିତ କାହାଣୀ ସୁଣେଇଛି, ସବୁ ଭଣ୍ଡୁର ହୋଇଯିବ । ହାତଧରିବା ଦିନରୁ ସେ କେବେ କିଛି ମାଗିନି । ପ୍ରଥମ ଥର ପାଇଁ ମୁଁହ ଖୋଲି କିଛି କହିଥିଲା । ମାତ୍ର ଏଥର ଯଦି ଲାଙ୍ଗୁଡଜାକି ମୁଁ ନିଜର ଅପାରଗ ପଣିଆ ଦେଖେଇ ଦିଏ , ତେବେ ମୁଁହରେ କାଳି ବୋଳି ହୋଇଯିବ । ମର୍ଦ୍ଦ ପୁଅର କଥା ଗୋଟିଏ କାରଣ ବାପ ଗୋଟିଏ ଆଉ ମୁଣ୍ଡ ଗୋଟିଏ । ” ଏମିତି ଚର୍ବିତ ଚର୍ବଣ ଚିନ୍ତା ଅହରହ ସକାଳ ସଞ୍ଜ ସବୁବେଳେ କାନମୁଣ୍ଡାରେ ଗୁଞ୍ଜି ଉଠୁଥିଲା ବିଶ୍ଵାଳ ବାବୁଙ୍କର । କେମିତି ସମାଧାନ ହେବ ଗୋଲକ ଧନ୍ଦା ?


  ଯାହା ବି ହେଉ ଆଉ ଗୋଟିଏ ଦିନ ବିତିଗଲା । ଅର୍ଥାତ ପଞ୍ଚମ ଦିନ ଖଲାସ । ଷଷ୍ଠ ଦିନ ବହୁତ ଭାବିଛିନ୍ତି ବିଶ୍ଵାଳ ବାବୁ ପିଲାଦିନର ଅନ୍ତରଙ୍ଗ ସାଙ୍ଗ , ବାଲ୍ୟ କୈଶୁର ବେଳର ବନ୍ଧୁ ,ପାଲି-ଚରକି –କଣ୍ଟା ଖେଳର ଚିର ସହଚର ;କବାଡି –ଲମ୍ବାଇ –ବହୁଚୋରି –ସୀତାଚୋରି ଖେଳର ଜିଗର ଦୋସ୍ତ ; ଗାଈ ଜଗିବା –ଘାସ କାଟିବା –ସ୍କୁଲ ନ ଯାଇ ମଡାବାସୁଣୀ କିଆବଣରେ ଲୁଚିବା –ପାଞ୍ଚପାଇକା ପୋଖରୀରେ ଟୁବ ଟୁବ ବୁଡିବା ଓ ପହଁରିବା – ନଈଆଡିରୁ ବଇଞ୍ଚ-ଖଜୁରୀ-ଆଙ୍କ କୋଳି ତୋଳିବାରେ ପରମ ଚରମ ସହୋଦର ରାଣୀଖୁଡୀ ଗ୍ରାମର ବୃନ୍ଦାବନ ପଣ୍ଡାଙ୍କୁ ଦୁଃଖ ଜଣେଇବା ସମୀଚୀନ ହେବ । ମାତ୍ର ବିଧିର ବିଡମ୍ବନା । ସେ ବି ମନା କରିଦେଲା । ରୋକଠୋକ ନାଁ କହିଲାନି କିନ୍ତୁ ହବନି ବୋଲି ମୁଣ୍ଡ ଟୁଙ୍ଗାରି ନାସ୍ତି ସୂଚକ ସଂକେତ ଦେଲା ।


   ମୁଖମଣ୍ଡଳରେ ପରାସ୍ତ ସୈନିକର ଦସ୍ତକ ନେଇ ଫେରୁଥିବା ବେଳେ , ପଣ୍ଡା ପୁଅ ହିମ୍ମତ ଦେଇ କହିଲେ _” ଦେଖ ଭାନୁଆ । ମୋ ପାଖରେ ପଇସା ତ ନାହିଁ ?ତୁ ତ ଜାଣୁ , ଆଜିକାଲି ପୂଜାପାଠରେ କେତେ ବା ଇନ୍କମ ? ଟିଭି ଆସିବା ଦିନରୁ ଲୋକେ ପଥଭ୍ରଷ୍ଟ ଓ ଧର୍ମଭ୍ରଷ୍ଟ ହେଲେଣି । ମାତ୍ର ମୁଁ କଥା ଦେଉଛି , ନିଶ୍ଚୟ କିଛି ଗୋଟେ   ବ୍ୟବସ୍ଥା କରିବାକୁ ହେବ । ତୁ ହିମ୍ମତ ରଖ । ମୋ ଉପରେ ଆସ୍ଥା ରଖି ଆମ ଘରକୁ ଆସିଥିଲୁ । ଯଉଁଠୁ ହଉ ଯୋଗାଡ କରି ଗତକାଲି ଗୋଧୂଳିବେଳା ପୂର୍ବରୁ ତୋ ଘରେ ଦେଇଆସିବି  । ତୋର ଆସିବା ଦରକାର ନାହିଁ । ” ଏମିତି ମନଭୁଲାଣିଆ କଥା କହି କାନ୍ଧରେ ହାତ ପକେଇ ବାଟ କଢେଇ ଦେଇ ଆସିଲେ ।


