Panchanan Jena

Children Stories

4  

Panchanan Jena

Children Stories

ସରସ୍ଵତୀ ପୂଜାର ଅନ୍ତରାଳେ

ସରସ୍ଵତୀ ପୂଜାର ଅନ୍ତରାଳେ

8 mins
10



ସବୁ ବର୍ଷ ପରି ୨୦୨୪ ମସିହାର ବହୁ ଆକାଂକ୍ଷିତ ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଫେବୃମାରୀ ମାସ ୧୪ ତାରିଖ ଦିନ ବୁଧବାରରେ ପଡିଛି ଜାଣିଲା ପରେ ବିଭିନ୍ନ ମହଲରେ ଛୋଟ ବଡ଼ ପ୍ରତିକ୍ରୀୟା ସବୁ ଶୁଣିବାକୁ ମିଳିଲା । କେବଳ ଏକାଦଶ ଶ୍ରେଣୀ ପିଲାଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ଶ୍ରେଣୀର ଛାତ୍ରୀ-ଛାତ୍ର ମାନେ ମନକଷ୍ଟରେ ଥିଲେ । ବୁଝି ପାରୁଥିବେ ଊଣା ଅଧିକେ ଆପଣମାନେ ସୁଜ୍ଞାନୀ ବିଜ୍ଞାନୀ ଜନେ !


ସପ୍ତାହରେ ଦୁଇଥର ବିରିଆନି ଓ ଆମୀକ୍ଷ ବାରି । ଚିକେନ୍‌ ବାରି ଟା ବୁଧବାର ମଧ୍ୟାହ୍ନ ଭୋଜନ ବେଳେ । ମାଂସ ତରକାରୀ ତଥା ନାଲିଆ ଝୋଳ ଟା ବି ଗଲା ସରସ୍ଵତୀ ପୂଜା ପାଇଁ । ଗରମ ଭାତ ସାଙ୍ଗକୁ ବଙ୍କା ଭାଇଙ୍କର ଗରମ ଗରମ ଝୋଳ ଆଉ କେଇ ଖଣ୍ଡ ଛୋଟ ବଡ଼ ପିସ୍‌ କଣ୍ଠା ତଳକୁ ଗଳେଇ ଦେବାର ଯେଉଁ ନିର୍ବାର ଇଚ୍ଛା, ଯେଉଁ ଲହ ଲହକା ଦୁର୍ବାର ଅଭିପ୍ସା , ତାହା ବି ମା' ବିଦ୍ୟାଦାୟୀନୀ ଛଡେଇ ନେଲେ । 


ମନ ତଳେ ଗୋଟେ ଏମିତିକା ଅନ୍ତଃ ସଳିଳା ପ୍ରବାହିତ ହେଉଥିବା ବେଳେ ଉପରେ ଉପରେ ସରସ୍ଵତୀ ପୂଜା ପାଇଁ ସଜବାଜ ବି ଚାଲିଥାଏ । ବାପା-ବୋଉ -ମାମୁଁ-ମଉସା- ପିଉସା ମାନେ ଦୁଇ ଚାରି ଦିନ ଆଗରୁ ଆସି କତିପୟ ଭାଗ୍ୟବାନ ମାନଙ୍କୁ ନେଇ ମାର୍କେଟିଙ୍ଗ ବାହାନାରେ ନୂଆ ଡ୍ରେସ୍ କିଣି ଦେବାର ବି ନିଆରା ଅନୁଭବ ବି ଚାଲିଥାଏ । ପୂଜା ଦିନ ତ ପିନ୍ଧା ହେବ , ଆଗାମୀ ବୁଧବାରରେ ଗାଧୋଇ ସାରିଲା ପରେ ଦେହରେ ଗଳା ହେବ । କିନ୍ତୁ ତା' ପୂର୍ବରୁ ପଲିଥିନ୍ ଖୋଲି ସାଙ୍ଗମାନଙ୍କୁ ହଷ୍ଟେଲରେ ଦେଖେଇବାରେ ଯେଉଁ ନିଆରା ମଜା , ପୁରୀ ଖଜା ତଥା ବାଲେଶ୍ଵରୀ ଗଜା ମିଠେଇ ବି ସେତିକି ଖୁସି ଦେଇ ପାରିବ କି ସନ୍ଦେହ ?


