ବୋଉ ନଥିବା ଘରେ
ବୋଉ ନଥିବା ଘରେ
ଅଣୁଗଳ୍ପ -ବୋଉ ନଥିବା ଘର
ରଚନା - ପଞ୍ଚାନନ ଜେନା
ତାରିଖ -୨୦-୦୨-୨୦୨୬
++++++++++++++++
ବାଣୀବିହାର ହଷ୍ଟେଲରୁ ଘର ଆଉ ଘରୁ ବାଣୀବିହାର ହଷ୍ଟେଲ ଯିବା ଆସିବା ବେଳେ ଆଗ ଖୋଜୁଥାଏ ବୋଉକୁ -- କାରଣ ତାକୁ ମୁଣ୍ଡିଆ ମାରିବାକୁ ଗଲେ ଲୁଚେଇକି ହାତରେ କିଛି ଟଙ୍କା ପଇସା ଗୁଞ୍ଜିଦେବ । ମାତ୍ର ଆଜି ସେହି ସମୟ କଥା ମନେ ପଡିଗଲେ ଅନ୍ୟ ଅର୍ଥସବୁ ବାଟ ଉଗାଳେ । ବିଭିନ୍ନ ଭାବନା ସବୁ ଧାର ଧାର ହୋଇ ଝରି ଆସେ | ୧୯୯୧-୯୩ ମସିହାର ଅର୍ଥଟା ଅନର୍ଥ କଦର୍ଥ ଭଳି ପ୍ରତୀୟମାନ ହୁଏ ।
ତା'ର ଲୁହଭିଜା ଆଖି ଭିତରେ ଥିବା ଅମୂଲ ମୂଲ ସଂପତ୍ତିକୁ ସ୍ମୃତି କରିବା ପାଇଁ , ପଛକୁ ଫେରି ବାରମ୍ବାର ଚାହୁଁଥିବା ଆଉ ପଣତ କାନିରେ ମୁହଁ ପୋଛୁଥିବା ସେହି ମାହାମାନବୀକୁ ଶେଷଥର ଦେଖି ନେବାପାଇଁ ବୋଧହୁଏ ଖୋଜୁଥିଲି ସେ ବେଳେ । ତାର ସେ ରେଜା ପଇସା , ତାର ଚାରେଣି -ଅଧୁଲି-ଟଙ୍କାଏ ସେତେବେଳେ ବହୁତ କମ୍ ଲାଗୁଥିଲା କିନ୍ତୁ ଆଜିର ଏହି ଏଆଇ ଯୁଗରେ ଲାଗୁଛି ଗୁପ୍ତଧନରୁ କେଇ ମୁଠା |
ଆଜି ଷ୍ଟାଫ କମନ ରୁମରେ ନୂଆ ଶିକ୍ଷାନୀତି ୨୦୨୦ ବିଷୟରେ ଆଲୋଚନା ହେଉ କେହି ନୂତନ ଶିକ୍ଷକ ବନ୍ଧୁ ପଚାରିଦେଲେ , ଗାଁକୁ ଯିବେ କି ଆଗାମୀ ଖରାଛୁଟିରେ ? ଘରେ କିଏ ସବୁ ଅଛନ୍ତି ସାର୍ ? ଆପଣଙ୍କ ବାପା- ବୋଉ କେମିତି ଅଛନ୍ତି ? କାହିଁ ସେମାନେ ତ କେବେ ଆସନ୍ତିନି ଏଠିକି ? ଇତ୍ୟାଦି ଇତ୍ୟାଦି ସହଜ ସୁଲଭ ପ୍ରଶ୍ନସବୁର ଉତ୍ତର ସବୁ କହିପାରିଲି ନାହିଁ କାହିଁକି ଜାଣେନା ? ମୌନ ସ୍ମିତହାସ୍ୟରେ ସବୁ ସହିଗଲି |
ଦୀର୍ଘବର୍ଷ ଧରି ବାହାରେ ଅଛି | ନବୋଦୟ ବିଦ୍ୟାଳୟରେ ଚାକିରି କରିଛି ସତ କିନ୍ତୁ ନିଜେ ହାତରେ ରୋଷେଇ କରି ଖାଉଛି । କେତେ କଷ୍ଟ ଏହି ସବୁ --- ମାତ୍ର ଏହି ସବୁ ମୋ ସହକର୍ମି ବନ୍ଧୁମାନଙ୍କୁ କେମିତି କହିପାରୁନି |
ମୁଁ ବୋଉ ନ ଥିବା କ୍ୱାଟର ଘରେ ରହୁଛି । ମୁଁ ବୋଉ ରୋଷେଇ କରି ଦେଉ ନ ଥିବା ଘରେ ଖାଉଛି । ମୁଁ ବୋଉ ଶେଜ ପାରି ଦେଉ ନ ଥିବା ଘରେ ଶୋଉଛି।
ମୋ ବୋଉ-ବାପା ଗାଁରେ ପଡ଼ି ରହିଛନ୍ତି କର୍ମକୁ ଆଦରି ସାଦରି , ସେହି ବୋଉ ଥିବା ଘରକୁ, ସେହି ଗାଁକୁ ଫେରିବାକୁ ବାରମ୍ବାର ଇଚ୍ଛା ହେଉଛି । ଯେଉଁ ଘରେ ବୋଉ ସ୍ୱପ୍ନ ଦେଖୁଥିଲା କି ମୁଁ ବାଣୀବିହାରରେ ପାଠପଢ଼ି ଭଲ ମଣିଷଟେ ହେବି , ସେହି ମାଟି ମଟାଳର ସ୍ୱର୍ଗକୁ ଫେରିବାକୁ ମନ ତଳେ ଦୁର୍ବାର ଅଭିପ୍ସା ଜାଗୁଛି | ମୁଁ ହତଭାଗାଟେ ହେଲି , ସ୍ବପ୍ନ ପୂରଣ କଥା ଛାଡ, ମୁଁ କାହା ପାଇଁ କିଛି କରି ପାରିଲି ନାହିଁ ।
ବୋଉ ଥିବା ଭଙ୍ଗା ଘରେ କ'ଣ ସବୁ ଅଛି ଯେ , ମୋତେ ଶୟନେ ସପନେ ଅବା ଜାଗରଣେ ହାତଠାରି ଡାକୁଛି ।