ସାଙ୍ଗର ଆଶ୍ଵାସନା ଭାନୁବୁଙ୍କୁ ଆଦୌ ସୁହେଇଲା ନାହିଁ । କୃତ୍ରିମ ଦରହସା ଭାବ-ଭଙ୍ଗିକୁ ଦେଖେଇ ପାନଖିଆ ନାଲି ଓଠକୁ କିଞ୍ଚିତ ହାଣିକରି ମୁଁହ ବୁଲେଇନେଲେ ଯେ ଏକା ଦମରେ ନିଜ ଘରେ ହାଜର ।

ଆଜି ମଙ୍ଗଳ ବାର । ପୁଣି ସପ୍ତାହର ଶେଷ ଦିନ । ଆଜି ସନ୍ଧ୍ୟା ବେଳକୁ ଯଦି ବାର ହଜାର ଟଙ୍କା ଶ୍ରୀମତିଙ୍କୁ ଗଣି ନ ଦେଇଛନ୍ତି , ତା’ ହେଲେ ତିରିଶ ବର୍ଷର ଇଜ୍ଜତ –ମହତ ଶୁଖୁଆପୁଡାରେ ଗଲା ଜାଣ । ଏକଥା ସତ ଯେ ,”ସୁଲୁ “ ପଇସା ନ ପାଇଲେ କମରରେ ଲୁଗା ଭିଡି କଜିଆ କରିବ ନା ମୋତେ ଶୂଳିରେ ଚଢେଇ ଦେବ – କେବଳ ଧୀରେ କରି ମୋ’ ଆଡକୁ ଚାହିଁ ମୁରୁକି ହସି ଦେବ ଯେ ------- । ମାତ୍ର ସେ ହସ କେମିତିକା ହେବ ଯେ ---- ସେହି କଳ୍ପନା –ଜଳ୍ପନାରେ ବିଶ୍ଵାଳବୁ ଝାଳେଇ ଗଲେଣି ? 


ବିକର୍ତ୍ତନ ଅଷ୍ଟାଚାଳଗାମୀ ହେଲେଣି । ବିହଙ୍ଗମାନେ ଖୁସିରେ ଆଗାମୀ ସନ୍ଧ୍ୟା ପାଇଁ ସାହାନେଇ ବଜେଇଲେଣି । ଜନ୍ହି ଫୁଲର ହଳଦିଆ ରଙ୍ଗରେ “ବିଶ୍ଵାଳ ଭବନ “ ଉତ୍ସବ ମୁଖର । ମାତ୍ର ବିଶ୍ଵାଳ ଭବନର ମେହିଖୁଣ୍ଟ ଶ୍ରୀମାନ ସୁଦର୍ଶନ ବିଶ୍ଵାଳ ବାବୁଙ୍କ ମନରେ ଉତ୍ସବର ତିଳେମାତ୍ର ଲେଶ କାହିଁ । ସେ ଖାଲି ଛାତ ଉପରେ ଘୁରି ବୁଲୁଥାନ୍ତି । ବାଲ୍ୟବନ୍ଧୁର ରାସ୍ତାକୁ ଚାତକ ପରି ଚାହିଁ ଥାନ୍ତି ଏବଂ ଭାବୁଥାନ୍ତି “ ବୁରୁନ୍ଦା କାହିଁ ଆସିଲା ନାହିଁ ? ଯଦି ସେ ପଇସା ଯୋଗାଡ କରି ନ ପାରିଲା ------ ଯଦି ସେ ଏତେ ଟଙ୍କା ଯୋଗାଡ ନ କରି ଅଳ୍ପ କିଛି ଆଣି ଆସିଲା ---ଯଦି ସେ ଆସିଲା କିନ୍ତୁ ------ଆଉ ସେ ଆଗକୁ ଅଧିକା ଭାବି ପାରିଲେନି । ଝାଳରେ ପୁରା ତିନ୍ତି ଗଲେଣି ଯଦିଓ ସନ୍ଧ୍ୟାର ମନ୍ଦ ସମୀରଣ ବେଶ ଆନନ୍ଦଦାୟୀ ମନେ ହେଉଥିଲା ।


ଏମିତି ଚିନ୍ତା ଜାଲର ଚକ୍ରବ୍ୟୁହରେ ପଡି ଛାତ ଉପରେ ଏପଟ ସେପଟ ପଦଚାରଣା କରିଚାରିଥିବାବେଳେ ସେ ଶୋଷ ଅନୁଭବ କଲେ । ଶ୍ରୀମତିଙ୍କୁ ଆବାଜ ଦେଲେ କି ପାଣି ଉପରକୁ ଆଣି ଆସିବାକୁ । ହିନ୍ଦୁ ସମାଜର ଅଜବ ନିୟମ । ଯଦି ସ୍ଵାମୀ ହୁକୁମ ଦେଲେ , ଯେତେ କାମ ପଡିଥାଉ , ସ୍ତ୍ରୀ ସବୁକୁ ପଛକୁ ପକେଇଦେଇ ମୁଁହରେ ସଜ –ଫୁଲ- ହସପେନ୍ଥାକୁ ସଜେଇ କାମପାଇଁ ହାଜର ହେବାକୁ ପଡିବ – ଅଲବତ କରିବାକୁ !!! କରିବନି ! ତା’ ମା’ ମରୁକିନା ?


