ବିଭୋର ଅନୁରାଗ
ବିଭୋର ଅନୁରାଗ
କ୍ଷୁଦ୍ରଗଳ୍ପ - ବିଭୋର ଅନୁରାଗ
ରଚନା - ପଞ୍ଚାନନ ଜେନା
ତାରିଖ -୦୨-୦୫-୨୦୨୬
++++++++++++++
ଇଷ୍ଟକୋଷ୍ଟ ଏକସପ୍ରେସ୍ ଟ୍ରେନଟା ବସ୍ତା ଷ୍ଟେସନରେ ପହଞ୍ଚିବ ପହଞ୍ଚିବ ହେଉଛି । ରେଲୱାନ ଆପ୍ କହୁଛି ଟ୍ରେନ ମାତ୍ର ୧୫ ମିନିଟ୍ ଲେଟରେ ଚାଲିଅଛି । ଖୁବ୍ ବଢିଆ I ଭାରତୀୟ ରେଳଯାତ୍ରାର ସ୍ୱର୍ଣ୍ଣିମ ଯୁଗର ଅୟମାରମ୍ଭର ସମ୍ୟକ ସୂଚନା ମିଳୁଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ରୂପସା ଜଙ୍କସନ୍ ଛାଡୁ ଛାଡୁ ଯାତ୍ରୀ ଅଜୟ କୁମାର ବିଶ୍ୱାଳ ( ବାବୁଲି ) ଙ୍କ ମନ ମସ୍ତିସ୍କରେ ଅନିର୍ବଚନୀୟ ଆନନ୍ଦର ଛଟା ଅଙ୍ଗେ ଅଙ୍ଗେ । ସମୟ ସକାଳା ୧୦.୩୦ ହେବାକୁ ଯାଉଛି । ଝରକା ବାହାରେ କଳାହାଣ୍ଡିଆ ମେଘ ଯେମିତି କଳା ଘୁମର ଓଡ଼ିଣୀ ଦେଇ ଲାଜମିଶା ନୟନ ପଖାଳୁଛି ।
ଶୀତତାପ ନିୟନ୍ତିତ ସିଟରେ ଆଉ ବସିବାକୁ ମନ କାହିଁକି କେଜାଣି ମନା କଲା ବୋଧେ । ଝରକା ପାଖରେ ପହଞ୍ଚୁ ପହଞ୍ଚୁ ଥଣ୍ଡା ଦଲକାଏ ପବନ ଯେମିତି ଦେହ ମୁଣ୍ଡ ନେସି ହୋଇ ପଳେଇଲା , ସର୍ବାଙ୍ଗରେ ବିଦ୍ୟୁତ ପରି ମାଟିର ମହକ ମନ ଭିତରେ ଖୁନ୍ଦିଦେଇ ଛୁ ମନ୍ତର ମାରିଲା ।
ଦୀର୍ଘ ପାଞ୍ଚ ବର୍ଷ ପରେ ଘରକୁ ଫେରୁଛି ବାବୁଲି । ହାଇଦ୍ରାବାଦରେ ସଫଟ୍ୱାର ଚାକିରି | ଦଶ ତାଲାରେ ବନଜାରା ହିଲ୍ସରେ ଫ୍ଲାଟ୍ କିଣିଛି । ମୋଟା ଅଙ୍କର ଦରମା , ସପ୍ତାହକୁ ପାର୍ଟି- ନାଇଟ କ୍ଲବରେ ଝିଅସାଙ୍ଗ ଫଉଜ ସହିତ ମଉଜ ମସ୍ତି । ସୁଖ ସୁବିଧାର ଅଭାବ ଅସୁବିଧା ତିଳେ ବି ନାହିଁ । ତଥାପି ଯେଉଁ ଅଭାବଟା ଶୀତତାପ ନିୟନ୍ତିତ ଅଫିସରେ , ଫ୍ଲାଟରେ ପାନରୁ ଚୂନ ଖସିଗଲେ ଯେମିତି ପାଣିଚିଆ ଲାଗେ ସେମିତି ଅନୁଭୂତ ହେଉଥିଲା , ଆଜି ପୂର୍ଣ୍ଣତା ପ୍ରାପ୍ତ କଲା | ମାଟିର ମହକ , ଦେଶି ପବନର ମିଠା ସଉକ ସୁଲୁ ସୁଲିଆ ଷୋଳଷା ପାଣ୍ଠିଆ ବୟାରରୁ ମିଳିଗଲା । ଅଶ୍ୱସ୍ଥ ଗଛର ପତ୍ର ଫଡ଼ ଫଡ଼ ଶବ୍ଦ କରି ଯେମିତି ପିଲା ଦିନର ସିମାହୀନ ଆନନ୍ଦାନୁଭୂତିକୁ ମନେ ପକେଇ ଦେଉଥିଲା । ଯେତେ ଅନଲାଇନ ପିଜ୍ଜା - ବରଗର୍ ଅର୍ଡର କରି ଖାଇଲେ ବି , ବୋଉର ହାତ ପରସା ପଖାଳଙ୍କସା ଆଗରେ ସବୁ ମୂଲ୍ୟହୀନ ,ପୂରା ତୁଚ୍ଛ ପୂରା ନ୍ୟୁନ .. ପୂରାପୂରି ଗୋଲିଆ ଶୁନ ।