 କୌଣସି କାରଣରୁ ଅନେକ ପିଲା ନୂଆ ଜାମା-ପ୍ୟାଣ୍ଟ-ଡ୍ରେସ୍‌ ଅଭିଭାବକ ମାନଙ୍କଠାରୁ ପାଇ ପାରିଲେ ନାହିଁ , ସେହି ଅବଦମିତ ଦୁଃଖ , ସେହି ଅକୁହା ଅବ୍ୟକ୍ତ ମନକଷ୍ଠକୁ ଦାବି ରଖି ଶୋଇପଡିବା ବେଳେ ଭଗବାନଙ୍କ ପାଖରେ କେବଳ ପ୍ରାର୍ଥନା -- ଗରିବ ଘରେ କାହିଁକି ଜନ୍ମ ଦେଲୁ , ଦରିଦ୍ର ନାରାୟଣ ବୋଲି ପରା ଜଗତେ କହି ବୁଲୁ --- ଯଉଁ ଅସମାନତାର ବିଦ୍ରୋହ କୈଶୁର ମନ-ମଗଜ-ମସ୍ତିସ୍କକୁ ଚଢିଯାଏ ଯେ ବେଳେ ବେଳେ ସେହି " ମୁଁ ପଢିବି , ମୁଁ ବଢିବି , ମୁଁ ଗଢିବି, ମୁଁ ଆଗକୁ ମାଡିବି" ର ଭୀଷ୍ମ ପ୍ରତିଜ୍ଞା ଅବଚେତନ ଅବସ୍ଥାରେ ନେଇଥାଏ । ସତରେ - ସମସ୍ୟା ବି କେବେ କେବେ ଭବିଷ୍ୟତ ପାଇଁ ସୁଗମ ପନ୍ଥାର ଆଲୋକବର୍ତ୍ତିକା ସାଜିଥାଏ ।


ଏକାଦଶ ଶ୍ରେଣୀର ପିଲାମାନେ ଦୁଇ ଦିନ ପାଇଁ ପାଠପଢ଼ାରୁ ମୁକ୍ତି -ରୁଟିନ୍ ବନ୍ଧା ଇଉନିଫର୍ମ ପିନ୍ଧା ଜଞ୍ଜାଳରୁ ପୂରା ଲଗାମ ଛଡ଼ା । ମାର୍କେଟିଙ୍ଗ୍ ପାଇଁ ଯିବେ , କିଛି ଜିଭ ସୁଆଦିଆ ଖାଇବେ, ସରସ୍ଵତୀ ପୂଜା ଡେକୋରେସନ ପାଇଁ , ମୂର୍ତ୍ତି ବସେଇବା ପ୍ୟାଣ୍ଡେଲ ପାଇଁ ସାଜ-ସଜ୍ଜାର ଉପକରଣ କିଣିବା ବାହାନାରେ । ଏ ବର୍ଷ ତାଳଚେର ମାର୍କେଟ ଯିବା ସମ୍ଭବ ହେଲାନି କାରଣ ସ୍କୁଲ ଆଗରେ ଥିବା ରାସ୍ତା ବନ୍ଦ , ଟ୍ରାଫିକ୍ ଯାମ୍ , ଲମ୍ବା ଲାଭନରେ ଦୁଇ ଧାରିଆ ଟ୍ରକ୍ ସବୁ ଯେମିତି ଆଣ୍ଠେଇ ପଡି ମୌନବ୍ରତ କରି ବସିଛନ୍ତି । ପାଖ ଆଇଜିଆଇଟି ମାର୍କେଟରୁ ଯେନ ତେନ ପ୍ରକାରେଣ ଆବଶ୍ୟକୀୟ ସାମଗ୍ରୀ ଗୋଟେଇ- ରୁଣ୍ଡେଇ ମନ କଷ୍ଟରେ ଫେରିଲେ ଚାରି ସଦନର କରିତକର୍ମାମାନେ । ଆଖି ମିଶେଇ ପାରୁ ନ ଥିଲେ ଅନ୍ୟ ସାଙ୍ଗମାନଙ୍କ ସହିତ । ଚାପା ଗୁଞ୍ଜରଣ ଶୁଭୁଥିଲା - ଯାହା ହୋଇଛି ଭଲ ହୋଇଛି , ଯାହା ବି ହେବ ଉଲ ନୁହଁ ବହୁତ ଭଲ ହେବ ।