“ସୁଲୁ” ଦେବୀ ସିଡି ପାହାଚ ଚଢି ପାଣିତ ଆଣିଲେ ମାତ୍ର ହଡବଡିରେ ଗ୍ଳାସ ଆଣିବାକୁ ଭୁଲିଗଲେ । କେବଳ କଂସା ଘଟିରେ ପାଣି ଆଣି ହାତକୁ ବଢେଇ ଦେଲେ ଆଉ ପୁଣି ଗ୍ଳାସଆଣୁଛି କହି ତଳକୁ ଗମନ କଲେ । ପାଦର ରୁଣୁଝୁଣୁ ପାଉଁଜି ବେଶ ଲାଲିତ୍ୟ ସୃଷ୍ଟିକରୁଥିଲା । ମାତ୍ର ଏମିତି ଏକ ବିପଦ୍ଦଜନକ ସମୟରେ ରୋମାନ୍ସ କଥା ମନକୁ କ’ଣ ଆସିବ କି ? ଘଟି ତ ବେଶୀ ପୁରୁଣା ନୁହେଁ , ମାତ୍ର ଜଣାପଡୁଛି ପନ୍ଦର –କୋଡିଏ ବର୍ଷ ପୂର୍ବରୁ ଜେଜେ ହରି ବିଶ୍ଵାଳ ପୁରୀ ବଡଦାଣ୍ଡରୁ ଆଣିଥିବା କଂସା ଲୋଟା ପରି । ବହୁଦିନରୁ ତୋଷରେ ମଜା ହୋଇନି । ଲୋଚା କୋଚା ଜଣାପଡୁଛି । ମା’ ଥିଲେ ଘଟି- ବେଲା - ଥାଳି- ତାଟିଆ, ମାନେ ସବୁ କଂସା-ବାସନ ଚକାଚକ କରୁଥାନ୍ତା । ଆମ ସୁଲୁତ ସ୍କଚ –ବ୍ରାଇଟ ଯୁଗର । ଛାଡ ସେ କଥା ।


ବିଶ୍ଵାଳ ବାବୁ ଦେଖିଲେ ପୁରୁଣା ଅପରିଷ୍କାର ଘଟି , ପୁଣି ଗ୍ଳାସ ନାହିଁ ? ରାଗ ତ ନାକ ଉପରେ ଉଙ୍କି ମାରିବାକୁ ଯାଉଥିଲା । ପୁଣି ଭାବିଲେ , ବାର ହଜାର ଟଙ୍କା ଏଯାଏଁ ଯୋଗାଡ ହୋଇନି ---- ସୁଲୁକୁ ଅଗତ୍ୟା କିଛି କଠିନ ଭାଷା ଶୁଣେଇଲେ , କଥାକୁ ଉଖାରେଇବା ସାର ହେବ । ବେଲା ଖରାପ । ସମୟ ତା ସଦୟ ହେଉନି ।


ସବୁକୁ ହଜମ କରି ଛାତର କୋଣରେ ଛିଡା ହୋଇ ଘଟିରୁ ସିଧା ସିଧା ପାଣି ମୁଁହରେ ଢାଳି ଢକ ଢକ ପିଇବାକୁ ଲାଗିଲେ । ଦୁଇ ଚାରି ଢୋକ ପରେ ତାଙ୍କୁ ଜୋରରେ ଛିଙ୍କ ହେଲା --- । କିଛି ପାଣି ଟୋପା ନାସାରନ୍ଧରେ ଭିତରକୁ ଚାଲିଗଲାରୁ ଯେଉଁ ହାଡଥରା ଛିଙ୍କ ପୁଣି ହେଲା –ନାକରୁ ପାଣି ବାହାର କରିଦେଲା । ମାତ୍ର ଏମିତି ସମୟରେ ଘଟି ହାତରୁ ଛୁ ମନ୍ଥର ।


ଘଟି ଡାହାଣ ଦେଖିଲା ନା ବାଁ ଦେଖିଲା । ସିଧା ଯାଇ ଢପ କରି ତଳେ ପଡିଲା ସତେଯେପରି ଆଇଜାକ ନ୍ୟୁଟନଙ୍କର ମାଧ୍ୟାକର୍ଷଣ ବଳ ଘଟି ଉପରେ ପୁରା ସବାର ଥିଲା । ମାତ୍ର କେଉଁ ଜାଗାରେ ପଡିଲା , କାହା ଉପରେ ପଡିଲା , ଜଣାନାହିଁ । ହଠାତ ରାସ୍ତାରୁ ହୋ-ହଲ୍ଲା ଜୋରରେ ଶୁଣାଇ ଦେଲା । କିଛି ଅଘଟଣ ହୋଇଗଲା କି ? ବିଶ୍ଵାଳବୁ ଯେତେଶୀଘ୍ର ପାରନ୍ତି ଦୌଡି କରି ତଳେ ପହଞ୍ଚିଲେ , ଦେଖିଲେ ଏକ ଛୋଟକାଟିଆ ଜନସମୁଦ୍ର ଘର ଅଗଣାରେ କୋଳାହଳରେ ବ୍ୟସ୍ତ ।  


