ଗୁଆ ଘିଅ
ଗୁଆ ଘିଅ


ଅଙ୍ଗନ ବାଡି ଯାଉଥିବା ଚାରି ବର୍ଷର ନାତି ଟୋକା ଦୀପୁର କାନ ମୋଡି ଦେଉ ଦେଉ ଜେଜେମା ଚିଲ୍ଲେଇ ଚିଲ୍ଲେଇ ସମସ୍ତଙ୍କୁ ଶୁଣେଇ ଶୁଣେଇ କହୁଥିଲେ-- --
- ବଦମାସ୍ ଟୋକା । ତୁ ସେ ତଳ ସାହିର ସିପୁ ଘରେ ପିଠା-ଖିରି-ପୁରି ଖାଇଲୁ ଆଇଲୁ . କିଛି ବୁଝିଲୁ କି ?
--ତୁ ହରିଜନ ଘରେ ଖାଇଲୁ -ତୁ ଅଜାତିଆ ହେଲୁ , ତୋ ଜାତି ଗଲା , ଜାଣିଲୁ।
--ନେଲୁ ଗଙ୍ଗାପାଣି ଟୋପେ । ମୁଁହ ଖୋଲ । ଧର୍ମ ଭ୍ରଷ୍ଟ କଲା ଏ ଦୁଷ୍ଟ ପିଲା । କ'ଣ ହେବ କହିଲ ?
ଜେଜେମାଙ୍କର ଏମିତିକା ତୁମ୍ଭି ତୁଫାନ ତଥା ବାକ୍ୟ ବିସ୍ଫୋରଣ ଶୁଣି ଦାଣ୍ଡ ଘରୁ ଜେଜେ ବାହାରି ଆସୁ ଆସୁ ମଝିରେ ଅଟକି ଗଲେ । ନାତି ଦୀପୁ କୁ ଦେଖି ହସି ଦେଲେ । ବୁଢ଼ା ଆଙ୍ଗୁଠି ଦେଖେଇ ଦେଇ ଚିଅର୍ସ ଅପ୍ କରିବା ମୁଦ୍ରାରେ ଉତ୍ସାହିତ କରି ଶ୍ରୀମତୀଙ୍କର କଡ଼ା ନଜର ପଡିବା ପୂର୍ବରୁ ପୁଣି ନିଜ ରୁମ୍ କୁ ପ୍ରସ୍ଥାନ କରିବା ସମିଚିନ ମନେକଲେ ।
ଏ ସଙ୍କଟ କାଳୀନ ସଙ୍ଗୀନ ପରିସ୍ଥିତିରେ ମୋ ଭଳି ବଙ୍କୁଲି ବାଡି ଧରି ବି ହଲୁ ଦୋହଲୁ ଥିବା ଅଥର୍ବ ହଡ଼ା ବୁଢ଼ା କ'ଣ ବା ସାହାଯ୍ୟ କରି ପାରିବ ?
ଭାଗବତର ଧାଡିଏ ମନେ ପଡିଗଲା --
ତୋ ବାକ୍ୟ ତୁହି ରକ୍ଷାକର
ଉଦ୍ଧବ କାହିଁକି ପଚାର
ସେହି ପରମ କାରୁଣିକଙ୍କୁ ସୁମରଣା କରି କରି ପ୍ରସ୍ଥାନ ମୁଦ୍ରାରେ ଜେଜେ ସିନା ଲାଙ୍ଗୁଡ ଜାକି ଗଲେ କିନ୍ତୁ କାନ କୁ ପୂରା ତତ୍ପର କରି ରଖିଥିଲେ ଘଟଣାର ଆମୂଳଚୁଳ ବିବରଣୀ ଶୁଣେଇବା ପାଇଁ ।
ଜାତି-ଅଜାତି ଉର୍ଦ୍ଧ୍ଵରେ ଥିବା ଛୋଟ ପିଲା ଦୀପୁ । ସିଏ ବା କାହିଁକି ଜାଣିବ ଜାତି-ଧର୍ମର ଯଉଁ ପାରମ୍ପରିକ ଲକ୍ଷ୍ମଣରେଖା । ଅଙ୍ଗନବାଡିରେ ପଢ଼ୁଥିବା ସାଙ୍ଗ ସିପୁର ଆଜି ଶୁଭ ଜନ୍ମଦିନ ଥିଲା । ଯାଇଥିଲା ହ୍ୟାପି ବାରଥ୍ ଡ଼େ କହିବାକୁ । ଆଣ୍ଟି ଡାକିବାରୁ ସୁଆଦିଆ ମହକିଆ ସୁଖଦିଆ ଭୋଜନର ଲୋଭ ଛାଡି ପାରି ନ ଥିଲା ।
ତେଣୁ ସରଳ ଭାବରେ ଜେଜେମା କୁ କହୁଥିଲା -- --
ମୁଁ ଥରେ ଖାଇଲି ହରିଜନ ହେଲି , ଜାତି ଧର୍ମ ନଷ୍ଟ କଲି । ସିପୁ ତ କେତେଥର ଆମ ଘରେ ଖାଇଛି । ବୋଉ ତ ତାକୁ ବଳେଇ ବଳେଇ ମୋ ପାଖରେ ବସେଇ ଖୁଆଏ । ସିପୁର ତାହାଲେ ହରିଜନ ଯାତି ଗଲା , ସେ ତ ଆମ ବ୍ରାହ୍ମଣ ଜାତିରେ ମିଶିଯିବ !
ଚାରିଆଡ଼େ ବିରାଟ ନିରବତା ରାଜୁତି କରୁଥିଲା ।
ଜେଜେମା ମୁଁହରେ ଯେମିତି ତାଲା ।
ଦୀପୁ ଜେଜେମା ହାତରୁ କାନକୁ ଖସେଇ ଦେଇ ଡେଇଁ ଡେଇଁ ଘର ଭିତରକୁ ପଶିଗଲା । ମୁଁହରେ ଗୀତଟେ ଗାଉଥିଲା - -
ଗୁଆ ଘିଅ ଗୁଆ ଘିଅ
ଅରୁଆକୁ ଗୁଆ ଘିଅ --