ହଠାତ୍ ମୋବାଇଲଟା ବାଜି ଉଠିଲା -- 'ନନ୍ଦିଘୋଷ ତୋର ଅଟକି ଗଲା ' ରିଙ୍ଗଟୋନ୍ ଟା ପୂରା ବଗିଟାକୁ ଜଗନ୍ନାଥମୟ କରିଦେଲା ପରି ଲାଗୁଥିଲା । ଇଂଙ୍ଗଲିସ୍ - ହିଙ୍ଗଲିସ୍ ଯୁଗରେ ଉତ୍କଳୀୟ ଜଗନ୍ନାଥ ସଂସ୍କୃତିର ଝଲକ । ସବୁ ସହଯାତ୍ରୀ ଢିମା ଢିମା ଆଖିରେ ବାବୁଲି ଆଡକୁ ଅନେଇ ଆଶ୍ଚର୍ଯ୍ୟଚର୍କିତ ମୁଦ୍ରାରେ ଅବଲୋକନ କରୁଥିଲେ ।
ବାପାଙ୍କର ଫୋନ କଲ୍ ଥିଲା ।
" ହ୍ୟାଲୋ ! ହ୍ୟାଲୋ ବାବୁଲା ! ବାହାରେ ବର୍ଷା ଆରମ୍ଭ ହେଲାଣି । ତୁ ଓହ୍ଲେଇ ପଡିବୁ । ଷ୍ଟେସନରେ ଛିଡା ହେବୁ । ମୁଁ ଛତା ନେଇକି ଆସିଛି । ଭିଜିବୁନି ।
ସେଇ ଗୁରୁ ଗମ୍ଭୀର ସ୍ଵର, ସେଇ ତାଗିଦ୍ , ସେହି ଆକଟ । ପାଞ୍ଚବର୍ଷ ତଳେ ଯେମିତି ଅନୁରଣିତ ହେଉଥିଲା , ଠିକ୍ ସେମିତି କର୍ଣ୍ଣଗହ୍ୱର ପରଦା ଆଜି ବି ଭେଦ କରୁଥିଲା । ବୋଉ ସବୁ କଥା ଫୋନରେ କଥାବାର୍ତ୍ତା ଆଳରେ ପଚାରେ , ତାଗିଦ କରେ, ବରାଦ କରେ । ବାପା କେବଳ ନୀରବ ଶ୍ରୋତା । ଅତ୍ୟନ୍ତ ଜରୁରୀ ନ ହେଲେ , ସେ ପ୍ରାୟ ଫୋନ କରନ୍ତିନି । ମ୍ୟାସେଜରେ କାମ ସାରି ଦେବାକୁ ଭଲ ପାଆନ୍ତି । ଅନାବଶ୍ୟକ ବକର୍ ବକର୍ , ବିନା କାରଣରେ ଫଟର୍ ଫଟର୍ କ୍ୟାଲୋରୀ ତଥା ବ୍ୟାଟେରୀ ଅପଚୟ ମଣନ୍ତି ।
ଟ୍ରେନ ରହିଲା । ବାବୁଲି ଓହ୍ଲେଇଲା ବେଳକୁ ମୂଷଳଧାରାରେ ବର୍ଷା | ପ୍ଲାଟଫର୍ମର ଶେଷ ମୁଣ୍ଡରେ ଥିବା କଦମ୍ବ ଗଛ ମୂଳରେ ଗୋଟେ ପୁରୁଣା କାଠ ବେଣ୍ଟିଥା କଳା ଛଡା ତଳେ ବାପା ଛିଡା ହୋଇଛନ୍ତି । ମୁଣ୍ଡର ବାଳ ପୂରା ପାଚି ଯାଇଛି , ଦେହ ଆହୁରି ଶୁଖି ଯାଇଛି , ଶାର୍ଟ ତଳେ ଚମ ଧୁଡୁ ଧୁଡୁ କଙ୍କାଳଟା ଯେମିତି ନିଃଶ୍ୱାସ ନେଉଛି ।
ହେଲେ ନୀରବ ଆଖି ଦୁଇଟା ! ସେଇ ଛୋଟ ବେଳେ ସ୍କୁଲରୁ ଫେରିଲେ ଯେମିତି ଚମକୁଥିଲା , ଆଜି ବି ସେମିତି ଚମକୁଛି , ଯେମିତି ବହୁତ କିଛି କହିବ କହିବ ହେଉଛି ।
ବାବୁଲି ଦୌଡି ଗଲା , ନଇଁପଡି ମୁଣ୍ଡିଆଟେ ମାରୁ ମାରୁ ଉପରକୁ ଉଠିବା ବେଳେ ବାପାଙ୍କ ହାତରୁ ଛଡାଟା ଖସି ପଡିଲା । ଛତାକୁ ଉଠଉ ଉଠଉ ଦୁହେଁ ଭିଜିଗଲେ । ହେଲେ ସେ ଭିଜି ଯିବାରେ ଥଣ୍ଡା ଜ୍ଵର ହେବାର ଆଶଙ୍କା ନ ଥିଲା , ବରଂ ଥିଲା ପାଞ୍ଚ ବର୍ଷର ସଞ୍ଚିତ ଗଚ୍ଛିତ ଲୁହ ଆଉ ଘର ନାମକ ଶବ୍ଦର ଉଷୁମ କୋହ ।