ବିଶ୍ଵାଳ ବାବୁ ଦେଖିଲେ କି ଭିଡର ମୁଖପାତ୍ର ଜଣେ ପୃଥୁଳକାୟ ଭଦ୍ରବ୍ୟକ୍ତି । ଆପାଦମସ୍ତକ ଭିଜି ଯାଇଛନ୍ତି ଏବଂ ଗୋଟିଏ ପାଦକୁ ଆଉଁସୁଥିବା ଆଳରେ ଏକଗୋଡିଆ ଡ଼େଉଁଥାନ୍ତି । ଭଦ୍ରବ୍ୟକ୍ତିଙ୍କ ହାତରେ ଅପରାଧୀ ଘଟିକୁ ଦେଖି ସେ ଘଟଣା ଆମୂଳଚୂଳେ ବୁଝିନେଲେ । ଘଟି ତଳେ –ପଡିବା ପୂର୍ବରୁ ରାସ୍ତାରେ ଯାଉଥିବା ବାତ୍ୟାଘର କଣ୍ଟ୍ରାକ୍ଟର ଯାଜପୁର ଜିଲ୍ଲାର ଦୁର୍ଗାପ୍ରସାଦ ବଳିୟାର ସିଂଙ୍କ ବାଁ ପାଦରେ ତାଳ ପଡିବା ପରି ପଡିଲା , ପାଦକୁ ଜଖମ କଲା ଏବଂ ତାଙ୍କୁ ଗାଧୋଇଦେଲା । ମାତ୍ର ସେ ଯେତେବେଳେ ଜାଣିଲେ ଯେ ଘଟିର ମାଲିକ ବିଶ୍ଵାଳ ବାବୁ , ପାଟିକୁ ଆଁକରି ଦୁଇରୁ ଆଠ-ଅକ୍ଷରି ଗାଳି ହିଂଲିଶରେ କହି ଚାଲିଥାନ୍ତି ।

ଏହି ସମୟରେ ବୃନ୍ଦାବନ ପଣ୍ଡା ମହୋଦୟ ଭିଡକୁ ଚିରିକରି ଆଗଣାକୁ ଆସି ଛିଡାହେଲେ । ସର୍ବପ୍ରଥମେ ଗୋଟିଏ ଚିଡିଆ ଚିତ୍ର ଥିବା କାଠ ଚୌକି ଘର ଭିତରୁ ଆଣିଲେ ଆଉ ରଖିକରି କହିଲେ ।


“ ଆପଣଙ୍କ ପାଦରେ ଚୋଟ ଲାଗିଛି । ଆପଣ ଆରାମରେ ଚଉକିରେ ବସି ଯାଆନ୍ତୁ । ” ପଣ୍ଡାପୁଆ ବଳିଆର ସିଂ ମହୋଦୟଙ୍କ ହାତ ଧରି ଇସାରା କଲେ  । ଦ୍ଵିତୀୟତଃ , ଅଗଣା ଭିତରେ ଯେତେସବୁ ଭିମା - ରାମା ହେରିକା ଅନଗିନତ ଦେଖଣାହାରୀ ଧସେଇ ପଶିଆସିଥିଲେ , ସମସ୍ତଙ୍କୁ ଗୋଟୋ ଗୋଟି କରି ବାହାର କଲେ ଆଉ ଗେଟ ଲଗେଇଦେଲେ ।


ବଳିୟାର ସିଂ ବାବୁ ପଣ୍ଡା ବାବୁଙ୍କୁ ଧନ୍ୟବାଦ ଦେଉ ଦେଉ ଚଉକିରେ ବସିଲେ । ବିଶ୍ଵାଳ ବାବୁଙ୍କ ଆଡକୁ ଆଖିରେ ଇଶାରା କରି ପଣ୍ଡା ବାବୁଙ୍କୁ ପଚାରିଲେ ।


“ଆପଣ ଏ ବଦମାସଙ୍କୁ ଜାଣନ୍ତି କି ?”


“ବିଲକୁଲ ନୁହଁ ! ମୁଁ ଏଭଳି ଖରାପ ଲୋକଙ୍କୁ ଜାଣିବାକୁ ବି ଚାହେଁନି ? କାରଣ ଯେଉଁ ବ୍ୟକ୍ତି ରାସ୍ତାରେ ଯାଉଥିବା ଭଦ୍ରବ୍ୟକ୍ତି ଉପରେ ଘଟି-ମାଡ କରେ , ମୋ ମତରେ ସେ ଜଣେ ଖାତରନାକ ପାଗଳ , ପୁରା ବଦ୍ଧ ପାଗଳ , ପୁରା ସ୍କୃ-ଢିଲା । “ ପଣ୍ଡା ପୁଅ ବିଶ୍ଵାଳ ବାବୁଙ୍କ ଆଡକୁ ଟିକିଏ-ବି ନ-ଚାହିଁ ନ-ଯାଣିଲା ପରି ଦି- ପଦ ଶୁଣେଇ ଦେଲେ ।


“ନୁହଁ ! ମୋ ବୁଝିବାରେ ଏ ଜଣେ ପେଷାଦାର କ୍ରୀମିନାଲ । ” ବଳିଆର ସିଂ ବାବୁ ରାଗରେ ଆଖି ତରାଟି ତର୍ଜନୀ ଦେଖେଇ କହିଲେ ।


“ତେବେ ବର୍ତ୍ତମାନ କ’ଣ କରିବା ଦରକାର ?” ବଳିଆର ସିଂ ବାବୁ ପଣ୍ଡାବାବୁଙ୍କୁ ଜଣେ ସମାଜ ସୁଧାରକ ହିସାବରେ ଧରିନେଇ ପଚାରିଲେ । ନୀଳବଡିରେ କଷା ଉଜାଲାରେ ମଖା ଧୋତି –ପଞ୍ଜାବୀ ଛଅ ଫୁଟିଆ ଶରୀର ଉପରେ ବଳିଷ୍ଠ ବ୍ୟକ୍ତିତ୍ବ ଆଉ ବ୍ରାହମଣିଆ ବଚନପଟୁତାକୁ ଦେଖି ଭାବିବା ବି କିଛି ଭୁଲ ନୁହେଁ ?