 ନିମନ୍ତ୍ରଣ ପତ୍ର କମ୍ପୁଟରରେ ଲେଖା ଓ ପ୍ରିଣ୍ଟ , ସୋଲ କଟା , ବାଉଁଶ ପୋତା , ତୋରଣ ସଜା , କଦଳୀ ଗଛ ପୋତା ଇତ୍ୟାଦି ଇତ୍ୟାଦି କାମ ଚାଲିଥାଏ । ଗୀତ-ସାଭଣ୍ଡ ବକ୍‌ସ ବଜେଇ ବହୁ ଉଦ୍ଦେଶ୍ୟ ଭବନରେ ବିଭିନ୍ନ ପ୍ରକାର ମଭଜ ମସ୍ତିରେ ସାଜସଜ୍ଜାରେ ମସଗୁଲ ରହିଥିଲେ ସମସ୍ତେ କହିଲେ ଭୂଲ ହେବ । ମ୍ୟାଟ୍ରନ୍‌ ମ୍ୟାଡ଼ାମଙ୍କର କଡ଼ା ନଜର ତଥା କଳା ଶିକ୍ଷୟିତ୍ରୀ ଶ୍ରୀମତୀ କସ୍ତୁରୀବାଳା ମହାରଣା ମ୍ୟାଡ଼ାମ୍ ଙ୍କର ବାରମ୍ଵାର ତାଗିଦ୍‌ ଛଡ଼ା ପୂରା ଦୁଇ ଦିନ ଦୁଇ ରାତି ଅର୍ଥାତ୍ ୪୮ ଘଣ୍ଟାର ପୂର୍ଣ୍ଣମାସୀ ସ୍ଵଚ୍ଛନ୍ଧତା, ମୁକ୍ତ ଆକାଶର ବିହଙ୍ଗ ପରି ଅନୁମେୟ । ବରିଷ୍ଠ ଶ୍ରେଣୀ ପାଇଁ ଏଭଳି ସ୍ୱାଧିନତା ନବୋଦୟ ବିଦ୍ୟାଳୟରେ ବୋଧହୁଏ ପରମ୍ପରାଗତ । 


ଯାହା ହେଉ ସେହି ଶୁଭଦିନ ଆସି ଧରାବତରଣ କରିଗଲା ବୁଧବାର ଦିନ ପଞ୍ଚମୀ ଶୁକ୍ଳପକ୍ଷ ମାଘ ମାସରେ । ସକାଳ ପ୍ରହରୁ ଖାଲି ଏପଟ ସେପଟ , ମିଛି ମିଛିକା ବ୍ୟସ୍ତ ବିବ୍ରତ ହେବାର ଯୋଜନା ସମ୍ଭାବନା । ତଳ କ୍ଲାସର ପିଲାମାନେ ଯାଇ ଏମପି ହଲରେ କେଇ ଘେରା ବୁଲି ଆସିଲେଣି , କିନ୍ତୁ ମା' ସରସ୍ଵତୀଙ୍କ ମୁଁହ ଖବରକାଗଜରେ ଆଦୃତ୍ତା ।

ମନ ମାନୁ ନି । ଟିକିଏ ଦରି ଉପରେ ଉପବେଶନ , ପୁଣି କୁଶଳ ପ୍ରସ୍ଥାନ ।


ଦିନ ୧୦ ଟା ବେଳେ ନନା ସ୍କୁଟି ଚଢି ଆସିଲେ , ହନୁମାନ ମନ୍ଦିର ପାଖରେ ସ୍କୁଟି ରଖିଲେ , ସିଧା ଏମପି ହଲକୁ ପଶିଆସିଲେ । ଡେରି ହେଲାଣି । ପୁଣି ଦୁଇଟା ଘରୁଆ ପୂଜା ସାରିବାକୁ ହେବ। 


 ନନାଙ୍କର ମନ୍ତ୍ର -- ଯା କୁନ୍ଦେନ୍ଦୁ ତୁଷାରହାର ଧବଳା, ଯା ଶୁଭ୍ର ବସ୍ତ୍ରାନ୍ବିତା , ଯା ବୀଣାବରଦଣ୍ଡମଣ୍ଡିତକରା , ଯା ଶ୍ୱେତପଦ୍ମାସନା - ସହିତ ୨୦୨୪ ମସିହା ସରସ୍ଵତୀ ପୂଜା ବା ଶ୍ରୀପଞ୍ଚମୀ ପୂଜାର ଆବାହନୀ ଆରମ୍ଭ ହୋଇଗଲା । 