ବାପା ଚଳ ଚଞ୍ଚଳ ଢ଼ଙ୍ଗରେ ସବୁ ବ୍ୟାଗକୁ ଧରି ଗାଁରୁ ଉଡ଼ା କରି ଆଣିଥିବା ଘୁଣ୍ଟିଆ ଭାଇ ପୁଅ ପର୍ଶୁରାମର ଅଟୋ " ମା' ଶିଙ୍ଗାରବୁଢୀ ଭରସା "ପାଖକୁ ଆଣି ରଖିଦେଲେ ।
ବସୁ ବସୁ କହିଲେ , ତୋ ବୋଉ ତୋ' ପାଇଁ କଳମଶାଗ ଭଜା , ଘିମାପୋଡ଼ା ଓ ଗଦାମମଞ୍ଜି ପତର ପୋଡ଼ା କରିଛି । କହୁଥିଲା , ପୁଅ ଆସିଲେ ମାଟି ହାଣ୍ଡି ବାସି ପାଖାଳ ଖାଇବ ଆଉ ବେଲେ ତୋରାଣୀ ପିଇବ ।
ବାବୁଲି କିଛି କହି ପାରିଲା ନାହିଁ । କେବଳ ଥରେ ଅନେଇ ଦେଇ ମୁରୁକି ଦେଲା ।ବାହାରେ ବର୍ଷାର ପ୍ରଭାବ ଅଳ୍ପ ବହୁତେ କମିଥିଲା , ଅଟେ। ଭିତରେ ପିତା - ପୁତ୍ରର ନୀରବ କାହାଣୀ ଲମ୍ବି ଚାଲିଥିଲା ।
ସେଦିନ ବାବୁଲି ବୁଝିଲା - ଅତୀତର ବାଲ୍ୟ କୈଶୁର ଅନୁଭୂତି ଶବ୍ଦରେ ବାନ୍ଧି ହୁଏନା , ସେଇଟା କେବଳ ବର୍ଷାରେ ଭିଜି ଭିଜି , ପାଦ ପ୍ରଣାମୀରେ , ଶାଗ ଭଜାର ସୁଗନ୍ଧରେ , ପଖାଳ ଙ୍କସାର ବାସ୍ନାରେ ଶୁଙ୍ଘି ହୁଏ ।
ସେହି ବିଭୋର ସ୍କୃତି ହିଁ ଆମକୁ ଘର ନାମକ ଚପଳ ଛନ୍ଦ ବେଳାଭୂମୀକୁ ଟାଣିନେଇ ଆସେ । ଘର କେବେ ଦୂର ହୁଏନି । ଆମେ ହିଁ କେତେବେଳେ ଘରଠୁ ଦୁରେଇ ଯାଉ ସହରୀ ସଭ୍ୟତାର କୃତ୍ରିମ ଚାକଚକ୍ୟର ଦ୍ବାହୀ ଦେଇ । ମାତ୍ର ସତ କଥା ହେଲା , ସେହି ବାଲ୍ୟ ଚପଳାମୀ ଚଗଲାମୀର ବିଭୋର ସ୍କୃତି ମାନସ ପଟ୍ଟଭୂମୀରୁ ଲିଭିଗଲେ ଏସବୁ ସାଙ୍ଘାତିକ ବାଚାଳାମୀ ଜାଣ ଅଜାଣତରେ ହୋଇଯାଏ ।
ବିନମ୍ର ଅନୁରୋଧ - ସେହି ବାପାଙ୍କ ଥରିଲା ସ୍ୱର, ସେହି ପୁରୁଣା କାଠବେଣ୍ଟିଆ ଛତା ଆଉ ମୂଷଳ ବର୍ଷାରେ ବାପ -ପୁଅର ଅନାୟାସ ଭିଜିବାର ଦୃଶ୍ୟ ଯେଉଁ ବସ୍ତା ରେଳ ଷ୍ଟେସନରେ ସେଦିନ ପରିବେଷଣ ହେଲା , କିଛି ବିଭୋର ଅନୁରାଗ ସୃଷ୍ଟି କରୁ ମାଟି ମନସ୍କ ବ୍ୟକ୍ତି ସତ୍ତାରେ, କିଛି ମାନବବାଦର ସ୍ପର୍ଶକାତର ପ୍ରସଙ୍ଗ ଅବଧାରଣ କରୁ ଗାଁ- ମନସ୍କ ସଫଟ୍ୱାର ପୁଅ-ଝିଅ ମନରେ ବୁଢା ବାପା-ବୁଢୀ ବୋଉର ତ୍ୟାଗ ତର୍ପଣ ଅର୍ପଣ ସମର୍ପଣର ପ୍ରତୀକ ବହନ କରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ।