“ଥାନାରେ ଇତାଲା ଦିଅନ୍ତୁ । ସଙ୍ଗେ ସଙ୍ଗେ ଜେଲରେ ଘଣା ପେଲିବ  । ଥାନା ଏହି ପାଖରେ । ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦେବି । ଗୋଟେ ଧନ୍ଦା ଚଲେଇ ଛନ୍ତି । ” ପଣ୍ଡା ପୁଅ ମଉକା ଦେଖି ଚଉକା ନୁହଁ ଛକକା ମାରିଦେଲେ ।


“ଚାଲନ୍ତୁ !” – ବଳିୟାର ସିଂ ବାବୁ ଯିବାକୁ ତତ୍ପର ।


“ଟିକିଏ ରହିବେ ସାର ! ମୁଁ ପ୍ରଥମେ ଏ କଂସା ଘଟିକୁ ଖର୍ଦ୍ଦି କରିସାରେ । ହେ ବିଶ୍ଵାଳ ବାବୁ ! କ’ଣ ବିକିବେ ? ମୁଁ 500 ଟଙ୍କା ଦେବାକୁ ରାଜି ଅଚ୍ଛି । ” ପଣ୍ଡା ବାବୁ କଥାର ମୋଡ ବଦଳେଇ କହୁଥିଲେ ।

ବିଶ୍ଵାଳ ବାବୁ ଚୁପ ରହିଲେ । ମାତ୍ର ବଳିୟାର ସିଂ ବାବୁ ଉତତ୍କଣ୍ଠିତ ହୋଇ ପଚାରିବସିଲେ –“ଏ ଛୋଟ ଖରାପ ଅପରିଷ୍କାର ଛାର କଂସା ଘଟିକୁ ଆପଣ ୫୦୦ ଟଙ୍କା ଦେବେ ବୋଲି କହୁଛନ୍ତି । ମୁଁ କିଛି ବୁଝିପାରୁନି ?”

“ଆପଣ ଏହାକୁ ଖରାପ କହୁଛନ୍ତି । ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ଆପଣ ରେଡକର୍ଷ ପରି ବିଶ୍ଵବିଖ୍ୟାତ ଓ ବିଶ୍ଵପ୍ରସିଦ୍ଧ ସଂସ୍ଥା ସହିତ ଜଡିତ । ମୁଁ ଆପଣଙ୍କୁ ଜଣେ ବିଜ୍ଞ ଓ ସୁଶିକ୍ଷିତ ବ୍ୟକ୍ତି ବୋଲି ଅନୁମାନ ଲଗେଇଥିଲି । ଆପଣ କ’ଣ ଖବରକାଗଜ ଆଉ ନିଉଜ କିଛି ଦେଖନ୍ତି ନାହିଁ କି ?” ପଣ୍ଡା ପୁଅ କଥାର ସୁଅରେ କିଛି ଟୁଇସ୍ଟ ଆଣିବାକୁ ଭାବି କଥାର ମୋଡ ବୁଲେଇ ଦେଲେ ।


“କଥା କ’ଣ କୁହନ୍ତୁ ? ମୁଁ ତ କିଛି ବୁଝି ପାରୁନି ? କିଛି ବିନ୍ଦୁ ବିଷର୍ଗ ବି ଜାଣି ପାରୁନି ?” ବ୍ୟସ୍ତତା ଭିତରେ ବଳିୟାର ସିଂ ବାବୁ କଥାକୁ ଦୋହରାଇ ତେହେରାଇ ପଚାରୁଥାନ୍ତି ।

“ମହାଶୟ ! ଏ କଂସା ଘଟି ଏକ ଐତିହାସିକ ଦ୍ରବ୍ୟ । ମୋର ପୂରାପୂରି ବିଶ୍ଵାସ ଯେ ଏହା ମୋଗଲ ସମ୍ରାଟ ଆକବରଙ୍କ ଘଟି । ଦୁନିଆର ସବୁ ସଂଗ୍ରହାଳୟ ଏହାକୁ ଖୋଜିବାରେ ବ୍ୟସ୍ତ । ସମ୍ବାଦ ପତ୍ର ପ୍ରୁଷ୍ଠା ହେଉ କି ପ୍ରାଇମ ଟାଇମ ନିଉଜ ହେଉ ସବୁଥିରେ ଏହି ଖବର ବାରମ୍ବାର ପୁନଃ ପ୍ରସାରିତ ହେଉଛି । ବୁଝିଲେ ସାର ! ଆପଣ କୂପ ମଣ୍ଡୁକ ହୋଇ ରହିଗଲେ । ”