ପିଲାମାନେ ସବୁ ସୁନ୍ଦର ଦିଶୁଥିଲେ । ସମସ୍ତେ ଗାଧୋଇ ସାବୁନ୍ ସାମ୍ପୁ ତେଲ ଲଗେଇ ନୂଆ ତଥା ସଫା କପଡ଼ା ପିନ୍ଧି ହାତରେ ନଡ଼ିଆ ଧରି ବସିଥିଲେ । ପୁଷ୍ପାଞ୍ଜଳୀ ଦେବେ , ନଡ଼ିଆ ବାଡ଼େଇବେ । ଯାହା ପାଖରେ ନଡିଆ ନାହିଁ , ସେମାନେ ବି ଗୋଟେ ଡବଲ ଖୁସିରେ କାରଣ ଖଣ୍ଡ ଦି ଖଣ୍ଡ ନଡ଼ିଆ ଚାଖିବାକୁ ମିଳିଯିବ । 


ଝିଅ ପିଲାମାନେ ପୂରା ଖୁସି ହୋଇ ଅଳପ ଅଳପ ମଲ୍ଲୀ ଫୁଲିଆ ଦାନ୍ତ ଦେଖେଇ ଗୁଲି ଗଳପରେ ବ୍ୟସ୍ତ ଥିଲେ । ସରସ୍ଵତୀ ପୂଜାର ସୁ-ଅବସର ତାଙ୍କୁ ପୁଣି ଥରେ ପାଖରେ ବସି ଦେହକୁ ଦେହ ଘଷି ଚବର୍ ଚବର୍ ବଲର୍ ବଲର୍ ହେବାକୁ ଯେଉଁ ଅଫୁରନ୍ତ ଆନନ୍ଦ ଉଲ୍ଲାସର ବାତାବରଣ ଆଣି ଦେଇଛି , ଅବର୍ଣ୍ଣନୀୟ ।


ନନା ପୂଜାରେ ବ୍ୟସ୍ତ , ପ୍ରିନସପାଲ ପ୍ରତିମା ମିଶ୍ର ମ୍ୟାଡାମ୍ ସଂକଳ୍ପରେ ବ୍ୟସ୍ତ , ପଦ୍ମନାଭ ପାଢୀ ସାର୍ ଭୋଗ କଟା-କଟିରେ ବ୍ୟସ୍ତ , ପୂରା ଏକାଦଶ ଶ୍ରେଣୀ ବିଭିନ୍ନ ପ୍ରକାର ପୂଜା ସମ୍ବନ୍ଧୀୟ କର୍ମକାଣ୍ଡରେ ଆହୁରି ବ୍ୟସ୍ତ , ଦରିରେ ବସିଥିବା ଛାତ୍ରୀ-ଛାତ୍ରମାନେ ଖୁସି ଗଳ୍ପରେ ବ୍ୟସ୍ତ , ଚୌକିରେ ବସିଥିବା ଅଭିଭାବକ , ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ମଧ୍ୟ ତଦନୁରୂପ କଥାବାର୍ତ୍ତା ସହିତ ମୋବାଇଲରେ ବ୍ୟସ୍ତ । ଲାଗୁଥିଲା ସରସ୍ଵତୀ ପୂଜା ଭଳିଆ ଗୋଟିଏ ପବିତ୍ର ଶୁଭ ଦିନରେ ସମସ୍ତେ ଏତେ ମାତ୍ରାରେ ବ୍ୟସ୍ତ , ଏତେ ମାତ୍ରାରେ ବ୍ୟଗ୍ର ଏକାଗ୍ର ଯେ ଭକ୍ତିପୂତ ପୁଷ୍ପାଞ୍ଜଳି ପାଇଁ ଫୁଲ ବଣ୍ଟା ସମୟରୁ ବେଶ୍ ଅନୁମେୟ ହେଉଥିଲା ।


'ଅଇଲେ ମାଆ ସରସ୍ୱତୀ ନିର୍ମଳବର୍ଣ୍ଣେ...ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ...ଗଳାରେ ଗଜମତି ମୁକୁତାର ହାର...ଦିଅ ମାଆ ସରସ୍ୱତୀ ବିଦ୍ୟା ଭଣ୍ଡାର.. ମାଇକ୍ ରେ ଏହି ଶ୍ଳୋକ ସମସ୍ତେ ଆବୃତ୍ତି କଲେ , ଆଖି ବନ୍ଦ କରି , ହାତ ମଝିରେ ଫୁଲକୁ ଜାକି ଧରି , ପ୍ୟାଣ୍ଡେଲ ଉପରକୁ ଫୁଲ ଫୋପାଡି , ମୁଣ୍ଡିଆ ମାରି , ଶ୍ରୀଫଳ ବାଡେଇ , ମଥାରେ ଟିକା ଲଗେଇ , ହାତରେ ବ୍ରତ ବାନ୍ଧେଇ -- ମା' ସରସ୍ଵତୀ କି -- ଜୟ ! ମା' ହଁସ ବାହିନୀ କି - ଜୟ , ମା' ବିଦ୍ୟା ଦାୟିନୀ କି , ଜୟ " ଜୟଧ୍ଵନୀ ଦେଇ ମନେ ମନେ ଭଲ ପାଠ ଦେବାକୁ ଅନୁରୋଧ କରୁ କରୁ ପୂଜା ପର୍ବ ସମାପନ ହେଲା । 