“କ’ଣ କହିଲେ ?” ବଳିୟାର ସିଂଙ୍କ ବ୍ୟସ୍ତତା ଆଉ ବ୍ୟଗ୍ରତା ଆକାଶ ଛୁଆଁ ।


“ ହଁ ମହାଶୟ ! ଷୋହଳ ଶତାବ୍ଦୀର କଥା । ମୋଗଲ ବାଦଶାହ ହୁମାୟୁନ ଶେରସାହା ଠାରୁ କନୌଜ ଯୁଦ୍ଧରେ ପରାସ୍ତ ହୋଇ ରାଜସ୍ଥାନର ମରୁଭୂମିରେ ଶରଣାର୍ଥୀର ଜୀବନ ବିତାଉଥିବା ବେଳେ ବଡ ଜୋରରେ ତାଙ୍କୁ ଶୋଷ ହେଲା । ତାଙ୍କୁ ଏହି କଂସା ଘଟିରେ ଜଣେ ବ୍ରାହ୍ମଣ ପାଣି ପିଏଇ ଦିଲ୍ଲୀଶ୍ଵରଙ୍କ ଜୀବନ ବଞ୍ଚେଇଥିଲେ । ହୁମାୟୁନଙ୍କ ମୃତ୍ୟୁ ପରେ ତାଙ୍କର ସୁଯୋଗ୍ୟ ପୁତ୍ର ଆକବର ବାଦଶାହ ହେଲେ । ସେ ସେହି ରାଜସ୍ଥାନୀ ବ୍ରାହ୍ମଣର ଠିକଣା ଖୋଜି ତାଙ୍କୁ କଂସା ଘଟି ଆକାରର ଦଶଟି ସୁବର୍ଣ୍ଣ ଘଟି ଉପହାର ଦେଇଥିଲେ । ପରେ ପରେ ଏଘଟି ଆକବରଙ୍କ ଅତି ପ୍ରିୟ ହୋଇପଡିଲା । ସେ ଦୈନିକ ଏଥିରେ ହିଁ ପାଣି ପିଉଥିଲେ । ୧୭୩୯ ତକ ଦିଲ୍ଲୀରେ ଥିବାର ପ୍ରମାଣ ପ୍ରକ୍ଷାତ ଐତିହାସିକ ଯଦୁନାଥ ସରକାର କହିଛନ୍ତି । ନାଦିର ଶାହା ଆକ୍ରମଣ ସମୟରେ ସେ ସବୁ ଧନରତ୍ନ ପାରସ୍ୟକୁ ନେଇଗଲେ ମାତ୍ର ଏ କଂସା ଘଟିକୁ ବହୁତ ଖୋଜା ଖୋଜି କଲା ପରେ ବି ପାଇନଥିଲେ । ଜଣା ପଡୁଛି ! କେହି ମୋଗଲ ବଫାଦାର ପାରିଷଦ ତାକୁ ଲୁଚେଇ ଦେଇଥିଲେ । କଲିକତା ଓ ଭୁବନେଶ୍ବର ସଗ୍ରହାଳୟରେ ଏହାର ପ୍ଲାଷ୍ଟର ଅଫ ପ୍ୟାରିଶ ମଡ଼େଲ ରଖାହୋଇଛି । ମାତ୍ର ଜଣାନାହିଁ ଏ ବଦମାସ ଲୋକ ପାଖରେ ଏ ଐତିହାସିକ ଘଟି କେମିତି ପହଞ୍ଚିଲା ? ସଂଗ୍ରହାଳୟ ମାଲିକଙ୍କୁ ଖବର ମିଳିବ ତ ଟଙ୍କା ବିଡା ଦେଇ କିଣି ନେବେ ?”


ଏମିତି ପୁଙ୍ଖାନୁପୁଙ୍ଖ ଐତିହାସିକ ସାରଗର୍ଭକ ବିବରଣୀ ଶୁଣିସାରିବା ପରେ ବଳିୟାର ସିଂ ସାରଙ୍କ ମନରେ ଲୋଭ ଓ ଆଶ୍ଚର୍ଯ୍ୟର ଏମିତି ପ୍ରଭାବ ପଡିଲା ଯେ ସେ ମନେ ମନେ କୁରୁଳି ଉଠିଲେ ।  ତତକ୍ଷଣାତ ପଣ୍ଡା ବାବୁଙ୍କୁ ପଚାରିଲେ –“ ଆପଣ ଏ କଂସା ଘଟିକୁ ନେଇ କ’ଣ କରିବେ ? ବୁଝିଲେ ସାର ! ପୁରୁଣା ଐତିହାସିକ କୃତି ସଂଗ୍ରହ କରିବା ମୋର ଏକ ରୁଚି ଓ ଅଭ୍ୟାସ । ହରପ୍ପା ମୁଦ୍ରା –ଗୁପ୍ତ ବାସ୍ତୁକଳା –ଅଶୋକି ସ୍ତୂପ – ଆଲ୍ଲାଉଦ୍ଦୀନ ତରବାରୀ –ଯାହାଙ୍ଗିର ଅଣ୍ଡା –ଆଉରଙ୍ଗଜେବ ଟୋପି –ଫରାସୀ ଫୁଲଦାନି –ବ୍ରିଟିଶ କୋଟ ---- --- ଇତ୍ୟାଦି ମୁଁ ସଂଗ୍ରହ କରିଛି । କଥା କ’ଣ କି , ଘଟିଟି ମୋ ପାଦ ଉପରେ ପଡିବା ବେଳଠୁଁ ହିଁ ମୁଁ ଏହାର ଅଧା-ମାଲିକ । କେବଳ ଔପଚାରିକତା ପାଇଁ ବିଶ୍ଵାଳ ବାବୁଙ୍କୁ ପଚାରିବାକୁ ପଶି ଆସିଥଲି । ଯେତେ ପଇସା ଯେତେ ଟଙ୍କା ଲାଗୁ ପଛେ ମୁଁ ହିଁ ଏହାକୁ ନେବି । ଏହାକୁ କିଣିବି ।

“ବାହାରେ ବାହ ! ଆପଣ କେମିତି କିଣିବେ ମୁଁ ଦେଖିବି ? ମୁଁ ନିହାତି କିଣିବି ? ଏହା ଉପରେ ମୋର ଏକଚାଟିଆ ହକ ଅଛି । କାରଣ ମୁଁ ପ୍ରଥମେ ରେଟ ଛିଡିଛି , ଦର କରିଛି । ” ପଣ୍ଡା ବାବୁ ଛାଡିବାର ନୁହଁ ।


“କେମିତିକା ଅଧିକାର । ଆପଣ ହିଁ କୁହନ୍ତୁ । ” ବଳିୟାର ସିଂ ବାବୁ ଯୁକ୍ତି କରିବା ଆଳରେ କହୁଥାନ୍ତି ।


“ ଘଟି ପାଣିରେ ଆପଣ ସ୍ନାନ କଲେ ନା ମୁଁ ?


“ଆପଣ କଲେ” ।


“ ଘଟି ଆପଙ୍କ ପାଦରେ ପଡିଲା ନା ମୋ ପାଦରେ । ”


“ଆପଣଙ୍କ ପାଦରେ “ ।


“ଏଣୁ ଘଟି କିଣିବା ଅଧିକାର କେବଳ ମୋର , କେବଳ ହିଁ ମୋର । ”


ଏମିତି କଳି ତକରାଳ ଶୁଣି ବିଶ୍ଵାଳ ବାବୁଙ୍କୁ ବଡ ଅତିଷ୍ଠ ଲାଗିଲା । ସେ ବହୁତ ସମୟରୁ ଚୂପ ଚାପ ଥିଲେ । ସହିବାର ସୀମା ଟପିବାରୁ ସେ ମୁଁହ ଖୋଲିଲେ –“ ବେକାର-ଫେକାର କଥା କହିବା ବନ୍ଦ କରନ୍ତୁ ଆପଣ ମାନେ  । କାହାର ଅଧିକାର , କାହାର ହକ ମୁଁ କହିବି । ଅସଲି ମାଲିକକୁ ନ ପଚାରି ଖାଲି ଚବର ଚବର ପଚର ପଚର ହେଉଛ । ଶୁଣ ! ଯିଏ ବେଶୀ ଟଙ୍କା ଦେବ , ଯିଏ ଅଧିକା ଦେବ ଘଟି ସେ ନେବ । ” ପଣ୍ଡାବାବୁ ରୋକଠୋକ ଶୁଣେଇଦେଲେ ।


“ଆପଣ ଘଟି ପାଇଁ ୫୦୦ ଦେଉଥିଲେ । ମୁଁ ୫୦୦୦ ଦେବି । “ କହିଲେ ଆଉ ପଛ ପକେଟରୁ ମନିପର୍ସ ବାହାର କେଲେ ଏବଂ ଦୁଇଟି ଦୁଇ ହଜାରିଆ ଆଉ ଦୁଇଟି ୫୦୦ ନୋଟ ବିଶ୍ଵାଳ ବାବୁଙ୍କୁ ଧରେଇ ଦେବାକୁ ଯାଉଥିଲେ ।


ପଣ୍ଡା ପୁଅ ଚିହ୍ନିକି ଆସିଲେ । “ବହୁତ ପଇସା ଦେଖେଇ ହଉଛୁ ଯାଜପୁରିଆ । ମୁଁ ଦଶ ହଜାର ଦେବି । ରଖ ତୋ ଟଙ୍କା ତୋ ପାଖରେ । ”—ପଞ୍ଜାବୀ ପ୍ଯାକେଟରେ ନିଜ ହାତକୁ ଟଙ୍କା ବାହାର କରିବା ମୁଦ୍ରାରେ ପ୍ରବେଶ କରେଇଲେ ।


“ ଶୁଣନ୍ତୁ ! ମୁଁ ପୂରାପୂରି ୧୨୦୦୦ ଦେବି । ଲାଗିଲେ ଆହୁରି ଲଗେଇବି , ଆହୁରି ବଢେଇବି । ମନ ହେଇଛି ଯେତେବେଳେ ଛାଡିବିନି । “ବଳିୟାର ସିଂ ବାବୁଙ୍କ ଦୃଢୋକ୍ତି ଜଣାପଡୁଥିଲେ ।

ପଣ୍ଡାବାବୁ ବଡ ହାଇମାରି ନିଜ ହାତକୁ ପଞ୍ଜାବୀ ପ୍ୟାକେଟରୁ ଅତି ସନ୍ତର୍ପଣରେ ବାହାର କଲେ ବାଜି ହାରିଯାଇଥିବାର ମିଛି ମିଛିକା ଗ୍ଲାନିରେ  । ମୁଁହରେ ପରାସ୍ତ ଭାବର ବେଶ ଝଲସି ଉକୁଟି ଉଠୁଥିଲା । କିନ୍ତୁ ମନରେ ଖୁସିର –ଆଶାର ଅରୁଣିମା ଉଙ୍କି ମାରୁଥିଲା ।