ପ୍ରସାଦ ସେବନ ପର୍ବ ଆରମ୍ଭ ହେଲା ସଂଗେ ସଂଗେ । ଧାଡି ବାନ୍ଧି ପୁଅ - ଝିଅମାନେ ଧଳା ଚଉପଦିରେ ଭର୍ତ୍ତି ଭୋଗ ଖାଉ ଖାଉ ମଝିରେ ମଝିରେ ନଡ଼ିଆ ଫାଳରୁ ଦାନ୍ତରେ କୋରିଦେବା ବି ବେଶ୍ ମନୋଜ୍ଞ ଲାଗୁଥିଲା । ମୋବାଇଲ୍‌ ରେ ଫଟୋ ସବୁ ବଡ଼ ଭାଇ ଭଉଣୀ , ସାର୍ ମ୍ୟାଡ଼ାମ୍ ମାନେ ଗୋଟାଏ ପରେ ଗୋଟାଏ ଧଡ଼ା ଧଡ଼ ଫଟା ଫଟ୍ ଫଟୋ - ସେଲ୍ଫି - ଗ୍ରୁପ୍ ଫଟୋ ଉଠେଇ ଚାଲିଥିଲେ । ସେହି ସାନ ସାନ କୁନି କୁନି ନିରୀହ ନିଷ୍ପାପ ପିଲାଙ୍କ ବିକଳ ମୁଁହ ଦେଖି ଜାଣି ହେଉଥିଲା କି ସେମାନେ ବି ଫଟୋ ଉଠେଇବାକୁ ଉଚ୍ଛୁକ । ମାତ୍ର ବିଡମ୍ବନା ର ତନାଘନା । ତଳ ଶ୍ରେଣୀର ପିଲାମାନଙ୍କ ପାଇଁ କାହାରି ମନରେ ଛୋଟ ଦୟା ବି ନ ଥିଲା କି ତାଙ୍କ ଅସ୍ଥିର ମନର ଅକୁହା ଭାଷାକୁ ଅନ୍ତତଃ ଥରେ ଅଧେ ପଢିବାକୁ ବୁଝିବାକୁ !


ହଠାତ ମେସ୍‌ ବେଲ୍ ବି ବାଜିଗଲା ଅବିଳମ୍ବେ । ଅରୁଆ ଭାତ ସାଙ୍ଗକୁ ଡାଲି- ନବରତ୍ନ - ଟମାଟୋ ଖଟା ବେଶ୍ ରୁଚିକର ଲାଗିଲା । ପେଟେ ପାଣି ପିଇ ଦେଇ ବେଡ଼ରେ ଶୋଇ ଗଲା ବେଳକୁ ପୂରା ଦ୍ୱିପହର ପାର୍ । ସକାଳ ପହରୁ ବୁଲା ବୁଲି - ଉପାସ ଇତ୍ୟାଦି ଇତ୍ୟାଦି । ତେଣୁ ଖାଲି ପେଟରେ ଅନ୍ନ କେଇ ମୁଠା ପଡି ଯିବା ବେଳକୁ କୂଅରେ ଅଳିଆ ଜମା ହେଲା ଭଳିଆ ତଳିପେଟଟା ଓଜନିଆ ହେଲା ନିଦ ମାଉସୀ କୋଳକୁ ଆଉଜି ନେଲେ ଶେଜ ଶୁଙ୍ଗୁ ଶୁଙ୍ଗୁ । ଏକେତ ନବୋଦୟରେ ନିଦର ମଡ଼କ । ସରସ୍ଵତୀ ପୂଜା ଦିନ ବହଳ ନିଦରେ ଯେମିତି ମା' ସରସ୍ଵତୀଙ୍କ ପାଦ ଦୁଇଟାକୁ 