ବଳିୟାର ସିଂ ବାବୁଙ୍କୁ ଇଙ୍ଗିତ କରି-“ ଘଟି ଆପଙ୍କର ହେଲା । ନେଇଯାନ୍ତୁ ଆପଣ । ମୋ ପାଖରେ ଦଶ ହଜାରରୁ ଅଧିକା ଦେବାକୁ ନାହିଁ । ”


ଏହି ଦିପଦ ଶୁଣିବା ପରେ ବଳିୟାର ସିଂ ବାବୁଙ୍କ ପ୍ରସନ୍ନତାରେ ଓ ବାଜି ଯିତିଯିବାର ଗର୍ବରେ ହସିଦେଲେ । କୋଣରେ ଉଲଟି ପଡିଥିବା ଘଟି ଉପରେ ଛଞ୍ଚାଣ ପରି ଝପଟି ପଡିଲେ ଆଉ ହାତରେ ଘଟିକୁ ଉଠେଇନେଲେ । ଝାଡିଦେଲେ ପୋଛିପକେଇଲେ ଯେମିନ୍ତି କୋଟି ନିଧି ହାତ ମୁଠାରେ ।


ବଳିୟାର ସିଂ ବାବୁ ବିଶ୍ଵାଳ ବାବୁଙ୍କୁ ୧୨୦୦୦ ଟଙ୍କା ଦେଇ ରାସ୍ତା ଉପରକୁ ଉଠିଲେ । ବିଶ୍ଵାଳ ବାବୁଙ୍କ ହାତରେ ଟଙ୍କା ଛୁଇଯିବାକ୍ଷଣି ଚେହେରାରେ ଖୁସିର ଫଲଗୁ ଛେଲକାଣି ମାରିଲା । ସେ ଚେହେରା ଦେଖିବାର ଥିଲା । ଲାଗୁଥିଲା ଯେମିତି ସାତଦିନରେ ବଢିଥିବା ଦାଢିର ପ୍ରତ୍ୟକ ବାଳ ଖୋସିରେ ଦୋଳି ଖେଳୁଛନ୍ତି ।


ଦୀର୍ଘ ସପ୍ତହେବ୍ୟାପୀ ଯେଉଁ ଚିନ୍ତା ଓ ହତାଶା ବିଶ୍ଵାଳ ବାବୁଙ୍କ ମୁଣ୍ଡକୁ ଉକୁଣି ପରି କୁଣ୍ଡେଇ –ରୁଣ୍ଡେଇ ବସିଥିଲା , ସାଥି ବୃନ୍ଦାବନ ପଣ୍ଡାଙ୍କ ଉପସ୍ଥିତ ଓ ଆକସ୍ମିକ ବୁଦ୍ଧିମତା ବଳରେ ସୁଖାତ୍ମକ ଓ ଆମୋଦଦାୟକ ସିନରେ ଅନ୍ତ ହେଲା ।


“ ଦେଖ ! ତୋ ସହିତ ମୋର ଅନେକ କଥା ଅଛି । ପୂରାପୂରି ଦୁଇ ଘଣ୍ଟା ଲାଗିବ । ବର୍ତ୍ତମାନ ତୋ ପିଠି ଆଉଁସିବାକୁ –ସାବାସି ଦେବାକୁ ଘଣ୍ଟାଏ ଆଉ ତା’ ପରେ ଗଳାରେ ଲଗେଇ ଧନ୍ୟବାଦ ଦେବି ଘଣ୍ଟାଏ । ”- ବିଶ୍ଵାଳ ବାବୁ ବନ୍ଧୁଙ୍କୁ ଆଲିଙ୍ଗନ କରୁଥିଲେ ଆଉ କହୁଥିଲେ ।


“ ଧେତ ଶଳା ! ପ୍ରଥମେ ତୁ ୧୨୦୦୦ ହଜାର ଟଙ୍କା ଗଣିକରି ରଖ ଛାତି ପକେଟରେ । ରାତିରେ ସୁଲୁ ଭାଉଜଙ୍କ ମାନ ଭଞ୍ଜନ ଆଉ ମନୋରଞ୍ଜନ କରିବୁ । ମୁଁ ଚାଲିଲି । ତେଣେ ମୋର ବହୁତ କାମ । ” ପଣ୍ଡା ବାବୁ ହସୁଆ ମିଠାଳିଆ କାଇଦାରେ କହୁଥିଲେ ।


ବିଶ୍ଵାଳ ବାବୁ ସେଦିନ ରାତି କେମିତି କଟେଇଲେ , କେମିତି ଭାଉଜଙ୍କ ଆଗରେ ପୁରୁଷ ପଣିଆ ରଖିଲେ , କେମିତି ମରଦ ଜାତିପାଇଁ ପୌରୁଷର ବିଜଯ ବୈଜୟନ୍ତୀ ବାନା ଉଡେଇଲେ ,ତାଙ୍କ ସହିତ ଦେଖା ହେଲେ ଶୁଣିକରି ଆପଣମାନଙ୍କୁ କହିବି । ଇତି ନମସ୍ତେ ଭଲରେ ରହିବା ସମସ୍ତେ ।






Rate this content
Log in

Similar oriya story from Comedy