ଯାବୋଡି ଧରି ଭକ୍ତିଭାବରେ ତଲ୍କୀନ ହୋଇ ତା'ର ଉନ୍ନତ ସମର୍ପିତ ଭାବନା ଦେଖେଇ ପାରିଛି ।


କି'ଏ କହିଲା ଭଜନ ସଂଧ୍ୟା ପାଇଁ ପରା ସାଇରନ୍ ବାଜିଲାଣି । ତୁ ଯିବୁନି କି ରେ ବୁଦ୍ଧ ? ତୋ ନାଁ ପରା ଲେଖା ଯାଇଛି । ତୁ ପରା ଆମ ହାଉସ୍ ର ହ୍ୟୁମାନ୍‌ ସାଗର । ବାଥରୁମ୍ ସିଙ୍ଗର ତୋର ପ୍ରଥମ ଅବତାର , କ୍ଲାସରୁମ୍ ଗାୟକ ତାର ଦ୍ଵିତୀୟ ଅବତାର । ଭଜନ ପରିବେଷଣ କରି ତୁ ଆଜି ଦେଖେଇ ପାରିବୁ ଭକ୍ତି ମାଧ୍ୟମରେ ଶକ୍ତି , ଗୀତ ସଂଗୀତ ମାଧ୍ୟମରେ ତୁ ଅନନ୍ୟ ଉଦାହରଣ ସୃଷ୍ଟି କରି ପାରିବୁ । 


ବଉଳା କୁମ୍ଭୀର ପରି ଗଡ଼ୁଥିବା ମହାଭାଗ ଦେହରେ ଯେମିତି ଚିଆଁ ଲାଗିଗଲା । ଡେଇଁ ପଡିଲା ଭୀମ ଚିତ୍କାର କରି । ଆରେ କାଉ ! ଡାମରା କାଉ ! ତୁ ହିଁ ମୋ ନାଁକୁ ଜାଣି ଶୁଣି ଲେଖେଇ ଦେଇଛୁ । ପୁଣି ଦଭତା ଦଉଡି -- ଭିଡ଼ା - ଭିଡ଼ି, ଗୋଟେ ଲମ୍ବା ଅଧ୍ୟାୟ । 


ସଂଧ୍ୟା ଆଗତ ପ୍ରାୟ । ବିକର୍ତ୍ତନ ବିଜେ କରି ସାରିଲେଣି ପଶ୍ଚିମ ଗଗନ ଦିଗବଳୟ ଚାରିକାନ୍ଥ ଡେଇଁ । କିଚିର୍ ମିଚିର୍ ଶବ୍ଦ କାକଳୀରେ ପାଖ ଗଛ ମାନଙ୍କରୁ ମନ୍ଦ ମଧୁର ମିଶ୍ରିତ ଶବ୍ଦ ସମ୍ଭାର । ପ୍ରସନ୍ନ ଭାଇ ସବୁ ବିଜୁଳିବତୀ ଜଳେଇ ସାରିଲେଣି । ନବୋଦୟ କ୍ୟାମ୍ପସ୍‌ ଟା ଖୁବ୍ ସୁନ୍ଦର ମନୋରମ ପରିବେଶ ।


ମାଇକ୍ ରେ ବାରମ୍ଵାର ଉଦ୍ ଘୋଷଣା ଆଦ୍ୟାଶା ଦିଦି ଓ ବିଶ୍ଵରୂପା ଦିଦିଙ୍କର । ଭଜନ ସଂଧ୍ୟା ଆରମ୍ଭ ହେବାକୁ ଯାଉଛି । ଦୟାକରି ନିରବତା ରକ୍ଷା କରନ୍ତୁ ଓ କୁନି କୁନି ଭଜନ ଗାୟକ-ଗାୟିକା ମାନଙ୍କର ମନୋବଳ ବୃଦ୍ଧିପାଇଁ ଦୁଇ ହାତ ଖୋଲି କରତାଳି ମାଧ୍ୟମରେ ସାଧୁବାଦ ଦିଅନ୍ତୁ । 


ସଂଗୀତ ଶିକ୍ଷକ ରାଜେନ୍ଦ୍ର କୁମାର ବେହେରା ସାରଙ୍କ ସରସ୍ଵତୀ ବନ୍ଦନା ତଥା " ରାମ ସିଆ ରାମ୍'' ରାମଧୁନ୍‌ ସହିତ ଭଜନ ସଂଧ୍ୟାର ଶ୍ରୀଗଣେଶ ହେଲା । ବିଦ୍ୟାଳୟର ବରିଷ୍ଠ କର୍ମଚାରୀ ରବିନ୍ଦ୍ର କୁମାର ବାରିକ ଓ ଦଶମ ଶ୍ରେଣୀର ଆଦିତ୍ୟ କୁମାର ସାହୁର ତବଲାର ତାଳ-ଲୟ ତଥା ଦଶମ ଶ୍ରେଣୀର ବିଶ୍ଵଜିତ ଓ ତୃପ୍ତି ରଞ୍ଜନର ଢୋଲକ ସହିତ କୋମଳ କରାନୁପାତ, ସୁପ୍ରକାଶ ଗିନି ଓ ପ୍ରହ୍ଲାଦ ଝୁମୁକାର ସମବେତ ମୃର୍ଚ୍ଛନାରେ ଏକ ଭାବମୟ ସଙ୍ଗୀତମୟ ପରିବେଶ ଆରମ୍ଭ କରିଦେଲା । 


ପ୍ରଥମ ଗାୟିକା ହିସାବରେ ଷଷ୍ଠ ଶ୍ରେଣୀର ଛାତ୍ରୀ କୁମାରୀ ଅନନ୍ୟା ଦେବପ୍ରୀୟା ସାହୁ ମଞ୍ଚ ଉପରକୁ ଆସି ଗୋଟେ ଜଗନ୍ନାଥ ଜଣାଣ ଗାଇବାକୁ ଆରମ୍ଭ କଲେ --- କି ରଙ୍ଗ ଲଗେଇ ଦେଲୁ ରେ କଳା ରଙ୍ଗିଆ ... .... I ବିନା ସ୍ଵରରେ ଗଦ୍ୟ ଭଳି କୁନି ଝିଅଟି ମୁରୁକି ମୁରୁକି ହସି ହସି ଗାଉଥିଲା । ଯନ୍ତ୍ର - ବାଦ୍ୟ କାରମାନେ ହାତ କୁଣ୍ଡେଇ ବସି ରହିଲେ । ଟୁଙ୍ଗ ଟାଙ୍ଗ ବି ଥରେ ଅଧେ କରି ପାରିଲେ ନାହିଁ । ଅବଶେଷ ଗୋଟେ ରହିଗଲା । 


"ଦୟଣା ତୁଳସୀ ବାସୁଆଉ , 

ଆଖିକୁ ଶ୍ରୀମୁଖ ଦିଶୁଆଉ

ଗରୁଡ଼ ପଛରେ ଠିଆ ହେଉ ହେଉ

ଆପେ ଆପେ ହାତ ଉଠିଯାଉ

ଏହି ଭାଗ୍ୟ ଦିଅ ମହାବାହୁ

ତୁମରି ଆଖିରେ ଆଖି ମିଶିଗଲେ

ଲୁହ ଦି' ଟୋପା ଝରି ଯାଉ ମହାବାହୁ

ଜୀବନ ସାର୍ଥକ ହେଉ ମହାବାହୁ

ଜୀବନ ସାର୍ଥକ ହେଉ "

ସପ୍ତମ ଶ୍ରେଣୀର ଛାତ୍ର ମାଷ୍ଟର ସୁପ୍ରକାଶ ପରିଡ଼ାଙ୍କ ସୁଲଳିତ କଣ୍ଠସ୍ଵରରେ ଝଙ୍କୃତ ହେଇଗଲା ଏହି ଜଗନ୍ନାଥ ଭଜନଟି । ତାଳି ମାରିବାକୁ କହିବାକୁ ପଡିଲା ନାହିଁ ଭଦ୍ ଘୋଷିକା ମାନଙ୍କୁ ।


ପରେ ପରେ ଶ୍ରୀମତୀ ମଧୁସ୍ମିତା ମିଶ୍ର , କେମେଷ୍ଟ୍ରୀ ମ୍ୟାଡ଼ାମ୍ -- ଶ୍ୟାମ୍ ତେରୀ ବଂଶୀ ପୁକାରେ ----, ଦଶମ ଶ୍ରେଣୀର ଛାତ୍ରୀ କୁମାରୀ ସ୍ମୃତି ପ୍ରୀୟଦର୍ଶନୀ -- ରାଧା କେସେ ନା ଜଲେ , ନବୋଦୟ ସୁପୋଲ ବିହାର ପ୍ରବାସୀ ଝିଅ ମାନେ --- ସାକ୍ଷୀ ରାଜ ଓ ସମୃଦ୍ଧି -- ମେରୀ ମା' କୀ ବରାବର କୋଇ ନହିଁ, ଏକାଦଶ ଶ୍ରେଣୀର ଛାତ୍ରୀ କୁମାରୀ ମମତା ମୁର୍ମୁ -- ଦେ ଦେ ତୋ ଶରଧା ବାଲିରୁ ଦେ --- ଦଶମ ଶ୍ରେଣୀର ମାଷ୍ଟର ପ୍ରଣବ କୁମାର ବାରିକ --- ଜୟ ଜୟ ଦେବ ହରେ ଓ ଚକା ନୟନ କୁ ଦେଲେ ଅନେଇ , ଏକାଦଶ ଶ୍ରେଣୀର ଦିବ୍ୟରଞ୍ଜନ ପ୍ରଧାନ , ଏମଏଲ ଅଂଶୁମାନ ଓ ଦିବ୍ୟଜ୍ୟୋତି ନାୟକ - ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ , ମୋ ଆରତ ନଳିନୀ କୁ କର ହେ ଦଳନ , ଷଷ୍ଠ ଶ୍ରେଣୀର ଦିବ୍ୟରଞ୍ଜନ - କାହ୍ନାରେ ରେ କାହ୍ନା -- ଲଗାନା ତୁ ରଙ୍ଗ ଲଗାନା , ଆଦ୍ଯାଶା ସ୍ଥିତିପ୍ରଜ୍ଞା ସ୍ଵାଇଁ-- ଜଗନ୍ନାଥଙ୍କ ଷୋହଳ ନାମ-- ଗୋଟି ଗୋଟି କରି କହୁଛି ଶୁଣ --- ଇତ୍ୟାଦି ଭଜନମାନ ଗାଇ ସମବେତ ଦର୍ଶକମାନଙ୍କୁ ଝୁମେଇ ଦେବାକୁ ପାରୁ ପର୍ଯ୍ୟନ୍ତ ଗଳା ଫଟେଇ ମାଇକ୍ରୋ ଫୋନ ପରିଧି ଡେଇଁ ଚେଷ୍ଟା କରିଥିଲେ । 



ଷଷ୍ଠ ଶ୍ରେଣୀର କୁନି ଝିଅ କୁମାରୀ ସର୍ବାଣୀ ବିଶ୍ଵାଳ ---

ମୋତେ ଚନ୍ଦନ ପାଣିରେ ଗାଧୋଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋତେ ତୁଳସୀ ମାଳରେ ସଜେଇ ଦିଅ ଲୋ

ମୁଁ କାଳିଆ ପାଖକୁ ଯାଉଛି

ମୋର ଦେହରେ ସେ ଗୀତ ଗୋବିନ୍ଦ ଲେଖି

ମୋର ହାତ ଦେଖି ଦୀପ ରଖି

ଆଜି କାଳିଆର ଡୋରି ଲାଗିଛି ଲାଗିଛି

ମୁଁ କାଳିଆ ପାଖକୁ ଯାଉଛି ଲୋ--- ପରିବେଶକୁ ବେଶ୍ ଭାବମୟ ଭକ୍ତିମୟ ଅମୃତମୟ କରି ତୋଳିଥିଲା ।


ଏମିତି ଭଲ - ଖରାପ, ତାଳ -ସହିତ ,ତାଳ-ରହିତ, ସ୍ଵର- ସଙ୍ଗମ, ବେସୁରା ଭଜନ ଗାୟନରେ ଭଜନ ସଂଧ୍ୟା ସରିବାକୁ ଯାଉଥିଲା । ମାତ୍ର ଉତ୍କଣ୍ଠାର ବିଷୟ ଏହି କି ଯେ କି'ଏ ଶୁଣୁଥିଲା , 'କିଏ ମନେ ମନେ ଗୁଣୁଗୁଣେଇ ଗାଉଥିଲା , କିଏ ଖୁସି ଗଳ୍ପରେ ବ୍ୟସ୍ତ ଥିଲା , କିଏ ଭକ୍ତି ଭାବନାରେ ବୁଡି ଯାଇଥିଲା । ମଝିରେ ମଝିରେ ନିରବତା ରକ୍ଷା କରନ୍ତୁ ଡାକବାଜି ଯନ୍ତ୍ରର ଡାକରା ବୋଧହୁଏ କ୍ଷଣିକ ପାଇଁ ସମସ୍ତଙ୍କୁ ସେହି ଭଜନ ସଂଧ୍ୟା ପ୍ରତି ଅଭିପ୍ରେରିତ କରୁଥିଲା ।


 ବୋଧହୁଏ ପଛରେ ଛିଡାହୋଇ ମା' ସରସ୍ଵତୀ ସୂଚେଇ ଦେଉଥିଲେ ଅତି ସର୍ବତ୍ର ଗର୍ହିତମ୍ ।






Rate this content
Log in